୧୪ରୁ ବିଧାନସଭା ବଜେଟ୍ ଅଧିବେଶନ, ୧୮ରେ ବଜେଟ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ। ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଓ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅଧିବେଶନ ମୋଟ୍ ୩୧ଦିନ ଧରି ଚାଲିବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅନୁମୋଦନ ପରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଫେବୃୟାରୀ ୧୪ରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ଫେବୃୟାରୀ ୨୬ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ୍ ୩୧ଦିନ ଅଧିବେଶନ ବସିବ। ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ଦେବେ ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୧୫ ଓ ୧୭ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ୧୬ତାରିଖ ଛୁଟି ଥିବାବେଳେ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ୧୯ତାରଖ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୨୦ତାରିଖ ବେସରକାରୀ କାର୍ଯ୍ୟଦିବସ ଏବଂ ୨୧ରୁ ୨୩ତାରିଖ ଛୁଟି ରହିଛି। ୨୪ରୁ ୨୬ତାରିଖ ଦିନ ଧରି ବଜେଟ୍ ଉପରେ ଆଲୋଚନା ପରେ ଗୃହ କାର୍ଯ୍ୟ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିବ। ୧୧ତାରିଖରେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ ଓ ୧୩ରୁ ବିଭାଗୱାରି ବଜେଟ୍ ଅନୁଦାନ ଉପରେ ଆଲୋଚନା ହେବ। ମାର୍ଚ୍ଚ ୧୪ , ୧୫, ୨୨, ୨୮ ଓ ୨୯ ଏବଂ ଏପ୍ରିଲ ୧,୨ ଓ ୫ତାରିଖ ଛୁଟି ଅଛି । ଅନ୍ୟଦିନଗୁଡ଼ିକରେ ଅଧିବେଶନ ଚାଲିବ।

ଓଡ଼ିଶାରେ ରୁପା ଗାଙ୍ଗୁଲି କହିଲେ-ମୋ ବାପା ଆଜି ବଞ୍ଚିଥିଲେ ନିଶ୍ଚିତ ଖୁସି ହୋଇଥାନ୍ତେ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର):ସିଏଏ ସପକ୍ଷରେ ବିଜେପିର ଚାଲିଥିବା ଜନ ଜାଗରଣ ଅଭିଯାନ ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ନେତ୍ରୀ ରୁପା ଗାଙ୍ଗୁଲି।  ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ନାଗରିକତା ସଂଶୋଧିତ ଆଇନ ନେଇ ଲୋକଙ୍କୁ ସଚେତନତା କରାଯାଉଛି। ସେ କହିଛନ୍ତି ଯେ, କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଏହି ଆଇନ ନେଇ ଭୁଲ ଧାରଣା ସୃଷ୍ଟି କରାଇ ଲୋକଙ୍କୁ ଉସୁକାଉଛନ୍ତି। ସେ କହିଛନ୍ତି ଯେ, ୧୯୪୭ରୁ  ଭାରତକୁ ଯେତେ ଲୋକ ଆସିଛନ୍ତି ସେମାନଙ୍କୁ ବିଭିନ୍ନ ଦଫାରେ ନାଗରିକତା ଦିଆଯାଇଛି। କିନ୍ତୁ ଅନେକ ଲୋକଙ୍କୁ ନାଗରିକତା ମିଳି ନଥିଲା। କିନ୍ତୁ ଏହି କାମକୁ ମୋଦି ସରକାର ସରଳ କରିଦେଇଛନ୍ତି। ଶରଣାର୍ଥୀଙ୍କ ସମସ୍ୟା କ’ଣ ମୁଁ ଅନୁଭବ କରିଛି ବୋଲି ସେ କହିଛନ୍ତି। ମୋ ବାପା ହେଉଛନ୍ତି ବାଂଲାଦେଶର। ଯଦି ଆଜି ମୋ ବାପା ବଞ୍ଚିଥାନ୍ତେ ତେବେ ସେ ନିଶ୍ଚିତ ଖୁସି ହୋଇଥାନ୍ତେ ବୋଲି ସେ କହିଛନ୍ତି। ସିଏଏର ଅର୍ଥ ହିଁ ମୁଁ ଅନୁଭବ କରିପାରୁଛି। କିନ୍ତୁ କିଛି ଲୋକ ଏହି ଆଇନ୍‌ ବିରୋଧରେ ଅପପ୍ରଚାର କରୁଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ରୁପା କହିଛନ୍ତି ଯେ, ରାୟଗଡ଼ା ଏବଂ ମାଲକାନଗିରିରରେ ଅନେକ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି। ସେମାନଙ୍କୁ ମୁଁ ଭେଟିବାକୁ ଆସିଛି ଏବଂ ଆଶ୍ୱସନା ଦେବାକୁ ଆସିଛି । ଏଥିସହ ଏହି ଆଇନ ନେଇ ଲୋକଙ୍କୁ ଦଳ ସଚେତନ କରାଯାଉଛି ବୋଲି ରୁପା ଗାଙ୍ଗୁଲି କହିଛନ୍ତି।

କଂଗ୍ରେସ ଭବନକୁ ବାଉନସର କିଏ ପଠାଇଥିଲେ ? – ସୁର ରାଉତରାୟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): କଂଗ୍ରେସ ଭବନକୁ ବାଉନସର ପଠାଇବା ବୟାନରୁ ନିଜ ସ୍ୱର ବଦଳାଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। କଂଗ୍ରେସକୁ ବଦନାମ୍ କରିବାକୁ ଏପରି କରାଯାଇଛି । ବିଜେପି, ବିଜେଡି କେହି ବି ଏହା କରିଥାଇପାରନ୍ତି। ଏପରି କିଛି ଢଙ୍ଗରେ ବିରୋଧୀ ଦଳକୁ ଟାଗେର୍ଟ କରିଛନ୍ତି ସୁର ରାଉତରାୟ। କଂଗ୍ରେସ ଭବନକୁ ବାଉନସର୍ କେହି ଆଣି ନାହାନ୍ତି । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହଳା କଂଗ୍ରେସ କିମ୍ବା ନିରଞ୍ଜନ ପଟ୍ଟନାୟକ କେହି ବି ବାଉନ୍‌ସର ଆଣିନାହାନ୍ତି। ଆମେ ଚାରିଆଡେ ଅନୁସନ୍ଧାନ କରି ସାରିଲୁଣି।  ଏହା ବିରୋଧୀ ଦଳଙ୍କ ଷଡ଼ଯନ୍ତ୍ର। କଂଗ୍ରେସକୁ ବଦନାମ୍ କରିବାକୁ ଏହା କରାଯାଇଥାଇ ପାରେ ବୋଲି ସୁର କହିଛନ୍ତି। ବୟାନର ଦୁଇ ଦିନ ପରେ ନିଜ ମନ୍ତବ୍ୟକୁ ବଦଳାଇଛନ୍ତି ସୁର। ସେ କହିଥିଲେ ‘ ଆରେ, କଂଗ୍ରେସର ଲୋକ ଅଭାବ ? ଆମେ ଡାକିଦେଲେ ୫୦୦୦ ଠିଆହେବେ। ଆଉ ଏଇ ୪/୫ଟା ଗୁଣ୍ଡା ଆସି ଆମକୁ ସଂ‌ଶୋଧନ କରିବେ ? ଆମକୁ କଣ୍ଟ୍ରୋଲ କରିବେ ?‘ ଏଠି କହିରଖିବୁ, ଗତ ୧୮ ତାରିଖ ଏଇ ଘଟଣାକୁ ନେଇ ପ୍ରତିକ୍ରିୟା ରଖି ସୁର କହିଥିଲେ ଯେ, କଂଗ୍ରେସ ଭବନରେ ଯାହା କିଛି ହେଲା ଠିକ୍ ନୁହେଁ। ଦଳରେ ଗୁଣ୍ଡା ଶାସନ ଚାଲିବନି। ହେଲେ ଏବେ ନିଜ ମନ୍ତବ୍ୟ ସିଏ କାହିଁକି ବଦଳାଇଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ସୁରଙ୍କ ଅଭିଯୋଗ ନେଇ ବିଜେପି ଓ ବିଜେଡିର ପ୍ରତିକ୍ରିୟା ମିଳିପାରିନି। ସୂଚନାଥାଉ କି, ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିବା ପରେ ଏହାର କାରଣ ଖୋଜିବା ପାଇଁ ଗତ ଶୁକ୍ରବାର କଂଗ୍ରେସ ଭବନରେ ମାନସମନ୍ଥନ ଚାଲିଥିଲା। ଆଉ ଏହି ସମୟରେ କଂଗ୍ରେସ ଭବନରେ ବାଉନ୍‌ସର ମୁତୟନ ହୋଇଥିବା ଚର୍ଚ୍ଚା ଲାଗି ରହିଥିଲା। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ବର୍ଷିଥିଲେ । କଂଗ୍ରେସ ଭବନରେ ବିଜେଡି କିମ୍ୱା ବିଜେପି ବାଉନ୍‌ସର ମୁତୟନ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି।

ରାଜଧାନୀରେ ହିଂସା ପାଇଁ ବିଧାୟକ ଅନନ୍ତ ଜେନାଙ୍କୁ ଟାର୍ଗେଟ୍ କଲା ବିଜେପି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରରେ ହିଂସାକାଣ୍ଡ ଭିଆଇବା ଘଟଣା ପଛରେ ପୂର୍ବତନ ମେୟର ତଥା ବର୍ତ୍ତମାନର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସିଧାସଳଖ ସମ୍ପୃକ୍ତ ଅଛନ୍ତି ଓ ସେ ହିଁ ଅପରାଧୀଙ୍କ ସୁରକ୍ଷାଦାତା ପାଲଟିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଜେନାଙ୍କ ଅପରାଧୀଙ୍କୁ ପ୍ରୋତ୍ସାହନ ଦେବାର କାର୍ଯ୍ୟକଳାପ ଓ ମୁଖ୍ୟମନ୍ତ୍ରୀଙ୍କ ଅହିଂସା ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ “ଅହିଂସା” ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ବିଧାୟକ, ଯାହାଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଥିବା ସତ୍ତ୍ୱେ୍ୱ ତାଙ୍କୁ ସେ ମେୟରରୁ ଆଣି ବିଧାୟକ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଅହିଂସା ଆଚରଣ ଶିଖାଇଛନ୍ତି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କମିଶନରେଟ ପୁଲିସ ଅଞ୍ଚଳରେ ଗୋଟିଏ ସପ୍ତାହ ଭିତରେ ବିଜେଡିର ଗୁଣ୍ଡାମାନେ ଦୁଇ ଦୁଇଟି ହିଂସା କାଣ୍ଡ ଭିଆଇଲେ। ସେହି ଦୁଇ ଘଟଣାର ମୁଖ୍ୟ ଅପରାଧୀମାନଙ୍କୁ ବିଜେଡିର ବିଧାୟକ ଅନନ୍ତ ଜେନା ସୁରକ୍ଷା ଦେଲେ। ମାର୍କେଟ ବିଲଡିଂ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅପରାଧିମାନଙ୍କୁ ଏବେ ସୁଦ୍ଧା ପୁଲିସ ଗିରଫ କରିପାରି ନାହିଁ। କାରଣ ସେମାନେ ହେଉଛନ୍ତି ବିଧାୟକ ଅନନ୍ତ ଜେନା ଓ ବିଜେଡିର ବରିଷ୍ଠନେତା ଲିଟୁ ସୁପକାରଙ୍କର ଘନିଷ୍ଠ। ମାର୍କେଟ ବିଲିଡିଂରୁ ବଟି ଆଦାୟ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଗଣ୍ଡଗୋଳ ସିଧାସଳଖ ଭାବେ ବିଜେଡି ଦ୍ୱାରା କରାଯାଇଛି। ସେହି ଘଟଣାରେ ଆତଙ୍କ ଖେଳାଇଥିବା ଅପରାଧୀମାନଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ବରିଷ୍ଠ ନେତା ଲିଟୁ ସୁପକାରଙ୍କର ଘନିଷ୍ଠତାର ଅନେକ ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସେହି ଫଟୋଗୁଡିକୁ ସାମ୍ବାଦିକ ସମ୍ମିଳନୀରେ ଦେଖାଇ ଶ୍ରୀ ପ୍ରଧାନ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।