ଶ୍ରୀଜିଉଙ୍କ ଦର୍ଶନ ଅନୁମତି ପାଇଲେ ଭଡ଼ାଟିଆ ଓ କର୍ମଜୀବୀ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିଠାରୁ ଭଡ଼ାଟିଆ ଓ କର୍ମଜୀବୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ସୂଚନାଯୋଗ୍ୟ, ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଥିଲା। ଏହା ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀଙ୍କୁ ମିଳିଛି ଏହି   ଅନୁମତି। ଆନୁଷ୍ଠାନିକ ଭାବେ ଜଗା ଦର୍ଶନ ନିମନ୍ତେ ଭଡ଼ାଟିଆଙ୍କ ପାଇଁ ୩୦ ଓ ୩୧ ତାରିଖ ଧାର୍ଯ୍ୟ ହୋଇଛି। ହେଲେ ଟୋକନ ପାଇଥିବା ଭଡ଼ାଟିଆ ଆଜିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଭଡ଼ାଟିଆଙ୍କ ପାଇଁ ନୀଳ ରଙ୍ଗ ଓ କର୍ମଜୀବୀଙ୍କ ପାଇଁ ସବୁଜ ରଙ୍ଗର ଟୋକନ ବ୍ୟବସ୍ଥା ହୋଇଛି। ଘରମାଲିକଙ୍କଠାରୁ ଲିଖିତ ଅନୁମତି ଆଣି ଶ୍ରୀଜିଉ ଦର୍ଶନ କରିପାରିବେ। ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି। ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଥିଲା । ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା।

ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ।

ବଳ ପୂର୍ବକ ଧର୍ମ ପରିବର୍ତ୍ତନ କଲେ ମିଳିବ ୧୦ ବର୍ଷ ଜେଲ – କ୍ୟାବିନେଟ ଅନୁମୋଦନ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଉତ୍ତର ପ୍ରଦେଶ ପରେ ବିଜେପି ଶାସିତ ମଧ୍ୟପ୍ରଦେଶରେ ଲଭ ଜିହାଦ ଆଇନ ବା ମଧ୍ୟପ୍ରଦେଶ ଫ୍ରିଡମ ରିଲିଜନ ବିଲ୍‌ ୨୦୨୦କୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ବିଲ୍‌ ଉପରେ ମୋହର ମାରିବାକୁ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କ୍ୟାବିନେଟ୍‌ ବସିଥିଲା। ସର୍ବସମ୍ମତିକ୍ରମେ ଏହି ବିଲ୍‌ ପାରିତ ହୋଇଛି। ଯଦି କେହି ମହିଳା କିମ୍ବା ନାବାଳିକାଙ୍କୁ ବଳପୂର୍ବକ ଧର୍ମାନ୍ତୀକରଣ କରାଇବ, ତା’ହେଲେ ତା’କୁ ୨ରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ମଧ୍ୟପ୍ରଦେଶ ଫ୍ରିଡମ ରିଲିଜନ ବିଲ୍‌ ୨୦୨୦ ବଳ ପୂର୍ବକ ଧର୍ମାନ୍ତୀକରଣ ଉପରେ ରୋକ ଲଗାଇବ।

ନାବାଳିକା/ନାବାଳକ, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ଯଦି କେହି ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଏ, ତା’ହେଲେ ତାଙ୍କୁ ୨ରୁ ୧୦ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ସେହିପରି ଯେକୌଣସି ଲୋକଙ୍କର ଜୋରଜବରଦସ୍ତି ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ଉପରେ ୧ରୁ ୫ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି ସେ କହିଛନ୍ତି।କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବାରୁ ଏବେ ବିଧାନସଭାରେ ବିଲ୍‌କୁ ପାସ କରାଇବା ପାଇଁ ଉପସ୍ଥାପନ କରାଯିବ। ବିଧାନସଭାରେ ଅନୁମୋଦନ ପାଇବା ପରେ ଏହି ବିଲ୍‌ ରିଲିଜିୟସ ଫ୍ରିଡମ ଆକ୍ଟ ୧୯୬୮ର ସ୍ଥାନ ନେବ। ବିଲ୍‌ରେ ଆହୁରି କୁହାଯାଇଛି ଯେ କେବଳ ଧର୍ମ ପରିବିର୍ତ୍ତନ ପାଇଁ ହୋଇଥିବା ବାହାଘରକୁ ଅବୈଧକ ଘୋଷଣା କରାଯିବ। ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିବାକୁ ଚାହୁଁଥିବା ଲୋକମାନେ ଦୁଇ ମାସ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ। ଏଥିପାଇଁ ଉଭୟ ପକ୍ଷର ସହମତି ଦରକାର। ଭୁଲ ତଥ୍ୟ, ପ୍ରଲୋଭିତ ବା ଅନ୍ୟ ଯେକୌଣସି ଉପାୟରେ ବି କେହି ମଧ୍ୟପ୍ରଦେଶରେ କାହାର ଧର୍ମ ପରିବର୍ତ୍ତନ କରିପାରିବେ ନାହିଁ।

କଂଗ୍ରେସର ସମାଲୋଚନା କୁ ; ଶାସକ ଦଳ ର ନଖ ଘଷା ନୀତି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଜେପି ପକ୍ଷରୁ ଢେଙ୍କାନାଳରେ ଆୟୋଜିତ କୃଷକ ସମାବେଶରେ କେନ୍ଦ୍ର ମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ନୂଆ କୃଷି ଆଇନ ନେଇ ଚାଷୀଙ୍କୁ ସଚେତନ କରିବା ସହ ଏହା ସେମାନଙ୍କ ଫାଇଦା ପାଇଁ ପ୍ରସ୍ତୁତ ହୋଇଥିବା କହିଛନ୍ତି। ଏହା ସହିତ ଏଥିରେ କଂଗ୍ରେସ ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ଏହି ସମାବେଶରେ ସେ କ’ଣ ସବୁ କହିଛନ୍ତି ଚୁମ୍ବକରେ ଜାଣି ନିଅନ୍ତୁ। 

  • ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ଯୋଜନା ଆରମ୍ଭ କରିସାରିଛନ୍ତି।
  • ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
  • କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି।
  • ନୂଆ କୃଷି ଆଇନରେ ଚାଷୀର ଲାଭ ବଢ଼ିବ।
  • ଏହାକୁ ନେଇ ଚାଷୀଙ୍କ ମନରେ ଅଯଥା ଡର, ଭ୍ରମ ତିଆରି କରାଯାଉଛି।
  • ଚାଷୀଙ୍କ ଜମି ବଡ଼ କଂପାନୀ କିଣିନେବେ ବୋଲି ଭ୍ରମିତ କରାଯାଉଛି।
  • ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇ ଦିଆଯିବ ବୋଲି ଭ୍ରମିତ କରାଯାଉଛି।
  • କଂଗ୍ରେସ ସମାଲୋଚନା କରୁଛି, ଶାସକ ଦଳ ଟିକେ ନଖ ଘଷି ଦେଉଛି।
  • ୧୩-୧୪ରେ ଧାନ MSP ଥିଲା ୧୩୧୦, ଏବେ ୧୮୧୫ ଟଙ୍କା ହୋଇଛି।
  • MSP ଟଙ୍କା ଦେବେ ମୋଦି, ଆଉ ଏଠି ରାଜ୍ୟରେ ଦଳୀୟ କର୍ମୀଙ୍କୁ ଦିଆଯିବ ଟୋକନ।
  • କେନ୍ଦ୍ର ଟଙ୍କା ଦେଲେ ବି ଟଙ୍କା ବଣ୍ଟା ହେଉଛି ଦଳୀୟ ଆଧାରରେ।
  • ଏଠି ରାଜ୍ୟ ସରକାର ମିଲରମାନଙ୍କ ସହ ମଧୁଚନ୍ଦ୍ରିକାରେ ମାତିଛନ୍ତି।
  • ସମବାୟ ମନ୍ତ୍ରୀଙ୍କ ଭାଇଙ୍କ ନାଁରେ ଆସିଥିବା ଦୁର୍ନୀତି ଆଠଗଡ଼ରେ ସୀମିତ ନୁହେଁ। ଗଁଦିଆ, ପାଲଲହଡ଼ା, ଆଠମଲ୍ଲିକରେ ବି ଦୁର୍ନୀତି ହୋଇଥିବା କୁହାଯାଉଛି।
  • ଚାଷୀଙ୍କୁ ଠକିଲେ ତୁମେ ଫଳ ପାଇବ।
  • ବିଗତ ୬ ବର୍ଷରେ ଓଡ଼ିଶା ଚାଷୀଙ୍କ ପାଇଁ ମୋଦି ୬୦ ହଜାର କୋଟି ଦେଇଛନ୍ତି।
  • କ’ଣ ପାଇଁ ଓଡ଼ିଶାର ଚାଷୀଙ୍କୁ ମୋଦିଙ୍କ ସହାୟତାରୁ ବଞ୍ଚିତ କରାଯାଉଛି?
  • କଣ ପାଇଁ ପିଏମ୍ କିଷାନ ଚାଷୀ ତାଲିକା ଦେଉନି ରାଜ୍ୟ?
ମହିଳା ସଂରକ୍ଷଣ କଥା ସଂସଦରେ ଉଠେଇବ ବିଜେଡି ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମା’ ଆଗେଇଲେ ଦେଶ ଆଗେଇବ। ମା’  ବିନା ପ୍ରଗତି ରଥ ଆଗକୁ ଗଡ଼ିବା ଅସମ୍ଭବ। ନାରୀ ଶକ୍ତିର ବିକାଶରେ ଦେଶର ବିକାଶ। ନାରୀର ସଶକ୍ତିକରଣ ନ କଲେ ଦେଶର ପ୍ରଗତି ଅସମ୍ଭବ। ବିକାଶଶୀଳ ଦେଶଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ ଆମ ଦେଶର ନାରୀ ଶକ୍ତିକୁ ଆଗେଇବାକୁ ପଡ଼ିବ। କୁନ୍ଦୁଲି, ପିପିଏ, ଧର୍ମଶାଳା, ନୟାଗଡ଼ ଆଦି ଅଞ୍ଚଳରେ ମହିଳା ବିରୋଧୀ ଅପରାଧୀଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇ ବଦନାମ ହେବା ପରେ ମହିଳା ସଶକ୍ତିକରଣ କଥା ଉଠେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ। ଦଳର  ୨୪ତମ ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ କଥା ଉଠେଇବା ସେ ଏନେଇ ସେ ଜାତୀୟ ଦଳଗୁଡ଼ିକୁ ଟାର୍ଗେଟ ମଧ୍ୟ କରିଛନ୍ତି। ମହିଳା ସଶକ୍ତିକରଣର କଥା ଉଠାଇ ନବୀନ କହିଛନ୍ତି, ମା’ମାନେ ହେଉଛନ୍ତି ସମାଜ ରଥର ଅଖ। ସେମାନଙ୍କ ବିନା ଏହି ରଥ ଆଗକୁ ବଢିପାରିବ ନାହିଁ। ବିଜୁ ବାବୁଙ୍କ ଭାଷାରେ  ମା’ ଭଉଣୀ ଘର ଚଳାଇଲେ, ପଞ୍ଚାୟତ, ଜିଲ୍ଲା ପରିଷଦ ମଧ୍ୟ ସମ୍ଭାଳି ପାରିବେ। ୧୯୯୨ ମସିହାରେ ବିଜୁ ବାବୁ ପଞ୍ଚାୟତ ଅର୍ବାନ ବଡ଼ି ଓ ସରକାରୀ ଚାକିରିରେ ୩୩% ସଂରକ୍ଷଣ କରିଥିଲେ , ଯାହାକି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ବିଜୁ ବାବୁଙ୍କ  ଆଦର୍ଶରେ ଚାଲିଥିବା ଆମ ଦଳ ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ବିଜେଡି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି। ଏପରିକି ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଛି। ଜାତୀୟ ଦଳ ମହିଳାଙ୍କୁ ନେଇ ନିଜର ଇସ୍ତାହାରରେ ବହୁତ ବଡ ବଡ଼ କଥା କୁହନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି।  ବିଜେଡି ଏକ ଆଞ୍ଚଳିକ ଦଳ ହେଲେ ମଧ୍ୟ ମହିଳାଙ୍କ ସଂରକ୍ଷଣ  ନିମନ୍ତେ ସଂସଦରେ ଦାବି ଜୋର କରିବ। ବିଧାନସଭା, ରାଜ୍ୟସଭା, ଲୋକସଭାର ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ କଥା ଜାତୀୟ ଦଳମାନଙ୍କୁ ମନେପକାଇଦେବ। ମହିଳାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢାଇ ଜାରି ରଖିବ ବିଜେଡି।ଭାରତର ସବୁ ମହିଳାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବୁ ଓ ଗାଁ ଗାଁରେ ମହିଳାଙ୍କୁ ସଚେତନ କରାଇବୁ ବୋଲି କହିଛନ୍ତି ନବୀନ। ଏପରିକି ଏହାକୁ ଏକ ଆନ୍ଦୋଳନର ରୂପ ଦେବୁ ବୋଲି ସେ କହିଛନ୍ତି।

ଓଜନ କମାଏ ଛତୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ସାଧାରଣତଃ ଛତୁ ନିରାମିଷାଶୀ ବ୍ୟକ୍ତିଙ୍କ ସବୁଠାରୁ ମନପସନ୍ଦ ଖାଦ୍ୟ। ଛତୁ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ମଧ୍ୟ ସେତିକି ଭଲ। ଛତୁ କମ୍‌ କ୍ୟାଲୋରୀ ଯୁକ୍ତ ହେବା ସହ ଏଥିରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଏହାକୁ ତରକାରୀ, ସାଲାଡ, ସୁପ ତଥା ସ୍ନାକ୍ସ ଆକାରରେ ଖାଇପାରିବେ। ତେବେ ଛତୁକୁ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ କ’ଣ ସବୁ ଲାଭ ମିଳେ ଆସନ୍ତୁ ଜାଣିବା। 

  • ଶରୀର ପାଇଁ ଭିଟାମିନ-ଡି ଅତ୍ୟନ୍ତ ଆବଶ୍ୟକ। ଭିଟାମିନ-ଡି ଅଭାବ ହେଲେ ଅନେକ ରୋଗ ହୋଇପାରେ। ବହୁ କମ ପନିପରିବାରେ ଭିଟାମିନ-ଡି ମିଳେ। ସେଥିମଧ୍ୟରୁ ଗୋଟିଏ ହେଉଛି ଛତୁ। ପ୍ରତିଦିନ ଛତୁ ଖାଇବା ଦ୍ୱାରା ଶରୀରରେ ଆବଶ୍ୟକ ପରିମାଣର ଭିଟାମିନ-ଡି ପୂରଣ ହୋଇଥାଏ।
  • ସେଲେନିୟମ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ। ଏହା ଶରୀରକୁ ସଂକ୍ରମଣରୁ ରକ୍ଷା କରେ ଏବଂ ପ୍ରତିରକ୍ଷା ପ୍ରଣାଳିକୁ ମଜବୁତ କରେ। ଛତୁରେ ସେଲେନିୟମର ମାତ୍ରା ଭରପୁର ରହିଛି। ଏହା ଶରୀରରକୁ ଭିତରୁ ସୁସ୍ଥ ରଖିବାରେ ସହାଯ୍ୟ କରେ।
  • ଛତୁ ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଥରେ ବେଶ କମ୍ କ୍ୟାଲୋରୀ ରହିଛି। ୫ଟି ଧଳା ଛତୁରେ କେବଳ ୨୦ ପ୍ରତିଶତ କ୍ୟାଲୋରୀ ଥାଏ। ଛତୁ ଖାଇବା ଦ୍ୱାରା ଶୀଘ୍ର ଭୋକ ଲାଗେ ନାହିଁ। ଫଳରେ ଆପେ ଆପେ ଓଜନ କମିବାକୁ ଲାଗିଥାଏ।
  • ବଜାରରେ ଖୁବ୍ ସହଜରେ ଛତୁ ମିଳିଯାଏ। ଏହାକୁ ବିଭିନ୍ନ ଉପାୟରେ ରୋଷେଇ କରି ଏଥିରୁ ପୋଷକ ତତ୍ତ୍ବ ଗ୍ରହଣ କରାଯାଇପାରିବ। ଆପଣ ଚାହିଁଲେ ସୁପ ବା ସାଲାଡ କରି ଛତୁକୁ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରିପାରିବେ ବୋଲି ପୁଷ୍ଟିକର ବିଶେଷଜ୍ଞମାନେ କୁହନ୍ତି।
ତ୍ୱଚାର ଚମକ ବଢ଼ାଏ ବନ୍ଧାକୋବି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ଅନେକ ଫେସ ପ୍ୟାକ୍ ଓ ବିଭିନ୍ନ ବ୍ୟୁଟି କ୍ରିମ ବ୍ୟବହାର କରିଥାନ୍ତି । ସେହିପରି ଅନେକ ଲୋକେ ପ୍ରାକୃତିକ ଉପାୟରେ ମଧ୍ୟ ଚେହେରାର ଚମକ ବଢ଼ାଇବା ପାଇଁ ଚେଷ୍ଟା କରିଥା’ନ୍ତି । ଘରୋଇ ସାମଗ୍ରୀ ତଥା ପରିବାକୁ ବ୍ୟବହାର କରି ଫେସ ମାସ୍କ ତିଆରି କରନ୍ତି । ଏହିପରି ଏକ ଘରୋଇ ପରିବା ହେଉଛି ବନ୍ଧାକୋବି। ବନ୍ଧାକୋବି ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ଲଭାକାରୀ ମଧ୍ୟ। ଏହା ତ୍ୱଚା କୁଞ୍ଚନ ଦୂର କରିବା ସହ ଚେହେରାର ଚମକ ବଢ଼ଇବାରେ ସହାୟକ ହୋଇଥାଏ। ଏଥିରେ ଅନେକ ଭିଟାମିନ, ପୋଟାସିଅମ, ସଲଫର ରହିଛି, ଯାହା ଶରୀର ପାଇଁ ହିତକର ହେବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ । ତେବ ଆସନ୍ତୁ ଜାଣିବା ଏହାକୁ କିଭଳି ବ୍ୟବହର କରି ଫେସ ପ୍ୟାକ ତିଆରି କରିହେବ ।

ସାମଗ୍ରୀ: ୪ ବଡ ଚାମଚ ବନ୍ଧାକୋବି, ଗୋଟିଏ ଅଣ୍ଡାର ଧଳା ଅଂଶ, ୧ ଚାମଚ ମହୁ, ୨ ଚାମଚ ଚାଉଳ ପାଉଡର,୪ରୁ ୫ ବୁନ୍ଦା ଲେମ୍ବୁ ରସ ।

ପ୍ରସ୍ତୁତି ପ୍ରଣାଳୀ: ବ୍ଲେଣ୍ଡରରେ ଏ ସବୁ ସାମଗ୍ରୀକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ମୁହଁକୁ ଭଲଭାବେ ଧୋଇବା ପରେ ଏହି ଫେଷ୍ଟକୁ ନିଜ ଚେହେରାରେ ଲଗାନ୍ତୁ । ଏହାପରେ ଦୁଇ ମିନିଟ ଯାଏ ସର୍କୁଲାର ମୋଶନରେ ମସାଜ କରନ୍ତୁ । ୨୦ ମିନିଟ ପରେ ମୁହଁକୁ ଧୋଇଦିଅନ୍ତୁ । ଏହାପରେ ମୁହଁରେ ମଶ୍ଚରାଇଜର କ୍ରିମ ଲଗାନ୍ତୁ । ସପ୍ତାହରେ ୨ ଥର ଏହି ଫେସ ପ୍ୟାକକୁ ବ୍ୟବହାର କରନ୍ତୁ । ଏହାଦ୍ୱାରା ତ୍ୱଚାର ଚମକ ବଢ଼ିବା ସହ ଝୁରିଆଁ ତଥା ତ୍ୱଚା କୁଞ୍ଚନ ଦୂର ହୋଇଥାଏ । ଏହି ପ୍ୟାକ କେବଳ ତ୍ୱଚାର ଚମକ ବଢ଼ାଏ ନାହିଁ ବିଭିନ୍ନ ପ୍ରକାରର ସଂକ୍ରମଣକୁ ମଧ୍ୟ ଦୂର କରିଥାଏ ।

ଶୀତ ଦିନେ ଅଧିକ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) –  ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ଅତ୍ୟନ୍ତ ଜରୁରୀ । ଗରମ ଦିନ ତୁଳନାରେ ଶୀତ ଦିନେ ସାଧାରଣତଃ ଶରୀରରୁ କମ ଝାଳ ବୁହେ । ଶୋଷ କମ ହେବା ଯୋଗୁଁ ପାଣି ପଇବା ମଧ୍ୟ କମିଯାଏ । ଫଳରେ ତ୍ୱଚା ଶୁସ୍କ ହେବା ଭଳି ଅନେକ ସମସ୍ୟା ଦେଖାଯାଏ, ଯାହାକୁ ସହଜରେ ଜାଣି ହୁଏ ନାହିଁ । ତେଣୁ ଶୀତ ଦନେ ପର୍ଯ୍ୟାପ୍ତମାତ୍ରାରେ ପାଣି ପିଇବା ଉଚିତ । ତେବେ ଆସନ୍ତୁ ଜାଣିବା ଏହି ଦିନେ ଅଧିକ ପାଣି ପିଇଲେ ଶରୀରକୁ କ’ଣ ସବୁ ଫାଇଦା ମିଳେ । 

  • ଶୀତ ଦିନେ ଓଜନ କମ କରିବା ସବୁଠାରୁ କଷ୍ଟକର । କାରଣ ଏହି ଦିନ ଆମେ ବହୁତ କମ ପାଣି ପିଇଥାଉ । ତେଣୁ ନିଜକୁ ହାଇଡ୍ରେଟ ରଖିବା ପାଇଁ ଅଧିକ ପାଣି ପିଇବା ଉଚିତ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଓଜନ ମଧ୍ୟ କମ୍ ହୋଇଥାଏ ।
  • ଶୀତ ଦିନେ ତ୍ୱଚାରେ ଡ୍ରାଏନେସ ଭଳି ସମସ୍ୟା ଦେଖାଯାଏ । ମୁହଁ ଫାଟିବା ସହ ଶୁଖିଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ବାରମ୍ବାର ପାଣି ପିଅନ୍ତୁ । ବାରମ୍ବାର ପାଣି ପିଇବା ଦ୍ୱାରା ଶରୀରରେ ଥିବା ମଇଳା ଅଂଶ ସବୁ ବାହରିଯାଇଥାଏ । ଫଳରେ ତ୍ୱଚା ଉଜ୍ଜଳ ଏବଂ ସୁସ୍ଥ ରହିଥାଏ । ଏଥିସହ ୟୁମ୍ୟୁନ ସିଷ୍ଟମ ମଧ୍ୟ ସଫା ହୋଇଯାଇଥାଏ ।
  • ଶୀତ ହେଉ ଅବା ଗ୍ରୀଷ୍ମ । ଉଭୟ ଋତୁରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇରହେ। କେବଳ ସେତିକି ନୁହେଁ ଶୀତଦିନେ ପାଣି ପିଇବା ଦ୍ୱାରା ଥଣ୍ଡା ମଧ୍ୟ ଅନୁଭୁତ ହୁଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ସାଧାରଣତଃ ଶୀତ ଦିନେ ଥଣ୍ଡା ଏବଂ ଶୁସ୍କ ପବନ ବହିବା ଯୋଗୁଁ ଆମକୁ ଅଧିକ ଅଳସୁଆ ଅନୁଭବ ହୁଏ। ଏଭଳି ସମୟରେ ଯଦି ଆପଣ ପର୍ଯ୍ୟାପ୍ତ ପାଣି ପିଇବେ ତେବେ ଆପଣଙ୍କୁ ଫୁର୍ତ୍ତି ଲାଗିବା ସହ ସତେଜତା ମଧ୍ୟ ଅନୁଭବ କରିବେ । ଆପଣ ଚାହିଁଲେ ଅଧିକ ପାଣିଯୁକ୍ତ ଫଳ ମଧ୍ୟ ଖାଇପାରିବେ ।
  • ଶୀତ ଦିନେ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ସଂକ୍ରମଣ ହୁଏ ନାହିଁ । ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ଦିନ ନିଶା ଦ୍ରବ୍ୟ ବା କ୍ୟାଫିନ ଜାତୀୟ ଦ୍ରବ୍ୟ ସେବନ ଠାରୁ ଦୂରେଇ ରୁହନ୍ତୁ । ନଚେତ ଡିହାଇଡ୍ରେଟ ଭଳି ସମସ୍ୟା ଦେଖାଦେଇପାରେ।
  • ଶୀତ ଦିନେ ଥଣ୍ଡା ପବନ ବହିବା ଯୋଗୁଁ ଶରୀରକୁ ଗରମ ରଖିବା ପାଇଁ ସ୍ୱେଟର ତଥା ଗରମ ପୋଷାକ ପିନ୍ଧିବାକୁ ପଡେ । ଫଳରେ ପେଟ ଗରମ ହୋଇ ଡିହାଇଡ୍ରେସନ ସମସ୍ୟା ଉତ୍ପନ ହୁଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯେତେ ସମ୍ଭବ ସେତେ ଅଧିକ ପାଣି ପିଇବା ଉଚିତ। ଫଳରେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟା ଉତ୍ପନ୍ନ ହୁଏ ନାହିଁ ।
ଶାହଙ୍କ ଗସ୍ତ ପୂର୍ବରୁ ଦଳରୁ ନିଲମ୍ୱିତ କଂଗ୍ରେସ ବିଧାୟକ … ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସାମ ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହା ପୂର୍ବରୁ ଆସାମ କଂଗ୍ରେସ ବିଧାୟକ ଅଜନ୍ତା ନିୟୋଗ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ ହୋଇଛନ୍ତି। ପୂର୍ବରୁ ଗୋଲାଘାଟର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଅଜନ୍ତାଙ୍କୁ ହଟାଇ ଦିଆଯାଇଥିଲା। ଏବେ ତାଙ୍କର ପ୍ରାଥମିକ ସଦସ୍ୟ ରଦ୍ଦ କରିଛି। ନିକଟରେ ଅଜନ୍ତା ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟିଥିଲେ। ତେଣୁ ସେ ଖୁବଶୀଘ୍ର ବିଜେପିରେ ସାମିଲ୍ ହୋଇପାରନ୍ତି।  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ପର୍କରେ ସେ କହିଛନ୍ତି ଯେ ତାଙ୍କ ନିର୍ବାଚନମଣ୍ଡଳୀରେ ସମସ୍ୟା ଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଉତ୍ତର ଆସାମର ଜଣେ ବଡ଼ ନେତା ଭାବରେ ଅଜନ୍ତା ପରିଚିତ। ଆସନ୍ତାକାଲିଠୁ ଦୁଇ ଦିନିଆ ଗସ୍ତରେ ଅମିତ ଶାହ ଆସାମ ଗସ୍ତରେ ଆସିବେ। ଏହି ସମୟରେ ଅଜନ୍ତା ବିଜେପିରେ ସାମିଲ୍ ହୋଇପାରନ୍ତି। ୨୦୨୧ମାର୍ଚ୍ଚ-ଏପ୍ରିଲରେ ଆସାମରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ଆସାମ ଏବେ ସବୁଠୁ ବଡ଼ ଦଳ ରହିଛି। 

ବିଜେପିରେ ଜେଡିୟୁ ବିଧାୟକ ସାମିଲ୍ ହେବା ଘର ବାହୁଡା ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଶନିବାର ଠାରୁ ପାଟନାରେ ଜେଡିୟୁର ଜାତୀୟ ପରିଷଦ ବୈଠକ ହେବାକୁ ଯାଉଥିବା ବେଳେ ଜେଡିୟୁର ଛଅ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି। ଅରୁଣାଚଳ ପ୍ରଦେଶର ଛଅ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି। ଏହାକୁ ନେଇ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ ଜେଡିୟୁ ବିଧାୟକ ଯୋଗ ଦେବାକୁ ଘର ବାହୁଡା ବୋଲି କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି ଯେ ଡିସେମ୍ବର ୨୬ ଏବଂ ୨୭ରେ ହେବାକୁ ଥିବା ଦଳୀୟ ବୈଠକରେ ସେ ଅରୁଣାଚଳ ପ୍ରଦେଶର ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ବିଧାୟକ ଦଳରୁ ଅଲଗା କିଛି ବଡ଼ ଡିଲ୍ ନୁହେଁ। ଗୁରୁବାର ଜେଡିୟୁର ୭ ଜଣଙ୍କ ମଧ୍ୟରୁ ଛଅ ଜଣ ଶାସକ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। 

ପୁରୀବାସୀ ଙ୍କ ମନରେ ଖୁସିର ଲହରୀ;ଦର୍ଶନ ଦେଲ ଶ୍ରୀଜଉ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) –  ଦୀର୍ଘ ଦିନ ପ୍ରତିକ୍ଷାର ଅନ୍ତ ହୋଇଛି। କରୋନା ମହାମାରୀ ଯୋଗୁ ପ୍ରାୟ ୯ ମାସରୁ ଊର୍ଦ୍ଧ୍ୱ ସମୟ ଧରି କାଳିଆ ସାଆନ୍ତକୁ ଦେଖିବାକୁ ବଞ୍ଚିତ ହୋଇଥିବା ପୁରୀବାସୀ ଆଜିଠୁ ପୁଣି ଆଖି ପୂରାଇ ନିଜ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ। ସକାଳ ୭ଟା ୩୦ରୁ ଆରମ୍ଭ ହୋଇଯାଇଛି ଦର୍ଶନ ବ୍ୟବସ୍ଥା। ପୁରୀବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ୨/୩/୬/୯/୧୧/୧୨ ଓ ୧୫ ନମ୍ବର ଓ୍ୱାର୍ଡ ବାସିନ୍ଦା ଦର୍ଶନ କରିବେ । ଆଜିଠୁ ଆସନ୍ତା ୩୧ ତାରିଖ ଯାଏଁ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ହୋଇଛି ବ୍ୟାରିକେଡ୍ । କୋଭିଡ ଗାଇଡ୍‌ଲାଇନ୍ ପାଳନର ତଦାରଖ କରାଯାଉଛି । ଏସ୍‌ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି,  ୯ ଇନ୍ସପେକ୍ଟର ମୁତୟନ ରହିଛନ୍ତି।  ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ ବ୍ୟବସ୍ଥା ହୋଇଛି। କିଓସ୍କରେ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଦେଖି ଭକ୍ତଙ୍କୁ ଛଡ଼ାଯାଉଛି। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲାଯାଇଥିବା ବେଳେ ପ୍ରଥମ ୩ ଦିନ କେବଳ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ସୁବିଧା ମିଳିଥିଲା। ଆଜିଠୁ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଉଥିବା ବେଳେ ଆସନ୍ତା ୩ ତାରିଖରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଦର୍ଶନ ଅନୁମତି ମିଳିବ । ସକାଳ ସାଢ଼େ ୭ଟାରୁ ରାତି ପହୁଡ଼ ଯାଏ ଦର୍ଶନ ସୁଯୋଗ ମିଳିବ। ଦର୍ଶନ ପାଇଁ ଆସୁଥିବା ଲୋକେ କୋଭିଡ଼ ନେଗେଟିଭ ଦେଖାଇବା ଜରୁରୀ।