ପୁଲିସ୍‌ ଉପରେ ଭରସା ପାଉନି, ଝିଅ ପାଇଁ ନବୀନ ନିବାସ ସମ୍ମୁଖରେ ଧାରଣା ଦେବୁ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- “୪ଟା ପିଲା ଗାଁ ଦାଣ୍ଡରେ ଖେଳୁଥିଲେ, ହେଲେ ହଠାତ୍‌ ମୋ ଝିଅ ଗାଏବ ହୋଇଗଲା। ଏହା ପଛରେ ନିହାତି ଗାଁର କେହି ସାମିଲ ଅଛନ୍ତି। ୬ ମାସ  ବିତିଲାଣି, ପୁଲିସ୍‌ କହୁଛି ତଦନ୍ତ ଚାଲିଛି।  ତଦନ୍ତ ଠିକ୍‌ ଭାବେ ହୋଇଥିଲେ ମୋ ଝିଅକୁ ମୁଁ ଫେରି ପାଇଥାନ୍ତି।  ହେଲେ ମୋ ଝିଅ ମିଳୁ ନ ଥିବାରୁ  ପୁଲିସ୍‌ ଉପରେ ଭରସା ପାଉନି।   କ୍ରାଇମବ୍ରାଞ୍ଚ ତଦନ୍ତ ହେଉ। ମୋ ଝିଅକୁ ସୁରକ୍ଷିତ ଭାବେ ଫେରାନ୍ତୁ।  ମୋ ଝିଅ କୋଉଠି ଥିବ, କେମିତି ଥିବ କ’ଣ ଖାଉଥିବ ଆମେ କିଛି ଜାଣି ପାରୁନି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ ପଦାକୁ ଆସିବ।  ପୁଲିସ୍‌ ତଦନ୍ତ କରୁଛି ବୋଲି ପ୍ରତିଶ୍ରୁତି ଦେଉଛି। ହେଲେ ଫଳ ଶୂନ।  ଶେଷରେ ନିଜ ଝିଅ ପାଇଁ ନବୀନ ନିବାସ ସମ୍ମୁଖରେ ଧାରଣା ଦେବୁ।” ଏପରି ଚେତାବନୀ ଦେଇଛନ୍ତି  ଯାଜପୁର ଜିଲ୍ଲା ମଧୁସୁଦନପୁର ଗାଁରୁ ନିଖୋଜ ପିହୁର ପରିବାର ଲୋକେ। ଝିଅକୁ ଅନାଇ ଅନାଇ ୬ ମାସ ବିତିବା ପରେ ଶେଷରେ ପରିବାର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ, ମଧୁସୁଦନପୁର ଗାଁର ଲକ୍ଷ୍ମଣ ନାୟକଙ୍କ ୨ ବର୍ଷର ଝିଅ ଗତ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ଏନେଇ ତାଙ୍କ ମା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ । ହେଲେ  ପୁଲିସ୍‌   ଏହାକୁ ହାଲୁକା ଭାବେ ନେଇ ଏକ ନିଖୋଜ ମାମଲ ରୁଜୁ କରି ଚୁପ ହୋଇ ବସିଥିବା ଅଭିଯୋଗ ହୋଇଥିଲା । ପିହୁ ନିଖୋଜର ୪ ମାସ ପରେ ଘଟଣା ଗଣାମାଧ୍ୟମରେ ପ୍ରସାର ହେବା ପରେ ପୁଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହି ଘଟଣାର ତଦନ୍ତକାରୀ ଅଫିସରଙ୍କୁ ବଦଳାଯାଇ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ହେଲେ ଏବେ ବି ପିହୁ ସମ୍ପର୍କରେ ପୁଲିସ୍‌  କୌଣସି ସୁରାଗ ପାଇବାରେ ଅସମର୍ଥ ହୋଇଛି । ନିଖୋଜ ପିହୁକୁ ଫେରି ପାଇବା ଦାବିରେ ମା’, ବାପା ସମେତ ତାର ଆଇମା’  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏନେଇ ପରିବାର ଲୋକେ ଆଗାମୀ ଦିନରେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ପିହୁ’ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଗାମୁଛରେ ବାନ୍ଧି ତାକୁ ନେଇ ଯାଇଥିଲେ। ଏନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ପୁଲିସ ପିହୁକୁ ଖୋଜୁ ନଥିବା ଅଭିଯୋଗ ହୋଇଛି। ସେପଟେ ପିହୁର ବାପା ବେଙ୍ଗାଲୁରୁରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାରିନଥିଲେ। ନୟାଗଡ଼ର କୁନି ଝିଅ ‘ପରୀ’ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ  ୨ ବର୍ଷର କୁନି ଝିଅ ‘ପିହୁ’ ଗାଁରେ ଦାଣ୍ଡରେ ଖେଳୁଥିବା ବେଳେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଥଇଲା।  ପ୍ରାୟ ୬ ମାସ ପରେ ବି ପୁଲିସ କୌଣସି ସୁରାଗ ପାଇପାରୁ ନ ଥିବାରୁ  ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଥିବା ଅଭିଯୋଗ ହେଉଛି।

ଆଜିଠୁ ଚିଲିକାରେ ପକ୍ଷୀ ଗଣନା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-ଆଜି ଚିଲିକା ହ୍ରଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା ।  ସକାଳ ୬ଟା ଆରମ୍ଭ ହୋଇଛି ଏହି ପକ୍ଷୀ ଗଣନା କାର୍ଯ୍ୟ ।  ଏଥିପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି ଟିମ୍‌ ଗଠନ କରାଯାଇଛି।  ଏଥିରେ ୧୧୧ ଜଣ  ସଦସ୍ୟ ରହିଛନ୍ତି । ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ୨୧ଟିମ ମଧ୍ୟରୁ ୧୯ଟି ଟିମ୍‌ ଜଳଭାଗରେ ଏବଂ ୨ଟି ଟିମ୍ ସ୍ଥଳଭାଗରେ ଗଣନା କାର୍ଯ୍ୟ କରିବେ । ପକ୍ଷୀ ଗଣତି ନେଇ ଚିଲିକା ଡେଭଲପମେଣ୍ଟ ଅଥରିଟି CDA କାର୍ଯ୍ୟାଳୟରେ ଏ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।  ଏଥିରେ ସଦସ୍ୟମାନଙ୍କୁ ପକ୍ଷୀ ଗଣନା ବିଷୟରେ ସୂଚନା ଦିଆଯାଇଥିଲା। ସମଗ୍ର ଚିଲିକା ତଥା ପକ୍ଷୀ ଅଭୟାରଣ୍ୟ ନଳବଣରେ ମୋଟ ପକ୍ଷୀଙ୍କ ପ୍ରଜାତି  ଓ ସଂଖ୍ୟା ନିର୍ଦ୍ଧାରଣ ପାଇଁ  ଏହି ଗଣନା  ଆରମ୍ଭ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ୨ଟି ପଦ୍ଧତିରେ ଏହି ପକ୍ଷୀ ଗଣନା କରାଯାଏ। ପ୍ରଥମ ପଦ୍ଧତି ହେଲା ଏକକ ପଦ୍ଧତି।  ଏଥିରେ ଚିଲିକା ମଧ୍ୟରେ ଯେଉଁଠି ଅଳ୍ପ ସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାନ୍ତି ସେଠାରେ କ୍ରମିକ ସଂଖ୍ୟା ଅନୁଯାୟୀ, ପକ୍ଷୀ ସଂଖ୍ୟା ଓ ପ୍ରଜାତି ଗଣନା ହୁଏ। ଦ୍ୱିତୀୟ ପଦ୍ଧତି ହେଲା ବ୍ଲକ ପଦ୍ଧତି। ଏହି ପଦ୍ଧତିରେ ଯେଉଁଠି ପକ୍ଷୀ ଗଣନା କରି ହୁଏ ନାହିଁ ଏବଂ ଅସଂଖ୍ୟା ସଂଖ୍ୟାରେ ସମାଗମ ହୋଇଥାନ୍ତି ସେଠାରେ ବାଇନାକୁଲାର ପରଧି ମଧ୍ୟରେ ଦୃଷ୍ଟିଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ଗୋଟିଏ ବ୍ଲକ ତିଆରି କରାଯାଏ। ଏହିପରି ଏକାଧିକ ବ୍ଲକ କରି  ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟାର ମିଶ୍ରଣ କରାଯାଏ।

ଜାଣନ୍ତୁ , ଶୀତ ଦିନେ ‘ପାଳଙ୍ଗ ଡାଲି’ ଖାଇଲେ କ’ଣ ହେବ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ‘ପାଳଙ୍ଗ ଡାଲି’ ନାଁ ଶୁଣିଲେ ଅନେକ ଲୋକଙ୍କ ମୁହଁରେ ପାଣି ଆସିଯାଏ। ପାଳଙ୍ଗ ଶାଗ ପକାଇ ତିଆରି କରାଯାଇଥିବା ଡାଲି ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହୀତକର। ଗରମରେ ରୋଷେଇ ହେବା ସତ୍ତ୍ୱେ ବି ପାଳଙ୍ଗର ପୁଷ୍ଟିକର ଗୁଣ ବଜାୟ ରହିଥାଏ। ଏହାକୁ ଶୀତ ଦିନେ ଖାଇଲେ ଶୀରରକୁ ଅନେକ ଲାଭ ମିଳିଥାଏ। ଡାକ୍ତରମାନେ ମଧ୍ୟ ଶୀତଦିନେ ପ୍ରଚୁର ମାତ୍ରାରେ ପାଳଙ୍ଗ ଶାଗ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ପାଳଙ୍ଗ ଅପେକ୍ଷା ପାଳଙ୍ଗ ଡାଲି ଖାଇଲେ ଆମ ଶରୀରକୁ ଦ୍ୱିଗୁଣ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଶୀତ ଦିନେ ପାଳଙ୍ଗ ଡାଲି ଖାଇଲେ କ’ଣ ସବୁ ଫାଇଦା ମିଳେ।

  • ପାଳଙ୍ଗ ଡାଲି ଖାଇବା ଦ୍ୱାରା ଆମ ଶରୀରର ପାଚନକ୍ରିୟା ସୁସ୍ଥ ରହିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଯଦି ଆପଣ ଶୀତ ଦିନେ ପାଳଙ୍ଗ ଡାଲି ଖାଉଛନ୍ତି ତେବେ ଏକାସହ ଏହି ଦୁଇଟି ଲାଭ ଉଠାଇ ପାରିବେ।
  • ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବା ପାଇଁ ଶୀତ ଦିନେ ସର୍ବଦା ନିଜ ଡାଇଟରେ ପାଳଙ୍ଗ ଡାଲି ନିଶ୍ଚିତ ରୂପେ ସାମିଲ କରନ୍ତୁ। ଡାଲି ଏବଂ ପାଳଙ୍ଗରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ରହିଛି। ଏହା ଆମର ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବା ସହ, ଯେ କୌଣସି ବି ପ୍ରକାରର ସଂକ୍ରମଣ ସହ ଲଢ଼ିବାରେ ସହାୟକ ହୁଏ। ପାଳଙ୍ଗରେ ଭିଟାମିନ-ଇ ଭରପୁର ମାତ୍ରାରେ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବରେ କାମ କରେ।
  • ପାଳଙ୍ଗ ଶରୀରରେ ଦେଖାଦେଉଥିବା ରକ୍ତ ଅଭାବ ସମସ୍ୟାକୁ ଦୂର କରିଥାଏ। ଗର୍ଭବତୀ ମହିଳାଙ୍କ ଶରୀରରେ ଆଇରନ ଅଭାବ ଯୋଗୁଁ ଦେଖାଯାଉଥିବା ଦୁଷ୍ପ୍ରଭାବରୁ ରକ୍ଷା ପାଇଁ ପାଳଙ୍ଗ ଡାଲି ବା ପାଳଙ୍ଗର ଜୁସ ପିଇବା ପାଇଁ ଅଧିକାଂଶ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାଦ୍ୱାରା ସେମାନଙ୍କ ଶରୀରରେ ଆଇରନର ଅଭାବ ଦୂର ହେବା ସହ ନୂଆ ରକ୍ତ ମଧ୍ୟ ତିଆରି ହୋଇଥାଏ।
  • ପାଳଙ୍ଗରେ ଭିଟାମିନ ଏବଂ ଡାଲିରେ ପ୍ରୋଟିନ ଭରପୁର ମାତ୍ରାରେ ରହିଛି। ଏଥିପାଇଁ ପାଳଙ୍ଗ ଡାଲି ଖାଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ। ଶରୀରର ମାଂସପେଶୀକୁ ମଜଭୁତ କରିବା ପାଇଁ ମଧ୍ୟ ପାଳଙ୍ଗ ଡାଲି ବେଶ ଲାଭଦାୟକ।
  • କେବଳ ଶରୀରକୁ ପାଳଙ୍ଗ ଡାଲି ପ୍ରୋଟିନ ପହଞ୍ଚାଇଥାଏ ତାହା ନୁହେଁ, ଏହା ତ୍ୱଚାର ସୁନ୍ଦରତାକୁ ମଧ୍ୟ ବଢ଼ାଇଥାଏ। ପାଳଙ୍ଗ ଡାଲିରେ ଲେମ୍ବୁ ରସ ପକାଇ ପିଇବା ଦ୍ୱରା ତ୍ୱଚାର ଚମକ ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣିତ ହୋଇଯାଇଥାଏ।
  • ନିଜ ଡାଇଟ ପ୍ଲାନରେ ପ୍ରତିଦିନ ଏକ କପ୍ ପାଳଙ୍ଗ ଡାଲି ସାମିଲ କରନ୍ତୁ। ଏହା ଆଣ୍ଟି-ଅକ୍ସିଡେଣ୍ଟ ଭଳି କାମ କରେ ଏବଂ ତ୍ୱଚାର ରଙ୍ଗକୁ ସୁଧାରିବା ପାଇଁ ସହାୟକ ହୋଇଥାଏ। ବ୍ରଣ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଆପଣ ପାଳଙ୍ଗ ଖାଇପାରିବେ। ପାଳଙ୍ଗରେ ଥିବା ଆମିନୋ ଏସିଡ ସ୍କିନ ଏଜିଂ ସମସ୍ୟାକୁ ଦୂର କରିଥାଏ।
  • ଥକାପଣ ଦୂର କରିବା ପାଇଁ ଆପଣ ଚାହିଁଲେ ପାଳଙ୍ଗ ଡାଲି ଖାଇପାରିବେ। ପାଳଙ୍ଗରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିଅମ ରହିଛି ଏବଂ ଡାଲିରେ ଭରପୁର ପ୍ରୋଟିନ। ତେଣୁ ଏହାକୁ ଏକାଠି ଖାଇବା ଦ୍ୱରା ମାଂସେପଶୀକୁ ଆରାମ ମିଳିଥାଏ ବୋଲି ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି।
  • ସେହିପରି ପାଳଙ୍ଗ ଡାଲି ଓଜନ କମ୍ କରିବାରେ ମଧ୍ୟ ବେଶ ଲାଭଦାୟକ। ପାଳଙ୍ଗରେ ଓଜନ କମ୍ କରିବା ଗୁଣ ରହିଛି। କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ହୋଇଥବା ଯୋଗୁଁ ଏହା ଆପଣଙ୍କ ବଢ଼ୁଥିବା ଓଜନକୁ ରୋକିବାରେ ସହାୟକ ହୁଏ। ଅଧିକାଂଶ ଲୋକ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ପାଳଙ୍ଗ ଡାଲିର ସେବନ କରିଥା’ନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି।
  • ସଂକ୍ରମଣରୁ ବଞ୍ଚିବା ପାଇଁ ଡାଲି ଏବଂ ସବୁଜ ପନିପରିବା ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ପାଳଙ୍ଗରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି । ଫଳରେ ଏହା ଖାଇବା ଦ୍ୱାରା ଶରୀରରେ ସଂକ୍ରମଣ ଆଶଙ୍କ କମ୍ ହୋଇଥାଏ।
୧୨ କୋଟି ଟଙ୍କାରେ ନୂଆ ରୂପ ପାଇଲା ରାମଲିଙ୍ଗେଶ୍ୱର ଜଳାଶୟ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-ବ୍ରହ୍ମପୁର ସହରର ୮ଏକର ପରିମିତ ଜମିରେ ଥିବା ପ୍ରାଚୀନ ପବିତ୍ର ପୁଷ୍କରଣୀ ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜଳାଶୟକୁ ଉଦଘାଟନ କରିଛନ୍ତି। ୨୦୧୭ ମସିହାରେ ୧୨କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଜଳାଶୟର ମଧ୍ୟଭାଗରେ ଭଗବାନ ଶଙ୍କରଙ୍କ ୩୫ଫୁଟ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତି ଶୋଭା ପାଉଥିବାବେଳେ ଚାରିପଟେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢ଼ି ତୋଳିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଜଳାଶୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଉଦଘାଟନ କରି ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଓ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବାକୁ ବ୍ରହ୍ମପୁରବାସୀଙ୍କୁ ଆହ୍ୱାନ କରିଥିଲେ। ଏହି ଜଳାଶୟ ଓ ପାର୍କ ଆଜି ଗଞ୍ଜାମ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ସହର ପାଇଁ ୪୨କୋଟି ଟଙ୍କା ବ୍ୟୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଙ୍ଗ ରୋଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ଏହି ଜଳାଶୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନୀ ଉତ୍ସବରେ ଚିତାକର୍ଷକ ଆତସବାଜି, ଶିବତାଣ୍ଡବ ସ୍ତୋତ୍ରର ତାଳେତାଳେ ଲେଜର ଲାଇଟ୍ ପ୍ରଦର୍ଶନୀ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ବିକ୍ରମ ପଣ୍ଡା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ଟିକାକରଣ କେନ୍ଦ୍ର ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ଟିକା ଆସିପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ଟିକା ଆସିବା ପରେ କେଉଁଠାରେ ଟିକାକରଣ ହେବ, ସେଥିଲାଗି ସ୍ଥାନ ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମକୁ ଚିଠି ଲେଖିଛି। ଟିକାକରଣ ହେବାକୁଥିବା କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ନିରୀକ୍ଷଣ ଗୃହ ଆବଶ୍ୟକ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ (HCWs)ଙ୍କୁ ଟିକା ପ୍ରଦାନ କରାଯିବ। HCWsଙ୍କ ଟିକାକରଣ କେନ୍ଦ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନରେ ହେବ ଆବଶ୍ୟକ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ଚିହ୍ନଟ ସ୍ୱାସ୍ଥାନୁଷ୍ଠାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ତା’ଠାରୁ ବଡ଼ ହେବା ଦରକାର ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ଛଡା ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ। ଟିକାଦାନ ପରେ ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ, ତେବେ ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡ଼ିକାଲ ଅଫିସର ନିଯୁକ୍ତ ରହିବେ ବୋଲି ଚିଠିରେ ଦର୍ଶାଯାଇଛି। ଏହାସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ ଖୋଲାଯିବ। ସୂଚନାଯୋଗ୍ୟ, ରବିବାର DCGI ଦେଶରେ ପ୍ରସ୍ତୁତ ହେଉଥିବା କରୋନା ଟିକା କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମୋଦନ ଦେଇଥିଲା। ଯାହା ପରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ସୂଚନା ଦେଇଛନ୍ତି।