ସେହିପରି ଶିଖ୍ ବ୍ୟବସାୟୀ ପରବିନ୍ଦର ସିଂଙ୍କୁ ପୁଲିସ ସାମନାରେ ଅନନ୍ତ ନାରାୟଣ ଜେନାଙ୍କର ଗୁଣ୍ଡାମାନେ ମାଡ଼ ମାରିଲୋ ବିଧାୟକଙ୍କ ଚାପରେ ପୁଲିସ ଦୁର୍ବଳ ଦଫା ଲଗାଇଲା ଯାହାଫଳରେ ସାଙ୍ଗେସାଙ୍ଗେ ଜାମିନ ମିଳିଗଲା। ମରଣାନ୍ତକ ଆକ୍ରମଣ ସତ୍ତ୍ୱେ ବି ୩୦୭ ଦଫା ଲାଗିଲା ନାହିଁ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛନ୍ତି। ଖୋର୍ଦ୍ଧାରେ ଡିଏସପି ଥିବା ଅନୁପ କାନୁନଗୋ ରାତି ଅଧରେ କାହିଁକି ପରବିନ୍ଦର ସିଂଙ୍କ ଘରକୁ ବିଧାୟକଙ୍କ ସହ ଯାଇଥିଲେ। ନିଜ କ୍ଷମତାର ଅପବ୍ୟବହାର କରି ନିଜ ରାଜନୀତିକ ବସଙ୍କୁ ଖୁସି କରିବା ପାଇଁ ଶ୍ରୀ କାନୁନଗୋ ଏଭଳି କାର୍ଯ୍ୟ କରିଛନ୍ତି । ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଇଞ୍ଜିନିୟରିଂ ଛାତ୍ର ଋଷି ମହାନ୍ତି ହତ୍ୟା ଘଟଣାରେ ତତକାଳୀନ ମେୟର ଅନନ୍ତ ଜେନାଙ୍କୁ ଖସାଇବାରେ ଏହି ଅନୁପ କାନୁନଗୋଙ୍କ ପ୍ରମୁଖ ଭୂମିକା ରହିଥିଲା। ସେହିପରି ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ଗୁଣ୍ଡାମାନେ ବିଜେପି ଅଫିସ ଏବଂ ଗାଡ଼ି ଉପରେ ବୋମାମାଡ଼ କରିଥିଲେ। ଏହି ଘଟଣାରେ ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ହାତ ଥିବା ସତ୍ତ୍ୱେ ପୁଲିସ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତରେ ଅହିଂସାର ସପକ୍ଷବାଦୀ ତା’ହେଲେ ତୁରନ୍ତ ବିଧାୟକ ଅନନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରିବା ସହ କ୍ଷମତାର ଅପବ୍ୟବହାର କରିଥିବା ଖୋର୍ଦ୍ଧା ଡିଏସପି ଅନୁପ କାନୁନଗୋଙ୍କୁ ନିଲମ୍ବନ କରନ୍ତୁ ଏବଂ ସମସ୍ତ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ବିଜେପି ନେତା ଉପେନ୍ଦ୍ର ଭଞ୍ଜ, ସଂଗ୍ରାମ କେଶରୀ ନାୟକ ଓ ଅଚ୍ୟୁତାନନ୍ଦ ରଣଜିତ୍ ପ୍ରମୁଖ ଉପସ୍ଥିତ ଥିଲେ।

ସିଏଏ ବିରୁଦ୍ଧରେ ଜାନୁଆରୀ ୩୦ ବିଶାଳ ସମାବେଶକୁ ସମର୍ଥନ କଲା କଂଗ୍ରେସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର):ନାଗରିକତା ସଂଶୋଧନ ଆଇନ(ସିଏଏ), ଏନଆରସି ଓ ଏନପିଆର ପ୍ରତ୍ୟାହାର ଦାବିରେ ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗରେ ହେବାକୁ ଥିବା ବିଶାଳ ସମାବେଶକୁ ପ୍ରଦେଶ କଂଗ୍ରେସ ସମର୍ଥନ କରିଛି। ‘ଆମେ ଭାରତବାସୀ’ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ, ‘ଆମେ ଭାରତବାସୀ’ ନାମକ ସଂଗଠନ ପକ୍ଷରୁ ସିଏଏକୁ ସମ୍ବିଧାନ ବିରୋଧୀ ବୋଲି ଆକ୍ଷେପ କରାଯାଇ ସିଏଏ ସମେତ ଏନପିଆର ଓ ଏନଆରସି ବିରୁଦ୍ଧରେ ଭୁବନେଶ୍ୱରରେ ‘ସମ୍ବିଧାନ ବଞ୍ଚାଅ-ଧର୍ମନିରପେକ୍ଷ ବଞ୍ଚାଅ-ଦେଶ ବଞ୍ଚାଅ’ ଅଭିଯାନର ଆୟୋଜନ ହୋଇଛି। ଯାହାକୁ ଆଜି କଂଗ୍ରେସ ସମର୍ଥନ ଦେଇଛି।

ଅନୁଗୋଳ ଆଲୁମିନିୟମ ପାର୍କ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଅନୁଗୋଳ ଆଲୁମିନିୟମ ପାର୍କ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପକୁ ପୁଣିଥରେ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏହି ଆଲୁମିନିୟମ ପାର୍କ ନିର୍ମାଣ କାର୍ଯ୍ୟକୁ ନବରତ୍ନ କମ୍ପାନୀ ନାଲକୋ ଓ ଇଡକୋ ମିଳିତ ଉଦ୍ୟମରେ ସମ୍ପୂର୍ଣ୍ଣ ହେବ। ଆଜି ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଡିସେମ୍ବର ୪ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଙ୍କୁ ଚିଠି ଲେଖି ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ ଲୋଡ଼ିଥିଲେ। ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ଆଲୁମିନିୟମ ପାର୍କ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ପାଇଁ ସେ କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ରକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଆଜି ସୋଶାଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଅନୁଗୁଳ ଆଲୁମିନିୟମ୍ ପାର୍କ ପ୍ରକଳ୍ପରେ ଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ତଥା ଏହାକୁ ତ୍ୱରିତ ଭାବରେ ପୂର୍ଣ୍ଣ କରାଯିବା ପାଇଁ ପୁଣି ଦୃଷ୍ଟି ଦିଆଯାଇଛି। ନାଲକୋ ଏବଂ ଇଡକୋ ମିଳିତ ଉଦ୍ୟମରେ ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଆଶା କରାଯାଉଛି। ଏହି ପ୍ରକଳ୍ପ ପାଇଁ ମୋଟ ୯୯.୬୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ଓ ଏଥିପାଇଁ ୩୩.୪୪ କୋଟି ଟଙ୍କା କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଆଲୁମିନିୟମ ଶିଳ୍ପରେ ଅଭିବୃଦ୍ଧି ଘଟିବା ସହ ରାଜ୍ୟର ଖଣିଜ କ୍ଷେତ୍ରର ବିକାଶ ହେବ ଓ ରାଜ୍ୟର ନିଜସ୍ୱ ରାଜସ୍ୱ ବଢିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।