
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର )– ରାୟଗଡା ଜିଲ୍ଲା ରାମନାଗୁଡା ତହସିଲ ଭାମିନୀ ବଂଶଧାରା ଅବବାହିକରୁ ପ୍ରତି ଦିନ ଲକ୍ଷାଧିକ ଟଙ୍କାର ବାଲି ଉଠାଣ ହେଉଛି । ଦିନ,ରାତି ଏକାକାର କରି ଏଠାକାର ବାଲି ଜିଲ୍ଲା ଓ ପୋଡଶୀ ଆନ୍ଧ୍ରକୁ ରପ୍ତାନୀ କରି ଲିଜଧାରୀ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ମାଲାମାଲ ହେଉଛନ୍ତି । ଏଥି ପ୍ରତି ରାମନାଗୁଡା ତହସିଲ ପ୍ରଶାସନ ର ଅଙ୍କୁଶ ନଥିବା ବେଳେ ଗତକାଲି ଭାମିନୀ ଗ୍ରାମବାସୀମାନେ ସକାଳୁ ବାଲିବୋଝଇ ଟ୍ରାକ୍ଟର, ଟ୍ରକ ଗୁଡିକୁ ଅଟକାଇ ରାସ୍ତାରୋକ କରିବା ସହ ଧାରଣରେ ବସିଥିଲେ । ତାପରେ ଆଜି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ସାମଗ୍ରିକ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି ଗ୍ରାମର ମହିଳାମାନେ । ଉପଜିଲ୍ଲାପାଳ ସ୍ମାରକପତ୍ର ପାଇବା ପରେ ୧୫କିମି ଦୂରତ୍ୱ ଏହି ବେଆଇନ ବାଲିଚାଲଣ ଉତ୍ସରେ ପହଞ୍ଚିଥିଲେ । ସେଠାରେ ସରକାରଙ୍କ ରାଜସ୍ୱ ଫାଙ୍କି ବ୍ୟାପକ ପରିମାଣରେ ବାଲି ଉଠାଣ ସମ୍ପର୍କରେ ସ୍ୱଷ୍ଟ ଅବଗତ ଦେବା ସହ ଏନେଇ ତୁରନ୍ତ ତହସିଲ ବାସ୍ତବସ୍ଥିତି ଓ ବାଲିଖନନ, ଲିଜହାର, ଟିକସଜମା ଓ ଇତ୍ୟାଦି ସମ୍ପର୍କରେ ସବିଶେଷ ରିପୋର୍ଟ ଦେବାସହ ଲିଜଧାରୀଙ୍କୁ ୩ଦିନ ମଧ୍ୟରେ ସ୍ୱଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରତିଦିନ ଶତାଧିକ ଟ୍ରାକ୍ଟର ଓ ଟ୍ରକ ଦ୍ୱାରା ବାଲି ଉଠାଣ ହେଉଥିବା ବେଳେ ଭାମିନୀ ଗ୍ରାମ ପ୍ରଦୂଷଣ ହେବା ସହ ରାସ୍ତାଘାଟ ନଷ୍ଟ ହେଉଛି । ଦିନରାତି ଏହି ନଦୀଶର୍ଯ୍ୟରୁ ବାଲି ଚାଲଣ ହେଉଥିବାରୁ ଶଦ୍ଦ ପ୍ରଦୂଷଣ ହେବା ସହ ନଦୀର ଗତିପଥ ବଦଳି ଗାଁ ମୁହା ହେଉଛି ପାଣି । ବର୍ତ୍ତମାନ ସୁଦ୍ଧା ଏଭଳି ଅବାଧରେ ବାଲିଖନନ ଯୋଗୁଁ ୫୦ ଏକର ଚାଷ ଜମି ନଦୀଗର୍ଭରେ ଲୀନ ହୋଇଯାଇଛି । ଆଗାମୀ ଦିନରେ ବନ୍ୟାପାଣି ଦ୍ୱାରା ଗ୍ରାମ ଲୀନ ହେବାର ସମ୍ଭାବନା ରହିଥିବା ଆଶଙ୍କା କରି ଗ୍ରାମର ମହିଳାମାନେ ଉପଜିଲ୍ଲାପାଳ ସୋନାଲ ଜେନାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସରକାର ଧାର୍ଯ୍ୟ ଠାରୁ ୧୦୦ଗୁଣ ଅଧିକା ବାଲିଖନନ କରି ଆନ୍ଧ୍ରକୁ ରପ୍ତାନୀ କରି ଲକ୍ଷାଧିକ ଟଙ୍କା ରାଜସ୍ୱ ଫାଙ୍କି ଥିବା ନେଇ ମଧ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମହିଳାମାନେ । ବାରମ୍ବାର ଏସମ୍ପର୍କରେ ସଂପୁକ୍ତ ଆରଆଇ ଠାରୁ ତହସିଲଦାର ଓ ଲିଜଧାରୀଙ୍କୁ ଅବଗତ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଗତକାଲି ବାଧ୍ୟ ହୋଇ ବାଲିବୋଝଇ ଟ୍ରାକ୍ଟର,ଟ୍ରକ ଗୁଡିକ ଅଟାଇବା ଭଳି ଚରମପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଲୁ ବୋଲି ମହିଳାମାନେ ପ୍ରକାଶ କରିଥିଲେ । ମହିଳାମାନଙ୍କ ଏଭଳି ଅଭିଯୋଗ ଶୁଣିବା