ଚାଷୀଙ୍କୁ ଗାଜିପୁର ସୀମା ମନା, ପୁଲିସ୍‌ ଆରମ୍ଭ କଲା ପ୍ୟାଟ୍ରୋଲିଂ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-ଦିଲ୍ଲୀ-ଉତ୍ତର ପ୍ରଦେଶର ସୀମା ଗାଜିପୁରରେ ଦୀର୍ଘ ୨ ମାସ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଏଠାରେ ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ମୁଖପାତ୍ର ରାକେଶ ଟିକାୟତଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ଏଠାକୁ ଆହୁରି ଚାଷୀ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଆସିବାକୁ ଥିବାରୁ ପୁଲିସ୍‌ ଆଲର୍ଟ ହୋଇଯାଇଛି। ବିଜନୋର ପୁଲିସ୍‌ ଏଠାକାର ଚାଷୀମାନଙ୍କୁ କେବେ ହେଲେ ଗାଜିପୁର ଛାଡ଼ିବ ନାହିଁ ବୋଲି ଘୋଷଣା କରିଛି। ସେହିପରି ବିଭିନ୍ନ ସ୍ଥାନରେ ପୁଲିସ୍‌ ପକ୍ଷରୁ ଚାଷୀଙ୍କୁ ଜଗିବାକୁ ପ୍ୟାଟ୍ରୋଲିଂ ମଧ୍ୟ ଆରମ୍ଭ କରାଯାଇଛି। ସେହିପରି ବିଜନୋର ସୀମାରେ ବ୍ୟାରିକେଡ୍‌ କରାଯାଇଛି। ଏଠାରୁ ଦିଲ୍ଲୀ ଯାଉଥିବା ଗାଡ଼ିଗୁଡ଼ିକୁ ତନତନ କରି ଯାଞ୍ଚ କରାଯାଉଛି। ବିଜନୋର ପୁଲିସ୍‌ ମୁଖ୍ୟ ଡା ଧର୍ମବୀର ସିଂହ କହିଛନ୍ତି, ସୀମାନ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବା ସହ କରୋନା କଟକଣା ଲାଗୁ କରାଯାଇଛି। ଗାଜିପୁର-ଦିଲ୍ଲୀ ସୀମାର ଆନ୍ଦୋଳନ ସ୍ଥଳକୁ ବେଆଇନ ଘୋଷଣା କରାଯାଇଛି। ଯଦି କେହି ଦୁଇ ଚକିଆ, ୪ ଚକିଆ କିମ୍ବା ଟ୍ରାକ୍ଟର ଧରି ଗାଜିପୁର ସୀମା ଆଡ଼କୁ ଯିବାକୁ ଚେଷ୍ଟା କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସୀମାକୁ ସିଲ୍‌ କରାଯାଇଛି ଓ ସମସ୍ତ ପ୍ରବେଶ-ପ୍ରସ୍ଥାନ ପଥକୁ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି। ପୁଲିସ୍‌ର ଏଭଳି ବ୍ୟବସ୍ଥା ସତ୍ତ୍ୱେ ଜିଲ୍ଲାର ଚାଷୀମାନେ ଗାଜିପୁର ସୀମାରେ ଚାଲିଥିବା ଆନ୍ଦୋଳନ ସପକ୍ଷରେ ନାରାବାଜୀ କରିଛନ୍ତି। ଯେକୌଣସି ପରିସ୍ଥିତିରେ ବି ସେମାନେ ଗାଜିପୁର ଯିବେ ବୋଲି କହିଛନ୍ତି। ବିଜୟ ନାମକ ଜଣେ ଚାଷୀ କହିଛନ୍ତି, ମୋର ବିଶ୍ୱାସ ଯେ ସ୍ଥାନୀୟ ପ୍ରଶାସନ ଆମକୁ ସମର୍ଥନ କରିବ। ଆମେ ଆମର ଅଧିକାର ପାଇଁ ଲଢ଼େଇ କରୁଛୁ ବୋଲି ସେ କହିଛନ୍ତି।

ଚାଷୀଙ୍କ ସମର୍ଥନରେ କାଲିଠୁ ଆମରଣ ଅନଶନ କରିବେ ଆନ୍ନା ହଜାରେ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହଜାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲକ୍ଷଲକ୍ଷ ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି। ଚାଷୀଙ୍କୁ ସମର୍ଥନ ଜଣାଇ ଆସନ୍ତାକାଲି ଠାରୁ ଆନ୍ନା ହଜାରେ ମହାରାଷ୍ଟ୍ରର ଅହମଦନଗରରେ ଆମାରଣ ଅନଶନ ଆରମ୍ଭ କରିବେ। ଏଥିସହ ସେ ନିଜର ସମର୍ଥକମାନଙ୍କୁ ମଧ୍ୟ ଅନଶନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି। ୮୪ ବର୍ଷୀୟ ଆନ୍ନା ଗୋଟିଏ ବିବୃତ୍ତିରେ କହିଛନ୍ତି, ବିଗତ ୪ ବର୍ଷ ହେଲାଣି ଚାଷୀଙ୍କ ପ୍ରମୁଖ ଦାବିଗୁଡ଼ିକ ପାଇଁ ମୁଁ ଆନ୍ଦୋଳନ କରୁଛି। ଏବେ ଲାଗୁଛି ସରକାର ଚାଷୀଙ୍କ ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେଉନାହାନ୍ତି। ସରକାର ଚାଷୀଙ୍କ ପ୍ରତି ଆଦୌ ସମ୍ବେଦନଶୀଳ ନୁହନ୍ତି। ଅନେକ ଥର କେନ୍ଦ୍ର ସରକାରଙ୍କ ଆଗରେ ଆମେ ଦାବି ଉପସ୍ଥାପନ କରିଛୁ। ଗତ ୩ ମାସ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ୫ଥର ଚିଠି ଲେଖି ସାରିଛି। ସରକାରଙ୍କ ପ୍ରତିନିଧିମାନେ ଦାବି ଗୁଡ଼ିକ ଉପରେ ଆଲୋଚନା କରୁଛନ୍ତି। ହେଲେ ଦାବି ମୁତାବକ ଏଯାଏ କୌଣସି ଫଳାଫଳ ମିଳିପାରିନାହିଁ ବୋଲି ଆନ୍ନା କହିଛନ୍ତି।

ସିଙ୍ଘୁ ସୀମାରେ ସଂଘର୍ଷ: ଚାଷୀଙ୍କ ଟେଣ୍ଟ ଭାଙ୍ଗିଲେ, ପଥର ମାଡ଼ କଲେ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିଆଣର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରକୁ ପଥର ମାଡ଼ ହୋଇଛି। କିଛି ଲୋକ ଆଜି ସିଙ୍ଘୁ ସୀମାରେ ପହଞ୍ଚି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିବା ଚାଷୀଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ସେହିପରି ଏଠାରେ ଥିବା ସେମାନଙ୍କ ଟେଣ୍ଟ ଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସେମାନେ ନିଜକୁ ସ୍ଥାନୀୟ ଅଞ୍ଚଳର ଲୋକ ବୋଲି ଦାବି କରି ଚାଷୀଙ୍କ ଅନ୍ୟାନ୍ୟ ସମ୍ପତ୍ତିଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ପୁଲିସ୍‌ ବି ଚାଷୀଙ୍କୁ ଆନ୍ଦୋଳନ ସ୍ଥଳ ଖାଲି କରିବାକୁ ସହ ଟେଣ୍ଟ ଗୁଡ଼ିକ ହଟାଇବାକୁ ଚେଷ୍ଟା କରିଛି। ଏହାକୁ ନେଇ ସିଙ୍ଘୁ ସୀମା ପୁଣିଥରେ ଅଶାନ୍ତ ହୋଇପଡ଼ିଛି। ସ୍ଥାନୀୟ ଅଞ୍ଚଳର ତଥାକଥିତ ଲୋକ ଓ ପୁଲିସ୍‌ର ଏପରି ବଳପୂର୍ବକ କାର୍ଯ୍ୟାନୁଷ୍ଠାନକୁ ଚାଷୀମାନେ ବିରୋଧ କରିଛନ୍ତି। ସ୍ଥିତି ବିଗିଡ଼ିବାକରୁ ପୁଲିସ୍‌ ଲାଠିଚାର୍ଜ ସହ ଟିୟର ଗ୍ୟାସ ପ୍ରୟୋଗ କରିଛି। ଏପରି କି ପୁଲିସ୍‌ ୨ରୁ ୩ ଜଣ ଲୋକଙ୍କୁ ତଳେ ପକାଇ ଲାଠିରେ ପିଟୁଥିବା ଭିଡିଓ ସାମ୍ନାକୁ ଆସିଛି। ମାଡ଼ ଖାଉଥିବା ବ୍ୟକ୍ତିମାନେ ଚାଷୀ ନା ସିଙ୍ଘୁ ସୀମାକୁ ଧସେଇ ପସିଥିବା ତଥାକଥିତ ସ୍ଥାନୀୟ ଲୋକ ଜଣାପଡ଼ିନାହିଁ। ସେହିପରି ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଥିବା ବେଳେ କେମିତି ସ୍ଥାନୀୟ ଅଞ୍ଚଳର ଲୋକ ଟେଣ୍ଟ ପାଖରେ ପହଞ୍ଚିଲେ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସଂଘର୍ଷରେ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ଖବର ମିଳିଛି। ଗତକାଲି ମଧ୍ୟ ସିଙ୍ଘୁ ସୀମାରେ କିଛି ଲୋକ ପ୍ରବେଶ କରି ଚାଷୀଙ୍କୁ ବିରୋଧ କରିଥିଲେ। ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ପାଇଁ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିବା କହିଥିଲେ। ଅନ୍ୟପକ୍ଷରେ ଗାଜିପୁର ଓ ଟିକ୍‌ରି ସୀମାରେ ମଧ୍ୟ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଗାଜିପୁର ସୀମାକୁ ଖାଲି କରିବାକୁ ଗତକାଲି ଠାରୁ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇ ସାରିଛନ୍ତି। ତଥାପି ଏଠାରେ ରାକେଶ ଟିକାୟତଙ୍କ ନେତୃତ୍ୱରେ ଆନ୍ଦୋଳନ କରୁଥିବା ଚାଷୀମାନେ ପୂର୍ବଭଳି ରାସ୍ତା ଉପରେ ବିକ୍ଷୋଭ କରୁଛନ୍ତି। ଗତକାଲି ରାକେଶ ଟିକାୟତ ଭାଷଣ ଦେବା ବେଳେ କାନ୍ଦି ପକାଇଥିଲେ। ଏପରି କି ଲାଠି ଧରି ଆନ୍ଦୋଳନ ସ୍ଥଳକୁ ଆସିଥିବା ଜଣେ ଯୁବକଙ୍କୁ କ୍ୟାମେରା ସାମ୍ନାରେ ଚାପୁଡ଼ା ମାରିଥିଲେ। ଲାଠି ଧରି ଆସିଥିବା ଯୁବକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଓ ଏଭଳି ଅସାମାଜିକ ବ୍ୟକ୍ତିଙ୍କୁ କିଛି ଗୋଷ୍ଠୀ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପଠାଇଥିବା ସେ ଅଭିଯୋଗ କରିଛନ୍ତି।

୧ ତାରିଖରୁ ଟ୍ରାକ୍‌ରେ ଦୌଡ଼ିବ ଲୋକାଲ ଟ୍ରେନ୍‌..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହମାରୀ କରୋନା ଯୋଗୁ ବନ୍ଦ ରହିଥିବା ଲୋକାଲ ଟ୍ରେନ ସେବା ପୁଣିଥରେ ଦେଶରେ ଆରମ୍ଭ ହେବ। ଆସନ୍ତା ୧ ତାରିଖରୁ ମୁମ୍ବାଇର ଲାଇଫ ଲାଇନ କୁହାଯାଉଥିବା ଲୋକାଲ ଟ୍ରେନ୍‌ ଟ୍ରାକ୍‌ରେ ଦୌଡ଼ିବା ଆରମ୍ଭ କରିବ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସ ପକ୍ଷରୁ ମୁମ୍ବାଇରେ ପର୍ଯ୍ୟାୟକ୍ରମେ ଲୋକାଲ ଟ୍ରେନ ସେବା ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୋମବାର ଠାରୁ ପ୍ରଥମ ଟ୍ରେନ ସେବା ସକାଳ ୭ଟା ଯାଏ, ଏହାପରେ ମଧ୍ୟାହ୍ନରୁ ଅପରାହ୍ନ ୪ଟା ଓ ରାତି ୯ଟାରୁ ଦିବସର ଶେଷ ଟ୍ରେନ ଯାଏ ସେବା ଆରମ୍ଭ ହେବ। ଏହି ସମୟରେ ସାଧାରଣ ଲୋକ ଟ୍ରେନରେ ଯିବା ଆସିବା କରିପାରିବେ। ବାକି ସମୟରେ ଟ୍ରେନ ଚାଲିବ। ହେଲେ ଏହାକୁ କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଲୋକମାନେ ବ୍ୟବହାର କରିପାରିବେ। ଏବେ ମୁମ୍ବାଇରେ କେବଳ ମହିଳା ଓ ଜରୁରୀ ସେବାରେ ନିୟୋଜ କର୍ମଚାରୀମାନେ ସ୍ୱତନ୍ତ୍ର ପାସ୍‌ ନେଇ ଲୋକାଲ ଟ୍ରେନରେ ଯିବା ଆସିବା କରୁଛନ୍ତି। ସାଧାରଣ ଲୋକଙ୍କ ପାଇଁ ଟ୍ରେନ୍‌ ସେବାକୁ ବନ୍ଦ ରଖାଯାଇଥିଲା। ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହାର କମିଥିବାରୁ ଲୋକାଲ ଟ୍ରେନ ଚଳାଚଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଟ୍ରେନ ଚାଲିବାକୁ ଥିଲେ ହେଁ ସମସ୍ତେ ମାସ୍କ ପିନ୍ଧିବେ ଓ ସାନିଟାଇଜର ମଧ୍ୟ ବ୍ୟବହାର କରିବେ।

କେମିତି ରହିବ ଚଳିତ ବଜେଟ, ସଙ୍କେତ ଦେଲେ ମୋଦି ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରୁ ସାମ୍ବାଦିକମାନଙ୍କୁ ଚଳିତବର୍ଷ ବଜେଟ କେମିତି ରହିବ, ତା’ର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ୨୦୨୦ରେ ଅର୍ଥମନ୍ତ୍ରୀ ଯେଉଁଭଳି ୩ରୁ ୪ଟି ମିନି ବଜେଟ ଉପସ୍ଥାପନ କରିଥିଲେ, ଆସନ୍ତା ବଜେଟ ତା’ର ଏକ ଅଂଶ ବିଶେଷ ହେବ। ଆମେ ଚଳିତ ବଜେଟକୁ ଉକ୍ତ ମିନି ବଜେଟର ଅଂଶ ଭାବେ ଦେଖିବା। ଚଳିତ ଦଶନ୍ଧିର ଏହା ହେଉଛି ପ୍ରଥମ ଅଧିବେଶନ। ଭାରତର ଉଜ୍ଜଳ ଭବିଷ୍ୟତ ପାଇଁ ଏହି ଦଶନ୍ଧି ବେଶ ଗୁରୁତ୍ୱପୂର୍ଣ୍ଣ। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଆମ ପାଖରେ ଏବେ ସବୁର୍ଣ୍ଣ ସୁଯୋଗ ରହିଛି। କୋଟି କୋଟି ଭାରତୀୟ ଆମକୁ ଯେଉଁ ବିଶ୍ୱାସ ରଖି ସଂସଦକୁ ପଠାଇଛନ୍ତି, ଆମେ ଏହାର ଭରପୂର ଉପଯୋଗ କରି ଲୋକତନ୍ତ୍ରକୁ ଆହୁରି ସଶକ୍ତ କରିବା। ଭାରତର ଇତିହାସରେ ସମ୍ଭବତଃ ପ୍ରଥମଥର ୨୦୨୦ରେ ଅର୍ଥମନ୍ତ୍ରୀ ଗୋଟିଏ ନୁହେଁ, ବରଂ ୩ରୁ ୪ଟି ପ୍ୟାକେଜ ଘୋଷଣା କରି ମିନି ବଜେଟ ଉପସ୍ଥାପନ କରିଛନ୍ତି। ତେଣୁ ଚଳିତ ବର୍ଷ ବଜେଟ ମଧ୍ୟ ସେହି ମିନି ବଜେଟର ଏକ ଅଂଶ ଭାବେ ଉପସ୍ଥାପନ କରାଯିବ ବୋଲି ମୋର ବିଶ୍ୱାସ ରହିଛି। ଏଥିସହ ଶ୍ରୀ ମୋଦି ସଂସଦର ସମସ୍ତ ସଦସ୍ୟଙ୍କୁ ମିଳିତ ଭାବେ କାମ କରିବାକୁ ଆହ୍ୱାନ କରିଛନ୍ତି। ଆଜି ସଂସଦର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧନ କରିଥିଲେ। ତେବେ ରାଷ୍ଟ୍ରପତିଙ୍କ ଏହି ଉଦବୋଧନକୁ ୧୮ଟି ବିରୋଧ ଦଳ ବୟକଟ କରିଛନ୍ତି। କୃଷି ଆଇନକୁ ବିରୋଧ ଓ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ସାଂସଦ ଶଶି ଥରୁର ଓ ୬ ସାମ୍ବାଦିକଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି। ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକୁ ନେଇ ମିଛ ଖବର ପ୍ରଚାର ଓ ଘୃଣାଭାବ ସୃଷ୍ଟି କରିବା ଅଭିଯୋଗରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ଆଇପିସିର ଯେଉଁ ସବୁ ଧାରାରେ ମାମଲା ରୁଜୁ କରାଯାଇଛି, ତା’ ଭିତରେ ଦେଶଦ୍ରୋହ, ଅପରାଧିକ ଷଡ଼ଯନ୍ତ୍ର ଓ ଶତ୍ରୁତାକୁ ପ୍ରୋତ୍ସାହିତ ପ୍ରମୁଖ ରହିଛି। ନୋଏଡାର ଏକ ଥାନାରେ ସାଂସଦ ଶଶି ଥରୁର ଓ ୬ ସାମ୍ବାଦିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ନୋଏଡାର ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏହି ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସେ ଅଭିଯୋଗ କରିଛନ୍ତି, ଦିଲ୍ଲୀ ପୁଲିସ୍‌ର ଗୁଳିରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ନେଇ ସାଂସଦ ଶ୍ରୀ ଥରୁର ଓ ଏହି ୬ ସାମ୍ବାଦିକ ଖବର ପ୍ରଚାର କରିଥିଲେ। ସେମାନେ ସୋଶାଲ୍ ମିଡିଆରେ ମଧ୍ୟ ଏନେଇ ପୋଷ୍ଟ କରିଥିଲେ। ଫଳରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା ଓ ସେମାନେ ଲାଲକିଲ୍ଲା ଉପରେ ଚଢ଼ି ଯାଇଥିଲେ। ଯେଉଁ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି, ସେମାନ ହେଉଛନ୍ତି- ମୃଣାଳ ପାଣ୍ଡେ, ରାଜଦୀପ ସରଦେଶାଇ, ବିନୋଦ କେ ଜୋସେ, ଜାଫର ଆଘା, ପରେଶ ନାଥ ଓ ଅନନ୍ତ ନାଥ। ଜାନୁଆରୀ ୨୬ ତାରିଖରେ ନୂଆ କୃଷି ଆଇନକୁ ବିରୋଧ କରି ହଜାର ହଜାର କୃଷକ ଦିଲ୍ଲୀକୁ ଟ୍ରାକ୍ଟର ରାଲି କରି ଆସିଥିଲେ। ସେମାନଙ୍କ ମଧ୍ୟରୁ ଶତାଧିକ ଆନ୍ଦୋଳନକାରୀ ନିୟମ ଉଲ୍ଲଂଘନ କରି ଲାଲକିଲ୍ଲାରେ ପଶି ଯାଇଥିଲେ ଓ ସେଠାରେ ପତାକା ଉତ୍ତୋଳନ କରିଥିଲେ। ସେଠାରେ ପୁଲିସ୍ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲେ। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ବହୁ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ପରେଡ ପରେ ଅନ୍ୟାନ୍ୟ ସର୍ତ୍ତ ସହିତ ଟ୍ରାକ୍ଟର ରାଲି ବାହାର କରିବାକୁ  ଚାଷୀମାନଙ୍କୁ ଅନୁମତି ଦିଆଯାଇଥିଲା। କିନ୍ତୁ ଚାଷୀମାନେ ସେହି ସମୟ ପୂର୍ବରୁ ବ୍ୟାରିକେଡ୍ ଭାଙ୍ଗି ପ୍ରଥମେ ନିୟମ ଭାଙ୍ଗିଥିଲେ। ଏହା ସହିତ ଯେଉଁ ରାସ୍ତାରା ଅନୁମତି ମିଳି ନଥିଲା ସେହି ରାସ୍ତାରେ ରାଲି ବାହାର କରିଥିଲେ।

ଫେବୃଆରି ୧୫ରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦୀର୍ଘ ଦିନ ହେବ  କରୋନା କଟକଣା ହେତୁ ବନ୍ଦ ରହିବା ପରେ  ଫେବୃଆରି ୧୫ ତାରିଖରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ । SOP ପାଳନ ସହିତ ହାଇକୋର୍ଟ ସମେତ ଅନ୍ୟ କୋର୍ଟ ଓ ଟ୍ରିବ୍ୟୁନାଲରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବ୍ୟକ୍ତିଗତ ଭାବେ ହାଜିରା ସହିତ ଜଣେ ଚାହିଁଲେ ଭର୍ଜୁଆଲ୍ ପ୍ଲାଟଫର୍ମରେ ମଧ୍ୟ ଅଦାଲତଙ୍କ ନିକଟରେ ହାଜର ହୋଇପାରିବ  । ତେବେ କେଉଁ ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ହାଜର ହେବ, ସେ ସଂପର୍କରେ ତା ପୂର୍ବ ଦିନ ଓକିଲଙ୍କ ଜରିଆରେ ରେଜିଷ୍ଟ୍ରିଙ୍କୁ ଅବଗତ କରିବାକୁ ପଡ଼ିବ । ଏ ସଂପର୍କରେ ପୂର୍ବ ସଂଧ୍ୟାରେ ରେଜିଷ୍ଟ୍ରିଙ୍କୁ କହିବାକୁ ସମସ୍ତ ଓକିଲଙ୍କୁ କୁହାଯାଇଛି। 

ଇଂଜିନିୟର ଇନ୍ ଚିଫଙ୍କୁ ନିର୍ଦ୍ଦେଶ; ‘କାହିଁକି କଟକଣା ? ୭ ଦିନରେ ଉତ୍ତର ଦିଅ’ ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱର ନିର୍ମାଣ ସୌଧ ଭିତରେ ଥିବା ଇଞ୍ଜିନିୟର-ଇନ୍-ଚିଫଙ୍କ ଅଫିସ୍‌ରେ କାର୍ଯ୍ୟରତ ମହିଳା ଅଧିକାରୀ ଓ କର୍ମଚାରୀମାନେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଅଫିସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହାପରେ ଗତକାଲି ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ପାରୁଲ ପଟଓ୍ୱାରି ନିର୍ମାଣ ସୌଧକୁ ଯାଇ ତନାଘନା କରିଥିଲେ। ଏଥିସହ ମହିଳା କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ପରେ  ଇଂଜିନିୟର ଇନ୍ ଚିଫ୍‌(EIC) ଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ୭ ଦିନ ଭିତରେ ଲିଖିତ ଉତ୍ତର ଦେବାକୁ ପୂର୍ତ୍ତ ବିଭାଗ ତରଫରୁ ଇଂଜିନିୟର ଇନ୍ ଚିଫ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ମହିଳା କର୍ମଚାରୀଙ୍କ ପ୍ରତି କାହିଁକି ସମୟ କଟକଣା କରାଯାଇଛି, ତାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସୁପ୍ରିମକୋର୍ଟଙ୍କ ବିଶାଖା ଗାଇଡଲାଇନ୍ ଅନୁସାରେ କାମ କରିବାକୁ କୁହାଯାଇଛି । ଅପରପକ୍ଷେ, ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର କହିଛନ୍ତି।  