ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳିବ କଂଗ୍ରେସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଓ ଉତ୍କଳ କଂଗ୍ରେସର ୧୦୦ବର୍ଷ ପୂର୍ତ୍ତିକୁ ପ୍ରଦେଶ କଂଗ୍ରେସ କମିଟି ଧୂମଧାମରେ ପାଳନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍କଳ ପ୍ରଦେଶ କମିଟି ଗଠିତ ହୋଇଥିଲା ଏବଂ ଏହାର ପ୍ରଥମ ସଭାପତି ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ। ସେହି ବର୍ଷ ହିଁ ମହାତ୍ମା ଗାନ୍ଧୀ ପ୍ରଥମେ ଓଡିଶାକୁ ଆସିଥିଲେ। ମହାତ୍ମା ଗାନ୍ଧୀ ମୋଟ୍ ୮ ଥର ଓଡିଶା ଆସିଥିଲେ ଏବଂ ପ୍ରଥମେ ୧୯୨୦ ମସିହା ମାର୍ଚ୍ଚ ମାସରେ ଆସିଥିଲେ। ତେଣୁ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତିକୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ବିଭିନ୍ନ ପ୍ରକାରରେ କଂଗ୍ରେସ ପକ୍ଷରୁ ପାଳନ କରାଯିବ। ଦେଶର ସ୍ୱାଧିନତା ସଂଗ୍ରାମ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁଙ୍କ ଜୀବନୀ ଓ ବଳିଦାନ, ଦେଶର ବିକାଶରେ କଂଗ୍ରେସର ଅବଦାନ ଇତ୍ୟାଦି ଉପରେ ବର୍ଷ ତମାମ ସେମିନାର, ପଦଯାତ୍ରା, ପ୍ରଶିକ୍ଷଣ ଶିବିର ଆଦି ଆୟୋଜନ କରାଯିବ। ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାର ଚୂଡ଼ାନ୍ତ ରୂପରେଖ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଓଡ଼ିଶା ସ୍ୱାଧିନତା ସଂଗ୍ରାମୀ ସମିତି ପକ୍ଷରୁ ମଧ୍ୟ ଗାନ୍ଧିଜୀଙ୍କ ଏହି ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ଉଭୟ ରାଜ୍ୟ ସରକାର ଓ ସ୍ୱାଧିନତା ସଂଗ୍ରାମୀ ସମିତି ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ସେଥିରେ କଂଗ୍ରେସ ଦଳ ସାମିଲ ହେବାକୁ ଆଗ୍ରହ ବ୍ୟକ୍ତ କରିବା ସହ ଏହାକୁ ସଫଳ କରିବା ପାଇଁ ମଧ୍ୟ ଦଳ ଚାହିଁଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ସ୍ୱାଧିନତା ଆନ୍ଦୋଳନ ସହିତ ନିଶା ନିବାରଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରତି ରାଜ୍ୟ ସରକାର ଯଦି ବାସ୍ତବରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହାନ୍ତି ତେବେ ଗାନ୍ଧିଜୀଙ୍କର ତିରୋଧାନ ଦିବସ ଅର୍ଥାତ୍ ଜାନୁଆରୀ ୩୦ ତାରିଖରେ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଘୋଷଣା କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଓ ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ।

ଏପଟେ ନବୀନ ଏକ ନମ୍ବର , ସେପଟେ ଖସୁଛି ଓଡ଼ିଶାର ନମ୍ବର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବରରେ ଥିବା ବେଳେ ଓଡ଼ିଶାର ରାଙ୍କ କିନ୍ତୁ ଖସିବାରେ ଲାଗିଛି। ନୀତି ଆୟୋଗ ଇଣ୍ଡେକ୍ସରେ ଓଡ଼ିଶା ୨ ରାଙ୍କ ଖସି ଏବେ ୧୪ତମ ସ୍ଥାନରେ ପହଞ୍ଚିଛି। ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ ତାଲିକାରେ ଓଡ଼ିଶାର ସ୍ଥାନ ଦୁଇ ପାଦ ତଳକୁ ଖସିଆସିଛି । ନୀତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ହେବା ସହ ରାଙ୍କ ତଳକୁ ଖସିଛି । ପ୍ରଥମ ସଂସ୍କରଣରେ ୧୨ତମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସଂସ୍କରଣରେ ୧୪ତମ ସ୍ଥାନକୁ ଖସି ଆସିଛି। ଦେଶରେ ୧୭ଟି ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ୧୪ତମ ସ୍ଥାନରେ ରହିଛି ।ତେବେ ଏଥର ତାଲିକାରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି । ଏହାସହ ଏହି ତାଲିକାର ଏନାବଲର ସ୍ଥାନରେ ଓଡ଼ିଶା ଦଶମ ସ୍ଥାନରେ ରହିଛି ।  ୨୦୨୦ ସୂଚୀରେ ଓଡ଼ିଶାର ଇନୋଭେସନ ସ୍କୋର ୧୮. ୯୪ ଥିବାବେଳେ ଏନାବଲର ସ୍କୋର ୨୦. ୯୩ ରହିଛି ।  ହ୍ୟୁମାନ ରିସୋର୍ସ ତାଲିକାରେ ଓଡ଼ିଶା ୪୨. ୧୦ ପଏଣ୍ଟ ରହିଛି ଓ ତାଲିକାରେ ଦଶମ ସ୍ଥାନରେ ରହିଛି । ସେହିଭଳି ପୁଞ୍ଜିନିବେଶରେ ୧୫ ତମ ସ୍ଥାନ, କାରବାର ବାତାବରଣରେ ୧୬ ତମ, ନଲେଜ୍ ଓ୍ୱାର୍କସରେ ୧୪ ତମ ସ୍ଥାନରେ ରହିଛି ଓଡ଼ିଶା।

କିନ୍ନର କାଟିବେ ପାର୍କିଂ ଟିକେଟ୍ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ୍। ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ। ଆଜି ରାଜମହଲ୍ ଛକରେ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି। ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି। ତେବେ ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୭ଜଣ କିନ୍ନରଙ୍କୁ ସାମିଲ୍ କରାଯାଇଛି। ସେଥିମଧ୍ୟରୁ ୧୫ଜଣ କିନ୍ନର ଥିବା ବେଳେ ୨ଜଣ ମେଲ୍ ଟ୍ରାନ୍ସଫର୍ମର ରହିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୬ ହେବ ବୋଲି ଜଣାପଡ଼ିଛି। ପାର୍କିଂ ଟିକେଟ୍ କାଟିବା ପାଇଁ କିନ୍ନରମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଇଥିଲା। ଏହାସହ କିନ୍ନରମାନଙ୍କୁ ଆପ୍ରୋନ ଓ ମନିବ୍ୟାଗ୍ ସାଙ୍ଗକୁ କ୍ୟୁଏକ୍ସୋ ମେସିନ୍ ଓ ବିଏମସି ତରଫରୁ ସ୍ୱତନ୍ତ୍ର ଆଇ କାର୍ଡ ଦିଆଯାଇଛି। ଏହି କାର୍ଡ ପକାଇ ସେମାନେ ପାର୍କିଂ ଦେୟ ଆଦାୟ କରିବେ। ସହରର ଦୁଇ ପ୍ରମୁଖ ପାର୍କିଂ ଲଟ୍ ରାଜମହଲ୍ ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଏବଂ ମାଷ୍ଟର୍ କ୍ୟାଣ୍ଟିନ୍ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟ୍‌ରେ କିନ୍ନରମାନେ ଜଗିବେ। ଏହାବ୍ୟତୀତ ଏହି ଦୁଇଟି ପାର୍କିଂ ଲଟ୍ ପାଇଁ ସ୍ୱତନ୍ତ୍ର ରେଟ୍ ଚାଟ୍ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ବିଏମସି ତରଫରୁ ୧୭ଜଣ କିନ୍ନରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏବେ ସେମାନଙ୍କୁ ଆଉଏକ ନୂଆ ଯୋଜନାରେ ସାମିଲ୍ କରାଯାଇଛି।

ଚେତିଲେ ସରକାର୧୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ସମ୍ବଲପୁରରେ ଆରଡିସି ଅଫିସ ଘେରାଉ ସହ ବିଶାଳ ଚାଷୀ ସମାବେଶ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଧାନକିଣାରେ ଅନିୟମିତତା ଚାଲିଥିବାକୁ ସରକାର ସ୍ୱୀକାର କରିବା ସହ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୫ଟି ପ୍ୟାକ୍ସର ସମ୍ପାଦକଙ୍କୁ ନିଲମ୍ବନ କରିଛନ୍ତି। ଏହାସହିତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି। ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଧାନକିଣାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ଓ କୌଣସି ଅନିୟମିତତାକୁ ପ୍ରଶୟ ଦିଆଯିବ ନାହିଁ। ଆଜି ନିଲମ୍ବିତ ହୋଇଥିବା ପ୍ୟାକ୍ସ ସମ୍ପାଦକମାନେ ହେଲେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ନୂଆମୁରା ପ୍ୟାକ୍ସର ସମ୍ପାଦକ ରାଧାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ କୁମାର ଦାସ, ଚାରମାଳ ପ୍ୟାକ୍ସର ଅସିତ୍ କୁମାର ପ୍ରଧାନ, ସାହାସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ, ସମରବାଗ ପ୍ୟାକ୍ସର ପ୍ରମୋଦ କୁମାର ଭୋଇ, ଲଖନପୁର ପ୍ୟାକ୍ସର ପ୍ରଦୀପ କୁମାର ସା। ସେହିପରି ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବୈଦ୍ୟନାଥ ପ୍ୟାକ୍ସର ଦିଲ୍ଲୀପ ସୁନା, ମହୁଲି ଓ ଖରି ପ୍ୟାକ୍ସର ରବି ମିଶ୍ର, ଜଟେସିଂହ ପ୍ୟାକ୍ସର ସିଇଓ ଘନଶ୍ୟଶମ ପ୍ରଧାନ, ଉଲୁଣ୍ଡା ପ୍ୟାକ୍ସର ସିଇଓ ରାମକୃଷ୍ଣ ପାଢ଼ୀ ଓ ମୁରଶୁଣ୍ଢି ପ୍ୟାକ୍ସର ସିଇଓ ପ୍ରଭାତ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି। ସେହିପରି ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବାଘିଆପଡ଼ା ପ୍ୟାକ୍ସର ସମ୍ପାଦକ ନେତ୍ରାନନ୍ଦ ପୁରୋହିତ, ରାମଗଡ଼ ପ୍ୟାକ୍ସର ସମ୍ପାଦକ ନିରୋଦ କୁମାର ପାତ୍ର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସଢ଼ା ପ୍ୟାକ୍ସର ଦୀନବନ୍ଧୁ ଜେନା ଓ ଶୁକଦେବ ରାଉତଙ୍କୁ ନିଲମ୍ବନ କରାଯାଇଛି। ଏହାସହିତ ସଢ଼ା ପ୍ୟାକ୍ସର ଡାଟା ଏଣ୍ଟ୍ରି ଅପରେଟର ମନୋଜ କୁମାର ନାୟକଙ୍କୁ ଚାକିରି ବହିଷ୍କୃତ କରାଯାଇଛି। 

ସରକାର ଙ୍କ ନିଦ ଭାଙ୍ଗିଲା ୨୦ ବର୍ଷ ପରେ ମନେ ପଡ଼ିଲା; କୋଣାର୍କରେ ହେବ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଚିଠା ଯୋଜନା ପ୍ରସ୍ତୁତ କରିବା ସହ ସାଧାରଣ ଲୋକଙ୍କୁ ୨୧ ଦିନ ମଧ୍ୟରେ ଏ ସମ୍ପର୍କରେ ନିଜର ମତାମତ ଦେବାକୁ ପରାମର୍ଶ ଦେଇଛନ୍ତି। ୨୦ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ବିଳମ୍ବରେ ହେଲେ ବି କୋଣାର୍କ ଅଂଚଳର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ ମାନଦଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ସୂଚନା ଅନୁସାରେ, କୋଣାର୍କକୁ ବିଶ୍ୱର ବିଭିନ୍ନ ଅଂଚଳରୁ ଦୈନିକ ପର୍ଯ୍ୟଟକ ଆସୁଥିବାରୁ କୋଣାର୍କରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଣାର୍କର ଭିତ୍ତିଭୂମିକୁ ନେଇ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଉପସ୍ଥାପନା କରାଯାଇଥିଲା। ୧୯୮୪ ମସିହାରୁ କୋଣାର୍କକୁ ବିଶ୍ୱ ଐତିହ୍ୟ ଭାବେ ୟୁନେସ୍କୋ ମାନ୍ୟତା ପ୍ରଦାନ କରିଛି। ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ପାଇଁ ରାଜ୍ୟ ସରକାର ଏବେ ଏହାକୁ ନିଜର ନୈତିକ ଦାୟିତ୍ୱବୋଧ ବୋଲି ମନେ କରି ଆଗେଇ ଆସିଛନ୍ତି। କୋଣାର୍କ ମନ୍ଦିରର ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଛି। ତେବେ ମନ୍ଦିରର ସୁରକ୍ଷା,ସଂରକ୍ଷଣ ଓ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି। 

୧୦ ମାସ ପରେ ଭକ୍ତଙ୍କୁ କୋଳାଇ ନେଲା କାଳିଆ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ହାରିଲା କରୋନା, ଜିତିଲେ ଶ୍ରଦ୍ଧାଳୁ। ଦୀର୍ଘ ୧୦ ମାସ ଧରି ଭଗବାନ ଓ ଭକ୍ତ ମଧ୍ୟରେ ଥିବା ଦୂରତାର ପଡ଼ିଛି ପୂର୍ଣ୍ଣଛେଦ। ଶେଷରେ ଆଜିଠାରୁ ସବୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସିଂହଦ୍ୱାର। ବିନା କୋଭିଡ୍ ଟେଷ୍ଟରେ ଆଜି ହଜାର ହଜାର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ତେବେ ଦର୍ଶନ କରୁଥିବା ପ୍ରତିଟି ଶ୍ରଦ୍ଧାଳୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଦର୍ଶନ କରିଛନ୍ତି। ଆଜିଠୁ ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବା ପରେ ୧୦ ମାସର ଉତ୍କଣ୍ଠା ଆଉ ଆବେଗର ଅନ୍ତ ଘଟାଇ ଭକ୍ତ ଓ ଭକ୍ତିମୟ ହୋଇପଡ଼ିଛି ସିଂହଦ୍ୱାର, ବାଇଶି ପାହାଚ, ମନ୍ଦିର ବେଢ଼ା ଇତ୍ୟାଦି। ନିର୍ବିଘ୍ନରେ ରତ୍ନସିଂହାସନରେ କାଳିଆ ଆଖିରେ ଆଖି ମିଶାଇ ଜଗା ଦୂଆରୁ ଫେରିଛନ୍ତି ଦୂରଦୂରାନ୍ତର ଭକ୍ତ ଓ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଭିଡ୍ କଟକଣାରେ କିଛିଟା କୋହଳ କରାଯାଇଛି ସତ। ହେଲେ ସାମାଜିକ ଦୂରତା, ମାସ୍କ ଏବଂ ଏସଓପି କିନ୍ତୁ ବଳବତ୍ତର ରହିଛି। ଭକ୍ତଙ୍କ ଦର୍ଶନ ପାଇଁ ସୁରକ୍ଷା ଦାୟିତ୍ୱରେ ୨୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ସକାଳ ୬ରୁ ୭ଟା ଯାଏଁ କେବଳ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇବା ସହ ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୭ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ପ୍ରାୟ ୩୦ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଆବଶ୍ୟକ ସ୍ଥଳେ ସଂଖ୍ୟାକୁ ବଢ଼ାଇ ଦିଆଯାଇପାରେ। ଥର୍ମାଲ ସ୍କ୍ରିନିଂ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ଥାଏ, ତାହେଲେ ସେହି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ପ୍ରତି ରବିବାର ଦିନ ଶ୍ରୀମନ୍ଦିର ସାନିଟାଇଜେସନ୍ କରାଯିବ। ଏଥିପାଇଁ ଏହିଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ବିନା କୋଭିଡ୍ ପରୀକ୍ଷାରେ ଅଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅନୁମତି ପରେ ଏବେ ପ୍ରଶାସନକୁ ସଂକ୍ରମଣ ଭୟ ଘାରିଛି। ଏହି ସମୟରେ କାଳେ ସେବାୟତ ସଂକ୍ରମିତ ହୋଇଯିବେ ଏବଂ ନୀତିକାନ୍ତି ପ୍ରଭାବିତ ହେବ, ସେହି ଆଶଙ୍କା ନେଇ ସବୁ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ କୋଭିଡ୍ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଛି। ସେହିପରି ମନ୍ଦିର ପ୍ରଶାସନର ପ୍ରାୟ ୫ ଶହ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ବି ନିବେଦନ କରାଯାଇଛି।

ସମ୍ବଲପୁର ଠାରେ ବିଜେପି ନେତାଙ୍କ ଧମକ;ଥାନା ରେ ଯାଇ ବସି କହିଲେ ଧାନ ଉଠିଲେ ଥାନା ଛାଡ଼ିବୁ ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଚାଷୀଙ୍କ ସମସ୍ୟା ନେଇ ସମ୍ୱଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି। ଏବେ ଏହି ପ୍ରତିଷେଧକ ମୂଳକ ଗିରଫଦାରୀ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଗିରଫ ହୋଇଥିବା ବରିଷ୍ଠ ବିଜେପି ନେତାମାନେ ସଦର ଥାନା ଛାଡ଼ିବେ ନାହିଁ ବୋଲି କହିଛନ୍ତି। ମଣ୍ଡିରୁ ଧାନ ନଉଠିଲା ପର୍ଯ୍ୟନ୍ତ ଥାନାରୁ ଯିବୁନାହିଁ ବୋଲି ବିଜେପି ନେତାମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଏହା ପରେ ପୁଲିସ ଚିନ୍ତାରେ ପଡ଼ି ଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି-“ମଣ୍ଡିରେ ବହୁ ପରିମାଣର ଧାନ ପଡ଼ି ରହିଛି। ସେହି ଧାନକୁ ରାଜ୍ୟ ସରକାର