ଜାଣନ୍ତୁ ମାଟି କପରେ ଚା’ ପିଇବା ଫାଇଦା ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ଅଧିକାଂଶ ଲୋକଙ୍କ ଚା’ରୁ ଆରମ୍ଭ ହୋଇଥାଏ ନୂଆ ସକାଳ। ଅଫିସ ବା କୌଣସି କାମରୁ ଥକି ଯାଇଥିବା କଛି ଲୋକଙ୍କ ପାଇଁ ଚା’ ଏନର୍ଜି ଡ୍ରିଙ୍କ ଭଳି କାମ କରେ ତ ଆଉ କାହାର ପାଟିର ସ୍ୱାଦ ବଦଳାଇ ଦିଏ । ଯଦି ଏହି ଚା’ ମାଟି କପରେ ଥାଏ ତେବେ ତା’ର ମଜା ଟିକେ ନିଆରା । କାଚ, ସେରାମିକ, ମେଟାଲ ବା ଡିସ୍ପୋଜାଲ କପ୍ ବଦଳରେ ଅନେକ ଲୋକେ ମାଟି କପରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଏହି ଇକୋଫ୍ରେଣ୍ଡଲି ମାଟି କପରେ ଚା’ ପିଇବା ଦ୍ୱାରା ସ୍ୱାଦ ବଢ଼ିବା ସହ ଏହାର ଅନେକ ଫାଇଦା ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏ ବିଷୟରେ

  • ମାଟି କପରେ ଗରମ ଚା’ ପଡିବା କ୍ଷଣି ମାଟିର ସୁନ୍ଦର ବାସ୍ନା ବାହାରିଥାଏ। ଏହି ବାସ୍ନା ମନକୁ ବେଶ ଆନନ୍ଦିତ କରିଦେଇଥାଏ। ଅବସାଦରେ ଥିବା ଲୋକଙ୍କ ମନ ପ୍ରଫୁଲ୍ଲିତ ହୋଇଯାଏ।
  • ମାଟି କପ୍ ପୁରାପୁରି ହାଇଜେନିକ ହୋଇଥାଏ। ଏଥିରେ ଜୀବାଣୁ ବ୍ୟାପିବା ସମ୍ଭବାନ ବହୁ କମ। କାଚ ଗ୍ଲାସ ଅପେକ୍ଷା ମାଟି କପରେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର। ମାଟି କପ ବଭିନ୍ନ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ।
  • ମାଟି ପାତ୍ରରେ ଯେଉଁ ସୁକ୍ଷ୍ମ ତତ୍ତ୍ୱ ରହିଥାଏ, ତାହା ଆମ ଶରୀରର ହାଡ ପାଇଁ ଲାଭଦାୟକ । ମାଟିରେ କ୍ୟାଲସିଅମ ଭରପୁର ମାତ୍ରାରେ ରହିଥାଏ। ତେଣୁ ଏଥିରେ ଚା’ ପିଇବା ଦ୍ୱାରା ଆମ ଶରୀରକୁ କିଛି ନା କିଛି ମାତ୍ରାରେ କ୍ୟାଲସିଅମ ମିଳିଥାଏ, ଯାହାଦ୍ୱାରା ଆମ ହାଡ ମଜଭୁତ ହୁଏ।
  • ମାଟି କପରେ ଚା’ ପିଇଲେ ହଜମ ଶକ୍ତି ମଧ୍ୟ ବଢ଼ିଥାଏ। ମାଟିରେ ତିଆରି କପରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ବା ଖରାପ ଜୀବାଣୁ ନଥାଏ। ଅନ୍ୟ ଡିସ୍ପୋଜାଲ କପ୍ ବଦଳରେ ଏହା ଅଧିକ ହିତକର। ଡିସ୍ପୋଜାଲ କପରେ ଗରମ ଚା’ ପିଇବା ଦ୍ୱାରା ଏଥିରେ ଥିବା ଏସିଡ ପେଟକୁ ଯାଇ ଆମ ଅନ୍ତନଳୀରେ ଜମା ହୋଇଯାଏ। ଫଳରେ ପେଟ ଖରାପ ହେବା ସହ କ୍ୟାନସର ଭିଳ ମାରାତ୍ମକ ରୋଗର ବିପଦ ରହିଥାଏ ।
  • ମଣିଷ ଶରୀରରେ ଆସିଡିଟି ହେବା ଫଳରେ ହଜମ ପ୍ରକ୍ରିୟା ସହ ଜଡିତ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ମାଟି ପାତ୍ରରେ କ୍ଷରିୟ ଗୁଣ ଭରପୁର ମାତ୍ରାରେ ଥାଏ। ତେଣୁ ମାଟି ପାତ୍ରରେ ଚା’ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା କମ ହେବା ସହ ପେଟ ପୋଡା ଜଳା ମଧ୍ୟ ହୁଏ ନାହିଁ ।
  • ପୂର୍ବେ ଗାଁ ଗହଳିରେ କେବଳ ମାଟ ପାତ୍ରର ବ୍ୟବହାର କରାଯାଉଥିଲା, ଏବେ ସହରରେ ମଧ୍ୟ ଏହାର ଡିମାଣ୍ଡ ବଢ଼ିଗଲାଣି। ଚା’ ପିଇବା ପାଇଁ ଅଧିକାଂଶ ମାଟି କପର ବ୍ୟବହାର କରୁଛନ୍ତି। ବିଶେଷକରି କରୋନା କାଳରେ ସୁରକ୍ଷିତ ଓ ହାଇଜେନିକ ରହିବା ପାଇଁ ଏଥିରେ ଚା’ ପିଇବା ପାଇଁ ଅଧିକାଂଶ ପସନ୍ଦ କରନ୍ତି। ଏହାଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା କମ ରହିଥାଏ।
ସ୍ୱାଦ ଓ ଶୁଙ୍ଘିବା ଶକ୍ତି ଚାଲିଯାଇଥିଲେ ଆପଣାନ୍ତୁ ଏହି ଉପାୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀର ସବୁଠୁ ପ୍ରମୁଖ ଲକ୍ଷଣ ହେଉଛି ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ହରାଇବା। ଭାଇରାଲ ଜ୍ୱର କିମ୍ବା ଥଣ୍ଡା ହେଲେ ମଧ୍ୟ ମଣିଷ ଶରୀରରେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ । ଯଦି ଆପଣ ମଧ୍ୟ ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ହରାଇ ବସିଛନ୍ତି ତେବେ ଏଥିପାଇଁ ଔଷଧ ନୁହେଁ ଘରୋଇ ଉପଚାର ଆପଣାନ୍ତୁ । ଘରେ ବ୍ୟବହାର ହେଉଥିବା ଦୈନନ୍ଦିନ କିଛି ଖାଦ୍ୟ ଜିନିଷରୁ ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ଫେରି ଆସିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ ଏବଂ ଏହାକୁ କିଭଳି ବ୍ୟବହାର କରିହେବ।

  • ଭିଟାମିନ-ସିରେ ଭରପୁର କମଳା। ଶରୀରରେ ଇମ୍ୟୁନିଟି ପାୱର ବଢ଼ାଇବା ପାଇଁ ଏହା ବେଶ ସହାୟକ ହୁଏ। ଏହା ଆମ ଶୁଙ୍ଘିବା କ୍ଷମତାକୁ ମଧ୍ୟ ବଢ଼ାଇଥାଏ । କମଳା ଚୋପାକୁ ଅଳ୍ପ ଭାଜି ଶୁଙ୍ଘିବା ଦ୍ୱାରା ଶୁଙ୍ଘିବା ଶକ୍ତି ଫେରି ଆସିଥାଏ। ତେବେ ଏହି ଉପାୟକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ ।
  • ରସୁଣରେ ଆଣ୍ଟି ଭାଇରାଲ ଏବଂ ଇମ୍ୟୁନ ବୁଷ୍ଟର ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ରସୁଣର ଗୁଣକାରୀ ତତ୍ତ୍ୱ ଶରୀରରେ ଯନ୍ତ୍ରଣା ଓ ହାତ ଗୋଡ ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ । ଲବଙ୍ଗ ଏବଂ ରସୁଣକୁ ପାଣିରେ ଗରମ କରି ଏହାକୁ ସେବନ କରିପାରିବେ । ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ । ରସୁଣକୁ ଏଭଳି ବ୍ୟବହାର କରିବା ଦ୍ୱାରା ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ଫେରିଆସିଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି।
  • ଶୁଙ୍ଘିବା ଶକ୍ତି ଫେରି ପାଇବା ପାଇଁ ଆପଣ ଚାହିଁଲେ ଲଙ୍କା ଗୁଣ୍ଡକୁ ମଧ୍ୟ ବ୍ୟବହାର କରିପାରିବେ । ଲଙ୍କା ଗୁଣ୍ତରେ ଥିବା କ୍ୟାପ୍ସାଇସିନ ଆମ ଓଲଫ୍ୟାକ୍ଟ୍ରି ସେଂସିସକୁ  ଠିକ କରି ବନ୍ଦ ହୋଇଯାଇଥିବା ନାକକୁ ଖୋଲିବାରେ ସହାୟକ ହୋଇଥାଏ । ତେବେ ଲଙ୍କା ଗୁଣ୍ଡକୁ ବ୍ୟବହାର କରିବା ପୂର୍ବରୁ ଏଥିରେ ଅଳ୍ପ ପାଣି କିମ୍ବା ମହୁ ମିଶାଇ ବ୍ୟବହାର କରନ୍ତୁ ।
  • ଜୁଆଣି ଥଣ୍ଡା ଏବଂ ସଂକ୍ରମଣ ସହ ଲଢ଼ିବା ପାଇଁ ସବୁଠୁ ଲାଭଦାୟକ ଜିନିଷ । ଜୁଆଣି ଶୁଙ୍ଘିବା ଶକ୍ତି ବଢ଼ାଇଥାଏ । ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ବଢ଼ାଇବା ପାଇଁ ଏକ ଚାମଚ ଜୁଆଣିକୁ ଏକ ଛୋଟ କପଡାରେ ବାନ୍ଧି ପୁଡିଆ ତିଆରି କରନ୍ତୁ । ଏହାପରେ ତାକୁ ଦୀର୍ଘ ନିଶ୍ୱାନ ନେଇ ଶୁଙ୍ଘନ୍ତୁ । ଏଭଳି ଦିନରେ ଦୁଇରୁ ତିନି ଥର କରିବା ଦ୍ୱାରା ଶୁଙ୍ଘିବା ଶକ୍ତି ଫେରିଆସିଥାଏ ।
  • ସାଇନସାଇଟିସ ଯନ୍ତ୍ରଣା ଏବଂ ଆଲର୍ଜି ଦୂର କରିଥାଏ ଜଡା ତେଲ । ଥଣ୍ଡା ଜ୍ୱରରେ ଶୁଙ୍ଘିବା ଶକ୍ତି ଚାଲିଯାଇଥିଲେ ଏହାକୁ ବ୍ୟବହାର କରିହେବ । ନାକ ବନ୍ଦ ହୋଇ ଯାଇଥିଲେ ଏକ ବୁନ୍ଦା ଜଡା ତେଲ ନାକରେ ପକାନ୍ତୁ ଏବଂ ଦୀର୍ଘ ନିଶ୍ୱାସ ନିଅନ୍ତୁ । ଏଭଳି ଖୋଲିବା ଦ୍ୱାରା ଦେଖିବେ ନାକ ଖୋଲିବା ସହ ଶୁଙ୍ଘିବା ଶକ୍ତି ମଧ୍ୟ ଫେରିଆସିବ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ପ୍ରତ୍ୟେକ ଦିନ ଶିଡି ଚଢିଲେ ହାର୍ଟ କେତେ ସୁସ୍ଥ ରହିବ ଜାଣନ୍ତୁ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ସାଧାରଣତଃ ଶିଡି ଚଢ଼ିଲା ବେଳେ ହାର୍ଟ ବିଟ୍ ବଢ଼ିଯାଏ । ଧଇଁସଇଁ ଲାଗେ। ଛାତି ଧଡ ଧଡ ମଧ୍ୟ ହୁଏ। ଏହାକୁ ନେଇ ବେଳେ ବେଳେ ଆମେ ଚିନ୍ତିତ ହୋଇଯାଉ । କାଳେ କ’ଣ ହୃଦରୋଗ ସମନ୍ଧୀୟ ସମସ୍ୟା ରହିଛି କି ବୋଲି ଭାବିଥାଉ। ବେଳେ ବେଳେ ଅନେକ ଲୋକ ଏହାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଥାନ୍ତି । ତେବେ ଆପଣଙ୍କ ହାର୍ଟ କେତେ ସୁସ୍ଥ ଅଛି, ତାହା ଆପଣା ନିଜେ ଖୁବ ସହଜରେ ଜାଣିପାରିବେ। ଶିଡି ଚଢ଼ିବାବେଳେ ଜଣାପଡିବ ଆପଣଙ୍କ ହାର୍ଟ କେତେ ସୁସ୍ଥ ଅଛି । ନିକଟରେ ସ୍ପେନର କିଛି ବୈଜ୍ଞାନିକମାନେ କରିଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି। ଗବେଷଣା ମୁତାବକ, ଯଦି ଆପଣ ଏକ ମିନିଟ ଭିତରେ ୬୦ଟି ପାହାଚ ଚଢ଼ିପାରନ୍ତି ତେବେ ଆପଣଙ୍କ ହାର୍ଟ ପୁରାପୁରି ସୁସ୍ଥ ଅଛି । ସ୍ପେନର କାର୍ଡିଓଲଜିଷ୍ଟ ଡାକ୍ତର ଜିସସ ପେଟେଇରୋଙ୍କ କହିବା ମୁତାବକ, ଶିଡି ଚଢ଼ିବା ହେଉଛି ହାର୍ଟ ପରୀକ୍ଷା କିରିବାର ଏକ ସହଜ ଉପାୟ ।

ଯଦି ଆପଣଙ୍କୁ ୬୦ଟି ପାହାଚ ଚଢ଼ିବା ପାଇଁ ଦେଢ଼ ମିନିଟରୁ ଅଧିକ ସମୟ ଲାଗୁଛି, ତେବେ ଆପଣଙ୍କ ହାର୍ଟ ସୁସ୍ଥ ନାହିଁ । ଖୁବଶୀଘ୍ର ଆପଣ ଏନେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ୧୬୫ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା। ଏଥିରେ ଲୋକଙ୍କ ମେଟାବଲିକ ଇକ୍ୱିଭେଲେଣ୍ଟ ମାପିବା ପାଇଁ ଏକ୍ସରସାଇଜ କ୍ଷମତା ଅନୁସାରେ ଟ୍ରେଡମିଲରେ ଦୌଡିବାକୁ କୁହାଗଲା। କିଛି ସମୟ ଆରାମ ନେବା ପରେ ଦ୍ରୁତଗତି ୬୦ଟି ପାହାଚ ଚଢ଼ିବା ପାଇଁ କୁହାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ଯେଉଁ ବ୍ୟକ୍ତିମାନ ୧ ମିନିଟରୁ କମ ସମୟ ମଧ୍ୟରେ ୬୦ଟି ପାହାଚ ଚଢ଼ିଛନ୍ତି ସେମନାଙ୍କ ମେଟାବଲିକ ଇକ୍ୱିଭେଲେଣ୍ଟ ୯ରୁ ୧୦ ଥିଲା । ଯେଉଁମାନେ ୬୦ ପାହାଚ ଚଢ଼ିବା ପାଇଁ ୧.୫ ମିନିଟରୁ ଅଧିକ ସମୟ ନେଇଥିଲେ ସେମନାଙ୍କ ୮ରୁ ମଧ୍ୟ କମ୍ ମେଟାବଲିକ ଇକ୍ୱିଭେଲେଣ୍ଟ ଥିବା ଜଣାପଡିଥିଲା। ଏମାନଙ୍କ ହାର୍ଟ ଭଲଭାବ ଫଙ୍କସନ ମଧ୍ୟ ହେଉନଥିବା ଜଣାପଡିଥିଲା। 

କାଲିଠୁ ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଆସନ୍ତାକାଲିଠୁ ସବୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ବାହାର ଜିଲ୍ଲାର ଭକ୍ତମାନେ ଆସି ଜଗା ଦର୍ଶନ କରିପାରିବେ । ଆସନ୍ତାକାଲିଠୁ ମନ୍ଦିର ଖୋଲିଲେ ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି ।  ହେଲେ ନୂଆବର୍ଷରେ ଅଧିକ ଜନଗହଳିକୁ ଦୃଷ୍ଟିରେ ରଖି ଗତକାଲି ଭଳି ଆଜି ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ ଭକ୍ତ ଆସିବେ ସେମାନେ କୋଭିଡ ନେଗଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି । ପୁରୀବାସୀଙ୍କ ପାଇଁ ହୋଇଥିବା ୬ ଦିନିଆ ଦର୍ଶନ ବ୍ୟବସ୍ଥା ପରେ ଦିନକୁ ୧୫ରୁ ୧୭ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇପାରିବ। ଯଦି ଶୃଙ୍ଖଳିତ ଦର୍ଶନ ହୁଏ ତେବେ ଫେବ୍ରୁଆରୀରୁ ସ୍ଥିତି ଅନୁଧ୍ୟାନ କରି ପୂର୍ବଭଳି ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଦୀର୍ଘ ୯ ମାସ ପରେ ଗତ ଡିସେମ୍ବର ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲା ଯାଇଛି । ପ୍ରଥମେ ଦୁଇ ଦିନ ସେବାୟତଙ୍କ ପରିବାର ଓ ପରେ ପୁରୀ ସହରବାସିନ୍ଦାଙ୍କୁ କାଳିଆ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସକାଳ ସାଢ଼େ ସାତଟା ପରେ ଦର୍ଶନ ଆରମ୍ଭ ହୋଇଥିଲା।  ସମସ୍ତେ କେବଳ ସିଂହଦ୍ୱାର ବାଟେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ଜିଲ୍ଲାପାଳ କହିଥିଲେ। 

୧୩ଟି ଗାଁ ଲୋକଙ୍କ ଜମିକୁ ହଡ଼ପ କରିଛନ୍ତି ସରକାର, ମାର୍ଚ୍ଚ ୧ ପରେ ନିର୍ଣ୍ଣାୟକ ଆନ୍ଦୋଳନ : ସୁର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଖୋର୍ଦ୍ଧା ଜିଲ୍ଲାର ଅନେକ ମୂଲ୍ୟବାନ ଜମିକୁ ସରକାର ଏବେ ଶାଗମାଛ ଦରରେ ଇଡକୋ ମାଧ୍ୟମରେ ବିକ୍ରି କରୁଥିବାବେଳେ ଜଟଣୀ ମ୍ୟୁନିସପାଲଟି ଓ ତା’ର ପାଶ୍ୱର୍ବର୍ତ୍ତୀ ୧୩ଟି ଗାଁ ଲୋକଙ୍କ ସ୍ଥିତିବାନ ଜମିକୁ ମଧ୍ୟ ସରକାର ହଡ଼ପ କରିନେଇଛନ୍ତି। ଯେଉଁଥିପାଇଁ ଲୋକଙ୍କୁ ଏବେ ସମସ୍ତ ପ୍ରକାରର ସରକାରୀ ସୁବିଧାସୁଯୋଗରୁ ବଂଚିତ ହେବାକୁ ପଡ଼ୁଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ଶୁଣୁନାହାନ୍ତି। ଯଦି ମାର୍ଚ୍ଚ ୧ ପୂର୍ବରୁ ସମସ୍ୟାର ସମାଧାନ ନହୁଏ ତା’ହେଲେ ୧୩ଟି ଗାଁର ଲୋକେ ଭୁବନେଶ୍ୱର ଆସି ଲୋକସେବା ଭବନ ଘେରାଉ କରିବେ ବୋଲି ସ୍ଥାନୀୟ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୂଲ୍ୟବାନ ଜମିକୁ ଇଡ୍‌କୋ ଜରିଆରେ ରାଜ୍ୟ ସରକାର ଶାଗମାଛ ଦରରେ ବିକୁଛନ୍ତି। ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିକୁ ୫ ହଜାର କୋଟି ଟଙ୍କାରେ ବିକ୍ରି କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି। ସମସ୍ତ ସରକାରୀ ଜାଗା ଇଡକୋକୁ ନଦେଇ ଗାଁରେ ଖେଳ ପଡ଼ିଆ, ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ଓ ଜଙ୍ଗଲ ସୃଷ୍ଟି କରାଯାଉ ବୋଲି ସେ ଦାବି କରିବା ସହ ଏହି ଜମି ଦୁର୍ନୀତିର ସିବିଆଇ ତଦନ୍ତ କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାକୁ ଶ୍ରୀ ରାଉତରାୟ ଦୃଢ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତ୍ତୀ ୧୩ଟି ଗ୍ରାମର ସମସ୍ତ ସ୍ଥିତିବାନ ସଂପତ୍ତିକୁ ୨୦୧୨ ମସିହାରେ ହଠାତ ଜଣେ ସେଟଲମେଂଟ ଅଫିସର ଆସି ଶ୍ରୀଜଗନ୍ନାଥ ନାମରେ ନାମିତ କରିଛନ୍ତି। ଏ ଅଂଚଳର ଜନସାଧାରଣଙ୍କର ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ନାମରେ ନାମିତ ହେବା ଦ୍ୱାରା ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଯୋଜନାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଯଥା ସ୍କୁଲଘର,ଡାକ୍ତରଖାନା, ରାସ୍ତାଘାଟ,ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି ପରି କୌଣସି କାର୍ଯ୍ୟ ହୋଇପାରୁ ନାହିଁ ଏବଂ ଏହି ଜମି ବିକ୍ରି ଖର୍ଦ୍ଦି ହୋଇପାରୁ ନାହିଁ। ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ବାପ ମା’ଙ୍କ ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ନିର୍ବାହ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି। ୨୦୧୨ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡ଼ିହ ଯେଉଁ ସ୍ଥିତିରେ ସେହିଭଳି ସ୍ଥିତିକୁ ଆଣିବା ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଏବଂ ବିଧାନସଭାରେ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳିିଲା ନାହିଁ। ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ବହୁବାର ଆନ୍ଦୋଳନାତ୍ମକ ଭୂମିକା ନେଇଥିଲେ ମଧ୍ୟ କିଛି ନ୍ୟାୟ ପାଇପାରିଲୁ ନାହିଁ। ଯଦି ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆମର ସ୍ଥିତିବାନ ଜମିକୁ ଫେରାଇ ନଦିଆଯାଏ, ରାଜ୍ୟ ସରକାରଙ୍କ ଉଦାସୀନତାର ଶିକାର ହୋଇଥିବା ଉପରୋକ୍ତ ଅଂଚଳର ସମସ୍ତ ଅଧିବାସୀ ଲୋକସେବା ଭବନକୁ ମାର୍ଚ୍ଚ ପହିଲାରେ ଘେରାଉ କରିବେ ଓ ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ରାଉତରାୟ ସ୍ପଷ୍ଟ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ବିବେକାନନ୍ଦ ବଡଜେନା, ବିଭୂତିଭୂଷଣ ସାମନ୍ତରାୟ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଗୋଟିଏ ମିସଡ୍ କଲ୍ ଦେଲେ ଘରେ ପହଂଚିବ ଗ୍ୟାସ, ଶୁଭାରମ୍ଭ କଲେ ଧର୍ମେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱର ସମେତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଇଣ୍ଡିଆର ଉପହାର ଅନ୍ତର୍ଗତ ଗୋଟିଏ ମିସଡ୍ କଲରେ ଗ୍ୟାସ ରିଫିଲ ବୁକିଂ ସେବା ପ୍ରଦାନ କାର୍ଯ୍ୟକ୍ରମକୁ ଆଜି ନୂଆବର୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି। ଆଜି ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ସମେତ ସମଗ୍ର ଦେଶରେ ଇଣ୍ଡିଆନ ଅଏଲର ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ ନିମନ୍ତେ ମିସଡ୍ କଲ୍ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ଉପଲବ୍ଧ ଫଳରେ ଇଣ୍ଡିଆନ ଅଏଲର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସଡ୍ କଲ୍ ଦେଲେ ଘରେ ଗ୍ୟାସ ପହଁଚିଯିବ ଓ ନୂଆ ଗ୍ୟାସ ସଂଯୋଗ ପାଇଁ ପଞ୍ଜିକରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଇଜ୍ ଅଫ୍ ଲିଭିଂକୁ ପ୍ରଧାନମନ୍ତ୍ରୀ ମୋଦି ସର୍ବାଧିକ ପ୍ରାଥମିକତା ଦେଇଥିବାବେଳେ ଆଜି ଭୁବନେଶ୍ୱରରୁ ରାଷ୍ଟ୍ରୀୟ ସୁବିଧାର ଉପଲବ୍ଧ ହେବା ଏହାର ବଡ଼ ଉଦାହରଣ। ଏହା ନୂଆବର୍ଷରେ ଭୁବନେଶ୍ୱର ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଉପହାର। ତେବେ ଖୁବଶୀଘ୍ର ଓଡ଼ିଶାରେ ସବୁ ଇଣ୍ଡେନର ଗ୍ରାହକମାନଙ୍କୁ ଏହି ମିସଡ୍ କଲ୍‌ରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ ଏବଂ ଆଗାମୀ କିଛି ମାସରେ ଦେଶରେ ସୁବୁଠି ଏହି ଡିଜିଟାଲ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ଼ିଜିଟାଲ ଇଣ୍ଡିଆ ନେଇ ଅନେକ ଲୋକ ପରିହାସ କରୁଥିବାବେଳେ ଏବେ ଗୋଟିଏ ସୁଇଚ୍ ଟିପିଲେ ଘରେ ଗ୍ୟାସ ପହଁଚିବା କେବଳ ଡ଼ିଜିଟାଲ ଇଣ୍ଡିଆରେ ହିଁ ସମ୍ଭବ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେବଳ ସମ୍ପନ୍ନ ଘର ଲୋକଙ୍କ ପାଖରେ ଏହି ଅତ୍ୟାଧୁନିକ ସୁବିଧା ପହଁଚାଇବା ନୁହେଁ ବରଂ ଗରିବରୁ ଗରିବ ଲୋକଙ୍କ ପାଖରେ ମଧ୍ୟ ସମସ୍ତ ସୁବିଧା ପହଁଚାଇବା ଭାରତ ସରକାରଙ୍କ ଲକ୍ଷ୍ୟ। ମୋଦି ସରକାର ମହିଳାଙ୍କୁ ସର୍ବୋପରି ଗୁରୁତ୍ୱ ଦେଇଆସୁଛନ୍ତି। ସମସ୍ତଙ୍କ ଘରେ ଗ୍ୟାସ ଉପଲବ୍ଧ କରାଇବା ମହିଳାଙ୍କ ସ୍ୱାସ୍ଥ୍ୟ, ଜୀବନ ଓ ସେମାନଙ୍କ ପରିବାର ସହ ଜଡ଼ିତ। ପୂର୍ବ ସରକାରରେ ଓଡ଼ିଶାରେ ୧୦୦ରେ ହାରାହାରି ୨୨ ଜଣଙ୍କ ଘରେ ରନ୍ଧନ ଗ୍ୟାସ ଥିବାବେଳେ ଏବେ କିନ୍ତୁ ମୋଦି ସରକାରରେ ଏହା ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଁଚିଛି। ଖୁବଶୀଘ୍ର ଏହାକୁ ଶତପ୍ରତିଶତ କରାଯିବ। ଏହା ହିଁ ମୋଦିଙ୍କ ସରକାରଙ୍କ ମହିଳାଙ୍କ ପ୍ରତି ଯୋଜନାର ବଳିଷ୍ଠ ପ୍ରମାଣ ବୋଲି ସେ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦେଶର ୭ଟି ବଡ଼ ସହର ଯଥା ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକତା, କୋଚି, ଇନ୍ଦୋର ସହରରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ ତଥା ଏକ୍ସପି ୧୦୦ର ପ୍ରଚଳନର ଶୁଭାରମ୍ଭ କରିଛନ୍ତିା ସେହିପରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆସାମର ଦିଗବୋଇ ବିଶୋଧନାଗାରରୁ ‘ଏକ୍ସପି ୧୦୦’ର ପ୍ରଥମ ବ୍ୟାଚକୁ ସବୁଜ ପତକା ପ୍ରଦର୍ଶନ ଦ୍ୱାରା ଶୁଭାରମ୍ଭ ମଧ୍ୟ କରିଛନ୍ତି। 

ଏଣିକି ଭୁବନେଶ୍ୱରରେ କୋଠା ନିର୍ମାଣ ପାଇଁ ଦରକାର ହେବନି ପ୍ଲାନ୍ ଆପ୍ରୁଭାଲ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ରାଜଧାନୀ ଭୁବନେଶ୍ୱରରେ ରହିବା ନିମନ୍ତେ ଏଣିକି କୋଠା ନିର୍ମାଣ କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସିଖବର। କୋଠା ନିର୍ମାଣ ପୂର୍ବରୁ ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଆଉ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସର୍ବାଧିକ ୧୦ମିଟର ଉଚ୍ଚତା(୩୩ଫୁଟ) ବିଶିଷ୍ଟ କୋଠା ନିର୍ମାଣ ନିମନ୍ତେ ପ୍ଲାନ୍ ଆପ୍ରୁଭାଲ୍ ଦରକାର ହେବନି। ବିଡିଏ ପକ୍ଷରୁ ନିଜସ୍ୱ ୱେବସାଇଟରେ ୧୦୪ଟି ଅନୁମୋଦିତ ବିଲିଡିଂ ପ୍ଲାନ୍ ରହିଛି, ଯେଉଁଥିରୁ ଗୋଟିଏକୁ ଗୃହନିର୍ମାତା ଚୟନ କରିପାରିବେ। ଆଜି ବିଡିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଲୋ-ରିସ୍କ କୋଠା ନିମନ୍ତେ ବିଲିଡିଂ ପ୍ଲାନର ଆବଶ୍ୟକତା ନାହିଁ। ଲୋ-ରିସ୍କ କୋଠା ନିମନ୍ତେ ବିଡିଏ ପକ୍ଷରୁ ଆଜି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଜାରି ହୋଇଛି। ଏହି ପ୍ଲାନ ଅନ୍ତର୍ଗତ ଗୃହନିର୍ମାତା ୨୪୦୦ବର୍ଗଫୁଟ୍ ସାଇଜ୍ ପର୍ଯ୍ୟନ୍ତ ଜମିରେ ଏହି ଲୋ-ରିସ୍କ କୋଠା ନିର୍ମାଣ କରିପାରିବ। ତେବେ ଏହି କୋଠାର ଉଚ୍ଚତା ୧୦ମିଟରରୁ କମ୍ ଓ ସର୍ବାଧିକ ୧୬୫୦ ବର୍ଗଫୁଟର ନିର୍ମାଣ ଅଂଚଳ  ଏବଂ କୋଠାରେ ବେସମେଣ୍ଟ ନଥିବା ଜରୁରୀ। ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଆଧାରରେ କୋଠା ନିର୍ମାଣ ପାଇଁ ଆଗ୍ରହୀ ବ୍ୟକ୍ତି କୋଠା ନିର୍ମାଣ ପୂର୍ବରୁ ବିଡିଏ ୱେବସାଇଟରୁ ଯେକୌଣସି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଚୟନ କରି ଫର୍ମ-୬(କ)କୁ ପୂରଣ କରି ସମ୍ପୃକ୍ତ ବିଲିଡିଂ ପ୍ଲାନର ରେଫରେନ୍ସ କୋଡ୍ ଏବଂ ବିଡିଏ/ବିଏମସି ନାଁରେ ବ୍ୟାଙ୍କ ଚାଲାଣ ଦାଖଲ କରି କୋଠା ନିର୍ମାଣ ଆରମ୍ଭ କରିପାରିବେ। କୋଠା ନିର୍ମାଣ କରି ସାରିବା ପରେ ଫର୍ମ-୬(ଖ)କୁ ପୂରଣ କରି ବିଡିଏ/ବିଏମସି ଅଫିସରେ ଦାଖଲ କରିବେ ତଥା ଏହାର ୧୫ଦିନ ପରେ ଉକ୍ତ କୋଠାରେ ରହିପାରିବେ। ବିଡିଏ ୱେବସାଇଟରେ ଏହି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ସହ କେତେ ଅର୍ଥ ପୈଠ କରିବାକୁ ପଡ଼ିବ ତା’ର ସବିଶେଷ ବିବରଣୀ ରହିଛି। ଏହାସହିତ ଘର ନିର୍ମାଣ କରିବାକୁ ଚାହୁଁଥିବା ବ୍ୟକ୍ତି  ବିଡିଏ ୱେବସାଇଟକୁ ଯାଇ ତାଙ୍କର ପ୍ଲଟଟିର ସ୍ଥିତି(ଏନଓସି ଆବଶ୍ୟକ କି ନାହିଁ)କୁ ଯାଂଚ କରିନେବାର ଆବଶ୍ୟକତା ରହିଛି। ଯଦି ଏହା ଇକୋ-ସେନସେଟିଭ୍ ଜୋନ, ଏଏସଆଇ ସଂରକ୍ଷିତ ଅଂଚଳ, କଟକଣା ଓ ନିୟନ୍ତ୍ରିତ ଅଂଚଳ,ବିମାନ ବନ୍ଦର ପ୍ରାଧିକରଣଙ୍କ ଜୋନିଂ ମ୍ୟାପ ଅଂଚଳ ଅନ୍ତର୍ଗତ ରହିଛି କି ନାହିଁ  ଯାଂଚ କରିବା ଜରୁରୀ। ଯଦି ସେଭଳି ଅଂଚଳରେ ପ୍ଲଟ୍ ଥାଏ ତା’ହେଲେ ଘର ନିର୍ମାଣ କରିବା ପାଇଁ ବିଡିଏଠୁ ପୂର୍ବ ଅନୁମତି(ଅନାପତ୍ତି ପ୍ରମାଣପତ୍ର) ଜରୁରୀ ବୋଲି ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଜାନୁଆରୀ ୨ ରାଶିଫଳ …!

ମେଷ: ଦୃଢ଼ ମନୋବଳ ଯୋଗୁ ଅନେକ ବିପଦରୁ ରକ୍ଷା ପାଇବେ। ପରିବାରରେ ପିଲାମାନେ ଆଜ୍ଞାଧୀନ ହେବେ ଓ ସୁଖଶାନ୍ତି ଅତୁଟ ରହିବ। ଆର୍ଥିକ ଅଭାବ ଦୂରହେବ। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର– ସାତଟି ଲାଲ୍ ମନ୍ଦାର ଫୁଲ ଗ୍ରାମଦେବୀଙ୍କୁ ଅର୍ପଣ କରନ୍ତୁ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ତେଣୁ ଜଗିରଖି କାମ କରନ୍ତୁ। ମିଛ ଅଭିଯୋଗରେ ଜଡ଼ିତ ହେବାର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଫଳରେ ମନ ଭାରାକ୍ରାନ୍ତ ରହିବ। ପ୍ରତିକାର– ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଓ ଚିନି ପକାଇ ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ଫଳରେ ମନ ପ୍ରଫୁଲ ରହିବ। ଘରକୁ କୌଣସି ନୂତନ ଦ୍ରବ୍ୟ କ୍ରୟ କରି ଆଣିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ହେବେ। ସମାଲୋଚିତ ହୋଇପାରନ୍ତି। ପ୍ରତିକାର– ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

କର୍କଟ: ଦାମ୍ପତ୍ୟ ଜୀବନରେ ଥିବା ମତପାର୍ଥକ୍ୟ ଦୂର ହୋଇ ସ୍ନେହ, ଶ୍ରଦ୍ଧା ବଢ଼ିବ। ଶତ୍ରୁମାନେ ପରାଜିତ ହେବେ। କାର୍ଯ୍ୟରେ ଜୟଯୁକ୍ତ ହେବେ। ହଠାତ୍ କୌଣସି ନୂତନ ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା କରିବେ। ପ୍ରତିକାର– ମା’ ଲକ୍ଷ୍ମୀଙ୍କ ଦଶନାମକୁ ୧୦ଥର ଜପ କରନ୍ତୁ।

ସିଂହ: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ। ଶରୀର ସୁସ୍ଥ ରହିବ ଓ ଯାତ୍ରାରେ ଶୁଭଫଳ ମିଳିବ। ପରିବାରରେ ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ପ୍ରତିକାର– ‘ଓଁ ନମୋଭଗବତେ ଶ୍ରୀ ସୂର୍ଯ୍ୟାୟ ନମଃ’ ମନ୍ତ୍ରକୁ ୭ଥର ପାଠ କରି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ଅପମାନିତ ତଥା ଅସମ୍ମାନିତ ହେବାର ଆଶଙ୍କା ରହିଛି। ଚକ୍ଷୁ କିମ୍ବା କର୍ଣ୍ଣରେ ପୀଡ଼ା ଅନୁଭବ କରିପାରନ୍ତି। ବୃଥା ଭ୍ରମଣଜନିତ କ୍ଲାନ୍ତି ଅନୁଭବ କରିବେ। ପ୍ରତିକାର– ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତା’ ମୂଳର ମାଟି ମଥାରେ ଲଗାନ୍ତୁ।

ତୁଳା: ସଭାସମିତି ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। କୌଣସି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ। ରାଜନେତାମାନେ ସାମାଜିକସ୍ତରରେ ଜନପ୍ରିୟତା ହାସଲ କରିବେ। ପ୍ରତିକାର– ୭ଟି ଚକଲେଟ୍ ୭ଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ବିଛା: ଜମିଜମା ବିବାଦ ଦୂର ହେବ ଓ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଧର୍ମକାର୍ଯ୍ୟରେ ମନ ବଳାଇବେ। ଫଳରେ ମାନସିକ ଶାନ୍ତି ପାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। ପ୍ରତିକାର– ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ଚଣାଗୁଡ଼ ଭୋଗ ଲାଗି କରନ୍ତୁ।

ଧନୁ: ଅର୍ଥ ଓ ମାନସମ୍ମାନ ପ୍ରାପ୍ତି ହେବା ସହିତ ସ୍ୱାଦିଷ୍ଟ ଭୋଜନ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଓ ସହାନୁଭୂତି ପାଇବେ। ପ୍ରତ୍ୟେକଟି କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିକାର– କୌଣସି ଅସହାୟ ମହିଳାଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ମକର: ଆର୍ଥିକ ସ୍ଥିତିରେ ଅବନ୍ନତି ଦେଖାଦେଇପାରେ। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର– କଞ୍ଚାକ୍ଷୀରରେ କଳାରାଶି ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢାଳନ୍ତୁ।

କୁମ୍ଭ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ବନ୍ଧୁ ଚର୍ଚ୍ଚାରେ ଦିନଟି ବିତାଇବେ। ବକେୟା ଅର୍ଥ ହସ୍ତଗତ ହେବ। ମହିଳାମାନେ ହସଖୁସିରେ ସମୟ ବିତାଇବେ। ପ୍ରତିକାର– କିଛି ସୋରିଷ ପାରାମାନଙ୍କୁ ଖାଇବାକୁ ଦିଅନ୍ତୁ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି। ମହିଳାମାନେ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ପ୍ରତିକାର– ସାତଟି ହଳଦିଆ ଫୁଲ ଭଗବାନ ନାରାୟଣଙ୍କୁ ଚଢ଼ାନ୍ତୁ।

ଦିବ୍ୟାଙ୍ଗଙ୍କୁ ଜୀବନସାଥୀ କଲେ ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଦିବ୍ୟାଙ୍ଗ ପୁରୁଷ ଅବା ମହିଳାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ରାଜ୍ୟ ସରକାର ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦେବେ। ପୂର୍ବରୁ ଏହି ପ୍ରୋତ୍ସାହନ ରାଶି ୫୦ହଜାର ଟଙ୍କା ଥିଲା। ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି ପ୍ରୋତ୍ସାହନ ରାଶିର ପରିମାଣକୁ ୫୦ହଜାର ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରସ୍ତାବକୁ ଉଭୟ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥ ବିଭାଗ ଅନୁମତି ଦେଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ, ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କୁ ସମ୍ମାନଜନକ ଭାବେ ବଂଚିବା ନିମନ୍ତେ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଭିନ୍ନକ୍ଷମ ପଲିସିି ଓ ଜାତିସଂଘ ଚୁକ୍ତିନାମାର ସର୍ତ୍ତାବଳୀକୁ କାର୍ଯ୍ୟକାରୀ କରିବା ଜରୁରୀ ହୋଇଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଶେଷକରି  ସମାଜରୁ ଜାତିପ୍ରଥାକୁ ଦୂର କରିବା ନିମନ୍ତେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିଙ୍କୁ ଅନ୍ୟ ଜାତିର ବ୍ୟକ୍ତି ବିବାହ କଲେ ବିଭାଗ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଉଥିବାରୁ ସମାନ ପରିମାଣର ପ୍ରୋତ୍ସାହନ ରାଶି ଦେବା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ  ପ୍ରସ୍ତାବ ଦେଇଥିଲା। ଯାହାକୁ ଯୋଜନା ଓ ସଂଯୋଜନ ବିଭାଗ ଅନୁମୋଦନ କରିଥିବାବେଳେ ଅର୍ଥ ବିଭାଗ ମଧ୍ୟ ମଞ୍ଜୁରୀ ଦେଇଛି। ରାଜ୍ୟ ଯୋଜନା ଅନ୍ତର୍ଗତ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ରାଜ୍ୟସ୍ତରରେ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ଓ ଜିଲ୍ଲାସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ।