ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଗୁରୁମନ୍ତ୍ର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନ ଅର୍ଥାତ ଗୁରୁବାର ସେ କୁନିଝିଅ ପରୀଙ୍କ ପରିବାରକୁ ଭେଟିବା ପାଇଁ ନୟାଗଡ଼ ଯାଇଥିଲେ। ଆଜି ସେ ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ନେଇ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ୧୪୭ ବିଧାନସଭା କ୍ଷେତ୍ରର ନେତାଙ୍କ ସହ ମଧ୍ୟ ଡି. ପୁରନ୍ଦେଶ୍ୱରୀ ଆଲୋଚନା ଓ ପର୍ଯ୍ୟାଲୋଚନା କରିଛନ୍ତି। ଜିଲ୍ଲାସ୍ତରରେ ଲୋକଙ୍କ ସହ କର୍ମୀଙ୍କୁ ଯୋଡ଼ି ହେବା ପାଇଁ ଗୁରୁ ମନ୍ତ୍ର ଦେଉଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ କର୍ମୀଙ୍କୁ ଏକାଠି କରିବାକୁ ବ୍ଲୁ ପ୍ରିଣ୍ଟ୍‌ କରିଛନ୍ତି। ବିଶେଷ ଭାବେ ବୁଥ୍‌ ସ୍ତରରେ ସଂଗଠନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ୨୫ ଜଣଙ୍କୁ ନେଇ ବୁଥ୍‌ ସ୍ତରର କମିଟି ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହି କମିଟି ରାଜ୍ୟର ଶିଶୁ, ମହିଳା, ଚାଷୀ ବର୍ଗ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି। ବିଜେପି ନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି-“ପ୍ରଭାରୀ ଓଡ଼ିଶା ଆସିବା ପରେ ପ୍ରଥମେ ପରୀକୁ ନ୍ୟାୟ ଦେବା ପାଇଁ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଗଲେ। ଏହାର ଅର୍ଥ ମହିଳାଙ୍କ ସୁରକ୍ଷା ନେଇ ଚାଲିଥିବା ଲଢ଼େଇଙ୍କୁ ଆହୁରି ତୀବ୍ରତର କରାଯିବ। କୃଷକ ଓ ମହିଳାଙ୍କ ସୁରକ୍ଷାକୁ ସେ ଅଗ୍ରାଧୀକାର ଦେଇଛନ୍ତି।”

ଫେରିବ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରିୟ ‘ଡାକୋଟା’..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଓଡ଼ିଶା ଫେରିବ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଡାକୋଟା ବିମାନକୁ ଆଣିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ବିଭିନ୍ନ ବିଭାଗର ୧୧ ଜଣ ସଦସ୍ୟ ସାମିଲ ଅଛନ୍ତି। କୋଲକାତାରୁ ଡାକୋଟା ଆସିଲେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିସରରେ ରହିବ। ୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍‌ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍‌ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ। ସେହି ବିମାନ ଏବେ କୋଲକାତାର ନେତାଜୀ ବିମାନ ବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ଡମ୍ପିଂୟାର୍ଡରେ ଖତ ଖାଉଛି। ଯାହାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।

ଦେଶର ପ୍ରଥମ କୋଇଲା ଗ୍ୟାସିଫିକେସନ ଫ୍ୟାକ୍ଟ୍ରିହେବ ତାଳଚେର ସାର କାରଖାନା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା। ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ‌୍‍ଏଲ‌୍‍) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଓ ୟୁରିଆ ଉତ୍ପାଦନ ପ୍ରକଳ୍ପର ସମୀକ୍ଷା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି-“ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍‌ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ସାର କାରଖାନା ହେବ। ଏହାସହ ଏହି କାରଖାନା ଓଡ଼ିଶା ଓ ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ ସୁନିଶ୍ଚିତ କରିବ।” ସେ ଆହୁରି କହିଛନ୍ତି-“ଆଜି ବସିଥିବା ବୈଠକରେ ତାଳଚେର ସାର କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଓ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ବିଚାରବିମର୍ଷ କରାଯାଇଛି। ତାଳଚେର ସାର କାରଖାନା ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ଏହା ଓଡ଼ିଶା ତଥା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ। ଏହାସହ ଓଡ଼ିଶାରେ ନିଯୁକ୍ତି ସୁଯୋଗ ବଢ଼ିବ।” ସାର କାରଖାନାର ଅଗ୍ରଗତି ନେଇ ବସିଥିବା ବୈଠକରେ ଶ୍ରୀ ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠମାନେ ସାମିଲ ହୋଇଥିଲେ।

ରତ୍ନପଥର ଲୁଟ୍‌ରେ ବିଜେଡି ଦଳ ନେତା ଙ୍କ ଲିଙ୍କ ଥିବା ଅଭିଯୋଗ ଆଣିଲା ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରତ୍ନପଥର ଲୁଟ୍‌ରେ ରହିଛି ବିଜେଡି ଲିଙ୍କ। ଏପରି ଅଭିଯୋଗ ଆଣିଛି ରାୟଗଡ଼ା ଜିଲ୍ଲା ବିଜେପି। ଏପରିକି ରତ୍ନପଥର ଲୁଟ୍‌ରେ ଗିରଫ ଅଭିଯୁକ୍ତଙ୍କ ସହ ବିଜେଡି ନେତାଙ୍କ ଫଟୋକୁ ଦେଖାଇଛି ବିଜେପି। କ୍ରାଇମବ୍ରାଞ୍ଚ ସେହି ନେତାଙ୍କୁ ଜେରା କଲେ ଗୁଢ଼ ରହସ୍ୟ ପଦାକୁ ଆସିବ ବୋଲି ଦାବି କରିଛନ୍ତି ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶିବସଙ୍କର ଉଲ୍ଲାକା। ଯାହାକୁ ସ୍ଥାନୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଖଣ୍ଡନ କରିଛନ୍ତି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାକୁଲଗୁଡ଼ାରେ ରହିଛି ବୈଦୁର୍ଯ୍ୟ (କ୍ୟାଟ୍- ଆଇ) ରତ୍ନପଥର ଖଣି। ଯେଉଁଠି ଚୋରାରେ ବେଧଡ଼କ ଚାଲିଛି ଖନନ। ପ୍ରଶାସନର ନାକ ତଳେ ବେଆଇନ ଭାବେ ଖାଦାନ ଖୋଳି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ବୈଦୁର୍ଯ୍ୟ ରତ୍ନପଥର। ରାଜ୍ୟ ବାହାରକୁ ଚାଲାଣ କରି ମାଲାମାଲ୍‌ ଦଲାଲ୍‌ ଓ ବେପାରୀ। ଏସବୁ ଦେଖି ମଧ୍ୟ ପ୍ରଶାସନ ଚୁପ୍‌ ରହିଛି। ଦୀର୍ଘ ୨୦ବର୍ଷର ବାଦବିବାଦ ପରେ ଡାକୁଲୁଗୁଡ଼ା ପାହାଡ଼ ଖୋଳିବାକୁ ରାଜ୍ୟ ଖଣି ବିଭାଗର ଅନୁମତି ପରେ ଗତବର୍ଷ ଏଠି ପ୍ରଶାସନ ପକ୍ଷରୁ ଜନଶୁଣାଣି ହୋଇଥିଲା। ଖଣି ଖୋଳା ହେଲେ ଭାଗ୍ୟ ବଦଳିବ ବୋଲି ଭାବିଥିଲେ ସ୍ଥାନୀୟ ଲୋକେ। ହେଲେ ସବୁ ସ୍ୱପ୍ନରେ ରହିଗଲା। ସେତେବେଳେ ରତ୍ନପଥର ଚୋରା ଖନନକୁ ନେଇ ଅଭିଯୋଗ ପରେ ପ୍ରଶାସନ କିଛି ଦିନ ପାଇଁ ସେଠି ୧୪୪ ଧାରା ଜାରି କରି ତାରବାଡ଼ ଘେରାଇଥିଲା। ହେଲେ ସେ କଟକଣାକୁ ଫୁ’ କରି ଉଡ଼ାଇଛନ୍ତି ମାଫିଆ। ପ୍ରଶାସନ ନାକ ତଳେ ଏବେ କରୁଛନ୍ତି ରତ୍ନପଥର ଲୁଟ୍ ‌। ବର୍ଷ ବର୍ଷ ଧରି ରାୟଗଡ଼ାରୁ ଚାଲିଛି ରତ୍ନପଥର ଚୋରା ଚାଲାଣ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବାହାରିଲା ଏ ସତ। ଗତ ୭ ତାରିଖରେ ଡାକୁଲଗୁଡ଼ାରେ ଚୋରା ରତ୍ନପଥର ବେପାରର ପତ୍ତା ଖୋଲିଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ପାଖାପାଖି ୧୫୧ କେଜି ଓଜନର ମୂଲ୍ୟବାନ ରତ୍ନପଥର ଜବତ କରି ଜିତେନ୍ଦ୍ର ବେହେରା ନାମକ ସ୍ମଗଲରକୁ ଗିରଫ କରିଥିଲା। ଯିଏକି ଶାସକଦଳର ନେତାଙ୍କ ଛତ୍ରଛାୟାତଳେ ରହି ତା’ର କଳା କାରବାର ଚଳାଇଥିବା ଅଭିଯୋଗ ହୋଇଥିଲା। ଗିରଫ ଅଭିଯୁକ୍ତଙ୍କ ସହ ନେତାଙ୍କ ଫଟୋ ଦେଖାଇ ଏପରି ସାଂଘାତିକ ଅଭିଯୋଗ ଆଣିଛି ରାୟଗଡ଼ା ଜିଲ୍ଲା ବିଜେପି। ସିଧାସଳଖ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲାର ଜଣେ ରାଜ୍ୟସଭା ସାଂସଦ ଓ ଅନ୍ୟ ବିଜେଡି ନେତାଙ୍କ ସହ ଗୁଢ଼ ସଂପର୍କ ଥିବା ଅଭିଯୋଗ ଆଣି ବିଜେପି। ତେଣେ ଗିରଫ ଜିତେନ୍ଦ୍ର ସହ ଫଟୋରେ ଥିବା ମନ୍ତ୍ରୀ ଜଗନ୍ନାଥ ସାରକା କିନ୍ତୁ ଏହାକୁ ତୁଛା ରାଜନୀତି ବୋଲି କହିଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା, ଜବତ ଦେଢ଼ କ୍ୱିଣ୍ଟାଲ୍‌ରୁ ଅଧିକ ରତ୍ନପଥର ଅନ୍ୟ ଜିଲ୍ଲାର ହୋଇଥିବ ବୋଲି କହି ସଫେଇ ଦେଇଛନ୍ତି କୋରାପୁଟସ୍ଥିତ ଖଣି ବିଭାଗର ଉପ ନିର୍ଦ୍ଦେଶକ ।

ଗଜପତି ଜିଲ୍ଲାରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ।

!!! ଗଜପତି ଜିଲ୍ଲାରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୋଷ ଡେନ୍ସ ଷ୍ଟୁଡ଼ିଓ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ୍ , ଗଜପତି ଜିଲ୍ଲା ୟୁନିଟ ତରଫରୁ ବିଶ୍ବ ମାନବ ଅଧିକାର ଦିବସ ନିଡାମ୍ବର ଭାବରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମଞ୍ଜୁଳା ଚୌଧୁରୀଙ୍କ ସଭାପତିତ୍ୱରେ ଶିଶୁ , ପରିବାର ଓ ମହିଳା ବିଭାଗ , ରାଜ୍ୟ ସଭାପତି  ଆଲୋକ କୁମାର ବୋଷ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ  ଲିଗାଲ ଆଡଭାଇଜର ଆନ୍ତର୍ଜାତୀୟ ମାନବ ଅଧିକାର କାଉସିଲ (ଓଡିଶା)  ଶାଶଙ୍କ ଶେଖର ସାବତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଜିଲ୍ଲା ଚାଇଲ୍ଡଲାଇନ୍ ର ସଂଯୋଜକ ନାଗେଶ୍ୱର ଚୌଧୁରୀ ଓ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ୍ ଗଜପତିର ସମ୍ପାଦକ ଲିଲି ସାହୁ ମଞ୍ଚାସୀନ କରି ମାନବ ଅଧିକାର ଓ ସୁରକ୍ଷାର ବିଭିନ୍ନ ବିଷୟ ଗୁଡିକ ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ । ଆନ୍ତର୍ଜାତୀୟ ମାନବ ଅଧିକାରକାଉସିଲ ଗଜପତିର ଅନ୍ୟ ସଭ୍ୟ / ସଭ୍ୟା ସୁନିତା ପଣ୍ଡା , ମୋନଜ ଚୌଧୁରୀ , ସୁଧା ଚୌଧୁରୀ , ଗିରୀଷ ପାଢ଼ୀ , ଶୁସଦାଶ ଗୁରୁ , ସିନୁ ମିସାଲ , ପ୍ରବୀଣ କୁମାର ଲିମା ପ୍ରମୁଖ ଉପସ୍ଥିତ ଥିଲେ।

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ବାର୍ତ୍ତା-୨୦୨୦ ଅଭିଯାନ ରଥର ଶୁଭାରମ୍ଭ।

