ବେଗୁନିଆପଡା ବ୍ଲକର 6ଟି ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ମେଧାବୃତ୍ତି ପରୀକ୍ଷା, 231 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ।

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ,ସାଙ୍କୁଡ଼ା ସ୍ଥିତ ଧବଳେଶ୍ୱର ବିଦ୍ୟାପୀଠ, ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରା ଉଚ୍ଚ ବିଦ୍ୟାଳୟ,କୋଦଳା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ, ସ୍ବର୍ଣ୍ଣମୟୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ମଠସରସିଂ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରେ ପଞ୍ଚମ ମେଧା ବୃତ୍ତି ପରୀକ୍ଷା ଶେଷ ହୋଇଛି | ଏହି ବୃତ୍ତି ପାଇଁ ବ୍ଲକର ଆଞ୍ଚଳିକ ସ୍ତରରୁ 250 ଜଣ ପ୍ରାର୍ଥୀ ପରୀକ୍ଷା ଦେବା ପାଇଁ ମନୋନୀତ ହୋଇଥିବା ବେଳେ 231 ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ | ଦୁଇ ଘଣ୍ଟା ସମୟ ସୀମା ବିଶିଷ୍ଟ ଏହି ପରୀକ୍ଷା ରେ କୋଭିଡ ନିୟମ ମାନି ପ୍ରତ୍ୟେକ ପରୀକ୍ଷା ହଲ ରେ ସାମାଜିକ ଦୂରତା ରକ୍ଷା କରି ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ | ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତା ମୂଳକ କରାଯାଇଥିବା କଥା କହିଥିଲେ ବ୍ଲକ ବି ଇ ଓ ଶ୍ରୀଯୁକ୍ତ କମଳାକାନ୍ତ ସାହୁ | ସୁପେରିଟେଣ୍ଡେଣ୍ଟ ଭାବେ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ. ଭୀମରାଜୁ ପାତ୍ର, ଧବଳେଶ୍ୱର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଦେବରାଜ ମହାପାତ୍ର, ଦଣ୍ଡପାଣି ସୁମନ୍ତରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ, ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା,ମଠ ସରସିଂ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥ ପ୍ରମୁଖ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପରିଚାଳନା କରିଥିଲେ | ସମସ୍ତ ସହକାରୀ ଶିକ୍ଷକ ପରୀକ୍ଷା କେନ୍ଦ୍ର ପରିଚାଳନା ରେ ସହଯୋଗ କରିଥିଲେ | ସାଙ୍କୁଡ଼ା ସ୍ଥିତ ଧବଳେଶ୍ୱର ବିଦ୍ୟାପୀଠ ରେ ପରୀକ୍ଷାର୍ଥୀ ମାନଙ୍କୁ ସିସିଟିଭି ମାଧ୍ୟମରେ ସତର୍କ ନଜର ରଖାଯାଇ ପରୀକ୍ଷା କରାଯାଇଥିବାରୁ ବ୍ଲକ ବିଇଓ କମଳା କାନ୍ତ ସାହୁ ଖୁସି ବ୍ୟକ୍ତ କରିଥିଲେ |

ପୁଣି ଚର୍ଚ୍ଚା ରେ ବଲିଉଡ଼ କୋରୀଓ ଗ୍ରାଫର ଗୁରୁ ସାଓଲିନ, ମୁର୍ତ୍ୟୁ ପରେ ନିଜ ଅଙ୍ଗ ଦାନ କରିବେ ‘ଗୁରୁ’।

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ପୂର୍ବରୁ ସାମାଜିକ ଗଣମାଧ୍ୟମ ତଥା ମିଡ଼ିଆ ରେ ଚର୍ଚ୍ଚା ରେ ରହିଥିବା ଗୁରୁ ସାଓଲିନ ଆଜି ନିଜର ଅଙ୍ଗ ଦାନ କରିବାକୁ ନେଇ ନିଜସ୍ୱ ମତ ରଖିଛନ୍ତି | ବଲିଉଡ଼ କୋରିଓ ଗ୍ରାଫର, ଯାତ୍ରା ଜଗତର ଡ୍ୟାନ୍ସ ଦୁନିଆରେ ନିଜର ପ୍ରତିପତି ବିସ୍ତାର କରିଥିବା ଗୁରୁ ଆଜି ରାସ୍ତା କଡର ଝାଟିମାଟି ରେ ତିଆରି ମାଟି ହାଣ୍ଡି ଚା’ ଦୋକାନୀ | କିନ୍ତୁ ସ୍ୱାଭିମାନ ର ସହିତ ବଂଚିବା ଶିଖିଛନ୍ତି ଗୁରୁ | ନମ୍ର ବ୍ୟବହାରରେ ସମସ୍ତଙ୍କ ହୃଦୟ କୁ ଜିଣି ସାରିଥିବା ସାଓଲିନ ବର୍ତ୍ତମାନ ନିଜର ଅଙ୍ଗଦାନ କରିବାକୁ ନିଷ୍ପତି ନେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି |ପରୋପକାରୀ ମନୋଭାବ ଥିବା ବ୍ୟକ୍ତି ଙ୍କ ସଂଖ୍ୟା ଆଜି କାଲିର ଦୁନିଆରେ ବହୁତ କମ | କିନ୍ତୁ ମୁର୍ତ୍ୟୁ ପରେ ଅଙ୍ଗଦାନ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବା ଓ ମେଡିକାଲ ଛାତ୍ରଛାତ୍ରୀ ଙ୍କ ଗବେଷଣା ପାଇଁ ଅଙ୍ଗଦାନ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତି ନିହାତି ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ | ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଂଚାୟତର ଗୁଡ଼ିସାହି ର ବାସିନ୍ଦା ଗୁରୁ ସାଓଲିନ | ଘରେ ଦୁଇ ଛୋଟ ପୁଅ ଓ ଧର୍ମପତ୍ନୀ | ରାଷ୍ଟ୍ର ତଥା ସମାଜ ର ହିତ ପାଇଁ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିବା ଗୁରୁ ଙ୍କ ପରିବାର ଲୋକେ କହିଥିବା ବେଳେ,ଏହି ଭଳି ସମାଜ ମଙ୍ଗଳ କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ନିମନ୍ତ୍ରଣ କରିଛନ୍ତି | ଏହି ବଦାନ୍ୟ ବ୍ୟକ୍ତି ଙ୍କ ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି | ଗୁରୁଙ୍କ ମୁର୍ତ୍ୟୁ ପରେ ଅଙ୍ଗଦାନ କରି ଅନ୍ୟ ର ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଅମର ରହିବେ ଏଥିରେ ସନ୍ଦେହ ନାହିଁ |

ବେଗୁନିଆପଡା ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏନ ଆର ଟି ଏସ ବୃତ୍ତି ପରୀକ୍ଷା ଦେଲେ ୭୯ ଛାତ୍ରଛାତ୍ରୀ।

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏନ ଆର ଟି ଏସ ବୃତ୍ତି ପରୀକ୍ଷା ଶେଷ ହୋଇଛି । ଏହି ବୃତ୍ତି ପାଇଁ ଆଞ୍ଚଳିକ ସ୍ତରରୁ ୭୯ ଜଣ ପ୍ରାର୍ଥୀ ପରୀକ୍ଷା ଦେବା ପାଇଁ ମନୋନୀତ ହୋଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ । ବରିଡା ସ୍ଥିତ ଅମରେଶ୍ୱର ବିଦ୍ୟାପୀଠ ର ସର୍ବାଧିକ ୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଦୁଇ ଘଣ୍ଟା ସମୟ ସୀମା ବିଶିଷ୍ଟ ଏହି ପରୀକ୍ଷା ରେ କୋଭିଡ ନିୟମ ମାନି ପ୍ରତ୍ୟେକ ପରୀକ୍ଷା ହଲ ରେ ୧୦ ଜଣ ଲେଖାଏଁ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତା ମୂଳକ କରାଯାଇଥିବା କଥା କହିଥିଲେ ବ୍ଲକ ବି ଇ ଓ ଶ୍ରୀଯୁକ୍ତ କମଳାକାନ୍ତ ସାହୁ।ସୁପେରିଟେଣ୍ଡେଣ୍ଟ ଭାବେ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ. ଭୀମରାଜୁ ପାତ୍ର ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିଥିବା ବେଳେ ସମସ୍ତ ସହକାରୀ ଶିକ୍ଷକ ପରୀକ୍ଷା କେନ୍ଦ୍ର ପରିଚାଳନା ରେ ସହଯୋଗ କରିଥିଲେ । ଆସନ୍ତା କାଲି ପଞ୍ଚମ ଶ୍ରେଣୀର ମେଧା ବୃତ୍ତି ପରୀକ୍ଷା ଥିବା ଜଣା ପଡିଛି ।

୧୫ ପ୍ରତିଶତ ଦିଅ ସିକ୍ୟୁରୀଟି ଫେରସ୍ତ ନିଅ ; ପୂର୍ତ୍ତ ବିଭାଗ ର ନୂଆଁ ନିୟମ …?

ଏଥର ସମ୍ଭାଳ ବ୍ୟୁରୋ – ରାୟଗଡା ଜିଲ୍ଲା ରାସ୍ତା ଓ କୋଠା ବାଡ଼ି ବିଭାଜନ – ୨ ଅଧୀନରେ ବାହାରିଥିବା ପ୍ରତି କାମ ଶେଷ ପରେ ଠିକାଦାର ମାନଙ୍କ ସିକ୍ୟୁରୀଟି ( ଡିପୋଜିଟ) ରଖା ଯାଇଥାଏ । ଏହି ଅର୍ଥ କୁ ବିଲ ପୈଠ ହୋଇସାରିବା ଏକ ବର୍ଷ ପରେ ଠିକାଦାର ଙ୍କୁ ଫେରସ୍ତ ଦିଆଯାଇଥାଏ । ସମସ୍ତ କାର୍ଯ୍ୟ ସମ୍ପାଦନ ହେବା ପରେ ଉକ୍ତ ଅମାନତ ଜମା ଟଙ୍କା କୁ ବର୍ଷକ ପରେ ଫେରସ୍ତ ଦିଆଯିବାର ନିୟମ ରହିଥିବା ବେଳେ ବର୍ତ୍ତମାନ ଉକ୍ତ ଟଙ୍କା ଉଠାଣ କରିବା ନିମନ୍ତେ ସମ୍ପୃକ୍ତ କାର୍ଯ୍ୟାଳୟର କେସିଅର ଏହି ଅର୍ଥର ୧୫ ପ୍ରତିଶତ ଟଙ୍କା ପି.ସି ବାବଦରେ ମାଗୁଥିବା ବିଷୟ ବର୍ତ୍ତମାନ ଠିକାଦାରଙ୍କ ମଧ୍ୟରେ ଆଲୋଚ୍ୟର କଥା ଵସ୍ତୁ ହୋଇ ଥିବାବେଳେ ସାଧାରଣରେ ଏହା କ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉକି ଉକ୍ତ କାର୍ଯ୍ୟାଳୟ ଟି ଗୁଣପୁର ଠାରେ ଅବସ୍ଥାପିତ ହେବା ବଦଳରେ ଗୁଣପୁର ଠାରୁ ଦୀର୍ଘ ୫୦ କିମି ରୁ ଉର୍ଦ୍ଧ୍ୱ ଦୁରତାରେ ଥିବାରୁ ଏଠାର କର୍ମଚାରୀ ଏହାର ସୁଯୋଗ ନେଉଥିବା ଅଭିଯୋଗ ହେଉଛି। ଏପରିକି ଅନେକ ଠିକାଦାର ସେମାନଙ୍କ ବହୁଳ ଅମାନତ ଅର୍ଥକୁ ପାଇବା ପାଇଁ ୧୫ ପ୍ରତିଶତ ଦେଇ ଡ଼ିପୋଜିଟ ଟଙ୍କାକୁ ଉଠାଇ ଆଣିଥିବା ଜଣା ଯାଇଛି । ତେବେ ଏହା ରାୟଗଡା ଡିଭିଜନ ୨ ଅଧିକାରୀ ଙ୍କ କେଉଁ ନୂଆ ନିୟମ ବୋଲି ପ୍ରଶ୍ନ ଉଠିଛି ।ଉକ୍ତ ପି.ସି କାରବାର ବିଭାଗୀୟ ନିର୍ବାହୀ ଅଧିକାରୀ ଙ୍କ ଜାଣତରେ ଚାଲିଛି ନା ଅଜାଣତ ରେ ; ଏହାର ସତ୍ୟତା ଉପରେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅନିବାର୍ଯ୍ୟ ହୋଇପଡ଼ିଛି ।

ବେଗୁନିଆପଡା ବ୍ଲକ ସମିତି ବୈଠକର ଏପାଖ ସେପାଖ; ନୀରବତା ରୁ ଆରମ୍ଭ,କକ୍ଷତ୍ୟାଗ ରେ ଶେଷ !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଆଜି ଦୀର୍ଘ ଦିନର ବ୍ଯବଧାନ ପରେ ବେଗୁନିଆପଡ଼ା ବ୍ଳକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସାନମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ସୋମବାର ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା ସଭାପତି ଭାବେ ସଭାକୁ ପରିଚାଳନା କରିଥିବା ବେଳେ ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି,ମନୋଜ କୁମାର ପାଣ୍ଡି, ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକର ପ୍ରାରମ୍ଭରେ କୁମ୍ଭାର ଗାଁ ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀ ଓ ଚନ୍ଦନପୁର ପଞ୍ଚାୟତ ର ସମିତି ସଭ୍ୟ ସୁବଳ ସାହୁ ଙ୍କ ଅକାଳ ବିୟୋଗ ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବାସ୍ଥ୍ୟ,ଶିକ୍ଷା, କୃଷି,ସମନ୍ବିତ ଶିଶୁ ବିକାଶ ଯୋଜନା, ଜଳ ଓ ପରିମଳ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତି ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ସମୀକ୍ଷା କରାଯାଇଥିଲା। ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଙ୍କ ଅଭିଭାଷଣ ମଧ୍ୟରେ ପୂର୍ବତନ ବିଧାୟିକା ରାଣୀ ସାହେବା ଙ୍କ ବେଗୁନିଆପଡା ବ୍ଲକ ପାଇଁ ଅକ୍ଲାନ୍ତ ପରିଶ୍ରମ କୁ ପ୍ରଶଂସା କରି ବେଗୁନିଆପଡା ପଂଚାୟତ ସମିତି ଗୃହ କୁ ମର୍ଦରାଜ ଭବନ ନାମରେ ନାମିତ କରାଯାଉ । ଏହି ପ୍ରସ୍ତାବ କୁ ୪୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଓ ୪୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡୀ ସମର୍ଥନ ଜଣାଇଥିଲେ । ଅନ୍ୟ ଏକ ପ୍ରସଙ୍ଗରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଧାନ ମଣ୍ଡି ର ଧାନ ବିକ୍ରି ତଥା ଏହାର ପରିଚାଳନା ନେଇ ପ୍ରଶ୍ନ କରିଥିଲେ, ଏହାର ଉତ୍ତର ରେ ଯୋଗାଣ ଅଧିକାରିଣୀ ଶ୍ରୀମତୀ ରୀନାରାଣୀ କହିଥିଲେ ଯେ କୃଷକ ମାନଙ୍କ ସମସ୍ୟା ନେଇ ପରିଚାଳନା କମିଟି ନିଷ୍ପତି ନେବେ । ଯେଉଁ କୃଷକ ଜଳ ସେଚନ ପାଇଁ ଆଗ୍ରହୀ ସେମାନେ କୃଷି ବିଭାଗ ରେ ପଞ୍ଜିକରଣ କରାଇ ଆବଶ୍ୟକ ସୁବିଧା ନେବା ପାଇଁ କୃଷି ଅଧିକାରିଣୀ ଜଣାଇଥିଲେ । ସେହିପରି ଯେଉଁ ପଞ୍ଚାୟତ ରେ ଜଳ ଯୋଗାଣ ବ୍ୟବସ୍ଥା ସପୂର୍ଣ ହୋଇସାରିଛି ଓ ଲୋକଙ୍କୁ ଜଳ ଯୋଗାଣ ହୋଇପାରୁନାହିଁ ସେହି ପରିପ୍ରେକ୍ଷୀରେ ବ୍ଲକ ସ୍ତରରେ ଷ୍ଟାଣ୍ଡିଙ୍ଗ କମିଟି କରାଯାଇ ପଦକ୍ଷେପ ନେବାକୁ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମତ ରଖିଥିଲେ । ଶିକ୍ଷକ ମାନଙ୍କ ସେର୍ଟିଫିକେଟ ଯାଞ୍ଚ ପ୍ରସଙ୍ଗରେ, ଉପରିସ୍ଥ ଅଧିକାରୀଙ୍କୁ ସମସ୍ତ ଦସ୍ତାବିଜ ଦିଆଯାଇଥିବା କହିଛନ୍ତି ବ୍ଲକ ବିଇଓ କମଳାକାନ୍ତ ସାହୁ । ସାଙ୍କୁଡ଼ା ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ପରିଚାଳନା ନେଇ ଜିଲ୍ଲା ପରିଷଦ ସଭ୍ୟ ଙ୍କ ପ୍ରଶ୍ନର ଉତ୍ତର ରେ ତିନି ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦିଆଯିବାକୁ ମତ ରଖିଥିଲେ ବ୍ଲକ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ।ତେବେ ବିଭିନ୍ନ ପ୍ରସଙ୍ଗର ସଠିକ ଉତ୍ତର ନ ପାଇ ବ୍ଲକର ବିଭିନ୍ନ ପଂଚାୟତ ର ୧୪ ଜଣ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରି କକ୍ଷତ୍ଯାଗ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁଙ୍କ ଅଭିଯୋଗ କ୍ରମେ,ଜନପ୍ରତିନିଧି ମାନଙ୍କ ଅଗୋଚରରେ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ବର୍ଷ 6ଟି ସମିତି ବୈଠକ ବାଧ୍ୟତା ମୂଳକ ଥିବା ବେଳେ, ଚାରି ବର୍ଷରେ ଚାରୋଟି ବୈଠକ କରିବାର ଅଭିପ୍ରାୟ ନେଇ ପ୍ରଶ୍ନ କରିଥିଲେ ବୁରୁଝରୀ ସମିତିସଭ୍ୟ ବିନାୟକ ନାୟକ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ପ୍ରଶ୍ନର ସଠିକ୍ ଭାବେ ଉତ୍ତର ଦେଇ ନଥିବା ଅଭିଯୋଗ କରିଥିଲେ ବୁରୁଝୁରୀ ସମିତି ସଭ୍ୟ । ତେବେ ବ୍ଯକ୍ତିଗତ ସ୍ବାର୍ଥ ପାଇଁ କିଛି ପଞ୍ଚାୟତ ପ୍ରତିନିଧି କକ୍ଷତ୍ଯାଗ କରିଥାଇପାରନ୍ତି ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ । ଏହି ସମିତି ବୈଠକ ରେ ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତି ରେ ବ୍ଲକ ପରିସରରେ ନୂତନ ସମିତି ଗୃହ ଓ ଗୋଷ୍ଠୀ ଶୌଚାଳୟ କୁ ମାନ୍ୟବର ଆସ୍କା ସାଂସଦ ପ୍ରମିଳା ବିଶୋଇ ଉଦଘାଟନ କରିଥିଲେ ।ବେଗୁନିଆପଡ଼ା ବ୍ଳକରେ ଦୀର୍ଘଦିନ ଧରି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ଏହି ଗୋଷ୍ଠୀ କନ୍ଦଳ ଆଗକୁ ଉଗ୍ର ରୂପ ନେବ,ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କିଛି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିବା ସହିତ ବେଳ ଥାଉ ଥାଉ ଏହାର ସମାଧାନ ସକାଶେ ଉଚିତ ପଦକ୍ଷେପ ନେବାକୁ କିଛି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି ।