ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡିବାକୁ ମନା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଆତଙ୍କରେ ଅଛନ୍ତି ସମଗ୍ର ବିଶ୍ୱବାସୀ। ଏପରି ସ୍ଥିତିରେ କରୋନାର କୋପ ଦେଖିଥିବା ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଆଗୁଆ ସତର୍କବାଣୀ ଶୁଣାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ପୁଣି ଥରେ କରୋନା କାୟା ମେଲାଇବା ଆଶଙ୍କା କରି ସରକାରୀ କର୍ମଚାରୀ ହେଡକ୍ୱାର୍ଟର୍ସ ଛାଡ଼ିବା ଉପରେ ରୋକ୍ ଲଗାଇଛନ୍ତି ଜିଲ୍ଲାପାଳ।  ବିନା ଅନୁମତିରେ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ । ପିକନିକ୍‌ ସ୍ପଟ୍ ଏବଂ ଗୋପାଳପୁର ବେଳାଭୂମିରେ ଯେଭଳି ଭିଡ଼ ନହୁଏ ତା ଉପରେ ମଧ୍ୟ ନଜର ରଖିବାକୁ ଜିଲ୍ଲାପାଳ ତାଗିଦ୍ କରିଛନ୍ତି। ଏହା ସହିତ ଜିଲ୍ଲାପାଳ ଆଜି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ୨୯ ତାରିଖ ଯାଏଁ ଦୈନିକ ୨ଟି ବ୍ଲକ ବୁଲିବ ସଚେତନତା ରଥ। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରେ ଏବେ କେବଳ ୨୧ ଆକ୍ଟିଭ କେସ୍‌ ରହିଛି। ପଜିଟିଭ ସଂଖ୍ୟା ବହୁତ କମିଛି। ଆଇସିୟୁ, ଜେନେରାଲ ବେଡ ବ୍ୟବସ୍ଥା ଅଛି। କରୋନା ଟିକା ନ ଆସିବା ଯାଏଁ ସତର୍କ ରହିବାକୁ ହେବ। ସେ ଆହୁରି କହିଛନ୍ତି, ବ୍ରିଟେନରୁ ୩ ଜଣ ଜିଲ୍ଲାକୁ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ସେ ହୋମ କ୍ୱାରେଣ୍ଟାନରେ ଅଛନ୍ତି। ଉକ୍ତ ବ୍ୟକ୍ତିଙ୍କର ଆରଟିପିସିଆର ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଛି।  ଅନ୍ୟ ୨ ଜଣଙ୍କ ସହ ଯୋଗାଯୋଗ କରାଯାଉଛି। ଭୟ କରିବାର ନାହିଁ, ସଚେତନ ରହିଲେ ଆମେ ପୁଣି ଏହାର ମୁକାବିଲା କରିପାରିବା। ତେଣୁ ପୂର୍ବରୁ ଯେପରି କଡ଼ାକଡ଼ି ନିୟମ ପାଳନ କରାଯାଉଥିଲା , ଏବେ ବି ସେମିତ  ସାମାଜିକ ଦୂରତା, ମାସ୍କ ପିନ୍ଧି ନବବର୍ଷ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ସଚେତନ କରିଛନ୍ତି ଜିଲ୍ଲାପାଳ।  ଏଥିସହ ଗହଳିକୁ ସବୁବେଳେ ଏଡ଼ାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ଧରାପୃଷ୍ଟରେ ପ୍ରଭୁ ଯୀଶୁ ଙ୍କ ଆଗମନ; କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଧରାପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ ।  କରୋନା କଟକଣା ଯୋଗୁ ପୂର୍ବ ବର୍ଷ ଭଳି ସରାଗ ଏଥର ନ ଥିଲା।  ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚ ବନ୍ଦ ଥିବାରୁ କେବଳ ଆବଶ୍ୟକ ସଂଖ୍ୟକ ଲୋକଙ୍କୁ ନେଇ ଉତ୍ସବ ପାଳନ ହୋଇଛି । ସେହିପରି କରୋନା କଟକଣା ଥିବାରୁ ଆଜି ବି ଲୋକେ ଏକତ୍ରିତ ହେବା ଉପରେ ରୋକ ଲାଗିଛି। ସେପଟେ ବଡ଼ଦିନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କନ୍ଧମାଳ, ସୁନ୍ଦରଗଡ଼ ସମେତ ଅନ୍ୟ ଜିଲ୍ଲାରେ ପୋଲିସ୍ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି । କୋଭିଡ କଟକଣା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ଗାଇଡ଼ଲାଇନକୁ ମାନି ଫୁଲବାଣୀସ୍ଥିତ କ୍ୟାଥଲିକ ଚର୍ଚ୍ଚରେ ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ଉତ୍ସବ ଏବଂ ସମୂହ ପ୍ରାର୍ଥନା କରିଛନ୍ତି ଖ୍ରୀଷ୍ଟ ବିଶ୍ୱାସୀମାନେ । ଚର୍ଚ୍ଚରେ ୫୦ ଜଣ ଭିତରେ ସମସ୍ତେ ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣକୁ ସ୍ୱାଗତ କରିବା ସହିତ ପ୍ରଭୁଙ୍କ ଉପାସନା ଏବଂ ଆଶୀର୍ବାଦ କାମନା କରିଛନ୍ତି ।  ଦୁନିଆକୁ କରୋନା ମୁକ୍ତ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ପ୍ରାର୍ଥନା କରିଥିବା କହିଛନ୍ତି ଖ୍ରୀଷ୍ଟ ବିଶ୍ୱାସୀ । 

ଭୁବନେଶ୍ୱର ଉପକଣ୍ଠର ଗାଁ ପାଇଁ ଟାଉନ୍ ପ୍ଲାନିଂ ସ୍କିମ୍ ଆରମ୍ଭ କାଲେ ନବୀନ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଗାଁ ପାଇଁ ଟାଉନ୍ ପ୍ଲାନିଂ ସ୍ମିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠରେ ଥିବା ୫୮ଟି ରାଜସ୍ୱ ଗାଁ ପାଇଁ ୪୫ଟି ଟାଉନ୍ ପ୍ଲାନିଂ ସ୍କିମକୁ ଅନୁମୋଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସହଜପୁରର ୩୫୮ଜଣ ଜମି ମାଲିକଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସେମାନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଜମି ମାଲିକମାନଙ୍କ ସହ ଭାଗିଦାରୀ କରି ବିଡିଏ ଏଭଳି ଟାଉନ୍ ପ୍ଲାନିଂ ସ୍କିମ୍ ଆଣିଛି। ଯାହାକି ଓଡ଼ିଶାରେ ପ୍ରଥମ। ସହରକୁ  ସ୍ୱଚ୍ଛ ଓ ଯୋଜନାବଦ୍ଧ ଢଙ୍ଗରେ ସମ୍ପ୍ରସାରଣ କରିବାର ଏହା ବାସ୍ତବ ମାର୍ଗ। ଏହା ରାଜ୍ୟର ପ୍ଲାନିଂ ଡେଭଲପମେଣ୍ଟ କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିବ। ନାଗରିକଙ୍କ ଭାଗିଦାରୀରେ ସହରର ବିକାଶକୁ ଏଥିରେ ଧ୍ୟାନକେନ୍ଦ୍ରିତ କରାଯାଇଛି। ଏହି ସ୍କିମକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ କାର୍ଯ୍ୟକାରୀ କରିବା ସହ ରାଜ୍ୟର ଅନ୍ୟ ସହରରେ ମଧ୍ୟ କାର୍ଯ୍ୟକ୍ଷମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

୫ ହଜାର ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବାକୁ ଗାଁ ଗାଁରେ ବିଜେପିର ଆନ୍ଦୋଳନ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ନୟାଗଡ଼ର ପରୀକୁ ନ୍ୟାୟ ଓ ୫ହଜାର ନିଖୋଜ ଶିଶୁଙ୍କୁ ଖୋଜିବା ଦାବିରେ ବିଜେପି ଆଗାମୀ ଦିନରେ ଗାଁ ଗାଁରେ ଆନ୍ଦୋଳନ କରିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଘୋଷଣା କରିଛନ୍ତି। ରାଜ୍ୟ ସରକାର ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ବିଜେପି ଚୁପ୍ ହୋଇ ବସିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପରୀକୁ ନ୍ୟାୟ ପାଇଁ ପଦଯାତ୍ରାର ଶେଷ ଦିନରେ ସାମିଲ ହୋଇ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ,ଏବେ ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶର ଭବିଷ୍ୟତମାନେ ନିଖୋଜ ହେଇଯାଉଛନ୍ତି, ମା’ କୋଳ ଶୂନ୍ୟ ହୋଇଯାଉଛି, ହେଲେ ରାଜ୍ୟ ସରକାର ସ୍ଥାଣୁ ପାଲଟିଛନ୍ତି। ନୟାଗଡ ଯଦୁପୁର ଗାଁର ନିରୀହ ଶିଶୁ ପରୀକୁ ଅପହରଣ କରାଗଲା। ପରିବାର ଲୋକେ ଅଙ୍ଗ ତସ୍କରୀ ଅଭିଯୋଗ ଆଣିଛନ୍ତି। ସେପଟେ ନିଖୋଜ ଶିଶୁର ସଂପୂର୍ଣ୍ଣ ଶରୀର ଏଯାଏଁ ମିଳିଲା ନାହିଁ। ଆଉ ଏପରି ପରିସ୍ଥିତିରେ ରାଜ୍ୟ ସରକାର ସେ ପରିବାରକୁ ନ୍ୟାୟ ଦେବା ବଦଳରେ ତାଙ୍କ ଦଳର ନେତା ବାବୁଲି ନାୟକ ଓ ତାଙ୍କ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି। ସେପଟେ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିବା ଆଇପିଏସ ଅରୁଣ ବ୍ରୋଥା ଏବେ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଲିପାପୋତା କାମରେ ଲାଗିଛନ୍ତି।  ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ଏସଆଇଟିକୁ ନିଜେ ସରକାର ମନିଟର କରୁଛନ୍ତି। ହେଲେ ରାଜ୍ୟବାସୀଙ୍କୁ ଏହା କୋର୍ଟ ପରିଚାଳିତ ବୋଲି କହି ଭକୁଆ ବନେଇବାରେ ଲାଗିଛନ୍ତି। ପୀଡ଼ିତାର ମା ଯେଉଁମାନଙ୍କ ନାଁରେ ଅଭିଯୋଗ କରିଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ ନକରିବା ଆଜି ତଦନ୍ତ ପକ୍ରିୟାରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଟୁଇଟର କିଙ୍ଗ ବୋଲି ଆମେ ଜାଣିଥିଲୁ ଏବେ ସେ ଜଣେ ଭଲ ସ୍କ୍ରିପ୍ଟ ରାଇଟର ଓ ଷ୍ଟୋରି ଟେଲର ବୋଲି ଜଣାପଡିଛି। ଏବେ ରାଜ୍ୟରେ ଶିଶୁ ହଜିବା ନିତିଦିନିଆ ଘଟଣା ପାଲଟିଛି। ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ନେଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଏପରି ସ୍ଥିତିରେ ଏ ଅପାରଗ ସରକାର ବିରୁଦ୍ଧରେ ଜନଜାଗରଣ କରିବା ପାଇଁ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେପି ଗାଁ ଗାଁରେ ବୁଲି ପ୍ରତିବାଦ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ୧୪୭ ବିଧାନସଭାରେ ପରୀକୁ ନ୍ୟାୟ ପଦଯାତ୍ରାରେ ସାମିଲ ହୋଇଥିବା ଲକ୍ଷ ଲକ୍ଷ ପଦଯାତ୍ରୀଙ୍କ ପରିଶ୍ରମ ବୃଥା ଯିବନି। ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମିଲ ହେବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଦାବି କରିଛନ୍ତି। ପରୀକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱରରେ ଯାଇଥିବା ପଦଯାତ୍ରା ଆଜି ନୟାଗଡ଼ରେ ଶେଷ ହୋଇଛି। ଏଥିପାଇଁ ଆଜି ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଥିଲା। ସମାବେଶ ପରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଯଦୁପୁର ଗାଁକୁ ଯାଇ ପରୀର ବାପା, ମା’ ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହି ସମାବେଶରେ ଦଳର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ ଓ କୁସୁମ ଟେଟେ, କେ.ଭି ସିଂହଦେଓ ଓ ସୁରମା ପାଢୀ, ଅନୀତା ପ୍ରିୟଦର୍ଶିନୀ, ରବି ନାଏକ, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ।

ବୈଜୟନ୍ତଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଆସାମ ଗସ୍ତ କରୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ଯୋଜନାର ତଥା ବିଜେପି ଆସାମ ପ୍ରଦେଶର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ବୁଧବାର ଆସାମରେ ପହଞ୍ଚିଛନ୍ତି। ଗତକାଲି ସେ ଅପରାହ୍ନରେ କରିମଗଞ୍ଜଠାରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସହପ୍ରଭାରୀ ପବନ ଶର୍ମା, ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ ଦିଲ୍ଲୀପ ସାଇକିଆଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସୋନୋୱାଲ ବୈଜୟନ୍ତ ପଣ୍ଡାଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ଆପଣ ଆମକୁ ସବୁବେଳେ ମାର୍ଗଦର୍ଶନ ଦେଉଥାନ୍ତୁ ଯେପରି ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ “ଏକ ଭାରତ, ଶ୍ରେଷ୍ଠ ଭାରତ”ର ଲକ୍ଷ୍ୟ ଦିଗରେ ଦେଶକୁ ଏକତ୍ରିତ କରିପାରିବୁ। ବିଶେଷ କରି ଏନେଇ ଶ୍ରୀ ପଣ୍ଡା ଆସାମ ଭୂମିରେ ନିଶ୍ଚିତ ଦୃଢ଼ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ସେହିପରି ଆଜି ସେ କରିମଗଞ୍ଜଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ନିର୍ଣ୍ଣୟାତ୍ମକ ଭୂମିକା ବିଷୟରେ କହିଥିଲେ। ଆସନ୍ତାକାଲି ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ଓ କୃଷି ସମ୍ମେଳନ ଇତ୍ୟାଦି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ଭାଗ ନେବେ ଓ ଅନ୍ୟ କାର୍ଯ୍ୟକ୍ରମଗୁଡିକର ତଦାରଖ କରିବେ। ଏହାପରେ ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।