ରାତି ଅଧରେ ୧୩ ମାରିଲେ ଚମ୍ପଟ; ୩ ଜଣ ସସ୍‌ପେଣ୍ଡ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର): ରାତିର ଅନ୍ଧକାର ସୁଯୋଗ ନେଇ ବାଳାଶ୍ରମରୁ ୧୩ ଜଣ ନାବାଳିକା ଚମ୍ପଟ ମାରିଛନ୍ତି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ୭ ଜଣଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଏହି ଅଭିଯୋଗରେ ୩ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଗତକାଲି ବିଳମ୍ୱିତ ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରେ ରହୁଥିବା ୧୩ ନାବାଳିକା ଚମ୍ପଟ ମାରିଥିଲେ। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଚମ୍ପଟ ମାରିଥିବା ୧୩ ଜଣଙ୍କ ଭିତରୁ ୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୫ ଜଣ, ଜଗନ୍ନାଥପ୍ରସାଦ ଓ ଚିକିଟି ଅଞ୍ଚଳରୁ ଜଣେ ଲେଖାଏଁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି। ସେମାନଙ୍କ ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ପୁଲିସ ଚେଷ୍ଟା ଚଳାଇଛି।

ବ୍ରହ୍ମପୁର ଉପଜିଲ୍ଲା ସିନ୍ଧେ ଦତ୍ତାତ୍ରେୟ ଭାଓସାହେବ ଆଜି ବଳାଶ୍ରମ ଯାଇ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସିକ୍ୟୁରିଟି ଗାର୍ଡ ଭାଗ୍ୟଶ୍ରୀ, ହାଉସ ମଦର ଲକ୍ଷ୍ମୀ ମହାରଣା ଓ ୱାଚମ୍ୟାନ ପର୍ଶୁରାମ ବେହେରାଙ୍କୁ ଜିଲ୍ଲାପାଳ ସସ୍‌ପେଣ୍ଡ କରିଛନ୍ତି।

ଶିଶୁପାଳ କରିଦେବନି ତ ଛାମୁ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଆସନ୍ତା ଏପ୍ରିଲ୍ ସୁଦ୍ଧା ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନକୁ ନେଇ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା।   ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ ଲାଗି ସ୍ଥିତି ଅସ୍ପଷ୍ଟ ରହିଛି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ।  ଏସବୁ ଭିତରେ ଶାସକ ଦଳର ନେତାମାନେ ଆରମ୍ଭ କଲେଣି ଲବି।

ସୋରଜୀନି ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ, ରଂଜୀବ ବିଶ୍ୱାଳ। ଆସନ୍ତା ଏପ୍ରିଲ ମାସରେ ଏମାନଙ୍କ କାର୍ଯ୍ୟକାଳ ସରିବା ସହ ଖାଲି ହେବ ତିନି ରାଜ୍ୟସଭା ଆସନ। ତା’ସହିତ ଲୋକସଭାକୁ ନିର୍ବାଚିତ ଅନୁଭବ ମହାନ୍ତିଙ୍କ ସ୍ଥାନ ବି ଖାଲି ରହିଛି । ଏହି ୪ ଆସନ ପାଇଁ କିଏ ଯିବେ ରାଜ୍ୟସଭା, କାହା ଉପରେ ଭରସା କରିବେ ନବୀନ, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ଆସନ ଯିବା ନିଶ୍ଚିତ। ଏଥିପାଇଁ ଗତ ନିର୍ବାଚନରେ ହାରିଥିବା ଅନେକ ଟପ୍ ନେତା ଆରମ୍ଭ କରିଦେଲେଣି ଲବି। ପଶ୍ଚିମଓଡିଶାରୁ  କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ନଳୀନି ପ୍ରଧାନ ପ୍ରମୁଖ ଦାବିଦାର ଥିବା କୁହାଯାଉଛି। ଏପଟେ ସଂଜୟ ଦାଶବର୍ମା, ଦେବାଶିଷ ସାମନ୍ତରାୟ, ମହେଶ୍ୱର ମହାନ୍ତି, ରବୀନ୍ଦ୍ର ଜେନା ଓ  ଦେବାଶିଷ ମାରାଣ୍ଡି  ମଧ୍ୟ ରେସ୍‌ରେ ଥିବା ଚର୍ଚ୍ଚା ହେଉଛି। ସେହିପରି ନିର୍ବାଚନ ବେଳେ ନବୀନ ଦୁଇ ପୁରୁଖା ପ୍ରସନ୍ନ ପାଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ଲାଗି ନବୀନ ଖୋଲା ଘୋଷଣା କରିଥିଲେ। ତା’ସହିତ ଅନୁସୂଚିତ ଜାତି ଓ ଜାନଜାତି ଏବଂ ମହିଳାଙ୍କ କଥା ବି ନବୀନଙ୍କୁ ଧ୍ୟାନରେ ରଖିବାକୁ ପଡିବ। ତେବେ ଏସବୁ ଆଶାୟୀ ନା ସବୁଥର ଭଳି ଏଥର ବି କିଛି ସରପ୍ରାଇଜ୍ ଦେବେ ନବୀନ ତାକୁ ନେଇ ଦଳର ଭିତରେ ଚର୍ଚ୍ଚା ଚାଲିଛି ।

ସେପଟେ ଏଥର ରାଜ୍ୟସଭା ନିର୍ବାଚନ ଗଣିତକୁ ଓଲଟାପାଲଟ କରିପାରେ ବିଧାନ ପରିଷଦ ଗଠନ ପ୍ରସ୍ତାବ । ଗତଥର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର  କରୁଛି ବିଧାନ ପରିଷଦ ଡିଲ୍ ଉପରେ।  କାରଣ ଫେବୃୟାରୀ ମାସରେ ଅଧିବେଶନ ସମୟରେ ବିଧାନ ପରିଷଦ ବିଲ୍ ଆସିବା ନେଇ ବିଜେଡି ଆଶା ରଖିଛି । ସାଂସଦ ପିନାକୀ ମିଶ୍ର ପୂର୍ବରୁ ଏନେଇ ସୂଚନା ଦେଇଥିଲେ।  ଆଉ ମାର୍ଚ୍ଚ ମାସରେ ରାଜ୍ୟସଭା ନିର୍ବାଚନ ସମ୍ଭାବନା ରହିଛି।  ବିଧାନ ପରିଷଦ ବିଲ୍ ପାସ୍ ହେଲେ ବିଜେପିକୁ ଗୋଟିଏ କି ଦୁଇଟି ଆସନ ଛାଡିପାରେ ବିଜେଡି।  ସେପଟେ ଚତୁର୍ଥ ଆସନ ପାଇଁ ଟଣାଓଟରାର ସମ୍ଭାବନା ରହିଛି। କାରଣ ଏନେଇ କାହା ପାଖାରେ ସଂଖ୍ୟା ନାହିଁ। ଏବେ ବିଜେପି-ବିଜେଡି ମଧ୍ୟରେ ମଧୁର ସଂପର୍କ ରହିଛି।  ରାଜ୍ୟସଭା ନିର୍ବାଚନ ଏହି ସଂପର୍କକୁ ଅଧିକ ମଜଭୁତ୍‌ କରିବ ନା ବିଗାଡ଼ିବ ତା ଉପରେ ନଜର ରହିଛି।

ବରା ଦୋକାନି ର ପୁଅ ପାଇଲେ ଓଏଏସ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର):ବରା ବିକିଲେ ପେଟପାଟଣା ଚଳେ। ଘରେ ଚୁଲି ଜଳେ। ତେଲ ଲୁଣ ସଂସାର ଚାଲେ। ପାଠପଢ଼ାଠାରୁ ଘରର ସବୁ ଖର୍ଚ୍ଚ ଏହି ବରା ଦୋକାନ ହିଁ  ସାହା ହୋଇଥାଏ। ବାପା ଦୋକାନରେ ରୋଷେଇ କରନ୍ତି। ଆଉ ଦାଦା ଦୋକାନ ଚଳାନ୍ତି। ହେଲେ ବୀରେନ୍ଦ୍ରଙ୍କ ସ୍ୱପ୍ନ କିନ୍ତୁ କିଛି ଅଲଗା ଥିଲା। ଦାରିଦ୍ର୍ୟର ତାଡ଼ନା ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। ଆଉ ମନେ ମନେ ଭାବୁଥିଲେ ଆମର ବରା ଦୋକାନ ବୋଲି ମୁଁ କଣ ଓଏଏସ୍‌ ପାଇବିନି ?

ଏମିତି ଏକ ଜିଦ୍‌ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗକୁ ବଢ଼ିଥିବା ବୀରେନ୍ଦ୍ର ଶେଷରେ ସଫଳ ହୋଇଥିଲେ। ଆଉ ଓଏଏସ୍‌ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିଲେ।   ଭୁବନେଶ୍ୱର ବରମୁଣ୍ଡା ରେଣ୍ଟାଲ୍‌ କଲୋନିର  ବୀରେନ୍ଦ୍ର ତ୍ରିପାଠୀଙ୍କ ଘର।  ବାପା ରୋଷେୟା, ଦାଦା ଜଳଖିଆ ଦୋକାନୀ। ଅର୍ଥାତ ଏହି ଦୋକାନରେ ବରା, ପିଆଜି, ବାଇଗଣି କରି ଆଦି ପେଟ ପୋଷନ୍ତି ଏହି ପରିବାର।

ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ ବୀରେନ୍ଦ୍ର। ପ୍ରଥମେ ବିଜେବି କଲେଜ ଓ ପରେ ଓୟୁଏଟିରେ ଶିକ୍ଷା ଶେଷ କରି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିଲେ। ବୀରେନ୍ଦ୍ରଙ୍କର ଛୋଟବେଳୁ ଆଇଏଏସ୍‌ ହେବାର ଲକ୍ଷ୍ୟ ରହିଥିଲା। ସିଆର୍‌ପିସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରୁ ସ୍କଲ୍‌ ଶିକ୍ଷା ପରେ ବିଜେବିରେ ବିଏସ୍‌ସି ଶିକ୍ଷା ଲାଭ କରିଛନ୍ତି । ଏଗ୍ରିକଲ୍‌ଚର ଇକୋନୋମିକ୍ସରେ ଏମ୍‌ଏସ୍‌ସି ପଢ଼ୁଥିବା ବେଳେ ଓଏଏସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଆଉ ଏହାରି ଭିତରେ ସେ ବାପାଙ୍କୁ ଜଳଖିଆ ଦୋକାନରେ ସହଯୋଗ କରୁଥିଲେ। ଦୋକାନ ଯାଇ ଗ୍ରାହକଙ୍କୁ ଖାଇବା ଦେଉଥିଲେ ଓ ପ୍ଲେଟ୍‌ ଧୋଉଥିଲେ ମଧ୍ୟ। ଏହାରି ଭିତରେ ବି ସେ ୬୭ ରାଙ୍କ ସହ ଓସିଏସ୍‌ସି ଉତ୍ତୀର୍ଣ୍ଣ ହେବାପରେ, ତାଙ୍କ ପରିବାର, ମୁଖ୍ୟତଃ ତାଙ୍କ ପାଇଁ ଦିନରାତି ସ୍ୱପ୍ନ ଦେଖୁଥିବା ଦାଦା ବହୁତ ଖୁସି। ଆଉ ସଫଳତା ପାଇବା ପରେ  ବୀରେନ୍ଦ୍ର କହିଛନ୍ତି ଯେ, ଏହି ଦୋକାନ ହିଁ ଆମର ମେରୁଦଣ୍ଡ।

Ajira Rasifala (08/01/2020).୮ ଜାନୁଆରୀ,ବୁଧବାର ।

ମେଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।
ବୃଷ: ଦିନଟି ଭଲରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିର କଟିବ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।

କର୍କଟ: ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଶରୀର ସୁସ୍ଥ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ସିଂହ : ଅଧିକ ପରିଶ୍ରମ କରିବେ। ଅଳସୁଆ ଅନୁଭବ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ତୁଳା:ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ।

ବିଚ୍ଛା: ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ିବ। ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିବେ।

ଧନୁ: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମକର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ।କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ଛାତ୍ରୀଛାତ୍ରମାନେ ପରୀକ୍ଷାରେ ସଫଳତା ପାଇବେ।

କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ବସ୍ତ୍ର କିଣିପାରନ୍ତି। ବିବାହ ସ୍ଥର ହୋଇପାରେ।

ମୀନ: ଅଧିକ ପରିଶ୍ରମ କରିପାରନ୍ତି। ମାନ-ସମ୍ମାନ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ହସଖୁସିର ପରିବେଶ ରହିବ।

Ajira Rasifala (7/1/20) Tuesday. ଆଜିର ରାଶିଫଳ (୭/୧/୨୦) ମଙ୍ଗଳବାର।

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାଇଙ୍କ ସହ ମତାନ୍ତର ହୋଇପାରେ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

 

ବୃଷ: ଆତ୍ମବିଶ୍ୱାସ ବଢ଼ିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

 

ମିଥୁନ: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଶରୀରରେ ଆଘାତ ଲାଗିପାରେ।

 

କର୍କଟ: ଜୀବନସାଥୀଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

 

ସିଂହ: ଶୁଭ ଖବର ଶୁଣି ପାରନ୍ତି। ଉପହାର ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

 

କନ୍ୟା: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

 

ତୁଳା: ପରିବାରରେ ହସଖୁସିର ପରିବେଶ ରହିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ।

 

ବିଚ୍ଛା: ଦିନଟି ଭଲରେ କଟିବ। ମାନ-ସମ୍ମାନ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।

 

ଧନୁ: ହସଖୁସିରେ ସମୟ ବିତିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଋଣ ଦିଅନ୍ତୁ ନାହିଁ।

 

ମକର: ଆର୍ଥିକ ସ୍ଥିତି ଭଲ ରହିବ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ମାଲିମକଦ୍ଦମାରେ ବିଜୟୀ ହେବେ।

 

କୁମ୍ଭ: ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । ଦୁର୍ଘଟଣାର ଯୋଗ ରହିଛି । ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

 

ମୀନ: ମନ ବିଚଳିତ ରହିବ। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ବଢ଼ିଲା ବସ୍‌ ଭଡ଼ା;ଲୋକେ ଅସନ୍ତୋଷ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁଣି ବଢ଼ିଲା ବସ୍‌ ଭଡ଼ା । ଅଟୋମେଟିକ୍ ମେକାନିଜିମ୍‌ରେ ବଢ଼ିଲା ବସ୍ ଭଡ଼ା। ଅର୍ଡିନାରି ବସ୍ କିମି ପିଛା ୬୯ ପଇସା ଥିଲା । ହେଲା ୭୦ ପଇସା। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଥିଲା ୭୨ ପଇସା । ହେଲା ୭୩ ପଇସା। ଡିଲକ୍ସ ବସ୍ ଭଡ଼ା ଥିଲା ୯୯ ପଇସା ହେଲା ୧ ଟଙ୍କା ୧ ପଇସା। ଏସି ଡିଲକ୍ସ କିମି ପିଛି ଥିଲା ୧ ଟଙ୍କା ୨୧ ପଇସା ହେଲା ୧ ଟଙ୍କା ୨୩ ପଇସା ପୂର୍ବରୁ ଶେଷଥର ପାଇଁ ୨୦୧୯ ଜୁଲାଇ ୧୧ରେ ବୃଦ୍ଧି ପାଇଥିଲା। ପୂର୍ବରୁ  ଅର୍ଡିନାରି କିମି ପିଛା ୬୯ ପଇସାକୁ ବୃଦ୍ଧି ପାଇ ଥିଲା । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ୯୯ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇ ଥିଲା।

ମହୁ ଖାଆନ୍ତୁ, ଏସବୁ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ସାଧାରଣତଃ ଶୀତ ଦିନେ ଅଧିକାଂଶ ଲୋକଙ୍କୁ ଥଣ୍ଡା ଓ କାଶ ଆଦି ହୋଇଥାଏ। ଯଦି ଆପଣ ବି ଏମିତି ସମସ୍ୟାରେ ପଡ଼ୁଛନ୍ତି, ତା’ହେଲେ ମହୁ ଖା’ନ୍ତୁ। କାରଣ ମହୁରେ ଥିବା ଔଷଧୀୟ ଗୁଣ ଥଣ୍ଡା ଓ କାଶ ଭଳି ସମସ୍ୟାରୁ ଆରାମ ଦିଏ। ତେବେ ଏଥିପାଇଁ ଏହାକୁ କେମିତି ଖାଇବାକୁ ହେବ, ତାହା ବି ଜାଣିବା ଜରୁରୀ। ତା’ହେଲେ ଆସନ୍ତୁ ଜାଣିବା ମହୁକୁ କେମିତି ଖାଇବେ। ଏହା ସହିତ ଆପଣ ଖାଉଥିବା ମହୁ ଅସଲି ନା ନକଲି କେମିତି ପରୀକ୍ଷା କରିବେ, ସେ ବିଷୟରେ ବି ଜାଣି ନିଅନ୍ତୁ।

୧. ଶୀତଦିନେ ଥଣ୍ଡା ଜିନିଷ ଖାଇଲେ ଗଳାରେ ଇନ୍‌ଫେକ୍ସନ୍‌ ହୋଇଥାଏ। ଏହି ସମୟରେ ହାଲ୍‌କା ଗରମ ପାଣିରେ ମହୁ ଓ ଲେମ୍ୱୁ ମିଶାଇ ପିଇଲେ, ଗଳା ଠିକ୍‌ ହୋଇଯାଏ।

୨. ଶୀତଦିନେ ଜର, ଥଣ୍ଡା, ନାକ ନଫିଟିବା ଓ କାଶକୁ ଠିକ୍‌ କରିବା ପାଇଁ ମହୁ ରାମବାଣ ପରି କାର୍ଯ୍ୟ କରିଥାଏ। ଏଥିପାଇଁ ଅଦାରସରେ ମହୁ ମିଶାଇ ପିଅନ୍ତୁ। ଏ ସବୁ ସମସ୍ୟା ଦୂର ହୋଇଯିବ।

୩. ମହୁକୁ ଚାଟି ଖାଇଲେ ମଧ୍ୟ ଥଣ୍ଡା ଓ କାଶ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ। ଦିନକୁ ଏହିପରି ଦୁଇରୁ ତିନିଥର ମହୁକୁ ଖାଇଲେ କାଶ ବନ୍ଦ ହୋଇଯାଏ। ଆପଣ ଚାହିଁଲେ ଡାଲଚିନି ପାଉଡର୍‌ରେ ବି ମହୁ ମିଶାଇ ଖାଇପାରିବେ। ଏହା ବି ବେଶ୍ ଫାଇଦା ଦେଇଥାଏ।

୪. ଗୋଟିଏ କପ୍‌ ଗରମ ପାଣିରେ ୧ ଚାମଚ ମହୁ ମିଶାଇ ପିଇଲେ ଦିନସାରା ଶରୀରକୁ ଏନର୍ଜି ମିଳିଥାଏ।

ମହୁ ଅସଲି ନା ନକଲି

ଯଦି ମହୁ ଅସଲି କିମ୍ୱା ନକଲି ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଗ୍ଲାସ୍‌ରେ ଅଳ୍ପ ପାଣି ନେଇ ସେଥିରେ ଟିକେ ଭିନେଗାର ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ଏଥିରେ ମହୁ ପକାନ୍ତୁ। ଯଦି ମହୁ ପକାଇବା ପରେ ଏହି ମିଶ୍ରଣରୁ ଫେଣ ବାହାରିଲା, ତା’ହେଲେ ଜାଣିବେ ମହୁ ଶୁଦ୍ଧ ନୁହେଁ। ଏହା ଅପମିଶ୍ରିତ। ତେଣୁ ଉକ୍ତ ମହୁକୁ ବ୍ୟବହାର କରନ୍ତୁ ନାହିଁ।

ନିଦ ହେଉନି କି, ଖାଆନ୍ତୁ ଏହି ଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ସମସ୍ତଙ୍କ ରୋଷେଇ ଘରେ ଜାଇଫଳ ଦେଖିବାକୁ ମିଳିଥାଏ। ଏହା କେବଳ ଖାଇବାକୁ ସ୍ୱାଦିଷ୍ଟ କରି ନଥାଏ, ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ତା’ହେଲେ ଆସନ୍ତୁ ଜାଣିବା ଜାଇଫଳରେ କେଉଁସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।

୧. ଅନିଦ୍ରା ସମସ୍ୟା ବା ଇସୋମୋନିଆ ଦୂର କରିବା ପାଇଁ ଜାଇଫଳ ଲାଭଦାୟକ। ଏହି ରୋଗ ହେଲେ ରାତିରେ ନିଦ ହୁଏନି।  ଏଥିପାଇଁ ଦୈନନ୍ଦିନ ଭୋଜନରେ ଜାଇଫଳ ସାମିଲ କରନ୍ତୁ।

୨. ଜାଇଫଳରେ କ୍ୟାନସର୍‌ ପରି ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ରହିଛି।

୩. ଜାଇଫଳ ଖାଇବା ଦ୍ୱାରା ଶରୀରରେ ସେରେଟୋନିନ୍‌ ହର୍ମୋନର ଉତ୍ପାଦନ ବୃଦ୍ଧି ହୋଇଥାଏ। ଏହି ହରମୋନ୍‌ ଶରୀର ଓ ମସ୍ତିଷ୍କକୁ ଶାନ୍ତି ରଖିବା ପାଇଁ ସାହାଯ୍ୟ କରିଥାଏ। ଏହାଦ୍ୱାରା ନିଦ ଭଲ ହୋଇଥାଏ।

୪. ଆଣ୍ଠୁଗଣ୍ଠି ରୋଗ ପାଇଁ ପାଇଁ ଜାଇଫଳ ଖା’ନ୍ତୁ। ଯଦି ଆପଣ ବି ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ଖାଦ୍ୟରେ ଜାଇଫଳ ସାମିଲ କରନ୍ତୁ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଆଣ୍ଠୁଗଣ୍ଠି ରୋଗ ପାଇଁ ଭଲ।

୫. ପେଟଜନିତ ସମସ୍ୟା ପାଇଁ ମଧ୍ୟ ଜାଇଫଳ ଭଲ। ଅଧିକ ତେଲ ମସଲାଜାତୀୟ ଖାଦ୍ୟ ପାଚନତନ୍ତ୍ରକୁ ପ୍ରଭାବିତ କରିଥାଏ। ତେଣୁ ଜାଇଫଳ ଖାଇବାଦ୍ୱାରା ଡାଇରିଆ ଓ ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

୬. ଜାଇଫଳରେ କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ମିନେରାଲ୍, ପୋଟାସିୟମ୍ ପରି ନ୍ୟୁଟ୍ରିଏଣ୍ଟସ୍‌ ରହିଛି ଓ ଏସବୁ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ।

ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍ ମଟର୍

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ସାଧାରଣତଃ ଶୀତ ଦିନେ ଗ୍ରୀନ୍ ମଟର ହୋଇଥାଏ। ଗ୍ରୀନ୍‌ ମଟର୍‌ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏହାକୁ ସବୁ ତରକାରିରେ ବ୍ୟବହାର କରି ହୁଏ। ଅନେକ ଲୋକ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ତେବେ ଏହା କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଏଥିରେ ଅନେକ ଭିଟାମିନ୍ ସହିତ ଔଷଧୀୟ ଗୁଣ ଭରି ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ। ତା’ହେଲେ ଆସନ୍ତୁ ଜାଣି ନେବା ଗ୍ରୀନ୍ ମଟର ଖାଇଲେ କେଉଁ କେଉଁ ଲାଭ ମିଳେ।

