ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-  ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ। ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି। ତ୍ୱଚାର ଚମକ ବଢ଼ାଇବା ପାଇଁ କିଏ କସମେଟିକର ସହାୟତା ନିଅନ୍ତି ତ ଆଉ କିଏ ଘରୋଇ ଉପଚାରର। ଏଭଳି ଏକ ଘରୋଇ ଉପଚାର ହେଉଛି ମସୁର ଡାଲି।  ମସୁର ଡାଲିକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଉଜ୍ଜଳତା ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣ ହୋଇଯିବ। ଏଥିସହ ତ୍ୱଚା ନରମ ମଧ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ବ୍ୟବହାର କରିବେ..। 

  • ମସୁର ଡାଲିକୁ ବାଟି ଏଥିରେ ମହୁ ଏବଂ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ ଯାଏଁ ମୁହଁରେ ଲଗାନ୍ତୁ। ପରେ ଧୀରେ ଧୀରେ ମସାଜ କରନ୍ତୁ। ଏହାପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ଏଥିରେ କ୍ଷୀର ମିଶାଇ ମଧ୍ୟ ଲଗାଇ ପାରିବ। ସପ୍ତାହରେ ୨ ଥର ଏହି ଫେସ ପ୍ୟାକକୁ ଲଗାଇଲେ ରିଙ୍କଲ୍ସ ଦୂର ହେବା ସହ ମୁହଁର ଉଜ୍ଜଳତା ବଢ଼ିଥାଏ।
  • ଏକ ଚାମଚ ମସୁର ଡାଲି ଗୁଣ୍ଡରେ ଦୁଇ ଚାମଚ କ୍ଷୀର ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ। ଯଦି ଆପଣଙ୍କ ବ୍ରଣ ସମସ୍ୟା ଥାଏ ତେବେ ଏଥିରେ ଏକ ଚୁଟକି ହଳଦୀ ମିଶାଇ ପାରିବ। ଏହି ମିଶ୍ରଣକୁ ମୁହଁରେ ୧୦ରୁ ୧୫ ମିନିଟ ଯାଏ ଲଗାଇ ରଖନ୍ତୁ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
  • ଯଦି ମୁହଁରେ କିଛି  କଳା ଦାଗ ଥାଏ ତେବେ ଏହାକୁ ଦୂର କରିବା ପାଇଁ  ମସୁର ଡାଲିକୁ ବାଟି ସେଥିରେ ଦେଶୀ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏଥିରେ ଆପଣ ଚାହିଁଲେ ମହୁ ମଧ୍ୟ ମିଶାଇ ପାରିବ। ଏହି ମଶ୍ରଣକୁ ମୁହଁ, ବେକ, ହାତ ଏବଂ ଗୋଡରେ ଥିବା କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରିପାରିବେ। ଏହି ପେଷ୍ଟକୁ ନିୟମିତ ବ୍ୟବହାର କଲେ ତ୍ୱଚାରେ ଥିବା ଦାଗ ଦୂର ହେବା ସହ ମୁହଁର ସୁନ୍ଦରତା ଧୀରେ ଧୀରେ ବଢ଼ିବ।
  • ମସୁର ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି। ଏହାକୁ ଫେସ ପ୍ୟାକ ଭଳି ବ୍ୟବହାର କଲେ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ତ୍ୱଚା ନରମ ହେବା ସହ ଚିକ୍କଣ ମଧ୍ୟ ହୋଇଥାଏ।
ଅଧିକ ବ୍ୟବହାର କରୁଛନ୍ତି କି ସାନିଟାଇଜର? ହୋଇପାରେ ଭୟାନକ ଅସୁବିଧା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-  କରୋନା ଯୁଦ୍ଧରେ ଅସ୍ତ୍ର ସାଜିଛି ସାନିଟାଇଜର। ଘରେ ହେଉ ଅବା ବାହାରେ, ସଂକ୍ରମଣରୁ ବଞ୍ଚିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି । ତେବେ ଏହି ସାନିଟାଇଜରର ଅନେକ ସାଇଡିଫେକ୍ଟ ରହିଛି।  ଆବଶ୍ୟକତା ଠାରୁ ଅଧିକ ସାଇନିଟାଇଜର ବ୍ୟବହାର କରିବା ଶରୀର ପାଇଁ ହାନୀକାରକ । ଏହା ଆମ ତ୍ୱଚା ଏବଂ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏପରିକି ପରିସ୍ଥିତି ଭୟାନକ ମଧ୍ୟ ହୋଇପାରେ । ଏଥିପାଇଁ ଡାକ୍ତରମାନେ ମଧ୍ୟ ସାନିଟାଇଜର ବଦଳରେ ସାବୁନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସାନିଟାଇଜର ଆମ ଶରୀର ପାଇଁ କେତେ କ୍ଷତିକାରକ । 

  • ସିଡିସି ମୁତାବକ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୋଇ ଆପଣ କରୋନା ଭାଇରସ ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିପାରିବେ। ଯଦି ଅତ୍ୟନ୍ତ ଜରୁରୀ ପଡେ ତେବେ ଆଲକହଲ ଯୁକ୍ତ ସାନିଟାଇଜରର ମଧ୍ୟ ବ୍ୟବହାର କରିପାରିବ । କିନ୍ତୁ ଏହାକୁ ପ୍ରତିଦିନ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏଗଜିମା ତଥା ତ୍ୱଚାରେ କୁଣ୍ଡେଇ ହେବା ଭଳି ସମସ୍ୟା ବଢ଼ିଥାଏ । ଏଗଜିମା ଯୋଗୁଁ ସ୍କିନ ବା ଚର୍ମ ଲାଲ ପଡିବା ସହ ଫାଟି ଯାଇଥାଏ।
  • ସାନିଟାଇଜରରେ ଥିବା ଏଥିଲ ଆଲକହଲ ଆଣ୍ଟିସେପ୍ଟିକ ଭଳି କାମ କରେ । ଆଉ କିଛି ସାନିଟାଇଜର ଅଣ ଆଲକହଲ ଯୁକ୍ତ ହୋଇଥାଏ। ଏଥିରେ ନନ ଟ୍ରାଇକ୍ଲୋସନ ତଥା ଟ୍ରାଇକ୍ଲୋକାର୍ବନ ଭଳି ଆଣ୍ଟିବାୟୋଟିକ କମ୍ପାଉଣ୍ଡ ବ୍ୟବହାର ହୁଏ । ଏହାଦ୍ୱାରା ଗର୍ଭଧାରଣା କ୍ଷମତା ଉପରେ ଖରାପ ପ୍ରଭାବ ପଡିଥାଏ। ଏଥିସହ ହର୍ମୋନ୍ସ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇଥାଏ ବୋଲି  ଅଧ୍ୟୟନରୁ ଜଣାପଡିଛି।
  • ମିଥାନୋଲ ନାମକ ବିଷାକ୍ତ ରାସାୟନିକ ପଦାର୍ଥ କେତେକ ସାନିଟାଇଜରରେ ମିଶିଥାଏ। ଫଳରେ ବାନ୍ତି ହେବା, ମୁଣ୍ଡ ବୁଲାଇବା, ଅନିଦ୍ରା, ଦୃଷ୍ଟି ଶକ୍ତି କମିବା ଭଳି ପାର୍ଶ୍ୱ ପ୍ରତିକ୍ରିୟାର ଆଶଙ୍କା ଥାଏ।  କେବଳ ଏତିକି ନୁହେଁ, ଏହା ଆପଣଙ୍କ ସ୍ନାୟୁ ପ୍ରଣାଳୀକୁ ମଧ୍ୟ କ୍ଷତି ପହଞ୍ଚାଏ । ଇମ୍ୟୁନ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମ କରିଦେଇଥାଏ।
  • ସାନିଟାଇଜରକୁ ଅଧିକ ସୁଗନ୍ଧିତ କରିବା ପାଇଁ ଏଥିରେ ଫଥାଲେଟ୍ ଏବଂ ପାରାବେନ୍ସ ପରି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ ।  ଫଥାଲେଟ୍ ମାନବ ବିକାଶ ଏବଂ ପ୍ରଜନନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ।  ପାରାବେନ୍ସ ଆମର ହରମୋନ୍, ଗର୍ଭଧାରଣ ଏବଂ ପ୍ରଜନନ ବିକାଶ ପାଇଁ କ୍ଷତିକାରକ।
  • ସାନିଟାଇଜରକୁ ଅଧିକ ବ୍ୟବହାର କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଧୀରେ ଧୀରେ ଚର୍ମ ଶୁସ୍କ ହେବା ସହ ଜଳା ପୋଡା ହୋଇଥାଏ । ତେଣୁ ଏଥିପ୍ରତି ସାବଧାନ ରହିବା ଉଚିତ।
ଶୀତ ଦିନେ ଖା’ନ୍ତୁ ମୂଳା, ମିଳିବ ଏହି ସବୁ ଫାଇଦା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶୀତ ଦିନେ ବଜାରରେ ବେଶ ସହଜରେ ମିଳିଯାଏ ମୂଳା । ଏହାକୁ ୱିଣ୍ଟର ଫୁଡ କୁହାଯାଏ । କେତେକ ଲୋକ ମୂଳାକୁ ସାଲାଡ ରୂପେ କଞ୍ଚା ବ୍ୟବହାର କରନ୍ତି ତ ଆଉ କିଏ ରୋଷେଇ କରି ଖାଇବାକୁ ପସନ୍ଦ କରନ୍ତି। ରୋଷେଇ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଯାଇଥାଏ। ତେଣୁ ମୂଳାକୁ ରୋଷେଇ ନ କରି ସାଲାଡ ରୂପେ ଖାଇବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ମୂଳାରେ କ୍ୟାଲସିଅମ, ଫସଫରସ ଏବଂ ଭିଟାସିନ-ସି ବ୍ୟତୀତ ଅନ୍ୟ ଆଇରନ ଯୁକ୍ତ ପଦାର୍ଥ ମଧ୍ୟ ଭରପୁର ରହିଛି । ତେବେ ଏହାକୁ ଖାଇଲେ କ’ଣ ସବୁ ଲାଭ ମିଳେ ଆସନ୍ତୁ ଜାଣିବା।

  • ମୂଳା ଶରୀରରକୁ ଯେତିକି ପରିମାଣରେ ପୋଟାସିଅମ ଆବଶ୍ୟକ ତାହା ଯୋଗାଇଥାଏ। ଏହାଦ୍ୱାରା ରକ୍ତଚାପ ଆଶଙ୍କା କମ ହେବା ସହ ରକ୍ତ ସଂଚାଳନ ମଧ୍ୟ ନିୟନ୍ତ୍ରଣରେ ରୁହେ।
  • ଶୀତ ଦିନ ହେଉଥିବା ଥଣ୍ଡା, କାଶର ସେଭଳି କୌଣସି ସଠିକ ଔଷଧ ନାହିଁ। କିନ୍ତୁ ମୂଳା ଏଭଳି ଏକ ପରିବା ଯାହା ଆପଣଙ୍କୁ ଏହି ରୋଗର ମୁକାବିଲା କରିବାରେ ସହାଯ୍ୟ କରିବ। ମୂଳାରେ ଥିବା କଞ୍ଜେଷ୍ଟିଭ ଗୁଣ ଥଣ୍ଡା, କାଶ ସମସ୍ୟାରୁ ମୁକ୍ତି ଦେଇଥାଏ। ମୂଳା ଖାଇଲେ ଗଳା ଏବଂ ନାକରେ ହୋଇଥିବା ସଂକ୍ରମଣ ମଧ୍ୟ ଦୂର ହୋଇଥାଏ।
  • ଭିଟାମିନ-ଏ, ସି, ବି-୬, ପୋଟାସିଅମ ଏବଂ ଅନ୍ୟ ମିନେରାଲରେ ଭରପୁର ମୂଳା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ମୂଳାରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ହୃଦ ରୋଗ ଜନିତ ସମସ୍ୟକୁ ଦୂର କରିଥାଏ।
  • ମୂଳାରେ ଭିଟାମିନ ସହ ଫସଫରସ ଏବଂ ଜିଙ୍କ ମଧ୍ୟ ଭରପୁର ମାତ୍ରାରେ ରହିଛି। ଏହା ଆପଣଙ୍କ ତ୍ୱଚା ପାଇଁ ବେଶ ଲାଭଦାୟକ। ଶୀତଦିନେ ମୂଳା ଖାଇବା ଦ୍ୱାରା ତ୍ୱଚାରେ ଥିବା କଳା ଦାଗ, ବ୍ରଣ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ତ୍ୱଚା ଚିକ୍କଣ ହୋଇଥାଏ।
  • ମୂଳାରେ ଅଧିକ ମାତ୍ରାରେ ଜଳିୟ ପଦାର୍ଥ ରହିଛି। ଏଥିଯୋଗୁଁ ଏହା ଆମ ଶରୀରକୁ ପ୍ରାକୃତିକ ରୂପେ ହାଇଡ୍ରେଟ ରଖେ। ଧ୍ୟାନରଖନ୍ତୁ, ରାତିରେ ମୂଳା ଖା’ନ୍ତୁ ନାହିଁ। ଏହାକୁ ଦିନରେ ହିଁ ଖାଇବା ଉଚିତ । ରାତିରେ ଖାଇବା ଦ୍ୱାରା ଏହା ଶୀଘ୍ର ହଜମ ହୁଏ ନହିଁ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ।
ଶୀତ ଦିନେ ରୋଗରୁ ରକ୍ଷା କରିବ ଅଦା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ପ୍ରତ୍ୟେକଟି ମଣିଷ ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପାୟ ଆପଣାଇଥା’ନ୍ତି । କିଏ ଗରମ ପାଣି ପିଅନ୍ତି ତ ଆଉ କିଏ ନାଲି ଚାହା। ସେହିପରି ଅନେକ ଲୋକ ମେଡିସିନର ମଧ୍ୟ ସହାୟତା ନେଇଥାନ୍ତି । କିନ୍ତୁ ଶୀତ ଦିନେ ବିନା ଔଷଧରେ ବି ନିଜକୁ ରୋଗରୁ ରକ୍ଷା କରିପାରିବେ। ଶୀତ ଦିନେ ପ୍ରତିଦିନ ଅଦାକୁ ବ୍ୟବହାର କଲେ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଅଦାକୁ କିଭଳି ବ୍ୟବହାର କରିବେ। 

  • ଶରୀରକୁ ଗରମ ରଖିବା ପାଇଁ ଘରେ ଘରେ କାଢ଼ା ତିଆରି ହୋଇଥାଏ। ଏହି କାଢ଼ାରେ ଅଦା ପକାଇ ସେବନ କରିବା  ଦ୍ୱାରା କାଢ଼ାର ସ୍ୱାଦ  ଦ୍ୱିଗୁଣିତ ହେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ।
  • ସାଧାରଣତଃ ବ୍ୟାୟମ କଲା ବେଳେ ମାଂସପେଶୀ ଟାଣି ହୋଇଯାଏ ଏବଂ ଅସହ୍ୟ ଯନ୍ତ୍ରଣା ହୁଏ। ଯଦି ନିୟମିତ ରୂପେ ଆପଣ ଅଦାରେ ତିଆରି କାଢ଼ା ପିଅନ୍ତି ତେବେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଥକାପଣ ମଧ୍ୟ ଦୂର ହୋଇଥାଏ। ଏଥିସହ ଅଦାରେ ତିଆରି କାଢ଼ା ଆମ ଶରୀରକୁ ସଂକ୍ରମଣରୁ ମଧ୍ୟ ରୋକିଥାଏ।
  • ଗର୍ଭବତୀ ମହିଳାଙ୍କ ପାଇଁ ଅଦା ଯାଦୁ ଭଳି କାମ କରେ। ସକାଳ ସମୟରେ ଗର୍ଭବତୀ ମହିଳା ଯଦି ବାନ୍ତି ଅନୁଭବ କରନ୍ତି ତେବେ ତାକୁ ଠିକ୍‌ କରିବା ପାଇଁ ଅଦାରେ ତିଆରି କାଢ଼ା ବେଶ ସହାୟକ ହୋଇଥାଏ।  ଅଦାରେ ଥିବା ରାସାୟନ ମସ୍ତିଷ୍କ ଏବଂ ନର୍ଭ ସିଷ୍ଟମ ଉପରେ ପ୍ରଭାବ ପକାଇ ବାନ୍ତିକୁ କମ କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ଅଦାରେ ଥିବା ଆଣ୍ଟି-ଆଲର୍ଜି ଗୁଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ କମ କରିଥାଏ। ଏଥିସହ ଗୋଡ ହାତ ଫୁଲିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ ଅଦା। ଯଦି ପ୍ରତିଦିନ ଅଦାରେ ତିଆରି ଗୋଟେ କପ୍‌ କାଢ଼ା ପିଅନ୍ତି ତେବେ ଆପଣଙ୍କୁ ଅନେକ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ।
  • ପୁରାତନ କାଳରେ ଅଦାକୁ ହଜମ ଶକ୍ତି ବଢ଼ାଇବା ପାଇଁ ବ୍ୟବହାର କରାଯାଉଥିଲା।  ଏହା ପେଟର ଗ୍ୟାସ ସମସ୍ୟାକୁ  ଦୂର କରିବା ସହ ପେଟ ଫୁଲିବା ବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଅଦା ଫୁଡ ପଏଜନିଂ ଭଳି ଲକ୍ଷଣକୁ ମଧ୍ୟ ଦୂର କରିଥାଏ।
  • ଅଦା ଆମ ରେସ୍ପିରେଟରୀ ସିଷ୍ଟମକୁ ଠିକ୍‌ ରଖିଥାଏ। ଅଦାରେ ତିଆରି କାଢ଼ା ପିଇବା ଦ୍ୱାରା ଆସ୍ଥମା ଏବଂ ରେସ୍ପିରେଟରୀ ସିଷ୍ଟମ ସହ ଜଡିତ ଅନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ  ପିଇବା ଦ୍ୱାରା ଏଞ୍ଜାଇମ ସକ୍ରିୟ ହୁଏ।
ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ପିଇଓଙ୍କ ଘରେ ପଶିଛି ଭିଜିଲାନ୍ସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘର ସମେତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ। ଉଦ୍ଧବଙ୍କ ବ୍ରହ୍ମପୁର, ଧରାକୋଟ, ପୁରୀସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ହୋଇଛି। ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଥିବା ଜଣାଯାଇଛି। ଏହାବ୍ୟତୀତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ ମଧ୍ୟ ରେଡ୍ ହୋଇଛି।  ଦୁର୍ଯୋଧନଙ୍କ ସୋନପୁର ଘର ଓ ଅଫିସ୍‌ରେ ଏହି ରେଡ ହେଉଛି।

ଏକ୍ସଟେନସନ୍ ନେଲେନି ଅସିତ୍, ସୁରେଶ ହେବେ ମୁଖ୍ୟ ସଚିବ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଚଳିତମାସରେ ଅବସର ନେବେ। ତାଙ୍କ ସ୍ଥାନରେ ତାଙ୍କ ବ୍ୟାଚର ଆଇଏଏସ୍ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ସଚିବ ହେବା ଏକପ୍ରକାର ନିଶ୍ଚିତ। ଏହାସହିତ କୋଭିଡ୍ ଟୀକାକରଣ ପାଇଁ ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କ ଅବସରକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଡିସେମ୍ବର ୧୦ତାରିଖରେ ଶ୍ରୀ ତ୍ରିପାଠୀଙ୍କୁ ଅବସର ନେବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଉନ୍ନୟନ କମିଶନର ଆଇଏଏସ୍ ଶ୍ରୀ ମହାପାତ୍ର ବରିଷ୍ଠତା ଭିତ୍ତିରେ ଏବେ ମୁଖ୍ୟ ସଚିବ ପଦ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି। ତୃତୀୟ ମହଲାର ଗୁଡବୁକରେ ସେ ଥିବାରୁ ମୁଖ୍ୟ ସଚିବ ହେବା ଏକପ୍ରକାର ନିଶ୍ଚିତ। ମୁଖ୍ୟ ସଚିବ ହେବା ପାଇଁ ଶ୍ରୀ ମହାପାତ୍ର ମଧ୍ୟ ନିଜଆଡ଼ୁ ଦୀର୍ଘଦିନ ଧରି ପ୍ରୟାସ ଚଳାଇଛନ୍ତି। ସେ ମଧ୍ୟ ୨୦୨୨ ଫେବୃୟାରୀରେ ଅବସର ନେବେ। ତାଙ୍କ ପ୍ରଶାସନିକ ନେତୃତ୍ୱରେ ରାଜ୍ୟରେ ପୌର ଓ ପଂଚାୟତ ନିର୍ବାଚନ କରିବା ଶାସକ ବିଜେଡି ପାଇଁ ଅଧିକ ସହଜ ହେବ। ଅବଶ୍ୟ ବରିଷ୍ଠତା ଭିତ୍ତିରେ ୧୯୮୫ ବ୍ୟାଚ ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂ ସବୁଠୁ ଉପରେ ଅଛନ୍ତି। କିନ୍ତୁ ସେ କେନ୍ଦ୍ରରେ ସଚିବ ଭାବେ କାର୍ଯ୍ୟ କରୁଥିବାରୁ ଓଡ଼ିଶା ଫେରିବା ସମ୍ଭାବନା କ୍ଷୀଣ ଓ ତାଙ୍କୁ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ କରିବାକୁ ମଧ୍ୟ ତୃତୀୟ ମହଲା ଚାହିଁବ ନାହିଁ। ବରିଷ୍ଠତା ଭିତ୍ତିରେ ଶ୍ରୀ ମହାପାତ୍ରଙ୍କ ତଳକୁ ତାଙ୍କ ବ୍ୟାଚର ଜିଭିଭି ଶର୍ମା ଓ ଏସପି ଠାକୁର ଅଛନ୍ତି। ଶ୍ରୀ ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେ ୨୦୨୨ ଅକ୍ଟୋବରରେ ଅବସର ନେବେ। ଶ୍ରୀ ଠାକୁର କେବିକେ ମୁଖ୍ୟ ପ୍ରଶାସକ ଥିବାବେଳେ ୨୦୨୩ ମାର୍ଚ୍ଚରେ ଅବସର ନେବେ। ତାଙ୍କ ତଳକୁ ୧୯୮୭ ବ୍ୟାଚର ତୁହିନକାନ୍ତ ପାଣ୍ଡେ ଓ ନିକୁଞ୍ଜ କୁମାର ସୁନ୍ଦରାୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେହି ବ୍ୟାଚର ଆରକେ ଶର୍ମା ଏବେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ। ସେ ୨୦୨୩ ଅଗଷ୍ଟରେ ଅବସର ନେବେ। ତେଣୁ ଶ୍ରୀ ମହାପାତ୍ର ମୁଖ୍ୟ ସଚିବ ହେଲେ ୧୯୮୭ ବ୍ୟାଚର ଶ୍ରୀ ଠାକୁର କିମ୍ବା ଶ୍ରୀ ଶର୍ମାଙ୍କୁ ରାଜ୍ୟ ସରକାର ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ବିଜେଡି ରାଜ୍ୟ ପରିଷଦ ବୈଠକରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ନାଁରେ ନାମିତ କରିବା ନିମନ୍ତେ ପ୍ରସ୍ତାବ ପାରିତ ହେବାର ୪୮ଘଣ୍ଟା ନପୁରୁଣୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରି ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ଧାରା ୩୧(୧)ରେ ମିଳିଥିବା କ୍ଷମତା ଆଧାରରେ ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୁନଃ ନାମିତ କରିଛନ୍ତି। ବିଜ୍ଞପ୍ତି ଜାରି ହେବାଦିନଠୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ୧୯୯୮ ମସିହା ଜୁଲାଇ ୧୩ତାରିଖରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା। ସୂଚନାଯୋଗ୍ୟ, ବିଜେଡି ରାଜ୍ୟ ପରିଷଦ ବୈଠକରେ ମୟୂରଭଞ୍ଜ ଜିଲ୍ଲାର ବିଜେଡି ଶାଖା ପକ୍ଷରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତଦିନ ଗ୍ରହଣ କରିଥିଲେ। ତେବେ ବିଜେଡି ରାଜ୍ୟ ପରିଷଦରେ ପ୍ରସ୍ତାବ ପାରିତ ହେବାର ୪୮ଘଣ୍ଟା ମଧ୍ୟରେ ସରକାରୀସ୍ତରରେ ନାମ ପରିବର୍ତ୍ତନ ହେବାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। 

ମଉଳିଲା ପ୍ରଦୀପଙ୍କ ମୁକୁଳିବା ଆଶା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ବହୁ ଚର୍ଚ୍ଚିତ AT ଚିଟଫଣ୍ଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବା ପ୍ରଦୀପ ସେଠୀଙ୍କର ନିକଟ ଭବିଷ୍ୟତରେ ମୁକୁଳିବା ଆଶା ମଉଳି ଯାଇଛି। ଗତ ୭ବର୍ଷ ଜେଲ୍‌ରେ କଟାଇଥିବାରୁ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରି ପ୍ରଦୀପ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି। ପ୍ରଦୀପଙ୍କ ଆବେଦନର ବିଚାର କରି ହାଇକୋର୍ଟ କହିଛନ୍ତି, ପ୍ରତ୍ୟେକ ମାମଲାର ଅଲଗା ଅଲଗା ବିଚାର ହେବ ଏବଂ ଅଲଗା ଅଲଗା ଭାବେ ଦଣ୍ଡ ମିଳିବ। ଏହା ଦ୍ୱାରା ବର୍ତ୍ତମାନ ପାଇଁ ପ୍ରଦୀପ ସେଠୀ ଜେଲରୁ ମୁକୁଳିବା ବାଟ ବନ୍ଦ ହୋଇଯାଇଛି । AT ଚିଟଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ କୋର୍ଟ ପ୍ରଦୀପ ସେଠୀଙ୍କୁ ୭ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ତାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିଥିଲେ ।ସୂଚନାଯୋଗ୍ୟ, ପ୍ରଦୀପଙ୍କ ନାଁରେ ଏଟି ଗ୍ରୁପ୍‌ ଜମାକାରୀଙ୍କଠାରୁ ୫ଶହ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି।   ଜମାକାରୀଙ୍କଠାରୁ ଟଙ୍କା ଠକିଥିବା ଏବଂ ଏହି ଟଙ୍କାରେ ଅୟସ କରିଥିବା ଅଭିଯୋଗକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ ପ୍ରଦୀପ ସେଠୀ।