ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନୟାଗଡ଼ ‘ପରୀ’ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଆଜି ବିଧାନସଭାରେ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାମଲାରେ ଏଯାବତ ୩୪ ଜଣଙ୍କୁ ଜେରା କରାଯାଇଛି।୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଛି। ନୟାଗଡ଼ SDPO ମାମଲାର ତଦାରଖ କରୁଛନ୍ତି ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଗୃହରେ କହିଛନ୍ତି । ପରି ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ଏପରି ଅଭିଯୋଗ ଆଣି ‘ପରୀ’ର ବାପା-ମା’ ଗତକାଲି ବିଧାନସଭାର ସୁରକ୍ଷା ବଳୟ ଡେଇଁ ଦେହରେ ଡିଜେଲ୍‌ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାକୁ ନେଇ ବିଧାନସଭା କମ୍ପିଥିଲା। ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ବିରୋଧୀ ଦଳମାନେ ପଚାରିଥିବା ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି।

ପରୀକୁ ଅପହରଣ ପରେ ହତ୍ୟା କରାଯାଇଛି;ସ୍ପଷ୍ଟ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନୟାଗଡ଼ର କୁନି ଝିଅ ପରୀକୁ ପ୍ରଥମେ ଅପହରଣ କରାଯାଇଥିଲା। ପରେ ତାକୁ ହତ୍ୟା କରାଯାଇଥିଲା। ବିଧାନସଭାରେ ଉତ୍ତର ରଖି ଏହା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି-“ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଯଦୁପୁର ଗାଁର ଅଶୋକ ସାହୁ ତାଙ୍କ ଝିଅ ନିଖୋଜ ଥିବା ନେଇ ଥାନାକୁ ଜଣାଇଥିଲେ। ଅଭିଯୋଗକୁ ଭିତ୍ତି କରି ଜୁଲାଇ ୧୪ରେ ପୁଲିସ ମାମଲା ରୁଜୁ କରିଥିଲା। VHF ବାର୍ତ୍ତା ଓ ସନ୍ଧାନୀ କୁକୁର ସାହାଯ୍ୟରେ ଝିଅକୁ ଖୋଜା ଯାଇଥିଲା। ଜୁଲାଇ ୨୩ରେ ଅଭିଯୋଗକାରୀଙ୍କ ଘର ପଛପଟୁ ଶବ ଠାବ ହୋଇଥିଲା। ଅଖାରେ ବନ୍ଧା ପଚାସଢ଼ା ଶବ ଠାବ କରିଥିଲେ ଅଭିଯୋଗକାରୀ। ପାରିପାର୍ଶ୍ୱିକ ଅବସ୍ଥାରୁ ଝିଅକୁ ଅପହରଣ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଶବ ପଞ୍ଚନାମା ପରେ ପୋଷ୍ଟମର୍ଟମ ପାଇଁ କଟକ SCB ପଠାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଶବଟି ଏକ ୫/୬ ବର୍ଷ ଝିଅର ବୋଲି ଜଣାପଡ଼ିଥିଲା। ସେ ଆହୁରି କହିଛନ୍ତି-“ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ହୋଇଛି କି ନାହିଁ ଜଣାପଡ଼ିନଥିଲା। ଶବ ନଷ୍ଟ ହୋଇଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲା। DNA ଟେଷ୍ଟ ପରେ ଶବଟି ଅଭିଯୋଗକାରୀଙ୍କ ଝିଅ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ୪ ଜଣଙ୍କ ପଲିଗ୍ରାଫ୍‌ ଟେଷ୍ଟ ସହ ସନ୍ଦିଗ୍ଧଙ୍କ କଲ୍‌ ରେକର୍ଡ ଯାଞ୍ଚ ହୋଇଥିଲା। ତଦନ୍ତ କାଳରେ ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚରା ହୋଇଛି ।

ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ (ESMA) ଆଇନ ପ୍ରତ୍ୟାହାର ଦାବିରେ CITU ପକ୍ଷରୁ ବିକ୍ଷୋଭ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)– ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ (ESMA) ଆଇନ ପ୍ରତ୍ୟାହାର ଦାବିରେ CITU ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଷ୍ଟର କ୍ୟାଣ୍ଟିନ ଛକର ଲୋୟର ପିଏମଜି ଠାରେ ବିକ୍ଷୋଭ ସହ ବିଧାନସଭା ଘେରାଉ ଉଦ୍ୟମ କରାଯାଇଛି। ତେବେ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ଶ୍ରମିକମାନଙ୍କର ଧର୍ମଘଟ କରିବାର ଅଧିକାର ରହିଛି। ଲୋକସଭାରେ ମଧ୍ୟ ଏନେଇ ବିଲ୍ ପାସ୍ ହୋଇଥିବା ବେଳେ ବିଧାନସଭାରେ ଏସମା ଆଇନ ପାସ୍ କରିବା ସମ୍ବିଧାନ ବିରୋଧୀ ସରକାର ପ୍ରତ୍ୟାହାର ନକଲେ ଆନ୍ଦୋଳନ ଆଗକୁ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ରବିବାର ବିଧାନସଭାରେ ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ମୁତାବକ, ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହନ କଲେ ଜେଲ୍‌ ଦଣ୍ଡ ମିଳିବା ସହ ୧ ବର୍ଷ ଜେଲ୍‌ କିମ୍ବା ୫୦୦୦ ଟଙ୍କା ଯାଏ ଜରିମାନା କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ ହୋଇଛି। ଏଥିସହ କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ମଧ୍ୟ ସାମିଲ ହୋଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀମାନେ ବେଆଇନ୍‌ ଧର୍ମଘଟରେ ସାମିଲ ହେଲେ ଦଣ୍ଡିତ ହେବେ। ସେହିପରି ଯଦି କେହି ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କରେ ଓ ସମର୍ଥନ କରି ଆର୍ଥିକ ସହାୟତା କଲେ, ସେମାନେ ମଧ୍ୟ ଦଣ୍ଡିତ ହେବେ। ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡବିଧାନ ହେବ। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ବିରୋଧ କରିଥିଲେ। ଶାସକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ୍‌କୁ ପାସ୍‌ କରିଦିଆଯାଇଥିଲା।

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ଜାଲ୍ ‌!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୨୫.୧୧ : ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସବୁକ୍‌ ଆକାଉଣ୍ଟ ଜାଲ୍‌। କାରଣ ଏ ବିଷୟରେ ତାଙ୍କ ଅଫିସରେ କୌଣସି ରେକର୍ଡ଼ ନାହିଁ। ଏ ଦୁଇଟି ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ନାମରେ କିଏ ଆକାଉଣ୍ଟ ଖୋଲିଛି, ସେଥିପାଇଁ ତାଙ୍କ ଅଫିସରେ କିଏ ନିଷ୍ପତ୍ତି ନେଇଛି, କିଏ ଏ ଆକାଉଣ୍ଟ ପରିଚାଳନା କରୁଛି, ସେ ବାବଦରେ କେତେ ଖର୍ଚ୍ଚ ହେଉଛି, ଏସବୁ ନେଇ ଫାଇଲ୍‌ ନିଷ୍ପତ୍ତି ହୋଇଛି କି – ଏମିତି ଅନେକ ପ୍ରଶ୍ନ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ କିଛି ଜାଣିନାହିଁ। ସୂଚନା ଅଧିକାର ଆଇନ ବଳରେ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାସନାଲର ବିଶ୍ୱଜିତ ମହାନ୍ତିଙ୍କୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନାଁରେ ଟୁଇଟର ଓ ଫେସ୍‌ବୁକ୍‌ରେ ଖୋଲିଥିବା ଦୁଇଟି ଆକାଉଣ୍ଟ ଜାଲ୍‌। ତେଣୁ ଏପରି ଦୁଇଟି ଆକାଉଣ୍ଟରେ ଯେଉଁ ସବୁ ତଥ୍ୟ, ନିଷ୍ପତ୍ତି ଓ ଘୋଷଣା ଆଦି ଶେୟାର କରାଯାଉଛି ତାହାକୁ ବିଶ୍ୱାସ କରିବା କେତେ ଯଥାର୍ଥ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ କେହି ଏପରି ଆକାଉଣ୍ଟରେ ସରକାରୀ ତଥ୍ୟ ଶେୟାର କରୁଥାନ୍ତି ତେବେ ତାହା ବଡ଼ ଧରଣର ଜାଲଆତି ବ୍ୟତୀତ ଅନ୍ୟ କିଛି ନୁହେଁ। ଏପରି କାରବାର ରାଜ୍ୟ ସ୍ୱାର୍ଥ ପ୍ରତି ବିପଜ୍ଜନକ ମଧ୍ୟ। ରାଜ୍ୟର ଜଣାଶୁଣା ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ ତଥା ସୂଚନା ଅଧିକାର କର୍ମୀ ବିଶ୍ୱଜିତ ମହାନ୍ତି ୨୦୨୦ ଅକ୍ଟୋବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଟୁଇଟର ଓ ଫେସ୍‌ବୁକ୍‌ ଆକାଉଣ୍ଟ ନେଇ କେତେକ ପ୍ରଶ୍ନ କରିଥିଲେ। ପ୍ରଶ୍ନଗୁଡ଼ିକ ହେଲା- ୧. ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବାକୁ ଯେଉଁ ଫାଇଲ୍‌ରେ ନିଷ୍ପତ୍ତି ନିଆଯାଇଛି ଦୟାକରି ତାହାର ନମ୍ବର, ବିଷୟ ଏବଂ ଫାଇଲ୍‌ ନୋଟ୍‌ର ଫଟୋ କପି ଦିଅନ୍ତୁ, ୨. ଦୟାକରି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବାର ସରକାରୀ ନିର୍ଦ୍ଦେଶର ଫଟୋକପି ଦିଅନ୍ତୁ, ୩. ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସ୍‌ବୁକ୍‌ ଆକାଉଣ୍ଟରେ ଯାହା ସବୁ ପୋଷ୍ଟ ହେଉଛି ବା ଲେଖାଯାଉଛି, ଯେଉଁସବୁ ଉତ୍ତର ଦିଆଯାଉଛି ତାହା ତାଙ୍କ ଦପ୍ତରର କେଉଁ ଅଧିକୃତ କର୍ମଚାରୀ ବା କୌଣସି ବାହାର ବ୍ୟକ୍ତି କରୁଛନ୍ତି ତାଙ୍କ ନାମ ଓ ପଦବୀ ଜଣାନ୍ତୁ ଏବଂ ୪. ଯଦି କୌଣସି ତୃତୀୟ ପକ୍ଷଙ୍କୁ ଏହି କାମ କରିବାର କ୍ଷମତା ଓ ଅଧିକାର ପ୍ରଦାନ କରାଯାଇଥାଏ ତେବେ ତାଙ୍କୁ ସେଥିପାଇଁ କେତେ ପାଉଣା ଦିଆଯାଉଛି ସେ ସଂପର୍କୀତ ସଦ୍ୟତମ ବିଲ୍‌ର ନକଲ ପ୍ରଦାନ କରନ୍ତୁ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତ ଥିବା ସାଧାରଣ ସୂଚନା ଅଧିକାରୀ ବା ପିଆଇଓ ଏସବୁ ପ୍ରଶ୍ନ ସଂକ୍ରାନ୍ତରେ ଯେଉଁ ଉତ୍ତର ବା ତଥ୍ୟ ପ୍ରଦାନ କରିଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଫିସ ନାମରେ ଟୁଇଟର ଓ ଫେସ୍‌ବୁକ୍‌ରେ ଯେଉଁ ଆକାଉଣ୍ଟ ବା ପେଜ୍‌ ଖୋଲିଛି ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବିଧିବଦ୍ଧ ଭାବେ ଅବହିତ ନୁହେଁ। ନବୀନ ପଟ୍ଟନାୟକଙ୍କ ସରକାର ୫-ଟି ନୀତିରେ ଚାଲିଛି ବୋଲି ପ୍ରଚାର କରାଯାଉଛି। ୫-ଟି କହିଲେ ଟ୍ରାନ୍ସପ୍ୟାରେନ୍ସି(ସ୍ୱଚ୍ଛତା), ଟାଇମ୍‌(ସମୟ), ଟିମ୍‌ୱାର୍କ(ଏକ୍‌ଜୁଟ ହୋଇ କାମ), ଟେକ୍ନୋଲୋଜି(ପ୍ରଯୁକ୍ତି) ଏବଂ ଟ୍ରାନ୍ସଫର୍ମେସନ(ପରିବର୍ତ୍ତନ/ରୂପାନ୍ତରଣ)। ଏ ଦାୟିତ୍ୱରେ ଅଛନ୍ତି ପୁଣି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ତାଙ୍କ ଶାସନର ସବୁଠୁଁ ଶକ୍ତିଶାଳୀ ଅଧିକାରୀ କୁହାଯାଉଥିବା ଭି. କେ. ପାଣ୍ଡିଆନ। ଅଥଚ ସୋସାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଆକାଉଣ୍ଟ ଖୋଲିବା ନେଇ ତାଙ୍କ ଦପ୍ତରରେ କୌଣସି ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ, ତାଙ୍କ ଦପ୍ତରର କୌଣସି ଅଧିକାରୀ ଟିମ୍‌ ମେମ୍ବର ହିସାବରେ ଏ ଦାୟିତ୍ୱରେ ନାହାନ୍ତି, ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ ତାହା କିଏ ଦେଉଛି ସେ ସଂପର୍କରେ କୌଣସି ରେକର୍ଡ଼ ନାହିଁ। ଅଥଚ ନିୟମିତ ଭାବେ ଏ ଦୁଇ ଆକାଉଣ୍ଟରେ ଓଡ଼ିଶା ଶାସନର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଶେୟାର କରାଯାଏ।

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭା ରେ ଉଠିଲା କଥା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ବିଧାନସଭାରେ ଉଠିଲା ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ଭିକ ବିବୃତି ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ସେ କହିଛନ୍ତି ଯେ , କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି। ତେବେ ଆପୋଷ ବୁଝାମଣା ମଧ୍ୟରେ ସୀମା ଚିହ୍ନଟ କରାଯିବ। ୨୧ଟି ଗାଁରେ ଏହି ସମସ୍ୟା ରହିଛି ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ତ୍ୱାବଧାନରେ ସୀମା ବିବାଦ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ମଧ୍ୟ କିଛି ସମସ୍ୟା ରହିଛି। ୯ଟି ଗାଁରେ ସମସ୍ୟା ରହିଛି ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ଗଠନ ହୋଇଛି। ଝାଡ଼ଖଣ୍ଡ ସହିତ ମଧ୍ୟ ଓଡ଼ିଶାର କିଛି ଜିଲ୍ଲାର ବିବାଦ ରହିଛି। ତେବେ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ଼ ଧରଣର ସମସ୍ୟା ଉପୁଜିନି ବୋଲି ଗୃହକୁ ଜଣାଇଛନ୍ତି ମନ୍ତ୍ରୀ ।

ସୌମ୍ୟଙ୍କୁ ଅରୁଣଙ୍କ ଧମକପୂର୍ଣ୍ଣ କଲ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – “ତୁ ଲିମିଟେସନ ବାହାରକୁ ପଳଉଛୁ।” ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଭାଇରାଲ ହେଲା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କୁ ମନ୍ତ୍ରୀଙ୍କ ଧମକପୂର୍ଣ୍ଣ କଲ୍‌ ରେକର୍ଡ। କଲ୍‌ରେ ସରପଞ୍ଚଙ୍କ ସହ ମନ୍ତ୍ରୀ ଅରୁଣ ସାହୁ କଥା ହେଉଥିବା ଶୁଣିବାକୁ ମିଳୁଛି। ଫୋନ୍‌ରେ ମନ୍ତ୍ରୀ ଶ୍ରୀ ସାହୁ କହୁଛନ୍ତି, “ତୁ ଲିମିଟେସନ ବାହାରକୁ ଚାଲି ଯାଉଛୁ। ତୁ ଏସବୁ ଯାହା କରୁଛୁ, ଭଲ କରୁଛୁ ତ। ତୁ ଯେତିକି କହୁଛୁ, ସେ ସେତିକି କହୁଛି, ମୁଁ ସବୁ ଜାଣୁଛି, ଚୁପ୍‌ ବସିଛି। ଲିମିଟେସନ ବାହାରକୁ ପଳାଇ ଗଲୁଣି ତୁ। ଏସବୁ କଣ ଠିକ କଥା ହେଉଛି, ତୁ ଏସବୁ କାହିଁକି କରଉଛୁ ? ତୁ ନକହିଲେ, ସେ ଏସବୁ କଣ ମନକୁ କହୁଛି ? ମୁଁ ଏତେ ଖରାପ ନୁହେଁ ଯେ କାହା କଥାରେ ଡାଇଭର୍ଟ ହେବି। ଏସବୁ ବନ୍ଦ ନକଲେ ତୋ ପ୍ରତି କୌଣସି ସିମ୍ପାଥି ଓ ସଂପର୍କ କାଟିଦେବି। ତେବେ ଭାଇରାଲ ଫୋନ କଲ ନେଇ ଅରୁଣ ସାହୁ ମୁହଁ ଖୋଲି ନାହାନ୍ତି । ସୂଚନାରୁ ପ୍ରକାଶ, ନୟାଗଡ଼ର ୫ ବର୍ଷର ଝିଅ ପରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ସାହୁଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ପରୀଙ୍କ ବାପା-ମାଆ।

ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ କୁକୁଡ଼ା-ଚିଆଁ ଉତ୍ପାଦନ କେନ୍ଦ୍ରର ପୁନଃରୁଦ୍ଧାର ତଥା ଚାଷୀ ମାନଙ୍କୁ କୁକୁଡ଼ା ଚିଆଁ ବିକ୍ରୟର ଶୁଭାରମ୍ଭ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ କୁକୁଡ଼ା-ଚିଆଁ ଉତ୍ପାଦନ କେନ୍ଦ୍ରର ପୁନଃରୁଦ୍ଧାର ଓ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିନିକିଆ କୁକୁଡ଼ା ଚିଆଁ ବିତରଣର ଶୁଭାରମ୍ଭ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପ୍ରାଣୀଧନ ବିଭାଗର ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି। ହାଚେରୀ ୟୁନିଟ ଅଧିକାରୀ ଡା: ପ୍ରଶାନ୍ତ କୁମାର ସାମଲଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର , ପ୍ରକଳ୍ପ ନିର୍ଦ୍ଦେଶକ  ମହେଶ କୁମାର ଚୌଧୁରୀ  ଅତିଥି ଭାବେ ଯୋଗଦେଇ କୁକୁଡ଼ା ପାଳନ ମାଧ୍ୟମରେ ଗରିବ ଚାଷୀ ମାନଙ୍କର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଡିଭିଓ:ତଥା ରୋଗ ନିୟନ୍ତ୍ରଣ ଅଧିକାରୀ ଡାଃ ଅରବିନ୍ଦ ବେହେରା ଯୋଗଦେଇ ଏହା ଏକ ଲାଭଦାୟକ ଚାଷ ବୋଲି କହି ଏହାଦ୍ୱାରା ଚାଷୀର ଆର୍ଥିକ ଉନ୍ନତି ହୋଇ ପାରିବା ସହ ସେମାନେ ଏ କ୍ଷେତ୍ରରେ ଆତ୍ମନିର୍ଭର ଶୀଳତାର ସୁଯୋଗ ସୃଷ୍ଟି କରିପାରବେ ବୋଲି କହିଥିଲେ ।ସିଡିଭିଓ ଡା: ଶ୍ରୀନିବାସ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ବିସ୍ତୁତ ଆଲୋଚନା କରି କୁକୁଡ଼ା ପାଳନକୁ ନିଜର ଏକ ଜୀବିକା ଭାବେ ଚୟନ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଆଗ୍ରହୀ ଚାଷୀ ମାନଙ୍କୁ କୁକୁଡ଼ାଚିଆଁ ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡା: ଶୁଭ ବିକାଶ ମଲ୍ଲିକ , ବିଭିଓ: ଡ: ଅଭିଜିତ ମିଶ୍ର , ନୋଡାଲ ଅଫିସର ଡା: ଏସ୍.କାମେଶ୍ବର ରେଡ୍ଡି ଓ ସି ଡି ଭି ଓ ଅଫିସର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।

ସବୁ କଟକଣା ଓ ନିର୍ଦ୍ଦେଶନାମା ସତ୍ତ୍ୱେ ବଡ଼ ଜଗନ୍ନାଥ ମନ୍ଦିରରେ ଭିଡ଼ ; କରୋନା ବଢ଼ିବାର ଅଶଙ୍କା..!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗୁଣପୁର) – ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟ ରେ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥି ମଧ୍ୟରୁ ଲକ ଡାଉନ ଓ ସଟ ଡାଉନ ଅନ୍ୟତମ । କାର୍ତ୍ତିକ ମାସରେ ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ଭିଡକୁ ଏଡ଼ାଇବା ନିମନ୍ତେ କଟକଣା ଜାରି କରାଯାଇଛି । ସେହିଭଳି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ର ମନ୍ଦିର ମାନଙ୍କ ରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରିବା ଅନିବାର୍ଯ୍ୟ ହୋଇପଡିଥିବା ବେଳେ ରାୟଗଡା ଜିଲ୍ଲା ଗୁଣପୁର ଠାରେ ଏହାର କୌଣସି ଛିଟା ପଡିପାରୁନି । ଫଳରେ ମନ୍ଦିରରେ ଜମୁଥିବା ଭିଡ଼ ଆଗାମୀ ଦିନରେ ସଂକ୍ରମଣ ର ପଥ ପ୍ରସସ୍ଥ କରିବ ଏହା ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ସଚେତନ ନାଗରିକ ମତବ୍ୟକ୍ତ କରିଛନ୍ତି । ଗୁଣପୁର ଠାରେ ରହିଥିବା ମନ୍ଦିର ଗୁଡିକରେ କୋଭିଡ ନିୟମକୁ ପାଳନ କରାଯାଉଥିବା ବେଳେ ବଡ଼ ଜଗନ୍ନାଥ ମନ୍ଦିରରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି । ଶ୍ରୀ ଜୀଉ ଙ୍କ ସନ୍ଧ୍ୟା ଓ ସକାଳ ଆଳତୀ ସସମୟରେ ମନ୍ଦିର ମଧ୍ୟରେ ଜନ ସମୁଦ୍ର ଦେଖିବାକୁ ମିଳୁଛି । ଏପରିକି ଅମାନିଆ ଭକ୍ତ ମାନେ ସାମାଜିକ ଦୂରତା ରକ୍ଷା କରିବାତ ଦୂରର କଥା ମାସ୍କ ପିନ୍ଧିବା ମଧ୍ୟ ଭୁଲି ଯାଉଛନ୍ତି । ମନ୍ଦିର ମଧ୍ୟରେ ଆଳତୀ ସମୟରେ ଜନ ସମାଗମର ସୁଯୋଗ ନେଇ ମନ୍ଦିର ମଧ୍ୟର ଗର୍ଭ ଗୃହରେ ଆଳତୀ ଦର୍ଶନ ନିମନ୍ତେ ଭକ୍ତ ଙ୍କ ନିକଟରୁ ୨୦ ଟଙ୍କା ଲେଖାଏଁ ସେବାୟତ ବାଧ୍ୟତା କରି ଆଦାୟ କରୁଛନ୍ତି । ଯେଉଁ ଅସହାୟ ବୃଦ୍ଧା ମହିଳା ପୂଜକ ଙ୍କ ମହାସୁଲ ଦେଇ ନପାରି ଦର୍ଶନର ନେହୁରା ହେଉଛନ୍ତି ତାଙ୍କୁ ପୂଜକ ସିଧା ସଳଖ ଟଙ୍କା ନଆଣିଲେ ଆସିଛ କୁଆଡେ ବୋଲି ଠେଲି ଦେଉଥିବା ଅଭିଯୋଗ ଆସିଛି । ସ୍ଥାନୀୟ ଦେବୋତ୍ତର ବିଭାଗ କିମ୍ବା ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯଦିବା କିଛି ପଦକ୍ଷେପ ଗ୍ରହଣ କରାଯାଇଛି ଏହା ଶ୍ରୀ ଜୀଉଙ୍କ ଆଳତୀ ଓ ଭକ୍ତ ଙ୍କ ସମାଗମ ଓହରିବା ପରେ କରାଯାଉଛି । ପୂର୍ବତନ ତହସିଲଦାର ଓ ଥାନା ଅଧିକାରୀ ଙ୍କ ପକ୍ଷରୁ ଏଥି ପୂର୍ବରୁ ନିଆଯାଉଥିବା ପଦକ୍ଷେପକୁ କୋହଳ କରାଯାଇଛି।ଫଳରେ ସହରରେ କରୋନା ସଂକ୍ରମଣ ହେବା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବୀ ହେଉଛି । ନହେଲେ ବର୍ତ୍ତମାନର ପଞ୍ଚକ ରେ ଓ କାର୍ତ୍ତିକ ପୂର୍ଣ୍ଣିମା ରେ ମନ୍ଦିର ମଧ୍ୟରେ ବଢୁଥିବା ଜନସମାଗମ ରୋକା ଯାଇପାରିବ ନାହିଁ କି ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଗାଇଡ଼ ଲାଇନ ର କୌଣସି ମାନେ ରହିବ ନାହିଁ । ଯଦ୍ୱାରା ପୁଣି ସହରକୁ କରୋନା ଅନାୟାସରେ ପ୍ରବେଶ କରିବ ଆଉ ସେତେବେଳେ ଆମକୁ କହିବାକୁ ପଡିବ ବାବୁ ଏଥର ସମ୍ଭାଳ …..!