ପରେ ଉପଜିଲ୍ଲାପାଳ ନିଜେ ଭାମିନୀ ବାଲି ଉତ୍ସ ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ ଲିଜ ଠାରୁ ଅଧିକା ପରିମାଣର ବାଲି ଖନନ ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବାଲିଉତ୍ସ ସର୍ଭେ କରି କେତେ ପରିମାଣର ଅଧିକା ବାଲି ଉଠାଣ ହୋଇଛି ଓ କେତେ ଟଙ୍କା ରାଜସ୍ୱ ଲିଜଧାରୀ ଜମା କରିଛି ତାହାର ରିପୋର୍ଟ ପ୍ରଦାନ କରିବାକୁ ଉପଜିଲ୍ଲାପାଳ ରାମନାଗୁଡା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଏଭଳି ବେଆଇନ କାର୍ଯ୍ୟ କରୁଥିବା ଲିଜଧାରୀଙ୍କୁ ୩ଦିନ ମଧ୍ୟରେ ସ୍ୱଷ୍ଟିକରଣ ଦେବାକୁ ନୋଟିସ ଜାରୀ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି ଆନ୍ଧ୍ରରେ ବଂଶଧାରା ନଦୀବାଲିର ଚାହିଦା ଥିବାବେଳେ ଏବେ ମାଫିଆମାନେ ଓଡିଶାର ବଂଶଧାରା ଅବବାହିକ ଉପରେ ନଜର ପକାଇଛନ୍ତି । ଗୋଟିଏ ପରେ ଗୋଟିଏ ବାଲିଘାଟକୁ ଲଘୁଖଣିଜ ନିୟମକୁ ଜଳାଞ୍ଜଳି ଦେଇ ଲକ୍ଷାଧିକ ଟଙ୍କା ଟିକସ ପାଙ୍କି ବାଲି ଆନ୍ଧ୍ରଚାଲଣ ହେଉଛି । ଗତ ଏକମାସ ହେଲା ଭାମିନୀ ନଦୀଘାଟକୁ ବାଲି ଆନ୍ଧ୍ରକୁ ବଡବଡ ଟ୍ରକ ସହାୟତାରେ ଆନ୍ଧ୍ରକୁ ଚାଲଣ ହେଉଛି । ଲିଜଧାରୀ ପ୍ରଥମେ ନଦୀରୁ ବାଲି ଟ୍ରାକ୍ଟର ମାଧ୍ୟମରେ ଉଠାଣ କରି ୫୦୦ମିଟର ଦୂରରେ ବ୍ୟାପକ ପରିମାଣର ବାଲି ଗଚ୍ଛିତ ରଖୁଛନ୍ତି । ତାପରେ ଆନ୍ଧ୍ରର ଟ୍ରକଗୁଡିକ ଜେସିବି ମେସିନ ଦ୍ୱାରା ଲଡ କରାଇ ଦୌନିକ ରାତ୍ରରେ ବ୍ୟାପକ ପରିମାଣର ଟ୍ରକ ରପ୍ତାନୀ ହେଉଛି । ଯାହାକି ସରକାରୀ ନିୟମର ଉଲ୍ଲଙ୍ଗନ ଅଟେ । ନଦୀଶର୍ଯ୍ୟରୁ ବାଲି ଉଠାଇ କୌଣସି ଉନ୍ନୟନମୂଳକ କାର୍ଯ୍ୟ, ଗୃହନିର୍ମାଣ ନିମନ୍ତେ ନରଖି କେବଳ ଆନ୍ଧ୍ର ଚାଲଣ କରିବା ଉଦ୍ଦ୍ୟେଶରେ ନିଦିଷ୍ଟ ସ୍ଥାନରେ ଗଚ୍ଛିତ ରଖାଯାଉଛି । ଯାହାକି ଲଘୁଖଣିଜ ନିୟମର ବେଖାତିର ଅଟେ । ସରକାର ଏଭଳି ଅଯଥା ବାଲି ଗଚ୍ଛିତ ବ୍ୟକ୍ତିଙ୍କ ବିରୋଧିରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଏଥିରେ ବ୍ୟବହୃତ ମେସିନଗୁଡିକ ଜବତ କରିବାକୁ ନିୟମରେ ରହିଥିବା କୁହାଯାଉଥିବା ବେଳେ ସ୍ଥାନୀୟ ରାଜସ୍ୱ ବିଭାଗ ଏସବୁ ନିୟମକୁ କୋଣଠେସା କରିଦେଉଛନ୍ତି । ଯାହାକି ବାଲି ମାଫିଆଙ୍କୁ ଏଭଳି ବେଆଇନ କାର୍ଯ୍ୟ କରିବାକୁ ସୁହାଉଛି । ସେହିଭଳି ଲିଜ୍ ନେବା ସମୟରେ ନିଦ୍ଧିଷ୍ଟ ପରିମାଣର ବାଲି ନେବା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ଚୁକ୍ତି ହୋଉଥିବା ବେଳେ ଏହା ଠାରୁ ଶହେ ଅଧିକାଗୁଣର ବାଲି ନଦୀଶର୍ଯ୍ୟରୁ ଉଠାଣ ହେଉଛି । ଯାହା ଫଳରେ ବ୍ୟାପକ ରାଜସ୍ୱ ସରକାର ହରାଉଛି । ଏଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହି ଭଳି ଗୁଣପୁର ଉପଖଣ୍ଡ ରେ ରହିଥିବା ଅନ୍ୟାନ୍ୟ ବାଲି ପଠାର ବହୁ ଗୁମର ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ଜୋର ଧରୁଛି ।