ନେମାଳୋ ପୀଠର ହେବ ବିକାଶ : ତୀର୍ଥ ଓ ପର୍ଯ୍ୟଟନ ଦୃଷ୍ଟିରୁ କରାଯିବ ଆକର୍ଷଣୀୟ;ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ଉଚ୍ଚସ୍ତରୀୟ ବୈଠକ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ପ୍ରସିଦ୍ଧ ନେମାଳୋ ପୀଠର ବିକାଶ ସଂପର୍କରେ ପଂଚାୟତିରାଜ,ପାନୀୟ ଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳୋ ପଂଚାୟତର ଏକ ତୀର୍ଥସ୍ଥାନ ଯାହା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠ ସ୍ଥଳୀ ଭାବେ ପରିଚିତ । ଅନେକ ଏହାକୁ ପଦ୍ମବନ ଭାବେ ଅବିହିତ କରିଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥିବା ଏହି ପୀଠକୁ ଦୈନନ୍ଦିନ ପର୍ଯ୍ୟଟକ , ଶ୍ରଦ୍ଧାଳୁଙ୍କ ଆଗମନ ଏବଂ ଏଠାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣିରେ ଜନସମାଗମକୁ ଆଦିକୁ ଦୃଷ୍ଟିରୁ ଏହି ପୀଠର ବିକାଶ ପାଇଁ ଆଜିର ବୈଠକରେ ଗୁରୁତ୍ୱ ଆରୋପ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତି ହୋଇଛି । ଏହି ପୀଠ ଏବଂ ଏହାର ଚତୁର୍ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ଜନସାଧାରଣଙ୍କ ସୁବିଧା, ଆନନ୍ଦ ବଜାରର ଉନ୍ନତିକରଣ , ଆଲୋକୀକରଣ, ରହିବାର ବ୍ୟବସ୍ଥା ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଆର୍ଥିକ ବ୍ୟବସ୍ଥା ସହିତ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାକୁ ସ୍ଥିର ହୋଇଛି । ଏ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଚୁଡାନ୍ତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ବିଧାନସଭାସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଦେବୋତର କମିଶନର, ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ, କଟକ ଉପଜିଲ୍ଲାପାଳ, ନିଶ୍ଚନ୍ତକୋଇଲି ବ୍ଲକ୍ ଚେୟାରମ୍ୟାନ ଅଶୋକ କୁମାର ଓଝା. ବିଡିଓ ଏବଂ କଟକ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ପାରଳାଖେମୁଣ୍ଡି ଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଅତୀତର ସେଇ ପୁଣ୍ୟାତ୍ମା ଓଡ଼ିଆ ଅସ୍ମିତା ସାରସ୍ୱତ ସାଧକମାନଙ୍କ ପରିଶ୍ରମ ଏବଂ ବ୍ୟାକରଣାଗତ ସଂସ୍କାର ଓ ଶୃଂଖଳା ଯୋଗୁଁ ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ଜାତୀୟ ସାହିତ୍ୟ ଇତିହାସରେ ନୁଆଁ ଅଧ୍ୟାୟ ସୃଷ୍ଟି କରିପାରିଛି ।

ଗୁରୁଗୌରବ ଗୌର ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ଡ଼. ବୃଷକେତୁ ଦାଶ, ସମ୍ମାନିତ ବକ୍ତା ଭାବେ ମଂଚରତ୍ନ ବଟକୃଷ୍ଣ ପାତ୍ର ଏବଂ ସଂଯୋଜକ ଭାବେ କବି ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରି ବହୁ ପୁରାତନ ଓଡିଆଭାଷା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ସ୍ଵର୍ଣ ପ୍ରଭାପାଠୀ ସ୍ୱାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ପ୍ରମୋଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଡକ୍ଟର କଲ୍ୟାଣି ମିଶ୍ର ମଧ୍ୟ ନିଜର ବକ୍ତବ୍ୟ ରଖି କହିଥିଲେ ଉପାନ୍ତରେ ଆମର ସମସ୍ତେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ସଦାସର୍ବଦା ଜାଗ୍ରତ ରହିବା ଜରୁରୀ। ଶରତ ଚନ୍ଦ୍ର ସାହୁ,ତ୍ରିପାତି ପ୍ରସାଦ ପଣ୍ଡା ,ନିତ୍ୟ।ନନ୍ଦ ଚୌଧୁରୀ, ବିଶ୍ନୁ ପଣ୍ଡା ପ୍ରଭୃତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ୧୬ ତମ ଉଦ୍ୟୋଗୀ ସପ୍ତାହ ପାଳନ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ୧୬ ତମ ଉଦ୍ୟୋଗୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଆବଶ୍ୟକ ସ୍ଥଳେ ଯୋଗାଇ ଦିଆଯିବ ବୋଲି କହିଥିଲେ। ।
ଅନ୍ୟପକ୍ଷରେ ସଫଳ ଉଦ୍ୟୋଗୀ ହେବାକୁ ହେଲେ ନିଷ୍ଠାର ସହ କଠୋର ପରିଶ୍ରମ ଦରକାର । ଆଜିକାଲି ଉଦ୍ୟୋଗ ପ୍ରତିଷ୍ଠା ଓ ସଫଳ ଉଦ୍ୟୋଗୀ ହେବାପାଇଁ ପ୍ରଚୁର ସୁଯୋଗ ରହିଛି । ତେଣୁ ଚାକିରୀ ପଛରେ ନ ଗୋଡ଼ାଇ ନିଜର ମନ ମୁତାବିକ ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରାଇବା ଦିଗରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମୋହନ ଶବର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଶିଳ୍ପନୀତି-୨୦୧୫ , ସୁକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ , ଉଦ୍ୟୋଗ ବିକାଶ ପୋଲିସି-୨୦୧୬ , ଓଡିଶା ଖାଦ୍ୟ ପ୍ରକ୍ରିୟା କରଣ ପୋଲିସି-୨୦୧୬ ପ୍ରଭୃତି ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଜୟ କୁମାର ମହାନ୍ତି ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବିଷୟରେ ଆଲୋଚନା କରିଥିଲେ | ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ଦିଲୀପ କୁମାର ପଟ୍ଟନାୟକ ଯୋଗଦେଇ ପଶୁସମ୍ପଦ ଓ ସେହି ସମ୍ବନ୍ଧୀୟ ଉଦ୍ୟୋଗ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ । ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପ-ନିର୍ଦ୍ଦେଶକ କେ:ସୁଦର୍ଶନ ଯୋଗଦେଇ ଉଦ୍ୟାନ କୃଷିର ବିଭିନ୍ନ ଦିଗ ସମ୍ପର୍କରେ ବିଷଦ ଭାବେ ବୁଝାଇ ଥିଲେ ।
ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ ମାନେ ଏବଂ ଶତାଧିକ ସଂଖ୍ୟାରେ ଉଦ୍ୟୋଗୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ପିଏମଇଜିପି: ଯୋଜନା ଅନ୍ତର୍ଭୁକ୍ତ ୭ ଜଣ ହିତାଧିକାରୀଙ୍କୁ ଋଣ- ଅନୁମୋଦନ ପତ୍ର ତଥା ଋଣ-ପ୍ରଦାନ ପତ୍ର ବଣ୍ଟନ କରିଥିଲେ ।
ସରକାରୀ ପୋଲିଟେକନିକ ବେତାଗୁଡା ଏବଂ ମହିଳାସ୍ନାତକ ମହାବିଦ୍ୟାଳୟ ପାରଳାଖେମୁଣ୍ଡିର ରଚନା-ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଲ୍ଲା ଶିଳ୍ପ ପର୍ଯ୍ୟବେକ୍ଷକ ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଛଅ ଦିନ ଧରି ଚାଲିଥିବା ଦୋଳଉତ୍ସବ ଉଦ୍‍ଯାପିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ ହୋଇଯାଇଛି |

ପ୍ରତିଦିନ ସନ୍ଧ୍ୟାରେ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳମଣ୍ଡପକୁ ବିଜେ କରୁଥିଲେ । ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ଥିଲା ରାତ୍ରିରେ ମା ମାଣିକେଶ୍ୱରୀ ଓ ରାମଲିଙ୍ଗେଶ୍ୱର ମନ୍ଦିରରୁ ମହାଦେବଙ୍କୁ ବିରାଟ ପଟୁଆରରେ, ଘଣ୍ଟ,ତାଳ,ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ, ବାଜା ବଜାଇ ମେଲଣ ପଡିଆ ନିକଟକୁ ଅଣାଯାଇ ହରିହର ଭେଟ କରାଯାଏ । ପରେ ମୋଘାପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଜ ଜମିଥିଲା । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ବଟକୃଷ୍ଣ ପାତ୍ର ଓ ବିଚିତ୍ରାନନ୍ଦ ବେବର୍ତ୍ତା ଅତିଥି ଭାବେ ଯୋଗ ଦେଇଥିଲେ।

ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମହନ୍ତ ମହାରାଜ ରାଧାନନ୍ଦ ଦାସ ଯୋଗ ଦେଇଥିବା ବେଳେ ଦେବଦୀପାବଳି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ତୃତୀୟ ସନ୍ଧ୍ୟାରେ ପାରଳା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ଅତିଥି ରୂପେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚତୁର୍ଥ ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୃସିଂହ ଚରଣ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବିନ୍ଦୁପ୍ରିୟା ବେହେରାଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଦାମୃତ ନୃତ୍ୟାୟନର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାର ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ ।

ପଞ୍ଚମ ସନ୍ଧ୍ୟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରଳା ରାଜରାଜେଶ୍ୱରୀ କଲ୍ୟାଣୀ ଗଜପତି ନାରାୟଣ ଦେବ , ପ୍ରଦୀପ କୁମାର ନାୟକ ଅତିଥି ରୂପେ ଯୋଗ ଦେଇଥିଲେ। ପରେ ରାଜେନ୍ଦ୍ର ରଥଙ୍କ ସଂଯୋଜନାରେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦର ଶିଳ୍ପୀ ମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ।

ଉଦ୍‍ଯାପନୀ ସନ୍ଧ୍ୟାରେ ଜଗଦୀଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲାଙ୍କର ରାଧାକୃଷ୍ଣ ବେଶ ପ୍ରତିଯୋଗିତା। ରାଧା ବେଶରେ ରଶ୍ମିରେଖା ମିଶ୍ର ପ୍ରଥମ ହୋଇଥିବା ବେଳେ କୃଷ୍ଣ ବେଶରେ ଦୁଶାନ୍ତ ବରାଡ ପ୍ରଥମ ସ୍ଥାନ ହୋଇଥିଲେ ।

ପରେ ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଛାତ୍ରୀମାନେ ଓଡିଶୀ , ମାହାରୀ ନୃତ୍ୟ , ସମ୍ୱଲପୁରୀ ଭଜନ ନୃତ୍ୟ କରିଥିବା ବେଳେ ହୋଲି ଉପରେ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । କାର୍ଯ୍ୟକ୍ରମ ଶେଷରେ ଦେବେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ହରିମୋହନ ପଟ୍ଟନାୟକ ଓ ଦୋଳବନ୍ଧ ଦୋଳ ଉତ୍ସବ କମିଟିର କର୍ମକର୍ତ୍ତା ସମସ୍ତେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ପ୍ରାର୍ଥନା ସଭାରେ ଆଣ୍ଠେଇଲେ ଛାତ୍ର;ଶିକ୍ଷକ -ଅଭିଭାବକ ମୁହାଁମୁହିଁ। ।

!!! ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ରୁ ଅମିତ୍ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାରିପଦା) : ଆଜି ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର(ଏମ୍‌କେସି) ଉଚ୍ଚବିଦ୍ୟାଳୟରେ କିଛି ଛାତ୍ରଙ୍କୁ ପ୍ରାର୍ଥନା ସଭାରେ ଆଣ୍ଠେଇବା ଦଣ୍ଡଦେବାକୁ ନେଇ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରଙ୍କ ମା’। ନବମ ଶ୍ରେଣୀ ଛାତ୍ର ସୁମିତ କୁମାର ସାହୁଙ୍କ ମା’ ତଥା ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ସଦସ୍ୟା ସସ୍ମିତା ବେହେରାଙ୍କ ଅଭିଯୋଗ ଅନୁସାରେ ଏମ୍‌କେସି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତାଙ୍କ ପୁଅଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରାର୍ଥନା ସଭାରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ଆଣ୍ଠେଇବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପୁଅର ଚୁଟିକୁ ନେଇ କଟୁ ମନ୍ତବ୍ୟ ଦେବା ସହିତ ସର୍ବସମ୍ମୁଖରେ ଆଣ୍ଠେଇବାର ଦଣ୍ଡ ଦେଇଥିଲେ। ଯାହାକି ତାଙ୍କ ପୁଅକୁ ମାନସିକଭାବେ ଆଘାତ ଦେଇଛି। ଆଜି ଇଂରାଜୀ ପରୀକ୍ଷା ଥିଲେ ମଧ୍ୟ ସୁମିତ କିଛି ଲେଖିପାରିନଥିଲେ। ଏପରିକି ମାନସିକପୀଡ଼ାର ଶିକାର ଛାତ୍ରଜଣଙ୍କ ଆତ୍ମହତ୍ୟା କରିବାକୁ କହୁଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମା’। କେବଳ ତାଙ୍କ ପୁଅ ନୁହେଁ ଆହୁରି କିଛି ଛାତ୍ରଙ୍କୁ ମଧ୍ୟ ଏପରି ଆଣ୍ଠେଇବାକୁ ଦଣ୍ଡ ଦିଆଯାଇଛି। ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଥିଲେ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ଏପରି ଦଣ୍ଡ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସସ୍ମିତା। ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏମ୍‌କେସି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ଜେନା। ନିଜ ପ୍ରତିକ୍ରିୟାରେ ଶ୍ରୀମତୀ ଜେନା କହିଛନ୍ତି କି ଜଗଜ୍ଜୀବନ ସାହୁ ଏବଂ ସସ୍ମିତା ବେହେରା ସ୍ବାମୀ ସ୍ତ୍ରୀ ହୋଇଥିଲେ ମଧ୍ୟ କୌଶଳକ୍ରମେ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି)ରେ ସଦସ୍ୟ ଭାବେ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ଏବିଷୟରେ ଜଣାପଡ଼ିଲାପରେ ସସ୍ମିତାଙ୍କ ସ୍ବାମୀ ଜଗଜ୍ଜୀବନଙ୍କୁ ଏସ୍‌ଏମ୍‌ସିରୁ ବାହାର କରାଯାଇଥିଲା। ଯାହାର ପ୍ରତିଶୋଧ ନେବାକୁ ଭିନ୍ନଭିନ୍ନ ସମୟରେ ବିଦ୍ୟାଳୟର ଖ୍ୟାତିରେ ଆଞ୍ଚ ଆଣିବାକୁ ଉକ୍ତ ମହିଳା ଜଣଙ୍କ ଏପରି ଅନେକ କାମ କରିଛନ୍ତି। ପରୀକ୍ଷା ଦେବାକୁ ୭୫ପ୍ରତିଶତ ଉପସ୍ଥାନ ଆବଶ୍ୟକ ଥିଲେ ମଧ୍ୟ ଛାତ୍ର ସୁମିତଙ୍କର ମାତ୍ର ୧୪ ପ୍ରତିଶତ ଉପସ୍ଥାନ ରହିଛି। ବିଦ୍ୟାଳୟର ଶୃଙ୍ଖଳାକୁ ବାରମ୍ବାର ଭଙ୍ଗ କରୁଥିବାରୁ ଛାତ୍ରଙ୍କୁ ଶୃଙ୍ଖଳିତ କରିବାକୁ ଆକଟ କରାଯିବା ଉଦ୍ଦେଶ୍ୟରେ ଏପରି ଘଟଣା ଘଟିଯାଇଛି। କୌଣସି ଛାତ୍ରଙ୍କୁ ମାନସିକ କିମ୍ବା ଶାରିରୀକ ନିର୍ଯାତନା ଦିଆଯାଇନଥିବା ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ଜେନା ପ୍ରକାଶ କରିଛନ୍ତି। ସୁମିତଙ୍କ ସହିତ ଆଉ ୪ ଜଣ ଛାତ୍ରଙ୍କୁ ମଧ୍ୟ ଏପରି ଆକଟ କରାଯାଇଥିଲା। ପରେ ଛାତ୍ରମାନଙ୍କୁ କାଉନ୍‌ସେଲିଂ ମଧ୍ୟ କରାଯାଇଥିବା ଶ୍ରୀମତୀ ଜେନା ପ୍ରକାଶ କରିଛନ୍ତି। ତେବେ ଉକ୍ତ ଛାତ୍ରଙ୍କର ମା’ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ପ୍ରଧାନଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି। ତେବେ ପ୍ରାର୍ଥନାସଭାରେ ଛାତ୍ରମାନଙ୍କୁ ଆକଟ କରିବା ଉଦ୍ଦେଶ୍ୟରେ ଆଣ୍ଠେଇବାକୁ କୁହାଯାଇଥିବା ସ୍ପଷ୍ଟ ହୋଇଛି।

ଚଳିତବର୍ଷ ଛତ୍ରପୁର ଠାରେ ଖୋଲାଯିବ କେନ୍ଦ୍ରୀୟ ବିଦ୍ୟାଳୟ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଛତ୍ରପୁର) – ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥି ନିମନ୍ତେ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନସ୍ଲୋ ହାଇସ୍କୁଲର ଏକ କୋଠାରେ ଅସ୍ଥାୟୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିବ। ଚେୟାର ଟେବୁଲ କିଣିବା ପାଇଁ ୩ ଲକ୍ଷ ଟଙ୍କା କେନ୍ଦ୍ରୀୟ ବିଦ୍ୟାଳୟକୁ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ନୂତନ କ୍ୟାମ୍ପସ ପାଇଁ ୧୦ ଏକର ଜମି ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର ଜମି ଚିହ୍ନଟ ହେବ। ଉକ୍ତ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲ ବିଘ୍ନେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କୋଦଳା ଠାରେ ଏନ.ଏ.ସି ବିଜେଡି ମହିଳା ସଙ୍ଘ ତରଫରୁ ବିଜୁ ଜୟନ୍ତି ପାଳିତ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଦଳା) – ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଡ଼ାକ ବଙ୍ଗଳା ପରିସରରେ ବିଜୁ ମହିଳା ସମିତି ପକ୍ଷରୁ ଏନ୍ ଏ ସି ମହିଳା ବିଜେଡ଼ି ସଭାନେତ୍ରୀ ସୁଜତାରାଣୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହିଳା ସମାବେଶ ଓ ଓଡିଶା ର ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ଓକିଲ ସଂଘ ର ସଭାପତି ତଥା ବରିଷ୍ଠ ଓକିଲ ତାରିଣୀ ଚରଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଆମ ପୋଲିସ ସମିତି ର ସଦସ୍ୟ ଦଣ୍ଡପାଣି ପଟ୍ଟନାୟକ ପ୍ରମୂଖ ଯୋଗ ଦେଇ ବିଜୁ ବାବୁ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁବାବୁ ଙ୍କ ଓଡିଶା ପ୍ରତି ଅବଦାନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ ।