ଦିଲ୍ଲୀ ହିଂସା;୨୦ ଚାଷୀ ନେତାଙ୍କୁ ନୋଟିସ୍…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ଟ୍ରାକ୍ଟର ରାଲି ବେଳେ ନୂଆଦିଲ୍ଲୀରେ ହିଂସା ଘଟଣାରେ ଆକ୍ସନ ମୋଡରେ ରହିଛି ପୁଲିସ । ଏହି ଘଟଣାରେ ଆଜି ଦିଲ୍ଲୀ ପୁଲିସ ୨୦ ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରିଛି। ଟ୍ରାକ୍ଟର ରାଲି ବେଳେ ସର୍ତ୍ତ ଖିଲାପ ଅଭିଯୋଗରେ ଯୋଗେନ୍ଦ୍ର ଯାଦବ, ବାଲଦେବ ସିଂ ସିରସା, ବଲବୀର ଏସ ରାଜୱାଲଙ୍କ ସମେତ ୨୦ ଜଣ କୃଷକ ନେତାଙ୍କୁ ପୁଲିସ ନୋଟିସ ଜାରି କରିଛି। ୩ ଦିନ ମଧ୍ୟରେ ଜବାବ ରଖିବାକୁ ଏମାନଙ୍କୁ କୁହାଯାଇଛି।ଜାନୁଆରୀ ୨୬ ଦିନ ହୋଇଥିବା ଟ୍ରାକ୍ଟର ରାଲିରେ ହିଂସା ମାମଲରେ ଯେଉଁମାନଙ୍କ ନାଁରେ ଏଫଆଇଆର୍‌ ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏଥିସହ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ମଧ୍ୟ ଜାରି କରିବାକୁ କୁହାଯାଇଛି।  ଯେଉଁମାନଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି ହେବ ସେମାନଙ୍କ ପାସପୋର୍ଟ ମଧ୍ୟ ଜବତ କରାଯିବାକୁ ନିର୍ଦ୍ଦେଶ ହୋଇଛି। ସେପଟେ ଚାଷୀ ନେତାମାନେ ହିଂସାକୁ ନେଇ ପାଲଟା ପୁଲିସ ଉପରେ ହିଁ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ରାଲି ପାଇଁ ପୁଲିସ ଯେଉଁ ରୁଟ ଚାର୍ଟ ଦେଇଥିଲା ତାହା ଅବୁଝା ଥିଲା। ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେଣୁ ଏଭଳି ହିଂସା ପଛରେ ପ୍ରଶାସନ ହିଁ ଦାୟୀ ବୋଲି ସେମାନେ ପାଲଟା ଅଭିଯୋଗ ଆଣିଛନ୍ତି। ଯେଉଁମାନେ ଲାଲକିଲ୍ଲାରେ ପଶି ଉପଦ୍ରବ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୃଷକମାନେ ଦାବି କରିଛନ୍ତି।

ଲାଲକିଲ୍ଲାରେ ପତାକା ଉଡ଼ାଇଥିଲେ ଯୁଗରାଜ, ବାପା-ମା’ ଫେରାର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଚିହ୍ନଟ ହେଲେ ଲାଲକିଲ୍ଲାରେ ପତାକା ଉଡାଇଥିବା ଯୁବକ। ତାଙ୍କ ନାଁ ଯୁଗରାଜ ସିଂହ। ବୟସ ୨୩ ବର୍ଷ। ଘର ପଞ୍ଜାବର ତରନତାରନ ଜିଲ୍ଲାର ବାନା ତାରା ସିଂହ ଗାଁରେ। ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଏହି ଯୁବକ ଜଣକ ଭାଗ ନେଇଥିଲେ। ଲାଲକିଲ୍ଲାରେ ଚଢ଼ି ସେ ହିଁ ପତାକା ଉଡାଇଥିଲେ। ଜାତୀୟ ପତାକା ଉଡାଇବା ସ୍ଥାନର ସେ ଖାଲସା ପତାକା ଉଡାଇଥିଲେ। ଏନେଇ ଦିଲ୍ଲୀ ପୁଲିସ ସୂଚନା ଦେଇଛି।Riots on the roof of lalquila

ପତାକା ଉଡାଇଥିବା ନେଇ ଯୁଗରାଜଙ୍କ ନାଁ ସାମ୍ନାକୁ ଆସିବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଭୟରେ ତାଙ୍କ ବାପାମା’ ଗାଁରୁ ଫେରାର ହୋଇଯାଇଛନ୍ତି। ଘରେ କେବଳ ତାଙ୍କ ଜେଜେ ବାପା ଅଛନ୍ତି। ପରିବାର ଲୋକେ ଓ ଗ୍ରାମବାସୀ ଯୁଗରାଜ ଏଭଳି କାଣ୍ଡ ଘଟାଇଥିବା ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି। ଯୁଗରାଜ ଯାହା କରିଛି ତାହା ନିଶ୍ଚିତ ରୂପେ ଦୁର୍ଭାଗ୍ୟଜନ ବୋଲି ସେମାନେ କହିଛନ୍ତି। ପୁଲିସର ପଚରାଉଚରା ପରେ ଯୁଗରାଜଙ୍କ ଜେଜେ ବାପା କହିଛନ୍ତି, କେତେବେଳେ କ’ଣ ଘଟିଲା ଆମେ ଜାଣିନୁ। ଯୁଗରାଜ ଜଣେ ଶାନ୍ତଶିଷ୍ଟ ଏବଂ ପରିଶ୍ରମୀ ପିଲା। ଖଲିସ୍ତାନୀଙ୍କ ସହ ତା’ର କୌଣସି ସମ୍ପର୍କ ନାହିଁ। ଟିଭିରେ ଦେଖିବା ପରେ ସେ ପତାକା ଉଡ଼ାଇଥିବା ନେଇ ଜାଣିବାକୁ ପାଇଥିଲୁ। କିନ୍ତୁ ସେ ଯେଉଁ ପକାତା ଉଡାଇଛି ତାହା କୌଣସି ଖଲିସ୍ତାନୀଙ୍କ ନୁହେଁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ସେପଟେ ପୁଲିସ ସମସ୍ତଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି।

ବଢ଼ିଲା ଭୟ, ରାତିସାରା ଶୋଇ ପାରିଲେନି ଚାଷୀ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ବଢ଼ିଲା ଚାଷୀଙ୍କ ଭୟ। ଅନ୍ନଦାତାଙ୍କୁ ଘାରିଲା ପୁଲିସ ଆକ୍ସନର ଭୟ। ସୀମରେ ରାତିସାରା ରହିଲେ ଉଜାଗର। ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଦିଲ୍ଲୀରେ ହିଂସା ପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭିତ ହୋଇଯାଇଛନ୍ତି ଚାଷୀ। ବୁଧବର ରାତିରେ ଆନ୍ଦୋଳନକାରୀ ଚାଷୀମାନେ ପୁଲିସକୁ ଡରି କୌଣସି ଶୋଇନାହାନ୍ତି। ଚାଷୀ ନେତା ରାକେଶ ଟିକୈତ କହିଛନ୍ତି, ପ୍ରଶାସନ ଆନ୍ଦୋଳନ ପରିବେଶକୁ ବିଗାଡି ଦେଇଛି। ପୁଲିସ ରାତିରେ ଆନ୍ଦୋଳନ ସ୍ଥଳର ବୁଦ୍ୟୁତ କାଟି ଦେଇଛି। ଗାଜିପୁରରେ ଆନ୍ଦୋଳନରତ କୃଷକମାନେ ବିଦ୍ୟୁତକାଟ ହେବା ପରେ କେଉଁଆଡେ ଗାଏବ ହୋଇଯାଇଛନ୍ତି। ଏପରିକି ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପୁଲିସ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ଶତାଧିକ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

୬ଟି ରାଜ୍ୟରେ ନିର୍ବାଚନ ଲଢ଼ିବ ଆପ୍ ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଗାମୀ ବିଧାନସଭା ନିର୍ବାଚନ ନେଇ ଆଗୁଆ ଘୋଷଣା କଲା ଆମ ଆଦମୀ ପାର୍ଟି। ଦୁଇ ବର୍ଷ ମଧ୍ୟରେ ଦେଶରେ ହେବାକୁ ଥିବା ସବୁ ନିର୍ବାଚନ ଲଢ଼ିବାକୁ ନ୍ୟାସନାଲ କାଉନସିଲ ବୈଠକରେ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ  ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଗୋଆରେ ଆମ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବ ବୋଲି ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସ୍ଥିତି ମଜବୁତ କରିବା ପରେ ବର୍ତ୍ତମାନ କେଜ୍ରିୱାଲଙ୍କ ନଜର ଦେଶର ଅନ୍ୟ ରାଜ୍ୟମାନଙ୍କ ଉପରେ ପଡିଛି। ସେ ନିଜ ଦଳର ନେତାଙ୍କୁ ଏଥିପାଇଁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ରାଘବ ଚଡ୍ଡାଙ୍କୁ ପଞ୍ଜାବ, ଆତିଶି ମାର୍ଲିନାଙ୍କୁ ଗୁଜରାଟରେ ଦଳ ବିସ୍ତାର କରିବାକୁ ଦାୟିତ୍ୱ ଦେଇଛନ୍ତି। ସେହିପରି ବିଧାୟକ ଦୀନେଶ ମୋହନୀୟାଙ୍କୁ ଉତ୍ତରାଖଣ୍ଡର ଦାୟିତ୍ୱ ଦିଆଯାଇଛି । ଏହିସବୁ ରାଜ୍ୟରେ ଆମ ଆଦମୀ ପାର୍ଟି ୨୦୨୨ରେ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।ଗୁରୁବାର ଦିନ ଦଳର ନ୍ୟାସନାଲ କାଉନସିଲ ବୈଠକ ବସିଥିଲା। ବୈଠକରେ କେଜ୍ରିୱାଲ କହିଛନ୍ତି,”ଆପର ସୁଶାସନ ସମ୍ପର୍କରେ ସାରା ଦେଶରେ ଲୋକେ ଚର୍ଚ୍ଚା କରୁଛନ୍ତି। ଦେଶରେ ସବୁ ସ୍ଥାନରେ ଲୋକେ ଦିଲ୍ଲୀ ଭଳି ବିଜୁଳି, ପାଣି ସବସିଡି ଓ କଲ୍ୟାଣକାରୀ ଯୋଜନା ଚାହୁଁଛନ୍ତି। ଏଥିପାଇଁ ଆମକୁ ଏକ ମଜବୁତ ସଂଗଠନ ଗଢିବା ଆବଶ୍ୟକ। ଆଗାମୀ ଦୁଇ ବର୍ଷରେ ଆମ ଦଳ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଗୁଜରାଟରେ ନିର୍ବାଚନ ଲଢ଼ିବ।କୃଷକ ଆନ୍ଦୋଳନ ଓ ଦିଲ୍ଲୀ ହିଂସାକୁ ନେଇ ମଧ୍ୟ କେଜ୍ରିୱାଲ ନିଜ ପ୍ରତିକ୍ରିୟା ଦେଇଛନ୍ତି।  ସେ କହିଛନ୍ତି, ଗତ କିଛି ଦିନ ହେଲା ଦେଶର ଚାଷୀ ଦୁଃଖୀ ଅଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଦେଶର ସାଢେ ୩ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି। ନୂଆ କୃଷି ଆଇନ ଜରିଆରେ ସରକାର କୃଷକଙ୍କ ଚାଷ ଛଡେଇ ନେଇ ପୁଞ୍ଜିପତିଙ୍କୁ ଦେବାକୁ ଚେଷ୍ଟା କରୁଛନ୍ତି। ଜାନୁଆରୀ ୨୬ ତାରିଖରେ ହୋଇଥିବା ହିଂସା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। କୃଷକଙ୍କ ବିରୋଧରେ ମିଛ ମାମଲା ରୁଜୁ ହେଉଛି। ଏହି ହିଂସା ଘଟଣା ପାଇଁ ଯେଉଁ ଦଳ ଦାୟୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏହି ଘଟଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।

ପୁଣି ମୁହାଁମୁହିଁ ସ୍ଥିତି;ରାସ୍ତା ଖାଲି କରିବାକୁ ଚାଷୀଙ୍କୁ ସ୍ଥାନୀୟ ଲୋକଙ୍କ ଚେତାବନୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପୁଣିଥରେ ଅଶାନ୍ତ ହୋଇଛି ଦିଲ୍ଲୀର ସିଙ୍ଘୁ ସୀମା। ଏଠାରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି। ଗଣତନ୍ତ୍ର ଦିବସ ଭଳି ଏକ ପବିତ୍ର ଦିନରେ ଚାଷୀମାନେ ହିଂସାକାଣ୍ଡ ଘଟାଇଥିବାରୁ ସିଙ୍ଘୁ ଗାଁର ଲୋକମାନେ ସେମାନଙ୍କୁ ଜାତୀୟ ରାଜପଥ ଖାଲି କରିବାକୁ ଧମକ ଦେଇଛନ୍ତି। ଏହାକୁ ନେଇ ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।ଗୁରୁବାର ମଧ୍ୟାହ୍ନରେ ସିଙ୍ଘୁ ଗାଁର କିଛି ଲୋକ ଚାଷୀଙ୍କ ବିରୋଧରେ ଶୋଭାଯାତ୍ରା ଆରମ୍ଭ କରିଥିଲେ। ସେମାନେ ଜାତୀୟ ରାଜପଥରେ ବିକ୍ଷୋଭ କରିଥିଲେ। ନିଜକୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ କହୁଥିବା ଏହି ଲୋକମାନେ ହାତରେ ତ୍ରିରଙ୍ଗା ଧରି ଚାଷୀ ମାନଙ୍କୁ ବିରୋଧ କରିଥିଲେ। ଚାଷୀମାନେ ତୁରନ୍ତ ସିଙ୍ଘୁ ସୀମା ଖାଲି କରନ୍ତୁ ବୋଲି ସେମାନେ ନାରାବାଜୀ କରିଥିଲେ। ଜଣେ ଆନ୍ଦୋଳନକାରୀ କହିଛନ୍ତି, ସିଙ୍ଘୁ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଛି। ତେଣୁ ମୁଁ ଏହି ବିକ୍ଷୋଭରେ ସାମିଲ ହୋଇଛି। ଆଉ ଜଣେ ଆନ୍ଦୋଳକାରୀ କହିଛନ୍ତି, ଗଣତନ୍ତ୍ର ଦିବସରେ ଚାଷୀମାନେ ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ଆମେ ବିକ୍ଷୋଭ କରୁଛୁ। ଅନ୍ୟପକ୍ଷରେ ଆଜି ସିଙ୍ଘୁ ସୀମାରେ ପୁଲିସ୍‌ ବ୍ୟାରିକେଡ୍‌ ତିଆରି କରିଛି। ଚାଷୀମାନେ ଯେମିତି ଦିଲ୍ଲୀ ଭିତରକୁ ପଶି ପାରିବେ ନାହିଁ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏହାକୁ ଚାଷୀମାନେ ବିରୋଧ କରିବାରୁ ସ୍ଥାନୀୟ ଅଞ୍ଚଳରେ ଅଧିକ ସଂଖ୍ୟକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।ସେହିପରି ଗାଜିପୁର ସୀମାରେ ଉତ୍ତର ପ୍ରଦେଶ ପୁଲିସ୍‌ ପ୍ଲାଗମାର୍ଚ୍ଚ କରିଛି। ଜାନୁଆରୀ ୨୬ ଟ୍ରାକ୍ଟର ରାଲି ବେଳେ ପୁଲିସ୍‌ ଓ ଚାଷୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍‌ କମିଶନର ଏସଏନ ଶ୍ରୀବାସ୍ତ ଆଜି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ଲିକ୍‌ରୁ ଆରମ୍ଭ କରି ପେପର ଲେସ୍ ଯାଏ; ଆମ ବଜେଟର କାହାଣୀ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ଭାରତୀୟ ବଜେଟର କାହାଣୀ ବେସ୍ ପୁରୁଣା। ସୁଟକେସରୁ ଆରମ୍ଭ ହୋଇଥିବା ବଜେଟ ଏକଦା ବହି ଖାତାରେ ପରିଣତ ହୋଇଥିଲା। ଚଳିତ ବର୍ଷ କିନ୍ତୁ ଏହା ସଂପୂର୍ଣ୍ଣ ପେପର ଲେସ୍ ରହିବ। ସେହିପରି ବଜେଟ୍ ସଂସଦରେ ଉପସ୍ଥାପନ ହେବା ପୂର୍ବରୁ ଏକଦା ରାଷ୍ଟ୍ରପତି ଭବନରୁ ଲିକ୍ ମଧ୍ୟ ହୋଇଯାଇଥିଲା। ଏହାକୁ ନେଇ ବେଶ ତମ୍ଭିତୋଫାନ ମଧ୍ୟ ହୋଇଥିଲା। 

କେମିତି ଥିଲା ଆମ ବଜେଟର କାହାଣୀ 

  • ବଜେଟ ପ୍ରସ୍ତୁତ ସମୟ: କେନ୍ଦ୍ରୀୟ ବଜେଟ୍ ତିଆରି କରିବା ପାଇଁ ପାଖାପାଖି ୫ରୁ ୭ମାସ ସମୟ ଲାଗିଥାଏ। ପୂର୍ବରୁ ବଜେଟକୁ ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସରେ ଉପସ୍ଥାପନା କରାଯାଉଥିଲା। କିନ୍ତୁ ୨୦୧୭ରେ ମୋଦି ସରକାର ଏହାକୁ ବଦଳାଇଥିଲେ। ୨୧୦୭ ଠାରୁ ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରାଯାଉଛି। ପ୍ରଥମ ଅର୍ଥମନ୍ତ୍ରୀ ଭାବେ ସ୍ୱର୍ଗତଃ ଅରୁଣ ଜେଟଲୀ ଫେବୃଆରୀ ୧ରେ ବଜେଟ୍‌ ଉପସ୍ଥାପନ କରିଥିଲେ। ଏବେ ବି ସେହି ପରାମ୍ପରା ଜାରି ରହିଛି।
  • ଲିକ୍‌ ହୋଇଥିଲା ବଜେଟ: ୧୯୫୦ ଯାଏ କେନ୍ଦ୍ରୀୟ ବଜେଟ ରାଷ୍ଟ୍ରପତି ଭବନରେ ଛପା ଯାଉଥିଲା। ହେଲେ ଗୋଟିଏ ଥର ଏହା ଲିକ୍‌ ହୋଇଯିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଥିଲା। ରାଷ୍ଟ୍ରପତି ଭବନରୁ କିଏ ଏହାକୁ ଲିକ୍‌ କଲା, ତାହା ତ ଜଣାପଡ଼ି ନଥିଲା। କିନ୍ତୁ ଏହି ଘଟଣା ପରେ ବଜେଟର‌ ପ୍ରିଣ୍ଟିଂ ସ୍ଥାନକୁ ଦିଲ୍ଲୀର ମିଣ୍ଟୋ ରୋଡ୍‌କୁ ବଦଳାଇ ଦିଆଯାଇଥିଲେ। ଶେଷରେ ୧୯୮୦ ମସିହାରେ ନର୍ଥ ବ୍ଲକ ବେସମେଣ୍ଟରେ ଗୋଟିଏ ସରକାରୀ ସ୍ଥାୟୀ ପ୍ରେସ ତିଆରି କରାଯାଇଥିଲା। ପ୍ରତିବର୍ଷ ସେହିଠାରେ ହିଁ ବଜେଟ୍‌ ପୁସ୍ତିକା ଛକା ଯାଇଥାଏ।
  • ସମୟରେ ଅଦଳ ବଦଳ: ୧୯୯୯ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ବଜେଟ୍ ପରମ୍ପରା ଅନୁଯାୟୀ, ସଂନ୍ଧ୍ୟା ୫ଟାରେ ଉପସ୍ଥାପନା କରାଯାଉଥିଲା। କିନ୍ତୁ ୨୦୦୧ରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନା ପୁରୁଣା ପରମ୍ପରାକୁ ବଦଳାଇ ସକାଳ ୧୧ଟାରେ ବଜେଟ୍ ଉପସ୍ଥାପନା କରିଥିଲେ। ସେବେଠାରୁ ଏହି ପରମ୍ପରା ଜାରି ରହିଛି।
  • ସୁଟକେସ୍‌ରୁ ପେପର ଲେସ୍‌ ବଜେଟ: ୨୦୧୯ ଯାଏ ଦେଶର ଅର୍ଥମନ୍ତ୍ରୀମାନେ ସୁଟକେସରେ ବଜେଟ୍ ବହି ଧରି ସଂସଦକୁ ଆସନ୍ତି। ୨୦୧୯ ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୁଟକେସ୍ ବଦଳରେ ନାଲି ଫିତାରେ ବନ୍ଧା ବହି ଖାତା ଧରି ବଜେଟ୍ ଉପସ୍ଥାପନ କରିଥିଲେ। ସେତେବେଳେ ସେ କହିଥିଲେ ବ୍ରିଟିଶ୍ ଅମଳର ଏହି ‘ହ୍ୟାଙ୍ଗଓଭର’ରୁ ବାହାରିବା ପାଇଁ ସୁଟକେସ ବଦଳରେ ବହି ଖାତା ବଜେଟ୍‌ର ବ୍ୟବସ୍ଥା ହୋଇଛି। ଏହା ମଧ୍ୟ ଅଧିକ ସୁବିଧାଜନକ। ଏଥର ବଜେଟ ସଂପୂର୍ଣ୍ଣ ପେପର ଲେସ୍‌ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିବାକୁ ଯାଉଛି। ତେବେ ପୂର୍ବରୁ ଅର୍ଥମନ୍ତ୍ରୀମାନେ ସଂସଦକୁ ଧରି ଆସୁଥିବା ସୁଟ୍କେସ୍ ପଛରେ ଗୋଟିଏ କାହାଣୀ ରହିଛି। ୧୮୬୦ ମସିହାରେ ବ୍ରିଟେନର ‘Chancellor of the Exchequer Chief ‘ ବିଲିୟମ୍ ଏବର୍ଟ ଗ୍ଲାଡଷ୍ଟୋନ (William Evert Gladstone) ଫାଇନାନ୍ସିଆଲ୍ ପେପର୍ ବଣ୍ଡଲକୁ ଏକ ଲେଦର୍ ବ୍ୟାଗରେ ଆଣିଥିଲେ। ସେହିଦିନଠାରୁ ବଜେଟକୁ ଲେଦର୍ ସୁଟକେସରେ ଆଣିବାର ପରମ୍ପରା ଆରମ୍ଭ ହୋଇଛି। ଆମେରିକା ଅର୍ଥ ମନ୍ତ୍ରୀ ଲାଲ୍ ରଙ୍ଗର ସୁଟକେସର ବ୍ୟବହାର କରିଥାନ୍ତି। ସେହିପରି ଭାରତ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କର Buckle strap ଲେଦର୍ ସୁଟକେସ ଓ ପ୍ରଣବ ମୁଖାର୍ଜୀ ରେଡ୍ ବେଲଭେଟ୍‌ର ସୁଟକେସ ବ୍ୟବହାର କରିଥିଲେ।
  • ବଜେଟ ଉପସ୍ଥାନ ବେଳେ ଲକ୍‌ ହୋଇ ରୁହନ୍ତି କର୍ମଚାରୀ: ସଂସଦରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା କରୁଥିବା ବେଳେ ଅର୍ଥ ବିଭାଗ ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କୁ ସଂସଦର ନର୍ଥ ବ୍ଲକରେ ଲକ୍ କରିଦିଆ ଯାଇଥାଏ। ବଜେଟ ଉପସ୍ଥାପନ ବେଳେ କେହି ବାହାରକୁ ଯାଇପାରିବେ ନାହିଁ। ଏପରିକି କର୍ମଚାରୀମାନେ ନିଜର ପରିବାର କିମ୍ୱା ସାଙ୍ଗମାନଙ୍କ ସହ କଥା ମଧ୍ୟ ହୋଇପାରିବେ ନାହିଁ। ଯଦି କେହି ବଜେଟ ଉପସ୍ଥାପନ ବେଳେ ଅସୁସ୍ଥ ହୋଇପଡ଼ିଛି, ତେବେ ତାଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଉପସ୍ଥିତ ରହିଥାନ୍ତି।
ଗାଜିପୁରରେ ୧୪୪ ଧାରା, ଆନ୍ଦୋଳନରୁ ଓହରିଲେ ଆଉ ଦୁଇ ଚାଷୀ ସଂଗଠନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ଜାନୁଆରୀ ୨୬ ଦିଲ୍ଲୀ ହିଂସାକାଣ୍ଡ ପରେ ଗାଜିପୁର ଓ ସିଙ୍ଘୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ବିଶେଷ କରି ଆଜି ରାତିସୁଦ୍ଧା ଗାଜିପୁର ଆନ୍ଦୋଳନସ୍ଥଳ ଖାଲି କରିବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେବା ପରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏଥିପାଇଁ ଆନ୍ଦୋଳନ ସ୍ଥଳରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଆଜି ଆଉ ଦୁଇ ଚାଷୀ ସଂଗଠନ କୃଷି ଆଇନକୁ ବିରୋଧ କରି ହେଉଥିବା ଆନ୍ଦୋଳନରୁ ଓହରି ଯାଇଛନ୍ତି। ଭାରତୀୟ କିଷାନ ୟୁନିୟନ(ଲୋକଶକ୍ତି) ଓ ଭାରତୀୟ କିଷାନ ୟୁନିୟନ(ଏକତା)ର ସଦସ୍ୟମାନେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟିଥିଲେ। ଏହାପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଛକାପଞ୍ଝା ହେବାରୁ ଗାଜିପୁର ସୀମାରେ ୧୪୪ ଧାରା ଲାଗୁ କରାଯାଇଛି। ସୀମାର ଉଭୟ ପକ୍ଷରୁ ସିଲ କରିଦିଆଯାଇଛି। ଏଠାରେ କୌଣସି କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ସନ୍ଧ୍ୟାରେ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ରାତି ୧୨ଟା ସୁଦ୍ଧା ଆନ୍ଦୋଳନ ସ୍ଥଳ ଛାଡ଼ିବାକୁ ଚାଷୀଙ୍କୁ କହିଥିଲେ। ତେବେ ସେମାନେ ଏଥିରେ ରାଜି ନ ହେବାରୁ ପ୍ରଶାସନ ୧୪୪ ଧାରା ଲାଗୁ କରିଛି। ଗାଜିପୁର ସୀମାରେ ଥିବା ଆନ୍ଦୋଳନକାରୀଙ୍କୁ ପାଣି ଯୋଗାଣ ବନ୍ଦ କରିଦିଆଯାଇଛି। ଏଠାରେ ଆନ୍ଦୋଳନ କରୁଥିବା ରାକେଶ ଟିକାୟତଙ୍କ ନାଁ ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ରୁଜୁ ଏଫଆଇଆର୍‌ରେ ରହିଛି। ସେ ଆଜି ଆନ୍ଦୋଳନ ସ୍ଥଳରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ଗାଜିପୁର ସୀମାରେ ପ୍ରଶାସନ ପଦକ୍ଷେପକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ସ୍ଥିତିକୁ ଦେଖି ରୋଡ ୫୬, ଅକ୍ଷରଧାମ ଓ ନିଜାମୁଦ୍ଦିନ ଖଟ୍ଟାର ଟ୍ରାଫିକକୁ ଡାଇଭର୍ଟ କରାଯାଇଛି। ଏନଏ ୯ ଏନଏ ୨୪କୁ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସିଙ୍ଘୁ, ଅଉଚାଣ୍ଡି, ମଙ୍ଗେଶ, ସାବୋଲି ଓ ପିଆଉ ମନିୟାରୀ ସୀମାକୁ ମଧ୍ୟ ବନ୍ଦ କରାଯାଇଛି। ତେବେ ଲାମପୁର, ସୈଫିଆବାଦ, ସିଙ୍ଘୁ ସ୍କୁଲ ଓ ପାଲ୍ଲା ଟୋଲ ଟାକ୍ସ ସୀମା ଖୋଲା ରହିଛି।

ଡାଭୋସ ସମ୍ମିଳନୀରେ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ମୋଦି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ୱାର୍ଲ୍ଡ ଇକୋନୋମିକ ଫୋରମର ଅନଲାଇନ ଡାଭୋସ ଏଜେଣ୍ଡା ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, କରୋନା ଭାଇରସ ସଂକ୍ରମଣ ବେଳେ ଭାରତ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ତଥାପି ଦେଶ ଆଗକୁ ବଢ଼ିଛି। ମାତ୍ର ୧୨ ଦିନରେ ଆମେ ୨.୩ ନିୟୁତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରିଛୁ। ଆଉ ୩ ମାସ ମଧ୍ୟରେ ଆମେ ୩୦୦ ମିଲିୟନ ବରିଷ୍ଠ ନାଗରିକଙ୍କୁ ଟିକା ଦେବୁ ବୋଲି ମୋଦି କହିଛନ୍ତି। ଏହି ଭିଡିଓ କନଫରେନ୍ସିଂ ସମ୍ମିଳନୀରେ ୪୦୦ ଟପ୍‌ ଶିଳ୍ପପତି ସାମିଲ ଥିଲେ। ଏହି ଅବସରରେ ମୋଦି ସମସ୍ତଙ୍କୁ ଭାରତରେ ପୁଞ୍ଜିନିବେଶ କରିବାକୁ ଆହ୍ୱାନ କରିଛନ୍ତି। ଏଥିସହ ସେ କହିଛନ୍ତି, ଗତବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ବିଶେଷଜ୍ଞମାନେ କହିଥିଲେ ଯେ କରୋନା ମହାମାରୀ ଯୋଗୁ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହେବ। ଦେଶରେ ସଂକ୍ରମିତଙ୍କ ସୁନାମି ଆସିବ। କିଛି ଲୋକ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ ବୋଲି କହିଥିଲେ। କିନ୍ତୁ ଲୋକଙ୍କ ସମର୍ଥନରେ ଭାରତ ଆଗକୁ ବଢ଼ିଛି। ଯେଉଁ ଦେଶଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ରହିଥିଲା, ସେଠାକାର ଅବସ୍ଥା ଦେଖନ୍ତୁ। ବର୍ତ୍ତମାନ ପୂରା ବିଶ୍ୱ ଆମକୁ ଦେଖୁଛି। ଆମେ ସମସ୍ତ ପ୍ରକାରର ମାନବ ସମ୍ବଳକୁ ବିନିଯୋଗ କରି କରୋନା ସହ ଲଢ଼େଇ କରିଛୁ। ଭାରତ ପାଖରେ ଦୁଇଟି ମେଡ୍‌ ଇନ କରୋନା ଟିକା ରହିଛି। ଆଗକୁ ଆହୁରି ଅନେକ କରୋନା ଟିକା ଭାରତରୁ ଉତ୍ପାଦିତ ହେବ। ଆମେ କେବଳ ଆବଶ୍ୟକ ଅନୁଯାୟୀ, ପିପିଇ କିଟ୍‌ ଓ ମାସ୍କ ତିଆରି କରି ନଥିଲୁ। ଏହାକୁ ରପ୍ତାନୀ ମଧ୍ୟ କରିଥିଲୁ। ଭାରତ ବିଦେଶକୁ ମଧ୍ୟ ଟିକା ପଠାଇଛି। ୧୫୦ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ମଧ୍ୟ ପଠାଯାଇଛି। ଦେଶରେ ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଆରମ୍ଭ ହୋଇଛି। ଭାରତର ସଫଳତା ସାରା ବିଶ୍ୱକୁ ସଫଳ କରାଇବ। ଆମେ ବିଶ୍ୱ ସପ୍ଲାଏ ଚେନକୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମ ଏଥିପାଇଁ ସକ୍ଷମ ଓ ଆମ ପାଖରେ କ୍ଷମତା ମଧ୍ୟ ରହିଛି। କରୋନା ଭାଇରସ ଆମକୁ ମାନବିକତାର ମୂଲ୍ୟବୋଧ ଶିଖାଇଛି। ଭାରତର ପାରମ୍ପରିକ ଔଷଧ ଓ ଆୟୁର୍ବେଦ କେମିତି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ତା’ର ପୂରା ବିଶ୍ୱ ଦେଖିଛି। ଆମେ ସବୁବେଳେ ପ୍ରତିଟି ଜୀବନକୁ ବଞ୍ଚାଇବାକୁ ଚେଷ୍ଟା କରିଛୁ। ଏବେ ଭାରତ ଆତ୍ମନିର୍ଭର ଦିଗରେ ଗତି କରୁଛି। ଅର୍ଥନୀତିର ସର୍ପୋଟିଂ ପିଲାର ହେଉଛି ଭିତ୍ତିଭୂମି। ଏଥିପାଇଁ ୬ ବର୍ଷ ମଧ୍ୟରେ ଭାରତରେ ୫୭୦୦୦ କିମି ଜାତୀୟ ରାଜପଥ ତିଆରି ହୋଇଛି। ୫୮% ରେଳ ଲାଇନ ବିଦ୍ୟୁତକରଣ କରାଯାଇଛି। ମହାମାରୀ ଭିତରେ ମଧ୍ୟ ଭାରତରେ ଏଫଡିଆଇ ୧୩% ବୃଦ୍ଧି ପାଇଛି। ଆମେ ଏମଏସଏମଇକୁ ଆର୍ଟିଫିସିଆଲ ଗୁଇନ୍ଦା ଓ ମେକାନିକାଲ ଲର୍ଣ୍ଣିଂରେ ସଂଯୋଗ କରିବାକୁ ଉଦ୍ୟମ କରୁଛୁ। ୧.୩ ମିଲିୟନ ରାସ୍ତାକଡ଼ ଦୋକାନୀ ଡିଜିଟାଲ ଅର୍ଥନୀତି ସହ ସାମିଲ ହୋଇଛନ୍ତି। ଭାରତରେ ୧.୩ ବିଲିୟନ ଲୋକଙ୍କ ପାଖରେ ଆଧାର କାର୍ଡ ଓ ୧.୧ ବିଲିୟନ ମୋବାଇଲ ବ୍ୟବହାରକାରୀ ରହିଛନ୍ତି। ବିଦେଶର ଶିଳ୍ପପତିମାନେ ଭାରତରେ ପୁଞ୍ଜିନିବେଶ କରିବାକୁ ଆସିପାରିବେ ବୋଲି ମୋଦି ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

ଆତ୍ମସମର୍ପଣ କରିବାକୁ ମନା କଲେ ରାକେଶ ଟିକାୟତ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ଆଜି ପୁଲିସ୍‌ରେ ଆତ୍ମସମର୍ପଣ କରିବାକୁ ମନା କରିଦେଇଛନ୍ତି। ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସ୍ଥାନ ଖାଲି କରିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଥିବାରୁ ରାକେଶ ଆତ୍ମସମର୍ପଣ କରିବେ ବୋଲି କୁହାଯାଉଥିଲା। ଏପରି କି ଗାଜିପୁର ସୀମାରେ ପୁଲିସ୍‌ ମଧ୍ୟ ଡେରା ପକାଇ ବସିଛି। ଜାନୁଆରୀ ୨୬ ଦିଲ୍ଲୀ ହିଂସାକାଣ୍ଡରେ ପୁଲିସ୍‌ ରୁଜୁ କରିଥିବା ଏଫଆଇଆର୍‌ରେ ୩୭ ଜଣ ଚାଷୀ ନେତାଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ରାକେଶ ଟିକାୟତ, ଯୋଗେନ୍ଦ୍ର ଯାଦବ ଓ ମେଧା ପାଟକରଙ୍କ ନାଁ ରହିଛି। ଆଜି ଗାଜିଆବାଦ ଜିଲ୍ଲା ପ୍ରଶାସନ ମଧ୍ୟ ଗାଜିପୁରରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସ୍ଥାନ ଖାଲି କରିବାକୁ କହିଛି। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଗାଜିପୁର ସୀମାରେ ପହଞ୍ଚି ଚାଷୀଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ଏହାକୁ ଦେଖି ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜି ଗାଜିପୁର ସୀମାରୁ ଚାଷୀଙ୍କୁ ସମ୍ବୋଧନ କରି ରାକେଶ ଟିକାୟତ କହିଛନ୍ତି, ମୁଁ କୌଣସି ପ୍ରକାରରେ ଆତ୍ମସମର୍ପଣ କରିବି ନାହିଁ। ପୁଲିସ୍‌ ଆମକୁ ଗିରଫ କରୁ। ବିଜେପି ଏବେ ଚାଷୀ ଆନ୍ଦୋଳନକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଛି। ଲାଲକିଲ୍ଲାରେ ହିଂସାକାଣ୍ଡ ଘଟାଇଥିବା ଲୋକଙ୍କ କଲ୍‌ ଡିଟେଲ ସାମ୍ନାକୁ ଆସିବା ଉଚିତ। ଯଦି ଦରକାର ପଡ଼ଲା, ତା’ହେଲେ ଗାଁରୁ ଅଧିକ ଲୋକ ଆସିବେ। ଦୀପ ସିଦ୍ଧୁଙ୍କ ଭୂମିକା କ’ଣ, ଏହାର ସତ ଦେଶବାସୀଙ୍କ ସାମ୍ନାକୁ ଆସିବା ଉଚିତ। ଦିଲ୍ଲୀ ହିଂସାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି କରାଯିବା ଉଚିତ। ଯୋଜନା ବଦ୍ଧ ଭାବେ ସବୁ କିଛି କରାଯାଇଛି। ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯେଉଁ ପ୍ରଚେଷ୍ଟା ଚାଲିଛି, ତାହା କେବେ ହେଲେ ସଫଳ ହେବନି। ଆମେ ଯଦି ହିଂସାକାଣ୍ଡ ଘଟାଇଛୁ, ତା’ହେଲେ ମୁଁ ଏଠାରେ ଗୁଳି ଖାଇବାକୁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।

ପାଣି ବନ୍ଦ କଲା ପ୍ରଶାସନ ; ଚାଷୀଙ୍କ ଆନ୍ଦୋଳନ ହଟାଇବାକୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କୃଷି ଆଇନକୁ ତୁରନ୍ତ ହଟାଇ ରାସ୍ତା ଖାଲି କରିବାକୁ ଉତ୍ତର ପ୍ରଦେଶର ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୃଷି ଆଇନ ବିରୋଧରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମା ଗାଜିପୁରରେ ଶତାଧିକ ଚାଷୀ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ହେଲେ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ପରେ ସରକାର ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ଆଜି ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ ଡିଏମ ଓ ଏସ୍‌ପିଙ୍କୁ ଚାଷୀ ଆନ୍ଦୋଳନକୁ ତୁରନ୍ତ ହଟାଇ ରାସ୍ତା ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ପୁଲିସ୍‌ ପ୍ରଶାସନକୁ ଗାଜିପୁର ଆନ୍ଦୋଳନସ୍ଥଳକୁ ଖାଲି କରିବା ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ କ୍ୟାମ୍ପକୁ ପାଣି ଯୋଗାଣ ବନ୍ଦ କରି ଦିଆଯାଇଛି। ସେମାନେ ବ୍ୟବହାର କରୁଥିବା ଟଏଲେଟକୁ ମଧ୍ୟ ପ୍ରଶାସନ ଉଠାଇ ନେଇଛି। ଏହାକୁ ନେଇ ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସକାଳୁ ଗାଜିପୁର ସୀମାରେ ଉଭୟ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ପୁଲିସ୍‌ ପହଞ୍ଚିଥିଲେ। ସେମାନେ ରାସ୍ତା ଖାଲି କରିବାକୁ ଚାଷୀମାନଙ୍କୁ କହିଛନ୍ତି। ସେହିପରି ଚାଷୀ ନେତା ରାକେଶ ଟିକେତଙ୍କ ସମେତ ଅନ୍ୟ କିଛି ଚାଷୀଙ୍କ ସହ ପୁଲିସ ଆଲୋଚନା କରିଛି। ରାକେଶ ଟିକେତ ମଞ୍ଚ ଉପରକୁ କହିଛନ୍ତି, ପୁଲିସ୍‌ ଯଦି ଆମକୁ ଗିରଫ କରିବ, ତା’ହେଲେ ଆମେ ଶାନ୍ତିପୂର୍ଣ୍ଣ ଭାବେ ଏଥିରେ ସହଯୋଗ କରିବୁ। ତଥାପି ପୁଲିସ୍‌ ରାସ୍ତା ଖାଲି କରିବାକୁ ଚାଷୀମାନଙ୍କୁ କହିଛି। ଏଥିସହ ଏଠାକୁ ପାଣି ଯୋଗାଣ ବନ୍ଦ କରାଯିବା ସହ ପୁଲିସ୍‌ ଲାଗଇଥିବା ଅସ୍ଥାୟୀ ଟଏଲେଟ ଗୁଡ଼ିକୁ ମଧ୍ୟ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ ଆଜି ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ହିନ୍ଦୁ ସେନା ପକ୍ଷରୁ ଧମକ ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ସହ ମିଶି ଆଜି ହିନ୍ଦୁ ସେନା ପକ୍ଷରୁ ସିଙ୍ଘୁ ସୀମାରେ ବିକ୍ଷୋଭ କରାଯାଇଥିଲା। ଏହି ସମୟରେ ସେମାନେ ଚାଷୀମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ସିଙ୍ଘୁ ସୀମା ଖାଲି କରିବାକୁ ସମୟ ଦେଇଛନ୍ତି।