ଏଥର ଅନଲାଇନରେ ପ୍ରଶ୍ନ ପଚାରିବେ ବିଧାୟକ ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଆସନ୍ତାମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ୍ ଅଧିବେଶନକୁ ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ହେବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ବିଧାନସଭା ବଜେଟ୍ ଅଧିବେଶନରେ ଅନଲାଇନ୍ ପ୍ରଶ୍ନୋତ୍ତର ହେବ। ଅନଲାଇନରେ ସମସ୍ତ ବିଧାୟକ ପ୍ରଶ୍ନ ପଚାରିବେ। ବିଧାୟକମାନେ ପଚାରିଥିବା ପ୍ରଶ୍ନର ଉତ୍ତର ସେମାନଙ୍କୁ ସେମାନଙ୍କ ମୋବାଇଲ ସ୍ମାର୍ଟଫୋନ୍ ମାଧ୍ୟମରେ ପ୍ରଦାନ କରାଯିବ। ନାଭା ଆପ୍ ଜରିଆରେ ବିଧାୟକମାନେ ସବୁ ତଥ୍ୟ ପାଇପାରିବେ। ବିଧାନସଭାକୁ ପେପରଲେସ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି। ବିଧାନସଭାର ବଜେଟ୍ ଅଧିବେଶନ ଫେବୃୟାରୀ ୨୩ରୁ ଆରମ୍ଭ ହେବାର ସମ୍ଭାବନା ରହିଛ।

ରେଳ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ଦାବି କଲା କଂଗ୍ରେସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ରେଳ ପ୍ରକଳ୍ପ ପାଇଁ ୧୦ହଜାର କୋଟି ଟଙ୍କାର ଅନୁଦାନ ଦେବାକୁ କଂଗ୍ରେସ ଦାବି କରିଛି। ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ସଂସଦରେ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡ଼ିଶା ବିଧାନସଭା କମିଟି ଫେବୃଆରୀ ୧୨ ରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଦାବି ରଖିଥିଲେ। ଆଗାମୀ କେନ୍ଦ୍ର ବଜେଟ୍ ୨୦୨୧-୨୨ ସଂସଦରେ ଫେବୃଆରୀ ପହିଲାରେ ଉପସ୍ଥାପନ ପାଇଁ ଧାର୍ଯ୍ୟ ହୋଇଛି। କଂଗ୍ରେସ ଦଳର ଆଶଙ୍କା ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟର ଦାବି ସଠିକ୍ ଭାବେ ଉପସ୍ଥାପିତ ହୋଇ ନପାରିଲେ ଓଡ଼ିଶାବାସୀଙ୍କୁ କ୍ଷତି ସହିବାକୁ ପଡିବ। ଏଣୁ ବଜେଟ୍ ଉପସ୍ଥାପନ ପରେ ରାଜ୍ୟ ସରକାର ଦାବି କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅପେକ୍ଷା ବଜେଟ୍ ପୂର୍ବରୁ ସରକାର ରାଜ୍ୟକୁ କିଭଳି ଅଧିକରୁ ଅଧିକ ଅନୁଦାନ ମିଳିବ ସେଥିପ୍ରତି କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଉଚିତ୍ । ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦିଲ୍ଲୀ ଦରବାରରେ ଓଡ଼ିଶାର ନ୍ୟାଯ୍ୟ ସ୍ୱାର୍ଥ ଉପସ୍ଥାପନ ଲାଗି ଉଭୟ ବିଜେଡି – ବିଜେପିକୁ କଂଗ୍ରେସ ଆହ୍ୱାନ କରିଛି। ଓଡ଼ିଶାରୁ ପ୍ରତିବର୍ଷ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ରେଳବାଇ ପାଉଥିବାବେଳେ ରାଜ୍ୟର ରେଳ ବିକାଶ ଲାଗି ଆଗାମୀ ବଜେଟ୍‌ରେ ଅତି କମ୍‌ରେ ୧୦ ହଜାର କୋଟି ଟଙ୍କା ବଜେଟ୍ ଅନୁଦାନ ଘୋଷଣା କରିବାକୁ କଂଗ୍ରେସ ଦାବି କରୁଛି। ଏହାସହିତ ଓଡ଼ିଶା ବିଧାନସଭା କମିଟି ତୁରନ୍ତ ବଜେଟ୍ ପୂର୍ବରୁ ରେଳମନ୍ତ୍ରୀଙ୍କ ନିକଟରେ ରେଳ ଅନୁଦାନ ପ୍ରସଙ୍ଗରେ ଦାବି ଉପସ୍ଥାପନ କରନ୍ତୁ। ଓଡ଼ିଶା ସରକାର ବିଧିବଦ୍ଧ ଭାବେ ରେଳ କ୍ଷେତ୍ରରେ ଅଧିକ ଅନୁଦାନ ପାଇଁ କେନ୍ଦ୍ରକୁ ଅନୁରୋଧ କରନ୍ତୁ। ରାଜ୍ୟ ପରିବହନ ମନ୍ତ୍ରୀ ଏହି ପ୍ରସଙ୍ଗରେ ଦିଲ୍ଲୀ ଯାଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରନ୍ତୁ। ରେଳ କ୍ଷେତ୍ରରେ ବିକାଶ ପାଇଁ ବଜେଟ୍ ପୂର୍ବରୁ ଓଡ଼ିଶାର ସମସ୍ତ ସାଂସଦ ଏକାଠି ହୋଇ ରେଳମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଦାବି ଉପସ୍ଥାପନ କରନ୍ତୁ। ବଜେଟ୍‌ରେ ଓଡ଼ିଶାର ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବ ସମେତ ଅନ୍ୟାନ୍ୟ ପ୍ରକଳ୍ପ ନିମନ୍ତେ ଅର୍ଥବରାଦ କରାଯାଉ ବୋଲି କଂଗ୍ରେସ ଦାବି କରୁଛି।

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସି-ସୋର ଚିଟଫଣ୍ଡ ଦୁର୍ନୀତିର ଅଭିଯୁକ୍ତ ସରୋଜ କୁମାର ସାହୁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ସଚିବ ତଥା ଅବସରପ୍ରାପ୍ତ ପ୍ରଶାସକ ଡଃ ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶବ୍ଦ’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନ ପାଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ଓ ଜୀବନର ବୈଚିତ୍ର‌୍ୟ ଉପରେ ଏହି ସବୁ କବିତା ଆଧାରିତ ବୋଲି ଜଣାପଡ଼ିଛି। ସେହିପରି ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଏକାଧିକାର ଜେରାର ସମ୍ମୁଖୀନ ହୋଇଥିବା ସରୋଜ କୁମାର ସାହୁଙ୍କ ରଚିତ ଗଳ୍ପଗୁଚ୍ଛ ‘ସୂର୍ଯ୍ୟାସ୍ତ ପୂର୍ବରୁ’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏଥିରେ ୩୦ଟି ଗଳ୍ପ ସ୍ଥାନିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଭୟ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକ ଦୁଇଟି ପାଠକୀୟ ଆଦର ଲାଭ କରିବ ବୋଲି ଆଶା କରିଛନ୍ତି। ତେବେ, କୋଟିକୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତିରେ ଅଭିଯୁକ୍ତ ଥିବା ଶ୍ରୀ ସାହୁ ଏବେବି ସିବିଆଇ ସ୍କାନରରେ ରହିଥିବାବେଳେ ମୁଖ୍ୟମନ୍ତ୍ରୀ କିଭଳି ତାଙ୍କର ପୁସ୍ତକକୁ ଉନ୍ମୋଚନ କଲେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। 

ନେତାଜୀ ଜୟନ୍ତୀରୁ ଖୋଲିବ ବିଜେଡିର ‘ଜୀବନବିନ୍ଦୁ’ ହେଲ୍‌ପ ଡେସ୍କ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଆସନ୍ତାକାଲି ନେତାଜୀ ଜୟନ୍ତୀରୁ ବିଜେଡିର ଜୀବନବିନ୍ଦୁ ରକ୍ତଦାନ ସଂଗ୍ରହର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏହା ଏପ୍ରିଲ ୧୭ତାରିଖ ବିଜୁବାବୁ ଶ୍ରାଦ୍ଧ ଦିବସ ପର୍ଯ୍ୟନ୍ତ ଚାଲିବ। ଦଳ ପକ୍ଷରୁ ଏହି ଅବଧିରେ ୩୩ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ରାଜ୍ୟର ପ୍ରମୁଖ ହସ୍ପିଟାଲଠାରେ ଆସନ୍ତାକାଲିଠୁ ହେଲପ୍ ଡେସ୍କ ସ୍ଥାପନ ଖୋଲିବାକୁ ମଧ୍ୟ ‘ଓଡ଼ିଶା -ମୋ ପରିବାର’ ନିଷ୍ପତ୍ତି ହୋଇଛି। ବର୍ଷକ ମଧ୍ୟରେ ୧ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବାବେଳେ ନେତାଜୀ ଜୟନ୍ତୀରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟରେ ୩୩ହଜାର ରକ୍ତ ୟୁନିଟ୍ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରାଜ୍ୟର ପ୍ରମୁଖ ହସ୍ପିଟାଲଗୁଡ଼ିକରେ ରୋଗୀମାନଙ୍କୁ ସହାୟତା ନିମନ୍ତେ ହେଲପ୍ ଡେସ୍କ ମଧ୍ୟ ଖୋଲିବାକୁ ମୋ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆସନ୍ତାକାଲିଠୁ ହେଲପଡେସ୍କ କାର୍ଯ୍ୟକ୍ଷମ ହେବ। ବିଜେଡିର ‘ମୋ ପରିବାର’ କାର୍ଯ୍ୟକ୍ରମର ଆବାହକ ଅରୂପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ଅନ୍ୟମାନଙ୍କ ଉପସ୍ଥିତିରେ ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ରୂପରେଖ ପ୍ରସ୍ତୁତ ହୋଇଛି। କୋଭିଡ୍ ପରିସ୍ଥିତି ସମୟରେ ରକ୍ତ ଚାହିଦାକୁ ପୂରଣ କରିବା ନିମନ୍ତେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ବିଜେଡିର ବିଧାୟକ,ସାଂସଦ ଓ ନେତାମାନଙ୍କ ସହଯୋଗରେ ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ତେବେ ଚାହିଦା ପୂରଣ ନିମନ୍ତେ ଏହି ସ୍ୱତନ୍ତ୍ର ରକ୍ତଦାନ ଅଭିଯାନ ଆରମ୍ଭ କରାଯିବାକୁ ‘ଓଡ଼ିଶା ମୋ-ପରିବାର’ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଚାଷୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ: ଦଲାଲଙ୍କ ପାଇଁ ବିଜେପି ଓକିଲାତି କରୁଛି, କହିଲା ବିଜେଡି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ବିଜେପି ବିଶାଳ ଗଣବିକ୍ଷୋଭ କରିବା ସହ ରାଜ୍ୟ ବିଜେପି ନେତାମାନେ ଥାନାରେ ଧାରଣା ଦେବାପରେ କ୍ଷମତାସୀନ ବିଜେଡି ବିଚଳିତ ହୋଇପଡ଼ିଛି। ଚାଷୀଙ୍କଠୁ ଧାନ କିଣିବାପରେ ହିଁ ଧାରଣା ପ୍ରତ୍ୟାହୃତ ହେବ ବୋଲି ଜିଦରେ ବିଜେପି ଅଟଳ ରହିବାପରେ ବିଜେଡି ଏବେ ପ୍ରକୃତ ପ୍ରସଙ୍ଗ ଏଡ଼ାଇ ଯାଇ ରାଜ୍ୟ ବିଜେପିକୁ ସିଧାସଳଖ ସମାଲୋଚନା କରିଛି। ବିଜେଡି ମୁଖପାତ୍ର ତଥା ପଶ୍ଚିମଓଡ଼ିଶାର ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପଶ୍ଚିମଓଡ଼ିଶା ଭାଷାରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ରାଜ୍ୟ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦଲାଲଙ୍କ ସହ ରାଜ୍ୟ ବିଜେପି ନେତାମାନେ ହାତ ମିଳାଇଛନ୍ତି ଓ ସେମାନଙ୍କ ପାଇଁ ଓକିଲାତି କରୁଛନ୍ତି। ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣନ୍ତି ବୋଲି କହିଛନ୍ତି।

ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କ୍ରୟ କରୁଥିବାବେଳେ ବିଜେପି ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି। ଦିଲ୍ଲୀରେ ଚାଷୀମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦେଇଥିବା ଧାରଣାରୁୁ ନଜର ହଟାଇବା ପାଇଁ ଓଡିଶା ବିଜେପି ଏଭଳି ଡ୍ରାମା କରୁଛି। ବିଜେପିର ଉଦ୍ଦେଶ୍ୟକୁ ଓଡ଼ିଶାବାସୀ ଭଲଭାବେ ବୁଝି ସାରିଲେଣି। ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି। ହେଲେ ବିଜେପି ସାଂସଦମାନେ ଓଡ଼ିଶା ପାଇଁ କରିଛନ୍ତି କ’ଣ ବୋଲି ଶ୍ରୀମତୀ ପ୍ରଶ୍ନ କରିଛନ୍ତି। ବିଜେପି ନେତାମାନେ ଏଠାରେ ଶସ୍ତା ରାଜନୀତି କରିବା ଅପେକ୍ଷା ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ପରି ଦିଲ୍ଲୀ ଦରବାରରେ ସ୍ୱର ଉତ୍ତୋଳନ କରନ୍ତୁ ବୋଲି କହିଛନ୍ତି। ବିଜେପି ନେତାମାନେ ଟିଭିରେ ଧାରାବାହିକ ଡ୍ରାମାରୁ ବିରତ ହୋଇ ଚାଷୀଙ୍କ ସ୍ୱାର୍ଥ ପାଇଁ କାମ କରନ୍ତୁ ବୋଲି କହିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ନିକଟରେ ଥିବା ବଳକା ଧାନକୁ ସଂଗ୍ରହ କରାଯିବା ନେଇ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି। ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା। ୨୦୧୯-୨୦ ବର୍ଷରେ ୭୦.୫୬ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା ଓ ୧୨,୮୦୮ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥିଲା। ଚାଷୀ ସିଧାସଳଖ ଟଙ୍କା ପାଉଥିବାରୁ ଦଲାଲମାନେ ଏବେ ରାଜ୍ୟ ବିଜେପି ନେତାମାନଙ୍କ ସହ ମିଶି ଏଭଳି ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀମତୀ ମିଶ୍ର ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବିଜେପିର ରାଜ୍ୟ ନେତାମାନେ ସମ୍ବଲପୁରରେ ଥାନାରେ ଧାରଣା ବସିଛନ୍ତି। ଆଜି ଆରଡିସିଙ୍କ ସହ ବିଜେପିର ୯ଜଣିଆ ପ୍ରତିନିଧି ଦଳ ଆଲୋଚନା କରିବ ବୋଲି ଜଣାପଡ଼ିଛି।