ଗ୍ରାମାଞ୍ଚଳରେ ଲକ ଡାଉନ ପ୍ରଭାବ ଶୂନ୍ୟ, ଗୁରୁତ୍ୱ ହରାଉଛି ସଚେତନତା ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – କୋରନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି l ଯାହାର ଅର୍ଥ ନିହାତି ଆବଶ୍ୟକ ନଥିଲେ 21 ଦିନ ଯାଏଁ କେହି ଘରୁ ପଦାକୁ ବାହାରିବେନି ଓ ସାମାଜିକ ଦୂରତ୍ୱ ବଜାୟ ରଖିବେ l କିଛି ଅମାନିଆ ଲୋକଙ୍କୁ ବାଦ ଦେଲେ ସହରାଞ୍ଚଳରେ ପ୍ରାୟ ଅଧିକାଂଶ ଜନତା ଏହାକୁ ମାନି ଘରେ ରହିବାକୁ ଶ୍ରେୟ ମଣୁଛନ୍ତି ଏବଂ ଏହା ନିରାପଦ ମଧ୍ୟ l ଆବଶ୍ୟକ ପଡିଲେ ହିଁ ଲୋକମାନେ ସଉଦା ପାଇଁ ପଦାକୁ ଆସିବାକୁ ବାଧ୍ୟ ହେଉଛନ୍ତି l ତେଣୁ ଲୋକଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇବା ପାଇଁ ରେସନ, ଫଳ, ପନିପରିବା, କ୍ଷୀର, ମେଡ଼ିସିନ ଆଦି ଦୋକାନ ଖୋଲା ରହିବାକୁ ସରକାର ଅନୁମତି ଦେଇଛନ୍ତି l ହେଲେ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁନାହିଁ l ପୂର୍ବଭଳି ଗ୍ରାମ ପରିବେଶ ଯେମିତି ଥିଲା ଏବେବି ସେମିତି ରହିଛି l ପୁଲିସ ଭୟରେ କିଛି ଦୋକାନ ବନ୍ଦ ଥିବା ଛାଡିଦେଲେ, ପିଲାଠୁ ଆରମ୍ଭ କରି ବଡ ଯାଏଁ ଏଣେତେଣେ ବୁଲିବା ଜାରିରହିଛି, ଛକ ଗୁଡିକରେ ଜମାହୋଇ ଗୁଲି ଖଟି କରିବା, ତାସ ଖେଳିବା, ସ୍ନାନ, ଶୌଚାଦି ପାଇଁ ସର୍ବସାଧାରଣ ପୋଖରୀ, କେନାଲ ଆଦି ବ୍ୟବହାର କରିବା, ପରସ୍ପରର ଘରକୁ ଯିବା ଆସିବା, ବସଉଠ ହେବା,ଆବଶ୍ୟକୀୟ ପଦାର୍ଥ ବିନା ସତର୍କତାର ମଗା ଯଚା ହେବା, ପିଲାମାନେ ସାଙ୍ଗହୋଇ ଖେଳକୁଦ କରିବା ଆଦି ଯଥା ପୂର୍ବଂ ତଥା ପରଂ ଜାରିରହିଛି l ଲୋକଙ୍କୁ ସଚେତନ କରିବା ପାଇଁ ସରକାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି l ପ୍ରଶାସନ, ପୁଲିସ, ମିଡ଼ିଆ ସମସ୍ତେ ଏକାଧାରରେ ଲାଗିପଡିଛନ୍ତି l ଟିଭି, ସୋସିଆଲ ମିଡ଼ିଆ, ଫେସବୁକ, ହ୍ୱାଟ୍ସଅପରେ ସମସ୍ତେ ଏହାର ଭୟାଭୟତାର କୁପରିଣାମ ଦେଖୁଛନ୍ତି l ତଥାପି ଗ୍ରାମାଞ୍ଚଳର ପରିବେଶରେ କୌଣସି ପରିବର୍ତନ ପରିଲକ୍ଷିତ ହେଉନି l  ବେଗୁନିଆପଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଏହା ବିନା କୌଣସି ଭୟରେ ଚାଲିଛି l ଦୁର୍ଭାଗ୍ୟବଶତଃ ଜଣେ କେହି ଯଦି କରୋନା କବଳରେ ଆସିଯାଏ ତାହେଲେ ଏହାଯେ କେତେ କ୍ଷିପ୍ରଗତିରେ ବ୍ୟାପିବ କାହାକୁ ଅଛପା ନାହିଁ l ତେଣୁ ଜନସାଧାରଣ ସଜାଗ ରହିବା ଆବଶ୍ୟକ ନଚେତ ପ୍ରଶାସନ କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପଡିବ l ନହେଲେ “ସର୍ବେ ହୋଇବେ ଏକାକାର ନଥିବ ବେଦର ବିଚାର l”

ଉଜ୍ଜଳପଲ୍ଲୀ ଠାରେ ଦେଶୀ ମଦ ଜବତ, ଦୁଇ ଗିରଫ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ଆଜି ପୂର୍ବାହ୍ନ ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ. ଛଚିନା ପଞ୍ଚାୟତର ଉଜ୍ଜଳପଲ୍ଲୀ ଠାରେ ଦେଶୀ ମଦ ବିକୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇ ବସ୍ତା ଦେଶୀ ମଦ ପୁଡିଆ ଜବତ କରିଛି ବେଗୁନିଆପଡା ପୁଲିସ l ଗିରଫ ଦ୍ବୟ ହେଲେ ଉଜ୍ଜଳପଲ୍ଲୀ ଗ୍ରାମର ଟୁକୁନା ପୁଷ୍ଟି ଓ ଅଭି ନାହାକ l ଆଜି ପୂର୍ବାହ୍ନରେ ସେମାନେ ମଦ ବିକୁଥିବା କୌଣସି ସୂତ୍ରରୁ ଖବର ପାଇ ବେଗୁନିଆପଡା ପୁଲିସ ଚଢ଼ାଉ କରିଥିଲା l ବର୍ତମାନ କରୋନା ସଂକ୍ରମଣ ପାଇଁ ଚାରିଆଡେ ଲକ ଡାଉନ ଚାଲିଥିବା ବେଳେ ଗ୍ରାମାଂଚଳରେ ଏହାକୁ ଗୁରୁତର ସହ ନେଉନାହାନ୍ତି l ତେଣୁ ଏଭଳି କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବନି ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l

ଲକ୍ ଡାଉନ ନିୟମକୁ କଡାକଡ଼ି କଲା କୋଦଳା ପୁଲିସ, ତିନି ଅଟକ, କୋଡ଼ିଏରୁ ଉର୍ଦ୍ଧ ଉଲଂଘନକାରୀଙ୍କୁ ଚେତାବନୀ । 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଲକ ଡାଉନ ଆଇନ ଉଲଂଘନକାରୀଙ୍କ ଉପରେ କୋଦଳା ପୁଲିସ ଦୃଢ ହୋଇଛି l ଗତକାଲି ଲକ ଡାଉନ ନିୟମକୁ ଅଧିକାଂଶ ଵ୍ୟକ୍ତି ହାଲକା ଭାବେ ନେଇ ରାସ୍ତାଘାଟରେ ଏଣେତେଣେ ବୁଲାବୁଲି କରିବା ଦେଖାଦେଇଥିଲା l ବିନା କାରଣରେ ପୁଲିସ ପାସ ପାଇବା ପାଇଁ ଥାନାରେ ବହୁସଂଖ୍ୟାରେ ଲୋକ ଜମାହୋଇ ଗହଳି କରିଥିଲେ l ଫଳରେ କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ସରକାର କରିଥିବା ସାମାଜିକ ଦୂରତ୍ୱର ପ୍ରକୃତ ଉଦେଶ୍ୟର ଆବଶ୍ୟକତା ଉପରେ ଲୋକଙ୍କ ଚିନ୍ତାଧାରାରେ କୋଣସି ପରିବର୍ତନ ପରିଲକ୍ଷିତ ହୋଇନଥିବା ଅନୁଭବ କରି କୋଦଳା ଓ ବେଗୁନିଆପଡା ପୁଲିସ ବୁଧବାର ଆଇନକୁ କଡାକଡି ଭାବେ ପାଳନ କରିଥିଲେ l ଲୋକଙ୍କୁ ସଚେତନ କରିବା ପାଇଁ କୋଦଳାରେ ନିୟମ ଉଲଂଘନ କରି ଦୋକାନ ଖୋଲିଥିବା ଅଭିଯୋଗରେ ତିନି ଜଣକୁ ଅଟକ ରଖାଯାଇଛି l କୋଡିଏରୁ ଉର୍ଦ୍ଧ ବାଇକ ଆରୋହୀଙ୍କୁ ପିଆର ବଣ୍ଡରେ ଚେତାବନୀ ଦେଇ ଛଡାଯାଇଛି l ଏହାସହ ପଦାରେ ବୁଲୁଥିବା ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ଚେତାବନୀ ଦିଆଯାଇଥିବା କୋଦଳା ଆଇଆଇସି ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି l

 ଦେଶରେ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ନୁଆଦିଲ୍ଲୀ)- “ଆଜି ରାତି ୧୨ଟାରୁ ୨୧ ଦିନ ଯାଏଁ  ଲକଡାଉନ୍ ହେବ ।ଆଜି ରାତି ୧୨ ଟାରୁ ସାରା ଦେଶରେ ଏହି ଲକଡାଉନ୍ ହେବାକୁ ଯାଉଛି”ଏହାଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଙ୍କ  ଦ୍ଵିତୀୟ ସମ୍ବୋଧନ l ସାରା ଦେଶ ଉତ୍କଣ୍ଠାର ସହ ଚାହିଁରହିଥିଲା ତାଙ୍କର ବକ୍ତବ୍ୟକୁ  l ଯଦି ୨୧ ଦିନ ଆମେ ଏହାକୁ ନପାଳିବା ତାହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବାର ସତର୍କ କରି  ଦେଶକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଆଜି ପୁଣି ଥରେ କରୋନା ବୈଶିକ ମହାମାରୀ ନେଇ ଆଲୋଚନା କରିବା ପାଇଁ ଆପଣଙ୍କ ପାଖକୁ ଆସିଛି । ୨୨ ମାର୍ଚ୍ଚ ଜନତା କର୍ଫ୍ୟୁ ସଙ୍କଳ୍ପ କରାଯାଇଥିଲା ଏବଂ ଏହାକୁ ଦେଶବାସୀ ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ନିଜ ଯୋଗଦାନ କରିଥିଲେ । ।ଗତ ଦୁଇ ଦିନ ଧରି ଦେଶର ଅନେକ ସ୍ଥାନରେ ଲକଡାଉନ୍ ହୋଇଛି । ସମସ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଗମ୍ଭୀରତାର ସହ ନେବା ଉଚିତ୍।ସମଗ୍ର ଦେଶ ପାଇଁ ସାମାଜିକ ଦୂରତା ଜରୁରୀ । କିଛି ଲୋକଙ୍କ ଅବହେଳା ଆପଣଙ୍କ ଦେଶ ଏବଂ ସମାଜକୁ ବହୁତ ଅସୁବିଧାରେ ପକାଇବ ।ମୁଁ ଦେଶବାସୀଙ୍କୁ ନିବେଦନ କରୁଛି କି ଆପଣ ଯେଉଁଠାରେ ବି ଅଛନ୍ତି ସେଠାରେ ରୁହନ୍ତୁ, ଲକଡାଉନ୍  ୩ ସପ୍ତାହ ହେବ । ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଗାମୀ ୨୧ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

କରୋନା ବିରୋଧୀ ଲଢେଇ ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗଞ୍ଜାମ) – ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ପ୍ରୟାସ ଜାରିରହିଛି l ଦିନକୁଦିନ କଠୋର ହେବାରେ ଲାଗିଛି କଟକଣା l ରାଜ୍ୟ ସରକାର ଗତକାଲି ପାଞ୍ଚୋଟି ଜିଲ୍ଲାକୁ ଲକ ଡାଉନ ଘୋଷଣା କରିଥିବା ବେଳେ ସେଥିରେ ଆଜି ଆଉ ନଅ’ ଜିଲ୍ଲା ଯୋଡିହୋଇଛି l ପ୍ରତି ଜିଲ୍ଲାରେ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଦାଇତ୍ୱ ଦିଆଯାଇଛି l ଗତକାଲିସମସ୍ତେ ଲଗ ଡାଉନକୁ ସମ୍ନାନ ଦେଇ ପାଳନ କରିଥିବା ବେଳେ ଆଜି କିନ୍ତୁ ଏହାର ପୁନରାବୃତ୍ତି ଘଟିନଥିଲା l ଅଧିକାଂଶ ବିନା ଆବଶ୍ୟକତାରେ ପଦାରେ ବୁଲୁଥିବା ଦେଖାଦେଇଥିଲା l ଏହାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିୟମକୁ କଡାକଡି କରିବା ପାଇଁ ଆଜି ଅର୍ଥାତ ସୋମବାର ଦିନ ବ୍ରହ୍ମପୁର ଟାଉନ ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିୟମ କାନୁନ ଉପରେ ବିବୃତି ଦେଇଥିଲେ l ନିୟମ ଗୁଡିକ ମଧ୍ୟରେ ଆସନ୍ତା କାଲି ଅତ୍ୟାବଶ୍ୟକ ଜିନିଷ ଥିବା ଦୋକାନ ଗୁଡିକ ସାତ ଘଂଟରୁ ଚାରିଟା ଯାଏଁ ଖୋଲା ରହିବ, ସମ୍ପୂର୍ଣରୂପେ ବାଇକ ଚଳାଚଳ ବନ୍ଦ ରହିବ, ଅତି ଜରୁରୀ ନଥିଲେ କେହି ପଦାରେ ବୁଲିବେନି l ଏଥିରୁ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ହେବ l ତେବେ ମିଡିଆରେ କାମକରୁଥିବା ବ୍ୟକ୍ତିମାନେ ପାସ ପାଇବେ l ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହ  ବିଏମସି କମିଶନର ଶ୍ରୀ ରାଠୋର, ସିଡ଼ିଏମଓ ଆଦି ଉପସ୍ଥିତ ଥିଲେ l

୧୦୬ ଲିଟର ବିଦେଶୀ ମଦ ସହ ଅଟୋ ଜବତ, ଜଣେ ଅଟକ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) -ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଅଞ୍ଚଳରେ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ୧୦୬ ଲିଟର ବିଦେଶୀ ମଦ ସହ ମଦ ବୋଝେଇ ଅଟୋ କୁ ମଧ୍ୟ ଜବତ କରିଛି ପୋଲିସ ।ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ସଦଳ ବଳେ ଚଢ଼ାଉ କରି ମଦ ସହ ଅଟୋ କୁ ଜବତ କରି ଫାଣ୍ଡି କୁ ଆଣିଥିବା ବେଳେ ଚୋରା ଚାଲାଣ କରୁଥିବା ଅଭିଯୋଗ ରେ ଆଇତିପୁର ଗ୍ରାମର ବୁଲୁ ପଲେଇ କୁ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ସୂଚନା ଦେଇଛନ୍ତି ।ଏ ସମ୍ପର୍କରେ ଥାନା କେସ ନମ୍ବର ୧୧୬/୨୦୨୦ ରେ ଏକ ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି ।

ଡାକବାଜୀ ଯନ୍ତ୍ର ଦ୍ବାରା ଜନତାଙ୍କୁ ସଚେତନ କରାଇଲେ ଖଲ୍ଲିକୋଟ ଥାନା ଅଧିକାରୀ ଓ ବିଡ଼ିଓ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜନତା କର୍ଫ୍ୟୁକୁ ଦେଶବାସୀ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । କେତେକ ରାଜ୍ୟରେ ସଂପୁର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ କେତେକ ରାଜ୍ୟ କିଛି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଆମ ରାଜ୍ୟରେ ୧୪ ଟି ଜିଲ୍ଲାକୁ ଚଳିତ ମାସ ୨୯ ତାରିଖ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯିବା ସହ ପାଳନ ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାସନ, ପନିପରିବା ଫଳଦୋକାନ ଓ ଔଷଧ ଦୋକାନ ବ୍ୟତିତ ଅନ୍ୟାନ୍ୟ ଦୋକାନ ବନ୍ଦ କରିବା ସହ ଦୁଇ ଚକିଆ ଯାନରେ ଜଣେ ଓ ଅଟୋ ରିକ୍ସାରେ ଦୁଇଜଣ ଯିବାପାଇଁ ନିର୍ଦ୍ଦେଶ ଥିବାବେଳେ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ କେତେକ ସ୍ଥାନରେ ବ୍ୟତିକ୍ରମ ଦେଖାଦେଇଛି । ନିର୍ଦ୍ଦେଶକୁ ଗମ୍ଭିରତାର ସହ ନନେଇ କେତେକ ଲୋକ ବେଖାତିର୍ କରୁଥିବାର ନଜିର୍ ରହିଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଜନସାଧାରଣ ମାନଙ୍କୁ ସଚେତନ କରିବା ସହ ସରକାରୀ ନିୟମକୁ ଅବଗତ କରାଯାଉଛି । ଆଜି ଖଲ୍ଲିକୋଟ ଥାନା ପୋଲିସ ପକ୍ଷରୁ ଖଲ୍ଲିକୋଟ ଠାରେ ଫ୍ଲାଗମାର୍ଚ କରିବାସହ ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ ଓ ବିଡ଼ିଓ ନବକୃଷ୍ଣ ଜେନା ଡାକବାଜି ଯନ୍ତ୍ର ମାଧ୍ୟମରେ ଖଲ୍ଲିକୋଟ ଓ ଖଲ୍ଲିକୋଟର କିଛି ପଞ୍ଚାୟତ ବୁଲି ଲୋକଙ୍କୁ ସଚେତନ କରାଇଥିଲେ ।

ଆଳୁ ଦର ବୃଦ୍ଧି, ଜନସାଧାରଣ ଙ୍କୁ ସଚେତନତା କରୁଛନ୍ତି ସ୍ଥାନୀୟ ସମାଜସେବୀ ଓ ନେତୃବୃନ୍ଦ ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା) – ଆଳୁ ଦର ବୃଦ୍ଧି, ଜନସାଧାରଣ ଙ୍କୁ ସଚେତନତା କରୁଛନ୍ତି ସ୍ଥାନୀୟ ସମାଜସେବୀ ଓ ନେତୃବୃନ୍ଦ ମାନେ ଗଞ୍ଜାମ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ , କୁମ୍ଭାରଗାଁ ପଞ୍ଚାୟତ ର କିଛି ରାଜନୈତିକ ନେତୃବୃନ୍ଦ, ସମାଜସେବୀ, ଶିକ୍ଷକ, ଯୁବଗୋଷ୍ଠୀ, ବିଜୁ ଯୁବ ବାହୀନି ର ସଦସ୍ୟ ମାନେ ମିଶି ଏହି ଦୁଇଗୋଟି ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣ ମାନଙ୍କୁ ବ୍ୟାପକ ସଚେତନତା କରିଛନ୍ତି । ପ୍ରାୟତଃ ଲୋକ ମାନୁଥିବା ବେଳେ ପ୍ରାୟ ବହୁ ଲୋକ ଏହାକୁ ବେଖାତିର୍ କରି ସାଧାରଣ ଭlବରେ ଗାଁ ରେ ବୁଲିବା ଏକାଠି ହୋଇ ଚାସ ଖେଳିବା, ବାଇକ ରେ ଯିବା ଆସିବା କରିବା , ଏହା ସାଙ୍ଗକୁ ପୋଖରୀରେ ଗାଧୋଇ ଯିବା ସହ ଗ୍ରାମରେ ରାସ୍ତା କଡରେ ଝାଡ଼ା ବସି ପରିବେଶକୁ ପ୍ରଦୂଷିତ କରୁଛନ୍ତି l ବିଶେଷ ଭlବରେ ଦୁଇ ଚକିଆ ଯାନ ରେ ଲୋକ ମଧ୍ୟ ଯା ଆସ କରୁଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ଧରପଗଡ ଚାଲିଛି l ସେପଟେ ଲୋକ ସଚେତନ ଥିବା ବେଳେ କିଛି ଲୋକଙ୍କ ଯୋଗୁଁ ଅସନ୍ତୋଷ ବଢିଛି । ଏହା ସାଙ୍ଗକୁ ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆଳୁ ଦର କିଲୋପ୍ରତି ୨୫ ରୁ ୩୦ ଟଙ୍କା ବିକ୍ରି ହେଉଛି । ଏବଂ କିଛି ଜାଗା ରେ ମଧ୍ଯ ଆଳୁ ର ସଙ୍କଟ ଦେଖା ଦେଇଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ କିଛି ବୁଦ୍ଧିଜୀବୀ ଏବଂ ଯୁବ ସମାଜ ସେବୀ ମାନେ ଦାବୀ କରିଛନ୍ତି । ଆସନ୍ତୁ ଶୁଣିବା ଭାରତ ଲକ୍ ଡାଉନ ଉପରେ କଣ କହୁଛନ୍ତି ଜନସାଧାରଣ ମାନେ ।