ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଧସ୍ତାଧସ୍ତି, ବିବାଦରେ ଯୁବ ବିଜେଡି ସଭାପତି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଜି ଧସ୍ତାଧସ୍ତି,ଗାଳିଗୁଲଜ ଓ ହାତାହାତି ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ଏପରି ହୋଇଥିଲା ଯେ, ଦଳର ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କୁ ଘଟଣାସ୍ଥଳ ଛାଡ଼ି ଲୁଚି ପଳାଇବାକୁ ପଡ଼ିଥିବା ସୂଚନା ମିଳିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବାପରେ ଆଜି ଅପରାହ୍ନ ୫ଟାରେ ଦଳର ଉଭୟ ଯୁବ ଓ ଛାତ୍ର ୱିଙ୍ଗ ପକ୍ଷରୁ ନବୀନ ନିବାସରେ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଥିଲା। ଦଳର ରାଜ୍ୟ ଅଫିସଠୁ ଏକ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ଦଳର ଯୁବ ଓ ଛାତ୍ର ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମାତ୍ର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମବେଳେ କିଛି ନେତ୍ରୀଙ୍କୁ ଠେଲାପେଲା କରିବା ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦଳର ଯୁବ ସଭାପତି ବ୍ୟୋମକେଶ ରାୟ ଓ କିଛି ଯୁବନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଗାଳିଗୁଲଜ ହୋଇଥିଲା। ଏହି ଧସ୍ତାଧସ୍ତିରେ କିଛି ନେତ୍ରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଶ୍ରୀ ରାୟ ଜଣେ-ଦୁଇଜଣ ଯୁବନେତାଙ୍କ ଉପରକୁ ହାତ ଉଠାଇବା ଘଟଣାକୁ ନେଇ କେତେକ ଯୁବନେତାମାନେ ସମସ୍ତଙ୍କ ଉପସ୍ଥିତିରେ ଅଶ୍ଲୀଳ ଭାଷାରେ ଯୁବ ସଭାପତିଙ୍କୁ ମଧ୍ୟ ଗାଳିଗୁଲଜ କରିଥିବା ଜଣାପଡ଼ିଛି। ଯୁବନେତାମାନେ ଏକଜୁଟ ହୋଇ ଯୁବ ସଭାପତି ଶ୍ରୀ ରାୟଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସଜବାଜ ହେଉଥିବାବେଳେ ସେ ଘଟଣାସ୍ଥଳ ଛାଡ଼ି ପଳାଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଯୁବ ଓ ଛାତ୍ର ଶାଖାର କର୍ମକର୍ତ୍ତା ନିଯୁକ୍ତିକୁ ନେଇ ତୀବ୍ର ଅସନ୍ତୋଷ ରହିଥିବାବେଳେ ଶ୍ରୀ ରାୟଙ୍କ ମନମୁଖୀ ସାଂଗଠନିକ କାର୍ଯ୍ୟ ଏବଂ ସହକର୍ମୀମାନଙ୍କୁ କଦର୍ଯ୍ୟ ଆଚରଣ ଯୋଗୁ ଏବେ ଯୁବ ୱିଙ୍ଗରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଯୁବ ୱିଙ୍ଗ କାର୍ଯ୍ୟାଳୟ ମଧ୍ୟ କେବଳ ଗୋଟିଏ ଗୋଷ୍ଠୀ କବଜାରେ ରହିଥିବାବେଳେ ସେଠାରେ ଶ୍ରୀ ରାୟଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାରର ଅଣସାଂଗଠନିକ କାର୍ଯ୍ୟ ଚାଲିଛି ବୋଲି ଏହି ଗୋଷ୍ଠୀ ଅଭିଯୋଗ କରିଛି।

ଏବେ ପୌର ନିର୍ବାଚନ ଚାହୁଁନି ବିଜେଡି, ଫୋକସରେ ପଂଚାୟତ ନିର୍ବାଚନ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦୀର୍ଘ ଅଢ଼େଇବର୍ଷରୁ ଅଧିକ ସମୟ ଧରି ରାଜ୍ୟର ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ରାଜନୀତିକ କାରଣରୁ ଏସବୁରେ ଏବେ ନିର୍ବାଚନ କରିବା ସପକ୍ଷରେ କ୍ଷମତାସୀନ ବିଜେଡି ନଥିବା ଜଣାପଡ଼ିଛି। ବିଶେଷକରି ସଂଗଠନ ଭିତରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଗଧାଡ଼ିର ବିଜେଡି ନେତାମାନେ ଅଣଦେଖା ସ୍ଥିତିରେ ରହିଥିବାରୁ ଦଳ ଏବେ ପୌର ନିର୍ବାଚନ କରାଇ କୌଣସି ରିସ୍କ ନେବାକୁ ଚାହୁଁନଥିବା ସୂଚନା ମିଳିଛି। ଖାସ୍ ଏହି କାରଣ ପାଇଁ ଦଳ ଏବେ ପଂଚାୟତ ନିର୍ବାଚନ ଉପରେ ଅଧିକ ଫୋକସ୍ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥା( ୫ଟି ମହାନଗର,୪୮ଟି ପୌର ପରିଷଦ ଓ ୬୧ଟି ବିଜ୍ଞାପିତ ଅଂଚଳ ପରିଷଦ)ର କାର୍ଯ୍ୟକାଳ ପ୍ରାୟ ଦୁଇରୁ ଅଢ଼େଇବର୍ଷ ହେଲା ଶେଷ ହୋଇସାରିଲାଣି। ଏସବୁ ପୌର ସଂସ୍ଥାଗୁଡ଼ିକ ନିର୍ବାଚିତ ପ୍ରତିନିଧି ବଦଳରେ ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଏକରକମ ପଙ୍ଗୁ ଅବସ୍ଥାରେ ରହିଛି। ଏହାସତ୍ତ୍ୱେ ରାଜନୀତିକ ଦଳଗୁଡ଼ିକ ଏନେଇ ସ୍ୱର ଉତ୍ତୋଳନ କରିବାକୁ କିମ୍ବା ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଅନ୍ୟପକ୍ଷରେ କ୍ଷମତାସୀନ ବିଜେଡି ନିଜର ସଂଗଠନ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳ ତଥା ସରକାରଙ୍କ ବିରୁଦ୍ଧରେ ରହିଥିବା ଜନଆକ୍ରୋଶକୁ ଦୃଷ୍ଟିରେ ରଖି ପୌର ସଂସ୍ଥାଗୁଡ଼ିକରେ ନିର୍ବାଚନ ଏବେ ନକରିବା ଚକ୍କରରେ ରହିଛି। ଯେଉଁଥିପାଇଁ ପୌର ନିର୍ବାଚନରେ ୫୦ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ  ପୌର ନିର୍ବାଚନ ଆଇନ-୧୯୯୪ରେ ସଂଶୋଧନ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପଦକ୍ଷେପ ନେଉନାହାନ୍ତି। ବିଜେଡି ସୂତ୍ର ଅନୁସାରେ, ଦଳୀୟ ସଂଗଠନକୁ ନେଇ ଏବେ ଅନ୍ତଃକନ୍ଦଳ ଚରମ ସୀମାରେ ରହିଛି। ଉପରକୁ ସବୁକିଛି ଠିକଠାକ୍ ଦିଶୁଥିଲେ ମଧ୍ୟ ବିଜେଡିରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ରହିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରୁନଥିବାରୁ କାର୍ଯ୍ୟାନୁଷ୍ଠାନ ଭୟରେ ଦଳୀୟ ନେତାମାନେ ଏବେ ନିରବ ରହିଛନ୍ତି। ଭୁବନେଶ୍ୱର ମହାନଗର ନିଗମରେ ଏବେ ମେୟର ପଦବୀ ଲବିରେ ୪ରୁ ୫ଜଣ ନେତା ରହିଥିବାବେଳେ ତୃତୀୟ ମହଲା ପକ୍ଷରୁ ଜଣେ ଛାତ୍ରୀ ନେତ୍ରୀଙ୍କୁ ଡେପୁଟି ମେୟର ପଦବୀରେ ଆସୀନ କରିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇ ସାରିଲାଣି। ଯେଉଁଥିପାଇଁ ଭୁବନେଶ୍ୱରରେ କର୍ପୋରେଟର ଓ ମେୟର ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି। ତା’ଛଡ଼ା ଭୁବନେଶ୍ୱର ସଂସଦୀୟ ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର କାର୍ଯ୍ୟକ୍ରମ ଜୋରଦାର କରି ଭୁବନେଶ୍ୱର ମହାନଗର ନିଗମକୁ ନିଜ ନିୟନ୍ତ୍ରଣ ନେବାକୁ ଗୋଟିଚାଳନା ଆରମ୍ଭ କରିସାରିଛନ୍ତି । ସେହିପରି କଟକ ବାରବାଟୀରେ କଂଗ୍ରେସ ବିଧାୟକ ଥିବାବେଳେ କଟକ ରାଜନୀତିରୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦୂରେଇ ରଖାଯାଇଛି। ଦଳର ନେତା ଦେବାଶୀଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା ଓ ଅନୁଭବ ମହାନ୍ତି ପ୍ରମୁଖ ବିବାଦୀୟ ସ୍ଥିତିରେ ରହିଛନ୍ତି। ସେମାନଙ୍କ ଉପରେ ସ୍ଥାନୀୟ ଲୋକେ ଭରସା କରିବା ସ୍ଥିତିରେ ନାହାନ୍ତି। ସେହିପରି ପୁରୀରେ ମହେଶ୍ୱର ମହାନ୍ତି, ଜୟପୁରରେ ରବି ନନ୍ଦ, ସମ୍ବଲପୁରରେ ରାସେଶ୍ୱରୀ ପାଣିଗ୍ରାହୀ, ଭବାନୀପାଟଣାରେ ପୁଷ୍ପେନ୍ଦ୍ର ସିଂହଦେଓ, ରାୟଗଡ଼ାରେ ଏନ୍ ଭାସ୍କର ରାଓ, ବଲାଙ୍ଗିରରେ ଏୟୁ ସିଂଦେଓ ପରିବାର ଆଦି ଏବେ ସମ୍ପୂର୍ଣ୍ଣ ଅଣଦେଖା ସ୍ଥିତିରେ ରହିଥିବାବେଳେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ରାଇରଙ୍ଗପୁର ଆଦି ଆସନରେ ବିଜେପି ନିଜର ପତିଆରା ଦେଖାଇବାକୁ ଚାହୁଁଛି। ତେଣୁ ବିଜେଡି ଏବେ ପୌର ନିର୍ବାଚନ ହେଲେ ଦଳକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରୁଛି। ଯେଉଁଥିପାଇଁ ଦଳ ଏବେ ପୌର ବଦଳରେ ପଂଚାୟତ ନିର୍ବାଚନ ଉପରେ ଅଧିକ ଫୋକସ କରୁଛି। ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କୁ ଏବେ ସାନି ୱାର୍ଡ ପୁର୍ନଗଠନ ଓ ଆସନ ସଂରକ୍ଷଣ କରିବାକୁ ପଡ଼ିବ। ଏସବୁ ପ୍ରକ୍ରିୟା ଅତିକମରେ ୪ରୁ ୬ମାସ ହୋଇଥିବାବେଳେ ନିର୍ବାଚନ କରାଇବା ନିମନ୍ତେ କମିଶନଙ୍କୁ ମଧ୍ୟ ୨ରୁ ୩ମାସ ସମୟ ଲାଗିବ। ତେଣୁ ୨୦୨୨ ଫେବୃୟାରୀରେ ପଂଚାୟତ ନିର୍ବାଚନର ମାତ୍ର ୨-୩ମାସ ପୂର୍ବରୁ ପୌର ନିର୍ବାଚନ କରି ବିଜେଡି କଦାପି ନିଜ ପାଇଁ ବିପର୍ଯ୍ୟୟ ଡାକିବ ନାହିଁ ବୋଲି ତିଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି। ସୂଚନାଯୋଗ୍ୟ,୨୦୧୮ ସେପ୍ଟେମ୍ବର ୩୦ତାରିଖରୁ ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ଟି ପୌର ସଂସ୍ଥା , ୨୦୧୮ ଡିସେମ୍ବର ୪ରେ ୨୦ଟି ପୌର ସଂସ୍ଥା, ୨୦୧୮ ଡିସେମ୍ବର ୯ରେ ଅନ୍ୟ ୨ଟି ପୌର ସଂସ୍ଥା, ୨୦୧୯ ଜାନୁୟାରୀ ୧୭ରୁ ଭୁବନେଶ୍ୱର ମହାନଗର ନିଗମ,  ୨୦୧୯ ଫେବୃୟାରୀ ୧୩ ଓ ଜୁଲାଇ ୧୧ରୁ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ସମେତ ବାକି ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଛି।

କ୍ଷେତରେ ଫଳୁଛି ସବୁଜ, ହଳଦିଆ ଓ ଗୋଲାପୀ ରଙ୍ଗର ଫୁଲ କୋବି..!

 ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶୀତୁଆ ସକାଳରେ କ୍ଷେତରେ ଖେଳୁଛି ସବୁଜ, ହଳଦିଆ ଓ ପିଙ୍କ ରଙ୍ଗର ଫୁଲ କୋବି। ଇଣ୍ଟରନେଟ୍‌ରୁ କୋବି ଚାଷର ଫର୍ମୁଲା ପାଇ ନିଜ କ୍ଷେତରେ ପ୍ରୟୋଗ କରିଛନ୍ତି ଯୁବ ଚାଷୀ ଉତ୍ତମ ସାହୁ। ଆଉ ବଜାରରେ ଏହି କୋବିର ଚାହିଦା ଭଲ ଥିବାରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏହି ଯୁବ ଚାଷୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ। ତଳିତ ଗାଁର ଉତ୍ତମ ସାହୁ କୃଷି ବିଭାଗର ଜଣେ କର୍ମଚାରୀ। ଥରେ ମୋବାଇଲ୍‌ରେ ଖେଳାଉ ଖେଳାଉ ତାଙ୍କ ନଜରରେ ପଡ଼ିଲା ସବୁଜ, ହଳଦୀଆ ଓ ବାଇଗଣୀ ରଙ୍ଗ ଫୁଲ କୋବି ଉପରେ। ଏହା ପରେ ଉତ୍ତମ ଏନେଇ ନିଜ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ତା’ପରେ ତିନି ପ୍ରକାର ମଞ୍ଜି ଆଣି ନିଜ ବାପାଙ୍କୁ ଦେଇଥିଲେ। ଉତ୍ତମଙ୍କ ବାପା ସେହି ବିହନକୁ ନିଜ କ୍ଷେତରେ ପ୍ରୟୋଗ କରିଥିଲେ। ଆଉ ଏବେ ବାଡ଼ିରେ ଖିଲି ଖିଲି ହୋଇ ହସୁଛି ୩ ପ୍ରକାର ଫୁଲ କୋବି। ଉତ୍ତମଙ୍କ ବାଡ଼ିରେ ବର୍ତ୍ତମାନ ୪ରୁ ୫ ହଜାର କୋବି ଫଳିଛି। ଏହି କୋବିର ଔଷଧୀୟ ଗୁଣ ଥିବାରୁ ବଜାରରେ ଚାହିଦା ମଧ୍ୟ ରହିଛି। 

ପାଇଖାନା ପାଇଁ ଦୁଇ ବିଡିଓ ନିଲମ୍ୱିତ …!

 ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପାଇଖାନା ଦୁର୍ନୀତି ଅଭିଯୋଗରେ ଦୁଇ ବିଡିଓ ଓ ଜଣେ ନିଲମ୍ୱିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ୩ ଅଧିକାରୀଙ୍କୁ ନିଲମ୍ୱିତ କରିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଓ ଯନ୍ତ୍ରୀ ସୁନୀଲ ସାମଲଙ୍କ ନାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିଲା। ଶୌଚାଳୟ ନିର୍ମାଣରେ ଅନିୟମିତତା ନେଇ ବିଡିଓ ଦେବେନ୍ଦ୍ର ବାହାଦୂର ସିଂଙ୍କ ବିରୋଧରେ ଶତାଧିକ ହିତାଧୀକାରୀ ଥାନାରେ ଏତଲା ଦେଇଥିଲେ। ଝରିଗାଁ ବ୍ଲକ୍‌ରେ ୨୬ ହଜାର ୩୫୫ ଟି ଶୌଚାଳୟ ନିର୍ମାଣ ବାବଦକୁ କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ବେଳେ ପିସି ବାବଦକୁ ବିଡିଓ ୫ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପିଡି-ଡିଆରଡିଏ ଗାଁକୁ ଯାଇ ତଦନ୍ତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ସମାନଭାବେ ପାଇଖାନା ଦୁର୍ନୀତି ଅଭିଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ୍‌ ନିଲମ୍ବିତ ହୋଇଛନ୍ତି। ବ୍ଲକରେ ଶୌଚାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତାଙ୍କୁ ନିଲମ୍ବିତ କରିଛି। ଏହାସହ ପିଡି-ଡିଆରଡିଏଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନଯିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।