୭ରୁ ଖୋଲିବ ସବୁ ଧର୍ମାନୁଷ୍ଠାନ, ହେଲେ ଖୋଲିବନି ତାରିଣୀ ମନ୍ଦିର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କେନ୍ଦୁଝର ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୭ ତାରିଖରୁ ଖୋଲିବ। ହେଲେ ଖୋଲିବ ନାହିଁ ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ତାରିଣୀ ମନ୍ଦିର। ଘଟଗାଁର ମା’ ତାରିଣୀ ମନ୍ଦିର ଆସନ୍ତା ୧୮ ତାରିଖରୁ ଖୋଲିବ। କୋଭିଡ୍‌ ଗାଇନ୍‌ ଲାଇନ ମଧ୍ୟରେ ମିଳିବ ମନ୍ଦିର ପ୍ରବେଶ ଅନୁମତି। ତେବେ କେତେ ସମୟ ମନ୍ଦିର ଖୋଲାଯିବ, ତାହା ଉପରେ ମନ୍ଦିର ଟ୍ରଷ୍ଟ୍‌ ନିଷ୍ପତ୍ତି ନେବ। ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ। ରାଜ୍ୟରେ କରୋନା ଆକ୍ରାନ୍ତା ଏକ ପ୍ରକାର ନିୟନ୍ତ୍ରଣରେ ରହିଛି। ତେବେ ବ୍ରିଟେନ୍‌ରୁ ଆସିଥିବା ନୂଆ ଷ୍ଟ୍ରେନ୍‌କୁ ନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ବ୍ରିଟେନ୍‌ ଷ୍ଟ୍ରେନ୍‌ ଚିହ୍ନଟ ହୋଇନାହିଁ। ସଥାପି ରାଜ୍ୟ ସରକାର ସତର୍କ ରହିଛନ୍ତି। ବହୁ ବାଦବିବାଦ ପରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ଆଜି ପର୍ଯ୍ୟନ୍ତ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀ ଓ ଅନ୍ୟାନ୍ୟ ମନ୍ଦିର ଖୋଲିନାହିଁ। ଯେଉଁଥିପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୭ ତାରିଖରେ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବ। ମାତ୍ର ମାଆ ତାରିଣୀ ମନ୍ଦିର ୧୮ ତାରିଖରେ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଡିଜି ଓ ରାଜ୍ୟର ସମସ୍ତ ଏସ୍‌ପି ଅଫିସ୍‌ ଘେରିବ ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଜୋରଦାର ପ୍ରତିବାଦ କରିବ ବିଜେପି। ଆସନ୍ତାକାଲିଠୁ ବିଜେପି ଯୁବମୋର୍ଚ୍ଚା ନେତୃତ୍ୱରେ ଘେରାଉ କରାଯିବ ସମସ୍ତ ଥାନା। ଆସନ୍ତା ୬ ତାରିଖରେ ସମସ୍ତ ଏସ୍‌ପି ଅଫିସ ଓ ୮ରେ ଡିଜି ଅଫିସ ଘେରାଉ କରିବ ବିଜେପି। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି-“ପ୍ରତିହିଂସା ପରାୟଣ ହୋଇ ବିଜେଡି ହତ୍ୟା କାଣ୍ଡ ଭିଆଇଛି। ନବୀନ ସରକାର ଘଟଣାକୁ ଚାପି ଦେବାକୁ ହୀନ ଉଦ୍ୟମ କରିଛନ୍ତି। ଆଗରୁ ଅନ୍ୟ ରାଜ୍ୟରେ ହେଉଥିଲା, ଏବେ ଓଡ଼ିଶାରେ ଘଟୁଛି। ବିଜେପି ଚୁପ ବସିବ ନାହିଁ। ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରିବ। ପୁଲିସର ଦାୟିତ୍ୱହୀନତା ପାଇଁ ଏଭଳି ବିକ୍ଷୋଭ ଓ ଘେରାଉ କରାଯିବ।”ଶନିବାର ସଞ୍ଜ ବେଳେ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ବାଇକରେ ଘରକୁ ଫେରିଥିଲେ। ଗାଁଠାରୁ ଅଳ୍ପ ଦୂରରେ ତାଙ୍କୁ ହତ୍ୟା କରାଯାଇଥିଲା। ମହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହୋଇଥିବା ଦୁର୍ନୀତିର ପାର୍ଦ୍ଦାଫାସ କରିବାରୁ ବିଜେଡି କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ବିଜେପି ଅଭିଯୋଗ କରିଛି। ଏପରିକି ଏଥିରେ ସ୍ଥାନୀୟ ବିଧାୟକ ତଥା ଆଇନ୍‌ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଛି।ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ୫ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଯେଉଁଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। 

ନାଲକୋ ପ୍ଲାଣ୍ଟର ଉତ୍ପାଦନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ ଧର୍ମେନ୍ଦ୍ର …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିବା ପରେ ଏ ସମ୍ବନ୍ଧରେ ତାଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ (ସିପିପି) ଆରମ୍ଭ କରିବାକୁ ମଧ୍ୟ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ନାଲକୋ ତା’ର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ ଅନୁଗୁଳ ଜିଲ୍ଲାରେ ସେମାନଙ୍କ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ପାଇଁ ଏକ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରୁଛି। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବା ବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି। ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧୦.୫ ମିଲିୟନ ଟନକୁ ବୃଦ୍ଧି ପାଇବ। ଏହା ମଧ୍ୟରୁ ଆଲୁମିନାର ବାର୍ଷିକ କ୍ଷମତା ୩.୧ ମିଲିୟନ ଟନ୍ ଧାରଣ କରିଥିବା ବେଳେ ଏହି ଆଲୁମିନାରୁ ବାର୍ଷିକ ୧.୫ ମିଲିୟନ ଟନ୍ ଆଲୁମିନିୟମ ଉତ୍ପାଦନ ହେବାର ସମ୍ଭାବନା ରହିଛି।ସୂଚନାଯୋଗ୍ୟ ଯେ ଆଲୁମିନିୟମ ତରଳିବା ଏକ ଅତ୍ୟଧିକ ଶକ୍ତି ନିବାରଣ ପ୍ରକ୍ରିୟା ଏବଂ ଏହି ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ସମ୍ଭାବ୍ୟ ୧୪୦୦ ମେଗାୱାଟ ଫିଡର ସିପିପିରେ ନିରନ୍ତର କୋଇଲା ଯୋଗାଣ ଉପରେ ନିର୍ଭରଶୀଳ। ଏହି ପରିପ୍ରେକ୍ଷୀରେ ଅନୁଗୁଳ ରେ ଆଲୁମିନାର ପ୍ରଚୁର ଉପଲବ୍ଧିକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ସ୍ଥିତ ନାଲକୋର ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ ଉତ୍ପାଦନ କ୍ଷମତା ୧ ମିଲିୟନ ଟନ୍ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ଆରମ୍ଭ କରିବାକୁ ଚିଠିରେ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ। ଏହାଦ୍ୱାରା ସ୍ମେଲଟର ୟୁନିଟ୍ ଏବଂ କୋଇଲା ବ୍ଲକ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

ରାଜ୍ୟରେ ଗୃହ ବିଭାଗ ସକ୍ରିୟ ହୋଇନଥିବା ନେଇ ଅପରାଜିତା ଙ୍କ ନବୀନଙ୍କୁ ଟାର୍ଗେଟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସୁରକ୍ଷା ବାତାବରଣ ସୃଷ୍ଟି କରିବା। ହେଲେ ରାଜ୍ୟ ସରକାର ଏଥିରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ଘଟୁଛି। ପଞ୍ଚାୟତ ନିର୍ବାଚନଠାରୁ ଆଜି ପର୍ଯ୍ୟନ୍ତ ୧୭ଟି ରାଜନୈତିକ ହତ୍ୟା ଘଟିଛି। ଏହି ମାମଲାରେ ଆଜି ପର୍ଯ୍ୟନ୍ତ କାହିଁକି ଚାର୍ଜସିଟ୍‌ ଦାଖଲ ହୋଇପାରିନି? ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଗୃହ ବିଭାଗର ଦାୟିତ୍ୱ। ଆଉ ଏକଥା ସମସ୍ତେ ଜାଣିଛନ୍ତି ରାଜ୍ୟରେ ଗୃହ ବିଭାଗ କାହା ହାତରେ ରହିଛି? ବର୍ତ୍ତମାନ ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ରହିଛି। ଗୋଟିଏ କଥା ସ୍ପଷ୍ଟ ରାଜ୍ୟରେ ଗୃହ ବିଭାଗ ସକ୍ରିୟ ହୋଇନାହିଁ। କିମ୍ୱା ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ଶ୍ରୀମତି ଷଡଙ୍ଗୀ କହିଛନ୍ତି-“ସାଲେପୁରର କୁଳମଣି ବରାଳଙ୍କ ହତ୍ୟା କାହିଁକି କରାଗଲା? ମାହାଙ୍ଗା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଚୁର ପରିମାଣରେ ଦୁର୍ନୀତି ହୋଇଛି ଓ ଏବେ ହେଉଛି। ସେଠାରେ କାହିଁକି ଦୁର୍ନୀତି ହେଉଛି ଓ କାହା ପାଇଁ ହେଉଛି? ଏକଥା ସମସ୍ତେ ଜାଣିଛନ୍ତି। ତାଙ୍କ ନାଁ ନେବାକୁ ଚାହିଁବି ନାହିଁ। କିନ୍ତୁ ଆଇନ୍‌ ବିଭାଗ ଯାହା ଅଧୀନରେ ରହିଛି।” ସେ ଆହୁରି କହିଛନ୍ତି-“ଗାଁ ଗାଁରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାକୁ ଅସନ୍ତୋଷ ଦେଖାଦେଉଛି। ଯୋଗ୍ୟ ହିତାଧିକାରୀଙ୍କ ଏହି ଯୋଜନାରେ ସାମିଲ କରାଯାଉନହିଁ। ଅଯୋଗ୍ୟମାନେ ପ୍ରଧାନମନ୍ତ୍ରୀ ଯୋଜନାରେ ଘର ହାତେଇ ନେଉଛନ୍ତି। ଆବାସ ଯୋଜନାରେ ପ୍ରତ୍ୟେକ କ୍ଷେତ୍ରରେ ଲାଞ୍ଚ ମଗା ଯାଉଛି। ଯିଏ ଲାଞ୍ଚ ଦେଲା, ତାହାର କାମ ହେଉଛି, ନହେଲେ ଆବାସ ଯୋଜନାରେ କିସ୍ତି ଟଙ୍କା ମିଳୁନାହିଁ। ଏହି ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ବିଜେଡିର କର୍ମୀମାନେ ହତ୍ୟା କରିଛନ୍ତି। ସମଗ୍ର ଦେଶରେ ଦୁର୍ନୀତିରେ ଆଗରେ ରାଜସ୍ତାନ ଥିବା ବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୧୪୯୩ ମାମଲା ରହିଛି। ନିର୍ଦ୍ଧାରିତ ସମୟ ଭିତରେ ଅଭିଯୋଗର ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ ନାହିଁ। ଯେଉଁଥିପାଇଁ ଦିନକୁ ଦିନ ଏହି ସଂଖ୍ୟା ବଢ଼ି ଚାଲିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ କାହିଁକି ରାଜନୈତିକ ହିଂସା ଘଟୁଛି? ବିଜେଡି କର୍ମୀମାନେ ଏତେ ଅସହିଷ୍ନୁ କାହିଁକି?” ମହିଳାଙ୍କ ସୁରକ୍ଷା ନେଇ ଅପରାଜିତା କହିଛନ୍ତି-“ମହିଳାଙ୍କ କ୍ଷେତ୍ରରେ ରାଜ୍ୟ ସରକାର କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି। କେବଳ ଭୋଟ ହାତେଇବା ପାଇଁ ଏହି କୁମ୍ଭିର କାନ୍ଦଣା। ତଥ୍ୟ ଅନୁସାରେ ନାରୀ ନିର୍ଯାତନା କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୨୦୧୫ରେ ୧୭୨୦୦ ମାମଲା ଥିଲା। ସେହିପରି ୨୦୧୬ରେ ୧୭୮୦୦, ୨୦୧୭ରେ ୨୦୦୦୦, ୨୦୧୮ରେ ୨୨୭୪ ଓ ୨୦୧୯ରେ ୨୩୧୮୩ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି। ମାତ୍ର ଦଣ୍ଡହାର ୫.୭% ରହିଛି। ଏହାର ଅର୍ଥ ତଦନ୍ତ ଠିକ୍‌ ସମୟରେ ବା ବ୍ୟବସ୍ଥିତ ଢ଼ଙ୍ଗରେ ହେଉନାହିଁ। ଯେଉଁଥିପାଇଁ ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଛି।” 

ଆଇନ ମନ୍ତ୍ରୀ ଙ୍କ ନାଁରେ ଏତଲା କହିଲେ ‘ବିଜେପି ଯାହା କରିବା କଥା କରୁ, ଆମେ ଯାହା କରିବା କଥା କରିବୁ’ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – “ମୁଁ ବିଜେପିକୁ କିଛି କହିବାକୁ ଚାହେଁନି। ସେ ମୋ କଥାରେ କିଛି କରିଦେବେ ତାହା ନୁହେଁ। ବିଜେପି ଯାହା କରିବା କଥା କରିବ, ଆମେ ଯାହା କରିବା କଥା କରିବୁ।”କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଶାସକ ବିଜେଡି ଉପରକୁ ଅଙ୍ଗୁଳି ଉଠିଛି। ଏନେଇ ମାହାଙ୍ଗା ଥାନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଅଭିଯୋଗ ହେବା ପରେ ମୁହଁ ଖୋଲି  ଏପରି କହିଛନ୍ତି ଖୋଦ ଆଇନ ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, “ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଆମ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡ ପାଇବା ଲକ୍ଷ୍ୟ ହେଉ । ମୋ ତରଫରୁ ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ, ଦୋଷୀ କିପରି ତୁରନ୍ତ ଗିରଫ ହେଉ। କଠୋରରୁ କଠୋର ଦଣ୍ଡ ପାଉ।” ଏହାବ୍ୟତୀତ ମନ୍ତ୍ରୀ କହିଛନ୍ତି,  “ ବିରୋଧୀ ଦଳ ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଥିବାରୁ ସେମାନେ ଏହା ଚାହୁଁଛନ୍ତି ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।” ସେପଟେ ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜିଠୁ କଟକ ଜିଲ୍ଲାର ସବୁ ବ୍ଲକ୍‌ରେ ବିକ୍ଷୋଭ  ପ୍ରଦର୍ଶନ ସହ ମାହାଙ୍ଗାରେ ରାସ୍ତାକୁ ଓହ୍ଲାଇଛି ବିଜେପି । ସେପଟେ ଗତକାଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଥିଲେ  । ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏଫଆଇଆରରେ ଆସିବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବାକୁ ଦାବି ହୋଇଛି  । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା। ଏହି ହତ୍ୟାକାଣ୍ଡରେ କୁଳମଣିଙ୍କ ପରିବାର ଲୋକେ ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି। କୁଳମଣି ବରାଳଙ୍କ ପୁଅ ରମାକାନ୍ତ କହିଛନ୍ତି, “ଦୁର୍ନୀତିକୁ ବିରୋଧ କରିବା ଯୋଗୁ ତାଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ସଂପୂର୍ଣ୍ଣ ଭାବେ ଆଇନ ମନ୍ତ୍ରୀଙ୍କ ହାତ ରହିଛି। ତାଙ୍କଠାରୁ ସାହସ ପାଇ ଓ ତାଙ୍କ ନିର୍ଦ୍ଦେଶରେ ଏମିତି କାଣ୍ଡ କରାଯାଇଛି। ଦୁଇ ବର୍ଷ ତଳେ ଏଠାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା। ସେହି ମାମଲାରେ ପୁଲିସ୍ କିଛି ପଦକ୍ଷେପ ନେଲା ନାହିଁ। ତେଣୁ ସେମାନଙ୍କ ସାହାସ ବଢ଼ିଲା ଓ ଏଇ ଘଟଣା ଘଟିଲା।” କୁଳମଣି ବରାଳଙ୍କ ସହିତ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଦିବ୍ୟସିଂହଙ୍କ ପୁଅ ଜିତେନ୍ଦ୍ର କହିଛନ୍ତି, “ଏହି ହତ୍ୟାକାଣ୍ଡରେ ବିଜେଡିର ହାତ ରହିଛି। କାଳେ ମୋ ବାପା କାହା ନାଁ କହିଦେବେ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଛି।” ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣି ବରାଳଙ୍କ ପୁଅ ରମାକାନ୍ତି। ସେମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁ ରହିଛି। ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷେ, ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କହିବାରୁ ତାଙ୍କୁ ମାରି ଦେଲେ। ଆମେ ଛାଡ଼ିବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ସବୁ ଗାଁକୁ ଯିବୁ। ଆବାସ ଯୋଜନାରେ କେଉଁ ଧନୀ ଓ ଗରିବ ଘର ପାଇଛନ୍ତି ତାଲିକା ମାରିବୁ। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ଓ ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ ହେଉଛି। ମନ୍ତ୍ରୀ କହିଛନ୍ତି, ଶୀଘ୍ର ଦୋଷୀଙ୍କୁ ଧରିବେ। ସତ୍‌ ସାହାସ ଥିଲେ ଧରନ୍ତୁ। ଏଠି ପଶ୍ଚିମବଙ୍ଗ ଭଳି କାଣ୍ଡ ଆରମ୍ଭ ହୋଇଛି।