ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଠାରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଏକ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା କରାଯାଇଛି। ସଂଗଠନର ମୁଖ୍ୟ ବସନ୍ତ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ସାମାଜିକ ଦୂରତ୍ୱ ବଜାଇ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି। ସଙ୍ଗଠନର ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି। ଗ୍ରୀଷ୍ମର ପ୍ରଭାବ ବଢୁଥିବା ବେଳେ ପାନୀୟ ଜଳର ଅଭାବ ଆଶଙ୍କା କରି ଏହା କରାଯାଇଥିବା ସଂଗଠନର ମୁଖ୍ୟ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

କୋଭିଡ-19 ର ସୁଯୋଗ ନେଇ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – କରୋନା ଭାଇରସର ସଂକ୍ରମଣ ଦିନକୁଦିନ ବଢିଚାଲିଥିବାବେଳେ ଗଞ୍ଜାମ ଜିଲାରେ ଏହାର ହାର ବେଶ ଅଧିକ। ମାତ୍ର କିଛିଦିନ ତଳେ ଗ୍ରୀନ ଜୋନରେ ସୁରକ୍ଷିତ ଥିବା ଗଞ୍ଜାମ ସୁରାଟ ଫେରନ୍ତାଙ୍କ ଆଗମନ ପରେ ହଠାତ ରେଡ ଜୋନକୁ ଛଲାଙ୍ଗ ଲଗାଇଛି। ସମସ୍ତେ ଏଥିପାଇଁ ଭୟର ବାତାବରଣରେ ଥିଲାବେଳେ କିଛି ଅସାମାଜିକ ତତ୍ତ୍ୱ ପାଇଁ ଏହି ସମୟ ପୁଷ ମାସ ପାଲଟିଛି। ଲୋକଙ୍କ ଚଳପ୍ରଚଳ ବନ୍ଦ ଥିବା ସୁଯୋଗ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଶିକାରୀ ମାନେ ସାଧାରଣତଃ ମଧ୍ୟାହ୍ନ ସମୟକୁ ଉଚିତ ମଣି ଶିକାରରେ ବାହାରି ବ୍ଲକର ବେରୁଆଁବାଡ଼ି, କାଳିମେଘି, ସାନଉସ୍ତାପଡା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମର ନିଛାଟିଆ ଅଞ୍ଚଳ ଦେଖି ନିରୀହ ପକ୍ଷୀ ମାନଙ୍କୁ ଶିକାର କରିବା ଦେଖାଯାଉଛି। ଏହାସହ ବିଭିନ୍ନ ଜଙ୍ଗଲରେ ବାରହା, କୁଟ୍ରା, ସମ୍ବର, ହରିଣ ଆଦି ଶିକାର ହେଉଥିବା ଅଭିଯୋଗ ଆସୁଛି। ନିକଟରେ ସାନ ଉସ୍ତାପଡା ଗ୍ରାମରେ ଏକ ମୟୁର ଶିକାରୀକୁ ଗ୍ରାମବାସୀ ବନବିଭାଗ ଜିମାରେ ଦେଇଥିଲେ। ସରକାର ବନ୍ୟ ସମ୍ପଦ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବିଭିନ୍ନ ଆଇନ ପ୍ରଣୟନ କରି ଦୋଷୀକୁ କଠୋର ଦଣ୍ଡଦେବା ବ୍ୟବସ୍ଥାର ପ୍ରାବଧାନ କରିଛନ୍ତି। କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଛି। ବନବିଭାଗ ଓ ମାଫିଆ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜନସାଧାରଣଙ୍କ ଅଗୋଚରରେ ବହୁତ କିଛି ଘଟୁଥିବା ନଜିର ରହିଛି। ତେଣୁ ଏଥିପ୍ରତି ଜନସାଧାରଣ ସଜାଗ ରହିବା ସହ ବନବିଭାଗ ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି। ନଚେତ ଏହି ନିରୀହ ପ୍ରାଣୀ ଗୁଡିକ ଅଞ୍ଚଳରୁ ଲୋପପାଇବାକୁ ବେଶିଦିନ ଲାଗିବନି ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟ ବାହାରୁ ନିଜ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ଜରୁରୀ ସୂଚନା..!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ରାଜ୍ୟ ବାହାରୁ ନିଜ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏଣିକି ସେମାନଙ୍କ ନାମ ଓ ଯେଉଁଥିରେ ଫେରୁଥିବେ ତାର ପଞ୍ଜିକରଣ ହେବା ବାଧ୍ୟତାମୂଳକ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଜରୁରୀ ପ୍ରେସ ବିବୃତିରେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ।

ଜିଲ୍ଲାପାଳ ଶ୍ରୀ ସାହା କହିଛନ୍ତି ଯେ , ” ବାହାର ରାଜ୍ୟରେ ରହି ଯାଇଥିବା ଶ୍ରମିକ ଭାଇ ଭଉଣୀ ମାନେ ନିଜ ରାଜ୍ୟ ତଥା ଜିଲ୍ଲାକୁ ଫେରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।ସେହି ପୋର୍ଟାଲ ହେଉଛି :- covid19.odisha.gov.in ଯେଉଁ ମାନେ ଫେରିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ନିଜର ନାମକୁ ଏହି ପୋର୍ଟାଲରେ ଅନ-ଲାଇନରେ ପଞ୍ଜିକରଣ କରିବେ ଏବଂ ଏଥି ସହିତ ନିଜେ ବ୍ୟବହାର କରୁଥିବା ତଥା ଆସୁଥିବା ଦୁଇଚକିଆ , ଚାରି ଚକିଆ , ବସ କି ଅନ୍ୟାନ୍ୟ ଯାନବାହାନର ପଞ୍ଜିକରଣ କରିବା ମଧ୍ୟ ବାଧ୍ୟତା-ମୂଳକ ।
ଅନ୍ୟପକ୍ଷରେ ନିଜ ଅଞ୍ଚଳକୁ ଫେରୁଥିବା ଓଡ଼ିଆ ମାନେ ଆସିବା ବେଳେ ସରକାରଙ୍କ ପ୍ରଦତ୍ତ ତଥା ଦିଆ ଯାଇଥିବା କେଉଁ ନିର୍ଦ୍ଧିଷ୍ଟ ରାସ୍ତା ଦେଇ ଆସୁଛନ୍ତି , ତାହା ମଧ୍ୟ ପଞ୍ଜିକରଣ ବେଳେ ଦର୍ଶାଇବେ ଏବଂ ସେହି ରାସ୍ତା ଦେଇ ହିଁ ଆସିବାକୁ ହେବ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଫେରିବା ବେଳେ ଓଡିଶା ଭିତରକୁ ପ୍ରବେଶ କରିବା ପାଇଁ ନିମ୍ନ ଲିଖିତ ଚିହ୍ନଟ ହୋଇଥିବା ୧୨ ଗୋଟି ସୀମାନ୍ତ ଚେକ-ପୋଷ୍ଟ ତଥା ଚେକିଙ୍ଗ ପଏଣ୍ଟ ନୋଟିଫାଏଡ଼ କରାହୋଇଛି । ସେ ଗୁଡିକ ହେଲା :–(୧)ବିରମିତ୍ର ପୁର ,ସୁନ୍ଦରଗଡ଼ (୨) ଚମ୍ପୁଆ ,କେନ୍ଦୁଝର (୩) ଚାନ୍ଦିଲି , କୋରାପୁଟ (୪)ଗିରିସୋଲା , ଗଞ୍ଜାମ (୫) ଜାମସୋଲା , ମୟୁରଭଞ୍ଜ (୬) କେରେଡା , ରାୟଗଡା (୭) ଖରିଆର ରୋଡ଼ , ନୂଆପଡା (୮) ଲକ୍ଷ୍ମଣ ନାଥ , ବାଲେଶ୍ଵର (୯) ଲୁହାରଚାଟି , ବରଗଡ଼ (୧୦) ମୋଟୁ , ମାଲକାନଗିରି (୧୧) ସୁଙ୍କି , କୋରାପୁଟ ।
କେବଳ ସେହି ମାଧ୍ୟମରେ ହିଁ ଆମର ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ ଭାଇଭଉଣୀ ମାନେ ବୋର୍ଡର ଚେକିଙ୍ଗ ପଏଣ୍ଟକୁ ଆସିବେ , ଯେଉଁଠି କି ସେମାନେ ଆସୁଥିବା ନିଜର ଓ ଯାନବାହନର ପଞ୍ଜିକରଣ ହୋଇଥିବା ଦେଖାଇବେ । ତା ପରେ ସେଠାରେ ତାଙ୍କର ମେଡିକାଲ ଥର୍ମାଲ ସ୍କ୍ରିନିଙ୍ଗ ହେବ । ଏତଦ୍ ବ୍ୟତୀତ , ସେମାନଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସେଠାରେ ହୋଇଥିବା ଦେଖିବା ପରେ ହିଁ ସେମାନଙ୍କୁ ଜିଲ୍ଲାକୁ ଅଣାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ ସାହା ।
ଅନ୍ୟପକ୍ଷରେ , ଆମର ଯେଉଁ ସବୁ ବୋର୍ଡର ଚେକିଙ୍ଗ ପଏଣ୍ଟ ସବୁ କରାହୋଇଛି , ଗଜପତି ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ଆସିବା ପାଇଁ ଗଞ୍ଜାମ ଜିଲ୍ଲାର ଗିରିସୋଲା ଗେଟ ଏବଂ ରାୟଗଡା ଜିଲ୍ଲାର କେରେଡା ଚେକିଙ୍ଗ ପଏଣ୍ଟ ଦେଇ ଆସିବାକୁ ହେବ । ଏମିତିକି , ଉପରୋକ୍ତ ସୀମାନ୍ତ ଚେକିଙ୍ଗ ପଏଣ୍ଟ ମଧ୍ୟରୁ ଯେ କୌଣସି ଚେକିଙ୍ଗ ପଏଣ୍ଟ ତଥା ଗେଟ ଦେଇ ଆସିପାରିବେ । ଗଜପତି ଜିଲ୍ଲାର ଭାଇଭଉଣୀ ମାନେ ଯେଉଁ ମାନେ କି ବାହାର ରାଜ୍ୟରେ ଅଛନ୍ତି ଗେଟ ପଏଣ୍ଟକୁ ଆସିବା ପୂର୍ବରୁ ସେମାନଙ୍କୁ ଅନୁରୋଧ କରାଯାଉଛି ଯେ , ପଞ୍ଜିକରଣ ନିଶ୍ଚିତ ଭାବେ କରିବେ ଏବଂ ଯେଉଁ ଗାଡି ପଞ୍ଜିକରଣ କରୁଛନ୍ତି , ସେସବୁ ପଞ୍ଜିକରଣର ସ୍ୱୀକୃତି ପତ୍ର ସାଙ୍ଗରେ ଆଣିଥିବେ ଏବଂ ପଞ୍ଜିକରଣ କରିଥିବା ଯାନବାହନରେ ହିଁ ଆସି ଏହି ବୋର୍ଡର ଚେକିଙ୍ଗ ପଏଣ୍ଟରେ ହିଁ ଆସି ପହଞ୍ଚିବେ । ତାପରେ ପଞ୍ଜିକରଣ କରିଥିବାର ସ୍ୱୀକୃତି ପତ୍ର ଚେକିଙ୍ଗ ପଏଣ୍ଟରେ ଦେଖାଇ ଦାଖଲ କରିବେ। ତା ପରେ ପରେ ପ୍ରକ୍ରିୟା ଆରମ୍ଭ ହୋଇ ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ ଭାବେ କରାଯିବା ସହ କରେଣ୍ଟାଇନରେ ରଖାଯିବା ପାଇଁ ଅଲିଭା କାଳି ମାଧ୍ୟମରେ ମାର୍କିଙ୍ଗ ମଧ୍ୟ କରାଯିବ । ତା ପରେ ପରେ ଆମକୁ ସୂଚନା ମଧ୍ୟ ଆସିଯିବ , ଆମେ ସେମାନଙ୍କୁ ଆମର କରେଣ୍ଟାଇନ ତଥା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଯେଉଁ ଚିହ୍ନଟ କରି ରଖିଛୁ , ଜିଲ୍ଲାର ବ୍ଲକ ଓ ପଞ୍ଚାୟତ ସ୍ତରରେ ସେହି କେନ୍ଦ୍ର ଗୁଡିକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି , ସେଠାରେ ସେମାନଙ୍କୁ ସମସ୍ତ ବ୍ୟବସ୍ଥା ସହ ରଖାଯିବ” ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।

ଗଜପତି ଜିଲ୍ଲା ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ଉପଲଡା ପଞ୍ଚାୟତରେ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଓ ମାସ୍କ ବଣ୍ଟନ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ରହିଥିବା ଅଭାବୀ ଗରିବ ଲୋକ ମାନଙ୍କୁ ଚାଉଳ ଓ ପନିପରିବା ସମେତ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଯୁବମୋର୍ଚ୍ଚାର ସଭାପତି ଏସ: ଲିଙ୍ଗରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ବିଜେଡି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଲିଙ୍ଗରାଜ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ , ମହାମାରି କରୋନାର କଡା ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି ।
ଏଭଳି ସଙ୍କଟମୟ ସମୟରେ ଗ୍ରାମାଞ୍ଚଳରେ ରହିଥିବା ଅଭାବୀ-ଗରିବ ଲୋକମାନେ କାମଧନ୍ଦା ଅଭାବ ଓ ସେମାନଙ୍କ ଗରିବତା ଯୋଗୁଁ ଖାଇବା ଓ ଚଳିବା କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗରିବ-ଅଭାବୀ ଲୋକଙ୍କ ଏଭଳି ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଆମ ବିଜେଡି ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ପରାମର୍ଶ ରହିଛି ଯେ , ଦଳୀୟ କର୍ମୀ ଓ ନେତା ମାନେ ନିଜର ସମ୍ବଳ ଶକ୍ତିକୁ ପାଥେୟ କରି ଏଭଳି ସଙ୍କଟମୟ ସମୟରେ ଗରିବ-ଅଭାବୀ ଲୋକମାନଙ୍କୁ ଯଥା ସାହାଯ୍ୟ ଯୋଗାଇ ଦେବାପାଇଁ ।
ସେହି ପରାମର୍ଶ ଓ ନିର୍ଦ୍ଦେଶ କ୍ରମେ ଆଜି ଉପଲଡା ପଞ୍ଚାୟତ ଅଞ୍ଚଳରେ ଦିଆହେଲା । ୫ କେଜି ଲେଖାଏଁ ଚାଉଳ , ପନିପରିବା ଓ ମାସ୍କ ପ୍ରାୟ ଏକ ହଜାର ଗରିବ , ଅସହାୟ ଅଭାବୀ ଲୋକଙ୍କୁ ବଣ୍ଟନ କରାଯାଇଛି ବୋଲି ଶ୍ରୀ ଲିଙ୍ଗରାଜ କହିଛନ୍ତି ।

“ଆଉ ମିଳିବନି ଲୁଣ” ଗୁଜବ;ଆଶଙ୍କା ଭିତରେ ନୂଆପଡା ଜିଲ୍ଲାବାସୀ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡା) – ଆଉ କିଛି ଦିନ ପାଇଁ ଲୁଣ ମିଳିବ ନାହିଁ । ଏପରି ଏକ ଗୁଜବ ଆଜି ସକାଳୁ ନୂଆପଡା ତଥା ଆଖପାଖ ଅଞ୍ଚଳରେ ପ୍ରକାଶିତ ହେବା ପରେ ଲୋକଙ୍କ ମଧ୍ୟରେ ଲୁଣ ଅଭାବର କୋକୁଆ ଭୟ ଦେଖିବାକୁ ମିଳିଥିଲା । ଲୋକେ ତେଜରାତି ଦୋକାନ ମାନଙ୍କ ସାମନାରେ ଭିଡ ଜମାଇଥିଲେ ।
ଆମେ ସମସ୍ତେ ଜାଣୁ ଯେ ଖାଦ୍ୟ ଯେତେ ସୁନ୍ଦର ରନ୍ଧା ହୋଇଥିଲେ ମଧ୍ୟ ଯଦି ସେଥିରେ ଲୁଣ ନ ପଡେ ତାହା ସୁସ୍ୱାଦୁ ହୋଇ ନ ଥାଏ । ତେଣୁ ଲୁଣର ଚାହିଦା ଘରେଘରେ ଅଧିକ ହୋଇଥାଏ । କରୋନା ମହାମାରୀ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ତାଲାବନ୍ଦ ଆଜି ତୃତୀୟ ପ୍ରର୍ଯ୍ୟାୟରେ ପହଞ୍ଚିଛି । ଅନାବଶ୍ୟକ ବାହାରକୁ ବାହାରିବା ପାଇଁ ସମସ୍ତଙ୍କୁ ବାରଣ କରାଯାଇଛି । ଲୋକେ ତାଲାବନ୍ଦକୁ ମାନି ଘରେଘରେ ରହିଛନ୍ତି । ତୃତୀୟ ପ୍ରର୍ଯ୍ୟାୟ ତାଲାବନ୍ଦ ପରେ ମଧ୍ୟ ନୂଆପଡା ଜିଲ୍ଲା ନିଜକୁ କରୋନା ପଜିଟିଭ ଶୂନ୍ୟ ତାଲିକାରେ ରଖିବାରେ ସକ୍ଷମ ହୋଇପାରିଛି । କିନ୍ତୁ ଆଜି ସକାଳେ ଲୁଣ ଆଉ ମିଳିବ ନାହିଁ ଭଳି ଗୁଜବରେ ଜିଲ୍ଲାବାସୀ ଭୟଭିତ ହୋଇ ପଡିଥିଲେ । ନୂଆପଡା ଜିଲ୍ଲା ର ସମସ୍ତ ଦୋକାନୀ ବିଭିନ୍ନ ପ୍ରକାର ଜିନିଷ ଆମଦାନି ପାଇଁ ପଡୋଶି ଛତିସଗଡ ରାଜ୍ୟ ରାଜଧାନୀ ରାୟପୁର ଉପରେ ନିର୍ଭର କରିଥାନ୍ତି । ଗୁଜବରେ ରାୟପୁର ରେ ମଧ୍ୟ ଲୁଣ ଗଛିତ ନାହିଁ ଓ ଆଗାମୀ ସମୟରେ ଲୁଣ ମିଳିବା କଷ୍ଟକର ହେବ ଏବଂ ଲୁଣ ଦର ବର୍ତ୍ତମାନ ଅପେକ୍ଷା ବହୁତ ବଢିଜିବ ପ୍ରକାଶିତ ହୋଇଥିଲା । ଭୟଭିତ ଲୋକେ ଖରିଆର ରୋଡ, ନୂଆପଡା, କୋମନା, ଉଦ୍ୟାନବନ୍ଧ, ଆଦି ସହର ମାନଙ୍କରେ ଥିବା ତେଜରାତି ଦୋକାନ ମାନଙ୍କ ସାମନାରେ ପ୍ରବଳ ଭିଡ ଲଗାଇ ଜଣପିଛା ୫ ରୁ ୬ ପ୍ୟାକେଟ ଲେଖାଏଁ ପ୍ୟାକେଟ ପିଛା ୪୦ରୁ୫୦ଟଙ୍କା ଦେଇ ଚଢା ଦରରେ ଲୁଣ କିଣିବାର ଦେଖାଯାଇଥିଲା । ଲୁଣ କିଣିବା ଜୋସରେ ନା ଲୋକଙ୍କ ମୁହଁରେ ଥିଲା ମାସ୍କ ନା ସାମାଜିକ ଦୂରତାର ସଚେତନତା । ସତେ ଯେମିତି କରୋନା ମହାମାରୀର ଭୟ ଲୁଣ କିଣିବାର ଆବଶ୍ୟକତା ଆଗରେ ହାର ମାନିଯାଇଥିଲା । ସହରାଞ୍ଚଳରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୁଣ ଅଭାବର ଭୟ ଦେଖାଦେଇଛି । ଭବିଷ୍ୟତରେ ଲୁଣ ନ ମିଳିବାର ଗୁଜବ କେତେଦୂର ସତ ତାହା ବୁଦ୍ଧିଜିବୀଙ୍କ ମହଲରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି |

ସୁନ୍ଦରଗଡରେ ସ୍ବର୍ଗତ ସୁବାସ ଚୌହାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ସୁନ୍ଦରଗଡ) ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାଷ ଚୌହ୍ୱାନଙ୍କ 54 ବର୍ଷ ବୟସରେ ପରଲୋକ ଘଟିଛି । ଲିଭର କ୍ୟାନସରରେ ପୀଡିତ ଶ୍ରୀ ଚୌହ୍ୱାନ ଗତ ୫ ଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥା ଉଦବେଗଜନକ ଥିବାରୁ ବରିଷ୍ଠ ଡାକ୍ତରଙ୍କୁ ନେଇ ଗଠିତ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩ଟା ୫ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ତଥା ଦକ୍ଷ ସଙ୍ଗଠକ ଭାବରେ ପରିଚିତ ଥିଲେ l ତାଙ୍କର ବିୟୋଗ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଅପୂରଣୀୟ କ୍ଷତି l ପଶ୍ଚିମ ଓଡିଶାର ପ୍ରଗତି ପ୍ରତି ତାଙ୍କ କାର୍ଯ୍ୟନିଷ୍ଠା ଓ ତ୍ୟାଗ ଓ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ବିୟୋଗରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ସାଙ୍ଗଠନିକ ଜ଼ିଲ୍ଲା ତରଫରୁ ସଭାପତି ଶ୍ରୀ ବିନୟ କୁମାର ଟପ୍ପୋ, ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ, ବରିଷ୍ଠ ନେତା ଜନ୍ମଜୟ ମହାପାତ୍ର, ଗୋପ ମହାନ୍ତି, ଜୟ ନାରାୟଣ ତ୍ରିପାଠୀ,ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରଜେନ୍ଦ୍ର ସିଂ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ କୁମାର ପଣ୍ଡା, ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ ନାଏକ, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ସୁନ୍ଦରଗଡ଼ ନଗର ସଭାପତି ସୁରେନ୍ଦ୍ର ଭିତରିଆ, ସଦର ବ୍ଲକ ଉପଧକ୍ଷ ତଥା ସଭାପତି ଅଶ୍ଵିନୀ କୁମାର ନାଏକ, ଟାଙ୍ଗରପାଲି ବ୍ଲକ ସଭାପତି ସନ୍ତୋଷ ଆଚାର୍ଯ୍ୟ, ଟାଙ୍ଗରପାଲି ବ୍ଲକ ଅଧକ୍ଷ ଜଟିଆ ମୁଣ୍ଡା ସମେତ ଅନ୍ୟମାନେ ଗଭୀର ଶୋକ ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛନ୍ତି l

ଅନୁସୂଚିତ ଜାତିର ନାବାଳିକାକୁ ଗଣବଳାତ୍କାର ଅଭିଯୋଗ: ୩ ଅଭିଯୁକ୍ତ ଯୁବକ ଗିରଫ ।

!!! ବାରିପଦା ରୁ ଟାଉନ ପ୍ରତିନିଧି ଅମିତ୍ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାରିପଦା)- ପୁଣି ଫେରିଲା କଳଙ୍କ | ସାତ ବର୍ଷର ବ୍ୟବଧାନ ପରେ ବାରିପଦା ସହରରେ ପୁଣି ଥରେ ଗଣବଳାତ୍କାର ଭଳି ଏକ ଅମାନବୀୟ ମାମଲା ସାମନାକୁ ଆସିଛି । ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅନୁସୂଚିତ ଜାତିର ଧରମ ଭଉଣୀକୁ ଘରୁ ଡ଼ାକି ନେଇ ଅନ୍ୟ ୨ ସାଙ୍ଗମାନଙ୍କ ସହିତ ମିଶି ୧୫ ବର୍ଷୀୟା ନାବାଳିକା ସହିତ ଜଣେ ପରେ ଜଣେ ଗଣବଳାତ୍କାର କରିଥିବାର ଅଭିଯୋଗ ହୋଇଛି । ବାରିପଦା ମଧୁବନ ପଡ଼ିଆ ନିକଟ ଗେରେଜରେ ମେ ୧୨ ରାତିରେ ଏହି ଘଟଣା ଘଟିଛି । ରାତି ପ୍ରାୟ ୩ଟା ପରେ ଅଭିଯୁକ୍ତମାନେ ବାହାରକୁ ବାହାରି ଆସିବା ପରେ ପିଡ଼ିତା ନାବାଳିକା ସୁଯୋଗ ଉଣ୍ଡାଇ ଖସି ପଳାଇ ଆସିବାରେ ସଫଳ ହେବା ପରେ ମେ ୧୩ରେ ବାରିପଦା ଟାଉନ ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିଛି । ପିଡ଼ିତା ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ତାର ଧରମ ଭାଇ ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ପେଟ୍ରୋଲ ଆଣିବା ନିମନ୍ତେ ଘରୁ ଡ଼ାକି ନେଇଯାଇଥିଲା । ଟାଙ୍କିରୁ ପେଟ୍ରୋଲ ଆଣି ନାବାଳିକାକୁ ଧରି ପ୍ରଥମେ ମଧୁବନ ପଡ଼ିଆରେ ପହଁଞ୍ଚିଥିଲା । ସେଠାରେ ଅନ୍ୟ ଦୁଇ ସାଙ୍ଗମାନଙ୍କ ସହିତ ମିଶି ପ୍ରଥମେ ନାବାଳିକା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପରେ ନିକଟସ୍ଥ ଗେରେଜ ଭିତରକୁ ନେଇଯାଇଥିଲେ । ସେଠାରେ ନାବାଳିକାର ମୁହଁରେ କପଡ଼ା ବାନ୍ଧି ଜଣେ ପରେ ଜଣେ ଗଣବଳାକ୍ରାର କରିବାରେ ଲାଗିପଡ଼ିଥିଲେ । ଅଭିଯୁକ୍ତମାନେ ହେଲେ ପିଡ଼ିତା ନାବାଳିକାର ଧରମ ଭାଇ ତଥା ବାରିପଦା ଷ୍ଟେସନ ବଜାର ସେକ୍ କାଲୁଙ୍କ ପୁଅ ସେକ୍ ରଫିକ୍ ଓରଫ ସଫୁଆ(୨୩), ୱାର୍ଡ ନମ୍ବର ୭, ମଧୁବନ ଅଞ୍ଚଳରେ ରହୁଥିବା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଜିରୀଡା ଗ୍ରାମର ସନାତନ ଦାସଙ୍କ ପୁଅ ରବୀନ୍ଦ୍ର ଦାସ ଓରଫ ରବି(୨୮) ଓ ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୧୪ ଶୁନଗଡ଼ିଆ ଅଞ୍ଚଳର ସେକ୍ ନୁରୁଙ୍କ ପୁଅ ଶେଖ ନିଆଜୁର ଓରଫ ବୁତୁରୁ । ନାବାଳିକାର ଅଭିଯୋଗ କ୍ରମେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୭୬(୩), ୩୭୬(ଡ଼ି), ୩୪ ଏବଂ ସେକସନ ୬ ପୋକ୍ସୋ ଆକ୍ଟ ବଳରେ ଏକ ମାମଲା(କେଶ ନଂ. ୩୧୧/୨୦୨୦) ରୁଜୁ କରାଯାଇ ଅଭିଯୁକ୍ତ ସେକ୍ ସଫିକ୍, ରବି ଓ ଶେଖ ନିଆଜୁରଙ୍କୁ ଗିରଫ କରାଯାଇ ବାରିପଦା ପିଆରଏମ ମେଡ଼ିକାଲରେ ଡ଼ାକ୍ତରୀ ପରୀକ୍ଷା କରାଯାଇଛି । ସେହିପରି ପୀଡ଼ିତା ନାବାଳିକାର ମଧ୍ୟ ଡ଼ାକ୍ତରୀ ମାଇନା କରାଯାଇଛି । ଏଥି ସହିତ ଉକ୍ତ ମାମଲାର ଆଇଓ ରଞ୍ଜିତ କୁମାର ବେହେରା ଏବଂ ସାଇଣ୍ଟିଫିକ୍ ଟିମ ଗେରେଜରେ ପହଁଞ୍ଚି ଗଣବଳାକ୍ରାର ମାମଲାରେ ଯୋଡ଼ି ହୋଇଥିବା ପ୍ରମାଣ ଯୋଗାଡ଼ରେ ଲାଗିପଡ଼ିଥିଲେ ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୧୩ ଜାନୁଆରୀ ୨୧ରେ ବାରିପଦା ମେଡ଼ିକାଲରେ ଚିକିତ୍ସା ହେଉଥିବା ଭାଇର ଯତ୍ନ ନେବାକୁ ଆସିଥିବା ଜଣେ ଅନୁସୂଚିତ ଜନଜାତି ମହିଳା ସନ୍ଧ୍ୟା ୭ଟାରେ ମେଡ଼ିକାଲ ପଛକୁ ସ୍ୱାମୀ ସହିତ ଶୌଚ ନିମନ୍ତେ ଯାଇଥିବା ବେଳେ ସ୍ୱାମୀକୁ ମାଡ଼ ମାରି ଗଣ ବଳାତ୍କାର କରାଯାଇଥିଲା । ଏହାକୁ ନେଇ ବାରିପଦା ଟାଉନ ଥାନାରେ ଆଇପିସି ଧାରା ୩୪୧, ୩୨୩, ୫୦୬, ୩୭୬(୨)(ଜି) ବଳରେ କେଶ ନଂ ୧୯/୨୦୧୩ରେ ମାମଲା ରୁଜୁ କରାଯାଇଥିଲା ଏବଂ ଅଭିଯୁକ୍ତମାନେ ଅଦାଲତ ଦ୍ୱାରା ଦଣ୍ଡିତ ହୋଇସାରିଛନ୍ତି ।

ଶିଶୁଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଅଣ୍ଡା ବାଟମାରଣା ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପୋଲସରା) – -ଶିଶୁମାନଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଭାବେ ସମନ୍ବିତ ଶିଶୁ ବିକାଶ ସେବା ବିଭାଗ ଗଠନ କରିଛନ୍ତି। ଏହି ବିଭାଗ ସାଧାରଣତଃ ଜନ୍ମରୁ ଛଅ ବର୍ଷୀୟ ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତି ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଶିଶୁମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ କାର୍ଯ୍ୟକରେ । ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ଅଛନ୍ତି। କିନ୍ତୁ କେତେକ ସ୍ଥାନରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଅତି ନିମ୍ନମାନର ହେଉଥିବା ବେଳେ କେତେକ ସ୍ଥାନରେ ଏହାର ବାଟମାରଣା ହେଉଥିବା ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ପଞ୍ଚାୟତରେ l ଗୋଚ୍ଛାବାଡ଼ି ଅଙ୍ଗନବାଡି କେନ୍ଦ୍ର -2 ରେ ଦିଆଯାଉଥିବା ଖାଦ୍ୟର ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। କେନ୍ଦ୍ରରେ ପଢ଼ୁଥିବା ଶିଶୁଙ୍କ ପାଇଁ ମାସକୁ 20 ଟି ଏବଂ ପ୍ରସୂତିମାନଙ୍କ ପାଇଁ 12 ଟି ଅଣ୍ଡା ଦେବାର ବ୍ୟବସ୍ଥା ଥିବାବେଳେ ପ୍ରସୂତି ମାନଙ୍କୁ 12 ଟି ବଦଳରେ 8 ଟି ଅଣ୍ଡା ଦିଆଯାଉଥିବା ଗ୍ରାମର ଜଗନ୍ନାଥ ଗୌଡ଼, ଅନିଲ ଜେନା, ସଞ୍ଜୟ ଗୌଡ଼, ଦୁର୍ଗା ମାଧବ ବେହେରା ସମେତ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସୁଦେଷ୍ଣା ଗୌଡ଼ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ 12 ଟା ଆସୁଛି କିନ୍ତୁ ଆମେ 8 ଟା ଦୋଉଛୁ l ବାକି 4 ଟା ଅଣ୍ଡା କାହିଁକ ମିଳୁନି ପଚାରିବାରୁ ମୁଁ ଜାଣିନି ବୋଲି ଶ୍ରୀମତୀ ଗୌଡ଼ ଉତ୍ତର ଦେଉଛନ୍ତି। ଏନେଇ ପୋଲସରା ସିଡିପିଓଙ୍କ ସହ ଯୋଗାଯୋଗ କରିବାରୁ ଘଟଣା କଣ ହୋଇଛି ମୁଁ ଅନୁସନ୍ଧାନ କରି କହିବି ବୋଲି ପ୍ରକାଶ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଶିଶୁମାନଙ୍କ ପାଇଁ ଆସୁଥିବା ଖାଦ୍ୟର ବାଟମାରଣା କରୁଛି କିଏ ? ବିଭାଗର ଅଗୋଚରରେ ଏହା ହେଉଛି ନା ଜାଣିଶୁଣି କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେବାକୁ ଦାବି ହୋଇଛି।

କରୋନା ମୁକାବିଲା ପାଇଁ ଓଡ଼ିଆ ସିନେ ତାରକା ଅର୍ଦ୍ଧେନ୍ଦୁଙ୍କ ଦାନ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କୋଭିଡ -19 ର ଭୟାଭୟତା ଦେଶ ତଥା ରାଜ୍ୟର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଭବିଷ୍ୟତରେ ଏହାର କୁପରିଣାମ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବହୁ ବଦାନ୍ୟ ବ୍ୟକ୍ତି କରୋନା ମୁକାବିଲା ପାଇଁ ଦାନ କରୁଥିବାବେଳେ ଏଥିରେ ଓଡ଼ିଆ ସିନେ ତାରକା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ପ୍ରଭାବିତ ହୋଇ ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଉପସ୍ଥିତିରେ ଅର୍ଦ୍ଧେନ୍ଦୁ ଓ ତାଙ୍କ ପତ୍ନୀ ପଲ୍ଲବୀ ମହାରଥୀ ଏହି ଚେକ ପ୍ରଦାନ କରିଥିଲେ। ଚେକ ପ୍ରଦାନ ବେଳେ ଅର୍ଦ୍ଧେନ୍ଦୁ କହିଥିଲେ ଯେ, ଏହି ଅର୍ଥ ରାଶି ସେ ନିଜ ପରିବାର ତରଫରୁ ଦାନ କରିଛନ୍ତି । ଏବଂ ଅଦୃଶ୍ୟ ଶତୃ କରୋନା ବିପକ୍ଷ ଲଢେଇରେ ଓଡ଼ିଶା ନିଶ୍ଚୟ ବିଜୟୀ ହେବ ବୋଲି ଦୃଢ଼ ବିଶ୍ୱାସ ରହିଥିବା ପ୍ରକାଶ କରିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉଭୟଙ୍କୁ ଧନ୍ୟବାଦ ଜଣାଇଥିଲେ।

ମର୍ଦ୍ଦକୋଟ ସଙ୍ଗରୋଧ କେନ୍ଦ୍ରରେ ଶିଶୁପୁତ୍ରକୁ ଜନ୍ମଦେଲେ ମହିଳା।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ମର୍ଦ୍ଦରାଜ ହାଇସ୍କୁଲ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡିଛି l ପ୍ରସୂତି ଜଣକ ହେଉଛନ୍ତି ବି. ଗୁଡ଼ିଆଳି ଗ୍ରାମର ଡ୍ରାଇଭର ପ୍ରଧାନଙ୍କ ସ୍ତ୍ରୀ ସନ୍ତୋଷିନୀ (28) l ସେ ଗତ 7ତାରିଖ ଦିନ ସ୍ୱାମୀଙ୍କ ସହ ସୁରାଟରୁ ଫେରି ମର୍ଦ୍ଦକୋଟ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ l ଆୟୁଷ ଡାକ୍ତର ସଞ୍ଜୟ ସାହୁ, ଏମପିଏଚଡବ୍ଲୁ ସୁରେନ୍ଦ୍ର ପ୍ରଧାନ, ଏଏନଏମ, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସହାୟତାରେ ଜନ୍ମିତ ଶିଶୁପୁତ୍ର ଏବଂ ପ୍ରସୂତି ସୁସ୍ଥ ଥିବାବେଳେ ପ୍ରାଥମିକ ପରୀକ୍ଷା ପାଇଁ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ପଠାଯାଇଥିବା ଜଣାପଡିଛି l ସଙ୍ଗରୋଧ ଇନଚାର୍ଜ ପ୍ରକାଶ ଚନ୍ଦ୍ର ସେଠୀ, ସରପଞ୍ଚ ପ୍ରତିନିଧି ଦୀପକ ନାୟକଙ୍କ ଉପସ୍ତିତିରେ ବିଡ଼ିଓ ଦେବବର ପ୍ରଧାନ ଆସି ସ୍ଥିତି ସମୀକ୍ଷା କରିଥିବା ସୂଚନା ମିଳିଛି l