ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି ହେବା ପରେ ପୁଣି ଲାଗୁ ହେଲା ନାଇଟ କର୍ଫ୍ୟୁ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାଜ୍ୟ ସରକାର ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରିବା ପରେ ପୁଣି ଲାଗୁ କଲେ ନାଇଟ କର୍ଫ୍ୟୁ । ଆଜି ରାତି ୧୦ ଘଣ୍ଟା ରୁ କଲି ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି କରାଯାଇଥିବା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ଟ୍ୟୁଟ ମାଧ୍ୟମରେ ସୂଚନା ଦେଇଛନ୍ତି। ନୂଆ ବର୍ଷକୁ ସ୍ୱାଗତ କରିବାକୁଯାଇ ବିଭିନ୍ନ ସ୍ଥାନରେ ଜନସମାଗମ କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କିନ୍ତୁ ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଓ ଗମନାଗମନ ଉପଲବ୍ଧ ରହିବ ବୋଲି କୁହାଯାଇଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।

ଗୁଣପୁର ଠାରେ ସବୁ ଚାରି ଖୁନ ମାଫ ? ସନ୍ଦେହ ଘେରରେ ଜିଲ୍ଲାପାଳ ଙ୍କ ଆଦେଶ ନାମା କାର୍ଯ୍ୟକାରୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଆଗାମୀ ନୂତନ ବର୍ଷ ପାଇଁ ଚଳିତ ବର୍ଷର ଶେଷ ରେ ପାଳନ କରାଯାଉଥିବା ଶେଷ ରାତ୍ରୀ ଉତ୍ସଵ (ଜିରୋ ନାଇଟ ସେଲିବ୍ରେସନ)ଉପରେ କଟକଣା ଜାରି କରିଛନ୍ତି । ଜିଲ୍ଲାପାଳ ତଥା ଜିଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟର ବିଚାର ବିଭାଗ ପକ୍ଷରୁ ଦିଆଯାଇଥିବା ପତ୍ରସଂଖ୍ୟା ୨୯୩୪ ତା,୨୯,୧୨,୨୦ ରିଖ କ୍ରମେ ଏହା ସୂଚାଇ ଦିଆଯାଇଛି । ଏଥିରେ ହୋଟେଲ,କ୍ଲବ,ହୋଟେଲର ସମ୍ମିଳନୀ କକ୍ଷରେ, କଲ୍ୟାଣ ମଣ୍ଡପ ରେ ,କିମ୍ବା ସମ୍ମେଳନୀ ଗୃହରେ ଏଭଳି ଉତ୍ସବ ପାଳନ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଶେଷ ରାତ୍ର ପାଳନ ନିମନ୍ତେ କୌଣସି ସ୍ଥାନରେ ବହୁବ୍ୟକ୍ତି ଏକତ୍ରିତ ହେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଯେଉଁ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ଏହାର ଖିଲାପ କରିବେ ଏମାନଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫, ମହାମାରୀ ଆଇନ ୧୮୯୭,ଭାରତୀୟ ଦଣ୍ଡବିଧାନ ଆଇନ ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱଷ୍ଟ କରିଛନ୍ତି । ଏହି ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେବ ଏହାସନ୍ଦେହ ଘେରରେ ! ଏଥି ପୂର୍ବରୁ ମାନ୍ୟବର ଜିଲ୍ଲାପାଳ ଶ୍ରୀ ବେହେରାଙ୍କ ଦ୍ୱାରା କୋଭିଡ ନିୟମାନୁସାରେ ମନ୍ଦିର ଖୋଲା ନଯିବା ,ମନ୍ଦିର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ନେଇ ଜାରି କରାଯାଇଥିବା ନିର୍ଦ୍ଦେଶକୁ ଖିଲାପ କରିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଆଯାଇଥିବା ଆଦେଶ କୁ ସ୍ଥାନୀୟ ପ୍ରଶାସକ ଫୁ କରିଦେଇଥିବା ଏବଂ ଏନେଇ ପ୍ରମାଣ ସହ ଖବର ପ୍ରକାଶ କରାଯାଇଥିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏବଂ ପବିତ୍ର ଦୀପାବଳି ସମୟରେ କରାଯାଇଥିବା କଟକଣା ର ବ୍ୟତିକ୍ରମ କୁ ଦେଖି ଏଠାରେ ସବୁ ଚାରି ଖୁନ ମାଫ ବୋଲି ମତ ପ୍ରକାଶ ପାଉଛି । ଦେଖିବାକୁ ରହିଲା କେତେଦୂର ବର୍ତ୍ତମାନ ର ନିର୍ଦ୍ଦେଶକୁ କିଏ କେମିତି ପାଳୁଛି ।

ବିଜେଡି ର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କରୋନା କଟକଣା ଅନୁଯାୟୀ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଏଥିରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ, ରାଜକୁମାରୀ କଲ୍ୟାଣି ଦେବୀ ଗଜପତି ,  ବସନ୍ତ କୁମାର ଦାସ , ନଗର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ , ଶ୍ରୀ ଲଷ୍ମୀକାନ୍ତ ପରିଛା , ଯୁବ ସଭାପତି ଲିଙ୍ଗରାଜ ,  ଛାତ୍ର ସଭାପତି ବିଶ୍ଵଜିତ ତ୍ରିପାଠୀ , ମହିଳା ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ବେହେରାଙ୍କ ସମେତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ତୁଙ୍ଗ ନେତା ଉପସ୍ଥିତ ଥିଲେ । ମାନ୍ୟବର ସାଂସଦ ଶ୍ରୀ ସାହୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ବିକାଶ ପୁରୁଷ ନବୀନ ବାବୁଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ ଓ ଆଗାମୀ ଦିନରେ ଗଜପତି ଜିଲ୍ଲାରେ ସଙ୍ଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ନବୀନ ବାବୁଙ୍କ କୋଭିଡ୍ ପରିଚାଳନାର ଦକ୍ଷତା, ବିଶ୍ୱ ଦରବାରରେ ନବୀନ ବାବୁ ପ୍ରଶଂସିତ ହେବା ଉପରେ ଆଲୋକପାତ କରିଥିଲେ ।
ନଗର ସଭାପତି ଶ୍ରୀ ରାଜଗୁରୁ ସଂଗଠନ କୁ ଗୁରୁତ୍ୱ ଦେବା ସହ ଜିଲ୍ଲାରେ ସମସ୍ତେ ଏକ ମନପ୍ରାଣ ହୋଇ କାର୍ଯ୍ୟ କଲେ ଆଗାମୀ ଦିନରେ ମ୍ୟୁନିସିପାଲଟି , ଅରବାନ ବ୍ୟାଙ୍କ , ଓ ପଞ୍ଚାୟତ ନିର୍ବାଚନ ବିଜେଡ଼ି ହାତେଇବା ନିଶ୍ଚିତ ବୋଲି  କହିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ କଲେଜ ଛକ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିଥିବା ବେଳେ ବଜାର ଛକ ଠାରେ ଥିବା ପାରଳା ମହାରାଜା ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ନବଜୀବନ ଅରଫାନ ହୋମ ରେ ପିଲା ମାନଙ୍କୁ ଖାତା ଓ କଲମ ବଣ୍ଟନ ଓ ସେମାନଙ୍କ ସହ ମିଶି ଭୋଜନ କରିଥିଲେ ସମସ୍ତ ନେତା ଓ କର୍ମୀ ।
ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ନଗର ବିଜେଡ଼ି ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ । ସମସ୍ତଙ୍କ ପ୍ରଚେଷ୍ଟା ରେ ନିରାଡ଼ମ୍ବର ଭାବେ ସମସ୍ତ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା ।
ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆର୍ଶୀବାଦ ଓ ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଗୋଷାଣୀ ବ୍ଲକ ଓ କାଶୀନଗର ବ୍ଲକର ଅନେକ  ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପାର୍ଟିର ସମର୍ଥକ ମାନେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।
ଶେଷରେ ରାଜସିତାପୁର ଠାରେ ଥିବା ଶ୍ରୀ ଜଗନ୍ନାଥ ନିକେତନ ଅନାଥାଶ୍ରମରେ ପିଲାମାନଙ୍କୁ ଭୋଜନର ବ୍ୟବସ୍ଥା କରାଯାଇଥିଲା ।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୧୩୬ତମ ଅଖିଳ ଭାରତୀୟ କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୧୩୬ତମ ଅଖିଳ ଭାରତୀୟ କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବପ୍ରଥମେ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ କଂଗ୍ରେସ ଦଳୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପୂର୍ବତନ ବିଧାୟକ ସ୍ବର୍ଗୀୟ ତ୍ରୀନାଥ ସାହୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଏହାପରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ କଂଗ୍ରେସ ଦଳର ମହାପୁରୁଷ ତଥା ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ପଣ୍ଡିତ ନେହେରୁଙ୍କ ନୀତି ଆଦର୍ଶକୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ କଂଗ୍ରେସ ଦଳକୁ ଆଗେଇ ନେବା ପାଇଁ ସମସ୍ତ ନେତା କର୍ମୀଙ୍କୁ ଅନୁରୋଧ କରିଥିଲେ। ଶେଷରେ କଂଗ୍ରେସ ଦଳର ଯୁବ ସଭାପତି ଭାବରେ ନୂତନ ଦାଇତ୍ୱ ନେଇଥିବା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକର ମଣ୍ଟୁ ପାଣି , ବେର୍ନୀକ ଗମାଙ୍ଗ ,ମହନ ମିସାଲ , ମୋହନା ବ୍ଲକର ଗୈରୀଶଙ୍କର ପ୍ରଧାନି, ଲକ୍ଷଣ ବଳିଆର ସିଂହ, ଶଙ୍କର ପ୍ରଧାନ, ପାରଳାଖେମୁଣ୍ଡି ର ରାଜା ପାତ୍ର,ବାପି ପଣ୍ଡା, କୁନା ମାଝି, ଗୋବିନ୍ଦ ପାଢି, ବାବୁଲି ସାହୁ, ବିଷ୍ଣୁ ପାଢ଼ୀ ପ୍ରମୁଖ ନେତା କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ।

ଝୁଲିବ ତାଲିକା, ଲୋକେ ଜାଣିବେ କେଉଁ ବାବୁଙ୍କ ପାଖରେ କେତେ ଟଙ୍କା ଅଛି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏଣିକି ନିର୍ବାଚିତ ଲୋକପ୍ରତିନିଧି ଓ ସରକାର କର୍ମଚାରୀମାନେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ। ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସହ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ଗୃହୀତ ହୋଇଥିବା ଅଧିକାଂଶ ପ୍ରସ୍ତାବକୁ ଆଜିର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧି(ସରପଂଚଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ) ସମସ୍ତେ ଏଣିକି ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ। ରାଜ୍ୟ ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ଦୁର୍ନୀତି ବିରୋଧରେ ସାଲିସ ବିହୀନ ଲଢ଼େଇ ସାରା ଦେଶରେ ଓଡ଼ିଶାର ସୁନାମ ଆଣିଛି। ଏଥିରେ ଆଉ ପାଦେ ଆଗେଇ ଆମ ନିର୍ବାଚିତ ଲୋକ ପ୍ରତିନିଧି ସରପଂଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ। ଏହାକୁ ମଧ୍ୟ ଜନସାଧାରଣଙ୍କ ସୂଚନା ନିମନ୍ତେ ସାର୍ବଜନୀନ କରାଯିବ। ସେହିପରି ପ୍ରତିସ୍ତରର ସରକାରୀ କର୍ମଚାରୀ(ମୁଖ୍ୟ ସଚିବ ପର୍ଯ୍ୟନ୍ତ) ମଧ୍ୟ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ। ଏହି ସମ୍ପତ୍ତି ତାଲିକାଗୁଡ଼ିକର ଏକକିତା ନକଲ ରାଜ୍ୟ ଲୋକାୟୁକ୍ତଙ୍କ ଅବଗତ ନିମନ୍ତେ ପଠାଯିବ। ଏଥିପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ପାଠ୍ୟକ୍ରମରେ ସାମିଲ ହେବ ଓଡ଼ିଆ ବରପୁତ୍ରଙ୍କ ଜୀବନୀ;ଛାତ୍ରଛାତ୍ରୀଙ୍କୁ ବାର୍ଷିକ ବୃତ୍ତି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାର ଗୌରବମୟ ଐତିହ୍ୟ ତଥା ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏ ଜାତିକୁ ନିଜର ପ୍ରତିଭା ଦ୍ୱାରା ମହିମାମଣ୍ଡିତ କରିଥିବା ସମସ୍ତ ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀକୁ ବିଭିନ୍ନ ପାଠ୍ୟକ୍ରମରେ ସାମିଲ କରାଯିବ। ଏହା ସହିତ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଏହି ବିଷୟରେ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚୟନିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଶିକ୍ଷାବିତଙ୍କୁ ନେଇ ଏକ କମିଟି ଗଠନ ହେବ। ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ ଓ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ବରପୁତ୍ରମାନଙ୍କୁ ଉତ୍ତରପୀଢ଼ୀ ନିକଟରେ ଚିରସ୍ମରଣୀୟ ରଖିବା ପାଇଁ ସେମାନଙ୍କର ଜନ୍ମସ୍ଥାନକୁ ଆଦର୍ଶ ଗାଁରେ ପରିଣତ କରାଯିବା ସହିତ ସେମାନଙ୍କର ଜନ୍ମ ଓ ତିରୋଧାନ ଦିବସଗୁଡ଼ିକୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରାଯିବ। ଏହା ସେହି ବରପୁତ୍ରମାନଙ୍କ ପ୍ରତି ଏ ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ। ପାଇକ ବିଦ୍ରୋହଠୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଆଧୁନିକ ଓଡ଼ିଶାର ନବନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ରମାନଙ୍କର ତ୍ୟାଗକୃତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟପୁସ୍ତକରେ ଉପସ୍ଥିତ ଭାବେ ସ୍ଥାନିତ କରିବା ପାଇଁ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। 

ଗାନ୍ଧିଜୀଙ୍କ ନାଁ କହି ପୁଣି ଭୁଆଁ ବୁଲାଇଲେ ସରକାର;କ୍ୟାବିନେଟ ବି ଦେଲେ ମଞ୍ଜୁରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ଜାତିରପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଜୟନ୍ତୀକୁ ସରକାରୀସ୍ତରରେ ୨ ବର୍ଷ ପାଳନ କାର୍ଯ୍ୟକ୍ରମ ‘ବହୁ ଆଡ଼ମ୍ବରରେ ଲଘୁକ୍ରିୟା’ ବୋଲି ପ୍ରମାଣିତ ହେବାପରେ ପୁଣିଥରେ ଗାନ୍ଧିଜୀଙ୍କ ନାଁ କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୦ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ୨ ବର୍ଷ ଧରି ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀକୁ ସରକାରୀସ୍ତରରେ ପାଳନ ପାଇଁ ଅଧଡଜେନ କମିଟିଠୁ ଆରମ୍ଭ କରି ବହୁ ବଡ଼ ବଡ଼ ଘୋଷଣା କରିଥିବା ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କୁ ଭୁଲି ଯାଇଥିଲେ। ଏବେ ପୁଣିଥରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ନିମନ୍ତେ ସଜବାଜ ହୋଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟରେ ଏନେଇ ଏକ ପ୍ରସ୍ତାବ ମଧ୍ୟ ଅନୁମୋଦନ ଲାଭ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ସମାରୋହ ପାଳନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ଏକଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୦୨୧ ମାର୍ଚ୍ଚ ୨୩ରୁ ଏକବର୍ଷ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ମହାତ୍ମା ଗାନ୍ଧିଙ୍କ ନୀତି, ଆଦର୍ଶ ଓ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଓଡ଼ିଶାବାସୀ ଓ ଯୁବପୀଢ଼ୀଙ୍କୁ ମହାତ୍ମା ଗାନ୍ଧିଙ୍କ ମହନୀୟତାରେ ଉଦବୁଦ୍ଧ କରିବାରେ ଏଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ। ୧୯୨୧ ମସିହା ମାର୍ଚ୍ଚ ୨୩ତାରିଖରେ ମହାତ୍ମା ଗାନ୍ଧି ପ୍ରଥମଥର ଓଡ଼ିଶା ଆସି କଟକ କାଠଯୋଡ଼ି ନଦୀ ବାଲିରେ ଆୟୋଜିତ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ। ଗାନ୍ଧିଜୀ ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ଓଡ଼ିଶାକୁ ୮ଥର ଆସିଛନ୍ତି। ଅନ୍ୟପକ୍ଷରେ ୨୦୧୮ ଅକ୍ଟୋବର ୨ରୁ ୨୦୨୦ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ୨ବର୍ଷ ଧରି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ରାଜ୍ୟ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତି କେବଳ ଗଣମାଧ୍ୟମରେ ପ୍ରଚାରସର୍ବସ୍ୱ ହୋଇ ରହିଯାଇଛି। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିବା ପାଇଁ ୫ଟି ସବକମିଟି ଗଠନଠୁ ଆରମ୍ଭ କରି ୨ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଘୋଷଣା ହୋଇଥିଲା। ଏହି ଜୟନ୍ତୀ ପାଳନ ନିମନ୍ତେ ବହୁ ପୂର୍ବରୁ ପ୍ରସ୍ତୁତି ସହ ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରିଥିଲେ। ସେହିପରି ସବକମିଟି ଥରେଦୁଇଥର ବୈଠକ କରି ନିଜର ଦାୟିତ୍ୱ ଶେଷ କରିଥିଲେ ମଧ୍ୟ ସରକାରୀସ୍ତରରେ କିଛି ଆଖିଦୃଶିଆ କାର୍ଯ୍ୟ ହୋଇପାରିନି। ଉଦାହରଣସ୍ୱରୂପ, ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଯୁକ୍ତ ଦୁଇ ପାଠ୍ୟକ୍ରମରେ ଗାନ୍ଧିଜୀଙ୍କ ଜୀବନୀକୁ ସାମିଲ କରିବା, ସ୍କୁଲ,କଲେଜ ଓ ସରକାରୀ କାର୍ଯ୍ୟାଳୟରେ ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ, ବିଭିନ୍ନ ସଭାସମିତି ଆଦି ପାଇଁ ମଧ୍ୟ ନିଆଯାଇଥିବା ନିଷ୍ପତ୍ତି ଏବେସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି। ତେଣୁ ଏବେ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପୂର୍ବଭଳି କେବଳ ପ୍ରଚାରସର୍ବସ୍ୱ ହେଉଛି ନା ବାସ୍ତବରେ ଗାନ୍ଧିଜୀଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କୁ ଉଦବୁଦ୍ଧ କରିବାକୁ ସରକାର ଆନ୍ତରିକତା ସହ ପ୍ରୟାସ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ତିନି ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର, ଗଞ୍ଜାମ ଓ ଅନୁଗୁଳର ତିନି ସରକାରୀ ବାବୁଙ୍କ ଘରେ ରେଡ ହୋଇଛି । ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ସୁଧୀରଙ୍କ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ଭିଜିଲାନ୍ସ ଏସ ପିଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ବିଭାଗର ୪ଟି ଟିମ ତାଙ୍କର ବଲାଙ୍ଗିର ସହର ଭିତରେ ଥିବା ବ୍ୟାଙ୍କ କାର୍ଯ୍ୟାଳୟ, ପ୍ୟାଲେସଲାଇନ ଏବଂ ରୁଗୁଡିପଡା ବଲାଙ୍ଗିର ଘର, ବରଗଡ ସମ୍ବଲପୁର ଓ ସୋନପୁରରେ ଥିବା ଘରେ ଏକକାଳୀନ ରେଡ କରିଛି । ଚଢ଼ାଉ ବେଳେ କିଛି ନଗଦ ଟଙ୍କା, ସୁନା ଅଳଙ୍କାର ମିଳିଥିବା ବେଳେ ଘରବାଡି ସମ୍ପତ୍ତିର ଆକଳନ ଜାରି ରହିଛି ।  ସେପଟେ ଆକାଉଣ୍ଟାଣ୍ଟ ଏହି ଭିଜିଲାନ୍ସ ରେଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନଥିବା ସେ କହିଛନ୍ତି ।

ସେହିପରି ଗଞ୍ଜାମ ଚିକିଟି ମହାବିଦ୍ୟାଳୟ ଡେମନଷ୍ଟ୍ରେଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଚିକିଟି କଲେଜ୍ର ଡେମନଷ୍ଟ୍ରେଟର କୈଳାସ ମହାନ୍ତିଙ୍କ ୬ଟି ଘରେ ଯାଞ୍ଚ କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ଚିକିଟି ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଯାଞ୍ଚ କରୁଥିବା ଜଣାପଡ଼ିଛି । ଅନ୍ୟପଟେ ଅନୁଗୁଳ ଜିଲ୍ଲାର RWSS ର କନିଷ୍ଠ କିରାଣି ରୋହିତାସ ବାଗଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ କ୍ୱାର୍ଟର୍ସ, ଆଠମଲ୍ଲିକ ଓ ବୌଦ୍ଧ ସ୍ଥିତ ଫ୍ୟାରିରେ ଏକକାଳୀନ ଚଢ଼ାଉ ହୋଇଛି । ତାଙ୍କର କେତେ କ’ଣ ସମ୍ପତ୍ତି ରହିଛି ସେ ନେଇ ଭିଜିଲାନ୍ସ ଯାଂଚ ଜାରି ରଖିଛି ।

ମହିଳା କମିଶନର ଙ୍କ ପ୍ରକୋଷ୍ଠ ରେ ଅନୁଭବ ଓ ବର୍ଷା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ରାଜ୍ୟ ମହିଳା କମିଶନଙ୍କ ପାଖରେ ହାଜର ହୋଇଛନ୍ତି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ମହିଳା କମିଶନ ଆଲୋଚନା କରୁଥିବା ଜଣାପଡ଼ିଛି। ମାତ୍ର କଣ ଆଲୋଚନା ହେଉଛି, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଅନୁଭବଙ୍କ ବାପା-ମାଆଙ୍କୁ ହାଜର ପାଇଁ ନୋଟିସ କରାଯାଇଥିଲା। ମାତ୍ର ସେମାନେ ବର୍ତ୍ତମାନ ସୁଦ୍ଧା ହାଜର ହୋଇନଥିବା ଜଣାପଡ଼ିଛି। ପାରିବାରିକ ବିବାଦରେ ଛନ୍ଦି ପଡ଼ିଥିଲା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ। ବର୍ଷା ଏନେଇ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ ଅନୁଭବ, ବର୍ଷା, ଅନୁଭବଙ୍କ ବାପା ଓ ମାଆଙ୍କୁ ହାଜର ପାଇଁ କମିଶନ ନୋଟିସ କରିଥିଲେ। ନୋଟିସ୍‌ ମୁତାବକ ଆଜି ଆଜି ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ । ପରେ ଅନୁଭବ ଆସିଥିଲେ। ଉଭୟ ମହିଳା କମିଶନଙ୍କ ଚ୍ୟାମ୍ୱରରେ ବସିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପାରିବାରିକ ବିବାଦକୁ ନେଇ ବର୍ଷା ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କର ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ତଥା ତାଙ୍କ ରୁମ୍‌ରେ ତାଲା ପକାଇ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ଆଣିଥିଲେ ବର୍ଷା। ବର୍ଷାଙ୍କ ଏହି ଅଭିଯୋଗ ପରେ ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା।

ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟି କରୁଥିଲେ, ବିନା ଅନୁମତିରେ ପଶି ସସ୍‌ପେଣ୍ଡ ହେଲେ ୪ ଏ.ଏନ.ଏମ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟି ପାଇଁ ମିଳିଥିଲା ନିର୍ଦ୍ଦେଶ। ହେଲେ ଭିତରକୁ ପ୍ରବେଶ ନିମନ୍ତେ ନ ଥିଲା କୌଣସି ଅନୁମତି। ଏହାସତ୍ତ୍ୱେ ବିନା ଅନୁମତିରେ ଶ୍ରୀମନ୍ଦିର ଭିତରକୁ ଅନଧିକାର ପ୍ରବେଶ କରି ଶେଷରେ ନିଲମ୍ବିତ  ହୋଇଛନ୍ତି ୪ ଏ.ଏନ.ଏମ । ସଂପୃକ୍ତ ୪ ଏନଏନ୍ଏମ୍‌ଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବିତ କରିଛନ୍ତି । ଏହି ଏ.ଏନ.ଏମ ମାନେ ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ପାଇଥିଲେ ।  ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇଥିବା ଭକ୍ତଙ୍କ ଥର୍ମାଲ ଚେକିଂ ଦାୟିତ୍ୱରେ  ଥିଲେ । ତେବେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ସେମାନଙ୍କ ନିକଟରେ କୌଣସି ଅନୁମତି ନଥିଲେ ବି ସେମାନେ ମନ୍ଦିର ଭିତରକୁ ଯାଇଥିଲେ। ଏ ଘଟଣା ଜଣାପଡ଼ିବା ପରେ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସି.ଡି.ଏମ.ଓ । ସୂଚନାଯୋଗ୍ୟ, ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ  । ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଥିଲା।  ଏହା ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀଙ୍କୁ ମିଳିଛି ଏହି ସୌଭାଗ୍ୟ ଓ ଅନୁମତି। ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଥିଲା । ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା। ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ।