ନକ୍ସଲ ଙ୍କ ବର୍ବରକାଣ୍ଡ ; ପୋଲିସ ଇନଫର୍ମର ସନ୍ଦେହ ରେ କବାଟ ଭାଙ୍ଗି ଘରେ ପଶି ଗୁଳି କରି ହତ୍ୟା !

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡା): କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡ୍ରୁମାହା ଗାଁରେ ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ନକ୍ସଲମାନେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ରଞ୍ଜନ ଦିଗାଲ। ତାଙ୍କ ଘର ବାଲିଗୁଡ଼ା ଥାନା ରେବିଙ୍ଗିଆ ପଞ୍ଚାୟତର ମାରଦୁଲି ଗାଁରେ। ତେବେ ତାଙ୍କ ପତ୍ନୀ ବୁଡ୍ରୁମାହାରେ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଥିବାରୁ ସେ ଏଠାରେ ବର୍ଷେ ହେବ ରହୁଥିଲେ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ବେଳେ ୬ରୁ ୭ ଜଣ ନକ୍ସଲ ରଞ୍ଜନଙ୍କ ବୁଡୁମାହା ସ୍ଥିତ ଘରକୁ ଆସିଥିଲେ ଓ ତାଙ୍କୁ ଡାକିଥିଲେ। ହେଲେ ସେ କବାଟ ନ ଖୋଲି ନଥିଲେ। ତେଣୁ ନକ୍ସଲମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ ଓ ତାଙ୍କୁ ଗୁଳି କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ଗାଁ ସ୍କୁଲ ନିକଟରେ ଫିଙ୍ଗି ଦେଇଥିଲେ। ମୃତଦେହ ନିକଟରେ ସେମାନେ ଏକାଧିକ ପୋଷ୍ଟର ଛାଡ଼ି ଯାଇଥିଲେ। ଏଥିରେ ସିପିଆଇ ନକ୍ସଲ କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଲେଖା ହୋଇଥିଲା। ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ନଥିଲା ।

ବର୍ଷାରେ ଭିଜିଲା ଧାନ , ଚାଷୀ ହନ୍ତସନ୍ତ … ଦୁଖ ବୁଝିବା କିଏ ?

ଏଥର ସମ୍ଭାଳ ବ୍ୟୁରୋ (ସୋନପୁର): ଟୋକନ ଦେଇ ଚାଷୀଙ୍କଠାରୁ ହଜାର ହଜାର ବସ୍ତା ଧାନ ଆଣୁଛନ୍ତି। ତାକୁ ପୁଣି ମଣ୍ଡିରେ ମାସ ମାସ ଧରି ପକାଉଛନ୍ତି। ଫଳରେ ଶୀତ, କାକର ଖାଉଥିବା ଧାନ ଶେଷରେ ବର୍ଷାରେ ଭିଜୁଛି। ଏପରି ସ୍ଥିତିରେ ଧାନର ମାନ ଖରାପ ଥିବା ଦର୍ଶାଇ ମିଲର ବି ମୁହାଁ ମୋଡ଼ି ଦେଉଛନ୍ତି । ଫଳରେ ଆତ୍ମହତ୍ୟା କରିବା ଛଡ଼ା ଆଉ କିଛି ବାଟ ନାହିଁ ବୋଲି କହିଛନ୍ତି ସୋନପୁର ଜିଲ୍ଲାର ଚାଷୀ।

ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଛି ।  ଜିଲ୍ଲାର  ବୀରମହାରାଜପୁର ଉପଖଣ୍ଡର ଅନେକ ମଣ୍ଡିରେ ଧାନ ରଖିବାର ବ୍ୟବସ୍ଥା ନଥିବାରୁ ବର୍ଷାରେ ଭିଜିଛି ଧାନ । ଫଳରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ ।   ଚାଷୀଙ୍କ ଶହ ଶହ ବସ୍ତା  ଧାନ ବର୍ଷାରେ ଭିଜି ନଷ୍ଟ  ହୋଇଯାଇଛି। ଏବେ ଧାନ ଅମଳର ସମୟ ହୋଇଥିବାରୁ କାହାର କ୍ଷେତରେ ଥିବା ଧାନ ଭିଜିଛି ତ କାହାର ଖଳାରେ ।

ବୀରମହାରାଜପୁର ବ୍ଲକର ଉଫୁଲା, ହିଲୁଂଗ,କେଂଝିରିଆପାଲି,ବାଗବର ଭଳି ଅନେକ ମଣ୍ଡିରେ ଭିଜୁଛି ଧାନବସ୍ତା । ସେମାନଙ୍କ ମଧ୍ୟରୁ ଉଫୁଲା ପେକ୍ସର ଜଣେ ଚାଷୀ କହିଛନ୍ତି ପେକ୍ସରେ ପ୍ରାୟ ୫୦୦ ବସ୍ତା ଧାନ ରଖିଥିଲି। ହେଲେ ଆଜି ସକାଳୁ ହେଉଥିବା ଝିପିଝିପି ବର୍ଷା ହେତୁ ତଳ ବସ୍ତାଗୁଡ଼ିକ ପାଣିରେ ବୁଡ଼ି ଯାଇଛି। ଫଳରେ ଅଧା ଧାନ ବସ୍ତା ବର୍ଷାରେ ଭିଜି ଯାଇ ପାଣିରେ ପହଁରୁଥିବା କହିଛନ୍ତି ଚାଷୀ।

ଉଫୁଲା ପେକ୍ସରେ ଉପସ୍ଥିତ ଜଣେ ଚାଷୀ କହିଛନ୍ତି, ଏଠାରେ ଧାନ ରଖିବାର ବ୍ୟବସ୍ଥା ନାହିଁ। ସରକାର କେବଳ ଚାଷୀ ମାରଣ ନୀତି ଜାଣିଛନ୍ତି। ଟୋକନ ଦେଇ ଧାନ ନେଇଥିଲେ ମଧ୍ୟ ଏହି ପେକ୍ସକୁ ଗାଡ଼ିର ସୁବିଧା କରାଯାଉ ନାହିଁ। ଯେଉଁ ଜାଗାରେ ଗୋଟିଏ ଦିନରେ ହଜାରେ ବସ୍ତା ଧାନ ଉଠିବା କଥା ଏଠାରେ ଗୋଟିଏ ଦିନରେ ୩୦୦ ବସ୍ତା ଉଠୁଛି।

ଆଉ ଜଣେ ଚାଷୀ କହିଛନ୍ତି, ମରିବା ଛଡ଼ା ଆଉ କିଛି ବାଟ ନାହିଁ। ମିଲର ସବୁ ଧାନ ଫେରାଇଦେବ। ଆମେ ତାହାକୁ କ’ଣ କରିଛୁ ବୋଲି ମୁଣ୍ଡରେ ହାତ ଦେଲେଣି ଚାଷୀ। ଏହି ଧାନ ଖତ ଗଦାକୁ ଯିବା ଛଡ଼ା କିଛି ଉପାୟ ନ ଥିବା ସେ କହିଛନ୍ତି ।

ସିଏଏ ପରେ ଏନପିଆର କୁ ମଧ୍ୟ ସମର୍ଥନ ଦେଲା ବିଜୁ ଜନତା ଦଳ !

ଏଥର ସମ୍ଭାଳ ବ୍ୟୁରୋ – ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ସଂସଦରେ ସମର୍ଥନ ଦେଇଥିବା ବିଜେଡି ଏହା ସପକ୍ଷରେ ପୁଣିଥରେ ଯୁକ୍ତି ବାଢ଼ିଛି। ଏହାସହିତ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ଦଳ ସମର୍ଥନ କରିବ ବୋଲି ବିଜେଡି ସ୍ପଷ୍ଟ ଇସାରା ଦେଇଛି।

ଆଜି ଦଳର ମୁଖପାତ୍ର ତଥା ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେବଳ ରାଜନୀତିକ ଫାଇଦା ନିମନ୍ତେ କିଛି ଦଳ ଓ ବ୍ୟକ୍ତିମାନେ ସିଏଏକୁ ବିରୋଧ କରୁଛନ୍ତି। ଆଇନକୁ ନେଇ ଯେଉଁ ପରିବର୍ତ୍ତନ ହୋଇଥିବାର ଅଭିଯୋଗ ହେଉଛି ତାହା ମଧ୍ୟ ସମ୍ପୂର୍ଣ୍ଣ ମିଛି। ଉଲ୍ଲେଖଯୋଗ୍ୟ, ଏବେବି ସିଏଏକୁ ବିରୋଧ କରି କିଛି ରାଜନୀତିକ ଦଳ ଦେଶର ବିଭିନ୍ନ ଭାଗରେ ଅଶାନ୍ତି ସୃଷ୍ଟି କରୁଛନ୍ତି।

ସେହିପରି, କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ଏନପିଆର କାର୍ଯ୍ୟକ୍ରମକୁ ବିଜେଡି ସମର୍ଥନ କରିବ ବୋଲି ଶ୍ରୀ ଦେବ ପରୋକ୍ଷରେ ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶପାଇଁ ଏନପିଆର ନୂଆ କଥା ନୁହେଁ। ୨୦୧୦ ମସିହାରେ ଦେଶରେ ଏନପିଆର ଆରମ୍ଭ କରାଯାଇଥିଲା। ଜନଗଣଙ୍କ ସାମାଜିକ, ଆର୍ଥିକ ସ୍ଥିତିକୁ ଆକଳନ କରିବା ପାଇଁ ଏହାର ଆବଶ୍ୟକତା ରହିଛି। ଏହା ଏକ ଧାରାବାହିକ ପ୍ରକ୍ରିୟା। ତେଣୁ ଏନପିଆର ସହ ଏନଆରସି(ରାଷ୍ଟ୍ରୀୟ ନାଗରିକ ପଞ୍ଜିକା)କୁ ତୁଳନା କରାନଯାଉ। ଏହି ଦୁଇଟି ପରସ୍ପରଠୁ ଭିନ୍ନ।

ସୂଚନାଯୋଗ୍ୟ, ନାଗରିକ ସଂଶୋଧନ ବିଲକୁ ସଂସଦରେ ବିଜେଡି ସମର୍ଥନ କରିବା ପରେ ରାଜ୍ୟରେ ମୁସଲିମ୍ ସମୁଦାୟ ପକ୍ଷରୁ ବିଜେଡିର ଏଭଳି ନୀତିକୁ ଦୃଢ଼ ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସି ଏନଆରସିକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଥରେ ନୁହେଁ ଦୁଇ ଦୁଇଥର ଏଥିପାଇଁ ଶ୍ରୀ ପଟ୍ଟନାୟକଙ୍କୁ ସଫେଇ ଦେବାକୁ ପଡ଼ିଥିଲା।

ତେବେ ଦେଶ ଓ ନାଗରିକଙ୍କ ସ୍ୱାର୍ଥରେ ସିଏଏ, ଏନଆରସି ଓ ଏନପିଆର ବୋଲି ବିଜେପି ଯୁକ୍ତି ବାଢ଼ୁଥିବାବେଳେ ବିଜେଡି ଏଥିରୁ ଗୋଟିଏ ପରେ ଗୋଟିଏକୁ ସମର୍ଥନ କରି ନିଜର ବିଜେପି ପ୍ରୀତିକୁ ପ୍ରମାଣିତ କରାଇଛି।

ଅଚଳ ହୋଇପଡ଼ିଛି ସରକାରୀ ନଳକୂପ ; ଲୋକେ ହନ୍ତସନ୍ତ, ପ୍ରଶାସନ ର ନିଘା ନାହିଁ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଜନତାଙ୍କ ଜଳକଷ୍ଟ ଦୂର କରିବାକୁ ସରକାର ବସୁଦ୍ଧା ଯୋଜନା ପ୍ରସୂତ କରି କାର୍ଯ୍ୟ କରିଥିବା ବେଳେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରୀ ଠିକ ଭାବେ ହୋଇପାରୁନି ।ସହରାଞ୍ଚଳ ରେ ବସ୍ତି, ବାସିନ୍ଦା
ଙ୍କୁ ନଳକୂପ ଜରିଆରେ ପାଣି ଯୋଗାଇବାର ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିବା ନେଇ ଜନସ୍ୱାସ୍ଥ୍ୟ ବିଭାଗ କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ବିଭାଗୀୟ କର୍ମକାର୍ତ୍ତାଙ୍କ ବେପରୁଆ ମନୋଭାବ ଯୋଗୁଁ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି । ଗଜପତି ଜିଲ୍ଲା ପରକାଖେମୁଣ୍ଡି ସଦର ମଧ୍ୟରେ ଥିବା ଅନେକ ସ୍ଥାନରେ ନଳକୂପ ମାନ ଅକାମୀ ହୋଇପଡ଼ିଛି ।ଏଥିପ୍ରତି ବିଭାଗୀୟ ଅଧିକାରୀ ଙ୍କ ନଜର ପଡିବା ଦୂରର କଥା ଅଭିଯୋଗ କଲେ ସୁଦ୍ଧା ନଳକୂପ ମରାମତି ହୋଇ ପାରୁନି । କାର୍ଯ୍ୟ କ୍ଷମ ହୋଇନପାରି ନଷ୍ଟ ହେବାକୁ ବସିଲାଣି । ପାରଳାଖେମୁଣ୍ଡି ବକ୍ସି ସାହି ଉପରମୁଣ୍ଡ ଏବଂ ପୁରୁଣା ବସଷ୍ଟାଣ୍ଡ ନିକଟ ମହାରାଜାଙ୍କ ପ୍ରତିମୂର୍ତ୍ତି ପାଖରେ ଥିବା ଏହି ଦୁଇଟି ନଳକୂପ ଉପରେ ପ୍ରତ୍ୟେକ ଦିନ ଏଠାର ଜନସଧାରଣ ନିର୍ଭର କରୁଥିବା ବେଳେ ବାରମ୍ବାର ଏହାର ମରାମତି ନିମନ୍ତେ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ମରାମତି ହୋଇନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଯଥା ଶୀଘ୍ର ସ୍ଥାନୀୟ ପ୍ରଶାସନ ଏହାକୁ ନଜର କୁ ଏହାର ମରାମତି କରିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି।

ଗ୍ରାସୀମ କମ୍ପାନୀ ପକ୍ଷରୁ ବୃଦ୍ଧାଶ୍ରମ ରେ କମଳ ବଣ୍ଟନ।

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ ପକ୍ଷରୁ ଖଲ୍ଲିଲୋଟ ସହର ସ୍ଥିତ ବୃଦ୍ଧାଶ୍ରମ ରେ ରହୁଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କରାଯାଇଛି।ଗ୍ରାସୀମ କମ୍ପାନୀ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର ମହାନ୍ତି,ସୁଶାନ୍ତ କୁମାର ଦାଶ,ସମାଜ ସେବୀ ତଥା ଦିଗଦର୍ଶନ ୟୁଥକ୍ଳବ ସଭାପତି ଉମାକାନ୍ତ ବେହେରା,ଖଲ୍ଲିକୋଟ ଡ଼ଃ ଏ ପିଜେ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦ ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ କମଳ ବଣ୍ଟନ କରିଥିଲେ।ସେହିପରି ଖଲ୍ଲିକୋଟ ଅଞ୍ଚଳରେ ମଧ୍ୟ କିଛି ଭିକ୍ଷା ବୃତ୍ତି କରୁଥିବା ନିଃସହାୟ ମହିଳା ଓ ପୁରୁଷ ଓ ରମ୍ଭା ରେଳ ଷ୍ଟେସନ ଅଞ୍ଚଳ ରେ ରହି ଭିକ୍ଷା ବୃତ୍ତି କରୁଥିବା କିଛି ମହିଳା ଓ ପୁରୁଷ ନିଃସହାୟ ଲୋକ ଙ୍କୁ କମଳ ବଣ୍ଟନ କରାଯାଇଥିଲା।
ଗ୍ରାସୀମ କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରସଂଶା କରାଯାଇଛି।