ସତରେ ପାପ କରିଥିଲେ ‘ପାପ’ ଅଭିନେତା ଅଙ୍କିତ କୁମାର,ଆଜି ବି ମନେ ପଡିଲେ ଦେହ ଶୀତେଇଯାଏ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ଓଡ଼ିଆ ଅଭିନେତା ଅଙ୍କିତ କୁମାର । ଆଗକୁ ଆସୁଛି ତାଙ୍କର ଫିଲ୍ମ ‘ପାପ’ । ତରଙ୍ଗ ସିନେ ପ୍ରଡକ୍ସନରେ ତିଆରି ଏହି ଫିଲ୍ମରେ ସେ ଲିଡ ରୋଲରେ ନଜର ଆସିବେ । ତେବେ ନିକଟରେ ସେ ତାଙ୍କ ପ୍ରକୃତ ଜୀବନରେ କରିଥିବା ପାପ ବିଷୟରେ କହିଛନ୍ତି । ଓଟିଭିର ଗପ୍‌ସପ୍‌ ପ୍ରୋଗ୍ରାମରେ ସେ ଏହାର ଖୁଲାସା କରିଛନ୍ତି ।ପଶୁମାନଙ୍କୁ ଖୁବ୍‌ ଭଲପା’ନ୍ତି ଅଙ୍କିତ । ହେଲେ ଦିନେ ଶୁଟିଂ ସାରି ଘରକୁ ଯିବା ପାଇଁ ତରବରିଆ ଭାବେ ଗାଡି ବାହାର କରିବା ବେଳେ ତାଙ୍କ ସହ ଘଟିଥିଲା ଏକ ଅଘଟଣ । ତାଙ୍କ ଗାଡି ଚକା ତଳେ କିଛି କୁକୁର ଛୁଆ ଶୋଇଥିଲେ। ସେ ଅଜାଣତରେ ଦୁଇ କୁକୁର ଛୁଆଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ । ଏହାଥିଲା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ୍‌ ବା ପାପ ବୋଲି ଅଙ୍କିତ କୁହନ୍ତି । ଏହି ଘଟଣା ଅଙ୍କିତଙ୍କୁ ଏକ ବଡ ଆଘାତ ଦେଇଥିଲା। ଆଜି ବି ଏହି ଘଟଣା ମନେ ପଡିଗଲେ ତାଙ୍କର ଦେହ ଶୀତେଇଯାଏ ।

ଏହି ଘଟଣା ପରଠାରୁ ସେ ଯେବେ ବି ନିଜ ଗାଡି ଚଲାନ୍ତି, ପ୍ରଥମେ ଗାଡି ଷ୍ଟାର୍ଟ କରି ହର୍ଣ୍ଣ ମାରନ୍ତି ଓ ଆଗ ପଛ କରନ୍ତି । କିଛି ସମୟ ଅଟକିବା ପରେ ଯାଇ ଗାଡି ଚଲାନ୍ତି । ସମସ୍ତଙ୍କୁ ଫିଟ୍‌ନେଶର ମନ୍ତ୍ର ଦେଉଥିବା ଅଙ୍କିତ ପ୍ରକୃତ ଜୀବନରେ ଭଲ ଛାତ୍ର ନୁହନ୍ତି ବୋଲି କହିଛନ୍ତି । ଫିଲ୍ମରେ ଆଇଏସ୍‌ ଚରିତ୍ରରେ ଥିବା ଅଙ୍କିତ ପ୍ରଥମରୁ ହିଁ ବିଜନେସ୍‌ କରିବା ପାଇଁ ଇଚ୍ଛା ରଖିଥିଲେ । ଅଭିନୟ ସହ ଏବେ ଭଲ ବିଜନେସ ମଧ୍ୟ କରୁଥିବା କହିଛନ୍ତି ଅଙ୍କିତ । ସୂଚନାଯୋଗ୍ୟ ଯେ, ଅପକମିଂ ଓଡ଼ିଆ ଫିଲ୍ମ ‘ପାପ’ରେ ଅଙ୍କିତ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ତାଙ୍କ ଚରିତ୍ରର ନାଁ ନିର୍ବାଣ ରହିଛି। ପ୍ରଥମଥର ପାଇଁ ସେ ଏହି ଫିଲ୍ମରେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଅପୋଜିଟରେ ନଜର ଆସିବେ । ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଜରିଆରେ ଦର୍ଶକଙ୍କୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି।  ମହାମାରୀ କରୋନା ଯୋଗୁଁ ନୂଆ କନ୍‌ସେପ୍ଟ ଏବଂ ନୂଆ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ଖୁବଶୀଘ୍ର ଛୋଟ ପରଦାରେ ରିଲିଜ ହେବ ।

-୩୩ ଡିଗ୍ରୀକୁ ସାମ୍ନା କଲେ ବିଗ୍ ବି ଅମିତା ବଚନ ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) –ସମଗ୍ର ଉତ୍ତର ଭାରତରେ ଜାରି ରହିଛି ଶୀତର ଲହରୀ। ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ପାରଦ ଖସିଛି, ଫଳରେ ଭୀଷଣ ଥଣ୍ଡା ଅନୁଭତ ହେଉଛି । ଏଭଳି ସ୍ଥିତିରେ ମାଇନସ ୩୩ ଡିଗ୍ରୀର ସାମ୍ନା କରିଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ଏନେଇ ସେ ନିଜେ ଫଟୋ ଶେଆର କରି ସୂଚନା ଦେଇଛନ୍ତି । ନିକଟରେ ବିଗ୍ ବି’ ଲଦାଖ ଟ୍ରିପରୁ ଫେରିଛନ୍ତି । ଏହି ଲଦାଖ ଟ୍ରିପର ଫଟୋକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଲଦାଖରେ ସେ କିଭଳି ଥଣ୍ଡାର ସାମ୍ନା କରିଛନ୍ତି ଏବଂ ସେଠାକାର ଅନୁଭୂତି କ’ଣ ଥିଲା ଏନେଇ ସେ ପ୍ରଶଂସକଙ୍କ ସାମ୍ନାରେ ବଖାଣିଛନ୍ତି। ଫଟୋକୁ ଶେଆର କରି ଅମିତାଭ କହିଛନ୍ତି, ମୁଁ ନିକଟରେ ଲଦାଖରୁ ଫେରିଛି । ଯେଉଁଠି ତାପମାତ୍ରା ମାଇନସ୍ ୩୩ ଡିଗ୍ରୀ ଥିଲା । ମୋର ସବୁ ଚେଷ୍ଟା ଏବଂ ମୋଟା ଜ୍ୟାକେଟ ମୋତେ ସେଠାକାର ଥଣ୍ଡାରୁ ରକ୍ଷା କରିପାରିଲା ନାହିଁ ବୋଲି କହିଛନ୍ତି।

ଏହି ଫଟୋରେ ଅମିତାଭ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଯେତେ ସମ୍ଭବ ସେତେ ପ୍ରକାରର ଚେଷ୍ଟା କରିଥିବା ଦେଖିବାକୁ ମିଳିଛି । ସେ ଧଳାରଙ୍ଗର ଟ୍ରାକିଂ ଜ୍ୟାକେଟ ସହ ସ୍ନୋ ଚଷମା ଏବଂ ଗ୍ଲୋବ୍ସ ପିନ୍ଧିଛନ୍ତି । ମୁଣ୍ଡରେ ଗୋଟିଏ ମଙ୍କି କ୍ୟାପ୍ ମଧ୍ୟ ଲଗାଇଛନ୍ତି । ତେବେ ମାଇନସ୍ ୩୩ ଡିଗ୍ରୀ ତାଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିବା ଦେଖିବାକୁ ମିଳିଛି । ଲଦାଖରୁ ଫେରିବା ପରେ ଅମିତାଭଙ୍କ ଅବସ୍ଥା ବିଗିଡି ଯାଇଛି। ସେ ଅସୁସ୍ଥ ହୋଇପଡିଛନ୍ତି।  ଅମିତାଭ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇପଡିଥିବା ଏକ ମିଡିଆର ରିପୋର୍ଟରୁ ଜଣାପଡିଛି । ସୂଚନା ଯୋଗ୍ୟ ଯେ ଅମିତାଭ ଏବେ ପପୁଲାର ଟିଭି ଶୋ’ ‘କୌନ ବନେଗା କରୋଡପତି’ ସିଜିନ-୧୨ରେ ହୋଷ୍ଟ କରୁଛନ୍ତି। ନିକଟରେ ସେ ତାଙ୍କ ପରିବାର ସହ ନୂଆବର୍ଷ ସେଲିବ୍ରେସନ କରିଛନ୍ତି । ଏହି ସେଲିବ୍ରେସନ ବେଳର ଫଟୋ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ନୂଆ ଠିକଣା ଖୋଜୁଛନ୍ତି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା.!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ନୂଆ ଠିକଣା ଖୋଜୁଛନ୍ତି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ମାମଲରେ ଗିରଫ ହୋଇ ଜେଲ୍‌ରୁ ବାହାରକୁ ଆସିବା ପରେ ନୂଆବର୍ଷରେ ନୂଆ ଆରମ୍ଭ କରିବାକୁ ସେ ଏବେ ମୁମ୍ବାଇରେ ନିଜ ପାଇଁ ଘରଟି ଖୋଜୁଛନ୍ତି । ଭାଇ ସୌଭିକ ମଧ୍ୟ ନିଜ ପାଇଁ ଘରଟିଏ ଖୋଜୁଛନ୍ତି।ରବିବାର ଦିନ ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ଭାଇ ସୌଭିକଙ୍କ ସହ ରିୟା ନଜର ଆସିଥିଲେ ।  କରୋନା ଯୋଗୁଁ ଭାଇଭଉଣୀ ଉଭୟ ମୁହଁରେ ମାସ୍କ ପିନ୍ଧିଥିଲେ। ଜାମିନ ମିଳିବା ପରେ ପ୍ରଥମ ଥର ପାଇଁ ରିୟା ପବ୍ଲିକ ପ୍ଲେସରେ ନଜର ଆସିଛନ୍ତି ।  ଦୁହିଁଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ସେପଟେ ଆଜି ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଏନ୍‌ସିବି ଅଫିସରରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ହାଜର ହୋଇଛନ୍ତି । ପୂର୍ବରୁ ହାଇକୋର୍ଟରୁ ମିଳିଥିବା ଜାମିନରେ ରିୟା ଏବଂ ସୌଭିକଙ୍ଗକୁ ପ୍ରତି ମାସର ପ୍ରଥମ ସୋମବାର ଏନ୍‌ସିବି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ତେଣୁ ଆଜି ରିୟା, ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ବାପା ଇନ୍ଦ୍ରଜୀତଙ୍କ ସହ  ମିଶି ଏନ୍‌ସିବି ଅଫିସରେ ପହଞ୍ଚି ହାଜିରା ପକାଇଥିଲେ।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲର ତଦନ୍ତ ବେଳେ ଏନସିବି ଡ୍ରଗ୍ସ ଲିଙ୍କରେ ରିୟା ଏବଂ ସୌଭିକଙ୍କୁ ଜେରା କରିଥିଲା । ପରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଉଭୟଙ୍କୁ ଏନସିବି ଗିରଫ କରିଥିଲା।  ରିୟାଙ୍କୁ ସେପ୍ଟେମ୍ବର ୮ ତାରିଖରେ ଏନ୍‌ସିବି ହାଜତକୁ ନେଇଥିଲା। ଏହାପରେ ସେ ପ୍ରାୟ ମାସେ ଜେଲରେ ରହିଥିଲେ । ଅକ୍ଟୋବର ୮ ତାରିଖରେ ତାଙ୍କୁ ଜାମିନ ମିଳିଥିଲା। ସୌଭିକଙ୍କ ଆଗରୁ ରିୟାଙ୍କୁ ଗିରଫ କରାଯାଇଥିଲା କିନ୍ତୁ ତାଙ୍କୁ ଡିସେମ୍ବର ୨ ତାରିଖରେ ଜାମିନ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ରିୟା ଫିଲ୍ମ ଜଗତକୁ ଫେରିବାକୁ ଯୋଜନା କରୁଛନ୍ତି। ରିୟା ଖୁବ ଶୀଘ୍ର ପୁଣି ଫିଲ୍ମ ଜଗତକୁ ଫେରିବେ ବୋଲି ନିର୍ଦ୍ଦେଶକ ରୁମି ଜାଫରି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ । ରିୟାଙ୍କ ଆଉ ଏକ ଫିଲ୍ମ ରିଲିଜ ହେବାକୁ ବାକି ଅଛି। ଏହି ଫିଲ୍ମ ୨୦୨୦ରେ ରିଲିଜ ହେବାର ଥିଲା କିନ୍ତୁ ଲକଡାଉନ ଯୋଗୁଁ ସିନେମାହଲ ବନ୍ଦ ରହିଥିବାରୁ ଫିଲ୍ମ ରିଲିଜ ହୋଇପାରିନଥିଲା। ଏହି ଫିଲ୍ମର ଟାଇଟଲ ହେଲା ‘ଚେହରା’। ଫିଲ୍ମରେ ରିୟାଙ୍କ ସହ ବିଗ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ମଧ୍ୟ ନଜର ଆସିବେ।
ରଣବୀରଙ୍କୁ ପ୍ରଶଂସା କଲେ ହ୍ରିତିକ୍ ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) –ବଲିଉଡ ଅଭିନେତା ରଣବୀର କପୁର ଦୀର୍ଘ ଦିନ ହେବ ବଡ ପରଦା ଠାରୁ ଦୂରେଇ ଅଛନ୍ତି। କିନ୍ତୁ ପ୍ରଫେସନାଲ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁଦିନେ ଚର୍ଚ୍ଚାରେ ରୁହନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀରଙ୍କ ପ୍ରେମ ସମ୍ପର୍କ ଏବେ କାହାକୁ ଅଛପା ନାହିଁ। ଏହାରି ଭିତରେ ରଣବୀର କପୁରଙ୍କୁ ପ୍ରଶଂସା କରିଛନ୍ତି ବଲିଉଡର ଗ୍ରୀକ୍ ଗଡ ହ୍ରିତିକ ରୋଶନ।ନିକଟରେ ତାଙ୍କ ଅପକମିଂ ଫିଲ୍ମ ‘ଆନିମଲ୍’ର ଘୋଷଣା ହୋଇଛି। ଫିଲ୍ମର ଟିଜର ଭିଡିଓକୁ ଶୋସାଲ ମିଡିଆରେ ଶେଆର କାରାଯାଇଛି। ଏହାକୁ ଦେଖିବା ପରେ  ହ୍ରିତକ, ରଣବୀରଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏହି ଭିଡିଓଟି ହ୍ରିତିକଙ୍କୁ ବେଶ ପସନ୍ଦ ଆସିଛି। କେବଳ ସେତିକି ନୁହେଁ ହ୍ରିତକ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରି ଫିଲ୍ମର ଷ୍ଟାରକାଷ୍ଟ ‍ଏବଂ ମେକର୍ସମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସୂଚନା ଯୋଗ୍ୟ ଯେ, ରଣବୀର କପୁରଙ୍କ ଅପକମିଂ ଫିଲ୍ମ ‘ଆନିମଲ’ର କାହାଣୀ ବାପା-ପୁଅଙ୍କ ସମ୍ପର୍କ ଉପରେ ଆଧାରିତ । ଫିଲ୍ମର ଆନାଉଂସମେଣ୍ଟ ଭିଡିଓରେ ରଣବୀର କପୁରଙ୍କ ଏକ ଦମଦାର ଡାଏଲଗ ମଧ୍ୟ ରହିଛି। ପୂର୍ବରୁ ଅନେକ ଫିଲ୍ମରେ ରଣବୀର ବାପା-ପୁଅର କାହାଣୀକୁ ପ୍ରଦର୍ଶିତ କରିସାରିଛନ୍ତି, କିନ୍ତୁ ଫିଲ୍ମ ‘ଆନିମଲ’ ସେ ସବୁ ଫିଲ୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ରଣବୀର କପୁର, ଅନୀଲ କପୁର, ବବି ଦେଓଲ ଏବଂ ପରିଣିତି ଚୋପ୍ରା ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ‘ବୁଲବୁଲ’ ଫେମ ତୃପ୍ତି ଡିମରୀ ମଧ୍ୟ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ଫିଲ୍ମ ‘କବିର ସିଂହ’ର ଜବରଦସ୍ତ ସଫଳତା ପରେ ନିର୍ଦ୍ଦେଶକ ସନ୍ଦୀୟ ରେଡ୍ଡୀ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି।

ଆଉ ହସାଇବେନି ‘ମିଷ୍ଟର୍ ବିନ୍’ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ହଲିଉଡର ଚର୍ଚ୍ଚିତ ହାସ୍ୟ ଅଭିନେତା ରୋବନ ଏଟକିଂସନ । ପୁରା ଦୁନିଆରେ ସେ ‘ମିଷ୍ଟର୍ ବିନ୍’ ନାଁରେ ପ୍ରସିଦ୍ଧ । ସମସ୍ତେ ତାଙ୍କ ‘ମିଷ୍ଟର୍ ବିନ୍’ ଚରିତ୍ରକୁ ବେଶ ପସନ୍ଦ କରନ୍ତି । ରୋବନ ଅନକ ଗୁଡିଏ ଫିଲ୍ମ ଏବଂ ନାଟକରେ କାମ କରିଛନ୍ତି କିନ୍ତୁ ଲୋକେ ତାଙ୍କୁ ଆଜି ବି ‘ମିଷ୍ଟର୍ ବିନ୍’ ରୂପେ ହିଁ ଚିହ୍ନନ୍ତି । ତେବେ ଏହି ପ୍ରସିଦ୍ଧ ‘ମିଷ୍ଟର୍ ବିନ୍’ ଆଉ ଆସିବେନି । ଲୋକଙ୍କ ଆଗରୁ ଦୂରେଇ ଯିବେ । ଆଉ ଦେଖିବାକୁ ମିଳିବନି ‘ମିଷ୍ଟର୍ ବିନ୍’ଙ୍କ ନଟଖଟି ଚରିତ୍ର । ଏନେଇ ନିଜେ ଅଭିନେତା ରୋବନ ଏଟକିଂସନ ସୂଚନା ଦେଇଛନ୍ତି। ନିକଟରେ ରୋବନ କହିଛନ୍ତି, ମୁଁ ଆଉ ‘ମିଷ୍ଟର୍ ବିନ୍’ ଚରିତ୍ରରେ ଅଭିନୟ କରିବି ନାହିଁ । କିନ୍ତୁ ଆଗକୁ ଏହି ଚରିତ୍ର ଉପରେ ନିର୍ମାଣ ହେବାକୁ ଯାଉଥିବା ଆନିମେଟେଡ ସିରିଜରେ ଭଏସ୍ ଦେବି । ମୋ ପାଇଁ ଏହି ଚରିତ୍ରକୁ କେବଳ ଭଏସ ରୂପେ ପରଦାରେ ନିଭାଇବା ସହଜ। ମୋତେ ଆଉ ଏହି ଚିରତ୍ରରେ ଅଭିନୟ କରିବାକୁ ଭଲ ଲାଗୁ ନାହିଁ । ଏହି ଚରିତ୍ର ପାଇଁ ମୋତେ ବଡ ଦାୟିତ୍ୱ ମୁଣ୍ଡେଇବାକୁ ପଡୁଛି ବୋଲି ରୋବନ୍ କହିଛନ୍ତି । ସୂଚନାଯୋଗ୍ୟ ଯେ, ୧୯୯୦ରେ ପ୍ରଥମ ଥର ପାଇଁ ଟେଲିଭିଜନରେ ‘ମିଷ୍ଟର୍ ବିନ୍’ର ଚରିତ୍ର ଦେଖିବାକୁ ମିଳିଥିଲା । ଏହାପରେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଥିଲେ ‘ମିଷ୍ଟର୍ ବିନ୍’ ଏବଂ ରୋବନ ଏଟକିଂସନ । ‘ମିଷ୍ଟର୍ ବିନ୍’ଙ୍କ ଫେସବୁକ ପେଇଜକୁ ସାରା ବିଶ୍ୱରେ ସବୁଠୁ ଅଧିକ ପସନ୍ଦ କରାଯାଇଛି । ଏହା ବିଶ୍ୱର ୧୦ ନମ୍ବର ସ୍ଥାନରେ ରହିଛି ।

‘ଆରମ୍ଭ ହେବ ତାଣ୍ଡବ, ରାଜନୀତିରେ ଚାଲିବ ଚାଣକ୍ୟନୀତି’..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) –ଖୁବଶୀଘ୍ର ଆରମ୍ଭ ହେବ ତାଣ୍ଡବ। ରାଜନୀତିରେ ଚାଲିବ ଚାଣକ୍ୟନୀତି। କିଛି ଏଭଳି ଦମଦାର ଡାଏଲଗ ଡେଲିଭରି ସହ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ୱେବସିରିଜ ‘ତାଣ୍ଡବ’ର ଟ୍ରେଲର। ସତ୍ତା ଲୋଭରେ ରଚାଯାଇଥିବା ରାଜନୀତିର ସାପ ଶିଡି ଖେଳ ଭିତରେ ଚାଲିଛି ପ୍ରଧାନମନ୍ତ୍ରୀ ଚୌକି ପାଇଁ ଘମାଘୋଟ ଲଢ଼େଇ। ଏହି ଖେଳରେ କିଭଳି ସମସ୍ତେ ମୋହରା ସାଜି ଫସୁଛନ୍ତି ତାହା ୨ ମିନିଟ ୪୪ ସେକଣ୍ଡର ଏହି ଟ୍ରେଲରରେ ଦେଖିବାକୁ ମିଳିଛି । ଲୋକେ ଏହି ଟ୍ରେଲରକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି ।ଅଲ୍ଲି ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ୱେବ ସିରିଜଟି ପୁରାପୁରି ପଲିଟିକାଲ ବେକଗ୍ରାଉଣ୍ଡକୁ ନେଇ ଆଧାରିତ । ଏଥିରେ ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀଙ୍କ ଆସନ ଉପରେ ରହିଛି। ଏହି ୱେବ ସିରିଜରେ ସୈଫ ଅଲ୍ଲିଖାନଙ୍କୁ ସମର ପ୍ରତାପ ସିଂହ ଭୂମିକାରେ ଦେଖିବାକୁ ମିଳିବ, ଯିଏକି ପ୍ରଧାନମନ୍ତ୍ରୀ ଆଶାୟୀ ପ୍ରାର୍ଥୀ । ଅନ୍ୟପଟେ ଡିମ୍ପଲ କପାଡିଆ ମଧ୍ୟ ଏହି ପଦ ପାଇଁ ଲଢ଼େଇ ଜାରି ରଖୁଥିବା ନଜର ଆସୁଛନ୍ତି ।ଆମାଜନ ପ୍ରାଇମ ଭିଡିରେ ରିଲିଜ ହେବାକୁ ଥିବା ଏହି ୱେବ ସିରିଜରେ ସୈଫ ଏବଂ ଡିମ୍ପଲଙ୍କ ବ୍ୟତୀତ ସୁନୀଲ ଗ୍ରୋଭର, ଆୟୁବ ଖାନ, ତିଗମାଂଶୁ ଧୁଲିଆ, କୁମୁଦ ମିଶ୍ରା, ସାରା ଜୈନ ଡିଆଜ, ଡିନୋ ମୋରିୟା, ଗୌହର ଖାନ, ଅନୁପ ସୋନୀ, କୃତିକା କାମରା, ହିତେନ ତଜୱାନୀ, ଅମାୟରା ଦସ୍ତୁର ମଧ୍ୟ ଅଛନ୍ତି । ଆସନ୍ତା ୧୫ ତାରିଖରେ ୱେବ ସିରିଜଟି ରିଲିଜ ହେବ ।

ସନ୍ନି ଲିଓନଙ୍କ ପ୍ରେମରେ ପଡ଼ିଲେ ସଲମାନ !

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) –ପୁଣି ପ୍ରେମରେ ପଡ଼ିଲେ ବଲିଉଡର ଭାଇଜାନ ସଲମାନ ଖାନ। କ୍ୟାଟ୍ରିନା ଏବଂ ୟୁଲିଆଙ୍କ ପରେ ଏଥର ସେ ଅଭିନେତ୍ରୀ ସନ୍ନି ଲିଓନଙ୍କ ପ୍ରେମରେ ପଡିଛନ୍ତି । ସନ୍ନିଙ୍କ ସୁନ୍ଦରତା ଦେଖି ପାଳଗ ହୋଇଯାଇଛନ୍ତି ଦବଙ୍ଗ ଖାନ । ଏପରିକି ସର୍ବସମ୍ମୁଖରେ ତାଙ୍କୁ ପ୍ରପୋଜ ମଧ୍ୟ କରି ଦେଇଛନ୍ତି। ନିକଟରେ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗବସ୍-୧୪’ର ୱିକେଣ୍ଡ କା ୱାରରେ ପହଞ୍ଚିଥିଲେ ଅଭିନେତ୍ରୀ ସନ୍ନି ଲିଓନ।  ଏହି ସମୟରେ ସଲମାନ, ସନ୍ନିଙ୍କୁ ଦେଖି ବେଶ ଖୁସି ହୋଇଯାଇଥିଲେ। ଏଥିସହ ତାଙ୍କ ସହ ବେଶ ମଜା କରିଥିଲେ ଏବଂ ସେଠାରେ ସନ୍ନିଙ୍କୁ ପ୍ରପୋଜ କରିଥିଲେ ସଲମାନ।ସଲମାନଙ୍କୁ ଭେଟିବା ପରେ ସନ୍ନି  ଆପଣଙ୍କ କ’ଣ ହୋଇଛି ବୋଲି ପଚାରିଥିଲେ । ଏହାର ଉତ୍ତରରେ ସଲମାନ କହିଥିଲେ, ମୋତେ ଜ୍ୱର ହୋଇଛି, ମୁଁ ତୁମ ପ୍ରେମରେ ପଡିଛି । ଏହାକୁ ଲଭେରିଆ କୁହାଯାଏ। ସଲମାନଙ୍କ ଏଭଳି  ପ୍ରେମ ନିବେଦନକୁ ଦେଖି ସନ୍ନି ଖୁସିରେ ପାଗଳ ହୋଇଯାଇଥିଲେ । ପରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଥିଲେ । ଶୋ’ର ପବ୍ଲିକ ଟିଆରପି ପାଇଁ ଏସବୁ କିଛି ଡ୍ରାମା କରିଥିଲେ ଭାଇଜାନ।ସୂଚନା ଯୋଗ୍ୟ ଯେ, ବିଗବସ-୫ର ପ୍ରତିଯୋଗୀ ରହିସାରିଥିବା ସନ୍ନି ଲିଓନୀଙ୍କୁ ଏହି ରିଆଲିଟି ଶୋ’ ପରେ ହିଁ ବଲିଉଡରେ ଏଣ୍ଟ୍ରି ମିଳିଥିଲା । ‘jism-2’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କୁ ଗୋଟିକ ପରେ ଗୋଟିଏ ଫିଲ୍ମର ଅଫର ହୋଇଥିଲା । ଅନେକ ଫିଲ୍ମର ଆଇଟମ ସଙ୍ଗରେ ମଧ୍ୟ ସନ୍ନିଙ୍କୁ ଦେଖିବାକୁ ମିଳିଛି ।

ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି କି? ହୋଇଯା’ନ୍ତୁ ସାବଧାନ;ନହେଲେ ହୋଇପାରେ ଭୟାନକ ସମସ୍ୟା ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ମୁଣ୍ଡବିନ୍ଧା ହେବା ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଏକ ସାଧାରଣ କଥା। ମାଇଗ୍ରେନ ଥିଲେ ସାଧାରଣତଃ ମୁଣ୍ଡବିନ୍ଧା ହୁଏ । ବେଳେ ବେଳେ ଭୋକ ଲାଗିଲେ ବି ମୁଣ୍ଡବିନ୍ଧା ହୋଇଥାଏ । ଖାଦ୍ୟ ସ୍କିପ୍ ବା ଦୀର୍ଘସମୟ ଧରି ଖାଲି ପେଟରେ ରହିଲେ ମୁଖ୍ୟ ରୂପେ ମୁଣ୍ଡ ବିନ୍ଧିଥାଏ। ଯଦି ଆପଣଙ୍କ ମଧ୍ୟ ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି ତାହେଲେ ସାବଧାନ ହୋଇଯା’ନ୍ତୁ । ଏହା ଆଗକୁ ବଡ ବିପଦ ସାଜିପାରେ ।ଏକ ଅଧ୍ୟୟନ ମୁତାବକ, ମୁଣ୍ଡବିନ୍ଧା ହେବାର ମୁଖ୍ୟକାରଣ, ଥକାପଣ, ପାଗ ପରିବର୍ତ୍ତନ, ପରିଅଡସ, ହୋହଲ୍ଲା, ନିଦ, ଭୋକ ଏବଂ ଖାଦ୍ୟ ସ୍କିପ କରିବା ହୋଇଥାଏ । ଡିହାଇଡ୍ରେସନ, କମ୍ ଖାଦ୍ୟ ଏବଂ କେଫିନର ଅଭାବ ଯୋଗୁଁ ଶରୀରରେ ଗ୍ଲୁକୋଜ ମାତ୍ରା କମିଯାଏ, ଫଳରେ ମୁଣ୍ଡବିନ୍ଧା ସୃଷ୍ଟି ହୁଏ। ଭୋକ ଲାଗିଲେ ହଙ୍ଗର ହେଡେକ୍ ବା ମୁଣ୍ଡବିନ୍ଧିବା ଭଲ ଲକ୍ଷଣ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।ଭୋକ ଯୋଗୁଁ ମୁଣ୍ଡବିନ୍ଧିବା ସହ କାନ୍ଧ, ବେକ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ପେଟ ଫୁଲିବା, ହାତ ଥରିବା, ମୁଣ୍ଡ ଘୁରେଇବା, ପେଟ ଯନ୍ତ୍ରଣା ହେବା, ଥଣ୍ଡା ଆଦି ଅନୁଭବ ହୁଏ । ବେଳେବେଳେ ଗ୍ୟାସଟ୍ରିକ୍ ସମସ୍ୟା ଯୋଗୁଁ ମଧ୍ୟ ମୁଣ୍ଡ ବିନ୍ଧିଥାଏ ।  ତେଣୁ ଯେତେ ସମ୍ଭବ ପେଟ ଖାଲି ରଖିବା ଉଚିତ ନୁହେଁ । ନଚେତ ମୁଣ୍ଡାବିନ୍ଧା ସହ ଅନ୍ୟ ରୋଗ ମଧ୍ୟ ମାଡି ବସିବ ।ତେଣୁ ଖାଦ୍ୟ ସ୍କିପ ନ କରି ସଠିକ ସମୟରେ ଖାଇବା ଉଚିତ । ଯଦି କାମ ପ୍ରେସର ଅଧିକ ଥାଏ ତେବେ ସେଥିରୁ ସମୟ ବାହାର କରି ନିୟମିତ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଇବା ଉଚିତ । ହାଇ ସୁଗାର ଚକୋଲେଟ ବା ମିଠା ଜୁସ ଖାଇବାଠୁ ଦୂରେଇ ରୁହନ୍ତ ।  ଭୋକକୁ ମେଣ୍ଟେନ କରିବା ପାଇଁ ପ୍ରଚୁର ମାତ୍ରରେ ପାଣି ପିଅନ୍ତୁ । ଯଦି ଆପଣଙ୍କ ମୁଣ୍ଡାବିନ୍ଧା ଚା, କଫି ବା କେଫିନ ଜାତୀୟ ପାନିୟ ସେବନ କରିବା ପରେ ମଧ୍ୟ ହେଉଛି, ତେବେ ଏହାକୁ ପିଇବା କମାଇ ଦିଅନ୍ତୁ ।

ବ୍ରାଣ୍ଡ ଅସଲି,ଭିତରେ ମାଲ୍ ନକଲି ;ତେଲ,ଘିଅ ଓ ପନିର ପରେ ଏବେ ଚା ପତି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ବ୍ରାଣ୍ଡେଡ୍ ପ୍ୟାକେଟ ଭିତରେ ଡୁପ୍ଲିକେଟ ମାଲ୍ । ଅସଲି ବ୍ରାଣ୍ଡ ଭିତରେ ରହିଛି ନକଲି ଚାହା ପତି । ମହଙ୍ଗା ପକେଟ ଦେଖି ଗ୍ରାହକ ଏହି ଚାହା ପତି ପ୍ୟାକେଟ କିଣିବା ବେଳେ ସେଥିରୁ ବାହାରୁଛି ଡୁପ୍ଲିକେଟ ମାଲ୍ । ଅମୃତଭଣ୍ଡା ଗଛର ପତ୍ର ଗୁଣ୍ଡରେ ଚାହା ପତି ପ୍ରସ୍ତୁତ ହେଉଛି । ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ପୁରା ସତ । ଘିଅ, ପନିର, ଧୂପକାଠି, ପୂଜା ସାମଗ୍ରୀ ପରେ କଟକରୁ ପୁଣି ମିଳିଛି ଏଭଳି ନକଲି ଚାହା ପତି ।କଟକ ସଦର ଥାନା ମୁକାମେଶ୍ୱର ଗାଁରୁ ବିପୁଳ ପରିମାରଣ ନକଲି ଚାହା ପତି ଫ୍ୟାକ୍ଟ୍ରିଠାବ ହୋଇଛି । ଆଜି ସକାଳୁ କଟକ ସଦର ପୁଲିସ କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରି ଏହି ସାମଗ୍ରୀ ଜବତ କରିଛି । ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ପ୍ରାୟ ୫୦ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚାହା ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।ଏକ ଆଜବେଷ୍ଟସ ଘରେ ଚାଲିଥିଲା ଏହି ନକଲି ବେପାର । ଏହି କମ୍ପାନୀ ଭିତରେ ଦୀର୍ଘ ବର୍ଷ ଧରି ନକଲି ଚାହା ନିର୍ମାଣ ହେଉଥିଲା। କିଛି ବ୍ରାଣ୍ଡେଡ କମ୍ପାନୀର ପକେଟରେ ନକଲି ଚାହାକୁ ଫ୍ୟାକିଂ କରି ବଜାରକୁ ଛଡା ଯାଉଥିଲା। କଟକ ପୋଲିସ୍ ଓ ସିଏମ୍ସି ଟିମ୍ ମିଳିତ ଭାବେ ଚଢ଼ଉ କରି ଏସବୁକୁ ଜବତ କରିଛି । ତେବେ ଏହି ଗୋଟିଏ ଘଟଣା ନୁହେଁ ଏହାପୂର୍ବରୁ ଘିଅ, ମସଲା, ପନିର୍ ଭଳି ଏକାଧିକ ଖାଦ୍ୟ ସାମଗ୍ରୀ ନକଲି ପ୍ରସ୍ତୁତକାରୀ କମ୍ପାନି କଟକରୁ ଠାବ ହୋଇଛି ।

ଆକ୍ରମଣ କରିବାକୁ ଯୋଜନା କରୁଛି ପାକ୍‌, ଅନୁପ୍ରବେଶ ଅପେକ୍ଷାରେ ୪୦୦ ଆତଙ୍କୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ଶୀତ ଦିନେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ। ଏଥିପାଇଁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ନୀଳନକ୍ସା ଆଙ୍କିଛି ଇସଲାମାବାଦ। ୧୦ କି ୧୦୦ ନୁହେଁ, ନିଜ ଯୋଜନାକୁ ସଫଳ କରିବା ପାଇଁ ପାକିସ୍ତାନ ନିଜ ସୀମାରେ ଥିବା ଲଞ୍ଚ ପ୍ୟାଡ୍‌ରେ ପ୍ରାୟ ୪୦୦ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରି ରଖିଛି। ଏହି ଆତଙ୍କବାଦୀମାନେ ଏଲଓସି ଡେଇଁ ଜମ୍ମୁ-କଶ୍ମୀରେ ପ୍ରବେଶ କରିବେ ଓ ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରିବେ। ଆଜି ଏ ସମ୍ପର୍କ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମିଳିବା ପରେ ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ ଶୀତ ଦିନ ଚାଲିଥିବାରୁ ଏଲଓସିର ଅଧିକାଂଶ ପ୍ରବେଶ ପଥ ବରଫ ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ବରଫ ଚାଦରର ସୁଯୋଗ ନେଇ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ୨୦୨୦ରେ ପାକିସ୍ତାନ ୪୪ ଜଣ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇଥିବା ବେଳେ ୨୦୧୯ରେ ଏହା ୧୪୧ ଥିଲା। ସେହିପରି ୨୦୧୮ରେ ୧୪୩ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିଲେ।ତେବେ ଭାରତୀୟ ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ପାକିସ୍ତାନ ୨୦୨୦ରେ ଅଧିକ ଆତଙ୍କବାଦୀଙ୍କୁ ପଠାଇବାକୁ ସକ୍ଷମ ହୋଇ ପାରି ନଥିଲା। ଏଥିପାଇଁ ଗୋଟିଏ ବର୍ଷରେ ପାକିସ୍ତାନ ୫୧୦୦ ଥର ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ନିଜ ଆକ୍ରୋଶ ଦେଖାଇବାକୁ ଚେଷ୍ଟା କରିଥିଲା। ୨୦୧୩ ପରେ ପ୍ରଥମଥର ପାଇଁ ୨୦୨୦ ବର୍ଷରେ ପାକିସ୍ତାନ ସର୍ବାଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା।ଏପରି କରି ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଇସଲାମାବଦ ଲକ୍ଷ୍ୟ ରଖିଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏବେ ମିଳିଥିବା ସୂଚନା ଅନୁଯାୟୀ, ପିଓକେରେ ଥିବା ଲଞ୍ଚ ପ୍ୟାଡ୍‌ରେ ୩୦୦ରୁ ୪୧୫ ଜଣ ତାଲିମ ପ୍ରାପ୍ତ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ସୁଯୋଗରେ ରହିଛନ୍ତି। କଶ୍ମୀର ଉପତ୍ୟକାର ଉତ୍ତର ପୀର ପଞ୍ଜଲର ସୀମା ସେପଟେ ୧୭୫ରୁ ୨୧୦ ଆତଙ୍କୀ ରହିଥିବା ବେଳେ ଜମ୍ମୁର ପୀର ପଞ୍ଜଲର ସୀମା ସେପଟେ ୧୧୯ରୁ ୨୧୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବା ଯୋଜନାରେ ରହିଛନ୍ତି। ଜମ୍ମୁ-କଶ୍ମୀରକୁ ଟର୍ଣ୍ଣେଲ ମାଧ୍ୟମରେ ଅସ୍ତ୍ରଶସ୍ତ୍ର, ଆତଙ୍କବାଦୀ ଓ ବିସ୍ଫୋରକ ପଠାଇବାକୁ ପାକିସ୍ତାନର ସୁରକ୍ଷା ଏଜେନ୍ସି ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି। ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ପାଇଁ ଡ୍ରୋନ ଦ୍ୱାରା ମଧ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଉଛି। ଗତବର୍ଷ ଡିସେମ୍ବର ମାସରେ ପ୍ରବଳ ବରଫ ପାତ ସମୟରେ ମଧ୍ୟ ଆତଙ୍କବାଦୀମାନେ ପୁଞ୍ଚରେ ଅନୁପ୍ରବେଶ କରିଥିଲେ। ହେଲେ ସେମାନଙ୍କୁ ଭାରତୀୟ ସୁରକ୍ଷାକର୍ମୀମାନେ ଖତମ କରିଦେଇଥିଲେ। ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ପାଇଁ ପ୍ରାୟ ୨୦ଟି ସ୍ଥାନ ଚିହ୍ନଟ ହୋଇଛି। ଏହି ସବୁ ଅଞ୍ଚଳରେ ଭାରତୀୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ରହରା ଦିଆଯାଉଛି। ଆତଙ୍କବାଦୀମାନେ ଯେମିତି ଭାରତରେ ଅନୁପ୍ରବେଶ କରିପାରିବେ ନାହିଁ, ତା’ର ସବୁ ପ୍ରକାରର ବ୍ୟବସ୍ଥା ଏଠାରେ କରାଯାଇଛି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।