ଉଠାଉନାହାନ୍ତି। ବିଜେପିର ଧମକ ସତ୍ତ୍ୱେ ଧାନ ଉଠିଲାନାହିଁ। ସେଥିପାଇଁ ଆଜି ଆର୍‌ଡିସି କାର୍ଯ୍ୟାଳୟ ଘେରାଉ କରିଥିଲୁ। ରାଜ୍ୟ ସରକାର ଧାନ ଉଠାଇବାକୁ ନିଷ୍ପତ୍ତି ନିଆନ୍ତୁ, ତା’ପରେ ଆମେ ଥାନାରୁ ଯିବୁ।” ଚାଷୀଙ୍କ ଦାବି ପୂରଣ ପାଇଁ ବିଜେପି କର୍ମୀମାନେ ଆଜି ବିଶାଳ ଶୋଭାଯାତ୍ରାରେ ଆରଡିସି  ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ବିଜେପି ନେତା-କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟ ସରକାର ଲାଗୁ କରୁନଥିବାରୁ  ଚାଷୀମାନେ ଅସୁବିଧାରେ ପଡୁଛନ୍ତି। ଏହାସହ କଟନୀ ଛଟନୀ ନାଁରେ ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସୁରକ୍ଷା ଦୃଷ୍ଟିରୁ ସମ୍ୱଲପୁର ଟାଉନ୍‌ରେ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲା। ଏଥିସହ ୫୦ରୁ ୬୦ ଜଣ ଅଫିସରଙ୍କ ବିଭିନ୍ନ ସ୍ଥାନୟରେ ନିୟୋଜିତ କରାଯାଇଛି।

୪ଘଣ୍ଟା ବାଇକ୍ ରଖିଲେ ୨୫ ଟଙ୍କା, କାରକୁ ୬୦ ରାଜଧାନୀରେ ପାର୍କିଂ ଫି’ …?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ଏପ୍ରିଲ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ନୂଆ ଦରରେ ପାର୍କିଂ ଫି’ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ରାଜଧାନୀବାସୀଙ୍କୁ ସହରର ସବୁ ଅଂଚଳରେ ପାର୍କିଂ ଫି’ ବାବଦରେ ୩ରୁ ୪ଘଣ୍ଟା ପାଇଁ ବାଇକ୍ ନିମନ୍ତେ ୨୫ଟଙ୍କା ଓ କାର ପାଇଁ ୬୦ଟଙ୍କା ଦେବାକୁ ପଡ଼ିବ। ଦେଶର ଟାୟାର-୨ ଶ୍ରେଣୀରେ ଥିବା ସହରଗୁଡ଼ିକରେ ବିଏମସିର ଏହି ପାର୍କିଂ ଫି’ ସର୍ବାଧିକ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିଏମସି କର୍ତ୍ତୃପକ୍ଷ ରାଜଧାନୀ ଭୁବନେଶ୍ୱର ସହରର ୩୨ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥାକୁ ଘରୋଇ ବ୍ୟକ୍ତିଙ୍କ ହାତରେ ଟେକିଦେବା ନିମନ୍ତେ ଟେଣ୍ଡର ଆହ୍ୱାନ କରିଛନ୍ତି। ଟେଣ୍ଡର ଦସ୍ତାବିଜ ଅନୁସାରେ, ରାଜଧାନୀର ଯେକୌଣସି ସ୍ଥାନରେ ସର୍ବାଧିକ ୨ଘଣ୍ଟା ବାଇକ ରଖିଲେ ୫ଟଙ୍କା, କାର ପାଇଁ ୨୦ଟଙ୍କା ଓ ୪ଚକିଆ ଭାରିଯାନ ପାଇଁ ୨୫ଟଙ୍କା ଦେବାକୁ ପଡ଼ିବ। ମାତ୍ର ୨ରୁ ୩ ବାଇକ୍ ପାର୍କିଂ କଲେ ୧୫ଟଙ୍କା, ୩ଚକିଆ ଯାନକୁ ୨୦ଟଙ୍କା, ଚାରିଚକିଆ ୪୦ଟଙ୍କା ଓ ଭାରିଯାନ ପାଇଁ ୫୦ଟଙ୍କା ପାର୍କିଂ ଫି’ ଆଦାୟ ହେବ। ତେବେ ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ହେଲା ୩ରୁ ୪ଘଣ୍ଟା ପାର୍କିଂ ନିମନ୍ତେ ବାଇକ୍ ଚାଳକଙ୍କୁ ୨୫ଟଙ୍କା, ତିନିଚକିଆକୁ ୩୫ଟଙ୍କା, ଚାରିଚକିଆକୁ ୬୦ଟଙ୍କା ଓ ଭାରିଯାନକୁ ୭୫ଟଙ୍କା ଫି’ ଦେବାକୁ ହେବ। ସେହିପରି ୪-୫ଘଣ୍ଟା ପାଇଁ ବାଇକ୍ ଚାଳକଙ୍କୁ ୩୫ଟଙ୍କା, ୩ଚକିଆକୁ ୫୦ଟଙ୍କା, କାରକୁ ୮୦ଟଙ୍କା ଓ ଭାରିଯାନକୁ ୧୦୦ଟଙ୍କା ଫି’ ଦେବାକୁ ପଡ଼ିବ। ୫ଘଣ୍ଟାରୁ ଅଧିକ ସମୟ ଧରି ପାର୍କିଂରେ ରହୁଥିବା ଗାଡ଼ିକୁ ଘଣ୍ଟା ପ୍ରତି ଅତିରିକ୍ତ ୨୦ଟଙ୍କା ହିସାବରେ ଦେବାକୁ ପଡ଼ିବ। ଅବଶ୍ୟ ସାଇକେଲ ପାଇଁ କୌଣସି ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ। ବ୍ୟବସାୟିକ ପ୍ରତିଷ୍ଠାନ କରିଥିବା ବ୍ୟବସାୟୀ ଚାହିଁଲେ ମାସିକିଆ ପାଶ ପାଇଁ ୫୦୦ଟଙ୍କା ଓ ୧୫ଦିନ ପାଇଁ ୩୦୦ଟଙ୍କା ଦେଇପାରିବେ। ତେବେ ପ୍ରଶ୍ନ ଉଠୁଛି, ଦେଶର ରାଜଧାନୀ ଦିଲ୍ଲୀ ଭଳି ମେଟ୍ରୋ ସହରରେ ବାଇକଚାଳକଙ୍କୁ ଘଣ୍ଟାପ୍ରତି ୧୦ଟଙ୍କା ଓ ଗୋଟିଏ ଦିନରେ ସର୍ବାଧିକ ୫୦ଟଙ୍କା ଏବଂ କାର ଚାଳକଙ୍କୁ ଘଣ୍ଟା ପାଇଁ ୨୦ଟଙ୍କା ଓ ସର୍ବାଧିକ ୧୦୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଥିବାବେଳେ କୋଲକାତା ମେଟ୍ରୋ ସହରରେ ଦିନ ୧୦ଟାରୁ ୭ଟା ମଧ୍ୟରେ ବାଇକଚାଳକଙ୍କୁ ୫ଟଙ୍କା ଓ କାରକୁ ୧୦ଟଙ୍କା ପାର୍କିଂ ଫି’ ଏବଂ ରାତିରେ ବାଇକ ପାଇଁ ୧୦ଟଙ୍କା ଓ କାର ପାଇଁ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି। ଅସରାଏ ବର୍ଷାରେ ଭୁବନେଶ୍ୱର ସହର ଜଳମଗ୍ନ ହେଉଥିବାବେଳେ ସହରତମାମ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ। ତଥାପି ବିଏମସି କର୍ତ୍ତୃପକ୍ଷ ଜୋରଜବରଦସ୍ତି ଲୋକଙ୍କଠୁ ଏତେ ପରିମାଣର ପାର୍କିଂ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେବା ରାଜଧାନୀବାସୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହେବ।

ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ …!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନ ରୁ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗତ ୨୦୧୬ ମସିହାରେ ଜଣେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ନାବାଳିକା ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ହେଉଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଥିଲା । ଏହି ସମୟରେ ଆବଶ୍ୟକ ସହଯୋଗ  ଜିଲ୍ଲା ପ୍ରଶାସନ ଯୋଗାଇ ଆସୁଥିଲା ।
ନାବାଳିକାଟିକୁ ୧୮ ବର୍ଷ ହେଲାପରେ DDUGKY , କଟକ ରେ ଡାଟା ଏଣ୍ଟ୍ରି ଓପେରାଟର ର ପ୍ରଶିକ୍ଷଣ ନେବା ପାଇଁ ଜିଲ୍ଲା ପ୍ରଶାସନ ସୁପରିଶ କରିଥିଲା। ପରବର୍ତ୍ତୀ ମୁହୁର୍ତ୍ତରେ ଯୁବତୀ ଜଣକ ହରିଆନାର ଏକ ଘରୋଇ କମ୍ପାନୀରେ ୨୦୧୯ରୁ ଡାଟା ଏଣ୍ଟ୍ରି ଓପେରାଟର ଭାବେ କାର୍ଯ୍ୟରତ ଥିଲେ। ଯୁବତୀଟିର କେବଳ ଏକକ ଅଭିଭାବକ ଥିଲେ। ବର୍ତ୍ତମାନ ଯୁବତୀ ମୋହନା ପଞ୍ଚାୟତ ସମିତିର ଆଲିଗଣ୍ଡା ଗ୍ରାମରେ ତାଙ୍କ ବାପାଙ୍କ ପାଖରେ ରହି ଆସୁଥିଲେ । ବର୍ତ୍ତମାନ ଯୁବତୀଟିର ବାହାଘର ତାଣ୍ଡିଗୁଡା ଗ୍ରାମ , ବ୍ଲକ-ରା.ଉଦୟଗିରି ର ଏକ ଯୁବକ ସହିତ ଠିକ୍ ହୋଇ ଆଜି ବାହାଘର କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ଏହି ସମୟରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରାଇ ବିବାହ ପ୍ରୋତ୍ସାହନ ସକାଶେ ୫୦.୦୦୦ (ପଚାଶ ହଜାର) ଟଙ୍କା ଜିଲ୍ଲା ପ୍ରଶାସନ ପ୍ରଦାନ କରିଥିଲେ। ପ୍ରଶାସନର ଏହି କାର୍ଯ୍ୟରେ ଝିଅଟି ଖୁସି ଥିଲା ବେଳେ ତାଣ୍ଡିଗୁଡା ଅଞ୍ଚଳର ଜନସାଧାରଣ ଏହି ଯୋଜନା ଉପରେ ଅବଗତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠି  , ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ଅଳକା ସାହୁ , ସୁରକ୍ଷା ଅଧିକାରୀ ଶ୍ରୀ ଡମ୍ବରୁଧର ବଳବନ୍ତ , ପରାମର୍ଶଦାତା ଶ୍ରୀଯୁକ୍ତ ଡୁଙ୍ଗେଇ ମଲ୍ଲିକ ଏବଂ ଶିଶୁ ସୁରକ୍ଷା ୟୁନିଟ୍ ର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ହାଇଦ୍ରାବାଦ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ..!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନ ରୁ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୦ତମ ଶିଶୁକୁ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସୁଦୂର ହାଇଦ୍ରାବାଦର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।
ଏହି ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ”ନିସାନ ସାଲୋମ” ପାରଳାଖେମୁଣ୍ଡିରେ ରଖାଯିବା ସହ ସେମାନଙ୍କର ଆଡପସନ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ କରାଯାଇଥିଲା।
ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି , ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବେ ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ମାସ ମାସ ଧରି ସନ୍ତାନ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତି ମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ମୁହୁର୍ତ୍ତରେ ସମସ୍ତ ଦସ୍ତାବିଜକୁ  ଭାରପ୍ରାପ୍ତ ଜିଲ୍ଲାପାଳ ଯାଞ୍ଚ କରିବା ପରେ ବୁଧବାର ଦିନ ଶିଶୁଟିକୁ ହାଇଦ୍ରାବାଦର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା। ଏହି ଶିଶୁଟି କନ୍ୟାରତ୍ନ ହୋଇଥିଲା ବେଳେ ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା ।ଏହି ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର ।