ଆଉ ଶସ୍ତାରେ ଖାଇ ପାରିବେନି ସାଂସଦ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆଉ ସାଂସଦଙ୍କୁ ଶସ୍ତାରେ ମିଳିବନି ଖାଦ୍ୟ। ଏଣକି ସଂସଦ କ୍ୟାଣ୍ଟିନରେ ଖାଇଲେ ଦେବାକୁ ପଡିବ ଅଧିକ ଟଙ୍କା ଆଗରୁ ଯା ଦେଉଥିଲେ ଏବେ ତା’ର ଦେଢ଼ ଗୁଣ ଟଙ୍କା ଦେବାକୁ ପଡିବ। ବର୍ଷ ବର୍ଷ ଧରି ସରକାର ଦେଉଥିବା ସବସିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଅର୍ଥାତ୍ ୨୯ରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସାଂସଦମାନେ ଏହି ସେସନରେ ବିନା ସବସିଡିରେ, ପୂର୍ବରୁ ଯେତିକି ଦେଉଥିଲେ ତାର ଦେଢ ଗୁଣା ଟଙ୍କା ଦେଇ ଲଞ୍ଚ କରିବେ। ବିଭିନ୍ନ ମହଲରୁ ଦାବି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୨୯ ତାରିଖରୁ ପାର୍ଲାମେଣ୍ଟ  ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜିଠୁ ନୂଆ ଦର ଲାଗୁ ହେବ।  ଆଗରୁ ସାଂସଦ ଓ ଅନ୍ୟ କର୍ମଚାରୀଙ୍କୁ ସବସିଡିରେ ଖାଇବା ମିଳଥିଲା। କିନ୍ତୁ ଦର ବଢାଇ ଏବେ ନୋ ପ୍ରଫିଟ, ନୋ ଲେସରେ କ୍ୟାଣ୍ଟିନ ଚଳାଇବାକୁ ନିଷ୍ପତ୍ତି ହୋଇଛି । ତେବେ ଦର ସହିତ ମେନୁକୁ ମଧ୍ୟ ବଢାଇ ଦିଆଯାଇଛି। ଆମିଷ ଓ ନିରାମିଷ ମିଶାଇ ଏବେ ମୋଟ ୫୮ ପ୍ରକାରର ଖାଦ୍ୟ ଉପଲବ୍ଧ ହେବ। ଯାହା ମଧ୍ୟରେ ରହିଛି ମଟନ୍ ବିରିୟାନି, ଚିକେନ୍ ବିରିୟାନି, ଭେଜ୍ ବିରିୟାନି, ମାଛ, ଚିପ୍ସ, ସାଲାଡ୍, ମସଲା ଉପମା, ଉଥପମ୍ ଇତ୍ୟାଦି। ପୂର୍ବରୁ ଚିକେନ୍ ବିରିୟାନି ଖାଇଲେ ଦେବାକୁ ପଡୁଥିଲା ୭୦ ଟଙ୍କା, ଏବେ ଏଥିରେ ୩୦ ଟଙ୍କା ବଢିଛି, ଅର୍ଥାତ୍ ଏବେ ଦେବାକୁ ପଡିବ ୧୦୦ ଟଙ୍କା। ମଟନ୍ ବିରିୟାନି ଯାହାର ଦାମ୍ ଥିଲା ୧୦୦ ଏବେ ଏହା ୧୫୦ ଟଙ୍କା ହୋଇଛି। ସେହିପରି ଭେଜ୍ ବିରିୟାନି ପାଇଁ ଦେବାକୁ ପଡିବ ୫୦ ଟଙ୍କା ଏବଂ ଏକ ନିରାମିଷ ଥାଳି ପାଇଁ ୧୦୦ ଟଙ୍କା ଦେବାକୁ ପଡିବ। ଗ୍ରୀନ୍ ସାଲାଡ୍ ପ୍ଲେଟ୍ ପୂର୍ବରୁ ୧୦ ଟଙ୍କା ଥିବା ବେଳେ ଏବେ ହୋଇଛି ୨୫ ଟଙ୍କା । ମାଛ ଓ ଚିପ୍ସ ପ୍ଲେଟର ଦାମ୍ ୧୧୦ ଟଙ୍କା ହୋଇଥିବା ବେଳେ ଗୋଟିଏ ଆଳୁ ଚପର ଦାମ୍ ୧୦ ଟଙ୍କା ହୋଇଛି। ସେପଟେ ସବସିଡି ହଟାଯିବା ପଦକ୍ଷେପକୁ ସାଂସଦମାନେ ସ୍ୱାଗତ କରିଛନ୍ତି। ସୂଚନା ଯୋଗ୍ୟ ଯେ,  ସଂସଦର  ପ୍ରତି ଅଧିବେଶନରେ ଜନ ପ୍ରତିନିଧି , ସରକାରୀ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ମିଶାଇ ପ୍ରାୟ ୪ ହଜାର ୫ଶହରୁ ଅଧିକ ଲୋକ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ଖାଇଥାନ୍ତି। 

ମାଟିର ପ୍ରତିଭାଙ୍କୁ ପଦ୍ମ, ସାରା ରାଜ୍ୟରୁ ଶୁଭେଚ୍ଛାର ସୁଅ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସାରା ଦେଶରେ ଆଜି ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଓଡ଼ିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ଏବଂ ଅନ୍ୟ ୫ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମବିଭୂଷଣ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଶାନ୍ତି ଦେବୀ(ସମାଜସେବା), ପୂର୍ଣ୍ଣମାସୀ ଜାନି(କଳା), ନନ୍ଦ ପୃଷ୍ଟି (ସାହିତ୍ୟ ଓ ଶିକ୍ଷା), ରଥଯାତ୍ରା ଉଦଘୋଷକ ତଥା ସଂସ୍କୃତି ବିଶେଷଜ୍ଞ ରଜତ କୁମାର କର(ସାହିତ୍ୟ ଓ ଶିକ୍ଷା) ଏବଂ ଡାକ୍ତର କୃଷ୍ଣମୋହନ ପାଠୀ(ମେଡିସିନ) ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଓଡ଼ିଆଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ପୂର୍ଣ୍ଣମାସୀ ଜାନୀ ଏକାଧାରାରେ ଜଣେ ସଂଗୀତଜ୍ଞ, ସନ୍ନ୍ୟାସ ଆଉ ସାହିତ୍ୟିକ। ୩ଟି କ୍ଷେତ୍ରକୁ ଏକତାର ସୂତ୍ରରେ ବାନ୍ଧି ଉପାନ୍ତରେ ବାଟ ଚାଲୁଥିବା କନ୍ଧମାଳ ଚାରିପଡ଼ାର ଆଶୁକବି ପୂର୍ଣ୍ଣମାସୀ ଜାନୀ ନିରକ୍ଷର ହେଲେ ବି ତୁଣ୍ଡେ ତୁଣ୍ଡେ କବିତା ବୋଲନ୍ତି। ଗୀତରେ ଗୀତରେ ବେସାହାରାଙ୍କୁ ସେ ରାହା ଦେଖାନ୍ତି, ସାମାଜିକ ସମସ୍ୟାର ସମାଧାନ କରନ୍ତି। ଇତିମଧ୍ୟରେ ସେ ଗାଇଛନ୍ତି ପ୍ରାୟ ୧୦ ହଜାର ଭଜନ ସହ ଜଣାଣ। ରୋଚକ କଥା ହେଉଛି, ତାଙ୍କ ମୁଖ ନିସୃତ ଭଜନ ଆଉ ଜଣାଣ କିମ୍ବା କବିତା କେହି କାହା ସହ ସମ୍ପର୍କ ରଖିନଥାନ୍ତି କିମ୍ବା କୌଣସି କବିତାର ପୁନରାବୃତ୍ତି ହୋଇନଥାଏ। ଜଣେ ମହିଳା ହେଇ ବି ନିଜ ଅଞ୍ଚଳରେ ଟାଡିସରୁ ବାବା ନାମରେ ପରିଚିତ ପୂର୍ଣ୍ଣମାସୀ। କାରଣ ୧୯୬୯ ମସିହାରେ ଟିକାବାଲି ନିକଟ ଚପଲମେଣ୍ଡି ଟାଡିସରୁ ପାହାଡ଼ର ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତି ହୋଇଥିଲେ। ସେହିପରି ସେବା ଲାଗି ଜୀବନବ୍ୟାପି ଉତ୍ସର୍ଗୀକୃତ ଆଉ ଜଣେ କିମ୍ବଦନ୍ତୀ ଓଡ଼ିଆ ତଥା ସ୍ୱଛ, ଶାନ୍ତ ଆଉ ସରଳଭାବର ବ୍ୟକ୍ତିତ୍ୱ ହେଉଛନ୍ତି ଶାନ୍ତି ଦେବୀ। ୧୯୩୪ ଏପ୍ରିଲ ୧୮ତାରିଖରେ ଏକ ଏକ ଜମିଦାର ପରିବାରରେ ଜନ୍ମିତ ଶାନ୍ତି ଦେବୀ ‘ସେବା ସମାଜ’ ନାଁରେ ଏକ ସଂସ୍ଥା ଗଠନ କରିବା ସହ ଗୁଣୁପୁରରେ ଏକ ଆଶ୍ରମ କରି ସେଠାରେ ଅନାଥ ଶିଶୁଙ୍କୁ ରହିବା ଓ ଶିକ୍ଷା ଯୋଗାଇ ଆସୁଛନ୍ତି। ପୂର୍ବରୁ ସେ କୋରାପୁଟରେ ଏକ ଛୋଟିଆ ଆଶ୍ରମ କରିଥିଲେ। ସମୟକ୍ରମେ ସେ ତାଙ୍କ ସ୍ୱାମୀ ଡାକ୍ତର ରତନ ଦାସଙ୍କ ସହ ଚାଲିଆସିଥିଲେ କୋରାପୁଟ ଜିଲ୍ଲାକୁ। ସେଠାରେ ଏକ ଆଶ୍ରମ କରି ଦୂରାରୋଗର ଶିକାର ବ୍ୟକ୍ତିଙ୍କ ସେବା ଶୁଶ୍ରୁଷା କରୁଥିଲେ। ବିନୋବା ଭାବେଙ୍କ ସହ ମିଶି ଭୂମିହୀନଙ୍କୁ ସହାୟତା କରୁଥିଲେ। ଆଦିବାସୀ ଝିଅଙ୍କ ପାଇଁ ରାୟଗଡ଼ାରେ ଆଶ୍ରମ ପ୍ରତିଷ୍ଠା କରି ନିଜ ପ୍ରଚେଷ୍ଟାରେ ଶିକ୍ଷା ଓ ସଂସ୍କାର ସହ ସମାଜରେ ପ୍ରତିଷ୍ଠା ଲାଗି ଉଦ୍ୟମ କରିଥିଲେ। ଅନାଥ ପିଲାଙ୍କ ପାଇଁ ବି ସେ ପାଲଟିଯାଇଥିଲେ ମା’। ଆଜି ସେହି ଉତ୍ସର୍ଗୀକୃତ ସେବାକୁ ମିଳିଛି ସମ୍ମାନ। ଅପରପକ୍ଷରେ ଯାଜପୁର ଜିଲ୍ଲା ସୁକିନ୍ଦା କନ୍ତିରା ଗାଁ ଚାଟଶାଳୀର ନନ୍ଦ ମାଷ୍ଟ୍ରେ ଓରଫ୍ ନନ୍ଦ କିଶୋର ପୃଷ୍ଟି। ବୟସରେ ଶତକ ମାରିସାରିଲେଣି। ୧୦୩ ବର୍ଷ ବୟସରେ ବି ପିଲାମାନଙ୍କୁ ଗଛମୂଳେ ପାଠ ପଢ଼ାଇବାକୁ ଭୁଲନ୍ତି ନାହିଁ। ତେବେ ବଡ଼ କଥା ହେଉଛି ନିଜର ଏହି ମହତ କାମ ବା ଶିକ୍ଷାଦାନ ପାଇଁ ସେ କେବେ ବି କାହାଠୁ ପାରିଶ୍ରମିକ ନେଇନାହାନ୍ତି। ତିନି ପିଢ଼ି ଧରି ପାଠ ପଢ଼ାଇ ଆସୁଥିବା ନନ୍ଦ ସାରଙ୍କ ଚାଟଶାଳୀକୁ ଏବେ ପୂରିଛି ୭୫ ବର୍ଷ। ଆଜି ବି ପୂର୍ବଭଳି ଗାଁ ଦାଣ୍ଡରେ ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀରେ ପ୍ରବଳ ଭିଡ଼ ଜମେ। ଯେଉଁଠି ଆଜି ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ।

ଜାଣନ୍ତୁ ଡାଇବେଟିସର କାରଣ ଓ ତାର ପ୍ରତିକାର ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –‘ଡାଇବେଟିସ’ ଯାହାକୁ ସାଧାରଣ ଭାବେ ମଧୁମେହ ରୋଗ ବି କୁହାଯାଇଥାଏ । ଡାଇବେଟିସ ବହୁତ ଘାତକ ହୋଇଥାଏ। ଡାଇବେଟିସ ମଣିଷ ଶରୀରର ସବୁ ଅଙ୍ଗକୁ ଧୀରେ ଧୀରେ ନଷ୍ଟ କରିବାର କ୍ଷମତା ଥାଏ । ଏହି ରୋଗରେ ରକ୍ତରେ ସୁଗାରର ମାତ୍ର ବଢିବାକୁ ଲାଗେ। ଫଳରେ ଶରୀରର ଅଙ୍ଗକୁ କାମ କରିବାରେ ଅସୁବିଧା ହୋଇଥାଏ । ଭାରତରେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ତେବେ ଏହି ରୋଗର କାରଣ କ’ଣ ଏବଂ ପ୍ରତିକାର କ’ଣ ରହିଛି ଆସନ୍ତୁ ଜାଣିବା ।

ଡାଇବେଟିସର ଲକ୍ଷଣ- ଡାଇବେଟିସ ହେଲେ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରା ଲାଗିଥାଏ। ଏଥିସହ ଅଧିକ ଭକୋ ଲାଗିବା, ଦୁର୍ବଳ ଲାଗିବା ଏବଂ ଦେହହାତ କୁଣ୍ଡେଇ ହେବା ଆଦି ଡାଇବେଟିସର ଲକ୍ଷଣ। ଯଦି ଏମିତି ଲକ୍ଷଣ ଆପଣଙ୍କର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେଇ ଡାଇବେଟିସ ଚେକ୍ କରିବା ଉଚିତ।ପ୍ରତିକାର- ଡାଇବେଟିସ ନ ହେବା ପାଇଁ ୪ଟି ମୁଖ ପ୍ରତିକାର ରହିଛି। ପ୍ରଥମିଟି ହେଲା ସଠିକ ଟାଇମ ବା ନିୟମତି ଅନୁସାରା ଖାଇବା ଉଚିତ। ଦ୍ୱିତୀୟଟି ବହୁ ପରିମାଣରେ ବାହାରର ଖାଦ୍ୟ ଯେପରିକି ଫାଷ୍ଟଫୁଡ, ଜଙ୍କଫୁଡ ଠାରୁ ଦୂରେଇ ରହିବା ଉଚିତ। ତୃତୀୟଟି ନିୟମିତ ଭାବ ଦିନକୁ ଅତିକମରେ ୩୦ ମିନିଟ୍ ଯାଏଁ ଚାଲିବା ଉଚିତ। ଚତୁର୍ଥଟି ହେଲା ମାନସିକ ଚିନ୍ତାଠାରୁ ଦୂରେଇ ରହିବା। ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟମ ଡାଇବେଟିସ ଠାରୁ ବ୍ୟକ୍ତିଙ୍କୁ ଦୂରେଇ ରଖିବାରେ ସହାୟକ ହେବ। ଯଦି ଜଣେ ବ୍ୟକ୍ତିଙ୍କୁ ହଠାତ ଡାଇବେଟିସ ହୋଇଛି ବୋଲି ଜଣାପଡେ ତେବେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଡାକ୍ତର ଚେକଅପ ପରେ ହିଁ ଖାଦ୍ୟ ଏବଂ ବ୍ୟାୟାମ କରିବା ଉଚିତ।

ଆଜିର ରାଶିଫଳ – ୨୭ ଜାନୁଆରୀ, ବୁଧବାର

ମେଷ: ପ୍ରଶାସନ, ପରିବହନ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟା କରିବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାରେ ସୁଯୋଗ ପାଇବେ। କର୍ମ କ୍ଷେତ୍ରରେ ବ୍ୟସ୍ତତା ହେତୁ ଠିକ୍‌ ସମୟରେ କାମ ଗୁଡିକ କରି ପାରିବେ ନାହିଁ।

ବୃଷ: ଆଜି ଦିନରେ ଯାହା କିଛି ପାଇବାରେ ଆଶା କରିବେ ତାହା ପୂରଣ ହେବ।  ପୂର୍ବରୁ କରିଥିବା ଋଣ ପରିଶୋଧ କରିବାରେ ସୁଯୋଗ ପାଇବେ । ବିଭିନ୍ନ ପ୍ରକାରର ଯୋଜନା କରିବା ପାଇଁ ଚେଷ୍ଟା କରିବେ।

ମିଥୁନ: କର୍ମସ୍ଥାନରେ ସହକର୍ମୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଉନ୍ନତି ଆସିବ । ଭାଗ୍ୟର ସହଯୋଗରେ ପୂର୍ବରୁ ଥିବା ସମସ୍ୟାରୁ ମୁକ୍ତି ପାଇବେ।

କର୍କଟ: କୌଣସି ଅସୁବିଧା ନହେଲେ ମଧ୍ୟ ଆଶା, ଆଶଙ୍କାରେ ମନ ଅସ୍ଥିର ରହିପାରେ। ପିଲାମାନଙ୍କର ଶିକ୍ଷା ଅନ୍ୟାନ୍ୟ କୃତିତ୍ୱ ସଫଳତାରେ ଆନନ୍ଦ ଅନୁଭବ କରିବେ । ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।

ସିଂହ: ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ମନରେ ଦୃଢତା ଆଣିବେ। ଉତ୍ସାହିତ ହୋଇ ନୂତନ କାର୍ଯ୍ୟ ଆରମ୍ଭ କରିବେ। ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ।

କନ୍ୟା: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କର୍ମ କ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବେ। ମହିଳାମାନେ ଉଚ୍ଚ ମନା ରହିବା ସହିତ ବନ୍ଧୁପ୍ରିୟ ହେବେ ।

ତୁଳା: ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ ମାର୍ଗରେ ଯାଇ ପାରନ୍ତି । ନୈରାଶ୍ୟଜନକ ସ୍ଥିତିରୁ ମାନସିକ କଷ୍ଟ ମିଳିପାରେ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ।

ବିଛା: ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କିଛି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଜମିଜମା ସମ୍ବନ୍ଧୀୟ ସମସ୍ୟା ବିବାଦୀୟ ରୂପ ନେଇପାରେ। କାର୍ଯ୍ୟ ଓ ଚିନ୍ତା ଧାରାରେ ସମନତା ରକ୍ଷା କରିପାରିବେ ନାହିଁ ।

ଧନୁ: ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କର ମତକୁ ଅଗ୍ରାଧିକାର ଦେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବା ସହିତ କର୍ମ କ୍ଷେତ୍ରରେ ସଫଳତା ପାଇବେ । ମହିଳାଙ୍କ ଦାମ୍ପତ୍ୟ ଜୀବନରେ ଖୁସି ରହିବ।

ମକର: ପରିଶ୍ରମର ଆଶାଜନକ ଫଳ ପାଇବେ । ପରିବାର ଭିତରେ ସୁଖ ଭୋଗ କରିବେ।  ଶାରୀରିକ ସୁସ୍ଥତା ଅନୁଭବ କରିବା ସହିତ ପ୍ରତ୍ୟେକ କାମକୁ ଠିକ ଭାବରେ କରିପାରିବେ।

କୁମ୍ଭ: ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପ୍ରତିଯୋଗିତାରେ ବିଜୟୀ ହେବା ସହିତ ରାଜନୀତି କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ।

ମୀନ: ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ।  ସ୍ୱାସ୍ଥ୍ୟକ୍ଷେତ୍ରରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ, ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।