ରଣଜୀ ଟ୍ରଫି: ମିଲିନ୍ଦଙ୍କ ଶତକ, ୨୮୮/୬ରେ ତ୍ରିପୁରାର ଇନିଂସ୍ ଘୋଷଣା

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର) – ଦୁଇଦିନର ଖେଳ ବାତିଲ ହେବା ପରେ ଓଡ଼ିଶା ଓ ତ୍ରିପୁରା ରଣଜୀ ମ୍ୟାଚର ତୃତୀୟ ଦିବସ ଖେଳ ସମ୍ଭବ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ତ୍ରିପୁରା ମିଲିନ୍ଦ କୁମାରଙ୍କ ଅପରାଜିତ ଶତକ ବଳରେ ୮୨ ଓଭରରେ ୬ ୱିକେଟ୍ ହରାଇ ୨୮୮ ରନ୍ କରି ପ୍ରଥମ ଇନିଂସ୍ ଘୋଷଣା କରିଛି। ମିଲିନ୍ଦ ୧୦୫ (୧୫୨ ବଲ୍‌, ୧୫ ଚୌକା, ୨ ଛକା) ରନ୍ କରି ଅପରାଜିତ ଥିବା ବେଳେ ମଣିଶଙ୍କର ମୁରାସିଂହ ଦ୍ରୁତ ୭୨ (୮୦ ବଲ୍‌, ୧୨ ଚୌକା, ୧ ଛକା) ଓ ସମ୍ରାଟ୍ ସିଙ୍ଘା ୬୫ ରନ୍ କରି ଆଉଟ୍ ହୋଇଛନ୍ତି।

ଓଡ଼ିଶାର ସଫଳ ବୋଲର ଭାବେ ରାଜେଶ ମହାନ୍ତି ୩ଟି ୱିକେଟ୍ ନେଇଛନ୍ତି। ଜବାବରେ ଓଡ଼ିଶା ଦିବସର ଖେଳ ଶେଷ ସୁଦ୍ଧା ବିନା ୱିକେଟ୍ ହରାଇ ୫ ରନ୍ କରିଛି। ଗୋବିନ୍ଦ ପୋଦ୍ଦାର ୪ ଓ ଶାନ୍ତନୁ ମିଶ୍ର ୧ ରନ୍ କରି ଅପରାଜିତ ରହିଛନ୍ତି। ସୋମବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଓଡ଼ିଶା ତ୍ରିପୁରାଠାରୁ ଗୋଟିଏ ରନ୍ ଅଧିକ କରି ଇନିଂସ୍ ଅଗ୍ରଣୀ ହାସଲ କରିବାକୁ ଚାହିଁବ।

ରବିବାର ସକାଳେ ଓଡ଼ିଶା କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତ୍ରିପୁରା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ବିକ୍ରମକୁମାର ଦାସ (୫) ଓ ତନ୍ମୟ ମିଶ୍ର (୪)ଙ୍କୁ ରାଜେଶ ମହାନ୍ତି ପ୍ୟାଭିଲିୟନ୍ ପଠାଇଥିବା ବେଳେ କମଲ ଦାସ ୨୦ ରନରେ ପପୁ ରୟଙ୍କ ଶିକାର ହୋଇଥିଲେ। ୬୫ ରନରେ ୩ ୱିକେଟ୍ ହରାଇ ତ୍ରିପୁରା ସଙ୍କଟରେ ପଡ଼ିଥିଲା ବେଳେ ସମ୍ରାଟ୍ ଓ ମିଲିନ୍ଦ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୯୨ ରନର ଭାଗୀଦାରୀ କରିଥିଲେ।

ସମ୍ରାଟଙ୍କ ଲଢ଼ୁଆ ଇନିଂସରେ ବ୍ରେକ୍ ଲଗାଇଥିଲେ ଭେଟେରାନ୍ ବସନ୍ତ ମହାନ୍ତି। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରଜତ ଦେ(୪)ଙ୍କୁ ଗୋବିନ୍ଦ ପୋଦ୍ଦାର ନିଜର ଶିକାର ବନାଇଥିଲେ। ଏହା ପରେ ମିଲିନ୍ଦ ଓ ମଣିଶଙ୍କର ସକାରାତ୍ମକ ବ୍ୟାଟିଂ କରିଥିଲେ ଏବଂ ଷଷ୍ଠ ୱିକେଟ୍ ପାଇଁ ୧୨୬ ରନ୍ ଯୋଡ଼ି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ମଣିଶଙ୍କରଙ୍କୁ ରାଜେଶ ଆଉଟ୍ କରିଥିଲେ ଏବଂ ଏହା ପରେ କ୍ୟାପଟେନ୍ ମିଲିନ୍ସ ଇନିଂସ୍ ଘୋଷଣା କରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ, ପପୁ ଓ ଗୋବିନ୍ଦ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ। ସୂଚନାଯୋଗ୍ୟ, ବର୍ଷା ଯୋଗୁ ମ୍ୟାଚର ପ୍ରଥମ ଦୁଇଦିନ ଖେଳରେ ଟସ୍ ପଡ଼ିପାରି ନଥିଲା।

ଚତୁଃରାଷ୍ଟ୍ରୀୟ ଯୁବ ଦିନିକିଆ ରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)-ଭାରତୀୟ ଅଣ୍ଡର୍‌-୧୯ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଯୁବ ଦିନିକିଆ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛି। ରବିବାର ଭାରତ ତା’ର ଦ୍ୱିତୀୟ ମୁକାବିଲାରେ ଜିମ୍ବାୱେକୁ ୮୯ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ଆୟୋଜକ ଦଳକୁ ୬୬ ରନରେ ହରାଇଥିଲା।

ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଓପ୍ନର ଦିବ୍ୟାଂଶ ସାକ୍ସେନାଙ୍କ ଅପରାଜିତ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୫ ରନ୍ କରିଛି। ଜବାବରେ ଜିମ୍ବାୱେ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଛି। ଭାରୀତୀୟ ଓପ୍ନର ଦିବ୍ୟାଂଶ ୧୩୭ ବଲରେ ୧୧ ଚୌକା ଓ ୧ ଛକା ସହ ଅପରାଜିତ ୧୨୮ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ତାଙ୍କ ସହ ଓପନ୍ କରିଥିବା ଯଶସ୍ୱୀ ଜୈସୱାଲ୍ ୭୮ (୮୬ ବଲ୍‌, ୫ ଚୌକା, ୨ ଛକା) ରନ୍ କରିଛନ୍ତି।

ଉଭୟେ ଯଶସ୍ୱୀ ଓ ଦିବ୍ୟାଂଶ ପ୍ରଥମ ୱିକେଟ୍ ପାଇଁ ୧୪୩ ରନର ଭାଗୀଦାରୀ କରିଥିଲେ। ମଧ୍ୟକ୍ରମରେ କୁମାର କୁଶାଗ୍ର ୪୭ (୫୧ ବଲ୍‌, ୨ ଚୌକା), ତିଳକ ବର୍ମା ୧୦, ଶାଶ୍ୱତ ରାୱତ୍ ୧୬ ଓ ଶୁଭାଙ୍ଗ ହେଗଡେ ୯ ରନ୍ କରିଥିଲେ। ଜିମ୍ବାୱେ କ୍ୟାପଟେନ୍ ଡିଅନ୍ ମେୟର୍ସ ସର୍ବାଧିକ ୮୩ (୧୦୮ ବଲ୍‌, ୯ ଚୌକା, ୧ ଛକା) ରନ୍ କରିଥିବା ବେଳେ ୱେସଲୀ ମାଢିଭିୟର୍ ୪୨ ଓ ତୌରାୟୀ ତୁଗୱେଟେ ୨୬ ରନ୍ କରି ଆଉଟ୍ ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ସୁଶାନ୍ତ ମିଶ୍ର ଓ ହେଗଡେ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ସେହିପରି ତିଳକ ବର୍ମା ୨ଟି, ବିଦ୍ୟାଧର ପାଟିଲ୍ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ବର୍ଷା ଧୋଇ ଦେଲା

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ବର) – ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ରବିବାର ଏଠାକାର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପରେ ଗୋଟିଏ ବି ବଲ୍ ପଡ଼ିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଟସ୍ ପରେ ଲଗାତର ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ବର୍ଷା ବନ୍ଦ ହେବା ସତ୍ତ୍ୱେ ଆଉଟ୍ ଫିଲ୍ଡ ଓ ପିଚ୍ ଓଦା ରହିବା କାରଣରୁ ଅମ୍ପାୟାର ଶେଷରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍ ବାତିଲ୍ ହେବା ଦ୍ୱାରା ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ସଂଖ୍ୟକ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି। ଏଥିସହ ନୂଆ ବର୍ଷରେ ଟିମ୍ ଇଣ୍ଡିଆ ମଧ୍ୟ ତା’ର ପ୍ରଥମ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଛି।

ମ୍ୟାଚ୍ ପାଇଁ ଟସ୍ ନିର୍ଦ୍ଧାରିତ ସମୟରେ ପଡ଼ିଥିଲା, କିନ୍‌ତୁ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ବର୍ଷା ବାଧା ଦେଇଥିଲା। ପ୍ରାୟ ୮ଟା ବେଳେ ବର୍ଷା ବନ୍ଦ ହୋଇଥିଲା, କିନ୍ତୁ ପିଚ୍ ଓଦା ରହିବା କାରଣରୁ ଇନ୍ସପେକ୍ସନ୍ ଟାଇମ୍ ରାତି ୯ଟାକୁ ରଖାଯାଇଥିଲା। ସାଢ଼େ ୯ଟା ବେଳେ ଅମ୍ପାୟାର ପୁଣିଥରେ ମ୍ୟାଚ୍ ଇନ୍ସପେକ୍ସନ୍ କରିଥିଲେ। ଏହା ପରେ ୫ ଓଭର ବିଶିଷ୍ଟ ମ୍ୟାଚ୍ ପାଇଁ କଟ୍ ଅଫ୍ ଟାଇମ୍ ରାତି ୯.୪୬ ଧାର୍ଯ୍ୟ ହୋଇଥିଲା, କିନ୍ତୁ ଏହି ସମୟରେ ମଧ୍ୟ ପିଚ୍ ଖେଳ ପାଇଁ ଉପଯୋଗ ହୋଇନଥିଲା। ଯାହା ପରେ ଅମ୍ପାୟାର ମ୍ୟାଚ୍ ନକରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବର୍ଷର ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ ସମସ୍ତଙ୍କ ନଜର ଶିଖର ଧୱନ୍ ଓ ଯଶପ୍ରୀତ ବୁମ୍ରାଙ୍କ ଉପରେ ରହିଥିଲା। ବୁମ୍ରା ଏହି ମ୍ୟାଚ୍ ଜରିଆରେ ଦୀର୍ଘ ୫ମାସ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଆହତ କାରଣରୁ ପ୍ରାୟ ଦୁଇମାସ ପରେ ଧୱନ୍ ଦଳକୁ ଫେରିଛନ୍ତି। ଏହି ମ୍ୟାଚରେ କୋହଲି ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ମନିଷ ପାଣ୍ଡେ, ୟୁଜବେନ୍ଦ୍ର ଚହଲ୍ ଓ ସଞ୍ଜୁ ସାମସନ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୭ ତାରିଖରେ ଇନ୍ଦୋରରେ ଖେଳାଯିବ।

ଉଦ୍ଧବ ସରକାରରେ ବିଭାଗ ବଣ୍ଟନ, ବଡ଼ ବିଭାଗ ଏନସିପି-କଂଗ୍ରେସ ହାତରେ

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ୱାଇ): ମହାରାଷ୍ଟ୍ରରେ ମନ୍ତ୍ରିମାନଙ୍କ ବିଭାଗ ବଣ୍ଟନକୁ ନେଇ ଚାଲିଥିବା ଆଲୋଚନାର ଆଜି ପୂର୍ଣ୍ଣଛେଦ ପଡ଼ିଛି। ରାଜ୍ୟପାଳ ଭଗତ ସିଂହ କେଶିଆରୀ ବିଭାଗ ବଣ୍ଟନକୁ ଅନୁମୋଦନ ଦେଇଛନ୍ତି। ତେବେ ବିଭାଗ ବଣ୍ଟନକୁ ନେଇ ଶିବସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶିବସେନାର ଅନେକ ବରିଷ୍ଠ ନେତା ଏହି ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବସେନାର ଅସନ୍ତୋଷ ବିଧାୟକ କହିଛନ୍ତି, ଦଳୀୟ ବିଧାୟକମାନଙ୍କ ଅପେକ୍ଷା ଏନସିପି ଓ କଂଗ୍ରେସ ବିଧାୟକ ବଡ଼ ବଡ଼ ପଦବୀ ପାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୪୩ ଜଣ ଉଦ୍ଧବ ସରକାରରେ ମନ୍ତ୍ରୀ ରହିଛନ୍ତି। ଯେଉଁଥିରେ ୩୩ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବାବେଳେ ୧୦ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ପାଖରେ ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଆଇନ ଏବଂ ବଣ୍ଟା ହୋଇନଥିବା ବିଭାଗ ରହିଛି।

ଏହାବାଦ୍ ଏନସିପି ପାଖରେ ଉପମୁଖ୍ୟମନ୍ତ୍ରୀ ପଦବୀ ସହିତ ଗୃହ ମନ୍ତ୍ରଣାଳୟ, ଅର୍ଥ, ଜଳସେଚନ, ପରିବହନ, ଖାଦ୍ୟ, ସଂଖ୍ୟାଲଘୁ ଏବଂ ସାମାଜିକ ନ୍ୟାୟ ବିଭାଗ ପ୍ରମୁଖ ରହିଛି। ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ପାଖରେ ଅର୍ଥମନ୍ତ୍ରଣାଳୟ ଏବଂ ଯୋଜନା କମିଶନ ରହିଛି। ସେହିପରି ଏନସିପି ବିଧାୟକ ଅନୀଲ ଦେଶମୁଖଙ୍କ ପାଖରେ ଗୃହ ମନ୍ତ୍ରଣାଳୟ ରହିଛି। ଛଗନ ଭୂଜବଳଙ୍କ ପାଖରେ ଖାଦ୍ୟ ଏବଂ ସାମାଜିକ ନ୍ୟାୟ ବିଭାଗ ରହିଛି।

ଶିବସେନା ପାଖରେ ମୋଟ ୧୫ଟି ବିଭାଗ ରହିଛି। ଯେଉଁଥିରେ ଶିଳ୍ପ, ଖଣି ଏବଂ ମରାଠୀ ଭାଷା ଭଳି ବିଭାଗ ରିହଛି। ସବାଷ ଦେଶାଈଙ୍କ ପାଖରେ ନଗର ଉନ୍ନୟନ ବିଭାଗ ରହିଥିବାବେଳେ ଏକନାଥ ସିନ୍ଧେଙ୍କ ପାଖରେ ପରିବବନ ଏବଂ ସଂସଦୀୟ ବ୍ୟାପାର ବିଭାଗ ରହିଛି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କ ପାଖରେ ପର୍ଯ୍ୟଟନ ବିଭାଗ ରହିଛି। ମହାବିକାଶ ଅଘାଡ଼ି ମେଣ୍ଟରେ ସାମିଲ ଥିବା ଅନ୍ୟତମ ଦଳ କଂଗ୍ରେସ ପାଖରେ ରାଜସ୍ୱ, ପିଡବଲ୍ୟୁଡି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରହିଛି।

ମହାକାଳପଡ଼ାରେ ସିଏଏ ପାଇଁ ସମାବେଶ, ବିରୋଧୀ ର ଅପପ୍ରଚାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର): ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବାବେଳେ ବିଜେପି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଶରଣାର୍ଥୀ ବହୁଳ ମହାକାଳପଡ଼ାଠାରେ ବିଜେପି ଏକ ବିଶାଳ ସମାବେଶ କରି ବିରୋଧୀ ଦଳଗୁଡ଼ିକ ଦ୍ୱାରା ଯେଉଁ ଗୁଜବ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛି। ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ସିଏଏର ମୁଖ୍ୟ ଲକ୍ଷ୍ୟ ବୋଲି ମହାକାଳପଡ଼ାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ କହିଛନ୍ତି। ଏପଟେ ପୁରୀଠାରେ ବରିଷ୍ଠ ବିଜେପି ନେତା ରାଜୀବ ପ୍ରତାପ ରୁଡ଼ି ମଧ୍ୟ ସିଏଏ ସମର୍ଥନରେ ଲୋକଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଆଜି ମହାକାଳପଡ଼ାଠାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ କହିଛନ୍ତି ଯେ, ସିଏଏ ହେଉଛି ନାଗରିକତ୍ୱ ଦେବା ଆଇନ। କାହାରି ନାଗରିକତ୍ୱ ଛଡ଼ାଇବାର ଆଇନ ନୁହେଁ। ଭାରତ ବିଭାଜନ ପରେ ନିଜ ନିଜ ଦେଶର ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନେହରୁ- ଲିଆକତଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ସେହି ଚୁକ୍ତି ଆଧାରରେ ଭାରତ ସରକାର ୨୦୧୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଇ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ସିଏଏ ମାଧ୍ୟମରେ ନାଗରିକତା ପ୍ରଦାନ କରିବେ।

ଭାରତରେ ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଏହି ଆଇନ କାର୍ଯ୍ୟ କରିବ। ଓଡ଼ିଶାର ଯେତେ ସଂଖ୍ୟାଲଘୁ ଶରଣାର୍ଥୀ ଅଛନ୍ତି ସମସ୍ତଙ୍କୁ ସମସ୍ତ ଅଧିକାର ସ୍ଥାୟୀ ଭାବେ ପ୍ରଦାନ କରାଯିବ। ଶ୍ରୀ କୁଲସ୍ତେ ବିରୋଧୀ ଦଳଗୁଡ଼ିକର ଗୁଜବ ଓ ଅପପ୍ରଚାରକୁ ବିଶ୍ୱାସ ନକରିବା ପାଇଁ କହିଛନ୍ତି। ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ ମହାକାଳପଡ଼ାର ୨ଟି ଶରଣାର୍ଥୀ ପରିବାର ନିକଟକୁ ଯାଇ ଏହି ଆଇନ ସଂପର୍କରେ ସଚେତନ କରାଇଥିଲେ।

ସୂଚନାଯୋଗ୍ୟ ବିଜେପି ଆସନ୍ତା ୧୫ଦିନ ମଧ୍ୟରେ ରାଜ୍ୟର ପ୍ରାୟ ଏକ କୋଟି ପରିବାର ପାଖକୁ ଯାଇ ସିଏଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବ।

ମହାକାଳପଡ଼ା ସମାବେଶରେ ଯୋଗ ଦେଲେନି ବିଜୟ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପିର ସର୍ବଭାରତୀୟ ଜନସମ୍ପର୍କ ଅଭିଯାନ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ଏକ ବିଶାଳ ବିସ୍ଥାପିତ ସମାବେଶରେ ଯୋଗ ଦେଇ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏହି ଅଭିଯାନକୁ ଶୁଭାରମ୍ଭ କରିବା ସହ ସିଏଏ ବିରୋଧରେ ବିରୋଧୀଙ୍କ ଅପପ୍ରଚାର ଉପରେ ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଥିଲେ।

ତେବେ ଏହି ସମାବେଶରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପ୍ରାୟତଃ ସମସ୍ତ ନେତା ଯୋଗ ଦେଇଥିଲାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ସାମିଲ ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମହାକାଳପଡ଼ାଠାରେ ସମାବେଶକୁ ସଫଳ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଗତ କିଛଦିନ ଧରି ଜୋରଦାର ପ୍ରୟାସ ଚାଲିଥିଲା। ମହାକାଳପଡ଼ାଠାରେ ସମାବେଶ କରି ସିଏଏ ସପକ୍ଷରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରାଯାଉଥିବାରୁ ଏହି କାର୍ଯ୍ୟକ୍ରମ ପାଇଁ ଦଳ ମଧ୍ୟ ଆଗୁଆ ପ୍ରସ୍ତୁତି କରିଥିଲା। କିନ୍ତୁ ଏହି ସମାବେଶରେ ମହାକାଳପଡ଼ା ଓ ପାଟକୁରା ମାଟିର ପୁଅ ତଥା ରାଜ୍ୟ ବିଜେପିର ପ୍ରଭାବଶାଳୀ ନେତା ବିଜୟ ମହାପାତ୍ର ଅନୁପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ସମସ୍ତ ନେତା ଥିବାବେଳେ ଶ୍ରୀ ମହାପାତ୍ର ଙ୍କ ଅନୁପସ୍ଥିତିକୁ ନେଇ ସମାବେଶ ସ୍ଥଳରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଶ୍ରୀ ମହାପାତ୍ରଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସମାବେଶରେ ଯୋଗ ଦେବା ପାଇଁ ଶ୍ରୀ ମହାପାତ୍ରଙ୍କୁ ଗତକାଲି ରାତିରେ ହିଁ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଏତେ ବଡ଼ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଗରୁ ସୂଚିତ କରାଯାଇନଥିବାରୁ ଶ୍ରୀ ମହାପାତ୍ର ନିଜକୁ ଅପମାନିତ ଅନୁଭବ କରି ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମହାକାଳପଡ଼ାଠାରେ ଦଳର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ଭୁବନମୋହନ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ମାର୍ଶାଘାଇ ବିଧାନସଭା ଦଳୀୟ ପ୍ରାର୍ଥୀ ବିଜୟ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ବିଷ୍ଣୁ ଦାଶ, ଉମାକାନ୍ତ ପଟ୍ଟନାୟକ, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସିଏଏକୁ ନେଇ ବିଜେପି ଯୋଗୁ ଅଶାନ୍ତି ହେଉଛି: ବିଜେଡି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର):ସଂସଦରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଥିବା ବିଜେଡି ଏବେ ଦେଶରେ ସିଏଏ କାର୍ଯ୍ୟକାରିତାକୁ ନେଇ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛି। ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧୀ ଦଳ ଓ ବିଭିନ୍ନ ସଂଗଠନର ପକ୍ଷରୁ ଜାରି ରହିଥିବା ବିରୋଧ ଉପରେ ବିଜେଡି କଟାକ୍ଷ କରିବାକୁ ମଧ୍ୟ ପଛାଇ ନାହିଁ।

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସିଏଏକୁ ନେଇ ବିଜେପି ଆଗରୁ ଜନସଚେତନତା କାର୍ଯ୍ୟକ୍ରମ କରିବାର ଥିଲା। ଏଭଳି ସଚେତନତା ନକରି ବିଜେପି ଯେପରି ଆଗେଇ ଚାଲିଛି ସେଥିପାଇଁ ସବୁ ସମସ୍ୟା ଦେଖାଦେଇଛି। ସଂସଦରେ ବିଜେଡି ସିଏଏକୁ ସମର୍ଥନ କରିଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏନଆରସିକୁ ଓଡ଼ିଶା ସମର୍ଥନ କରିବ ନାହିଁ। ଏନଆରସି ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସିଏଏ ଭାରତର ନାଗରିକଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ। ଏନଆରସି ସମସ୍ୟା ସୃଷ୍ଟି କରିବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ମନା କରିସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ସିଏଏ ସମର୍ଥନରେ ଆଜିଠାରୁ ବିଜେପି ରାଜ୍ୟରେ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ମହାକାଳପଡ଼ାରେ ବିଶାଳ ବିସ୍ଥାପନ ସମାବେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଯାହାକି ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ଚାଲିବ ଓ ବିଜେପି ରାଜ୍ୟରେ ଏକ କୋଟି ପରିବାର ପାଖରେ ପହଞ୍ôଛବାକୁ ଲକ୍ଷ୍ୟ ରଖିଛି।

ଭିତରକନିକାରେ ବଢ଼ିଲା କୁମ୍ଭୀର ସଂଖ୍ୟା

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୧୫ଟି କୁମ୍ଭୀର ବଢ଼ିଛନ୍ତି। ଗତବର୍ଷ ଭିତର କନିକାରେ ୧୭୪୨ କୁମ୍ଭୀର ଥିବାବେଳେ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୧୭୫୭ରେ ପହଞ୍ଚିଛି। କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ଏହି ଗଣନା କରାଯାଇଥିଲା। ମୋଟ୍ ୪ଟି ରେଞ୍ଜରେ ୨୩ଟି ଟିମ୍ ସାହାଯ୍ୟରେ ୫୪ଟି ପର୍ଯ୍ୟାୟରେ କୁମ୍ଭୀର ଗଣନା କରାଯାଇଥିଲା। କନିକା ରେଞ୍ଜରେ ସର୍ବାଧିକ ୧୩୮୫ଟି କୁମ୍ଭୀର ଥିବା ବେଳେ ରାଜନଗରରେ ୨୬୦ଟି, ମହାକାଳପଡ଼ାରେ ୭୫ଟି ଓ ଗହିରମଥାରେ ୩୭ଟି କୁମ୍ଭୀର ଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Ajira Rasi Fala – 06.01.2020 (Monday) . ୬ ଜାନୁଆରୀ, ସୋମବାର

ମେଷ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମନ ପ୍ରଫୁଲ୍ଲିତ ରହିବ।

ବୃଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ।

ମିଥୁନ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

କର୍କଟ: ବ୍ୟବସାୟରେ ଲାଭ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପଦୋନ୍ନତିର ଯୋଗ ରହିଛି।

ସିଂହ: ଦିନଟି ଭଲରେ କଟିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

କନ୍ୟା: ଖାଦ୍ୟପେୟର ଯତ୍ନ ନିଅନ୍ତୁ। ମାଲିମକଦ୍ଦମାରେ ବିଜୟୀ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଧନପ୍ରାପ୍ତି ଯୋଗ ରହିଛି।

ଧନୁ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ।

ମକର: ଶରୀର ଫୂର୍ତ୍ତି ରହିବ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମାନ-ସମ୍ମାନ ମିଳିବ।

କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

କିଶୋର ପଳେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ “ପ୍ରଜ୍ଞା ମଣିଷକୁ ଶ୍ରେଷ୍ଠ ବ୍ୟକ୍ତିତ୍ୱରେ ପରିଣତ କରିଥାଏ “…!

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଛାତ୍ରଛାତ୍ରୀମାନେ ଅଧୟନରତ ହେବା ଫଳରେ ପ୍ରଜ୍ଞା ବୃଦ୍ଧି ପାଇବା ସହ ମଣିଷକୁ ଶ୍ରେଷ୍ଠ ବ୍ୟକ୍ତିତ୍ୱରେ ପ୍ରକାଶ କରିଥାଏ ବୋଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇ +2 କାଉନ୍ସିଲ ର ଯୁଗ୍ମ ସମ୍ପାଦକ ଡ଼.କୁଲାମଣି ଓଝା ପରାମର୍ଶ ଦେଇଥିଲେ | ଛାତ୍ର ଛାତ୍ରୀମାନେ whatsaap , facebook ଓ Google ପ୍ରେମରେ ନ ପଡି ପୁସ୍ତକ ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦେଲେ ମାନସିକ , ଶୈଖିକ ଓ ଚାରିତ୍ରିକ ବିକାଶ ହୋଇପାରିବ ବୋଲି ପ୍ରକାଶ କରିଥିଲେ | ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କିଶୋର ପଲେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉସଃଛବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରମହପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦେଶକ ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପିଲାମାନେ କେବଳ ସାର୍ଟିଫିକେଟ ସର୍ବସ୍ବ ଶିକ୍ଷା ପଛରେ ନ ଗୋଡ଼ାଇ ନିଜର ଅନ୍ତର୍ନିହିତ ଶୈଖିକ ଯୋଗ୍ୟତା ବଳରେ ୧୦୦ କ୍ୟାରେଟ ମଣିଷ ହୋଇପାରିଲେ ଭାରତ ବର୍ଷର ସାମଗ୍ରିକ ବିକାଶ ରୁଦ୍ଧିମନ୍ତ ହୋଇପାରିବ ବୋଲି ପ୍ରକାଶ କରିଥିଲେ | ସେହିପରି ଶିକ୍ଷା ବିଭାଗ ର ଅତିରିକ୍ତ ନିର୍ଦେଶକ ବିଶ୍ୱନାଥ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ଅଧ୍ୟକ୍ଷା ନମିତା ଦାଶ ସଭାପତିତ୍ୱ କରିଥିବାବେଳେ ଇତିହାସ ଅଧ୍ୟାପକ ସରୋଜ ଦାଶ ବିବରଣୀ ପାଠ କରିଥିଲେ , ଷ୍ଟାଫ କାଉନ୍ସିଲ ସେକ୍ରେଟାରୀ ତଥା ବିଦ୍ୟାଳୟ ର ବାଣିଜ୍ୟ ଅଧ୍ୟାପକ ସତ୍ୟବାନ ନାୟକ ଓ ଇଂରାଜୀ ଅଧ୍ୟାପକ ଡି ଅରୁଣ ଚାଲମ ପ୍ରମୁଖ ମଂଚାସୀନ ଥିବାବେଳେ ଓଡ଼ିଆ ଅଧ୍ୟାପକ ଯୋଗେନ୍ଦ୍ର ବାରିକ ବାର୍ଷିକ ଉତ୍ସବ ର ସଂଯୋଜନା କରିଥିଲେ | ସେହିପରି ମହିଳା ଆତ୍ମରକ୍ଷା ସଂଯୋଜକ ଅମୃତ କୁମାର ସେଠି ଉତ୍ସବ ରେ ଅଂଶଗ୍ରହଣ କରିଥିବାବେଳେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରଭାକର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ମୁଖ୍ୟ କିରାଣୀ ଟୁନା ଦାସ ଓ ସହକାରୀ କିରାଣୀ ରବୀନ୍ଦ୍ର କୁମାର ମହାନ୍ତି ଓ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ବାର୍ଷିକ ଉତ୍ସବ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିବାବେଳେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇ ପୁରସ୍କାର ବିତରଣ କରାଯାଇଥିଲା |