ପେଟ ସଫା ରଖିବାକୁ ଖା’ନ୍ତୁ ଏହି ପରିବା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଶୀତଦିନିଆ ପରିବା ହେଉଛି ମୂଳା। ଅଧିକାଂଶ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରନ୍ତି। ସେହିପରି ଅନେକ ଏହାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ପକାଇ ଖାଇବାକୁ ଭଲ ପା’ନ୍ତି। ମୂଳା ବ୍ୟବହାର କରି ଆପଣ ପରଟା ବି କରି ପାରିବେ। ଏହା ଖୁବ୍ ସୁଆଦିଆ ଲାଗେ। ତେବେ ମୂଳା କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ବି ସହାୟତା କରେ। ତା’ହେଲେ ଆସନ୍ତୁ ଜାଣିବା ମୂଳା ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ।

୧. ଯଦି ଆପଣଙ୍କୁ ଥଣ୍ଡା ଓ କାଶ ହେଉଛି, ତା’ହେଲେ ଡାଏଟ୍‌ରେ ମୂଳାକୁ ସାମିଲ କରନ୍ତୁ। କାରଣ ମୂଳାରେ ଡି-କଞ୍ଜେଷ୍ଟେଣ୍ଟ କମ୍ପାଉଣ୍ଡ ରହିଛି, ଯାହା ନାକ ଓ ଗଳାକୁ ସଫା ରଖିଥାଏ। ଏଥିଯୋଗୁଁ ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧି ହୋଇ ନ ଥାଏ ଏବଂ ଥଣ୍ଡାକାଶ ଦୂର ହୋଇଥାଏ।

୨. ମୂଳାରେ ପୋଟାସିୟମ୍‌ ରହିଛି। ଏହା ଶରୀରରେ ସୋଡିୟମ୍‌-ପୋଟାସିୟମ୍‌ର ସନ୍ତୁଳନ ରକ୍ଷାକରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

୩. ଏଥିରେ ଥିବା ଫାଇବର୍‌ ପେଟକୁ ସଫା ରଖି ଖାଦ୍ୟକୁ ହଜମ କରିବା ପାଇଁ ସାହାଯ୍ୟ କରିଥାଏ।

୪. ମୂଳାରେ ଇନ୍‌ସୁଲିନ୍‌କୁ କଣ୍ଟ୍ରୋଲ୍‌ କରିବା ଗୁଣ ରହିଥିବାରୁ ଏହାଦ୍ୱାରା ସୁଗାରର ସ୍ତର ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

୫. ମୂଳାରେ ଡାଇୟୁରୋଟିକ୍ ଗୁଣ ରହିଛି, ଯାହା କିଡ୍‌ନୀରୁ ବିଷାକ୍ତ ପଦାର୍ଥକୁ କାଢ଼ିବାରେ ସାହାଯ୍ୟ କରିଥାଏ।

୬. ଏଥିରେ ଥିବା ଫାଇବର ଯୋଗୁଁ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଉଜ୍ଜ୍ୱଳ ତ୍ୱଚା ପାଇଁ ୫ଟି ଘରୋଇ ଉପାୟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-ପ୍ରାୟ ସମସ୍ତେ ଉଜ୍ଜ୍ୱଳ ତ୍ୱଚା ଚାହାନ୍ତି। ସେଥିପାଇଁ ବିଭିନ୍ନ ଉପାୟ ବି ଆପଣାନ୍ତି। ତେବେ ଆଉ କେହି କେହି ସମୟାଭାବରୁ ତ୍ୱଚାର ସେମିତି ଖାସ୍ ଯତ୍ନ ନେଇପାରନ୍ତି ନାହିଁ। ଏପରି କ୍ଷେତ୍ରରେ ଏମିତି କିଛି ଉପାୟ ରହିଛି, ଯେଉଁଥିରେ ଅଧିକ ସମୟ ବ୍ୟୟ କରିବାକୁ ପଡ଼ିବନି ଓ ତ୍ୱଚା ବି ଉଜ୍ଜ୍ୱଳ ରହିବ। ତା’ହେଲେ ଆସନ୍ତୁ ଜାଣିବା ଏଭଳି ଉପାୟ ସଂପର୍କରେ।

ମେଥି- ଶୀତଦିନେ ମେଥି ଖାଇଲେ ଭଲ। ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାର ମୃତ କୋଷିକାକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ତ୍ୱଚାରୁ ଦାଗ ଓ ରିଙ୍କିଲ୍‌କୁ ଦୂର କରିଥାଏ।

ଅଣ୍ଡା- ତ୍ୱଚାକୁ ହେଲ୍‌ଦି ରଖିବା ପାଇଁ ପ୍ରତିଦିନ ଜଳଖିଆରେ ଗୋଟିଏ ଅଣ୍ଡା ସାମିଲ କରନ୍ତୁ। ଏହା ତ୍ୱଚାର ସେଲ୍‌କୁ ମଜଭୁତ କରେ।

ଆଭୋକାଡୋ- ସ୍କିନ୍‌କୁ ହେଲ୍‌ଦି ରଖିବା ପାଇଁ ଭିଟାମିନ୍‌ ଏବଂ ମିନେରାଲ୍‌ ଜାତୀୟ ଖାଦ୍ୟ ଖାଇବା ଉଚିତ। ଆଭୋକାଡୋରେ ଭିଟାମିନ୍‌ ଏବଂ ମିନେରାଲ୍‌ ଅଂଶ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ ଏବଂ ତ୍ୱଚାରେ ରହିଥିବା ଦାଗ ମଧ୍ୟ ଧୀରେ ଧୀରେ ଲିଭିବାରେ ଲାଗିଥାଏ।

ଦହି-ଦହିରେ କ୍ୟାଲ୍‌ସିୟମ ରହିଥାଏ ଯାହା ଚେହେରାରେ ରହିଥିବା ସେଲ୍‌କୁ ମଜବୁତ କରିବା ସହ ମୁହଁରୁ କଳା ଦାଗ ମଧ୍ୟ ଦୂର କରିଥାଏ।

ବାଦାମ– ବାଦାମ୍‌ରେ ଭିଟାମିନ୍‌ ରହିଥାଏ, ଯାହା ତ୍ୱରାରେ ନୂଆ ସେଲ୍‌ ଆଣିବାରେ ସାହାଯ୍ୟ କରିଥାଏ।

‘ବିଗ୍‌ ବସ୍‌’ ଛାଡ଼ିବାକୁ ଜିଦ୍ ଧରିଛନ୍ତି ସିଦ୍ଧାର୍ଥ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ):ଗତ କିଛି ଦିନ ଧରି ‘ବିଗ୍‌ ବସ୍‌ ୧୩’ରେ ଲଗାତାର ଏଣ୍ଟରଟେନ୍‌ ଓ ମସ୍ତି କରିଆସୁଥିବା ସିଦ୍ଧାର୍ଥ ପୁଣିଥରେ ନିଜ ପୂରୁଣା ରୂପକୁ ଫେରିଛନ୍ତି। ଫିନାଲେ ଏପିସୋଡ୍‌କୁ ଆଉ କିଛିଦିନ ବାକି ଥିବାବେଳେ ପୁଣିଥରେ ଶୋ’ରେ ଅସୀମ ରିୟାଜଙ୍କ ସହିତ ତାଙ୍କ ଲଢ଼େଇ ଦେଖିବାକୁ ମିଳିଛି। କଥା ଏତେ ବଢ଼ିଯିବ ଯେ ସିଦ୍ଧାର୍ଥ ଶୋ’ ଛାଡ଼ିବାକୁ ଜିଦ୍‌ ଧରିଛନ୍ତି। ଶୋ’ର ଅପ୍‌କମିଂ ଏପିସୋଡ୍‌ରେ ବି ଦେଖିବାକୁ ମିଳିବ ଏହି ହାଇଭୋଲଟେଜ୍‌ ଫାଇଟ୍‌। ‘ବିଗ୍‌ ବସ୍‌’ ଜାରି କରିଥିବା ପ୍ରୋମୋରେ ଦେଖିବାକୁ ମିଳିଛି ଯେ ହିନା ଖାନ୍‌ ପୁଣିଥରେ ଶୋ’ରେ ଏଣ୍ଟ୍ରି କରିଛନ୍ତି। ସେ ‘ବିବି’ ଘରକୁ ଏଲିଟ୍‌ କ୍ଲକ୍ ଟାସ୍କ କରାଇବାକୁ ଆସିବେ। ହେଲେ ଟାସ୍କ ସମୟରେ ହିନାଙ୍କ ଆଗରେ ହିଁ ସିଦ୍ଧାର୍ଥ ଓ ଅସୀମଙ୍କ ମଧ୍ୟରେ ଲଢ଼େଇ ହୋଇଛି। ଦୁହିଁଙ୍କ ଝଗଡ଼ା ଏତେ ଭୟଙ୍କର ହୋଇଯାଇଛି ଯେ ଶେଷରେ ‘ବିଗ୍‌ ବସ୍‌’ ଦୁହିଁଙ୍କୁ କନ୍‌ଫେଶନ୍‌ ରୁମ୍‌କୁ ଡାକି ନେଇଛନ୍ତି। କନ୍‌ଫେଶନ୍‌ ରୁମ୍‌ରେ ସିଦ୍ଧାର୍ଥ ଶୋ’ ଛାଡ଼ିବା ପାଇଁ ଜିଦ୍‌ ଧରିଛନ୍ତି।  ହେଲେ ଏହାପରେ କ’ଣ ହୋଇଛି, ସିଦ୍ଧାର୍ଥ ଶୋ’ ଛାଡ଼ିଛନ୍ତି କି ନାହିଁ, ତାହା ଆଗାମୀ ଏପିସୋଡ୍‌ ଦେଖିଲେ ହି ଜଣାପଡ଼ିବ। ସୂଚନାଯୋଗ୍ୟ, ହିନା ଚତୁର୍ଥ ଥର ପାଇଁ ‘ବିବି ହାଉସ୍‌’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତେବେ ଏଥର ସେ ଆସିବାର ଏକ ଖାସ୍‌ ଉଦ୍ଦେଶ୍ୟ ରହିଛି। ବାସ୍ତବରେ ହିନା କେବଳ ଟାସ୍କ କରାଇବାକୁ ନୁହେଁ ବରଂ ନିଜ ଡେବ୍ୟୁ ଫିଲ୍ମର ପ୍ରୋମୋସନ୍‌ କରିବା ପାଇଁ ଆସିଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ହ୍ୟାକ୍ଡ’ର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି, ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଫିଲ୍ମଟି ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି। ଏହା ଫେବ୍ରୁଆରୀ ୭ ତାରିଖରେ ରିଲିଜ୍ ହେବ।

ଦୀପିକାଙ୍କୁ ଅନ୍ତର୍ଜାତୀୟ ସମ୍ମାନ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଅଭିନୟ ଯାଦୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛି ବର୍ଷ ମଧ୍ୟରେ ସେ ନିଜ ଫିଲ୍ମ  ଜରିଆରେ କେବଳ ଦର୍ଶକଙ୍କ ହୃଦୟ ଜିଣିନାହାନ୍ତି, ଷ୍ଟାରଡମ୍‌ ବି ହାସଲ୍‌ କରିଛନ୍ତି। କେବଳ ଅଭିନୟ ପାଇଁ ନୁହେଁ, ସେ ସେ ନିଜ ଲିଭ୍‌ ଲଭ୍ ଲାଫ୍‌ ଫାଉଣ୍ଡେଶନ୍‌ ପାଇଁ ମଧ୍ୟ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଏହି ଫାଉଣ୍ଡେଶନ୍‌ ଜରିଆରେ ମାନସିକ ସ୍ୱାସ୍ଥ୍ୟ ନେଇ ଲୋକଙ୍କୁ ସଚେତନ କରାଉଥିବା ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯିବ। ଦୀପିକାଙ୍କୁ ୱର୍ଲଡ ଇକୋନୋମିକ ଫୋରମ୍ କ୍ରିଷ୍ଟଲ ଆୱାର୍ଡ଼ରେ ସମ୍ମାନିତ କରିଛି। ୨୦୨୦ର ଏହି ବିଜେତା ତାଲିକାରେ ଦୀପିକା ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ତାଙ୍କର ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ସ୍ୱିଜରଲ୍ୟାଣ୍ଡର ଡାଭୋସ୍‌ରେ ଆୟୋଜିତ ୨୬ତମ କ୍ରିଷ୍ଟଲ ଆୱାର୍ଡ଼ରେ ତାଙ୍କୁ ସମ୍ମାନିତ କରାଯାଇଛି।

ମୋଦି ସରକାରଙ୍କ କ୍ରୀଡ଼ା କମିଟିରୁ ହଟିଲେ ସଚିନ ଏବଂ ବିଶ୍ୱନାଥ ଆନନ୍ଦ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କିମ୍ୱଦନ୍ତୀ କ୍ରିକେଟର ସଚିନ ରମେଶ ତେନ୍ଦୁଲକର ଏବଂ ଚେସର ବାଦଶାହ କୁହାଯାଉଥିବା ବିଶ୍ୱନାଥ ଆନନ୍ଦଙ୍କୁ କେନ୍ଦ୍ରର ମୋଦି ସରକାର କ୍ରୀଡା କମିଟିରୁ ବାଦ୍ ଦେଇଛନ୍ତି। ଡିସେମ୍ୱର ୨୦୧୫ରେ ମୋଦି ସରକାର ଅଲ୍ ଇଣ୍ଡିଆ କାଉନସିଲ ଅଫ୍ ସ୍ପୋର୍ଟସ ଗଠନ କରିଥିଲେ। ଏଥିରେ ଏହି ଦୁଇ ମହାନ ଖେଳାଳିଙ୍କୁ ସରକାର ସାମିଲ୍ କରିଥିଲେ। ଦେଶରେ କ୍ରୀଡ଼ାର ବିକାଶ ପାଇଁ ଏହି କମିଟି ଗଠନ କରାଯାଇଥିଲା। ନୂଆ ସଦସ୍ୟ ଭାବରେ କ୍ରିକେଟର ହରଭଜନ ସିଂହ, କେ.ଶ୍ରୀକାନ୍ତ, ପିଟି ଉଷା, ବଛେନ୍ଦ୍ରୀ ପାଲ, ପାର ଅଲିମ୍ପିକ ଦୀପା ମଲିକ, ଶୁଟର ଅଞ୍ଜଳି ଭାଗବତ, ରେନେଡି ସିଂହ ଏବଂ ଯୋଗେଶ୍ୱର ଦତ୍ତଙ୍କୁ ସ୍ଥାନ ମିଳିଛି। ପୂର୍ବତନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ତଥା ବର୍ତ୍ତମାନର ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଡିସେମ୍ୱର ୨୦୧୫ରେ ଏହି କମିଟି ଗଠନ କରିଥିଲେ। ଡିସେମ୍ୱର ୨୦୧୫ରୁ ମେ ୨୦୧୯ ମଧ୍ୟରେ କମିଟିର ପ୍ରଥମ କାର୍ଯ୍ୟାଳୟରେ ସଚିନ ତେନ୍ଦୁଲକରଙ୍କୁ ରାଜ୍ୟସଭା ସାଂସଦ ଏବଂ ଆନନ୍ଦଙ୍କୁ ଜଣେ ଖେଳାଳି ଭାବରେ ସାମିଲ୍ କରାଯାଇଥିଲା।ଏବେ କ୍ରୀଡ଼ା ସମିତିର ସଦସ୍ୟ ସଂଖ୍ୟା ୨୭ରୁ କମି ୧୮ ହୋଇଛି। ସଚିନ ଏବଂ ଆନନ୍ଦଙ୍କ ବ୍ୟତୀତ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପିଚାନ୍ଦ ଏବଂ ପୂର୍ବତନ ଫୁଟବଲ କ୍ୟାପଟେନ ବାଇଚୁଙ୍ଗ ଭୁତିଆ ମଧ୍ୟ ଏହି କମିଟିରୁ ବାଦ୍ ପଡ଼ିଛନ୍ତି। ସଚିନ ଏବଂ ବିଶ୍ୱନାଥ ଆନନ୍ଦ ଉଭୟ କମିଟିର ବୈଠକକୁ ଆସୁନଥିଲେ। ତେଣୁ ସରକାର ତାଙ୍କୁ କମିଟିରୁ ବାଦ ଦେଇଛନ୍ତି। ସେହିପରି ଗୋପୀଚାନ୍ଦଙ୍କୁ ବାଦ୍ ଦେବାର କାରଣ ତାଙ୍କର ବ୍ୟବସାୟ ବୋଲି କୁହାଯାଉଛି। ଗୋପୀଚାନ୍ଦ ଏବେ ଟୋକିଓରେ ହେବାକୁ ଥବା ଅଲିମ୍ପିକ୍ସ ପାଇଁ ବ୍ୟସ୍ତ ରହିଛନ୍ତି। ତେଣୁ ତାଙ୍କୁ କମିଟିରୁ ବାଦ୍ ଦିଆଯାଇଛି।

‘ବାଚସ୍ପତିଙ୍କ ନିଷ୍ପତ୍ତି ସବୁବେଳେ ନିରପେକ୍ଷ ନୁହେଁ’ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସାଂସଦ ଏବଂ ବିଧାୟକଙ୍କ ବାଚସ୍ପତି ଅଯୋଗ୍ୟ ଘୋଷିତ କରିବା ମାମଲାରେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ରଖିଛନ୍ତି। ବାଚସ୍ପତି ଏକ ରାଜନୀତିକ ଦଳର ସଦସ୍ୟ। ତେଣୁ ସବୁବେଳେ ତାଙ୍କର ନିଷ୍ପତ୍ତି ନିରପେକ୍ଷ ବୋଲି କହିହେବନି। ଏଥିପାଇଁ ସଂସଦକୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ବିଧାୟକ ଏବଂ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିରେ ଅନେକ ବିଳମ୍ୱ ହେଉଥିବାର ନଜିର ରହିଛି। ତେଣୁ ତାଙ୍କ ନିଷ୍ପତ୍ତିକୁ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ସ୍ୱାଧୀନ କମିଟି ବା ଟ୍ରିବ୍ୟୁନାଲ ଗଠନ କରାଯାଇ ବାଚସ୍ପତିଙ୍କ ନିଷ୍ପତ୍ତିର ସମୀକ୍ଷା କରାଯିବା ଦରକାର ବୋଲି କୋର୍ଟ କହିଛନ୍ତି। ସଂସଦରେ ଏ ସମ୍ପର୍କରେ ବିଚାର କରାଯାଇ ଆଇନ ଆଣିବାର ଆବଶ୍ୟକତା ରହିଛି। ବାଚସ୍ପତିଙ୍କ ନିଷ୍ପତ୍ତିର ସମୀକ୍ଷା ଟ୍ରିବ୍ୟୁନାଲ ଦ୍ୱାରା ହେବା ଦରକାର। ଏହି ଟ୍ରିବ୍ୟୁନାଲର ଅବସରପ୍ରାପ୍ତ ବିଚାରପତି ଏବଂ ଟ୍ରିବ୍ୟୁନାଲର ସ୍ଥାୟୀ ସଦସ୍ୟ ରଖାଯିବାର ବ୍ୟବସ୍ଥା କରିବା ଦରକାର। ଏହି ଟ୍ରିବ୍ୟୁନାଲରେ ସାଂସଦ ଏବଂ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।ମଣିପୁରରେ କଂଗ୍ରେସ ବିଧାୟକ ଫଜୁର ରହିମ ଏବଂ କେ. ମେଘଚନ୍ଦ୍ର, ମନ୍ତ୍ରୀ ଶ୍ୟାମକୁମାରଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରୁଥିବା ବେଳେ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଶ୍ୟାମକୁମାର କଂଗ୍ରେସ ଟିକେଟରେ ମଣିପୁର ବିଧାନସଭାକୁ ୧୧ ଥର ନିର୍ବାଚିତ ହୋଇଥିଲେ। ନିକଟରେ ସେ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ମଣିପୁରର ଏନଡିଏ ସରକାରରେ ମନ୍ତ୍ରୀ ହୋଇଥିଲେ। ଏବେ କୋର୍ଟ ମଣିପୁର ବାଚସ୍ପତିଙ୍କୁ ୪ ସପ୍ତାହ ମଧ୍ୟରେ ମାମଲାର ଶୁଣାଣି କରିବାକୁ କହିଛନ୍ତି। ଯଦି ବାଚସ୍ପତି ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନନେବେ ତା’ହେଲେ ଆବେଦନକାରୀ ପୁଣିଥରେ ସୁପ୍ରିମକୋର୍ଟ ଆସିପାରନ୍ତି।

 

ପ୍ରଥମ ଶ୍ରେଣୀ ପିଲା ବି ଇଂଲିଶରେ କଥା କହିବେ, ଦିଆଯିବ ଏପରି ଶିକ୍ଷା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜୀ ଭାଷାରେ ପ୍ରାଧାନ୍ୟ ଦେବାକୁ ଅଭିଭାବକମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍‌ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ । ଏଥିସହ ବିଭିନ୍ନ ଜିଲ୍ଲାରେ ଭିତ୍ତିଭୂମି ଥିବା ୧୦୦ଟି ସ୍କୁଲ ଅଫ୍ ଏକ୍ସିଲେନ୍ସିରେ ଇଂରାଜୀ ଶିକ୍ଷାକୁ ଗୁରତ୍ୱ ଦିଆଯିବ । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଅନ୍‌ଲାଇନ କରାଯିବାକୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହେଉଛି। ନିମାପଡାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ବୈଠକରେ ୨୯୪ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସି, ବ୍ଲକ ଶିକ୍ଷା ଅଧିକାରୀ ଓ ମଣ୍ଡଳ ଅଧିକାରୀମାନେ ଯୋଗ ଦେଇଥିଲେ । ମୋ ସରକାର, ମାଟ୍ରିକ ପରୀକ୍ଷା, ସରକାରୀ ଯୋଜନାରେ ଅନୁଦାନ ଅର୍ଥର ବିନିଯୋଗ, ଫୋନି କ୍ଷତିଗ୍ରସ୍ତ ବିଦ୍ୟାଳୟର ପୁନରୁଦ୍ଧାର ସହ ୧୯ଟି ପ୍ରସଙ୍ଗରେ ସମୀକ୍ଷା ହୋଇଥିଲା।

୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର):ଦୁଇ ଦଫା ଦାବି ନେଇ ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି। ଫଳରେ ବ୍ରିଜ୍‌ ଛକରୁ ସମସ୍ତ ବଡ଼ ଯାନବାହନ ଚଳାଚଳ ବନ୍ଦ ରହିଛି। ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକ ଅର୍ଥାତ୍‌ କୃଷକଙ୍କୁ ସାମ୍ପ୍ରତିକ ବଜାର ଦର ଆଧାରରେ ମୂଲ୍ୟ ଦେବା ଏବଂ କ୍ଷୟକ୍ଷତି ମାମଲାର ବିଚାର ପାଇଁ ପ୍ରତି ମାସରେ ବୌଦ୍ଧରେ କ୍ୟାମ୍ପ କୋର୍ଟ ଖୋଲିବାକୁ ସମିତି ପକ୍ଷରୁ ଦାବି କରାଯାଇଛି।

ଗୃହରେ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ବିବୃତି ନ ରଖିବା ଦୁର୍ଭାଗ୍ୟଜନକ – ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପରେ ଓଡ଼ିଆ ଭାଷା ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଛି। କିନ୍ତୁ ପରିତାପର ବିଷୟ, ଲୋକସେବା ଭବନ କିମ୍ବା ବିଧାନସଭାରେ କାର୍ଯ୍ୟଧାରା ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ ସମ୍ପାଦିତ ହୋଇପାରୁନି।  ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ବହୁଳ ଭାବେ ବ୍ୟବହୃତ ହେଉଥିବା ଇଂରାଜୀ ଭାଷା ଯୋଗୁ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବାରେ ବିଳମ୍ବ ହେଉଛି। ଏ ସମ୍ପର୍କରେ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ନିଜ ବିବୃତି ଇଂରାଜୀ ଭାଷାରେ ରଖୁଥିବାରୁ ଏହାକୁ ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା। ଏହାବ୍ୟତୀତ ବିଧାନସଭାରେ ବହୁ ସ୍ଥାୟୀ ଗୃହ କମିଟି ରହିଛି, ଯେଉଁମାନଙ୍କ ରିପୋର୍ଟ ଓଡ଼ିଆ ଭାଷାରେ ପ୍ରକାଶିତ ହୁଏ ନାହିଁ। ତେଣୁ ଯଥାଶୀଘ୍ର ସମସ୍ତ ସରକାରୀ କାର୍ଯ୍ୟ, ବିଚାର ବିଭାଗୀୟ କାର୍ଯ୍ୟ ତଥା  ବିଧାନସଭା କାର୍ଯ୍ୟକ୍ରମ ଯେପରି ଓଡ଼ିଆ ଭାଷାରେ ସମ୍ପାଦିତ ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।ଏହାବ୍ୟତୀତ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଇଂରାଜୀ ସହିତ ଓଡ଼ିଆ ଭାଷାକୁ ଅତିରିକ୍ତ ଭାଷା ରୂପେ ବ୍ୟବହାର କରିବାକୁ ସେ ଦାବି ଜଣାଇଛନ୍ତି। ଫଳରେ ଉଚ୍ଚ ନ୍ୟାୟଳୟରେ ଓଡ଼ିଆ ଭାଷାରେ ରାୟ ପ୍ରକାଶ ପାଇପାରିବ। ଏହାଦ୍ୱାରା କୋର୍ଟ କଚେରୀ ନାଁ କହି କେହି ସାଧାରଣ ଲୋକଙ୍କୁ ଠକି ପାରିବ ନାହିଁ। ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ଜ୍ଞାନ ବୃଦ୍ଧି ହେବ।

ଗଜପତି ଠାରେ ଜିଲ୍ଲା ସ୍ତରୀୟ ୩ ଦିନିଆ “ପଲସ୍-ପୋଲିଓ” କାର୍ଯ୍ୟକ୍ରମର ଶୁଭାରମ୍ଭ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ଦିନ ଜିଲ୍ଲା ବ୍ୟାପି ୩ ଦିନିଆ “ପଲସ୍-ପୋଲିଓ” କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଗୁଣୁରାଣୀ ପଟ୍ଟନାୟକ ସଭାପତିତ୍ୱ କରି କହିଥିଲେ ଯେ, ଏହି ପଲସ୍ ପୋଲିଓ କାର୍ଯାକ୍ରମରେ ୫ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦୁଇ ଡ୍ରପ ପୋଲିଓ ବୁନ୍ଦା ଖୁଆଜିବ ।ଏଥିପାଇଁ ଜିଲ୍ଲାରେ ମୋଟ ୭୨,୮୧୭ ଜଣ ଶିଶୁଙ୍କ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷଧାର୍ଯ୍ୟ ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ଶିଶୁମାନେ ପୋଲିଓ ବୁନ୍ଦା ଖାଇବା ଦ୍ୱାରା ସ୍ବାସ୍ଥ୍ୟର କୌଣସି ଅଙ୍ଗ ବଙ୍କା କି ପୋଲିଓ ନ ହୋଇ ସୁସ୍ଥ ରହିବ । ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବା ଏବଂ ଶିଶୁ ସୁସ୍ଥ ରହିବା ଦିଗରେ ମା ମାନେ ଅଧିକ୍ ଯତ୍ନବାନ ହେବାକୁ ଆହ୍ବାନ କରିଥିଲେ। ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ , ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାଃ.ମହମ୍ମଦ ମୁନିର , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ .ପ୍ରଦୀପ କୁମାର ପାତ୍ର , ଅସ୍ଥିଶଲ୍ୟ ବିଶେଷଜ୍ଞ ଡାଃ ଶାନ୍ତନୁ କୁମାର ପାଢୀ , ଶିଶୁ ବିଶେଷଜ୍ଞ ଡାଃ ପ୍ରଶାନ୍ତ କୁମାର ପାଢୀ ଏବଂ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଏପିଏମ୍ . ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ମଞ୍ଚାସୀନ ରହି ପଲସ ପୋଲିଓର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଆର୍ ସିଏଚ୍ ର ଉପ-ପରିଚାଳକ ସୁଶାନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ନେତ୍ରାନନ୍ଦ ଶତପଥୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମାଆ ଓ ଶିଶୁ ମାନେ ଉପସ୍ଥିତ ଥିଲେ । ସଭା କାର୍ଯ୍ୟକ୍ରମ ପରେ ପରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ରାଓଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥି ମାନେ ଶିଶୁ ମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇଥିଲେ ।
ଏହି ପଲସ ପୋଲିଓ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସହରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବଡ଼ବଡ଼ ଛକ ସ୍ଥାନ , ରାସ୍ତା ପାର୍ଶ୍ବ ବିଶ୍ରାମଗାର , ରେଳବାଇ ଷ୍ଟେସନ ଓ ବସଷ୍ଟାଣ୍ଡ , ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ୫ ବର୍ଷ ରୁ କମ୍ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଦିଆହେଉଛି । ପୋଲିଓ ବୁନ୍ଦା ଦିଆଯିବା ପରେ ଶିଶୁ ମାନଙ୍କ ହାତ ଆଙ୍ଗୁଠିରେ ଚିନ୍ହିତ କରାଯାଉଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଏହି ପଲସ-ପୋଲିଓ କାର୍ଯ୍ୟକ୍ରମରେ ୫ ବର୍ଷରୁ କମ୍ ବୟସର ପିଲା ମୋଟ ୭୨, ୮୧୭ ଜଣଙ୍କୁ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷଧାର୍ଯ୍ୟ ରହିଛି । ଏଥିପାଇଁ ଜିଲ୍ଲା ବ୍ୟାପି ମୋଟ ୨୬୭ ଟି ପୋଲିଓ-ବୁନ୍ଦା କେନ୍ଦ୍ର ରହିଥିବା ବେଳେ ୫୩୪ ଟି ଦଳ ଗଠନ କରାଯାଇଛି । ସେଥିରେ ୧୦୬୮ ଜଣ ଭେସିନେଟର ଥିବା ବେଳେ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ୫୩ ଜଣ ସୁପ୍ରଭାଇଜର , ୨୦ ଟି ଟ୍ରାଞ୍ଜିଟ ଦଳ ଏବଂ ୯ ଟି ଭ୍ରାମ୍ୟମାଣ ଦଳ ରହିଛନ୍ତି । ଏଥିରେ ୨୫ ଟି ଆଇ ଏଲ୍ ଆର୍ ପଏଣ୍ଟ ରହିଛି। । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଲକ୍ଷଧାର୍ଯ୍ୟ ରହିଥିବା ୭୨, ୮୧୭ ଜଣ ଶିଶୁଙ୍କ ନିମନ୍ତେ ମୋଟ ୯୬,୮୫୦ ଟି ପୋଲିଓ ଡୋଜ ରହିଥିବା ସୂଚନା ଦିଆଯାଇଛି ।