ଅଧିକ ପ୍ରୋଟିନ୍‌ ଖାଉଛନ୍ତି କି ? ତେବେ ସାବଧାନ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଶରୀର ପାଇଁ ପ୍ରୋଟିନ୍‌ ନିହାତି ଆବଶ୍ୟକ। ଏହା ଶରୀରରେ ମାଂସପେଶୀ ତିଆରି କରିବାରେ ଓ ଏହାକୁ ମରାମତି କରିବାରେ ସାହାଯ୍ୟ କରେ। ସେହିପରି ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କିନ୍ତୁ ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ପ୍ରୋଟିନ୍‌ର ପରିମାଣ କେତେ ରହୁଛି, ତାହା ଆମେ ଜାଣି ନଥାଉ। ଏଥିପାଇଁ ଅନେକ ସମୟରେ ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ୍‌ ଖାଇଦେଉ। ତେବେ ଆପଣ ଜାଣିଛନ୍ତି, ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ୍‌ ଖାଇଲେ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସହିତ କ୍ୟାନସର୍‌ ହେବାର ଆଶଙ୍କା ବି ରହିଛି। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ଖାଦ୍ୟରେ ଯେତେ ଅଧିକ ପ୍ରୋଟିନ୍‌ ରହିଛି ସେଗୁଡ଼ିକ ଅଧିକ ଖରାପ ବା ସେଗୁଡ଼ିକୁ ଅଧିକ ଖାଇଲେ କ୍ୟାନସର ହେବାର ଅଧିକ ଆଶଙ୍କା ରହିଛି। ମାଂସ ବା ମାଂସ ଜାତୀୟ ଖାଦ୍ୟରେ ଅଧିକ ପ୍ରୋଟିନ୍‌ ରହିଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ଖାଇଲେ କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ। ତେଣୁ ପ୍ରୋଟିନ୍ ପାଇଁ କେବଳ ମାଂସ ନଖାଇ ଅନ୍ୟ ଉତ୍ସଗୁଡ଼ିକୁ ମଧ୍ୟ ଖାଇବା ଆବଶ୍ୟକ। ଏହାଦ୍ୱାରା କ୍ୟାନ୍‌ସର ଆଶଙ୍କା କମିଯାଏ। ଗବେଷକଙ୍କ କହିବା ଅନୁସାରେ ମାଂସରେ ଥିବା କାର୍ସିନୋଜେନିକ୍‌ କମ୍ପାଉଣ୍ଡ ଓ ଫ୍ୟାଟ୍‌ ହିଁ କ୍ୟାନସରର କାରଣ ହୋଇଥାଏ। ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଧିକ ପ୍ରୋଟିନ୍‌ ଖାଇବା ଯୋଗୁଁ କ୍ୟାନ୍‌ସର୍‌ ହେବାର ଆଶଙ୍କା ୪ ପ୍ରତିଶତ ଅଧିକ ବଢ଼ିଯାଏ। କେବଳ ଏତିକି ନୁହେଁ, ମାଂସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ଡାଇବେଟିସ୍‌ ହେବାର ଆଶଙ୍କା ମଧ୍ୟ ଅଧିକ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ତାଙ୍କ ଦୈନନ୍ଦିନ ଡାଏଟ୍‌ରେ ଓଜନ ଅନୁସାରେ କିଲୋଗ୍ରାମ୍‌ ପିଛା ୦.୮ ଗ୍ରାମ୍‌ର ପ୍ରୋଟିନ୍‌ ଖାଇବା ଉଚିତ୍‌। ଉଦାହରଣ ସ୍ୱାପ ଓଜନ ୫୦ କିଲୋ ହୋଇଥିଲେ ଦିନକୁ ୪୦ ଗ୍ରାମ୍‌ର ପ୍ରୋଟିନ୍‌ ଖାଇବା ଉଚିତ୍। ଏହାଠୁ ଅଧିକ ପ୍ରୋଟିନ୍‌ ଖାଉଥିଲେ କମ୍‌ କରିବା ପାଇଁ ଚେଷ୍ଟା କରନ୍ତୁ। ଏଥିପାଇଁ ମାଂସ ଓ ଦୁଗ୍ଧଜାତୀୟ ଖାଦ୍ୟ କମ୍‌ ଖା’ନ୍ତୁ। କିନ୍ତୁ ମନେ ରଖନ୍ତୁ, ଏସବୁ ଖାଦ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଆପଣ କୁପୋଷଣର ଶିକାର ହୋଇପାରନ୍ତି। ତେଣୁ ଆବଶ୍ୟକ ପରିମାଣରେ ପ୍ରୋଟିନ୍ ଖାଇବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ।

 

ବାନ୍ତିର ଘରୋଇ ଉପଚାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ବାନ୍ତି ଲାଗିବା ଏକ ସାଧାରଣ ସମସ୍ୟା। ଘରେ ହେଉ କିମ୍ୱା ବାହାରେ କିଛି ଲୋକଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଥରେ ବାନ୍ତି ହେବା ପରେ ପୂରା ଦିନ ଅସୁସ୍ଥ ଅନୁଭବ ହୁଏ ଓ ମନ ମଧ୍ୟ ଖରାପ ରହେ। ତେବେ ଏଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ। ବାନ୍ତି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ଦୂର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପଚାର ବିଷୟରେ।

ଅଦା – ଅଦାରେ ଏଣ୍ଟିମେଟିକ୍‌ ଗୁଣ ରହିଛି। ଏଣ୍ଟିମେଟିକ୍‌ ଏପରି ଏକ ଗୁଣ ଯାହା ବାନ୍ତି ଓ ମୁଣ୍ଡ ବୁଲାଇବା ସମୟରେ ରକ୍ଷା କରିଥାଏ। ସେଥିପାଇଁ ବାନ୍ତି ଲାଗିବା ସମୟରେ ଅଦା କିମ୍ୱା ଏହାର ଚାହା ପିଅନ୍ତୁ। ଏପରି କଲେ ଆଉ ବାନ୍ତି ଲାଗିବ ନାହିଁ। ବାହାରକୁ ଯିବା ସମୟରେ ନିଜ ସହିତ ଅଦା ସାଙ୍ଗରେ ନିଅନ୍ତୁ। ଯଦି ବାନ୍ତି ହେବା ପରି ଲାଗୁଛି, ତା’ହେଲେ ଏହାକୁ ଅଳ୍ପ ଅଳ୍ପ ଖାଇବା ପାଇଁ ଚେଷ୍ଟା କରନ୍ତୁ।

ଲେମ୍ୱୁ – ଲେମ୍ୱୁରେ ଥିବା ସାଇଟ୍ରିକ୍‌ ଏସିଡ୍‌ ବାନ୍ତି ସମସ୍ୟାକୁ ଦୂର କରିଥାଏ। ଗୋଟିଏ କପ୍‌ରେ ଗରମ ପାଣି ନିଅନ୍ତୁ ଏବଂ ଏଥିରେ ଗୋଟିଏ ଚାମଚ ଲେମ୍ୱୁ ରସ ଏବଂ ଲୁଣ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ପିଅନ୍ତୁ। ଏହି ମିଶ୍ରଣରେ ଆପଣ ମହୁ ପକାଇ ମଧ୍ୟ ପିଇପାରିବେ। ବାହାରକୁ ଯାତ୍ରା କରିବା ସମୟରେ ଏହାକୁ ପିଇ ଯା’ନ୍ତୁ। ଦେଖିବେ ବେଶ୍ ଉପକାରୀ ସାବ୍ୟସ୍ତ ହେବ।

ଗୁଜୁରାତି – ଗୁଜୁରାତି ବାନ୍ତି ବନ୍ଦ କରିବା ପାଇଁ ସାହଯ୍ୟ କରିଥାଏ। ବାନ୍ତି ଲାଗିବା ସମୟରେ ଗୁଜୁରାତିର ଦୁଇଟି ମଞ୍ଜି ପାଟିରେ ପକାଇ ଧୀରେ ଧୀରେ ଚୋବାନ୍ତୁ। ଏହାଦ୍ୱାରା ବାନ୍ତି ବନ୍ଦ ହୋଇଯାଏ।

ପୁଦିନା ପତ୍ର – ପୁଦିନା ପେଟର ମାଂସପେଶୀକୁ ଆରାମ ଦେଇଥାଏ। ଏହାର ତେଲ ବାନ୍ତି ବନ୍ଦ କରିବା ପାଇଁ ସାହାଯ୍ୟ କରିଥାଏ। ଏଥିପାଇଁ ବାହାରକୁ ଯିବା ସମୟରେ ପୁଦିନା ତେଲର କିଛି ବୁନ୍ଦା ରୁମାଲରେ ପକାଇ ଶୁଙ୍ଘନ୍ତୁ। ଏବା ବ୍ୟତୀତ ଶୁଖିଲା ପୁଦିନା ପତ୍ରକୁ ଗରମ ପାଣିରେ ମିଶାଇ ଚାହା ପ୍ରସ୍ତୁତ କରନ୍ତୁ ଓ ଏଥିରେ ମହୁ ପକାଇ ପିଅନ୍ତୁ। ଦେଖିବେ ବାନ୍ତି ଲାଗୁଥିଲେ, ତାହା ବନ୍ଦ ହୋଇଯିବ। ବାହାରକୁ ଯିବା ପୂର୍ବରୁ ଏହି ମିଶ୍ରଣକୁ ପିଅନ୍ତୁ। ଦେଖିବେ ଆଉ ବାନ୍ତି ଲାଗିବ ନାହିଁ।

ଲବଙ୍ଗ – ଯେତେବେଳେ ବି ଆପଣଙ୍କୁ ଲାଗୁଛି କି ବାନ୍ତି ହେବ ବୋଲି ଅନୁଭବ କରୁଛନ୍ତି, ସେହି ସମୟରେ ଖଣ୍ଡେ ଲବଙ୍ଗକୁ ପାଟିରେ ରଖି ଚୁଚୁମିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ବାନ୍ତି ଲାଗିବା ବନ୍ଦ ହୋଇଯିବ।

ଅଣ୍ଡର-୧୯ ବିଶ୍ୱକପ୍‌: ଜାପାନକୁ ୪୧ ରନରେ ରୋକିଲା ଭାରତ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଡିଫେଣ୍ଡିଂ ଚାମ୍ପିୟନ୍ ଭାରତୀୟ କ୍ରିକେଟ୍ ଟିମ୍ ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ତା’ର ଦ୍ୱିତୀୟ ମୁକାବିଲାରେ ଅପେକ୍ଷାକୃତ ଦୁର୍ବଳ ଜାପାନକୁ ମାତ୍ର ୪୧ ରନରେ ଅଲଆଉଟ୍ କରିଦେଇଛି। ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଭାରତୀୟ ଟିମ୍ ଜାପାନକୁ ୨୨.୫ ଓଭରରେ ପ୍ୟାଭିଲିୟନ ପଠାଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ଭାରତ ୪.୫ ଓଭରରେ ବିନା କୌଣସି କ୍ଷତିରେ ହାସଲ କରିନେଇଥିଲା। ଏଥିସହ ଭାରତ ମୁକାବିଲାକୁ ୧୦ ୱିକେଟରେ ଜିତି ସୁପରଲିଗରେ ସ୍ଥାନ ପକ୍କା କରିଛି। ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୨୯ (୧୮ ବଲ୍‌, ୫ ଚୌକା, ୧ ଛକା) ଓ କୁମାର କୁଶାଗ୍ର ୧୩ (୧୧ ବଲ୍‌, ୨ ଚୌକା) ରନ୍ କରି ଅପରାଜିତ ଥିଲେ। ମାତ୍ର ୪୧ ରନରେ ଅଲଆଉଟ୍ ହୋଇ ଜାପାନ ନୂଆ ରେକର୍ଡ ମଧ୍ୟ କରିଛି। ଅଣ୍ଡର୍‌-୧୯ ବିଶ୍ୱକପ୍ ଇତିହାସରେ ଜାପାନ ଯୁଗ୍ମ ଭାବେ ସର୍ବନିମ୍ନ ସ୍କୋର କରିଛି। ଏହି କ୍ଷେତ୍ରରେ ଜାପାନ କାନାଡା ଓ ବାଂଲାଦେଶ ଟିମ୍ ସମକକ୍ଷ ହୋଇଛି। ୨୦୦୨ରେ କାନାଡା ଓ ୨୦୦୮ରେ ବାଂଲାଦେଶ ଟିମ୍ ମଧ୍ୟ ୪୧ ରନରେ ଅଲଆଉଟ୍ ହୋଇଥିଲା। ତେବେ ଟି-୨୦ରେ ସର୍ବନିମ୍ନ ସ୍କୋରର ରେକର୍ଡ ସ୍କଟଲ୍ୟାଣ୍ଡ୍ ନାଁରେ ରହିଛି। ସ୍କଟଲ୍ୟାଣ୍ଡ୍ ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମାତ୍ର ୨୨ ରନ୍ କରି ଅଲଆଉଟ୍ ହୋଇଥିଲା। ଆଜିର ମ୍ୟାଚରେ ଜାପାନକୁ ଭାରତ ଅତିରିକ୍ତ ଭାବେ ୧୯ ରନ୍ ଦେଇଛି। ଯାହାକି ଜାପାନ ପାଇଁ ଏହା ହିଁ ସର୍ବାଧିକ ସ୍କୋର। ଏହାଛଡ଼ା ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଏଥିମଧ୍ୟରୁ ପାଞ୍ଚଜଣ ବ୍ୟାଟ୍ସମ୍ୟାନ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଦଳ ପକ୍ଷରୁ ଶୁ ନୋଗୁଜି (୭) ଓ କେଣ୍ଟୋ ଡୋବେଲ୍ (୭) ସର୍ବାଧିକ ସ୍କୋର କରିଥିଲେ। ଭାରତ ପକ୍ଷରୁ ସ୍ପିନର୍ ରବି ବିଶ୍ନୋଇ ସବୁଠାରୁ ସଫଳ ବୋଲର ଭାବେ ମାତ୍ର ୫ ରନ୍ ଦେଇ ୪ ୱିକେଟ୍ ନେଇଛନ୍ତି। ତାଙ୍କ ବ୍ୟତୀତ ପେସ୍ ବୋଲର କାର୍ତ୍ତିକ ତ୍ୟାଗି ୩ଟି, ଆକାଶ ସିଂହ ୨ଟି ଓ ବିଦ୍ୟାଧର ପାଟିଲ୍ ଗୋଟିଏ ୱିକେଟ୍ ପାଇଥିଲେ। ସୂଚନାଯୋଗ୍ୟ, ଭାରତ ତା’ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୯୦ ରନରେ ପରାସ୍ତ କରିଥିଲା। ସେହିପରି ଜାପାନ ତା’ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିଥାନ୍ତା, କିନ୍ତୁ ବର୍ଷା କାରଣରୁ ଏହି ମୁକାବିଲା ଧୋଇ ହୋଇଯାଇଥିଲା। ଯାହା ଫଳରେ ଉଭୟ ଜାପାନ ଓ ନ୍ୟୁଜିଲ୍ୟାଣ୍ଡକୁ ୧ ପଏଣ୍ଟ ଲେଖାଏ ମିଳିଥିଲା। ଭାରତ ତା’ର ପରବର୍ତ୍ତୀ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପୂର୍ବରୁ ଭାରତକୁ ବଡ଼ ଝଟକା ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଜବରଦସ୍ତ ଝଟକା ଲାଗିଛି। ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ରବିବାର ବେଙ୍ଗାଲୁରୁରେ ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲାରେ ଫିଲ୍ଡିଂ କରୁଥିବା ବେଳେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ଏ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ସୂଚନା ମିଳିସାରିଛି। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଧୱନଙ୍କ ବିକଳ୍ପ ତୁରନ୍ତ ଚୟନ କରାଯିବ। ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ଇନିଂସର ପଞ୍ଚମ ଓଭରରେ ଫିଲ୍ଡିଂ କରୁଥିବା ବେଳେ ଧୱନଙ୍କ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ଭାରତର ବ୍ୟାଟିଂ ବେଳେ ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବାକୁ ଓହ୍ଲାଇନଥିଲେ। ଏପରିକି ଧୱନ୍ ଅଷ୍ଟ୍ରେଲିଆ ଇନିଂସରେ ଫିଲ୍ଡିଂ ମଧ୍ୟ କରିପାରିନଥିଲେ। ଏହା ପୂର୍ବରୁ ଦ୍ୱିତୀୟ ଦିନିକିଆରେ ପ୍ୟାଟ୍ କମିନ୍ସଙ୍କ ବାଉନ୍ସର ବଲ୍ ଧୱନଙ୍କ ଛାତିରେ ବାଜିଥିଲା। ତେବେ ଧୱନ୍ ଏଭଳି ଆହତ ହେବା କିଛି ନୂଆ କଥା ନୁହେଁ। ଅଙ୍ଗୁଳିରେ ଫ୍ରାକଚର୍ ହେବା କାରଣରୁ ସେ ୨୦୧୯ ବିଶ୍ୱକପରୁ ବାହାରି ଯାଇଥିଲେ। ଆହତ ପରେ ଧୱନ୍ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଜରିଆରେ କମବ୍ୟାକ୍ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ସେ ଯଥାକ୍ରମେ ୯୬ ଓ ୭୪ ରନର ଇନିଂସ୍ ଖେଳି ଫର୍ମରେ ଥିବା ପରିଚୟ ମଧ୍ୟ ଦେଇଥିଲେ। କିନ୍ତୁ ଏବେ ଲଗାତର ଆହତ ହେବା ତାଙ୍କ କ୍ରିକେଟ୍ କ୍ୟାରିୟରକୁ ବିପଦ ଆଡ଼କୁ ଠେଲି ଦେଇଛି।

ନ୍ୟୁଜିଲ୍ୟାଣ୍ଡ୍ ଟେଷ୍ଟ ସିରିଜରୁ ଈଶାନ୍ତ ଶର୍ମା ଆଉଟ୍‌

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଭାରତୀୟ ଟିମର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଗୋଇଠିରେ ଆଘାତ କାରଣରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି। ସୋମବାର ରଣଜୀ ଟ୍ରଫି ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଈଶାନ୍ତଙ୍କୁ ବିଦର୍ଭର ଦ୍ୱିତୀୟ ଇନିଂସର ପଞ୍ଚମ ଓଭରରେ ଆଘାତ ଲାଗିଥିଲା। ଏ ନେଇ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଜେନେରାଲ୍ ସେକ୍ରେଟାରୀ ବିନୋଦ ତିହାରା କହିଛନ୍ତି, ଈଶାନ୍ତଙ୍କ ଗୋଇଠିରେ ତୃତୀୟ ଗ୍ରେଡ୍ ଆଘାତ ଲାଗିଛି, ଯାହା ଅତ୍ୟନ୍ତ ଗୁରୁତର। ତାଙ୍କୁ ବର୍ତ୍ତମାନ ସପ୍ତାହ ପାଇଁ ଆରାମ ଏବଂ ରିହ୍ୟାବିଲିଟେଶନ୍ ପାଇଁ ପରାମର୍ଶ ଦିଆଯାଇଛି। ବାସ୍ତବରେ କହିବାକୁ ଗଲେ ଏହା ବହୁତ ବଡ଼ ଝଟକା। ଡିଡିସିଏର ଅନ୍ୟଜଣେ ଅଧିକାରୀ କହିଛନ୍ତି, ଈଶାନ୍ତଙ୍କର ଏମଆରଆଇ ରିପୋର୍ଟ ଆସିଯାଇଛି। ସୌଭାଗ୍ୟବଶତଃ ତାଙ୍କ ଗୋଇଠିରେ କୌଣସି ଫ୍ରାକଚର୍ ହୋଇନାହିଁ। ଯେତେବେଳେ ସେ ଠିକ୍ ଭାବେ ଚାଲିବା ଆରମ୍ଭ କରିବେ, ସେତେବେଳେ ସେ ଏନସିଏକୁ ଯିବେ। ତେବେ ଏହି ଘଟଣାରେ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ବିସିସିଆଇ ଏସବୁର ଯାଞ୍ଚ କରିବା ପରେ କୌଣସି ନିଷ୍ପତ୍ତି ନେବ। ଭାରତ ପକ୍ଷରୁ ୯୬ ଟେଷ୍ଟ ମ୍ୟାଚ୍ ଖେଳିସାରିଥିବା ଈଶାନ୍ତଙ୍କ ସ୍ଥାନରେ ଦିଲ୍ଲୀ ପେସର ନଭଦୀପ ସାଇନିଙ୍କୁ ଟେଷ୍ଟ ଟିମରେ ସାମିଲ୍ କରାଯାଇପାରେ। ବର୍ତ୍ତମାନ ଈଶାନ୍ତଙ୍କ ଅନୁପସ୍ଥିତିରେ ନ୍ୟୁଜିଲ୍ୟାଣ୍ଡରେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଉମେଶ ଯାଦବଙ୍କ ଉପରେ ଭାରତର ପେସ୍ ବିଭାଗ ନିର୍ଭର କରିବ।

ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳରେ ଏହି ଯୁବ ବ୍ୟାଟ୍ସମ୍ୟାନ୍ ସାମିଲ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ଟି-୨୦ ଓ ଦିନିକିଆ ସିରିଜରୁ ଶିଖର ଧୱନ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ସାମିଲ୍ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ବ୍ୟାଟିଂ କରିବାକୁ ଆସିନଥିଲେ। ଧୱନଙ୍କୁ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇଥିଲା। କିନ୍ତୁ ଏବେ ଆହତ କାରଣରୁ ଉଭୟ ସୀମିତ ଓଭର ସିରିଜରୁ ଆଉଟ୍ ହୋଇଛନ୍ତି। ଟି-୨୦ ସିରିଜ୍ ପାଇଁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସାମିଲ୍ କରାଯାଇଛି। ତେବେ ଟେଷ୍ଟ ସିରିଜ୍ ପାଇଁ ଆଜି ଭାରତୀୟ ଦଳର ଚୟନ କରାଯାଇନାହିଁ। ଟେଷ୍ଟ ସିରିଜ୍ ପାଇଁ ଆଗାମୀ ଦିନରେ ଦଳ ଚୟନ କରାଯିବ।

ବର୍ତ୍ତମାନ ପୃଥ୍ୱୀ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ-ଏ ପକ୍ଷରୁ ଖେଳୁଛନ୍ତି। ଯେହେତୁ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚି ସାରିଛି, ଏହାକୁ ଦୃଷ୍ଟିରେ ପୃଥ୍ୱୀଙ୍କୁ ଦିନିକିଆ ଟିମରେ ସୁଯୋଗ ମିଳିଛି। ପୂର୍ବରୁ ପୃଥ୍ୱୀ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି। କିନ୍ତୁ ସେ ପ୍ରଥମଥର ଲାଗି ସୀମିତ ଓଭର କ୍ରିକେଟ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ-ଏ ପକ୍ଷରୁ ଖେଳୁଥିବା ପୃଥ୍ୱୀ ମାତ୍ର ୧୦୦ ବଲରେ ୧୫୦ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୨୨ ଚୌକା ଓ ୨ ଛକା ସାମିଲ୍ ଥିଲା।

ନିକଟରେ ପୃଥ୍ୱୀ ଅନେକ କାରଣରୁ ବିବାଦ ଘେରରେ ରହିଥିଲେ, କିନ୍ତୁ ସେ ସର୍ବଦା ନିଜର ବ୍ୟାଟ୍ ଦ୍ୱାରା ସବୁ ବିବାଦକୁ ପଛରେ ପକାଇଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ନିଜର ଏହି ପ୍ରଦର୍ଶନ ଦ୍ୱାରା ନିଶ୍ଚିତ ଭାବେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗକୁ ଟେଷ୍ଟ ସିରିଜ୍ ପାଇଁ ମଧ୍ୟ ଦଳ ଚୟନ କରାଯିବ ଏବଂ ଏଥିରେ ପୃଥ୍ୱୀଙ୍କୁ ସ୍ଥାନ ମିଳିବା ମଧ୍ୟ ଏକପ୍ରକାର ନିଶ୍ଚିତ ଲାଗୁଛି। ଡୋପିଙ୍ଗ୍ କାରଣରୁ ୮ମାସର ବାସନ୍ଦାଦେଶ କାଟିବା ପରେ ପୃଥ୍ୱୀ ଦମଦାର ଫର୍ମରେ ଥିଲେ, କିନ୍ତୁ ମୁମ୍ବାଇର କର୍ଣ୍ଣାଟକ ବିପକ୍ଷ ରଣଜୀ ମ୍ୟାଚର ପ୍ରଥମ ଦିନରେ ହିଁ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ନ୍ୟୁଜିଲ୍ୟାଣ୍ଡରେ ଭାରତ-ଏ’ର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିପାରିନଥିଲେ।

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ଅଭିଯାନ ଆରମ୍ଭ କରିଛି। ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୪ ତାରିଖରେ ଖେଳାଯିବ। ଏହା ପରେ ଫେବୃଆରୀ ୫ ତାରିଖରୁ ତିନିମ୍ୟାଚ୍ ଦିନିକିଆ ସିରିଜ୍ ଆରମ୍ଭ ହେବ । ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨୧ ଫେବୃଆରୀରୁ ହାମିଲଟନରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ୨୯ ଫେବୃଆରୀରୁ କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ଖେଳାଯିବ।

ଦିନିକିଆ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ପୃଥ୍ୱୀ ଶ’, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, କେଦାର ଯାଦବ।

ଟି-୨୦ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ସଞ୍ଜୁ ସାମସନ୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର।

୨୨ ଜାନୁଆରୀ,ବୁଧବାର । ଆଜିର ରାଶିଫଳ

ମେଷ:  ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଘରେ ହସଖୁସିର ପରିବେଶ ରହିବ।

ବୃଷ:  ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଅସୁସ୍ଥ ଅନୁଭବ କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମିଥୁନ:  ଦିନଟି ଭଲରେ କଟିବ। ଅଧିକ ପରିଶ୍ରମ କରିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

କର୍କଟ: ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ସିଂହ:  ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

କନ୍ୟା:  ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ବିଚ୍ଛା: ମାଲି ମକଦ୍ଦମାରେ ବିଜୟୀ ହେବେ। ଯାନବାହନ କିଣିପାରନ୍ତି।  ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ଧନୁ:  ବ୍ୟସ୍ତତା ଭିତରେ ଦିନଟି କଟିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ମାନ-ସମ୍ମାନ ମିଳିବ।

ମକର:  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମୀନ: ଅଳସୁଆ ଅନୁଭବ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବିବାହ ସ୍ଥିର ହୋଇପାରେ।

ଶାହ କହିଲେ କୌଣସି ପରିସ୍ଥିତିରେ ବି ସିଏଏ ହଟିବନି !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ) ସଂସଦରେ ପାରିତ ହେବା ପରଠାରୁ ବିରୋଧ ଲାଗି ରହିଛି। ଗତ କିଛି ଦିନରେ ବିରୋଧ ଓ ଆନ୍ଦୋଳନ ସାମାନ୍ୟ ଥମିଛି ସତ, ଏଯାଏ ସମ୍ପୂର୍ଣ୍ଣ ବନ୍ଦ ହୋଇନି। କିନ୍ତୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସ୍ପଷ୍ଟ କରି ଦେଇଛନ୍ତି କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ଏଥି ସହିତ ସରକାର ସିଏଏକୁ ନେଇ ଅଟଳ ରହିଥିବା ଶାହ ସୂଚାଇ ଦେଇଛନ୍ତି। ଆଜି ଲକ୍ଷ୍ନୌଠାରେ ସିଏଏ ସମର୍ଥନରେ ବିଜେପି ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗଦେଇ ଶାହ କହିଥିଲେ, କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଆଜି ବିରୋଧୀ ଦଳମାନେ ଭୋଟ୍‌ବ୍ୟାଙ୍କ ପଲିଟିକ୍ସ ପାଇଁ ମିଛର ପ୍ରଚାର କରୁଛନ୍ତି। ସୂଚନାଯୋଗ୍ୟ ଯେ, ଗତ କାଲି ଅମିତ ଶାହଙ୍କ ଅନ୍ୟତମ ଅନୁଗତ ତଥା ବରିଷ୍ଠ ନେତା ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ଏହାପରେ ଆଜି ପ୍ରଥମ ଥର ପାଇଁ ଶାହ ଜନସଭାରେ ଯୋଗ ଦେଇଛନ୍ତି। ସେ ଏହି ରାଲିରେ କହିଛନ୍ତି ବିରୋଧୀ ଯେତବେ ବିରୋଧ କରନ୍ତୁ, ସିଏଏ ପ୍ରତ୍ୟାହାର କରିବାର ନାହିଁ। ଶାହ କହିଛନ୍ତି, ୧୦୦ ଥର ଗୋଟିଏ ମିଛକୁ ସତ କହିଲେ ତାହା ସତ ହୋଇଯିବନି। ସିଏଏ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଭିତ୍ତିରେ ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବା ଉଦ୍ଦିଷ୍ଟ। ଏହା କାହାର ନାଗରିକତା ନେବା ଉଦ୍ଦିଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଜେଏନ୍‌ୟୁରେ ସ୍ଲୋଗାନ୍‌ ନେଇ ହୋଇଥିବା ଅଭିଯୋଗ ବାବଦରେ ସେ କହିଥିଲେ, ଯେଉଁମାନେ ଏପରି ସ୍ଲୋଗାନ ଦେଉଥିବେ ଏବଂ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଆହ୍ୱାନ କରୁଥିବେ ସେମାନଙ୍କୁ ଜେଲରେ ପୁରାଇ ଦିଆଯିବ। ସେ ରାହୁଲ ଗାନ୍ଧି, ମମତା ବାନାର୍ଜୀ ଏବଂ ଅଖିଲେଶ ଯାଦବ ଆଦି ବିରୋଧୀ ନେତାଙ୍କୁ ସେ ସିଏଏ ପ୍ରସଙ୍ଗରେ ଖୋଲା ଆଲୋଚନା ପାଇଁ ଆହ୍ୱାନ କରିଥିଲେ। ଏଥିସହ ଏଥିରେ କାହାର ନାଗରିକତା ଯିବାର ଗୋଟିଏ ବି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।

କେଜ୍ରିଙ୍କୁ ‘ଫ୍ୟାମିଲି’ ବାଣ ମାରିଲେ କୁମାର ବିଶ୍ୱାସ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଦିଲ୍ଲୀ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଜି ପ୍ରର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୪୫ ଜଣଙ୍କ ସହ ଧାଡ଼ିରେ ଛିଡ଼ାହେବା ସହ ଦୀର୍ଘ ୬ ଘଣ୍ଟାର ଅପେକ୍ଷା ପରେ ଶେଷରେ ଧାଡ଼ି ଭିତରୁ ବାହାରି ତାଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ପଡ଼ିଛି। କେଜ୍ରିୱାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟି ଏଥିରେ ରାଜନୀତିର ଗନ୍ଧ ବାରିଥିବାବେଳେ କେଜ୍ରିୱାଲ ଏହାକୁ ହାଲକାର ସହିତ ନେବାକୁ ପ୍ରୟାସ କରିଛନ୍ତି। କିନ୍ତୁ କେଜ୍ରିୱାଲଙ୍କୁ ଏହି ମୌକାରେ ସମାଲୋଚନା କରିବାର ସୁଯୋଗ ଛାଡ଼ିନାହାନ୍ତି ଆପ୍‌ ଛାଡ଼ି ସାରିଥିବା କୁମାର ବିଶ୍ୱାସ।ଏପରି ଧରଡ଼ରେ ଛିଡ଼ାହେବା ନେଇ କେଜ୍ରି କହିଥିଲେ, ଏହା ତାଙ୍କୁ ଫରକ ପଡ଼ୁନି। ସେମାନେ ପ୍ରଥମ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରଥମଥର ଭୁଲ୍‌ ହେବ ଏବଂ ସେମାନେ ସମସ୍ତେ ମୋ ‘ଫ୍ୟାମିଲି’ର ବୋଲି କେଜ୍ରି କହିଥିଲେ। ତେବେ କବି କୁମାର ବିଶ୍ୱାସଙ୍କୁ ‘ଫ୍ୟାମିଲି’ ଶବ୍ଦଟି ବେଶ ଛୁଇଁଥିଲା। କୁମାର ବିଶ୍ୱାସ ଏହି ଅବସରରେ କେଜ୍ରିଙ୍କ ପିତୃପ୍ରତିମ ଆନ୍ନା ହଜାରେ, ବଡ଼ ଭାଇ ପରି ଯୋଗେନ୍ଦ୍ର ଯାଦବ ଏବଂ ସାନ ଭାଇ ତଥା ବନ୍ଧୁ ନିଜେ କୁମାର ବିଶ୍ୱାସଙ୍କ କଥା ମନେ ପକାଇଥିଲେ। ସେ କହିଥିଲେ, “ଫ୍ୟାମିଲି? ଯେଉଁ ଆନ୍ନା ହଜାରେଙ୍କୁ ପିତୃପ୍ରତିମ କହିଥିଲେ, ଯୋଗେନ୍ଦ୍ର ଯାଦବ ବଡ଼ ଭାଇ ପରି ବୋଲି କହିଥିଲେ ଏବଂ ଯେଉଁ ସାଙ୍ଗକୁ ସାନ ଭାଇ କହିଥିଲେ ସେମାନଙ୍କ ସହ ଯେଉଁ ହତ୍ୟାକାରୀ ଭଳି ଷଡ଼ଯନ୍ତ୍ର କରିଥିଲ ଏହି ବିଚରାମାନଙ୍କ ସହ ସେପରି ବ୍ୟବହାର କରିବ? ଅତିକମରେ ପରିବାର-ସଂସ୍କାର ଆଦି ଶବ୍ଦ ବ୍ୟବହାର କରିବା ତ ଛାଡ଼ିଦଅ ଏବେ।”

ଜାନୁଆରୀ ୨୬ରେ ମୁଖ୍ୟ ଅତିଥି ବ୍ରାଜିଲ ରାଷ୍ଟ୍ରପତି

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଚଳିତବର୍ଷ ଦେଶ ପାଳିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲ ରାଷ୍ଟ୍ରପତି ଜୋର ବୋଲସୋନାରୋ। ପ୍ରତିବର୍ଷ ଜାନୁଆରୀ ୨୬ରେ ବିଦେଶ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥାଏ। ଏହି ଧାରାରେ ବ୍ରାଜିଲ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ବ୍ରାଜିଲ ରାଷ୍ଟ୍ରପତି ଜାନୁଆରୀ ୨୪ରୁ ୨୭ ଯାଏ ଭାରତରେ ରହିବେ। ଗଣତନ୍ତ୍ର ଦିବସ ବ୍ୟତୀତ ବୋଲସୋନାରୋ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବ୍ରାଜିଲ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ୨୪ ଜାନୁଆରୀରେ ବ୍ରାଜିଲ ରାଷ୍ଟ୍ରପତି ନିଜର ୭ ମନ୍ତ୍ରୀ ଏବଂ ପାଖାପାଖି ୧୫ ସରକାରୀ ଅଧିକାରୀଙ୍କ ସହିତ ଦିଲ୍ଲୀ ପହଞ୍ଚିବେ। ଏହା ପୂର୍ବରୁ ୧୯୯୬ ଏବଂ ୨୦୦୪ରେ ବ୍ରାଜିଲର ରାଷ୍ଟ୍ରପତି ଦେଶର ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ। ବ୍ରାଜିଲ ରାଷ୍ଟ୍ରପତି ୨୪ରେ ଭାରତ ପହଞ୍ଚିବା ପରେ ୨୫ ଜାନୁଆରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସାମିଲ୍ ହେବେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିବେ। ଗଣତନ୍ତ୍ର ଦିବସ ପରେ ବ୍ରାଜିଲ ରାଷ୍ଟ୍ରପତି ଭାରତ-ବ୍ରାଜିଲ ବିଜନେସ ସମ୍ମିଳନୀକୁ ଉଦବୋଧନ ଦେବେ।