ଗୁଣୁପୁର ଉପଜିଲ୍ଲାପାଳ ଙ୍କ ୪୭ ତମ ପରିବାର ପରାମର୍ଶ କେନ୍ଦ୍ର ବୈଠକ; ପାରିବାରିକ ସମସ୍ୟା ଉପରେ ଗୁରୁତ୍ୱ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଚାମ୍ବର ରେ ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ଏବଂ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଦ୍ୱାରା ପରିଚାଳିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ସାହାରା ପରିବାର ପରାମର୍ଶ କେନ୍ଦ୍ର ର ୪୭ ତମ ସବ କମିଟି ବୈଠକ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଗୁଣୁପୁର ତହସିଲଦାର ଫର୍ଣ୍ଣଦିଜ ଏକ୍କା, ବିଡ଼ିଓ ଶ୍ରୀମତୀ ସାନ୍ତିପ୍ରଭା ପ୍ରଧାନ, ଗୁଣୁପୁର ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ର ସମ୍ପାଦକ ଡକ୍ତର. ଚନ୍ଦ୍ରଧ୍ବଜ ପଣ୍ଡା, ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ମନୋଜ ବେହେରା, ଗୁଣୁପୁର ଅତିରିକ୍ତ ଜିଲ୍ଲାପାଳ ରୀନା ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ, ବରିଷ୍ଠ ଓକିଲ ଦୁର୍ଗା ମଣିପାତ୍ର, ପରାମର୍ଶଦାତ୍ରୀ ଶ୍ରୀମତୀ ଜୟଶ୍ରୀ ମହାପାତ୍ର, ଗୌରୀ ମହାଙ୍କୁଡ ଏବଂ ଏହି ଅନୁଷ୍ଠାନ ର ମୁଖ୍ୟ ତଥା ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ଯୋଗ ଦେଇ ବିଭିନ୍ନ ପାରିବାରିକ ମାମଲା ଉପରେ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ଜେ ସୋନାଲ ଏହି କେନ୍ଦ୍ର କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ର ରେ ୨ ହଜାର ରୁ ଉର୍ଦ୍ଧ ମାମଲା ୠଜୁ ହୋଇଥିବା ବେଳେ ୧୫ ଶହ ରୁ ଉର୍ଦ୍ଧ ପାରିବାରିକ ମାମଲା ର ଶୁଣାଣି ହୋଇଥିବା କେନ୍ଦ୍ର ର ପରାମର୍ଶଦାତ୍ରୀ ତଥା ବରିଷ୍ଠ ଓକିଲ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏଥର ରାଧା ପାଦ ଦର୍ଶନ ମନା।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) – ଆଜି ହେଉଛି ପବିତ୍ର ଅଁଳା ନବମୀ । ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାଧା ପାଦ ଦର୍ଶନ ବନ୍ଦ ହୋଇଛି । ସାଧାରଣ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ ମନା ହେବା ସହ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ନିୟମ ଅନୁସାରେ ବିନା ଭକ୍ତରେ ମନ୍ଦିରର ନୀତିକାନ୍ତି ଅନୁଷ୍ଠିତ ହେବ । ଏଥିପାଇଁ ମଧ୍ୟରାତ୍ରୀରୁ ମନ୍ଦିର ପରିସରରେ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । ଚନ୍ଦନ ପୋଖରୀଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ମଧ୍ୟ କଟକଣା ଜାରି କରାଯାଇଛି । ଆସନ୍ତା ବଡ ଏକାଦଶୀ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ସୂଚନା ଦେଇଛି । ପ୍ରତିବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ । ହେଲେ ଚଳିତ ବର୍ଷ କିନ୍ତୁ କରୋନା ମହାମାରୀକୁ ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।

ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲା କୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ମାମଲାରେ ରାଜ୍ୟ ସରକାର ସଂପୂର୍ଣ୍ଣ ତଥ୍ୟ ଦେଇ ନପାରିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଏ ନେଇ ସୂଚନା ଦେଇଛନ୍ତି ଆବେଦନକାରୀ ସୁଦର୍ଶନ ଦାସ ଏବଂ ତାଙ୍କ ଓକିଲ ସୁଶାନ୍ତ ପାଢ଼ୀ। ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ। ତେବେ ମୁଖ୍ୟ ଶାସନ ସଚିବ ଏକ ଚିଠି ମାଧ୍ୟମରେ ତାଙ୍କର ଉତ୍ତର ରଖିଥିଲେ। କୋଭିଡ୍ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କଣ ଦାୟିତ୍ୱ ଦିଆଯାଇଥିଲା, ସେସବୁର ଉତ୍ତର ଚିଠି ମାଧ୍ୟମରେ ରଖିଥିଲେ। ତେବେ ହେମନ୍ତ ଶର୍ମାଙ୍କୁ ନିଜ ଦାୟିତ୍ୱରୁ କାହିଁକି ଅବ୍ୟାହତି ଦିଆଯାଇଥିଲା, ସେ ସମ୍ପର୍କରେ ମଧ୍ୟ ମୁଖ୍ୟ ଶାସନ ସଚିବ ଉତ୍ତର ରଖିଥିଲେ। ହେମନ୍ତ ଶର୍ମାଙ୍କୁ ନିଜ ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ତେଣୁ ତାଙ୍କ କାର୍ଯ୍ୟଭାର ବଢିବାରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା ବୋଲି ଚିଠି ମାଧ୍ୟମରେ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ। ଏପଟେ ସଂପୂର୍ଣ୍ଣ ତଥ୍ୟ ନ ଦେବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଆଜି ଲୋକାୟୁକ୍ତରେ ପୁଣି ହାଜର ହୋଇଛନ୍ତି ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ। ଯାମିନୀଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ଲୋକାୟୁକ୍ତରେ ହାଜର ହୋଇଛନ୍ତି। ମାମଲାରେ ନିଜ ପକ୍ଷ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଏହା ପୂର୍ବରୁ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିଲେ ଯାମିନୀ ଷଡ଼ଙ୍ଗୀ ଓ ହେମନ୍ତ ଶର୍ମା। ଆସନ୍ତା ଡିସେମ୍ବର ୭ ରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ।

ସ୍କୁଲ ଫି’ ପ୍ରସଙ୍ଗ; ହାଇକୋର୍ଟ ର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ସମୟରେ ଘରୋଇ ସ୍କୁଲ ଫି ଛାଡ଼ କରିବା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ସ୍କୁଲ ଫି କେତେ ହ୍ରାସ କରିପାରିବେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ସମ୍ପର୍କୀତ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜସ୍ଥାନ, ପଞ୍ଜାବ ଓ ଅନ୍ୟାନ କେତେକ ରାଜ୍ୟ ସରକାର ସ୍କୁଲ ଫି ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତି ଉପରେ ମଧ୍ୟ ଜଣାଇବାକୁ କୋର୍ଟ କହିଛନ୍ତି। ସତ୍ୟପାଠ ଜରିଆରେ ଆସନ୍ତା ଡିସେମ୍ୱର ୨ ତାରିଖରେ ଜଣାଇବାକୁ କୋର୍ଟ କହିଛନ୍ତି । ଘରୋଇ ସ୍କୁଲ ଫି ବୃଦ୍ଧି ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ, ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ କରିଥିବା କମିଟି ଗ୍ରହଣ କରିଥିବା ନିଷ୍ପତ୍ତିକୁ ହାଇକୋର୍ଟ ଲାଗୁ କରନ୍ତୁ ବୋଲି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ଅନ୍ୟପଟେ ୧୯୯୬ ମସିହା ସେପ୍ଟେମ୍ବର ୨୩ ତାରିଖରେ ସରକାର ଜାରୀ କରିଥିବା ଗ୍ୟାଜେଟ୍‌ ବିଜ୍ଞପ୍ତିର ଧାରା ୪ (ଆଇ) ଅନୁଯାୟୀ ଘରୋଇ ସ୍କୁଲ ଫି’ ବୃଦ୍ଧି ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି, ଅଭିଭାବକମାନଙ୍କ ସହିତ ଆଲୋଚନା କରି ଫି ବୃଦ୍ଧି କରାଯାଇପାରିବ ଏବଂ ଶିକ୍ଷା ବର୍ଷ ମଝିରେ ଏହା ବୃଦ୍ଧି କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା।

ଓଡ଼ିଶା ଆସିବେ ଜେ.ପି. ନଡ୍ଡା।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା‌। ଡିସେମ୍ବର କିମ୍ବା ଜାନୁଆରୀ ମାସରେ ଓଡ଼ିଶା ଆସିବା ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା‌ ଡିସେମ୍ବର କିମ୍ବା ଜାନୁଆରୀ ମାସରେ ଓଡ଼ିଶା ଆସିବେ। ସଂଗଠନ, ମିଶନ-୧୨୦, ଡବଲ ଇଞ୍ଜିନ ନେଇ ଆଲୋଚନା ହେବ। ଏହା ସହ ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ ପାଇଁ ମଧ୍ୟ ଆଲୋଚନା ହେବ। ବିଜେପିର ବରିଷ୍ଠ ପଦାଧକାରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା‌ ସମୀକ୍ଷା କରିବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଔଷଧ ନିଗମ ଅଧ୍ୟକ୍ଷା ଓ ଶିଳ୍ପ ସଚିବ ଲୋକାୟୁକ୍ତରେ ହାଜର।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମ । ମାସ୍କ ଦୁର୍ନୀତି ଅଭିଯୋଗରେ ଉଭୟ ପୁଣି ଥରେ ହାଜର ହୋଇଛନ୍ତି । ଏହି ମାମଲାରେ ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ପିପିଇ ଓ ମାସ୍କ କିଣାରେ ରାଜକୋଷକୁ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଶିଳ୍ପ ସଚିବ ଆଇଏଏସ୍ ହେମନ୍ତ ଶର୍ମା ଏବଂ ଯାମନ ଷଡଙ୍ଗୀଙ୍କୁ ଏଥିନିମନ୍ତେ ଦାୟୀ କରାଯାଇଥିଲା। ଏହାକୁ ନେଇ ରାଜନୈତିକ ବିବାଦ ଜୋର ଧରିଥିବା ବେଳେ ଲୋକାୟୁକ୍ତଙ୍କ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଥିଲା।