ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗ ଙ୍କ ଜନ୍ମ ଦିନ ଅବସରରେ , ଗୁଣୁପୁର ଉନ୍ନୟନ ଯୁବ ସଙ୍ଗଠନ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ !

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ତା ୬/୧୧/୨୦୨୦ ରିଖ ଦିନ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସର ର ରକ୍ତ ଭଣ୍ଡାର ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ସାହୁ ମୁଖ୍ୟ ଅତିଥି ଭାବେ ରହିଥିବା ବେଳେ , ସମ୍ମାନନୀୟ ଅତିଥି ଭାବେ ସମାଜସେବୀ ଶ୍ରୀ ଅକ୍ଷୟ ଦାସ ଉପସ୍ଥିତି ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଟି କୁ ଗୁଣୁପୁର ଉନ୍ନୟନ ଯୁବ ସଙ୍ଗଠନ ପକ୍ଷରୁ ପରିଚାଳନା କରାଯାଇଥିଲା ।

ଏଥିରେ ସ୍ବର୍ଗତ ଶ୍ରୀ ଗମାଙ୍ଗ ଙ୍କ ଧର୍ମପତ୍ନୀ ତଥା ଡାକ୍ତର ଶ୍ରୀମତୀ ସୁଜାତା ଗମାଙ୍ଗ , ଉନ୍ନୟନ ଯୁବ ସଙ୍ଗଠନ ର ଆବାହକ ଶ୍ରୀ ଉମା ଶଙ୍କର ଦାଶ , ଶ୍ରୀ ଚିନ୍ମୟ ପାଣିଗ୍ରାହୀ , ଶ୍ରୀ ଶକ୍ତି ଦାଶ , ଶ୍ରୀ ବି ସତୀଶ କୁମାର , ଶ୍ରୀ ଏସ୍ ଶିବାଜୀ , ଶ୍ରୀ ସନ୍ତୁ ପଟନାୟକ , ଶ୍ରୀ ଗୌତମ ବିସୋୟି , ଶ୍ରୀ ସନ୍ତୋଷ ପଣ୍ଡା , ଶ୍ରୀ ସୌରଭ ବାଉରୀ , ଶ୍ରୀ ରୀଣ୍ଟୁ ଦାଶ , ଶ୍ରୀ ପିଙ୍କୁ ପଣ୍ଡା , ଶ୍ରୀ ସନାତନ ପାଣି , ଶ୍ରୀ ତେନାଲି ରାଜା , ଶ୍ରୀ ବାବା ପ୍ରସାଦ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ଗୁଣପୁର ଅଞ୍ଚଳ ର ଯୁବକ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ସାରୁଅ ଜମି କେଳେଙ୍କାରୀ ମାମଲା ର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାରୁଅ ଜମି କେଳେଙ୍କାରୀ ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ତଥା ବୈଜୟନ୍ତ ପଣ୍ଡାଙ୍କ ଡାହାଣ ହାତ ମନୋରଞ୍ଜନ ଷଡ଼ଙ୍ଗୀ ଏବେ ଝାରପଡ଼ା ଜେଲ୍ ରେ । କମ୍ପାନୀ ଏଜେଣ୍ଟ ଶିବ ପ୍ରସାଦ ହରିଚନ୍ଦନ ବି ଜେଲ୍ ଯାଇଛନ୍ତି । କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଥିବା ବିଭୁ ପ୍ରସାଦ ରଥଙ୍କୁ ଆଜି କ୍ରାଇବ୍ରାଞ୍ଚ ପୁଲିସ ୩ ଘଣ୍ଟା ଧରି ଜେରା କରିଛି । ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଭଳି ତାଙ୍କର ଅବସ୍ଥା ହେବ କି ନାଁ ଆଗକୁ ଜଣାପଡ଼ିବ । ଏପଟେ ସାରୁଅରେ ଦଳିତଙ୍କ ଜମି ହାତେଇବା ପାଇଁ ପଣ୍ଡା କମ୍ପାନୀର ଯାବତୀୟ କାରନାମାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା । ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସବିଶେଷ ତଥ୍ୟ ରଖିଛନ୍ତି । ଏଥିସହ କେଳେଙ୍କାରୀର ମୁଖ୍ୟ ଖଳନାୟକ ଭାବେ କମ୍ପାନୀର ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜାଗୀ ପଣ୍ଡାଙ୍କ ମୁଖା ଖୋଲିଯାଇଛି । ଇଓଡବ୍ଲୁ ତଦନ୍ତରୁ ଜଣାପଡ଼ିଛି ଯେ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ପ୍ରମୁଖ ଅଂଶୀଦାର ଥିବା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ଦଳିତଙ୍କ ଜମିକୁ ବେଆଇନ ଉପାୟରେ ହାତେଇଛନ୍ତି । ଫ୍ରଡ୍, ଚିଟିଂ ଏବଂ ଧମକକୁ ହତିଆର କରାଯାଇଛି । ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ୍ ଆକ୍ଟ(ଓଏଲଆର)ର ନିୟମାବଳୀକୁ ଶ୍ରାଦ୍ଧ ଚଢ଼େଇ ଗରିବ ଅନୁସୂଚିତ ବର୍ଗର ଲୋକଙ୍କଠାରୁ ପଣ୍ଡା କମ୍ପାନୀ ସିଧାସଳଖ ଜମି ନେଇଛି । ସଂସ୍ଥାର ନିର୍ଦ୍ଦେଶକ ବିଭୁ ରଥଙ୍କ ଡ୍ରାଇଭର ରବି ସେଠୀଙ୍କୁ ଏଥିରେ କେବଳ ମୋହରା କରାଯାଇଛି । ଏଡିଜି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ୨୦୧୦ ରୁ ୨୦୧୩ ମସିହା ମଧ୍ୟରେ ୭.୨୯୪ ଏକରର ଦଳିତଙ୍କ ଜମି ରବି ସେଠୀଙ୍କ ନାଁରେ ରେଜିଷ୍ଟ୍ରି ହୋଇଛି । ଯାହାକି ତାଙ୍କର ସମ୍ପୂର୍ଣ୍ଣ ଅଗୋଚରରେ । ପ୍ରାୟ ୨୦ ଲକ୍ଷ ଟଙ୍କାରେ ଏହା କିଣାଯାଇଥିଲା । ରବି ସେଠୀଙ୍କ ଇଚ୍ଛା ବିରୋଧରେ ଦଲିଲରେ କେବଳ ତାଙ୍କର ଦସ୍ତଖତ ନିଆଯାଇଥିଲା । ଦସ୍ତଖତ ନ କଲେ ଚାକିରି ନେଇଯିବାର ଧମକ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୬ ଏବଂ ୨୦୧୯ ରେ ଉକ୍ତ ୭.୨୯୪ ଏକର ଜମି ରବି ସେଠୀଙ୍କଠାରୁ ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀ କିଣିନେଇଥିଲା । ସେଲ୍ ଡିଡ୍ ରେ କନସିଡେରେସନ୍ ଆମାଉଣ୍ଟ ୬୫ ଲକ୍ଷ ଦର୍ଶାଯାଇଥିଲା । ଆଶ୍ଚର୍ଯ୍ୟର କଥା, ରବି ସେଠୀ କିନ୍ତୁ ଟଙ୍କାଟିଏ ପାଇ ନ ଥିଲେ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ୨୦୧୦ ରୁ ଉକ୍ତ ଜମି ରବି ସେଠୀଙ୍କ ନାଁରେ କିଣାଯାଇଥିଲେ ମଧ୍ୟ ସେ କେବେ ଦଖଲରେ ନ ଥିଲେ । ଖାଲି ସେତିକି କୁହେଁ, ଜମି କିଣାରେ ବ୍ୟାପକ ଜାଲିଆତି ଏବଂ ବେନାମୀ ଅର୍ଥ କାରବାର ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହି ବେନାମୀ ଅର୍ଥ କାରବାରର ତଦନ୍ତ ଆୟକର ବିଭାଗ ଦ୍ୱାରା କରାଯିବ ବୋଲି ଏଡିଜି କହିଛନ୍ତି । ଏସବୁ କେଳେଙ୍କାରୀର ମୁଖ୍ୟ କାର୍ପଟଦାର ବୈଜୟନ୍ତ ଓ ଜାଗୀ ପଣ୍ଡା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି । କାରଣ ପଣ୍ଡା ଦମ୍ପତ୍ତିଙ୍କର ସେଥିରେ ପ୍ରମୁଖ ଅଂଶଧନ ରହିଛି । ବୈଜୟନ୍ତଙ୍କର ୩୫ ଲକ୍ଷ ୯୦ ହଜାର ସେୟାର୍ ଥିବା ବେଳେ ଜାଗୀଙ୍କର ରହିଛି ୧ ଲକ୍ଷ ୨୫ ହଜାର ୪୧୮ ସେୟାର । ତେଣୁ କମ୍ପାନୀ ମାଲିକ ଭାବେ ସେମାନେ ମାମଲାରୁ ଖସି ପାରିବେ ନାହିଁ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ସୂଚନାଥାଉକି, ନିର୍ମାଣ ଓ ରିଅଲ୍ ଇଷ୍ଟେଟ୍ କାରବାରରେ ସଂପୃକ୍ତ ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀ ସାରୁଅରେ ଓଟିଭି ତରଙ୍ଗ ଫିଲ୍ମସିଟି ପ୍ରୋଜେକ୍ଟ ଦାୟିତ୍ୱ ନେଇଛି । ୨୦୧୦ ରେ ଜାଗୀ ପଣ୍ଡା ଏହାର ନିର୍ଦ୍ଦେଶକ ପଦ ଛାଡ଼ିବା ପରେ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ବିଭୁ ରଥ ନିର୍ଦ୍ଦେଶକ ରହିଥିଲେ । ବୈଜୟନ୍ତ ଓ ଜାଗୀଙ୍କର ଏମାନେ ଡାହାଣ ଓ ବାମ ହାତ ଭଳି କାର୍ଯ୍ୟ କରୁଥିଲେ । ବିଭୁ ରଥ ଏବେ ନିର୍ଦ୍ଦେଶକ ନାହାନ୍ତି ଏବଂ ବର୍ଷେ ତଳେ ପଣ୍ଡା କମ୍ପାନୀ ଛାଡ଼ି ଦେଇଛନ୍ତି ।

୧୪ ଦଫା ଦାବୀ ନେଇ ସିପିଆଇ.ଏମ୍.ଏଲ୍ ର ରାସ୍ତାରୋକ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ୧୪ ଦଫା ଦାବି ପୂରଣ ନେଇ ଆଜି ସିପିଆଇ ଏମଏଲ ଲିବରେସନ ଓ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଗୁଣୁପୁର ଠାରେ ବିକ୍ଷୋଭ ଓ ରାସ୍ତାରୋକ କରାଯାଇଥିଲା । ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ବାଇପାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରୋକ କରିଥିଲେ । ପରେ ପୋଲିସ ପହଞ୍ଚି ଦଳୀୟ କର୍ମୀଙ୍କୁ ରାସ୍ତାରୋକ ରୁ ଉଠାଇ ଥିଲେ । କୃଷି ଋଣ ଛାଡ, କୃଷି ଆଧ୍ୟାଦେଶ କୁ ବାତିଲ କରିବା, ବର୍ଦ୍ଧିତ ବିଦ୍ୟୁତ ଦର ଆଇନ ପ୍ରତ୍ୟାହାର କରିବା, ପ୍ରାକୃତିକ ବିପର୍ଯ୍ୟୟ ରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ନରେଗା କାର୍ଯ୍ୟରେ ଦୁଇ ଶହ ଦିନ କାର୍ଯ୍ୟ ଯୋଗାଇ ଦେବା, ଆଦିବାସୀ ଙ୍କୁ ଜଙ୍ଗଲ ଜମି ଜଳ ଅଧିକାର ପ୍ରଦାନ, ଭାଗଚାଷୀ ଙ୍କୁ ଚାଷୀ ର ମାନ୍ୟତା ପ୍ରଦାନ ଭଳି 14 ଟି ଦାବୀ ନେଇ ଦଳୀୟ ନେତା ତିରୁପତି ଗମାଙ୍ଗଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଦାବୀ ଗୁଡିକ ପୂରଣ ନହେଲେ ଆସନ୍ତା 26 ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ମାଫିଆଙ୍କ କବ୍ଜା ରେ ମାଛଖୁଣ୍ଟି ବାଲି ପଠା ; ସ୍ଥାନୀୟ ତହସିଲ କର୍ମଚାରୀଙ୍କ ସହଯୋଗରେ ଚାଲିଛି ବାଲି ଚାଲାଣ..?

ଏଥର ସମ୍ଭାଳ ବ୍ୟୁରୋ – ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣପୁର ତହସିଲ ଅଧିନସ୍ଥ ମାଛଖୁଣ୍ଟି ବାଲି ପଠା ଆନ୍ଧ୍ର ମାଫିଆଙ୍କ କବଜା ରେ ରହିଥିବା ଏବଂ ସ୍ଥାନୀୟ ତହସିଲ କର୍ମଚାରୀ ବେଆଇନ ବାଲି ଚାଲାଣରେ ସହଯୋଗ କରୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବାଲି ପଠାକୁ ଭାରି ଯାନ ଯିବା ଅସୁବିଧା ହେଉଥିବାରୁ ବାଲି ପଠାର କିଛି ଦୂରରେ ବାଲି ରାମ୍ପ ଗୁଡିକ କରାଯାଇ ସେଠାରୁ ବାଲି ଉଠାଇ ବେଆଇନ ବାଲି ଚାଲାଣ କରାଯାଉଥିବା ଅଭଯୋଗ ଆସିଛି । ବେଆଇନ ବାଲି ଚାଲାଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବାଲିର ଦର ବୃଦ୍ଧିପାଉଛି । ଏନେଇ ସ୍ଥାନୀୟ ଜନସାଧାରଣ ତତ୍କାଳୀନ ତହସିଲଦାର ଙ୍କୁ ଅଭଯୋଗ କରିଥିବା ସତ୍ତ୍ୱେ ସ୍ଥାନୀୟ ଆର.ଆଇ ଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଏହାକୁ ଘଣ୍ଟ ଘୋଡାଇ ରଖିଛି ଏବଂ ଗୁଣପୁର ତହସିଲ ରୁ ଆର ଆଇ ମାନଙ୍କୁ ଏପଟ ସେପଟ କରି ବଦଳୀ କରାଯାଇଥିବା ବେଳେ କେବଳ ମାଛଖୁଣ୍ଟି ଆର ଆଇ ଙ୍କୁ ବଦଳୀ କରାଯାଇ ନାହିଁ ବୋଲି ସଙ୍ଗୀନ ଅଭିଯୋଗ ହୋଇଛି । ବାଲି ଉଠାଇବା ନିମନ୍ତେ ବ୍ୟବହାର ହେଉଥିବା ଜେସିବି ଦିନତମାମ ତୋଟା ଗହଳରେ ଲୁଚେଇ ରଖି ରାତ୍ରରେ ବ୍ୟବହାର କରାଯାଉଥିବା କୁହାଯାଉଛି । ତେବେ ନମ୍ବର ବିହୀନ ଏହି ଗାଡିଟି କାହାର ବୋଲି ପ୍ରଶ୍ନ ଉଠିଛି । ସ୍ଥାନୀୟ ପ୍ରଶାସନ ଜାଣିଶୁଣି ଚୁପ ରହୁଥିବା ରୁ ଏଥିପ୍ରତି ରାଜସ୍ୱ ଏବଂ ପ୍ରକୃତି ସମ୍ପଦ ସୁରକ୍ଷା ସଚିବ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ନିମନ୍ତେ ସଧାରଣ ରେ ଦାବୀ ହେଉଛି । ନହେଲେ ଖୁବ କମ ଦିନ ମଧ୍ୟରେ ଓଡ଼ିଶାର ସମ୍ପଦ ଖାଲି ହୋଇଯିବ ଓ ଆଗାମୀ ଦିନରେ ଟ୍ରକ ଟ୍ରକ ବାଲି ନେଇ ପଳାଉଥିବା ଆନ୍ଧ୍ର ବାଲି ମାଫିଆଙ୍କ ଠାରୁ ସ୍ଥାନୀୟ ଜନସାଧାରଣ ସୁନା ଦରରେ ବାଲି କିଣିବାକୁ ପଡିବ ଏଥିରେ ଦ୍ବିମତ ନାହିଁବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।

ବାଲିଗୁଡା ବିଡ଼ିଓ ଲୋକପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି : ବିଡ଼ିଓଙ୍କ ବଦଳି ଦାବୀରେ ବ୍ଲକ ଅଧକ୍ଷ ସମେତ ଲୋକପ୍ରତିନିଧିଙ୍କ ଧାରଣା ।

!!! କନ୍ଧମାଳ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

(ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା ପ୍ରତିବାଦରେ ଗୁରୁବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଲୋକ ପ୍ରତିନିଧି l ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ବ୍ଲକ ଅଧକ୍ଷ, ଉପାଧ୍ୟାକ୍ଷ, ସମିତି ସଭ୍ୟ, ଓ ସରପଞ୍ଚ ମାନଙ୍କ କଥାକୁ ନଶୁଣି ନିଜ ମନଇଛାରେ କାମ କରୁଛନ୍ତି ଓ ଲୋକ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି ଏମିତି ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷ ପ୍ରମୋଦ କୁମାର ମଲିକ ଓ ଉପାଧ୍ୟାକ୍ଷା ମିନତୀ ସୁନା l ବିଡିଓ ନରେଶ ଚନ୍ଦ୍ର ଶବରଙ୍କ ଦୁର୍ନୀତିଖୋର ଓ ଲାଞ୍ଚ ମନୋଭାବ ଯୋଗୁଁ ବ୍ଲକରେ ବିକାଶ ହୋଇପାରୁନି l ଆଦିବାସୀ ଓ ଦଳିତ ଗରିବ ଲୋକଙ୍କ ପ୍ରତି ଘୃଣା ମନୋଭାବ ରହିଥିବା ଅଭିଯୋଗ ହେଉଛି l ସାତ ମାସ ପୂର୍ବରୁ ବଦଳି ସ୍ଵତ୍ତ୍ୱେ କେଉଁ କାରଣରୁ ଜ଼ିଲ୍ଲା ପ୍ରଶାସନ ବିଡିଓଙ୍କୁ ଘଣ୍ଟ ଘୋଡାଇ ରଖିଛି ବୋଲି ଲୋକ ପ୍ରତିନିଧି ମାନେ ପ୍ରଶ୍ନ କରିଛନ୍ତି l ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବରଙ୍କୁ ଅତିଶୀଘ୍ର ଏଠାରୁ ବଦଳି କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଓ ଆନ୍ଦୋଳନ ଜାରୀ ରହିବ ବୋଲି ବ୍ଲକ ଅଧକ୍ଷ ସମେତ ବାଲିଗୁଡା ବ୍ଲକର ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି l

ଥାନା ଅଧିକାରୀ ଙ୍କୁ ଆକ୍ରମଣ ମାମଲା : ଜଙ୍ଗଲରେ କଟିଲାଣି ଦୁଇ ଦିନ; କୁନି ପିଲାଙ୍କ ଆଖିରୁ ସୁଖୁନି ଲୁହ।

!!! କନ୍ଧମାଳ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡା) – ୯ ପୁଲିସକୁ ଆକ୍ରମଣ କରିଲେ ଗ୍ରାମବାସୀ । ଏବେ ଗିରଫ ଭୟରେ ଜଙ୍ଗଲରେ ଗ୍ରାମବାସୀ। ପୁଲିସ୍‍ ଗିରଫ ଭୟରେ ୨ ଦିନ ହେଲା ଜଙ୍ଗଲରେ ଭୋକ ଶୋଷରେ ଜୀବନ ବିତାଉଛନ୍ତି ଗ୍ରାମବାସୀମାନେ। ଗାଁ ସଂପୂର୍ଣ୍ଣଭାବେ ଜନଶୁନ୍ୟ ହୋଇ ପଡ଼ିଛି। ମଝିରେ ମଝିରେ ମଧ୍ୟ ପୁଲିସ୍‍ ଗ୍ରାମକୁ ଯାଉଥିବା ଯୋଗୁଁ ସନ୍ଦେହ ଅଧିକ ଘନିଭୂତ ହୋଇଛି। ନିଶ୍ଚିତ ଭାବେ ଆହୁରି ଗିରଫ ହେବା ଭୟ ରହିଛି ଗ୍ରାମବାସୀଙ୍କର। ଲୋକେ ଭୋକ ଶୋଷ ଭୁଲିଯାଇଛନ୍ତି। ଶୀତକୁ ଖାତିର ନକରି ଛୁଆ ପିଲା ସମସ୍ତେ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରୁ ବୁଲୁଛନ୍ତି। ତେବେ ଏଥିରେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି ପିଲାମାନେ। କିଏ ମା କୋଳରୁ ଓଲ୍ଲୁନଥିବା ବେଳେ ଆଉ କାହାର ଆଖିରୁ ଲୁହ ସୁଖୁୁନାହିଁ। ଗିରଫ ଭୟରେ ଅଭାବାବକ ମାନଙ୍କ ସହିତ ଜଙ୍ଗଲରେ ଚଢୁଛନ୍ତି କୁନି ପିଲାମାନେ। ଯେଉଁଥିରେ ଜରେ ୬ ମାସର ଶିଶୁ ରହିଥିବା ବେଳେ ଅଛି ଜଣେ ୧ ବର୍ଷରୁ ୩ ବର୍ଷ ମଧ୍ୟରେ ଥିବା ୪ଟି ନିଷ୍ପାପ ଶିଶୁ। ଦୁନିଆକୁ ଭଲରେ ଜାଣିନଥିବା ଓ ଦେଖିନଥିବା ଏହି ଶିଶୁ ମାନଙ୍କର ଭୁଲ୍‍ କଣ ବୋଲି ଏବେ ସାଧାରଣରେ ଉଠିଛି ପ୍ରଶ୍ନ। ଦୋଷ କଲା କିଏ ଦଣ୍ଡ ଭୋଗୁଛି କିଏ ?। ଗୋଟିଏ ପଟେ ଓଡ଼ିଶାର କାଶ୍ମିର ଭାବେ ପରିଚିତ ଦାରିଙ୍ଗବାଡ଼ି ବ୍ଳକରେ ଶୀତର ପ୍ରକୋପ ବୃଦ୍ଧି ପାଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ଶିଶୁମାନେ ଜଙ୍ଗଲରେ ନିଜ ଅଭିଭାବକ ମାନଙ୍କ ସାଥିରେ ଜୀବନ ବିତାଉଛନ୍ତି। ଖାଇଲେ କି ନଖାଇଲେ କିଏ ପଚାରିବାକୁ ନାହିଁ। ସବୁବେଳେ ଲାଗିରହିଛି ଏବେ ପୁଲିସ୍‍ ଭୟ। ଏପଟେ ସସସ୍ତ୍ର ପୁଲିସ୍‍ ଗିରଫ କରିବାକୁ ତୁହାକୁ ତୁହା ପଇଁତରା ମାରୁଛନ୍ତି ଗ୍ରାମରେ। ଯାହାକି ଗ୍ରାମର କୁନି କୁନି ପିଲା ମାନଙ୍କ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଅଭିଭାବକ ମାନେ। କେବଳ ସେତିକି ନହେଁ , ଜଙ୍ଗଲରେ ଏବେ ଆଶ୍ରୟ ନେଇଛନ୍ତି ଗ୍ରାମ ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ମଧ୍ୟ। ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଏହି ପିଲାମାନେ ମଧ୍ୟ ନିଜ ନିଜ ଅଭିଭାବକ ମାନଙ୍କ ସହିତ ନେଇଛନ୍ତି ଜଙ୍ଗଲରେ ଆଶ୍ରୟ। ଜିଲା ପ୍ରଶାସନ ଓ ପୁଲିସ୍‍ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡିଛି। ଅନ୍ୟଥା ଦୁନିଆକୁ ଭଲରେ କିଛି ଜାଣିନଥିବା ନିଷ୍ପାପ ଶିଶୁମାନେ ଭୋଗୁଛନ୍ତି ଦଣ୍ଡ। ପ୍ରକାଶଯେ, କୁମାର ପୂର୍ଣ୍ଣମା ରାତ୍ରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳର ମେରାମାହା ଗ୍ରାମରେ କିଛି ଘଟଣାକୁ ନେଇ ଗ୍ରାମବାସୀ ଓ ପୁଲିସ୍‍ ମଧ୍ୟରେ ହୋଇଥିଲା ମୁହାଁମୁହିଁ ପରିସ୍ଥିତିରେ। ଏଥିରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଓ ଅନ୍ୟ ପୁଲିସ୍‍ କର୍ମଚାରୀ ଆହତ ହେବା ସହିତ ଗ୍ରାମର କିଛି ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‍ ମଧ୍ୟ ଏକ ମାମଲା ରୁଜୁ କରିବା ସହିତ ବର୍ତ୍ତମାନ ସୁଦ୍ଧା ୬ ଜଣକୁ ଗିରଫ କରିଛି। ଯେଉଁଥିରେ ୨ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି।

ପୁଲିସ୍-ମାଓବାଦୀ ଗୁଳିବିନିମୟ ଘଟଣା, କନ୍ଧମାଳ ଏସ୍.ପିଙ୍କ ସାମ୍ବାଦିକ ସମ୍ମିଳନୀ।

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ପଂଚାୟତର ବାଇବାଲି ଜଙ୍ଗଳରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଜଙ୍ଗଲରେ କମ୍ବିଂ ଅପସରେସନ କରିବା ଘଟଣାକୁ ନେଇ ସୋମବାର କନ୍ଧମାଳ ଏସ୍.ପି ଭିନିତ୍ ଅଗ୍ରୱଲା ଏକ ସାମ୍ବାଦିକ ସମ୍ମଳନୀ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନାରୁ ପ୍ରକାଶ ଯେ, ଗତ ୨୮ ତାରିଖ ଦିନ ଏସ୍.ଓ.ଜି ଟିମ୍ କମ୍ବିଂ ଆରମ୍ଭ କରିଥିବା ବେଳେ ୩୦ ତାରିଖ ସକାଳୁ ଅଚାନକ ଭାବେ ସୁରକ୍ଷା କର୍ମୀଙ୍କ ଉପରୁ ଗୁଳିଚାଳନା କରାଯାଇଥିଲା। ଏହାର ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚଳାଇଥିବା ବେଳେ ପ୍ରାୟ ୩୦ ମିନିଟ୍ ଧରି ଗୁଳିବିନିମୟ ଚାଲିଥିବାର ସେ ପ୍ରକାଶ କରିଛନ୍ତି। ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ତାହା ଓଡ଼ିଶା ଷ୍ଟେଟ୍ କମିଟିରର ସଦସ୍ୟ ମାନେ ବୋଲି ସନ୍ଦେହ କରାଯାଉଛି।

ଉକ୍ତ ଦଳରେ ପ୍ରାୟ ୨୦ ରୁ ୨୫ ଜଣ ମାଓବାଦୀ ଥିବା ନେଇ ମଧ୍ୟ ଏସ୍.ପି ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ବିଂ ଅପରେସନ ଚାଲିଥିବା ବେଳେ ସୁରକ୍ଷା ଟିମ୍ ଜଙ୍ଗଲରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ଗୋଟିଏ ୮ ଏମ.ଏମ୍ ଗୁଳି ଓ ଏକ ବ୍ୟାଟେରି ସହିତ କିଛି ମାଓ ପୁସ୍ତିକା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ଏସ୍.ପି ପ୍ରକାଶ କରିଛନ୍ତି। ତେବେ ଦୀର୍ଘଦିନ ପରେ ସଂପୃକ୍ତ ଅଞ୍ଚଳରେ ମାଓ ଚଳପ୍ରଚଳ ଚାଲିଥିବା ପୁଲିସ୍ ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳ ମାନଙ୍କରେ କମ୍ବିଂ ଅପରେସନ ଜୋରଦାର କରାଯିବା ସହିତ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ନିଆଯାଇଥିବା ମଧ୍ୟ ଏସ୍.ପି ପ୍ରକାଶ କରିଛନ୍ତି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପ୍ରେବେସନାଲ୍ ଆଇ.ପି.ଏସ୍ ନିତେଶ ଆଧୱାନି ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ, ରାଇକିଆ ଥାନା ଅନ୍ତର୍ଗତ ଘାଟିତଳେ ଥିବା ୪ଟି ପଂଚାୟତ ଇନ୍ଦ୍ରଗଡ଼ , ରଣବା , କରଡ଼ା ଓ ବଡ଼ ବାରବା ଆଦି ଅଞ୍ଚଳରେ ଦୀର୍ଘବର୍ଷ ତଳେ ମାଓ ବାଦୀଙ୍କ କବଜାରେ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଲିସର ତୁହାକୁ ତୁହା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ ୧୧ ବର୍ଷ ହେଲା ସଂପୃକ୍ତ ଅଞ୍ଚଳରେ କୌଣସି ପ୍ରକାର ମାଓ ଚଳପ୍ରଚଳନ କିମ୍ବା ଗୁଳି ଫୁଟିନଥିଲା। ତେବେ ଦୀର୍ଘ ୧୧ ବର୍ଷ ପରେ ପୁଣିଥରେ ଉକ୍ତ ଅଞ୍ଚଳରେ ଗୁଳିଫୁଟିବା ଯୋଗୁଁ ସଂପୃକ୍ତ ପଂଚାୟତ ଗୁଡ଼ିକରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ବହୁ ବର୍ଷ ପରେ ଗୁଳି ଫୁଟିଥିଲେ ମଧ୍ୟ ସୁରକ୍ଷା କର୍ମୀ ମାନଙ୍କୁ ସେହିଭଳି ସଫଳତା ମଧ୍ୟ ମଳିନଥିବା ବେଳେ ଏକ ପ୍ରକାର ବିଛିନ୍ନ ପଂଚାୟତ ଭାବେ ପରିଚିତ ଉକ୍ତ ପଂଚାୟତ ଗୁଡ଼ିକରେ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିବା ପ୍ରକାଶ। ଗତ ୨୦୦୮ ମସିହା କନ୍ଧମାଳ ହିଂସାକାଣ୍ଡ ସମୟରେ ସଂପୃକ୍ତ ପଂଚାୟତ ମାନଙ୍କରେ ମାଓବାଦୀଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥିବା ବେଳେ ୨୦୦୯ ମସିହାରେ ମାଓବାଦୀ ମାନେ ବଡ଼ବାରବା ସ୍ଥିତ ଫରେଷ୍ଟ ରେଞ୍ଜ କାର୍ଯ୍ୟଳୟ ଉପରେ ଆକ୍ରମଣ କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଏହା ପରେ ପରେ ଅନେକ ଥର ସଂପୃକ୍ତ ଅଞ୍ଚଳରେ ଗୁଳିବିନିମୟ ହୋଇଥିଲେ ମଧ୍ୟ ଗତ ୧୧ ବର୍ଷ ହେଲା ଆଉ କୌଣସି ପ୍ରକାର ଗୁଳିଶଦ୍ଧ ଶୁଭିନଥିଲା।

ସକ୍ରିୟ ହେଉଛି ଅଲିଉଡ଼ ଜଗତ ; ଖୁବ୍ ଶୀଘ୍ର ପରଦା କୁ ଆସିବ ମ୍ୟୁଜିକ୍ ଭିଡ଼ିଓ ” ଓ ହମନବା ” …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କୋଭିଡ୍ -୧୯ ର ଅନଲକ୍ ପର୍ଯ୍ୟାୟ ରେ ଏବେ ଧୀରେ ଧୀରେ ସକ୍ରିୟ ହେଉଛି ଅଲିଉଡ଼ ଜଗତ । ଲକ୍ ଡାଉନ ପରଠାରୁ ନିସ୍ତଦ୍ଧ ହୋଇଯାଇଥିଲା ସିନେ ଜଗତ । ଲୋକ ମାନଙ୍କ ମନୋରଞ୍ଜନ ସକାଶେ ବର୍ତ୍ତମାନ ବିଭିନ୍ନ ପ୍ରଡକ୍ସନ୍ ପକ୍ଷରୁ ଆରମ୍ଭ ହୋଇଛି ମ୍ୟୁଜିକାଲ୍ ଭିଡ଼ିଓ ର ସୁଟିଂ । ବନ୍ଧୁତା ରୁ ପ୍ରେମ ସମ୍ପର୍କ କୁ ନେଇ ରଚିତ ଏକ କାହାଣୀ ରୁ ଆରମ୍ଭ ହୋଇଛି ଏହି ମ୍ୟୁଜିକ ଭିଡ଼ିଓ । ଏହି ମ୍ୟୁଜିକ୍ ଭିଡ଼ିଓ ରେ ଅଭିନେତ୍ରୀ ଭାବେ ନଜର ଆସିବେ ଶୀତଲ ଏବଂ ଅଭିନେତା ଭାବେ ନଜର ଆସିବେ ମହାପ୍ରସାଦ । ଏହାକୁ ପ୍ରଯୋଜନା କରିଛନ୍ତି ଶ୍ରୀମତୀ ସ୍ୱପ୍ନା ସ୍ୱାଇଁ ଓ ଶ୍ରୀମତୀ ସୋନାଲି ଦାଶ ସେଭଳି ଏହାର ନିର୍ଦ୍ଦେଶନା ଭାର ଉଠାଇଛନ୍ତି ଯୁବ ନିର୍ଦ୍ଦେଶକ ବିରେନ୍ । ଏଥିରେ ସଂଗୀତ ନିର୍ଦ୍ଦେଶକ ଭାବେ ଶ୍ରୀ ବୈଦ୍ୟନାଥ ଦାଶ ରହିଥିବା ବେଳେ କଣ୍ଠଦାନ କରିଛନ୍ତି ଓଡିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ବୈଭବ ଏବଂ ଏହାର ଗୀତିକାର ରହିଛନ୍ତି ସିଲୁ ବିଭୁ । ଏଥିର ପ୍ରଡକ୍ସନ୍ ଦାୟିତ୍ଵ ରେ ରହିଛନ୍ତି ଯୁବ ଲେଖକ ତଥା ସଂଯୋଜକ ଶ୍ରୀ ସିଦ୍ଧାର୍ଥ ଦାଶ । ଏହି ମ୍ୟୁଜିକ୍ ଭିଡ଼ିଓ ଟି ରାୟଗଡ଼ା ଜିଲ୍ଲା ଗୁଣପୁର ଏବଂ ଗଜପତି ଜିଲ୍ଲା ର ଆଖ ପାଖ ଅଞ୍ଚଳ ରେ ସୁଟିଂ କରାଯାଇଛି । ଇ ନ୍ୟୁଜ୍ ଓଡ଼ିଆ ଏବଂ ଶୀତଲ ସୋନାଲି ପ୍ରଡକ୍ସନ୍ ପକ୍ଷରୁ ଚଳିତ ମାସ ପରଦା କୁ ଆସିବାକୁ ଯାଉଛି ଏହି ସୁନ୍ଦର ମ୍ୟୁଜିକ୍ ଭିଡ଼ିଓ ” ଓ ହମନବା ” । ଏହି ମ୍ୟୁଜିକ୍ ଭିଡ଼ିଓ ଟି ଇ ନ୍ୟୁଜ୍ ଓଡ଼ିଆ ଏବଂ ଶୀତଲ ସୋନାଲି ପ୍ରଡକ୍ସନ୍ ୟୁଟ୍ୟୁବ୍ ଚ୍ୟାନେଲ ରେ ରିଲିଜ୍ ହେବ ବୋଲି ପ୍ରଯୋଜିକା ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରି କାଳୀପୂଜା ରେ କରୋନା କଟକଣା କୁ ମାନି ଚଳିବା ସହ ଘରେ ରହି ଏହି ମ୍ୟୁଜିକ୍ ଭିଡିଓ କୁ ଭରପୁର ମନୋରଞ୍ଜନ ଉପଭୋଗ କରନ୍ତୁ ଏବଂ କଳାକାର ଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।