ତେବେ ଏହି ନିର୍ଦ୍ଦେଶାନାମାକୁ ନେଇ ପ୍ରଶ୍ନ ଉଠିବାକୁ ଲାଗିଥିବା ବେଳେ  କେତେକ ମହିଳା ସ୍ୱେଚ୍ଛାସେବୀ ଏଭଳି ନିର୍ଦ୍ଦେଶକୁ ତୀବ୍ର ସମାଲୋଚନା କରିଛନ୍ତି।

ମହିଳା ସ୍ୱେଚ୍ଛାସେବୀଙ୍କ ମତରେ ଏବେ ବି ମହିଳାଙ୍କ ପ୍ରତି ଅନେକଙ୍କ ମାନସିକତାରେ ପରିବର୍ତ୍ତନ ଆସି ନାହିଁ। ଆଜି ବି ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖା ଯାଉଛି। ଏଭଳି ନିର୍ଦ୍ଦେଶନାମା ତାର ପ୍ରତିଫଳନ ବୋଲି ସେମାନେ ମତ ରଖିଛନ୍ତି। ରାଜ୍ୟର ସରକାରୀ ବ୍ୟବସ୍ଥାରେ ମହିଳାମାନେ ପୁରୁଷଙ୍କ ସହ ସମକକ୍ଷ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ବେଳେ ଏଭଳି ଅଜବ ନିର୍ଦ୍ଦେଶନାମାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି। ଅପରାହ୍ଣ ସାଢ଼େ ୫ଟା ପରେ ମହିଳାଙ୍କ ପାଇଁ ଇଞ୍ଜିନିୟର-ଇନ୍-ଚିଫଙ୍କ କାର୍ଯ୍ୟାଳୟ କଣ ଅସୁରକ୍ଷିତ କି  ବୋଲି ଏବେ ପ୍ରଶ୍ନ ଉଠୁଛି। ନା ମହିଳାମାନେ ଅଫିସ୍ କାମ ସାରି ବିଳମ୍ବରେ ଘରେ ପହଞ୍ଚିବା ବେଳେ ଅସୁରକ୍ଷିତ ମନେ କରୁଥିବାରୁ ଏଭଳି ନିର୍ଦ୍ଦେଶଦିଆଯାଇଛି । ନା ୟା ପଛରେ ମହିଳା କର୍ମଚାରୀମାନେ ବିଳମ୍ବିତ ଅବଧି ଯାଏଁ ଉପସ୍ଥିତ ରହିଲେ ଅଫିସରେ କୌଣସି ଗୁପ୍ତ କାର୍ଯ୍ୟ ସମ୍ପର୍କରେ ଗୁମର ଖୋଲିଯିବାର ଚିନ୍ତା ରହିଛି, ତାହା ଜଣାପଡ଼ିନି।

ରାଜ୍ୟରେ ସହଜ ହେବ ପୁଞ୍ଜିନିବେଶ: ଏଣିକି ସମୟ ଗଡ଼ିଗଲେ, ପ୍ରକଳ୍ପକୁ ମିଳିବ ଡିମ୍‌ଡ ଆପ୍ରୁଭାଲ୍‌ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁଞ୍ଜିନିବେଶ ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୨୦୨୦ ମସିହାରେ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ନିଜର ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାକୁ ସରଳ କରିଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା କୌଶଳ ପ୍ରୟୋଗ କରି ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାକୁ ଅଧିକ ସମନ୍ୱିତ ଓ ସଂଯୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଏଣକି ପୁଞ୍ଜିନିବେଶକାରୀଙ୍କ ଦରଖାସ୍ତଗ୍ରହଣଠୁ ଆରମ୍ଭ କରି ସମସ୍ତ ସେବା ଯୋଗାଣ, ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକୁ ଏହି ପୋର୍ଟାଲ ସହ ସଂଯୋଗ କରାଯିବ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଜିଲ୍ଲାସ୍ତରୀୟ ସିଙ୍ଗଲୱିଣ୍ଡୋ ବ୍ୟବସ୍ତାକୁ ଅଧିକ କ୍ରିୟାଶୀଳ ଓ ପୋଷାଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଜିଲ୍ଲାପାଳମାନଙ୍କ ଭୂମିକା ମଧ୍ୟ ଅଧିକ ସମ୍ପ୍ରସାରିତ ଓ ବ୍ୟାପକ କରାଯିବ। ପୁଞ୍ଜିନିବେଶକାରୀ ବଡ଼ ବଡ଼ ଶିଳ୍ପ ସଂସ୍ଥା, ଏମଏସଏମଇ ଉଦ୍ୟୋଗପତିମାନଙ୍କୁ ଯେପରି କୌଣସି ପ୍ରମାଣପତ୍ର ବା ଅନୁମୋଦନ ପାଇଁ କୌଣସି ସରକାରୀ ଅଫିସକୁ ଦୌଡ଼ିବାକୁ ନପଡ଼େ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବିଭାଗ ଯଦି ଅନୁମତି ବା ଅନୁମୋଦନ ନଦେଲେ ତା’ହେଲେ ଏହି ଉନ୍ନୀତ ପୋର୍ଟାଲରେ ଏକ ‘ଡିମଡ ଆପ୍ରୁଭାଲ’ ବ୍ୟବସ୍ଥା ରହିବ। ସମୟସୀମା ଅତିକ୍ରମ କରିବା ପରେ ପୋର୍ଟାଲ ଏହି ସ୍ୱଂୟକ୍ରିୟ ଅନୁମୋଦନକୁ ସମ୍ପୃକ୍ତ ଆବେଦନକାରୀଙ୍କୁ ପଠାଇ ଦେବ। ସୂଚନାଯୋଗ୍ୟ, ଓଡ଼ିଶା ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାର ‘ଗୋ-ସ୍ପିଫ୍ଟ ପୋର୍ଟାଲ’ ୨୦୨୦ ମସିହା ପାଇଁ ଜାତୀୟସ୍ତରରେ ଇ-ଗଭର୍ଣ୍ଣାନ୍ସ ଆୱାର୍ଡ ପାଇଛି। ସିଙ୍ଗଲୱିଣ୍ଡୋର ଉନ୍ନୀତ ସଂସ୍କରଣ ରାଜ୍ୟରେ ବ୍ୟବସାୟ ଅନୁକୂଳ ବାତାବରଣକୁ ଅଧିକ ଫଳପ୍ରଦ କରିବ ବୋଲି ସମୀକ୍ଷା ବୈଠକରେ ଜଣାପଡ଼ିଛି। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ପୋର୍ଟାଲର ପ୍ରସ୍ତୁତି ଓ ପରୀକ୍ଷା ସାରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ବିଭାଗ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ମନୋନୀତ କରିବେ ଓ ସେମାନେ ଇପିକଲ ସହ ମିଶି ପୋର୍ଟାଲ ପ୍ରସ୍ତୁତିରେ ସହଯୋଗ କରିବେ।

ପଦାରେ ପଡ଼ିଲା ମହିଳା ବିଜେଡି ବିବାଦ, ହ୍ୱାଟ୍ସଆପ୍‌ ଗ୍ରୁପରେ ଚାଲିଛି ଲଢ଼େଇ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେଡି ନେତ୍ରୀ ତଥା ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ସୋସିଆଲ ମିଡିଆରେ କଡ଼ା ଭାଷାରେ ଦଳର ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ର ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି। ଯାହା ଏବେ ମହିଳା ବିଜେଡିରେ ଥିବା ଫାଟକୁ ପଦାରେ ପକାଇଛି। ଗତ ଦୁଇ ସପ୍ତାହ ପୂର୍ବରୁ ବନ୍ଧୁମିଳନ ଆଳରେ ମହିଳା ବିଜେଡିର ଗୋଟିଏ ଗୋଷ୍ଠୀ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏବେ ସୁଲୋଚନାଙ୍କୁ ଦଳର ବିଭିନ୍ନ ହ୍ୱାଟସଅପ୍ ଗ୍ରୁପରେ କସ୍ତୁରୀ ମହାପାତ୍ର ସମାଲୋଚନା କରିବାକୁ ନେଇ ଛକାପଞ୍ଝା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ଦଳର ବିଭିନ୍ନ ହ୍ୱାଟସଅପ୍ ଗ୍ରୁପରେ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓକୁ ଶେୟାର କରି ବର୍ତ୍ତମାନର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଶ୍ରୀମତୀ ମହାପାତ୍ର ଏକ ଭିଡିଓ ଶେୟାର କରି ଶ୍ରୀମତୀ ଦାସଙ୍କୁ ସିଧାସଳଖ କଟାକ୍ଷ କରି କହିଛନ୍ତି ଯେ, “ଆମ ଦଳର ଜଣେ ବ୍ୟକ୍ତି ଯେକି ଦାୟିତ୍ୱସମ୍ପନ୍ନ ଉଚ୍ଚପଦବୀରେ ଅଧିଷ୍ଠିତ ଅଛନ୍ତି, ତାଙ୍କର ଏଭଳି ଆଚରଣ ଅସହନୀୟ। କଦାପି ଗ୍ରହଣୀୟ ନୁହେଁ।” ଏହି ଭିଡିଓରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଶ୍ରୀମତୀ ଦାସ, ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଗଣମାଧ୍ୟମ ଆଗରେ ବର୍ଣ୍ଣନା କରୁଥିବାର ଦୃଶ୍ୟ ରହିଛି । ସେଥିରେ ଶ୍ରୀମତୀ ଦାସ କହିଛନ୍ତି ଯେ, “ଯେତେବେଳେ ସଚିବାଳୟ ଭିତରକୁ ସାଧାରଣ ଲୋକ ପ୍ରବେଶ କରିପାରୁନି, ଭିନ୍ନକ୍ଷମ ଭାଇଭଉଣୀମାନେ କିଭଳି ଯାଇପାରିବେ। କାହିଁକି ବିଭାଗର କାର୍ଯ୍ୟାଳୟକୁ ଭିନ୍ନକ୍ଷମ କମିଶନ ଅଫିସ ପାଖରୁ ଉଠାଇ ସଚିବାଳୟ ଭିତରକୁ ଅଣାଗଲା। କମିଶନ ଏନେଇ ବିଭାଗକୁ କାରଣଦର୍ଶଆ ନୋଟିସ୍ ବି ଜାରି କରିଛନ୍ତି। ବିଭାଗୀୟ ଅର୍ଥର ଦୁରୂପଯୋଗ ବି ହେଉଛି। କମିଶନଙ୍କ ପାଖରେ ଅଭିଯୋଗ ହେଲେ ସିନା କିଛି କରାଯିବ। ନହେଲେ କମିଶନ ଜାଣିବେ କେମିତି ବୋଲି ଶ୍ରୀମତୀ ଦାସ ଉକ୍ତ ଭିଡିଓରେ କହୁଥିବାର ଦେଖିବାକୁ ମିଳିଛି।” ଅବଶ୍ୟ ଶ୍ରୀମତୀ ଦାସ ଯାହା କିଛି ଭୁଲ୍ କହିନାହାନ୍ତି। ସରକାରଙ୍କ କାର୍ଯ୍ୟର ଗୁମର ଖୋଲିଛନ୍ତି। ସୂଚନା ଅନୁସାରେ, ମାତ୍ର ଶାସକ ଦଳରେ ଥାଇ ସେ ଯେଉଁ ଢଙ୍ଗରେ ରୋକଠୋକ୍ ଭାବେ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛନ୍ତି ତାକୁ ଦଳ ସହଜରେ ହଜମ କରିପାରିନି ଓ କସ୍ତୁରୀ ମହାପାତ୍ର ମାଧ୍ୟମରେ ଦଳର ସୋସିଆଲ ମିଡିଆ ଗ୍ରୁପରେ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ଯୁଦ୍ଧଦେହଂ ଡାକରା ଦେଇଛନ୍ତି। ଚର୍ଚ୍ଚା ହେଉଛି, ମହିଳା ବିଜେଡିରେ ଛକାପଞ୍ଝା ଚାଲିଥିବା ଯୋଗୁ ଡିସେମ୍ବର ମାସରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମହିଳା ୱିଙ୍ଗ ସଭାନେତ୍ରୀ ଘୋଷଣା କରାଯାଇଥିଲା। କିନ୍ତୁ ଦଳର ଅନ୍ୟ ଏକ ମହିଳା ଗୋଷ୍ଠୀ ବନ୍ଧୁମିଳନ ଆଳରେ ରାଜଧାନୀର ଏକ ହୋଟେଲରେ ଶକ୍ତି ପ୍ରଦର୍ଶନ କରିବା ଓ ସେଠାରେ ନେତ୍ରୀମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ ପାଇଁ ପ୍ରତିଶ୍ରୁତି ଦିଆଯିବା ଯୋଗୁ ଶ୍ରୀମତୀ ଛୁରିଆ ଏପର୍ଯ୍ୟନ୍ତ ନିଜର ଟିମ୍ ଘୋଷଣା କରିବାରେ ସକ୍ଷମ ହୋଇପାରିନାହାନ୍ତି। ଅବଶ୍ୟ ଏହି ବନ୍ଧୁମିଳନରୁ ସ୍ନେହାଙ୍ଗିନୀଙ୍କ ସମର୍ଥକମାନେ ଦୂରେଇ ରହିଥିଲେ। ସ୍ନେହାଙ୍ଗିନୀ ତାଙ୍କ ଟିମ୍ କେବେ ଘୋଷଣା କରିବେ ତାହା ବି ସନ୍ଦେହଘେରରେ। ତେଣୁ ବିଜେଡି ମହିଳା ୱିଙ୍ଗରେ ଚାଲିଥିବା ଏହି ଛକାପଞ୍ଝା ଭିତରେ କସ୍ତୁରୀ ସିଧାସଳଖ ଦଳର ପୂର୍ବତନ କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ତଥା ବର୍ତ୍ତମାନର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ସମାଲୋଚନା କରିବା ମହିଳା ବିଜେଡିରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ତୀବ୍ରତର କରାଇଛି।