ସନ୍ନି ଲିଓନଙ୍କ ପ୍ରେମରେ ପଡ଼ିଲେ ସଲମାନ !

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) –ପୁଣି ପ୍ରେମରେ ପଡ଼ିଲେ ବଲିଉଡର ଭାଇଜାନ ସଲମାନ ଖାନ। କ୍ୟାଟ୍ରିନା ଏବଂ ୟୁଲିଆଙ୍କ ପରେ ଏଥର ସେ ଅଭିନେତ୍ରୀ ସନ୍ନି ଲିଓନଙ୍କ ପ୍ରେମରେ ପଡିଛନ୍ତି । ସନ୍ନିଙ୍କ ସୁନ୍ଦରତା ଦେଖି ପାଳଗ ହୋଇଯାଇଛନ୍ତି ଦବଙ୍ଗ ଖାନ । ଏପରିକି ସର୍ବସମ୍ମୁଖରେ ତାଙ୍କୁ ପ୍ରପୋଜ ମଧ୍ୟ କରି ଦେଇଛନ୍ତି। ନିକଟରେ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗବସ୍-୧୪’ର ୱିକେଣ୍ଡ କା ୱାରରେ ପହଞ୍ଚିଥିଲେ ଅଭିନେତ୍ରୀ ସନ୍ନି ଲିଓନ।  ଏହି ସମୟରେ ସଲମାନ, ସନ୍ନିଙ୍କୁ ଦେଖି ବେଶ ଖୁସି ହୋଇଯାଇଥିଲେ। ଏଥିସହ ତାଙ୍କ ସହ ବେଶ ମଜା କରିଥିଲେ ଏବଂ ସେଠାରେ ସନ୍ନିଙ୍କୁ ପ୍ରପୋଜ କରିଥିଲେ ସଲମାନ।ସଲମାନଙ୍କୁ ଭେଟିବା ପରେ ସନ୍ନି  ଆପଣଙ୍କ କ’ଣ ହୋଇଛି ବୋଲି ପଚାରିଥିଲେ । ଏହାର ଉତ୍ତରରେ ସଲମାନ କହିଥିଲେ, ମୋତେ ଜ୍ୱର ହୋଇଛି, ମୁଁ ତୁମ ପ୍ରେମରେ ପଡିଛି । ଏହାକୁ ଲଭେରିଆ କୁହାଯାଏ। ସଲମାନଙ୍କ ଏଭଳି  ପ୍ରେମ ନିବେଦନକୁ ଦେଖି ସନ୍ନି ଖୁସିରେ ପାଗଳ ହୋଇଯାଇଥିଲେ । ପରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଥିଲେ । ଶୋ’ର ପବ୍ଲିକ ଟିଆରପି ପାଇଁ ଏସବୁ କିଛି ଡ୍ରାମା କରିଥିଲେ ଭାଇଜାନ।ସୂଚନା ଯୋଗ୍ୟ ଯେ, ବିଗବସ-୫ର ପ୍ରତିଯୋଗୀ ରହିସାରିଥିବା ସନ୍ନି ଲିଓନୀଙ୍କୁ ଏହି ରିଆଲିଟି ଶୋ’ ପରେ ହିଁ ବଲିଉଡରେ ଏଣ୍ଟ୍ରି ମିଳିଥିଲା । ‘jism-2’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କୁ ଗୋଟିକ ପରେ ଗୋଟିଏ ଫିଲ୍ମର ଅଫର ହୋଇଥିଲା । ଅନେକ ଫିଲ୍ମର ଆଇଟମ ସଙ୍ଗରେ ମଧ୍ୟ ସନ୍ନିଙ୍କୁ ଦେଖିବାକୁ ମିଳିଛି ।

ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି କି? ହୋଇଯା’ନ୍ତୁ ସାବଧାନ;ନହେଲେ ହୋଇପାରେ ଭୟାନକ ସମସ୍ୟା ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ମୁଣ୍ଡବିନ୍ଧା ହେବା ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଏକ ସାଧାରଣ କଥା। ମାଇଗ୍ରେନ ଥିଲେ ସାଧାରଣତଃ ମୁଣ୍ଡବିନ୍ଧା ହୁଏ । ବେଳେ ବେଳେ ଭୋକ ଲାଗିଲେ ବି ମୁଣ୍ଡବିନ୍ଧା ହୋଇଥାଏ । ଖାଦ୍ୟ ସ୍କିପ୍ ବା ଦୀର୍ଘସମୟ ଧରି ଖାଲି ପେଟରେ ରହିଲେ ମୁଖ୍ୟ ରୂପେ ମୁଣ୍ଡ ବିନ୍ଧିଥାଏ। ଯଦି ଆପଣଙ୍କ ମଧ୍ୟ ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି ତାହେଲେ ସାବଧାନ ହୋଇଯା’ନ୍ତୁ । ଏହା ଆଗକୁ ବଡ ବିପଦ ସାଜିପାରେ ।ଏକ ଅଧ୍ୟୟନ ମୁତାବକ, ମୁଣ୍ଡବିନ୍ଧା ହେବାର ମୁଖ୍ୟକାରଣ, ଥକାପଣ, ପାଗ ପରିବର୍ତ୍ତନ, ପରିଅଡସ, ହୋହଲ୍ଲା, ନିଦ, ଭୋକ ଏବଂ ଖାଦ୍ୟ ସ୍କିପ କରିବା ହୋଇଥାଏ । ଡିହାଇଡ୍ରେସନ, କମ୍ ଖାଦ୍ୟ ଏବଂ କେଫିନର ଅଭାବ ଯୋଗୁଁ ଶରୀରରେ ଗ୍ଲୁକୋଜ ମାତ୍ରା କମିଯାଏ, ଫଳରେ ମୁଣ୍ଡବିନ୍ଧା ସୃଷ୍ଟି ହୁଏ। ଭୋକ ଲାଗିଲେ ହଙ୍ଗର ହେଡେକ୍ ବା ମୁଣ୍ଡବିନ୍ଧିବା ଭଲ ଲକ୍ଷଣ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।ଭୋକ ଯୋଗୁଁ ମୁଣ୍ଡବିନ୍ଧିବା ସହ କାନ୍ଧ, ବେକ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ପେଟ ଫୁଲିବା, ହାତ ଥରିବା, ମୁଣ୍ଡ ଘୁରେଇବା, ପେଟ ଯନ୍ତ୍ରଣା ହେବା, ଥଣ୍ଡା ଆଦି ଅନୁଭବ ହୁଏ । ବେଳେବେଳେ ଗ୍ୟାସଟ୍ରିକ୍ ସମସ୍ୟା ଯୋଗୁଁ ମଧ୍ୟ ମୁଣ୍ଡ ବିନ୍ଧିଥାଏ ।  ତେଣୁ ଯେତେ ସମ୍ଭବ ପେଟ ଖାଲି ରଖିବା ଉଚିତ ନୁହେଁ । ନଚେତ ମୁଣ୍ଡାବିନ୍ଧା ସହ ଅନ୍ୟ ରୋଗ ମଧ୍ୟ ମାଡି ବସିବ ।ତେଣୁ ଖାଦ୍ୟ ସ୍କିପ ନ କରି ସଠିକ ସମୟରେ ଖାଇବା ଉଚିତ । ଯଦି କାମ ପ୍ରେସର ଅଧିକ ଥାଏ ତେବେ ସେଥିରୁ ସମୟ ବାହାର କରି ନିୟମିତ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଇବା ଉଚିତ । ହାଇ ସୁଗାର ଚକୋଲେଟ ବା ମିଠା ଜୁସ ଖାଇବାଠୁ ଦୂରେଇ ରୁହନ୍ତ ।  ଭୋକକୁ ମେଣ୍ଟେନ କରିବା ପାଇଁ ପ୍ରଚୁର ମାତ୍ରରେ ପାଣି ପିଅନ୍ତୁ । ଯଦି ଆପଣଙ୍କ ମୁଣ୍ଡାବିନ୍ଧା ଚା, କଫି ବା କେଫିନ ଜାତୀୟ ପାନିୟ ସେବନ କରିବା ପରେ ମଧ୍ୟ ହେଉଛି, ତେବେ ଏହାକୁ ପିଇବା କମାଇ ଦିଅନ୍ତୁ ।

ବ୍ରାଣ୍ଡ ଅସଲି,ଭିତରେ ମାଲ୍ ନକଲି ;ତେଲ,ଘିଅ ଓ ପନିର ପରେ ଏବେ ଚା ପତି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ବ୍ରାଣ୍ଡେଡ୍ ପ୍ୟାକେଟ ଭିତରେ ଡୁପ୍ଲିକେଟ ମାଲ୍ । ଅସଲି ବ୍ରାଣ୍ଡ ଭିତରେ ରହିଛି ନକଲି ଚାହା ପତି । ମହଙ୍ଗା ପକେଟ ଦେଖି ଗ୍ରାହକ ଏହି ଚାହା ପତି ପ୍ୟାକେଟ କିଣିବା ବେଳେ ସେଥିରୁ ବାହାରୁଛି ଡୁପ୍ଲିକେଟ ମାଲ୍ । ଅମୃତଭଣ୍ଡା ଗଛର ପତ୍ର ଗୁଣ୍ଡରେ ଚାହା ପତି ପ୍ରସ୍ତୁତ ହେଉଛି । ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ପୁରା ସତ । ଘିଅ, ପନିର, ଧୂପକାଠି, ପୂଜା ସାମଗ୍ରୀ ପରେ କଟକରୁ ପୁଣି ମିଳିଛି ଏଭଳି ନକଲି ଚାହା ପତି ।କଟକ ସଦର ଥାନା ମୁକାମେଶ୍ୱର ଗାଁରୁ ବିପୁଳ ପରିମାରଣ ନକଲି ଚାହା ପତି ଫ୍ୟାକ୍ଟ୍ରିଠାବ ହୋଇଛି । ଆଜି ସକାଳୁ କଟକ ସଦର ପୁଲିସ କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରି ଏହି ସାମଗ୍ରୀ ଜବତ କରିଛି । ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ପ୍ରାୟ ୫୦ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚାହା ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।ଏକ ଆଜବେଷ୍ଟସ ଘରେ ଚାଲିଥିଲା ଏହି ନକଲି ବେପାର । ଏହି କମ୍ପାନୀ ଭିତରେ ଦୀର୍ଘ ବର୍ଷ ଧରି ନକଲି ଚାହା ନିର୍ମାଣ ହେଉଥିଲା। କିଛି ବ୍ରାଣ୍ଡେଡ କମ୍ପାନୀର ପକେଟରେ ନକଲି ଚାହାକୁ ଫ୍ୟାକିଂ କରି ବଜାରକୁ ଛଡା ଯାଉଥିଲା। କଟକ ପୋଲିସ୍ ଓ ସିଏମ୍ସି ଟିମ୍ ମିଳିତ ଭାବେ ଚଢ଼ଉ କରି ଏସବୁକୁ ଜବତ କରିଛି । ତେବେ ଏହି ଗୋଟିଏ ଘଟଣା ନୁହେଁ ଏହାପୂର୍ବରୁ ଘିଅ, ମସଲା, ପନିର୍ ଭଳି ଏକାଧିକ ଖାଦ୍ୟ ସାମଗ୍ରୀ ନକଲି ପ୍ରସ୍ତୁତକାରୀ କମ୍ପାନି କଟକରୁ ଠାବ ହୋଇଛି ।

ଆକ୍ରମଣ କରିବାକୁ ଯୋଜନା କରୁଛି ପାକ୍‌, ଅନୁପ୍ରବେଶ ଅପେକ୍ଷାରେ ୪୦୦ ଆତଙ୍କୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ଶୀତ ଦିନେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ। ଏଥିପାଇଁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ନୀଳନକ୍ସା ଆଙ୍କିଛି ଇସଲାମାବାଦ। ୧୦ କି ୧୦୦ ନୁହେଁ, ନିଜ ଯୋଜନାକୁ ସଫଳ କରିବା ପାଇଁ ପାକିସ୍ତାନ ନିଜ ସୀମାରେ ଥିବା ଲଞ୍ଚ ପ୍ୟାଡ୍‌ରେ ପ୍ରାୟ ୪୦୦ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରି ରଖିଛି। ଏହି ଆତଙ୍କବାଦୀମାନେ ଏଲଓସି ଡେଇଁ ଜମ୍ମୁ-କଶ୍ମୀରେ ପ୍ରବେଶ କରିବେ ଓ ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରିବେ। ଆଜି ଏ ସମ୍ପର୍କ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମିଳିବା ପରେ ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ ଶୀତ ଦିନ ଚାଲିଥିବାରୁ ଏଲଓସିର ଅଧିକାଂଶ ପ୍ରବେଶ ପଥ ବରଫ ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ବରଫ ଚାଦରର ସୁଯୋଗ ନେଇ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ୨୦୨୦ରେ ପାକିସ୍ତାନ ୪୪ ଜଣ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇଥିବା ବେଳେ ୨୦୧୯ରେ ଏହା ୧୪୧ ଥିଲା। ସେହିପରି ୨୦୧୮ରେ ୧୪୩ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିଲେ।ତେବେ ଭାରତୀୟ ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ପାକିସ୍ତାନ ୨୦୨୦ରେ ଅଧିକ ଆତଙ୍କବାଦୀଙ୍କୁ ପଠାଇବାକୁ ସକ୍ଷମ ହୋଇ ପାରି ନଥିଲା। ଏଥିପାଇଁ ଗୋଟିଏ ବର୍ଷରେ ପାକିସ୍ତାନ ୫୧୦୦ ଥର ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ନିଜ ଆକ୍ରୋଶ ଦେଖାଇବାକୁ ଚେଷ୍ଟା କରିଥିଲା। ୨୦୧୩ ପରେ ପ୍ରଥମଥର ପାଇଁ ୨୦୨୦ ବର୍ଷରେ ପାକିସ୍ତାନ ସର୍ବାଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା।ଏପରି କରି ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଇସଲାମାବଦ ଲକ୍ଷ୍ୟ ରଖିଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏବେ ମିଳିଥିବା ସୂଚନା ଅନୁଯାୟୀ, ପିଓକେରେ ଥିବା ଲଞ୍ଚ ପ୍ୟାଡ୍‌ରେ ୩୦୦ରୁ ୪୧୫ ଜଣ ତାଲିମ ପ୍ରାପ୍ତ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ସୁଯୋଗରେ ରହିଛନ୍ତି। କଶ୍ମୀର ଉପତ୍ୟକାର ଉତ୍ତର ପୀର ପଞ୍ଜଲର ସୀମା ସେପଟେ ୧୭୫ରୁ ୨୧୦ ଆତଙ୍କୀ ରହିଥିବା ବେଳେ ଜମ୍ମୁର ପୀର ପଞ୍ଜଲର ସୀମା ସେପଟେ ୧୧୯ରୁ ୨୧୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବା ଯୋଜନାରେ ରହିଛନ୍ତି। ଜମ୍ମୁ-କଶ୍ମୀରକୁ ଟର୍ଣ୍ଣେଲ ମାଧ୍ୟମରେ ଅସ୍ତ୍ରଶସ୍ତ୍ର, ଆତଙ୍କବାଦୀ ଓ ବିସ୍ଫୋରକ ପଠାଇବାକୁ ପାକିସ୍ତାନର ସୁରକ୍ଷା ଏଜେନ୍ସି ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି। ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ପାଇଁ ଡ୍ରୋନ ଦ୍ୱାରା ମଧ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଉଛି। ଗତବର୍ଷ ଡିସେମ୍ବର ମାସରେ ପ୍ରବଳ ବରଫ ପାତ ସମୟରେ ମଧ୍ୟ ଆତଙ୍କବାଦୀମାନେ ପୁଞ୍ଚରେ ଅନୁପ୍ରବେଶ କରିଥିଲେ। ହେଲେ ସେମାନଙ୍କୁ ଭାରତୀୟ ସୁରକ୍ଷାକର୍ମୀମାନେ ଖତମ କରିଦେଇଥିଲେ। ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ପାଇଁ ପ୍ରାୟ ୨୦ଟି ସ୍ଥାନ ଚିହ୍ନଟ ହୋଇଛି। ଏହି ସବୁ ଅଞ୍ଚଳରେ ଭାରତୀୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ରହରା ଦିଆଯାଉଛି। ଆତଙ୍କବାଦୀମାନେ ଯେମିତି ଭାରତରେ ଅନୁପ୍ରବେଶ କରିପାରିବେ ନାହିଁ, ତା’ର ସବୁ ପ୍ରକାରର ବ୍ୟବସ୍ଥା ଏଠାରେ କରାଯାଇଛି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

କୃଷି ଆଇନ ପଛର କାରଣ ଚାଷୀ ସଂଗଠନ ନିଶ୍ଚିତ ବୁଝିପାରିବେ: କୃଷିମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନଗୁଡ଼ିକ ସମୟ ଆସିଲେ ନିଶ୍ଚିତ ଏହାକୁ ବୁଝି ପାରିବେ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ଆସନ୍ତାକାଲି ଚାଷୀ ସଂଗଠନ ଗୁଡ଼ିକ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଶ୍ରୀ ତୋମାର ଏଭଳି ବୟାନ ଦେଇ ପୁଣିଥରେ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ପାଇଁ ତିଆରି ହୋଇଥିବା ବୁଝାଇବାକୁ ଚେଷ୍ଟା କରିଛନ୍ତି।ସେ କହିଛନ୍ତି, ଭାରତ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଆମେ କୃଷି ଆଇନକୁ ସମର୍ଥନ କରୁଥିବା ଓ ବିରୋଧ କରୁଥିବା ଚାଷୀ ସଂଗଠନର ସଦସ୍ୟଙ୍କୁ ଭେଟିଛୁ। କୃଷି ଆଇନ ଆସିବା ପଛର କାରଣ ନିଶ୍ଚିତ ଭାବେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଗୁଡ଼ିକ ବୁଝିପାରିବେ। ସେମାନେ ନିଶ୍ଚିତ ଚାଷୀଙ୍କ କଲ୍ୟାଣ କଥା ଭାବିବେ ଓ ସକାରାତ୍ମକ ଆଭିମୁଖ୍ୟ ନେଇ ଆଲୋଚନାକୁ ଆସିବେ ବୋଲି ସେ କହିଛନ୍ତି।କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବିରୋଧ ନଭେମ୍ବର ୨୬ରୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମନେଇବାକୁ ସରକାର ୭ଥର ବୈଠକ କରି ସାରିଲେଣି। ହେଲେ ଏହି ବୈଠକଗୁଡ଼ିକରେ କୌଣସି ନିଷ୍କର୍ସ ବାହାରି ପାରୁନାହିଁ।ସୋମବାର ଶେଷ ବୈଠକ ବସିଥିଲା। ଏହି ସମୟରେ ଚାଷୀମାନେ କୃଷି ଆଇନକୁ ଉଚ୍ଛେଦ କରିବାକୁ ଦାବି କରିଥିଲେ। ହେଲେ ସରକାର ଏହାକୁ ରୋକଠୋକ ମନା କରି ଦେଇଥିଲେ। ଏଥିପାଇଁ ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଘୋଷଣା କରିଛନ୍ତି। କାଲି ଟ୍ରାକ୍ଟର ରାଲି ଓ ଜାନୁଆରୀ ୨୬ରେ ସମଗ୍ର ଦେଶରେ ବିକ୍ଷୋଭ କରିବେ ବୋଲି ଚାଷୀ ସଂଗଠନ ଗୁଡ଼ିକ ଚେତାବନୀ ଦେଇଛନ୍ତି।

କଂଗ୍ରେସକୁ ବଡ଼ ଝଟକା: ୧୯ରୁ ୧୧ ବିଧାୟକ ଜେଡିୟୁରେ ମିଶିବେ!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିହାର ରାଜନୀତିରେ ସୃଷ୍ଟି ହୋଇଛି ବଡ଼ ଟ୍ୱିଷ୍ଟ। ବିଧାନସଭା ନିର୍ବାଚନରେ ମାତ୍ର ୧୯ଟି ଆସନ ଜିତିଥିବା କଂଗ୍ରେସ ଏବେ ରାଜ୍ୟରେ ଏକ ପ୍ରକାରର ମୂଳପୋଛ ହେବାର ସଙ୍କେତ ମିଳିଛି। କାରଣ ଦଳର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଯଦି ଏହି କଂଗ୍ରେସ ବିଧାୟକମାନେ ଦଳ ପରିବର୍ତ୍ତନ କରୁଛନ୍ତି, ତା’ହେଲେ ସେମାନଙ୍କ ଉପରେ ଦଳ ବଦଳ ଆଇନ ଲାଗୁ ହେବନାହିଁ। ସେହିପରି ବିଧାନସଭା ନିର୍ବାଚନରେ ମାତ୍ର ୪୩ଟି ଆସନ ଜିତି ବିଜେପି ସହ ମିଶି ସରକାର ଗଠନ କରିଥିବା ଜେଡିୟୁର ବିଧାୟକଙ୍କ ସଂଖ୍ୟା ମଧ୍ୟ ୫୪ରେ ପହଞ୍ଚି ଯିବ। ତେଣୁ ଆଗକୁ ବିହାରରେ ରାଜନୀତିକ ହଟଚମଟ ନିଶ୍ଚିତ ଭାବେ ସୃଷ୍ଟି ହେବ ବୋଲି କୁହାଯାଉଛି। ବିହାର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭାରତ ସିଂହ କହିଛନ୍ତି, ୧୧ ଜଣ କଂଗ୍ରେସ ବିଧାୟକ ଖୁବଶୀଘ୍ର ଜେଡିୟୁରେ ସାମିଲ ହୋଇପାରନ୍ତି। ଏହି ନେତାମାନଙ୍କୁ ଜେଡିୟୁ ଟିକେଟ ନ ଦେବାରୁ ସେମାନେ ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ଟିକେଟରେ ଏମାନେ ଜିତିବା ପରେ ପୁଣିଥରେ ଜେଡିୟୁକୁ ଫେରିବାକୁ ଯୋଜନା କରିଛନ୍ତି। ୧୧ ଜଣ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ରାଜ୍ୟ କଂଗ୍ରେସ ସଭାପତି ମଦନ ମୋହନ ଝା, ରାଜ୍ୟସଭା ସାଂସଦ ଅଖିଲେଶ ପ୍ରସାଦ ସିଂହ ଓ ବରିଷ୍ଠ ନେତା ସଦାନନ୍ଦ ସିଂହ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି। ମଦନ ଓ ସଦାନନ୍ଦ ବିହାର ବିଧାନ ପରିଷଦକୁ ଯିବାକୁ ଚାହୁଁଛନ୍ତି। ତେଣୁ ସେମାନେ ଏଭଳି କରୁଥିବା ଭାରତ ସିଂହ ଅଭିଯୋଗ କରିଛନ୍ତି। ଚଳିତ ବିହାର ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମିଳିତ ଭାବେ ଲଢ଼େଇ କରିଥିଲେ। କଂଗ୍ରେସ ୨୪୩ ଆସନ ବିଶିଷ୍ଟ ବିଧାନସଭା ଆସନରୁ ୭୦ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲା। ହେଲେ କେବଳ ୧୯ଟିରେ ଜିତିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଆରଜେଡି ୭୫ଟି ଆସନରେ ବାଜିମାତ କରିଥିଲା। ଅନ୍ୟପକ୍ଷରେ ବିଜେପି ୭୪ଟି ଓ ଜେଡିୟୁ ୪୩ଟି ଆସନରେ ଜିତି ସରକାର ଗଠନ କରିଛନ୍ତି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପଦରେ ରହିବାକୁ ଚାହୁଁ ନଥିବା କହିଥିଲେ। ସେହିପରି ବିଜେପି ଓ ଜେଡିୟୁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ସୂଚନା ମିଳିଥିଲା। ଏସବୁ ଭିତରେ ୧୧ କଂଗ୍ରେସ ବିଧାୟକଙ୍କ ପଟ ପରିବର୍ତ୍ତନ ବିହାର ରାଜନୀତିରେ ନୂଆ ଟ୍ୱିଷ୍ଟ ସୃଷ୍ଟି କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

କାଲିଠୁ ଖୋଲିବ ସ୍କୁଲ;କଡ଼ାକଡ଼ି ପାଳନ ହେବ ଗାଇଡଲାଇନ୍‌..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା କଟକଣା ପାଇଁ ପ୍ରାୟ ୯ ମାସ ଧରି ବନ୍ଦ ରହିବା ପରେ ଆସନ୍ତା କାଲିଠୁ ସାରା ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ।  ତେବେ ସମସ୍ତଙ୍କ ପାଇଁ ନୁହେଁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି।  ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରାଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବାକୁ ବାଧ୍ୟତାମୂଳକ । ସ୍କୁଲ ଖୋଲିବାର ୨ ଦିନ ପରେ ଅର୍ଥାତ ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କ୍ଲାସରୁମ୍, ଲାଇବ୍ରେରୀ, ଶୌଚାଳୟକୁ ସାନିଟାଇଜ କରାଯାଉଛି । ସେପଟେ ସ୍କୁଲ କଲେଜ ଖୋଲିବା ପ୍ରସଙ୍ଗରେ ରାଜଧାନୀର ବିଭିନ୍ନ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ସହିତ ବିଏମ୍‌ସି ପକ୍ଷରୁ ଆଲୋଚନା କରାଯାଇଛି।  ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌କୁ ସଂପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି  । ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଯେଉଁ ପିଲାମାନେ ସ୍କୁଲ କଲେଜ ଆସିବେ, ସେମାନଙ୍କ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଜରୁରୀ ଅଟେ । ଏହାକୁ ଶିକ୍ଷାନୁଷ୍ଠାନଗୁଡ଼ିକ ନିହାତି ଭାବେ ମାନିବେ  । ସ୍କୁଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଯେଉଁ SOP ପ୍ରସ୍ତୁତ କରିଛନ୍ତି, ତାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ତା ସହିତ ବିଏମ୍‌ସି ଏକ ହେଲ୍ପ ନମ୍ବର ଜାରି କରିଛି । କୋଭିଡ ସଂପର୍କିତ କିଛି ସମସ୍ୟା ହେଲେ, ଏହି ନମ୍ବରରେ ସ୍କୁଲ କଲେଜ କର୍ତ୍ତୃପକ୍ଷ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ସମସ୍ୟା ସମ୍ପର୍କରେ ଅବଗତ କରାଇପାରିବେ। ସୂଚନାଯୋଗ୍ୟ୍ୟ,  ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ବାର୍ଷିକ ପରୀକ୍ଷା  ତଥା ବିଭିନ୍ନ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ,  କରୋନା ମହାମାରୀ ଭିତରେ ଆସନ୍ତା ୧୦ ତାରିଖରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲ୍ଅପ୍‌ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍ଅପ୍‌ କରିବେ । ପରୀକ୍ଷା ଦେବାକୁ ଥିବା ରେଗୁଲାର, କ୍ୱାସି ରେଗୁଲାର, ଏକ୍ସ ରେଗୁଲାର, କରେସପଣ୍ଡେନ୍ସ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ମାନେ ୧୦ ତାରିଖରୁ ଫର୍ମ ଫିଲଅପ୍ କରିପାରିବେ । ସକାଳ ୧୦ଟାରୁ ଫର୍ମ ଫିଲଅପ୍ ଆରମ୍ଭ ହେବ । ଏହା ୨୮ ତାରିଖ ଯାଏ ଚାଲିବ । ତେବେ ଫର୍ମ ଫିଲଅପ୍ ପାଇଁ ଜାନୁଆରି ୨୭କୁ ଫିସ୍ ଦାଖଲର ଶେଷ ଦିନ ରଖାଯାଇଛି । ଅନ୍ୟପକ୍ଷରେ ଜାନୁଆରି ୨୮ରୁ ଫେବୃଆରି ୧ ତାରିଖ ରାତି ୧୧ଟା ୪୫ ଯାଏ ଜରିମାନା ସହ ଫର୍ମ ଫିଲପ କରାଯାଇପାରିବ । ତେବେ ଜରିମାନା ସହ ଫର୍ମ ଫିଲଅପ୍‌ ଶେଷ ଦିନ ଫେବୃଆରୀ ୨ ତାରିଖ ରହିଛି । www.bseodisha.ac.in ୱେବସାଇଟରେ ଫର୍ମ ପୂରଣ ପାଇଁ ଲିଙ୍କ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି। ଏହାପରେ ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ‍୍‌ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ। ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ‍୍‌ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶନିବାର/ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠ ପଢ଼ାଯିବ। ପାଠପଢ଼ା ନିମନ୍ତେ  ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍ ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ‍୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିଦ୍ଦେର୍ଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ। ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ‍୍‌ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନ‍୍‌ଲାଇନ‍୍‌ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ।

ଖୋଲିବ ହୋଟେଲ, ବାର୍ ଓ ବିୟର ପାର୍ଲର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, କ୍ଲବରେ ଥିବା ବାର ସମେତ ବିୟର ପାର୍ଲରକୁ ତତ୍କାଳ ପ୍ରଭାବରୁ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା କୌଣସି ଏଭଳି ବାର କିମ୍ବା ବିୟର ପାର୍ଲର ଖୋଲିବାକୁ ଅନୁମତି ମିଳିବ ନାହିଁ। ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୩ ଅନ୍ତର୍ଗତ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ଲାଇସେନ୍ସ ସର୍ତ୍ତାବଳୀରେ ଧାର୍ଯ୍ୟ ସମୟ ଅନୁସାରେ ଏଣିକି ‘ବାର’ଗୁଡ଼ିକ ଖୋଲା ରହିବ। ସମସ୍ତ ‘ଅନ୍ ’ସପ୍ ବା ବାରଗୁଡ଼ିକୁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୦ ଜୁନ୍ ୪ତାରିଖରେ ଜାରି କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ଏସବୁ ପ୍ରତି ତୀକ୍ଷ୍ଣ ନଜର ରଖିବା ସହ କୋଭିଡ୍ ଗାଇଡଲାଇନ୍ ଓ ଅନ୍ୟାନ୍ୟ ପ୍ରାବଧାନକୁ ଯଦି କୌଣସି ଲାଇସେନ୍ସଧାରୀ ଉଲ୍ଲଘଂନ କରନ୍ତି ତା’ହେଲେ ସ୍ଥାନୀୟ ଜିଲ୍ଲାପାଳମାନେ ସେହି ବାରକୁ ବନ୍ଦ କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ୭ତାରିଖରୁ ରାଜ୍ୟରେ ସମସ୍ତ ଆଇଏମଏଫଏଲ୍ ‘ଅଫ୍‌’ ଓ ‘ଅନ୍‌’ ସପ୍ ସମେତ ମଦର ହୋମ୍ ଡେଲିଭରୀକୁ ଅନୁମତି ଦେଇଥିଲେ। ମାତ୍ର ରେଷ୍ଟୁରାଣ୍ଟ, ହୋଟେଲ ଓ କ୍ଲବଗୁଡ଼ିକରେ ଥିବା ବାରକୁ ଖୋଲିବା ପାଇଁ ଅନୁମତି ମିଳିନଥିଲା।

ଧମକାଇଲେ ମିଲର! କ୍ୱିଣ୍ଟାଲ୍‌ ପିଛ ୨ କେଜି ନକାଟିଲେ ଧାନ ନେବୁନି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସମବାୟ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଲରଙ୍କ ମନମାନି। ଧାନ କିଣା ଶୁଭାରମ୍ଭ କରି ଅତିଥି ଗଲା ପରେ ଚାଷୀଙ୍କୁ ନାଲି ଆଖି ଦେଖାଇଲେ ମିଲର୍‌। ଆଉ କହିଲେ, କ୍ୱିଣ୍ଟାଲ୍‌ ପିଛା ଦୁଇ କେଜି ନକାଟିଲେ ଧାନ ନେବୁନାହିଁ ବୋଲି ମିଲର ଧମକ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହାକୁ ଆଠଗଡ ବ୍ଲକ୍‌ ବଡଭୂଇଁ ଧାନ ମଣ୍ଡିରେ ଅସନ୍ତୋଷ ଦେଖା ଦେଇଛି। ପୂରା ଘଟଣାଟି ଏମିତି। ଆଠଗଡ଼ ବ୍ଲକ୍‌ ବଡ଼ଭୂଇଁରେ ଧାନ ମଣ୍ଡି ଖୋଲିଛି। ଆଜି ସକାଳେ ଏହି ଧାନମଣ୍ଡିରୁ ଧାନ କିଣା ଶୁଭାରମ୍ଭ କରିଥିଲେ କଟକ ଜିଲ୍ଲାର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା। ନେତାଙ୍କ ଯିବା ପରେ ଧାନ କଟାକଟିକୁ ନେଇ ମିଲର ଓ ଚାଷୀଙ୍କ ମଧ୍ୟରେ ଆରମ୍ଭ ହେଲା ବିବାଦ।। କ୍ୱିଣ୍ଟାଲ୍‌ ପିଛା ୨ କେଜି ଧାନ କିଣିବାକୁ ମିଲ୍‌ର ଜିଦ୍‌ ଧରି ବସିଥିଲେ। ହେଲେ ଚାଷୀମାନେ ଏଥିରେ ରାଜି ହୋଇନଥିଲେ। ପ୍ରତିବର୍ଷ ପରି ଏଥର କ୍ୱିଣ୍ଟାଲ୍‌ ପିଛା କେଜିଏ ଧାନ କାଟିବାକୁ କହିଥିଲେ। ହେଲେ ଚାଷୀଙ୍କ ଏହି ପ୍ରସ୍ତାବରେ ମିଲର୍‌ ରାଜି ହୋଇନଥିଲେ।ଜଣେ ଚାଷୀ କହିଛନ୍ତି-“ଧାନ ବିକ୍ରି କରିବା ପାଇଁ ଗତକାଲି ଟୋକନ୍‌ ମିଳିଥିଲା। ଆଜି ସକାଳେ ଚାଷୀମାନେ ଧାନ ଧରି ମଣ୍ଡିରେ ଗଦେଇଥିଲେ। ମିଲର୍‌ ୧୧ଟା ବେଳେ ଆସି କହିଲେ କ୍ୱିଣ୍ଟାଲ୍‌ ପିଛା ୨ କେଜି କାଟିବେ। ଆମେ ବିରୋଧ କଲୁ। ପ୍ରତିବର୍ଷ ପରି ଏଥର କ୍ୱିଣ୍ଟାଲ୍‌ ପିଛା କେଜିଏ ଲେଖାଏଁ କାଟିବାକୁ କହିଥିଲୁ। ମିଲର ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିଲେ। ଦୁଇ ଲେଖାଏଁ ଧାନ ନକାଟିଲେ ଧାନ ନେବୁନାହିଁ।”ଆଜି ୩୭ ଜଣ ଚାଷୀଙ୍କଠାରୁ ୮୦୦ କ୍ୱିଣ୍ଟାଲ ଧାନ ମଣ୍ଡିକୁ ଆସିଥିଲା। ଗ୍ରେଡ୍‌ ଟେଷ୍ଟ ପରେ ଧାନର ମାନ ଏକ ନମ୍ବର ଥାଇ ମଧ୍ୟ ମିଲର କ୍ୱିଣ୍ଟାଲ୍‌ ପିଛା  ଦୁଇ କେଜି ଧାନ କାଟିବା ପାଇଁ ଜିଦ ଧରିବାରୁ ପ୍ରଥମେ ଉତ୍ତେଜନା ଓ ପରେ ସମାଧାନ ନହେବାରୁ ଚାଷୀମାନେ ଟ୍ରକ୍‌ ଦୁଇଟି ଅଟକାଇ ରଖିଛନ୍ତି। ଏନେଇ ସୋସାଇଟ୍‌ ସେକ୍ରେଟାରି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଲିଙ୍ଗରାଜ ମନ୍ଦିରରେ କୋଭିଡ ଟେଷ୍ଟ ବାଧ୍ୟ ନୁହେଁ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏଣିକି କୋଭିଡ୍‌ ଟେଷ୍ଟ ଜରୁରୀ ନୁହେଁ। ବିନା ଟେଷ୍ଟରେ ମଧ୍ୟ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ସେ କହିଛନ୍ତି-“ଲିଙ୍ଗରାଜ ମନ୍ଦିର ପ୍ରବେଶ ପଥରେ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ବେଳେ ଯଦି କାହାର କୋଭିଡ୍‌ ଲକ୍ଷଣ ଦେଖା ଦିଏ, ତା ହେଲେ ଟେଷ୍ଟ କରାଯିବ। ତା’ସହିତ ସବୁ ବୟସର ଭକ୍ତ ମନ୍ଦିରକୁ ଯାଇ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ବିଏମ୍‌ସି କମିଶନର କହିଛନ୍ତି। ପୂର୍ବରୁ ମନ୍ଦିର ଖୋଲିଥିଲେ ମଧ୍ୟ ୧୦ ବର୍ଷରୁ କମ୍‌ ଓ ୬୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। କୋଭିଡ୍‌ ସ୍ଥିତିରେ ସାମାନ୍ୟ ସୁଧାର ପରେ କଟକଣା ଭିତରେ ଡିସେମ୍ବର ୨୭ରେ ଖୋଲିଥିଲା ଲିଙ୍ଗରାଜ ମନ୍ଦିର।ସୂଚନାରୁ ପ୍ରକାଶ, ଦୀର୍ଘ ୯ ମାସ ପରେ ଗତ ୨୭ ତାରିଖରେ ଖୋଲିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଥିଲା। ଏବେ ସମସ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି।