ଆନ୍ଦୋଳନ ନିଆଁରେ ଘିଅ ଢାଳିଲେ ପୁରନ୍ଦେଶ୍ୱରୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ପରୀକୁ ନ୍ୟାୟ ଦାବିରେ ଆନ୍ଦୋଳନ ନିଆଁରେ ଘିଅ ଢାଳିଛନ୍ତି ବିଜେପିର ନୂଆ ପ୍ରଭାରୀ। ପରୀ ପାଇଁ ବାହାରିଲେ ପୁରନ୍ଦେଶ୍ୱରୀ । ପ୍ରଭାରୀ ଭାର ସମ୍ଭାଳିବା ପରେ ପ୍ରଥମ ଥର ଓଡ଼ିଶା ଆସି ସେ ବର୍ଷିଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ବି ଦାବି କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଶାନା କରିଛନ୍ତି।  କହିଛନ୍ତି ଯେଉଁ ସରକାର କୁନି ଝିଅଟି ପରୀକୁ ନ୍ୟାୟ ଦେଇପାରୁନି, ସେହି ସରକାର ରାଜ୍ୟକୁ କେମିତି ସୁରକ୍ଷା ଦେବେ ଗତକାଲି ଓଡ଼ିଶା ଆସି ଆଜି ସିଧାସଳଖ ପରୀର ଗାଁ ଯଦୁପୁରକୁ ସେ ଯାଇଥିଲେ। ସେଠାରେ ପରିବାର ଲୋକଙ୍କୁ ଭେଟିଥିଲେ। ସମବେଦନା ସହ ଆଶ୍ୱାସନା ଦେଇଥିଲେ । ତାସହ ୫ ମାସ ବିତିବାକୁ ବସିଥିଲେ ବି ଏଯାଏଁ ହତ୍ୟାକାରୀଙ୍କୁ ଧରିବାରେ ବିଫଳତା ଦର୍ଶାଇ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ଏହା କେବଳ ହତ୍ୟା ନୁହେଁ, ଏଥିରେ ଅଙ୍ଗ ତସ୍କରୀ ରାକେଟ୍ ବି କାମ କରୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନ୍ୟାୟିକ କ୍ଷମତା ନଥିବା “ସିଟ” ଗଠନରେ ତ୍ରୁଟି ଥିବା ଦର୍ଶାଇ ସିବିଆଇ ତଦନ୍ତ ଦାବି କରିଥିଲେ ପୁରନ୍ଦେଶ୍ୱରୀ । ତେବେ ପୁରନ୍ଦେଶ୍ୱରୀଙ୍କ ଅଭିଯୋଗ ଉପରେ ବିଜେଡି କିମ୍ବା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି ।

ସସ୍‌ପେଣ୍ଡ ନୟାଗଡ଼ ଆଇଆଇସି ରୀତାରାଣୀ ସାହୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ନୟାଗଡ଼ ଥାନା ଆଇଆଇସି ରୀତାରାଣୀ ସାହୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସଡିପିଓ   ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ ଡିଏସପି  ଭାବେ ବଦଳି କରାଯାଇଛି। ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ। ପରୀ ମାଆକୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ ପରୀର ମା। ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ଅନ୍ୟପକ୍ଷରେ ପରୀଙ୍କ ମାଆଙ୍କୁ ପୁଲିସ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପରୀଙ୍କ ମାଆ ଅଭିଯୋଗ କରିଥିଲେ । ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍‌ଆଇଟି ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରୁ ଅରୁଣ ସାହୁଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ନୟାଗଡ଼ରେ ସତ୍ୟାଗ୍ରହ କରୁଥିବା ବେଳେ ଆଜି ‘ପରୀ’ ପରିବାରକୁ ଭେଟିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।