ଆଇପିଏଲ୍ ନିଲାମରେ ସାମିଲ ହେବେ ୬ ଓଡ଼ିଆ କ୍ରିକେଟର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଏଥର ଆଇପିଏଲ୍ ନିଲାମରେ ସାମିଲ ହୋଇପାରନ୍ତି ଓଡ଼ିଶାର ୬ ଜଣ କ୍ରିକେଟର। ସେମାନେ ହେଲେ ଓଡ଼ିଶା ରଣଜୀ ଦଳର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି, ୱିକେଟକିପର ବ୍ୟାଟ୍ସମ୍ୟାନ୍ ରାଜେଶ ଧୁପର, ଯୁବ ପେସ୍ ବୋଲର ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତରଣୀ ସା। ଆଇପିଏଲ୍‌ର ନୂଆ ସିଜିନ୍ ପାଇଁ ହେବାକୁ ଥିବା ନିଲାମରେ ଓଡ଼ିଶାର ଏହି ୬ କ୍ରିକେଟରଙ୍କୁ ସାମିଲ କରିବା ପାଇଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ)। ଯଦି କେଉଁ ଦଳ ଏହି ଖେଳାଳି ମାନଙ୍କୁ କିଣେ, ତା’ହେଲେ ଆଇପିଏଲ୍‌ର ଆସନ୍ତା ସିଜନ୍‌ରେ ଓଡ଼ିଆ କ୍ରିକେଟରଙ୍କୁ ଦେଖିବାକୁ ମିଳିବ। ପୂର୍ବ ଆଇପିଏଲ୍ ଅକ୍ସନ୍ ଗୁଡ଼ିକରେ ବହୁ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଓଡ଼ିଶା ଦଳର ଷ୍ଟାର୍ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ୱିକେଟକିପର ହଳଧର ଦାସଙ୍କ ଭଳି ଖେଳାଳି ଆଇପିଏଲ୍ ଖେଳିବାର ସୁଯୋଗ ପାଇଛନ୍ତି। ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ଓ ଦଳଧର ଡେକାନ୍ ଚାର୍ଜର୍ସ ଟିମ୍ ପକ୍ଷରୁ ଖେଳଛନ୍ତି।

ସୀମାରେ ପୁଣି ସଂଘର୍ଷ;୨୦ ଚାଇନା ସେନା ଆହତ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପୁଣି ସୀମାରେ ଭାରତ ଓ ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ସିକିମର ନାକୁ ଲାରେ ଉଭୟ ଦେଶର ସେନା ହାତାହାତି ହୋଇଛନ୍ତି। ଏହି ଘଟଣା ତିନିଦିନ ଦଳର ବୋଲି କୁହାଯାଉଛି। ସିକିମର ନାକୁ ଲାରେ ଚାଇନା ସେନା ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଏହି ସମୟରେ ଭାରତୀୟ ସେନା ଏହାର ପ୍ରତିରୋଧ କରିଥିଲେ। ଯେଉଁକାରଣରୁ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ୨୦ରୁ ଅଧିକ ଚାଇନା ସେନା ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ଭାରତର ୪ଜଣ ସେନା ଆହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ଚାଇନାର ସେନାକୁ ସେଠାରୁ ତଡ଼ିବାରେ ସଫଳ ହୋଇଛନ୍ତି। ହେଲେ ଏବେବି ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତୀୟ ପ୍ରାନ୍ତର ସବୁ ପଏଣ୍ଟରେ ପାଗ ଖରାପ ରହିଥିଲେ ହେଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ମୋଲ୍ଡାରେ ୧୫ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହାକୁ ମିଶାଇ ଭାରତ ଓ ଚାଇନା ମଧ୍ୟରେ ଏପର୍ଯ୍ୟନ୍ତ ୯ଥର ଆଲୋଚନା ହୋଇଛି, କିନ୍ତୁ କୌଣସି ବାଟ ଫିଟିପାରି ନାହିଁ। ସୀମାରେ ଉତ୍ତେଜନା କମ୍ କରିବା ପାଇଁ ଉଭୟ ଦେଶରେ ରାଜନେତା ପରସ୍ପରକୁ ସାକ୍ଷାତ କରୁଛନ୍ତି ଏବଂ ଏହି ମାମଲା ଉପରେ ଲଗାତର ଆଲୋଚନା କରୁଛନ୍ତି।

ବଦଳିଲା ଲର୍ଣ୍ଣର ଓ ଡ୍ରାଇଭିଂ ଲାଇସେନ୍ସର ନିୟମ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବଦଳିଲା ଲର୍ଣ୍ଣର ଓ ଡ୍ରାଇଭିଂ ଲାଇସେନ୍ସ ନିୟମ। ସଡକ ପରିବହନ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ ଏବଂ ଆବେଦନକୁ ନେଇ କିଛିଟା ନୂଆ ନିୟମ ଲାଗୁ କରାଯାଇଛି। ନୂଆ ବର୍ଷରେ ନୂଆ ନିୟମ ସହ ଡ୍ରାଇଭଂ ଲାଇସେନ୍ସ ଆବେଦନ ଆହୁରି ସହଜ ହୋଇପଡିଛି। ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଏବଂ ରିନ୍ୟୁଆଲ ପାଇଁ ଆଉ ଆବେଦନକାରୀଙ୍କୁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ। ଘରେ ବସି କେବଳ ଅନଲାଇନରେ ଆବେଦନକାରୀ ନିଜର ସମସ୍ତ ଗାଡି ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ପାଇପାରିବେ। ସେହିପରି ଦେଶର ପ୍ରାୟ ସବୁ ରାଜ୍ୟରେ ପରିବହନ ବିଭଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସ୍ଲଟ ବୁକ୍ ହେବା କ୍ଷଣି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବାକୁ ପଡୁଛି। ଟଙ୍କା ଜମା କରିବା ପରେ ଡ୍ରାଇଭିଂ ଟେଷ୍ଟ ପାଇଁ ଗାଡି ଚାଲକଙ୍କ ସୁବିଧା ମୁତାବକ ତାରିଖ ଉପଲବ୍ଧ ହୋଇପାରୁଛି। 

କେଉଁ କେଉଁ ରାଜ୍ୟରେ ବଦଳିଛି ନିୟମ ?

ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ଭଳି ରାଜ୍ୟ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଗାଡି ପଞ୍ଜିକରଣ ପାଇଁ ଏହି ନୂଆ ନିୟମ ଲାଗୁ କରିଛନ୍ତି। ସେହିପରି ଅନ୍ୟ କିଛି ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେବଳ ଅନଲାଇନ ଆବେଦନକୁ ହିଁ ସ୍ୱୀକୃତି ମିଳିଛି। ବିହାର, ୟୁପି ଏବଂ ରାଜଧାନୀ ଦିଲ୍ଲୀ-ଏନସିଆରରେ ଏହି ସୁବିଧା ଆରମ୍ଭ ହୋଇଛି । ଦୁର୍ଘଟଣା ରୋକିବା ପାଇଁ ମଧ୍ୟପ୍ରଦେଶର ପ୍ରତିଟି ଜିଲ୍ଲରେ ଡ୍ରାଇଭିଂ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ବିହାରରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀ ପରୀକ୍ଷା ଦେବା ପରେ ଅନଲାଇନ ଜରିଆରେ ନିଜ ଲାଇସେନ୍ସ ପାଇ ପାରୁଛନ୍ତି।

କିଭଳି କରିବେ ଆବେଦନ ?

ଲାଇସେନ୍ସ ସମ୍ବନ୍ଧୀୟ ସେବାଗୁଡିକ ପାଇଁ ଆପଣଙ୍କୁ ପରିବହନ ବିଭାଗର ୱେବସାଇଟକୁ ଯାଇ ଡ୍ରାଇଭିଂ ଲାଇସେନ୍ସ ସେବା ଉପରେ କ୍ଲିକ୍ କରିବାକୁ ପଡିବ। ଫର୍ମ ପୂରଣ କରିବା ସମୟରେ DL ନମ୍ବର ସହିତ ଆପଣଙ୍କୁ ଅଧିକ ବ୍ୟକ୍ତିଗତ ସୂଚନା ଦେବାକୁ ପଡିବ। ଡ୍ରାଇଭିଂ ଲାଇସେନ୍ସ ସହିତ ଜଡିତ ଅଧିକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡ଼ିକୁ ୱେବସାଇଟରେ ଅପଲୋଡ୍ କରିବାକୁ ପଡିବ। ଆରଟିଓ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ବିବରଣୀ ଯାଞ୍ଚ କରିବା ପରେ, ଆପଣଙ୍କର ସମସ୍ତ କାଗଜପତ୍ର ଯାଞ୍ଚ ହେବ। ଏହା ପରେ ଆପଣଙ୍କ ଲାଇସେନ୍ସ ନବୀକରଣ ହେବ। କରୋନା ମହାମାରୀ ଯୁଗ ଡ୍ରାଇଭିଂ ଲାଇସେନ୍ସରେ ଅନେକ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଆବେଦନକାରୀଙ୍କୁ କେବଳ ଅନଲାଇନ୍ ପରୀକ୍ଷାରେ ଭାଗ ନେବାକୁ ଆରଟିଓ କାର୍ଯ୍ୟାଳୟକୁ ଯିବାକୁ ପଡିବ। ଏଥିରେ ୧୦ମିନିଟର ପରୀକ୍ଷାରେ ଟ୍ରାଫିକ ନିୟମ ବିଷୟରେ ୧୦ଟି ପ୍ରଶ୍ନ ପଚରାଯିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆପଣଙ୍କୁ ଅତି କମରେ ୬ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏହା ପରେ, ଆପଣ ନିଜେ ଘରେ ବସି ଲାଇସେନ୍ସକୁ ପ୍ରିଣ୍ଟ କରିପାରିବେ।

ପଛକୁ ହଟିବା ପାଇଁ ଚୀନକୁ ଭାରତ ର ଚରମ ବାଣୀ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଲଦାଖର ଏଲଏସିରେ ଦୀର୍ଘ ୯ ମାସ ହେବ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏଲଏସିରେ ଉଭୟ ଦେଶର ଯବନା ମୁହାଁମୁହିଁ ହୋଇଛନ୍ତି। ଏହାରି ଭିତରେ ପ୍ରାୟ ଦେଢ଼ ମାସ ପରେ ଉତ୍ତେଜନାକୁ କମ୍ କରିବା ଲାଗି ରବିବାର ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ବସିଥିଲା। ସୀମାରେ ଶାନ୍ତି ପାଇଁ ୯ମ ଥର ପାଇଁ ଆୟୋଜିତ ହୋଇଥିବା ଏହି ବୈଠକ ଗତକାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ  ଶେଷ ହୋଇଛି। ଦୁଇ ପକ୍ଷଙ୍କ ମଧ୍ୟରେ  ଦୀର୍ଘ୧୫ ଘଣ୍ଟା ଧରି ମାରାଥନ ବୈଠକ ପରେ ଭାରତ ଚୀନକୁ ଚରମ ବାଣୀ ଶୁଣାଇଛି। ସୀମରୁ ଚୀନ ସେନା ପଛକୁ ହଟିଲେ ଯାଇ ଶାନ୍ତି ସମ୍ଭବ ବୋଲି ଭାରତ  ରୋକଠୋକ କହିଛି। ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ନିମନ୍ତେ ରବିବାର ଦିନ ଭାରତ ପୁଣି ଥରେ ଚୀନ୍‌କୁ କହିଛି। ଏହି ବୈଠକ ପୂର୍ବ ଲଦାଖରେ ଚୀନର ମୋଲ୍ଡୋରେ ଆୟୋଜିତ ହୋଇଥିଲା।

ସୂତ୍ରାନୁସାରେ, ବୈଠକରେ ଭାରତ କହିଥିଲା ଯେ, ଉଭୟ ଦେଶ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ କରିବା ଉଚିତ । ଏକତରଫା ଭାବେ କୌଣସି ନିଷ୍ପତ୍ତି ନିଆଯାଇପାରିବ ନୁହେଁ । ଏପ୍ରିଲ ୨୦୨୦ ପୂର୍ବରୁ ଯେଉଁଭଳି ଏଲଏସିରେ ସ୍ଥିତି ଥିଲା ତାହା ଫେରି ଆସୁ ବୋଲି ଭାରତ ଜୋର୍ ଦେଇଛି । ତେବେ ଏହାପୂର୍ବରୁ ନଭେମ୍ବର ୬ ତାରିଖରେ ଉଭୟ ଦେଶ ମଧ୍ୟରେ  ଆଲୋଚନା କରିଥିଲେ । ସୀମା ବିବାଦକୁ ନେଇ ପୂର୍ବରୁ ୮ଥର ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇସାରିଲାଣି। ତଥାପି ଉତେଜନା ବାବଦରେ କୌଣସି ନିସ୍କର୍ସ ବାହାରି ପାରିନାହିଁ । ସୀମାରେ ଅକ୍ତିଆର କରିଥିବା କୌଣସି ସ୍ଥାନ ଛାଡ଼ିବାକୁ ଦୁଇ ପକ୍ଷ ରାଜି ହେଉନାହାନ୍ତି। ଏହି ବିବାଦ ଅଳ୍ପକେ ତୁଟିବା ଭଳି ଜଣାପଡୁନାହିଁ। କିନ୍ତୁ, ଏହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବାରୁ ସମାଧାନର ବାଟ ନବାହାରିବା ପର୍ଯ୍ୟନ୍ତ ଆଲୋଚନା ଚାଲୁ ରହିବ ବୋଲି ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀ କହିଛନ୍ତି।ସୂଚନାଯୋଗ୍ୟ, ଗତ ବର୍ଷ ମେ ୫ ତାରିଖରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ପ୍ରତିକୂଳ ପାଗ ସତ୍ତ୍ୱେ ଲଦାଖରେ ୫୦ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଯବାନମାନେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଉଭୟ ଦେଶ ପୂର୍ବ ଲଦାଖ ସୀମାରେ ନିଜ ନିଜର ସେନା ବଢ଼ାଇବା ସହ ଭାରି ହତିଆର ମୁତୟନ କରିଛନ୍ତି। ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ଆର୍ଟିଲେରୀ ଗନ୍, ଟ୍ୟାଙ୍କ୍ ମୁତୟନ କରିଛି ।

ଲିଟର ପିଛା ୧୦୦ ଟଙ୍କା;ସବୁ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଦର ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର। ବିଶେଷକରି ପେଟ୍ରୋଲ୍ ଦର ଏବେ ରେକର୍ଡ ଛୁଇଁଛି। ଏଭଳି ସ୍ଥିତିରେ ରବିବାର ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୮୯.୪୬ ଟଙ୍କାରେ ବିକ୍ରି ହେଉଛି। ତେବେ ଏଠାରେ ସାଧାରଣ ପେଟ୍ରୋଲ୍ ଦର ଲିଟରପିଛା ୯୭.୭୬ ଟଙ୍କାରେ ବିକ୍ରି ହେଉଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ରବିବାର ପୁଣିଥରେ ବ୍ରେକ୍ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ ରବିବାର ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବରୁ ଲଗାତର ଦୁଇଦିନ ଧରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ପିଛା ୫୦ ପଇସା ବୃଦ୍ଧି ହୋଇଥିଲା। ଦେଶର ଅନ୍ୟ ସହର ଗୁଡ଼ିକରେ ମଧ୍ୟ ପେଟ୍ରୋଲ ଦର ଆକାଶଛୁଆଁ ରହିଛି। ଇଣ୍ଡିଆନ୍ ଅଏଲର ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲର ଦର ଯଥାକ୍ରମେ ଲିଟର ପିଛା ୮୫.୭୦ ଟଙ୍କା, ୮୭.୧୧ ଟଙ୍କା, ୯୨.୨୮ ଟଙ୍କା ଓ ୮୮.୨୯ ଟଙ୍କା ରହିଛି। ସେହିପରି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ୍ ଦର ଲିଟର ପିଛା ଯଥାକ୍ରମେ ୭୫.୮୮ ଟଙ୍କା, ୭୯.୪୮ ଟଙ୍କା, ୮୨.୬୬ ଟଙ୍କା ଓ ୮୧.୧୪ ଟଙ୍କା ରହିଛି।

ପାକିସ୍ତାନ ଟାର୍ଗେଟରେ କୃଷକଙ୍କ ଟ୍ରାକ୍ଟର ରାଲି !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି କୃଷକଙ୍କ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସ୍ ଅନୁମତି ପ୍ରଦାନ କରିଛି। ଦିଲ୍ଲୀ ଭିତରେ ଶାନ୍ତିପୂର୍ଣ୍ଣ ଭାବେ ରାଲି ବାହାର କରିବାକୁ ଚାଷୀ ସଂଗଠନ ଓ ଦିଲ୍ଲୀ ପୁଲିସ୍ ମଧ୍ୟରେ ସହମତି ହୋଇଛି। ଧାରଣାରେ ବସିଥିବା ଚାଷୀ ତିନୋଟି ବର୍ଡରକୁ ତିନୋଟି ରୁଟ୍ ଭାବେ ବ୍ୟବହାର କରି ଦିଲ୍ଲୀର କିଛି ସୀମା ପର୍ଯ୍ୟନ୍ତ ଆସିବାକୁ ଅନୁମତି ମିଳିଛି। କିନ୍ତୁ ଏବେ ଏହି ରାଲି ଉପରେ ପାକିସ୍ତାନ ତା’ର ଖରାପ ନଜର ପକାଇଛି। ଦିଲ୍ଲୀ ପୁଲିସ୍ ପାକିସ୍ତାନର ଏହି ମନ୍ଦ ଉଦ୍ଦେଶ୍ୟର ବଡ଼ ଖୁଲାସା କରିଛି। ଦିଲ୍ଲୀ ପୁଲିସର ସ୍ପେଶାଲ କମିଶନର (ଇଣ୍ଟେଲିଜେନ୍ସ) ଦୀପେନ୍ଦ୍ର ପାଠକ କହିଛନ୍ତି, ପାକିସ୍ତାନ କୃଷକଙ୍କ ଟ୍ରାକ୍ଟର ରାଲିକୁ ଟାର୍ଗେଟ୍ କରିବାକୁ ଷଡ଼ଯନ୍ତ୍ର କରୁଛି। କୃଷକଙ୍କ ଟ୍ରାକ୍ଟର ରାଲିକୁ ଅଶାନ୍ତ କରିବା ପାଇଁ ପାକିସ୍ତାନରେ ତିଆରି କରାଯାଇଥିବା ୩୦୮ ଟୁଇଟର୍ ହ୍ୟାଣ୍ଡଲ୍ ମିଳିଛି, ଯାହା ଏହି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଦୀପେନ୍ଦ୍ର ପାଠକ ଆହୁରି କହିଛନ୍ତି, କୃଷକଙ୍କ ଟ୍ରାକ୍ଟର ରାଲିରେ ଅଶାନ୍ତ ସୃଷ୍ଟି କରିବା ପାଇଁ ଗୁଇନ୍ଦା ଓ ଆଉ କିଛି ଏଜେନ୍ସି ମାଧ୍ୟମରେ ଆମକୁ ଲଗାତର ଇନପୁଟ୍ ମିଳୁଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ପାକିସ୍ତାନ ୩୦୮ ଟୁଇଟର୍ ହ୍ୟାଣ୍ଡଲ୍ କରିଛି। ପାକିସ୍ତାନ ଦ୍ୱାରା ପରିଚାଳିତ ଏହି ୩୦୮ ଟୁଇଟର୍ ହ୍ୟାଣ୍ଡଲ୍ ସମ୍ବନ୍ଧରେ ଚାଷୀଙ୍କୁ ଅବଗତ କରାଯାଇଛି। ଦୀପେନ୍ଦ୍ର ପାଠକ କହିଛନ୍ତି, ପୁଲିସ୍ ଟ୍ରାକ୍ଟର ରାଲିର ଗତିବିଧିକୁ ସଠିକ୍ ଭାବେ ଗାଇଡ୍ କରିବ। ଆମ ପାଇଁ ଏହି ରାଲି ବଡ଼ ଚ୍ୟାଲେଞ୍ଜ ହେବ। ମେଡିକାଲ୍ ଜନିତ କିମ୍ବା କୌଣସି ଦୁର୍ଘଟଣା ଘଟିଲେ, ଏହାର ମୁକାବିଲା ପାଇଁ ପୂରା ବ୍ୟବସ୍ଥା କରାଯାଇଛି। ଦୁଇମାସ ଧରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି। କୃଷକ ସଂଠଗନ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି କରିବାକୁ ଚାହୁଁଛନ୍ତି। ଆମେ ସେମାନଙ୍କ ସହ ୫-୬ ଥର ଆଲୋଚନା କରିଛି। ଆମେ ସେମାନଙ୍କ ସହ ପ୍ରତିଟି ପଏଣ୍ଟ ଉପରେ କଥା ହୋଇଛୁ। ଏହି ରାଲିରେ ଯେପରି ସୁରକ୍ଷା ବ୍ୟବସ୍ଥା ସୁଚାରୁରୂପେ ପ୍ରତିପାଦନ ହେବ, ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ। କୃଷକ ସଂଗଠନ ରାଜଧାନୀର ଆଉଟର୍ ରିଙ୍ଗ ରୋଡରେ ରାଲି ବାହାର କରିବା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦିଲ୍ଲୀ ପୁଲିସ୍ ସୁରକ୍ଷା କାରଣରୁ ଏହି ରାସ୍ତାରେ ଟ୍ରାକ୍ଟର ପରେଡ୍ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ଟ୍ରାକ୍ଟର ରାଲି ୩ଟି ରୁଟରେ ହେବ। ୩ଟି ରୁଟ୍ ମଧ୍ୟରୁ ସିନ୍ଧୁ ବର୍ଡରରୁ ୬୨ କିଲୋମିଟର, ଟିକରୀ ବର୍ଡରରୁ ୬୩ରୁ ୬୪ କିଲୋମିଟର ଏବଂ ଗାଜିପୁର ବର୍ଡରରୁ ୪୬ କିଲୋମିଟର ହେବ।

ସୋରିଷ ତେଲ କେତେ ଭଲ ଜାଣନ୍ତୁ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଶେଷକରି ଭାରତୀୟ ବ୍ୟଞ୍ଜନରେ ସୋରିଷ ତେଲକୁ ବ୍ୟବହାର କରାଯାଇଥାଏ। ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଅନେକଙ୍କ ଘରେ ଏହି ତେଲ ବ୍ୟବହାର ହୁଏ। ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ୟ ।  ବିକଳ୍ପ ଚିକିତ୍ସା ପାଇଁ କିଛି ଲୋକେ ସୋରିଷ ତେଲକୁ ମଧ୍ୟ ବ୍ୟବହାର କରନ୍ତି। ଏହି ତେଲ ପାଚନ ତନ୍ତ୍ର, ଶ୍ୱାସ ପ୍ରଣାଳୀ ଓ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ମୋନୋସାଟୁରେଟେଡ୍ ଫ୍ୟାଟି ଏସିଡ୍ ରହିଛି ଯାହା ହୃଦ ରୋଗର ସମ୍ଭାବନା କମ କରିଥାଏ। ତେବେ ସୋରିଷ ତେଲର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ତେବେ ଆମ ଶରୀର ପାଇଁ ସୋରିଷ ତେଲ କେତେ ଭଲ ଓ କେତେ ଖରାପ ଆସନ୍ତୁ ଜାଣିବା।

  • -ହୃଦ ସମ୍ବନ୍ଧୀୟ ସମସ୍ୟା ବଢାଇବା ସହ ଏହା ଫୁସଫୁସ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ପ୍ରାରମ୍ଭିକ ଚରଣରେ ଏହା ଶ୍ୱାସ ତନ୍ତ୍ରକୁ ପ୍ରଭଵିତ କରିଥାଏ ଯେଉଁଥିପାଇଁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଅଧିକ ସମୟ ଧରି ସୋରିଷ ତେଲ ସେବନ କଲେ ଫୁସଫୁସ କ୍ୟାନସର ହେବା ସମ୍ଭାବନା ରହିଛି।
  • -ସୋରିଷ ତେଲରେ ଆଉ ଏକ ହାନିକାରକ ରାସାୟନିକ ପଦାର୍ଥ ରହିଛି ଯାହାକୁ ଏଲିଲ୍ ଆଇସୋଥିଓସିଆନେଟ୍ କୁହାଯାଏ। ଏହା ଫୁସଫୁସ, ପାକସ୍ଥଳୀ, ଅନ୍ତନଳୀ ଇତ୍ୟାଦିରେ କ୍ଷତ ସୃଷ୍ଟି କରିପାରେ।
  • – ସୋରିଷ ତେଲ ତ୍ୱଚାକୁ ମଧ୍ୟ ପ୍ରଭାବିତ କରିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଏହା ତ୍ୱଚାର କାର୍ଯ୍ୟକୁ ପ୍ରତିରୋଧ କରିଥାଏ। ଯାହାଦ୍ୱାରା ଏପିଡର୍ମାଲ୍ କେରାଟିନୋସାଇଟ୍ ଗଠନରେ ବାଧା ସୃଷ୍ଟି ହୋଇଥାଏ।
  • – ସୋରିଷ ତେଲରୁ ତ୍ୱଚାରେ ଆଳର୍ଜି ଭଳି ସମସ୍ୟା ମଧ୍ୟ ଦେଖାଦିଏ । ମୁଖ୍ୟତଃ ଇମ୍ୟୁନୋଗ୍ଲୋବୁଲିନ୍ ଇ କିମ୍ବା ଆଇଜିଆଇ ମଧ୍ୟସ୍ଥତା ଭଳି ଆଲର୍ଜି ସୃଷ୍ଟି କରିଥାଏ।  ଫଳରେ କୁଣ୍ଡେଇ ହେବା, ତ୍ୱଚା ନାଲି ପଡିଯିବା, ତ୍ୱଚା ଶୁଷ୍କ ହୋଇଯିବା ଭଳି ସମସ୍ୟା ଦେଖାଦେଇଥାଏ।
  • – ଅତ୍ୟଧିକ ସୋରିଷ ତେଲ ଖାଇବା ଦ୍ୱାରା ରାଇନାଇଟିସ୍ ହେବା ସମ୍ଭାବନା। ଶ୍ୱାସ ନଳୀରେ ଥିବା କୋଷଗୁଡିକରେ ଛିଦ୍ର ସୃଷ୍ଟି ହୋଇଥାଏ। ଫଳରେ କାଶ, ଛିଙ୍କ, ନାକ ବୋହିବା ଭଳି ସମସ୍ୟା ଦେଖାଥାଏ।
  • – ଗର୍ଭବତୀ ମହିଳା ସୋରିଷ ତେଲ ସେବନ କରିବା ଉଚିତ ନୁହେଁ। କାରଣ ଏଥିରେ ଥିବା କିଛି ରାସାୟନିକ ପଦାର୍ଥ ଭୃଣ ସହ ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ରସାୟନ ଯୋଗୁଁ ଗର୍ଭପାତର ସମ୍ଭାବନା ମଧ୍ୟ ରହିଥାଏ।
ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ତେବେ ସାବଧାନ… ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-ଶୀତ ଦିନ ଆସିବା ମାତ୍ରେ ଆମ ଶରୀରର ମିଜାଜ ବଦଳିଯାଏ। ଏହି ସମୟରେ ଥଣ୍ଡା, ଜ୍ୱର ବା ଇନ୍‌ଫେକସନ୍‌ ହେବା ନେଇ ଅଧିକ ଆଶଙ୍କା ରହିଥାଏ । ଏଥିପାଇଁ  ଶୀତ ଦିନେ ଲୋକେ ଗରମ ଗରମ ଖାଦ୍ୟ ଖାଇବା, ଗରମ ପୋଷାକ ପିନ୍ଧିବା, ଗରମ କଫି କିମ୍ବା ଚା’ ପିଇବା ସହ ଗରମ ପାଣିରେ ଗାଧୋଇବା ପାଇଁ ଭଲ ପା’ନ୍ତି। ତେବେ ଏସବୁ ଆମ ଶରୀର ପାଇଁ କେତେ ଭଲ ଏବଂ କେତେ କ୍ଷତିକାର ହୋଇପାରେ ଜାଣିଛନ୍ତି କି । ଆସନ୍ତୁ ସେ ଉପରେ ନଜର ପକାଇବା। 

  • – ଶୀତ ଦିନେ ଅଧିକ ସମୟ ଯାଏଁ ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ଏହା ଆମ ଶରୀର ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଗରମ ପାଣି ଆମ ତ୍ୱଚାରେ ଥିବା କେରାଟିନ ନାମକ ସେଲ୍ସକୁ ନଷ୍ଟ କରିଦିଏ। ଏହା ଦ୍ୱାରା ତ୍ୱଚାରେ କୁଣ୍ଡେଇ ହେବା, ଶୁଷ୍କ ହୋଇଯିବା ତଥା ଲାଲ ପଡିଯିବା ଭଳି ସମସ୍ୟା ଦେଖାଦେଇଥାଏ ବିଶେଷଜ୍ଞମାନେ ମତ ଦିଅନ୍ତି।
  • – ଶୀତ ଦିନେ ନିଜକୁ ଗରମ ରଖିବା ଭଲ କଥା, କିନ୍ତୁ ଗରମ ରଖିବା ଚକ୍କରରେ ଅଧିକ ପୋଷାକ ପିନ୍ଧିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀର ଓଭର ହିଟିଂର ଶିକାର ହୋଇପାରେ। ଅଧିକ ଗରମ ହେବା ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କାମ କରିବା ବନ୍ଦ କରିଦିଏ।
  • – ଶୀତ ଦିନେ ସାଧାରଣତଃ ଅଧିକ ଭୋକ ହୁଏ। ଏଭଳି ସ୍ଥିତିରେ ଲୋକ ନିଜ ସ୍ୱାସ୍ଥ୍ୟ ଚିନ୍ତା ନକରି ଅଧିକ ଖାଦ୍ୟ ଖାଇଥା’ନ୍ତି। ଫାଷ୍ଟଫୁଡ ଖାଦ୍ୟ ପ୍ରତି ମନ ବଳାଇଥାନ୍ତି। ଫଳରେ ଓଜନ ବଢ଼ିବା ସହ ଶରୀରରେ ଅନେକ ରୋଗ ସମସ୍ୟା ମଧ୍ୟ ବଢ଼ିଥାଏ। ତେଣୁ ଶୀତଦିନେ ଭୋକ ହେଲେ ଫଳ କିମ୍ବା ହାଇ ଫାଇଭର ଯୁକ୍ତ ପରିବା ଖାଇବା ଉଚିତ।
  • – ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଲୋକେ ଚା’ କିମ୍ବା କଫି ପିଇବା ପାଇଁ ପସନ୍ଦ କରନ୍ତି। କନ୍ତୁ ଏଥିରେ ଥିବା କେଫିନ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ତେଣୁ ଶୀତଦିନେ ଅତି ବେଶୀରେ ଦିନରେ ୨ କିମ୍ବା ୩ କପ୍‌ରୁ ଅଧିକ ଚା’ କିମ୍ବା କଫି ପିଇବା ଉଚିତ ନୁହେଁ।
  • – ଶୀତ ଦିନେ କମ୍‌ ଶୋଷ ହୁଏ, ଫଳରେ ଲୋକେ କମ୍‌ ପାଣି ପିଅନ୍ତି। ପାଣି ନ ପିଇବା ଯୋଗୁଁ ଶରୀରରେ ଡିହାଇଡ୍ରେସନ ସମସ୍ୟା ଦେଖାଦିଏ। ଏହାଦ୍ୱାରା କିଡ୍‌ନୀ ଜନିତ ସମସ୍ୟା ଏବଂ ହଜମ ଶକ୍ତି କମିବାକୁ ଲାଗେ। ପେଟ ଜନିତ ସମସ୍ୟା ଦେଖାଦିଏ। ତେଣୁ ଶୀତଦିନେ ଅଧିକରୁ ଅଧିକ ପାଣି ପିଇବା ଉଚିତ।
ମାଲକାନଗିରିରେ ତେଲ ଦର ୯୧ କୁ ଟପିଲା ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପୁଣି ବଢ଼ିଲା ତେଲ ଦର। ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ସର୍ବକାଳୀନ ରକର୍ଡ କରିଛି। ଆକାଶ ଛୁଆଁ ହୋଇଛି ପେଟ୍ରୋଲ ଓ ଡିଜେଲ ଦର। ଗତ କିଛି ହେବ ଲଗାତର ତୈଳ ଦର ବୃଦ୍ଧି ଚାଲିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି। ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ପାର ହୋଇଛି। ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୪୨ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପ୍ରତି ଦର ୮୭ ଟଙ୍କା ୫୬ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୬ ଟଙ୍କା ୩୬ ପଇସା ଓ ଡିଜେଲ ୮୨ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି। ରାଉରକେଲାରେ ପେଟ୍ରୋଲ ୮୭ ଟଙ୍କା ୩୮ ପଇସା ଏବଂ ଡିଜେଲ ୮୩ ଟଙ୍କା ୬୫ ପଇସା ହୋଇଛି।  ଏପଟେ ତେଲ ଦରର ଏଭଳି ବୃଦ୍ଧି ଦେଖି ଗ୍ରାହକ ଛାନିଆ ହୋଇଯାଇଛନ୍ତି । ଅନ୍ୟପଟେ ରବିବାର ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୮୯.୪୬ ଟଙ୍କାରେ ବିକ୍ରି ହେଉଛି। ତେବେ ଏଠାରେ ସାଧାରଣ ପେଟ୍ରୋଲ୍ ଦର ଲିଟରପିଛା ୯୭.୭୬ ଟଙ୍କାରେ ବିକ୍ରି ହେଉଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ରବିବାର ପୁଣିଥରେ ବ୍ରେକ୍ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ ରବିବାର ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବରୁ ଲଗାତର ଦୁଇଦିନ ଧରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ପିଛା ୫୦ ପଇସା ବୃଦ୍ଧି ହୋଇଥିଲା। ଦେଶର ଅନ୍ୟ ସହର ଗୁଡ଼ିକରେ ମଧ୍ୟ ପେଟ୍ରୋଲ ଦର ଆକାଶଛୁଆଁ ରହିଛି। ଇଣ୍ଡିଆନ୍ ଅଏଲର ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲର ଦର ଯଥାକ୍ରମେ ଲିଟର ପିଛା ୮୫.୭୦ ଟଙ୍କା, ୮୭.୧୧ ଟଙ୍କା, ୯୨.୨୮ ଟଙ୍କା ଓ ୮୮.୨୯ ଟଙ୍କା ରହିଛି। ସେହିପରି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ୍ ଦର ଲିଟର ପିଛା ଯଥାକ୍ରମେ ୭୫.୮୮ ଟଙ୍କା, ୭୯.୪୮ ଟଙ୍କା, ୮୨.୬୬ ଟଙ୍କା ଓ ୮୧.୧୪ ଟଙ୍କା ରହିଛି।

ଆଜିଠୁ ଶ୍ରୀମନ୍ଦିରରେ ସହଜ ଦର୍ଶନ;ହଟିଲା ବାରିକେଡ୍ ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ହଟିଲା ବାଧା, ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସହଜ ଦର୍ଶନ। ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଦର୍ଶନାର୍ଥୀ। ସେପଟେ ଆଜିଠୁ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସହଜ ହେବ। ଅର୍ଥାତ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଆଉ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଶ୍ରୀମନ୍ଦିର ଆଗରେ ଲାଗିଥିବା ଲମ୍ବା ବାରିକେଡ୍ ହଟାଇଛି ପ୍ରଶାସନ। ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ୍ ଯାଏ ବ୍ୟାରିକେଡ୍ ହଟା ଯାଉଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି କନଓ୍ବର ବିଶାଲ ସିଂହ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ଲମ୍ବା ବ୍ୟାରିକେଡ୍ ଖୋଲାଯାଇଛି । ଦର୍ଶନ ବେଳେ ଏହି ବାରିକେଡ୍ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଥିବା ପ୍ରଶାସନ ନଜରକୁ ଆସିଥିଲା । ଅନ୍ୟପଟେ ଗତକାଲି ରବିବାରରେ ମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ୍ କରାଯାଇଛି। ଗତ ୨୧ ତାରିଖରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକତା ନଥିବାରୁ ଅଧିକ ସଂଖ୍ୟକ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । କରୋନା ଯୋଗୁ ୧୦ ମାସ ବନ୍ଦ ରହିବା ପରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। ଜାନୁଆରୀ ୨୧ ତାରିଖରୁ ଲୋକେ ବିନା କୋଭିଡ୍ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ପ୍ରୋଟୋକଲ୍ ମାନି ମାର୍କେଟ୍‌ ଛକରୁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି। ଦର୍ଶନ ପରେ ସେମାନେ ଉତ୍ତର ଦ୍ୱାର ଦେଇ ବାହାରୁଛନ୍ତି। ଭକ୍ତ ମାନଙ୍କୁ ହାତ ସାନିଟାଇଜ୍ କରି ମନ୍ଦିରକୁ ପ୍ରବେଶ କରିବାକୁ କୁହାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା, ଦେବାଦେବୀଙ୍କୁ ସ୍ପର୍ଶ ନକରିବା, ପାନ ଓ ଗୁଟଖା ଛେପ ନପକାଇବାକୁ କୁହାଯାଇଛି। ତା’ସହିତ ଶ୍ରୀମନ୍ଦିର ଭିତରେ କିମ୍ବା ବାହାରେ ମହାପ୍ରସାଦ ସେବନ ନକରିବା ଭଳି ସମସ୍ତ ଏସଓପି ପାଳନ କରିବାକୁ କୁହାଯାଇଛି। ଥର୍ମାଲ୍ ସ୍କ୍ରିନିଂ ବେଳେ ଶରୀରର ତାପମାତ୍ର ୧୦୦ ଉପରକୁ ରହିଲେ ଭକ୍ତଙ୍କୁ ମନ୍ଦିର ଭିତରକୁ ନଛାଡ଼ିବାକୁ ବ୍ୟବସ୍ଥା ହୋଇଛି। ସେହିପରି କରୋନାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସାନିଟାଇଜ୍ କରିବା ପାଇଁ ପ୍ରତି ରବିବାର ଶ୍ରୀଜିଉଙ୍କ ଦର୍ଶନକୁ ବନ୍ଦ ରଖାଯାଇଛି।