୧. ଶୀତଦିନେ ଖାଦ୍ୟ ଠିକ୍‌ ଭାବେ ହଜମ ହୁଏ ନାହିଁ। ଏହି ସମସ୍ୟାକୁ ଠିକ୍‌ କରିବାରେ ମଟର ସାହାଯ୍ୟ କରିଥାଏ। ଏଥିରେ ଥିବା ଫାଇବର୍‌ ଡାଇଜେଷ୍ଟିଭ୍‌ ସିଷ୍ଟମ୍‌କୁ ଠିକ୍‌ ରଖିଥାଏ। ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ।

୨. ମଟରରେ ଅଧିକ ପରିମାଣରେ ଫାଇବର୍‌ ଓ ପ୍ରୋଟିନ୍‌ ଥିବାରୁ ଏହା ପେଟରେ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଫଳରେ ପେଟ ପୂରିଲା ପୂରିଲା ଲାଗେ ଓ ଭୋକ କମ୍‌ ହୋଇଥାଏ। ଭୋକ କମ୍‌ ହେଲେ ଖାଇବା କମ୍ ହୁଏ ଓ ଏହାଦ୍ୱାରା ଓଜନ ହ୍ରାସ ପାଏ।

୩. ମଟରରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଓ କ୍ୟାଲସିୟମ୍‌ ରହିଛି। ଏସବୁ ତତ୍ତ୍ୱ ହାଇ ବ୍ଲଡ୍‌ ପ୍ରେସର ଓ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରିଥାଏ। ଫଳରେ ହାର୍ଟ ଆଟାକ୍‌ର ଆଶଙ୍କା କମ୍ ହୋଇଥାଏ।

୪. ମଟର ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଭଲ।

୫. ମଟରରେ ପ୍ରଚୁର ମାତ୍ରାରେ ଆଇରନ୍‌ ରହିଛି। ଏହି ଆଇରନ୍‌ ଶରୀରରେ ଆଲର୍ଜିକୁ କମ୍‌ କରିଥାଏ ଏବଂ ଏନିମିଆ ସମସ୍ୟାକୁ ଦୂର କରିଥାଏ।

୬. ମଟରରେ ଥିବା ଭିଟାମିନ୍‌ ଓ ମିନେରାଲ୍ସ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶୀତଦିନେ ହେଉଥିବା ବିଭିନ୍ନ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ।

୭. ମଟରରେ କାରୋଟେନୋଏଡ୍‌ ପିଗମେଣ୍ଟ ଲୁଟିନ୍‌ ନାମରେ ଏକ ତତ୍ତ୍ୱ ରହିଛି, ଯାହା ଆଖି ପାଇଁ ଭଲ। ଏହା ଦୃଷ୍ଟିଶକ୍ତିକୁ ଠିକ୍ ରଖେ।

ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ଇଣ୍ଡିଆ-ବି’କୁ ଜିତାଇଲେ ସୁଶ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର): ଓଡ଼ିଆ ସ୍ପିନର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଦମଦାର ବୋଲିଂ ବଳରେ ଇଣ୍ଡିଆ-ବି ଏଠାରେ ଖେଳାଯାଇଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଦ୍ୱିତୀୟ ମ୍ୟାଚରେ ଇଣ୍ଡିଆ-ସି’କୁ ୪ ରନରେ ପରାସ୍ତ କରିଛି। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି’ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୯୪ ରନ୍ କରିଥିଲା। ଜବାବରେ ଇଣ୍ଡିଆ-ସି’ ୮ ୱିକେଟ୍ ହରାଇ ୯୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦୁଇଦିନ ଧରି ଲଗାତାର ବର୍ଷା କାରଣରୁ ବାରବାଟୀ ପିଚ୍ ଧିମା ହୋଇଯାଇଥିଲା, ଯେଉଁଥିରେ ବଡ଼ ରନ୍ କରିବା କଷ୍ଟକର ହୋଇଥିଲା। ତେବେ ବୋଲରଙ୍କ ପାଇଁ ଅନୁକୂଳ ଏହି ପିଚରେ ଓଡ଼ିଶାର ସୁଶ୍ରୀ କମାଲ୍ କରିଛନ୍ତି। ସେ ୪ ଓଭରରେ ୧୫ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ବି’ର ତିନି ଶୀର୍ଷ ବ୍ୟାଟ୍ସଓମ୍ୟାନ୍ ଯଥା ଭେଲାସ୍ୱାମୀ ବନିତା (୧୧), କ୍ୟାପଟେନ୍ ମନ୍ଧାନା (୬) ଓ ଜେମିମା ରୋଡ୍ରିଗ୍ସ (୧) ନିରାଶ କରିଥିଲେ। ତେବେ ରିଚା ଘୋଷ ୨୫ (୨୬ ବଲ୍‌, ୫ ଚୌକା) ରନର ନିର୍ଣ୍ଣାୟକ ଇନିଂସ୍ ଖେଳି ଦଳର ସ୍କୋରକୁ ୯୪ ରନରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଖା ପାଣ୍ଡେ ୧୫, ଅନୁଜା ପାଟିଲ୍ ୧୧, ସୁଶ୍ରୀ ୮ ଓ ପୂଜା ବସ୍ତ୍ରାକର ୪ ରନ୍ କରିଥିଲେ। ତନୁଜା କନୱର ୭ ରନ୍ କରି ଅପରାଜିତ ଥିଲେ। ଇଣ୍ଡିଆ-ସି’ ପକ୍ଷରୁ ରାଜେଶ୍ୱରୀ ଗାଏକ୍ୱାଡ୍ ମାତ୍ର ୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ମୋନିକା ଶର୍ମା, ଅରୁନ୍ଧତୀ ରେଡ୍ଡି ଓ ତନୁଶ୍ରୀ ସରକାର ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

୯୫ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଆ-ସି’ ଏକ ସମୟରେ ୫୭ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଦୟାଲାନ୍ ହେମଲତା (୨୦) ଓ ତନୁଶ୍ରୀ ସରକାର (୧୮) ଭଲ ଖେଳି ଟିମକୁ ବିଜୟ ଅଭିମୁଖେ ନେଇଥିଲେ। ହେମଲତାଙ୍କୁ ଆଉଟ୍ କରି ଶିଖା ପାଣ୍ଡେ ମ୍ୟାଚକୁ ଭାରତ-ବି’ କବଜାରେ କରିଥିଲେ। ଶେଷ ଓଭରରେ ଇଣ୍ଡିଆ-ସି’କୁ ୯ ରନ୍ ଆବଶ୍ୟକ ଥିଲା ବେଳେ ଦଳ ମାତ୍ର ୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଇଣ୍ଡିଆ-ବି’ର ସୁଶ୍ରୀ ଚମତ୍କାର ବୋଲିଂ କରି ପ୍ରତିପକ୍ଷ ଦଳର ମଧ୍ୟକ୍ରମରେ ଅଙ୍କୁଶ ଲଗାଇଥିଲେ। ସେ ଯଥାକ୍ରମେ ଇଣ୍ଡିଆ-ସି କ୍ୟାପଟେନ୍ ବେଦା କ୍ରିଷ୍ଣମୂର୍ତ୍ତୀ (୮), ଅରୁନ୍ଧତୀ (୨) ଓ ବୃଶାଲି ଭଗତ (୮)ଙ୍କୁ ଆଉଟ୍ କରିଥିଲେ। ଇଣ୍ଡିଆ-ବି’ର ଅନ୍ୟ ବୋଲରଙ୍କ ମଧ୍ୟରେ ଶିଖା, ଅନୁଜା ଓ ତନୁଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ବର୍ଷା ଓ ଖରାପ ଆଲୋକ ଯୋଗୁ ଶନିବାର ଇଣ୍ଡିଆ-ଏ ଓ ଇଣ୍ଡିଆ-ବି ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା। ଉଭୟ ଦଳ ୨ ପଏଣ୍ଟ ଲେଖାଏ ବାଣ୍ଟିଛନ୍ତି। ଆସନ୍ତାକାଲିର ମ୍ୟାଚ୍ ଇଣ୍ଡିଆ-ସି’ ଓ ଇଣ୍ଡିଆ-ଏ ମଧ୍ୟରେ ଖେଳାଯିବ।