!!! ଗଜପତି ଜିଲ୍ଲାରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ସ୍ୱତନ୍ତ୍ର ପୋଷ୍ୟ ଗ୍ରହଣ କେନ୍ଦ୍ର-“ନିସାନ ଶାଲୋମ ଚିଲଡ୍ରେନ ହୋମ” ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୂଲ୍ୟରେ “ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ବାର୍ତ୍ତା-୨୦୨୦ ଅଭିଯାନ ରଥର ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା ବାର୍ତ୍ତା ଅଭିଯାନ ରଥକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ଅଭିଯାନ ରଥ,  ମୁଖ୍ୟତଃ ଜିଲ୍ଲାବ୍ୟାପୀ ଆସନ୍ତା ତିନି ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିକୁ ବୁଲିବା ସହ ସଚେତନତା ସୃଷ୍ଟି କରିବ। ଏଥି ସହିତ ପରିତ୍ୟକ୍ତ ଶିଶୁର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ ସମିତି କିମ୍ବା ଚାଇଲ୍ଡଲାଇନ୍ ନମ୍ବର-୧୦୯୮କୁ ଫୋନରେ ଜଣାଇବା ନିମନ୍ତେ ସଚେତନ କରାଇବ । ନିଜ ଜନ୍ମିତ ଶିଶୁକୁ ଲାଳନ ପାଳନ କରିବାକୁ ଚାହୁଁ ନ ଥିବା ବା ସମର୍ଥ ନ ଥିବା ଲୋକେ ଶିଶୁକୁ ରାସ୍ତା କଡାରେ ନ ଫୋପାଡ଼ି ଉପରୋକ୍ତ ୟୁନିଟ କିମ୍ବା ସମିତି କିମ୍ବା ଚାଇଲଡ଼ ଲାଇନ ନମ୍ବର ୧୦୯୮ରେ  ଜଣାଇ ସମ୍ପୃକ୍ତ ଶିଶୁକୁ ସମର୍ପିତ କରାଇବା ଏବଂ ଯାହାକିଛି ଜନ୍ମିତ ଶିଶୁ ଚାହୁଁ ନ ଥିବା ସମ୍ଭନ୍ଧୀୟ ଉପରେ ସନ୍ଧେହ ରହିଛି , ତାହା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଓ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରଭୃତି ଉପରେ ଏହି ଅଭିଯାନ ରଥ ସଚେତନତା ବାର୍ତ୍ତା ଉପରେ ପ୍ରଚାର କରିବ । ଯେଉଁ ଦମ୍ପତ୍ତି କିମ୍ବା ବ୍ୟକ୍ତି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନେ central adoption Resource agency (CARA) ର website କୁ ଦେଖି ଆବଶ୍ୟକ ଆବେଦନ କରିପାରିବେ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ପାରଳାଖେମୁଣ୍ଡି , ଟେଲିଫୋନ ନଂ- ୦୬୮୧୫ ୨୨୨୫୮୬ ସହ ଯୋଗାଯୋଗ କରିପାରିବେ।

ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ଅଧିକ ସୂଚନା ଦେଇ କହିଥିଲେ ଯେ ,  ଏହି ଅଭିଯାନ ରଥ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ଜିଲ୍ଲାବ୍ୟାପୀ ସଚେତନ କରାଇବ , ମୁଖ୍ୟତଃ ପରିତ୍ୟକ୍ତ ଶିଶୁ ମାନେ ଯେଭଳି ସମ୍ପୃକ୍ତ ଲୋକଙ୍କ ଅଲୋଡା ନ ହୋଇ ସେମାନଙ୍କ ଉପଯୁକ୍ତ ଲାଳନ ପାଳନ ହୋଇପାରିବ , ସେଥିପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଠାରେ ଆଣି ଅବଗତ କରାଇବେ ବୋଲି ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହା ଯୋଗୁଁ ଶିଶୁର ଯତ୍ନ ଓ ସୁରକ୍ଷା ହୋଇ ଠିକ ଭାବେ ବଞ୍ଚିପାରିବା ସହ ସନ୍ତାନ ହୀନ ମାନେ ପୋଷ୍ୟ ସନ୍ତାନ ଗ୍ରହଣ କରି ଉପକୃତ ହେବାରେ ବିଶେଷ ସହାୟକ ହୋଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠି , ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଡମ୍ବରୁ ଧର ବଲବନ୍ତରାୟ , ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ , ନିସାନର ପରିଚାଳକ ରଞ୍ଜିତ ପାଇକ , ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ସିଡବ୍ଲ୍ୟୁସି:ର ସଭ୍ୟ ଶ୍ରୀ ହୀରଣ୍ୟ କୁମାର ରାୟ , ସଭ୍ୟା ଶ୍ରୀମତୀ ଅଳକା ସାହୁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା , ଶିଶୁ ମଙ୍ଗଳ ସମିତିର ସଭ୍ୟ ଏବଂ ଚାଇଲ୍ଡଲାଇନ୍  ସଭ୍ୟ ସହଯୋଗ କରିଥିଲେ।

ବିଶିଷ୍ଟ କଣ୍ଠଶିଳ୍ପୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ବିୟୋଗରେ ଉତ୍କଳ ହିତୈଷିଣୀ ସମାଜ ଓ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଶୋକସଭା।

!!! ଗଜପତି ଜିଲ୍ଲାରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ବସନ୍ତବିହାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସଗୃହ ପ୍ରାଙ୍ଗଣରେ କୋକିଳା କଣ୍ଠି ପୁଷ୍ପାବେଣୀ ପଟ୍ଟନାୟକଙ୍କ ବିୟୋଗରେ ଏକ ସ୍ମୃତି ଚାରଣ  ସଭା ଅନୁଷ୍ଠିତ ହୋଇସାରିଛି।  ସେ ଜଣେ ଅବସର  ପ୍ରାପ୍ତ ଶିକ୍ଷୟିତ୍ରୀ ଥିଲେ ମଧ୍ୟ ତାଙ୍କର ଜୀବନ ବା ଆତ୍ମା ଥିଲା ସଙ୍ଗୀତ । ଶିକ୍ଷା ପେଷା ହେଲେ ବି ନିଶା ଥିଲା ତାଙ୍କର ସଙ୍ଗୀତ। ଅର୍ଦ୍ଧ ଶତାବ୍ଦୀର ଜଣେ ଶ୍ରେଷ୍ଠ ସଂଗୀତ ସାଧୀକା ଭାବେ ବେଶ ଜଣାଶୁଣା ମହିଳା କଣ୍ଠ ଶିଳ୍ପୀ ଥିଲେ। ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ  ଶ୍ରଦ୍ଧାଞ୍ଜଳି ସଭାରେ ଶରତ ଚନ୍ଦ୍ର ସାହୁ , ଆଶାଲତା ପାଣିଗ୍ରାହୀ , ବିନୋନ୍ଦଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା , ଗଣେଶ ରାଜୁ , ଭାଗବତ ପାଢ଼ୀ , ଜଗଦୀଶ ମହାପାତ୍ର  , କୈଳାଶ ପଟ୍ଟନାୟକ ,  ମୁନା ପାଢ଼ୀ , ତ୍ରିପତି ପ୍ରସାଦ ପଣ୍ଡା , ପୂର୍ଣ୍ଣଚନ୍ଦ୍ର ରଥ , ନିତ୍ୟାନନ୍ଦ ଚୌଧୁରୀ , ସଚ୍ଚିଦା ନନ୍ଦ ସାମଲ ପ୍ରଭୃତି ଯୋଗଦାନ କରି ଦିବଂଗତ ପୁଷ୍ପାଦିଦିଙ୍କ ବହୁମୁଖୀ ପ୍ରତିଭା ଆଲୋଚନା କରାଯାଇଥିଲା। ସେହିପରି ସ୍ଥାନୀୟ ଭକ୍ତିସଂଗୀତ ସଂସଦ ଶିକ୍ଷାନୁଷ୍ଠାନ ପରିସରରେ ଠାରେ ଅନୁଷ୍ଠାନ ତରଫରୁ ସ୍ମୃତି ସଭା ଆୟୋଜନ ହୋଇଥିଲା। ଉକ୍ତ ସଭାରେ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ପୁରୋଧା ପୂର୍ଣ୍ଣଚନ୍ଦ୍ର ରଥ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରି ସ୍ୱର୍ଗତା ପୁଷ୍ପାବେଣୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ ! ଉକ୍ତସଭାରେ ଭାଗବତ ପାଢ଼ୀ, ଗୁରୁ ରଘୁନାଥ ପାତ୍ର , ରାଜେନ୍ଦ୍ର ରଥ , ସ୍ନିଗ୍ଧା ମିଶ୍ର , ଆଶାଲତା ପାଣିଗ୍ରାହୀ , ଡ଼ାକ୍ତର ମୁର୍ମୁ , ତ୍ରିପତି ପଣ୍ଡା , ବାବାଜୀ ବେହେରା , କୈଳାଶ ପଟ୍ଟନାୟକ, ଜଗଦୀଶ ମହାପାତ୍ର , ଗୋପାଳ ଶତପଥୀ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ଦିବଂଗତ ପୁଷ୍ପlବେଣୀ ପଟ୍ଟନାୟକଙ୍କ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପାର୍ଥନା କରିବା ସହ ଶୋକ ସନ୍ତପ ପରିବାରଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ ।