କ୍ଷେତରେ ଫଳୁଛି ସବୁଜ, ହଳଦିଆ ଓ ଗୋଲାପୀ ରଙ୍ଗର ଫୁଲ କୋବି..!

 ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶୀତୁଆ ସକାଳରେ କ୍ଷେତରେ ଖେଳୁଛି ସବୁଜ, ହଳଦିଆ ଓ ପିଙ୍କ ରଙ୍ଗର ଫୁଲ କୋବି। ଇଣ୍ଟରନେଟ୍‌ରୁ କୋବି ଚାଷର ଫର୍ମୁଲା ପାଇ ନିଜ କ୍ଷେତରେ ପ୍ରୟୋଗ କରିଛନ୍ତି ଯୁବ ଚାଷୀ ଉତ୍ତମ ସାହୁ। ଆଉ ବଜାରରେ ଏହି କୋବିର ଚାହିଦା ଭଲ ଥିବାରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏହି ଯୁବ ଚାଷୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ। ତଳିତ ଗାଁର ଉତ୍ତମ ସାହୁ କୃଷି ବିଭାଗର ଜଣେ କର୍ମଚାରୀ। ଥରେ ମୋବାଇଲ୍‌ରେ ଖେଳାଉ ଖେଳାଉ ତାଙ୍କ ନଜରରେ ପଡ଼ିଲା ସବୁଜ, ହଳଦୀଆ ଓ ବାଇଗଣୀ ରଙ୍ଗ ଫୁଲ କୋବି ଉପରେ। ଏହା ପରେ ଉତ୍ତମ ଏନେଇ ନିଜ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ତା’ପରେ ତିନି ପ୍ରକାର ମଞ୍ଜି ଆଣି ନିଜ ବାପାଙ୍କୁ ଦେଇଥିଲେ। ଉତ୍ତମଙ୍କ ବାପା ସେହି ବିହନକୁ ନିଜ କ୍ଷେତରେ ପ୍ରୟୋଗ କରିଥିଲେ। ଆଉ ଏବେ ବାଡ଼ିରେ ଖିଲି ଖିଲି ହୋଇ ହସୁଛି ୩ ପ୍ରକାର ଫୁଲ କୋବି। ଉତ୍ତମଙ୍କ ବାଡ଼ିରେ ବର୍ତ୍ତମାନ ୪ରୁ ୫ ହଜାର କୋବି ଫଳିଛି। ଏହି କୋବିର ଔଷଧୀୟ ଗୁଣ ଥିବାରୁ ବଜାରରେ ଚାହିଦା ମଧ୍ୟ ରହିଛି। 

ପାଇଖାନା ପାଇଁ ଦୁଇ ବିଡିଓ ନିଲମ୍ୱିତ …!

 ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପାଇଖାନା ଦୁର୍ନୀତି ଅଭିଯୋଗରେ ଦୁଇ ବିଡିଓ ଓ ଜଣେ ନିଲମ୍ୱିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ୩ ଅଧିକାରୀଙ୍କୁ ନିଲମ୍ୱିତ କରିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଓ ଯନ୍ତ୍ରୀ ସୁନୀଲ ସାମଲଙ୍କ ନାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିଲା। ଶୌଚାଳୟ ନିର୍ମାଣରେ ଅନିୟମିତତା ନେଇ ବିଡିଓ ଦେବେନ୍ଦ୍ର ବାହାଦୂର ସିଂଙ୍କ ବିରୋଧରେ ଶତାଧିକ ହିତାଧୀକାରୀ ଥାନାରେ ଏତଲା ଦେଇଥିଲେ। ଝରିଗାଁ ବ୍ଲକ୍‌ରେ ୨୬ ହଜାର ୩୫୫ ଟି ଶୌଚାଳୟ ନିର୍ମାଣ ବାବଦକୁ କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ବେଳେ ପିସି ବାବଦକୁ ବିଡିଓ ୫ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପିଡି-ଡିଆରଡିଏ ଗାଁକୁ ଯାଇ ତଦନ୍ତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ସମାନଭାବେ ପାଇଖାନା ଦୁର୍ନୀତି ଅଭିଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ୍‌ ନିଲମ୍ବିତ ହୋଇଛନ୍ତି। ବ୍ଲକରେ ଶୌଚାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତାଙ୍କୁ ନିଲମ୍ବିତ କରିଛି। ଏହାସହ ପିଡି-ଡିଆରଡିଏଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନଯିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ସରକାରୀ ଟେଣ୍ଡର ପ୍ରକ୍ରିୟାରେ ବିବର୍ତ୍ତନ କି ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପାଦନ ନିମନ୍ତେ  ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥାଏ ସେଥି ନିମନ୍ତେ ଦୁଇରୁ ଅଧିକ ଠିକାଦାର ଟେଣ୍ଡେର ଦାଖଲ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଯେଉଁ ଠିକାଦାର କମ ଦାମରେ କାର୍ଯ୍ୟ କରିବା ପାଇଁ ଟେଣ୍ଡର ଦାଖଲ କରିଥାନ୍ତି ତାଙ୍କୁ ଉକ୍ତ କାମ ନିମନ୍ତେ ଅନୁମତି ପତ୍ର ଦିଆଯାଇଥାଏ । ଗୋଟିଏ କାମ ନିମନ୍ତେ ଦୁଇ କିମ୍ବା ଏଥିରୁ ଅଧିକ ଠିକାଦାର ଟେଣ୍ଡେର ଦାଖଲ କରିଥିଲେ ନିର୍ଦ୍ଧାରିତ ତାରିଖରେ ଉକ୍ତ ଟେଣ୍ଡେର ଖୋଲାଯାଇ  କେଉଁ  ଠିକାଦାରଙ୍କ ଟେଣ୍ଡେର ଗ୍ରହଣ କରାଯାଇଛି ଏବଂ କାର୍ଯ୍ୟାଦେଶ ଦିଆଗଲା ଏହା ଘୋଷଣା କରାଯାଏ । ଏଭଳି ପ୍ରକ୍ରିୟାରେ ରାଜ୍ୟରେ ବାହାରୁ ଥିବା ସମସ୍ତ ବିଭାଗର ଠିକା କାମ ପାଇଁ ଟେଣ୍ଡେର  ଆହ୍ୱାନ  କରାଯାଇ ଥାଏ । ଆହ୍ୱାନ କରାଯାଇଥିବା ଗୋଟିଏ କାର୍ଯ୍ୟ ନିମନ୍ତେ ଯଦି ଜଣେମାତ୍ର ଠିକାଦାର ଟେଣ୍ଡେର ପକାଏ  ତେବେ ଏହାକୁ ସିଙ୍ଗଲ ଟେଣ୍ଡେର ପ୍ରକ୍ରିୟା କୁହାଯାଇ ଏହି ଟେଣ୍ଡେରକୁ କେନ୍ସଲ କରାଯିବାର ନଜିର ରହିଛି । କିନ୍ତୁ କିଛି କ୍ଷେତ୍ରରେ  ଏହାର ବିବର୍ତ୍ତନ  ଦେଖିବାକୁ ମିଳିଛି । ଟେଣ୍ଡେର ପକାଇଥିବା  ଦୁଇ ଜଣ ଠିକାଦାର ଙ୍କ ମଧ୍ୟରୁ ଯଦି ଜଣକଙ୍କ ଟେଣ୍ଡର କଟିଯାଏ ତେବେ ଅନ୍ୟ ଜଣ ଙ୍କ ଟେଣ୍ଡେର କୁ ମଧ୍ୟ କେନ୍ସଲ କରାଯାଇଥିବା ବ୍ୟବସ୍ଥା ପ୍ରତି  ଠିକାଦାର ଙ୍କ ମଧ୍ୟରେ ଉଦାସୀନ ମନୋଭାବ ପ୍ରକାଶ ପାଇଛି । ଏଥି ପ୍ରତି  ଗ୍ରାମ୍ୟ ଉନ୍ନୟନ ବିଭାଗର ମାନ୍ୟବର ସଚିବ ଦୃଷ୍ଟି ଦେବା ସହ ହସ୍ତକ୍ଷେପ ନିମନ୍ତେ ସାଧାରଣ ରେ ଦାବୀ ହେଉଛି ।

ସାଧାରଣ ଲୋକ ଏଥର ସାଧାରଣତନ୍ତ୍ର ଦିବସରେ ଦେଖିପାରିବେନି ପରେଡ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କୋଭିଡ  କଟକଣା ଭିତରେ ଚଳିତ ବର୍ଷ ପାଳିତ ହେବ ସାଧାରଣତନ୍ତ୍ର ଦିବସ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏନେଇ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍‌ ଅନୁଯାୟୀ, ସକାଳ ୮ଟା ୩୦ରେ  ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହାପରେ  ଜାତୀୟ ସଙ୍ଗୀତ ଗାନ କରାଯିବ । ପରେଡରେ କେବଳ ପୁଲିସ୍‌ ହିଁ ସାମିଲ ହେବେ। ଚଳିତ ବର୍ଷ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍ ସାମିଲ ହେବେନି। ଗଣତନ୍ତ୍ର ଦିବସ ପରେଡଙ୍କୁ କିନ୍ତୁ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି ।  କରୋନା ଯୋଦ୍ଧାଙ୍କ ସମେତ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଇ-ନିମନ୍ତ୍ରଣ ମାଧ୍ୟମରେ ଆମନ୍ତ୍ରୀତ କରାଯିବ।  ସେହିପରି ଉତ୍ସବ ସ୍ଥଳରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସଭା ସ୍ଥଳକୁ ପୂର୍ବରୁ ସାନିଟାଇଜ କରାଯିବା ସହ ଅତିଥିଙ୍କ ନିମନ୍ତେ ବିଭିନ୍ନ ପ୍ରବେଶ ପଥରେ ସାନିଟାଇଜର ରଖାଯିବ। ରାଜ୍ୟର ସମସ୍ତ ବ୍ଲକ ଓ ପଞ୍ଚାୟତ ସ୍ତରରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏହି ଗାଇଡ଼ଲାଇନ୍‌ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ଜୁଆଡ଼ିଙ୍କ ଆକ୍ରମଣରେ ପୁଲିସ୍‌ କର୍ମଚାରୀ ଘାଇଲା …!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜୁଆଡ଼ିଙ୍କ ଆକ୍ରମଣରେ ଘାଇଲା ହେଲେ ପୁଲିସ୍‌ କର୍ମଚାରୀ। ଜୁଆ ଖେଳ ଚାଲିଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ପୁଲିସ୍‌ ଟିମ୍‌ ଉପରେ ଜୁଆଡ଼ିମାନେ ଅତର୍କିତ ଆକ୍ରମଣ କରିବାରୁ ୪ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି।  ଏପରି ଅଭାବନୀୟ ଘଟଣା ଗତକାଲି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଷଣ୍ଢା ଗାଁରେ ଘଟିଛି। ଜୁଆ ଖେଳ ଚାଲିଥିବା  ସୂଚନା ପାଇ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ନିଜ ଟିମ୍ ସହ ଚଢାଉ କରିବାକୁ ଯାଇଥିଲେ । ଏହି ସମୟରେ ଜୁଆଡ଼ିମାନେ ପୁଲିସ୍‌ ଭ୍ୟାନକୁ ପଥର ମାଡ଼ କରିଥିଲେ । ପଥର ମାଡ଼ରେ ଗୁରାଣ୍ଡି ଥାନା ଅଧିକାରୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଏବଂ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଗଜପତି ଜିଲ୍ଲା ଆଡିସନାଲ ଏସ୍‌ପି କହିଛନ୍ତି, ଖରଷଣ୍ଢା ଗାଁର କିଛି ଲୋକ ପୁଲିସ୍‌ କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଘଟଣାସ୍ଥଳରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

କଳିଙ୍ଗ ସାମ୍ବାଦିକ ସଂଘର ସାଧାରଣ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ….!

!!! ରାୟଗଡା ଜିଲ୍ଲାରୁ ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର) – ଗୁଣପୁର ର ସାନନଦୀ ନିକଟରେ ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ଏକ ସାଧାରଣ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ପୌରସଂସ୍ଥାର ନିର୍ବାହି ଅଧିକାରୀ ଉମା ଦାଶ ଯୋଗଦେଇ ସମାଜ ଅଗ୍ରଗତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ , ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତେ ମିଳିମିଶି କାମ କରିବାକୁ  ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥି ଭାବେ ସଂଘର ଉପଦେଷ୍ଠା ତଥା ଯୁବ ଆଇନଜୀବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଯୋଗଦେଇ ଗଣମାଧ୍ୟମ ଜଗତରେ ପ୍ରତିଯୋଗିତା ରହିବା ସ୍ୱଭାବିକ । ବରିଷ୍ଠତା ପରିଚୟ ଦେଇ କନିଷ୍ଠମାନଙ୍କୁ ଖବର ସଂଗ୍ରହ ସମୟରେ ଅବମାନନା କଦାପି ବରଦାସ୍ତ କରାଯିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡିଶୀ ନୃତ୍ୟଶିଳ୍ପି ସସ୍ମିତା ପଣ୍ଡା ଯୋଗଦେଇ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପରିବେଷଣ କରୁଥିବାରୁ ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।  ସଂଘର ଆବାହକ ଶକ୍ତି ଦାଶ ସ୍ୱାଗତ ଭାଷଣ ଦେବା ସହ ସଂଗଠନର ଗଠନ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକାରୁ ଅଧିକା ସଦସ୍ୟ ଗ୍ରହଣ କରିବା ସହ ସଂଘ ପକ୍ଷରୁ ସାମାଜିକ କାର୍ଯ ହାତକୁ ନେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଏହି ଅବସରରେ ୨୦୨୧ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି । ସଂଘର ସଭାପତି ଭାବେ ପ୍ରଶାନ୍ତ କୁମାର କର, କାର୍ଯ୍ୟକାରୀ ସଭାପତି ଭାବେ ସୂର୍ଯ୍ୟପ୍ରକାଶ ପଟ୍ଟନାୟକ, ଉପସଭାପତି ଭାବେ ମାଧବ ବିଡିକା, କାର୍ଯ୍ୟକାରୀ ସମ୍ପାଦକ ଭାବେ ସତ୍ୟସୁନ୍ଦର କର, ସାଧାରଣ ସମ୍ପାଦକ ଭାବେ ଭାବେ ଶିବ ପ୍ରସାଦ ଗୌଡ, ସହ-ସମ୍ପାଦକ ଭାବେ ହୃଷିକେଶ ପାତ୍ର ସର୍ବ ସମ୍ମତି କ୍ରମେ ନୂଆ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରର ସାମ୍ବାଦିକ ମାନେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପରିଶେଷ ରେ ସାମ୍ବାଦିକ ସିଦ୍ଧାର୍ଥ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

ବେଧଡ଼କ ବାଲି ଚୋରା ଚାଲାଣ କୁ ନେଇ “ଏଥର ସମ୍ଭାଳ ଲାଇଭ” ର ଗ୍ରାଉଣ୍ଡ ଜିରୋ ରିପୋର୍ଟ୍।

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲ୍ ଅଧୀନସ୍ଥ ମାଛଖୁଣ୍ଟି  ବାଲିପଠା ରୁ ରାତାରାତ ରାଜସ୍ଵ ବିଭାଗର ପ୍ରେତ୍ସାହନ ରେ ଲଘୁ ଖଣିଜ ଦ୍ରବ୍ୟ ଲୁଟି ମାଫିଆ ମାଲାମାଲ୍, ରାଜସ୍ଵ ହରାଉଛନ୍ତି ସରକାର;ଅଭିଯୋଗ ପରେ ବି ପ୍ରଶାସନ ଚୁପ୍ । “ଏଥର ସମ୍ଭାଳ ଲାଇଭ” ର ଗ୍ରାଉଣ୍ଡ ଜିରୋ ରିପୋର୍ଟ୍।

ଗୁଣପୁର ର ପୂର୍ବତନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ୍ଅ ର କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତୁରାଜ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ; ଝୁରିଛି ଗୁଣପୁର ସହର।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ସ୍ତାନୀୟ ପ୍ରଶାସନ ତରଫରୁ ଗୁଣପୁର ଉପଜିଲ୍ଲାପାଳ ଙ୍କ ସଭାଗୃହରେ ରାୟଗଡ଼ା ଜିଲ୍ଲା ପୂର୍ବତନ ପି.ଡି.ଡି.ଆର.ଡି.ଏ, ବର୍ତ୍ତମାନ ର କେନ୍ଦ୍ରପଡ଼ା ଜିଲ୍ଲାପାଳ ତଥା ଗୁଣପୁର ର ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ଅମ୍ରିତ ରୂତୁରାଜ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁଣପୁର ଆଇ.ଟି.ଡି.ଏ ଅଧିକାରୀ ଗୋରାଚାନ୍ଦ ଗମାଙ୍ଗ, ମୁନିସିପାଲିଟି ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ, ଗୁଣପୁର ନବ ନିର୍ମାଣ ସମିତି ର ଉପ ସଭାପତି ଶ୍ରୀ ଉମା ଶଙ୍କର ଦାଶ, ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ପାଢ଼ୀ, ସମସ୍ତ ପ୍ରଶାସନିକ କର୍ମକର୍ତ୍ତା ଏବଂ ସାମ୍ବାଦିକ ଙ୍କ ସମେତ ଗୁଣପୁର ର ସମସ୍ତ ବୁଦ୍ଧିଜୀବୀ ଯୋଗଦେଇ ଥିଲେ l ପି.ଡି.ଡି.ଆର.ଡି.ଏ ଶ୍ରୀ ରୂତୁରାଜ (ଭା.ପ୍ର.ସେ) ଙ୍କ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇଥିବାରୁ ସେ ଆଜି ଜିଲ୍ଲାରୁ ବିଦାୟ ନେଇଛନ୍ତି l ବିଦାୟ ଭାଷଣରେ ଦୀର୍ଘ ତିନିବର୍ଷ ର କାର୍ଯକାଳ ଭିତରେ ସମସ୍ତ ଅଧିକାରୀ,ଜନସାଧାରଣ ଠାରୁ ସ୍ନେହ ସହଯୋଗ ପାଇଥିବାରୁ ତାଙ୍କରି ସମସ୍ତ୍ କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ରୁତୁ ରାଜ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମତବ୍ୟକ୍ତ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଗୁଣପୁର ନୂତନ ବସଷ୍ଟାଣ୍ଡ ସମ୍ମୁଖ ରେ ଗେଟ୍ ନିର୍ମାଣ ଓ ଗୁଣପୁର ଠାରେ ଏକ ତ୍ରି.ଡି ପାର୍କ ନିର୍ମାଣ କରିବାନେଇ ତାଙ୍କରି ଯେଉଁ ଅଭିଳାଷ ଥିଲା ଏହାର କାର୍ଯ୍ୟକାରୀ ନିମନ୍ତେ ତାଙ୍କରି ବିଦାୟ ନେବା ପୂର୍ବରୁ ଏହାକୁ ମଧ୍ଯ କାର୍ଯ୍ୟ ଆରମ୍ଭ କରିଥିବା ସୁଚନା ଦେଇଥିଲେ। ମୋ ଜୀବନ କାଳ ପର୍ଯ୍ୟନ୍ତ ଏହି ଜିଲ୍ଲା ଓ ଖାସ କରି ଗୁଣପୁର ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ଋତୁରାଜ ପ୍ରକାଶ କରିଥିଲେ। ସେହିପରି ଉପ ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ ଓ ବୁଦ୍ଧିଜୀବୀ ବୃନ୍ଦ ପି.ଡି.ଡ଼ି.ଆର.ଡ଼ି.ଏ ଶ୍ରୀ ରୂତୁରାଜ ଙ୍କ କାର୍ଯଶୈଳୀ ଓ଼ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରି ଆଗାମୀ ଦିନରେ ଶ୍ରୀ ରୁତୁ ରାଜ ଙ୍କ ଭବିଷ୍ୟତର ଉଜ୍ଜଳ କାମନା କରି ପୁଷ୍ପ ଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ରୁତୁରାଜ ଙ୍କ ପଦୋନ୍ନତିରେ ଗୁଣପୁର ବାସୀ ଯେତେ ଖୁସୀ ଅଛନ୍ତି ତାଠାରୁ ଏହି ଜିଲ୍ଳାରୁ ତାଙ୍କରି ବିଦାୟ ସେତିକି ମର୍ମାହତ କରିଛି ଏବଂ ଜିଲ୍ଲା ଜଣେ ସଚ୍ଚୋଟ କର୍ମଠ ଅଧିକାରୀ ଙ୍କୁ ହରାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଅଷ୍ଟ୍ରେଲିଆକୁ ଝଟ୍‌କା ପରେ ବର୍ଷା ଦେଇଛି ବାଧା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ୍ ସିରିଜ୍‌ର ତୃତୀୟ ମ୍ୟାଚ୍ ଆଜିଠାରୁ ସିଡ୍‌ନୀରେ ଆରମ୍ଭ ହୋଇଛି। ତେବେ ଆଜିର ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ତେଣୁ ମାତ୍ର ୭.୧ ଓଭର ପରେ ଖେଳ ବନ୍ଦ ରହିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱିଲ୍ ପକ୍‌ଭସ୍କି ଓ ଡାଭିଡ ୱାର୍ଣ୍ଣର ଓପନିଂ କରିବାକୁ ଆସିଥିଲେ। ହେଲେ ୱାର୍ଣ୍ଣର ଶୀଘ୍ର ଆଉଟ ହୋଇଯାଇଥିଲେ। ମାତ୍ର ୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ୱାର୍ଣ୍ଣର ୩.୩ ଓଭରରେ ଆଉଟ୍ ହୋଇଯାଇଥିଲେ। ମହମ୍ମଦ ସିରାଜଙ୍କ ବଲ୍‌ରେ ସେ ଚେତେଶ୍ୱର ପୂଜାରାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୫ କରି ଥିଲେ। ୱାର୍ଣ୍ଣର ଆଉଟ୍ ହେବା ପରେ ମାରନସ୍ ଲବୁସାନ୍‌ କ୍ରିଜ୍‌କୁ ଆସିଥିଲେ। ତେବେ ବର୍ଷା ଯୋଗୁ ୭.୧ ଓଭର ଠାରୁ ଆଉ ଖେଳ ଆରମ୍ଭ ହୋଇପାରି ନାହିଁ। ୱିଲ୍‌ ୨୯ଟି ବଲ୍‌ରୁ ୧୪ ରନ୍ କରିଥିବା ବେଳେ ଲବୁସାନ ୬ଟି ବଲ୍‌ରୁ ୨ ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ୍ ବୁମ୍ରା ୪ ଓଭର ବୋଲିଂ କରି ୭ ରନ୍ ଦେଇଛନ୍ତି। ମହମ୍ମଦ ସିରାଜ ୩.୧ ଓଭର ବୋଲିଂ କରିଛନ୍ତି ଏବଂ ୧୪ ରନ୍ ବ୍ୟୟରେ ଗୋଟିଏ ୱିକେଟ୍ ହାସଲ କରିଛନ୍ତି। ସିଡ୍‌ନୀ ଟେଷ୍ଟ୍ ପାଇଁ ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ ହୋଇଛି। ରୋହି ଶର୍ମା ଟିମ୍‌ରେ ସାମିଲ ହୋଇଛନ୍ତି। ମୟଙ୍କ ଅଗ୍ରୱାଲଙ୍କୁ ବାଦ୍ ଦିଆଯାଇ ତାଙ୍କୁ ସାମିଲ କରାଯାଇଛି। ସେହିପରି ନବଦୀପ ସୈନୀ ଟେଷ୍ଟ୍ ପଦାର୍ପଣ କରିଛନ୍ତି। ଆହତ ଉମେଶ ଯାଦବଙ୍କ ସ୍ଥାନରେ ତାଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ସିରିଜ୍‌ର ଶେଷ ମ୍ୟାଚ୍‌ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ।

ଦୁବାଇରେ ପରିବା ବିକ୍ରି କରିବେ କ୍ରିକେଟର ଧୋନି …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଚର୍ଚ୍ଚାରେ। ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲିବିଦା କହିଥିବା ଧୋନି ଏବେ ନିଜର ପରିବା ଓ ଫଳ ଚାଷକୁ ନେଇ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛନ୍ତି।କ୍ରିକେଟକୁ ଅଲବିଦା କହିବା ପରେ ସେ ରାଞ୍ଚିରେ ଥିବା ତାଙ୍କ ୪୩ ଏକ ଫାର୍ମ ହାଉସର ୧୦ ଏକର ଜମିରେ ବିଭିନ୍ନ ପ୍ରକାରର ପରିବା ଓ ଫଳ ଚାଷ ଆରମ୍ଭ କରିଥିଲେ। ଏବେ ଏହି ଫଳ ଓ ପରିବାକୁ ମାହି ଦୁବାଇ ରପ୍ତାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେଠାକାର ମାର୍କେଟ ଡିଲରଙ୍କ ସହ କଥାବାର୍ତ୍ତା ଶେଷ ହୋଇଛି। ଖୁବଶୀଘ୍ର ଧୋନିଙ୍କ ପରିବାର ଓ ଫଳ ସେଠାରେ ବିକ୍ରି ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଧୋନି ତାଙ୍କ ୧୦ ଏକର ଜମିରେ ଜୈବିକ ପଦ୍ଧତିରେ ଏକାଧିକ କିସମର ଫଳ ଓ ପନିପରିବାର ଚାଷ କରିଛନ୍ତି। ଏଗୁଡ଼ିକ ମଧ୍ୟରେ ପତର କୋବି, ଟମାଟୋ, ଷ୍ଟ୍ରବେରୀ ଓ ଗ୍ରୀନ ମଟର ପ୍ରମୁଖ ରହିଛି। ଧୋନିଙ୍କ ଜମିରେ ଫଳିଥିବା କୋବି ଓ ଟମାଟୋ କିଣିବା ପାଇଁ ରାଞ୍ଚିର ଲୋକାଲ ମାର୍କେଟରେ ବେଶ ଭିଡ଼ ଜମୁଛି। ଲୋକଙ୍କ ମଧ୍ୟରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ତାଙ୍କ ଫଳଗୁଡ଼ିକୁ କିଣିବା ପାଇଁ ଅନେକ ଲୋକ ଆଗ୍ରହ ଦେଖାଉଛନ୍ତି।ଏବେ ନିଜର ଫାର୍ମିଂ ବ୍ୟବସାୟକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ମାହି ଲକ୍ଷ୍ୟ ରଖିଛନ୍ତି। ଏହାର ପ୍ରଥମ ପଦକ୍ଷେପ ଭାବେ ଧୋନିଙ୍କ ପରିବା ଦୁବାଇ ମାର୍କେଟକୁ ରପ୍ତାନୀ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଯେଉଁ ଏଜେନ୍ସି ୟୁଏଇ ମାର୍କେଟରେ ଏହାକୁ ବିକ୍ରି କରିବ, ସେ ମଧ୍ୟ ନିଜର ପ୍ରସ୍ତୁତି ଶେଷ କରି ସାରିଛି। ଖାଲି ଧୋନିଙ୍କ ଫଳ କିମ୍ବା ପରିବା ନୁହେଁ, ଏଜେନ୍ସି ପକ୍ଷରୁ ଭାରତରେ ମିଳୁଥିବା ଏକାଧିକ ଫଳକୁ ମଧ୍ୟ ୟୁଏଇ ମାର୍କେଟରେ ବିକ୍ରି କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧୋନିଙ୍କ ଫଳ ଓ ପରିବାକୁ ୟୁଏଇ ରପ୍ତାନୀ କରିବା ପାଇଁ ଝାରଖଣ୍ଡ କୃଷି ବିଭାଗ ମଧ୍ୟ ଆଗ୍ରହ ପ୍ରକାଶ କରିଛି। ଉକ୍ତ ଏଜେନ୍ସି ସହ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇ ଧୋନିଙ୍କ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ଦୁବାଇ ପଠାଇବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ୨୦୧୯ ବିଶ୍ୱକପରେ ଆଇପିଏଲ ଜରିଆରେ କ୍ରିକେଟକୁ କମବ୍ୟାକ କରିଥିବା ମାହି ଏବେ ଦୁବାଇରେ ନିଜ ପରିବାର ସହ ଛୁଟି କାଟୁଛନ୍ତି। ନିକଟରେ ସେ ନବବିବାହିତ ୟୁଜବେନ୍ଦର ଚହଲ ଓ ତାଙ୍କ ପତ୍ନୀଙ୍କ ପାଇଁ ଦୁବାଇରେ ଡିନର ପାର୍ଟିର ଆୟୋଜନ କରିଥିଲେ।