ନୂଆପଡ଼ା ଠାରେ ସମନ୍ଵିତ ବୃଷ୍ଟି ପୁଷ୍ଟ କୃଷି ପଦ୍ଧତି ଯୋଜନାର ଶୁଭ ଉନ୍ମୋଚନ ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ଜାତୀୟ ବୃଷ୍ଟି ପୁଷ୍ଟ ଅଞ୍ଚଳ ପ୍ରାଧିକରଣ, ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଓ କୃଷି ସଂଗଠନ ଏବଂ ଭାରତ ସରକାରଙ୍କ ମିଳିତ ଚେଷ୍ଟା ରେ ନୂଆପଡ଼ା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଖାଦ୍ଯ ସୁରକ୍ଷା ଓ ଅଧିକ ରୋଜଗାର ପାଇଁ ଏକାଭିମୁଖୀ ଯୋଜନା ରୂପାୟନ ମାଧ୍ୟମରେ ଭୂଦୃଶ୍ୟ ଆଧାରିତ ସମନ୍ଵିତ ବୃଷ୍ଟି ପୁଷ୍ଟ କୃଷି ପଦ୍ଧତି ଯୋଜନାର ଶୁଭ ଉନ୍ମୋଚନ କରାଯାଇଛି। ଏହି ଯୋଜନା କୋମନା ବ୍ଲକ ର ଦୁଇଟି ଆଦିବାସୀ ଗ୍ରାମରେ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ବହୁ ଉଚ୍ଚ ପଦସ୍ଥ ପଦାଧିକାରୀମାନେ ଯୋଗଦେଇ ଏହି ଯୋଜନା ମାଧ୍ୟମରେ କିଭଳି ଆର୍ଥିକ ଅଭିବୃଦ୍ଧି ହୋଇପାରିବ ତା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଜିଲ୍ଲାପାଳ ମହୋଦୟ ଏହି ଯୋଜନାର ସଫଳ ରୂପାୟନ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ପଥରା ଠାରେ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ପାଳିତ।

!!! ଗଞ୍ଜାମ୍ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କବିସୂର୍ଯ୍ୟନଗର ) – କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପଥରା ଠାରେ ପୂର୍ବତନ ସାଂସଦ ଆସ୍କା ସ୍ବର୍ଗତ ଲଡୁ କିଶୋର ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ପାଳନ ହୋଇଯାଇଛି।ଓଡିଶା ପୂର୍ତ୍ତ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ସ୍ବର୍ଗତ ଲଡୁ କିଶୋର ସ୍ୱାଇଁ ଙ୍କ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିଛନ୍ତି।ମାନ୍ୟବର ବିଧାୟକ ଗୋପାଳପୁର ତଥା ଗଞ୍ଜାମ ଜିଲ୍ଲା ସଭାପତି ଡ଼.ପ୍ରଦିପ କୁମାର ପାଣିଗ୍ରାହୀ ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ,ବିଧାୟିକା ଯୋଗ ଦେଇଛନ୍ତି।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଖଲ୍ଲିକୋଟ ଠାରେ ବିଶ୍ଵ କର୍କଟ ଦିବସ ପାଳିତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ବିଶ୍ବ କର୍କଟ ଦିବସ ଅବସରରେ ବିଶ୍ବର ସବୁ ଦେଶରେ ଏହି ଦିବସକୁ ପାଳନ କରାଯାଇଥାଏ । କର୍କଟ ପରି ଏକ ମାରାତ୍ମକ ରୋଗରେ ବର୍ଷକୁ ପଚାଶ ହଜାରରୁ ଅଧିକ ଲୋକ ଓଡ଼ିଶାରେ ଆକ୍ରାନ୍ତ ହୋଇ ଥାନ୍ତି । ଏହି ରୋଗ ହେବାର ଅନେକ କାରଣ ମଧ୍ୟରୁ ପାନ, ବିଡ଼ି, ସିଗାରେଟ, ଗୁଟୁଖା ଓ ମଦ୍ୟ ସେବନ କରୁଥିବା ବ୍ୟକ୍ତି ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି । ଏଥି ନିମନ୍ତେ ଲୋକ ମାନଙ୍କୁ ସଚେତନ କରିବା ପାଇଁ ଭୂବନେଶ୍ୱର ସ୍ଥିତ ହେଲ୍ପ ଏଜ ଓଡ଼ିଆ ସଂଗଠନ ପକ୍ଷରୁ ଖଲିକୋଟ ସ୍ଥିତ ପ୍ରିମିୟର ଇଂରାଜୀ ମିଡ଼ିୟମ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଖଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ମାଟିଆ ସାହିରେ ସଚେତନତା ରାଲି ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହେଲ୍ପ ଏଜ ଓଡ଼ିଆର ମୂଖ୍ୟ ପରିଚାଳକ ରବୀନ୍ଦ୍ର କୁମାର ସାହୁ, ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ, ପ୍ରିମିୟର ଇଂରାଜୀ ମିଡିୟମ ସ୍କୁଲର ପରିଚାଳକ ତପନ ଆଚାର୍ଯ୍ୟ, ସାମ୍ବାଦିକ ପ୍ରଦୀପ୍ତ କୁମାର ସାହୁ, ଅଶ୍ୱିନୀ ମହାନ୍ତି ଓ ଅମର ସାହୁ ଯୋଗ ଦେଇଥିଲେ ।

ନିୟତି ଅନୁଷ୍ଠାନ ର ବାର୍ଷିକ ବନବିହାର , ଅଭିଭାବକ ସଭା, ତାଲିମ , କ୍ରୀଡ଼ା ଓ ସାଂସ୍କୃତିକ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଦିବ୍ୟାଙ୍ଗ ଏକ ରୋଗ କିମ୍ବା ବେମାର ନୁହେଁ -ଏହା ମନୁଷ୍ୟର ଏକ ଅବସ୍ଥା ମାତ୍ର। ଏପରି ଏକ ମହାନ ସଚେତନତା କାର୍ଯ୍ୟକ୍ରମ କୁ ନେଇ ଗଜପତିର ଏକ ମାତ୍ର ମାନସିକ ଅନଗ୍ରସର ଶିକ୍ଷା ଓ ପିଜିଓଥେରୋପି ତାଲିମ ଅନୁଷ୍ଠାନ ନିୟତି ର (ରାଣୀପେଣ୍ଠ) ରବିବାର ଦିନ ସ୍ଥାନୀୟ ବନଦୁର୍ଗା ମନ୍ଦିର ତୋଟା ଠାରେ ଏକ ବାର୍ଷିକ ବନବିହାର , ଅଭିଭାବକ ସଭା, ତାଲିମ , କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବନ୍ଧୁମିଳନ ମଧ୍ୟ ହୋଇଥିଲା। ନିୟତିର ସଂସ୍ଥାପକ ତଥା ସମ୍ପାଦକଙ୍କ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମରେ ହିତାକଂକ୍ଷୀ ମାନେ ଦିବ୍ୟଙ୍ଗ ମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସମ୍ବିଧାନିକ ଅଧିକାର ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। “ଦିବ୍ୟଙ୍ଗ ଏକ ରୋଗ ନୁହେଁ ଏହା ଏକ ଅବସ୍ଥା ମାତ୍ର” ଏହା ସଚେତନତା କରାଇବା ଏହାର ଥିଲା ମୁଖ୍ୟ ଉଦ୍ଦେଶ୍ଯ । ଏହି କାର୍ଯ୍ୟକ୍ରମରେ ଡକ୍ଟର କଲ୍ୟାଣୀ ମିଶ୍ର,ବଳରାମ ନାଗା, ସୌଦାମିନୀ ପାତ୍ର, ଭାରତ ଭୂଷଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ରଥ, ସ୍ବର୍ଣ୍ଣ ପ୍ରଭା ପାଠୀ , ସମ୍ପୁର୍ଣ୍ଣା ନନ୍ଦ ବେବର୍ତ୍ତା ଯୋଗଦେଇ ଥିବାବେଳେ ସ୍ନେହଲତା ପାଣିଗ୍ରାହୀ,ଜ୍ୟୋଷ୍ଣା ଡାକୁଆ, ଶାଶ୍ୱତି ବେବର୍ତ୍ତା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଗଜପତି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଜିଲ୍ଲାସ୍ତରୀୟ ଅଭିଯୋଗକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଯୋଗଦାନକରୀ ଜନସାଧାରଣଙ୍କର ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ତତ୍ ସଙ୍ଗେ ସଙ୍ଗେ ଜନସାଧାରଣଙ୍କର ସମସ୍ୟାର ସମାଧାନ ପାଇଁ ଆସିଥିବା ମୋଟ ୧୧୪ଗୋଟି ସମସ୍ୟାର ସମାଧାନ ପାଇଁ ଅଭିଯୋଗ ଶୁଣାଣି କରିଥିଲେ। ମୋଟ ୧୧୪ ଗୋଟି ଅଭିଯୋଗରୁ ରୋଗ ଶୋକରେ ପୀଡିତ ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪୩ ହଜାର ଓ ରେଡକ୍ରସ ପାଣ୍ଠିରୁ ୫ ଜଣଙ୍କୁ ୧୭ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଏଥିସହ ଅନ୍ୟ ୩୦ ଗୋଟି ସମସ୍ୟାର ସମାଧାନ ହୋଇଥିଲା ।

ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ ରଂଜନ ଭଂଜଦେଓ ,ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲାର ସମସ୍ତ ବ୍ଳକ ମାନଙ୍କର ଅଭିଯୋଗ ପତ୍ର ପ୍ରେରଣ କରାଯିବା ସହିତ ତାହାର ସମାଧାନ ଯେତେ ଶିଘ୍ର ହେବ ସେଥିପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ଗଜପତି ଜିଲ୍ଲାରେ ୩ୟ ପର୍ଯ୍ୟାୟ “ସ୍ୱତନ୍ତ୍ର ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଆୟୋଜିତ କାର୍ଯ୍ୟକ୍ରମ ୩ୟ ପର୍ଯ୍ୟାୟ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ “ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦” କାର୍ଯ୍ୟକ୍ରମ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆରମ୍ଭ ହୋଇଯାଇଛି।

ବିଭିନ୍ନ କ୍ଷେତ୍ରଅଞ୍ଚଳରେ ମୁଖ୍ୟତଃ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଭୁତାଣୁ ଓ ଜୀବାଣୁ ଜନିତ ବିଭିନ୍ନ ପ୍ରକାରର ରୋଗ ବ୍ୟାପୁଥିବା ଯୋଗୁଁ ଏହାକୁ ରୋକିବା ପାଇଁ ପ୍ରତିଷୋଧକ ବ୍ୟବସ୍ଥା ସ୍ବରୂପ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଲୋକପ୍ରିୟ କାର୍ଯ୍ୟକ୍ରମ “ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦” ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ।

ସରକାରଙ୍କ ଏହି ଟୀକାକରଣ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟତଃ ଦୁଇବର୍ଷ ବୟସରୁ କମ୍ ବୟସର ସମସ୍ତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ସମ୍ପୂର୍ଣ୍ଣ ଟୀକାକରଣରେ ନିଶ୍ଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ସ୍ବତନ୍ତ୍ର ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦ ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଅତ୍ୟନ୍ତ ସଫଳତାର ସହ ଆଗେଇ ଚାଲିଛି।

ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଯେଉଁ ଶିଶୁ ଓ ଗର୍ଭବତୀ ମହିଳା ମାନେ ପୂର୍ବରୁ ଏହି ଟିକାକରଣ କାର୍ଯ୍ୟକ୍ରମରେ କୌଣସି କାରଣରୁ ଟୀକା ନଦେଇ ବାଦ ପଡି ଯାଇଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଟୀକାକରଣ କରାଯାଇଛି।

ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦ ତୃତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମରେ ୧୮୨ ଜଣ ଶିଶୁ ଓ ୩୧ ଜଣ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମରେ ସମଗ୍ର ଗଜପତି ଜିଲ୍ଲାପାଇଁ ୧୩୦୦ ଜଣ ଆଶା ଓ ୨୩୭୫ ଜଣ ଅଙ୍ଗନବାଡି କର୍ମୀଙ୍କ ସାହାୟତାରେ ୧୩୬ ଗ୍ରାମରେ ଥିବା ଉପ କେନ୍ଦ୍ର ଓ ୪ ଟି ସହରାଞ୍ଚଳ ଥିବା ଉପ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦ୍ଵାରା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଟୀକାକରଣ କରାଯାଉଛି। ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ସହିତ ଗୋଷାଣୀ ବ୍ଲକର ଆଦିବାସୀ ବହୁଳ ନୂଆଗାଁ ଗ୍ରାମରେ କେନ୍ଦ୍ର ସରକାରଙ୍କ ଏହି ଲୋକ ପ୍ରିୟ କାର୍ଯ୍ୟକ୍ରମ “ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦” ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଆଗେଇ ଚାଲିଛି।

ନୂଆଗାଁ ଗ୍ରାମରେ କାର୍ଯ୍ୟରତ ଥିବା ମହିଳା ସ୍ବାସ୍ଥ୍ୟ କର୍ମୀ , ଅଙ୍ଗନବାଡି ଓ ୨ ଜଣ ଆଶା କର୍ମୀ ପୂର୍ବରୁ କରାଯାଇଥିବା ଚିହ୍ନଟ ପ୍ରକାରେ ଟୀକାକରଣରେ ବାଦ ପଡ଼ିଯାଇଥିବା ଶିଶୁ ମାନଙ୍କ ଘରକୁ ଯାଇ ଶିଶୁର ମା ଓ ପରିବାର ଲୋକଙ୍କୁ ମିଶନ ଇନ୍ଦ୍ରଧନୁଷ୍-୨.୦ରେ ଟୀକାକରଣ ମହତ ସମ୍ପର୍କରେ ବୁଝାଇ ଏହି ସମ୍ପୂର୍ଣ୍ଣ ଟୀକାକରଣ ଫଳରେ ଏହା କିଭଳି ଏବଂ କେଉଁ ପ୍ରକାରର ୧୧ ଟି ପ୍ରାଣ ଘାତକ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖି ପାରିଥାଏ ତାହା ବୁଝାଇ କହିଥିଲେ। ମା ମାନେ ଏହି କାର୍ଯ୍ୟକ୍ରମ ପ୍ରତି ଅତ୍ୟଧିକ ଉତ୍ସାହିତ ହୋଇ ବହୁ ସଂଖ୍ୟାରେ ସେମାନଙ୍କ ଶିଶୁ ମାନଙ୍କୁ ଧରି ଅଙ୍ଗନାବାଡି କେନ୍ଦ୍ରକୁ ଆସିଥିଲେ।

ଅଙ୍ଗନୱାଡି କେନ୍ଦ୍ରର ଉପସ୍ଥିତ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ଟୀକାକରଣ କରାଯିବା ପୂର୍ବରୁ ସେଠାରେ ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଡଃ. ଅନଙ୍ଗ ଭୂୟାଁ , ଏ ଏନ୍ ଏମ୍ ସବିତା ଗୌଡ ଏବଂ ବିପିଏମ୍ ଏମ୍. ଖଗେଶ୍ବର ରାଓ ଓ ସ୍ବାସ୍ଥ୍ୟ କର୍ମୀ ଗଣେଶ ବାରିକ ପ୍ରମୁଖ ଉପସ୍ଥିତ ରହି ମା ମାନଙ୍କୁ ଟୀକାକରଣ ଦ୍ୱାରା କିଭଳି ସମସ୍ତ ରୋଗରୁ ସୁରକ୍ଷିତ ହୋଇଥାଏ ବୁଝାଇ କହିଥିଲେ।

ତା ପରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଟୀକାକରଣ କାର୍ଯ୍ୟକ୍ରମରେ ଡଃ. ଅନଙ୍ଗ ଭୂୟାଁ ଶିଶୁଙ୍କୁ ପୋଲିଓ ଓ ରୋଟା ବୁନ୍ଦା ଖୁଆଇବା ପରେ ଏ ଏନ୍ ଏମ୍ ଶିଶୁ ମାନଙ୍କ ୨ଟି ଲେଖାଏଁ ଇନ୍ଦ୍ରଧନୁଷ୍ ଟୀକା ଦେଇଥିଲେ।

ସଂଖ୍ୟାଲଘୁ ବିବାହିତ ଯୁବତୀଙ୍କ ସହ ପ୍ରେମିକ ଫେରାର । ପ୍ରେମିକଙ୍କ ବାସଭବନ ଭଙ୍ଗା ରୁଜା , ଥାନାରେ ଏତଲା ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

 ଏଥର ସମ୍ଭାଳ (ଖଲ୍ଲିକୋଟ) – ଗତ ୧୦ଦିନ ତଳେ ଖଲ୍ଲିକୋଟ ସହରର ଜଣେ ସଂଖ୍ୟାଲଘୁ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଏହି ସହର ଅନ୍ତର୍ଗତ ଶବର କଲୋନୀ ର ଜନୈକ ଯୁବକଙ୍କ ସହ ଫେରାର ହୋଇଥିବା ଘଟଣା ଖଲ୍ଲିକୋଟ ସହରରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ସଂଖ୍ୟାଲଘୁ ଯୁବତୀଙ୍କ ସହ ଜନୈକ ଯୁବକଙ୍କର ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକଙ୍କ ପରିବାରର ବାରଣ ସତ୍ୱେ ଯୁବକ ଜଣଙ୍କ ପ୍ରେମୀକାଙ୍କ ଘରକୁ ଯାଇ ବର୍ତ୍ତାଳାପ ସହ ସମ୍ପର୍କ ସ୍ଥାପନ କରିଆସୁଥିଲେ । ଇତି ମଧ୍ୟରେ ପ୍ରେମୀକାଙ୍କ ର ବିବାହ ହୋଇଯିବା ପରେ ମର୍ମାହତ ହୋଇ ପ୍ରେମିକାଙ୍କୁ କରାୟତ କରିବାପାଇଁ ଉଦ୍ୟମ ଜାରି ରଖି ଥିଲେ । ଗତକାଲି ବିବାହିତା ପ୍ରେମୀକା ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ । ତେବେ ଉକ୍ତ ଘଟଣାରେ ପ୍ରେମୀକାଙ୍କ ସମ୍ପର୍କୀୟମାନେ ଶବର କଲୋନୀରେ ଥିବା ପ୍ରେମିକର ବାସଭବନକୁ ଯାଇ ଭଙ୍ଗ। ରୁଜା କରିଥିବା ଖଲ୍ଲିକୋଟ ଥାନାରେ ଏତଲା ହୋଇଛି । ଖଲ୍ଲିକୋଟ ଆଇ ଆଇ ସି ସତ୍ୟ ରଂଞ୍ଜନ ପ୍ରଧାନ ଘଟଣା ସ୍ଥଳକୁ ଯାଇ ଆବଶ୍ୟକ ତଦନ୍ତ କରି ଫେରିଥିବାବେଳେ ଥାନା କେସ ନ୦ ୫୦/୨୦୨୦ ରେ ଏକ ମକଦମା ରୂଜୁ କରି ଭାରତୀୟ ଦଣ୍ଡ ବିଧି ସଂହିଁତ। ର ଧାରା 147, 148, 294, 427, 149 IPC ରେ ଦୁଇ ଜଣକୁ ଅଟକ ରଖି ତଦନ୍ତ ଚଳାଇବା ବେଳେ ଖୁବ ଶୀଘ୍ର ପ୍ରେମୀ ଯୁଗଳଙ୍କୁ ଠାବ କରାଯିବ ବୋଲି ପ୍ରକାଶ କରିଛନ୍ତି ।