ବେଗୁନିଆପଡ଼ା ଠାରେ ଆଇନ ସଚତେନତା ଶିବିର ଅନୁଷ୍ଠିତ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡାରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ବେଗୁନିଆପଡ଼ା ଖଲିକୋଟ ତାଲୁକା ଆଇନ ସେବା କେନ୍ଦ୍ର ଆନୁକୂଲ୍ୟରେ ରବିବାର ଦିନ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀନିବାସ ପ୍ରତିହାରୀ, ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ଅଲେଖ କୁମାର ପ୍ରଧାନ, ଜଜ ଶ୍ରୀମତୀ ଶାନ୍ତlଶ୍ରୀ ମହାନ୍ତି, ବାର ସଭାପତି ରାଜେନ୍ଦ୍ର ପ୍ରସାଦ ରଥ, ସରପଞ୍ଚ ସନ୍ତୋଷିନି ସାହୁ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଓ ଅସହାୟ ବ୍ଯକ୍ତି, ଜନଜାତି, ଅନୁସୂଚିତ ଜନଜାତି, ଦିବ୍ୟlଙ୍ଗ, ସ୍ଵଲ୍ପ ଆୟ ବ୍ୟକ୍ତି ମାନଙ୍କ ପାଇଁ ଆଇନର ସହାୟତା ଉପରେ ଆଲୋକପାତ କରିଥିଲେ l ଏଥିପାଇଁ ଲୋକମାନେ ସଚେତନ ରହିଲେ ଏହା ର ସୁଫଳ ପାଇପାରିବେ ବୋଲି କହିଥିଲେ l ଅନେକ ସମୟରେ ଗରିବ ଲୋକ ଆଇନର ସହାୟତା ବିଷୟରେ ଜାଣିପାରନ୍ତି ନାହିଁ ଏଣୁ ସହାୟତାରୁ ବଞ୍ଚିତ ହୋଇଥାନ୍ତି ସେଥିପାଇଁ କୋର୍ଟରେ ଏକ କମିଟି ଗଠନ କରାଯାଇଛି ଏହାର ସହାୟତା ନେବା ପାଇଁ କହିଥିଲେ l ଏଥିରେ ବାର ସମ୍ପାଦକ ନୀଳାମ୍ବର ଶତପଥୀ, ଓକିଲ, ଦିବାକର ପ୍ରଧାନ, ଅଭିମନ୍ୟୁ ଗଉଡ, ସନ୍ତୋଷ କୁମାର ମିଶ୍ର, ସମାଜସେବୀ ସନ୍ତୋଷ କୁମାର ସାହୁ ଓ ମହେନ୍ଦ୍ର କୁମାର ଗଉଡ ସହଯୋଗ କରିଥିଲେ l

ପ୍ରତାପ ଷଡ଼ଙ୍ଗୀ କହିଲେ ବନ୍ଦେ ମାତରମ୍‌ ନ କହିପାରିଲେ ଭାରତରେ ରହିବାର ଅଧିକାର ନାହିଁ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଯେଉଁମାନେ ‘ବନ୍ଦେ ମାତରମ୍‌’ କରିପାରିବେ ନାହିଁ ସେମାନଙ୍କର ଭାରତରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସିଏଏକୁ ନେଇ ପ୍ରତାପ କହିଛନ୍ତି, କଂଗ୍ରେସ କରିଥିବା ବିଭାଜନ ପାପର ପ୍ରାୟଶ୍ଚିତ ହେଉଛି ନାଗରିକତା ସଂଶୋଧନ ଆଇନ (ସିଏଏ)। ସେ ଏହି ଅବସରରେ କହିଥିଲେ, “ସିଏଏ ୭୦ ବର୍ଷ ପୂର୍ବରୁ ଆସିବାର ଥିଲା। ଏହା ଆମ ପୂର୍ବଜମାନେ ତଥା କିଛି ନେତା କରିଥିବା ପାପର ଏକ ପ୍ରାୟଶ୍ଚିତ। ସିଏଏ ହେଉଛି ଦେଶ ବିଭାଜନ ଭଳି ପାପର ଏକ ପ୍ରାୟଶ୍ଚିତ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଧାଇ ଜଣାଇବା ଦରକାର। କଂଗ୍ରେସ ଏହି ପାପ କରିଥିଲା ଏବଂ ଆମେ ଏହାର ପ୍ରୟାଶ୍ଚିତ କଲୁ।” ଏଥିସହିତ ପ୍ରତାପ ଆହୁରି ମଧ୍ୟ କହିଥିଲେ ଯେ, ଧର୍ମ ଆଧାରରେ ଦେଶକୁ ବିଭାଜନ ହୋଇଥିଲା। ଯାହାକୁ ଆଦୌ ଅଣଦେଖା କରାଯାଇ ପାରିବ ନାହିଁ। ସେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଦେଶ ବିଭାଜନର ସମର୍ଥକଙ୍କ ସହ ଚୁକ୍ତି କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ କେବଳ ମାଗଣା ପାଣି ଓ ବିଦ୍ୟୁତ୍ ସେବାରେ ଦେଶର ଉନ୍ନତି ହୋଇପାରିବ ନାହିଁ। ଦେଶ ବିଭାଜନକୁ ନେଇ ପ୍ରତାପ କହିଥିଲେ, “ସେତେବେଳର ରାଜନେତାମାନେ ମିଶି ଧର୍ମ ଆଧାରରେ ଦେଶର ବିଭାଜନ କଲେ। କିନ୍ତୁ ଏବେ ପାକିସ୍ତାନ, ବଙ୍ଗଳାଦେଶ,ଏବଂ ଅଫାଗାନିସ୍ତାନ ଭଳି ଦେଶରେ ହିନ୍ଦୁଙ୍କ ସଂଖ୍ୟା କମିଯାଇଛି। ଏହି ଦେଶଗୁଡ଼ିକରେ ଲୋକଙ୍କୁ ଧର୍ମ ଆଧାରରେ ନିର୍ଯାତନା ଦିଆଯାଇଛି।”

ସିଏଏ ଲାଗୁ କରିବାକୁ କୌଣସି ରାଜ୍ୟ ମନା କରିପାରିବେ ନାହିଁ: କପିଲ ସିବଲ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ନ କରିବା ପାଇଁ ରାଜ୍ୟମାନଙ୍କ ପାଖରେ କୌଣସି ବାଟ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି। ସେ କହିଛନ୍ତି ସଂସଦରେ ପାରିତ ହୋଇଥିବାରୁ ଏହାକୁ ମନା କରି ଅଟକାଇବା ଅସମ୍ଭବ। ଏପରି କରିବା ଅସାମ୍ବିଧାନିକ ବୋଲି ସେ କହିଛନ୍ତି। ଜଣେ ଆଇନଜୀବୀ ଭାବେ ଜଣାଶୁଣା କପିଲ କହିଛନ୍ତି, “ସିଏଏ ପାରିତ ହୋଇଛି ମାନେ କୌଣସି ରାଜ୍ୟ କହିପାରିବେ ନାହିଁ ଯେ ଆମେ ଲାଗୁ କରିବୁ ନାହିଁ। ଏହା ଅସମ୍ଭବ ଏବଂ ଅସାମ୍ବିଧାନିକ। ଏହାକୁ ଆପଣ ବିରୋଧ କରିପାରନ୍ତି, ଏହା ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରିପାରନ୍ତି ଏବଂ କେନ୍ଦ୍ରକୁ ସିଏଏ ପ୍ରତ୍ୟାହାର କରିବାକୁ କହିପାରନ୍ତି। କିନ୍ତୁ ସାମ୍ବିଧାନିକ ଭାବେ ଦେଖିଲେ, ମୁଁ ଲାଗୁ କରିବିନି କହିବା କେବଳ ଜଟିଳତା ଆଡ଼କୁ ଟାଣିନେବ। ଏହା ଆହୁରି ସମସ୍ୟା ସୃଷ୍ଟି କରିବ।”ପୂର୍ବରୁ କେରଳ ସରକାର ସିଏଏ ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରି ଘୋଷଣା କରିଥିଲେ, ଏହା “ସମ୍ବିଧାନରେ ବର୍ଣ୍ଣିତ ସମାନତା, ସ୍ୱତନ୍ତ୍ରତା ଏବଂ ଧର୍ମନିରପେକ୍ଷତାକୁ ଉଲ୍ଲଂଘନ କରୁଛି।” କୌଣସି ରାଜ୍ୟ ସରକାର ଭାବେ କେରଳ ପ୍ରଥମେ ଏହି ଆଇନକୁ ଚ୍ୟାଲେଞ୍ଜ କରିଥିଲା ଏବଂ ପଞ୍ଜାବ ମଧ୍ୟ କେରଳର ପଥ ଅନୁସରଣ କରିଥିଲା। ଏହା ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟ ମୌଖିକ ଭାବେ ବିରୋଧ କରିଥିଲେ। ତେବେ ଏହାକୁ ନେଇ କପିଲ କହିଛନ୍ତି, ସେମାନେ କହୁଛନ୍ତି ଆମେ ଲାଗୁ କରିବୁ ନାହିଁ। ଏହା ତାହା ସେମାନେ କିପରି କରିବେ କହୁଛନ୍ତି। ସେ କହିଛନ୍ତି, “ଏନ୍‌ପିଆର ଭିତ୍ତିରେ ଏନ୍‌ଆରସି ଆସିବ। ଏନ୍‌ପିଆର ସ୍ଥାନୀୟ ରେଜିଷ୍ଟ୍ରାର ଲାଗୁ କରିବେ। ଏବେ ସ୍ଥାନୀୟ ରେଜିଷ୍ଟ୍ରାର ରାଜ୍ୟସ୍ତରୀୟ ଅଧିକାରୀ ଜଣେ ହିଁ ହେବେ। କୁହାଯାଉଛି ଏହି ଅଧିକାରୀଙ୍କୁ ୟୁନିଅନ୍‌ ଅଫ୍‌ ଇଣ୍ଡିଆ ସହ ଅସହଯୋଗ କରିବାକୁ କୁହାଯିବ। ତାହା ହିଁ କୁହାଯାଉଛି। ସତରେ ଏହା ସମ୍ଭବ କି ନା, ମୁଁ ଜାଣିନି। କିନ୍ତୁ ସମ୍ବିଧାନ ଅନୁଯାୟୀ, ଏହା ସଂସଦରେ ପାରିତ ହୋଇଥିବାରୁ ରାଜ୍ୟ ସରକାରଙ୍କ ପାଇଁ ମୁଁ ଲାଗୁ କରିବି ନାହିଁ କହିବା କଷ୍ଟକର ହେବ।”

୨୦ ଦିନରେ ୫ ହଜାର ଶୋଭାଯାତ୍ରା କରିବ ବିଜେପି ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଆସନ୍ତା ମାସରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ୫ ହଜାର ଛୋଟ ଛୋଟ ଶୋଭାଯାତ୍ରା ଆୟୋଜନ କରିବ ବୋଲି ସୂଚନା ମିଳିଛି। ଗତଥର ବିପୁଳ ଆସନରେ ଜିତିଥିବା ଆମ୍‌ ଆଦମୀ ପାର୍ଟିକୁ ଚେକ୍‌ ଦେବା ପାଇଁ ବିଜେପି ଏଭଳି ଆୟୋଜନ କରିବ। ଏଭଳି ଆଖିଦୃଶିଆ ଶୋଭାଯାତ୍ରା ଟାର୍ଗେଟ୍‌ ହାସଲ କରିବା ପାଇଁ ବିଜେପି ପ୍ରତିଦିନ ପ୍ରତି ନିର୍ବାଚନମଣ୍ଡଳୀରେ ୩ରୁ ୪ଟି ରାଲି କରିବାକୁ ହେବ। ଅର୍ଥାତ ୭୦ ନିର୍ବାଚନମଣ୍ଡଳୀରେ ୨୦ ଦିନରେ ଦିନକୁ ୨୫୦ ଶୋଭାଯାତ୍ରା କରିବାକୁ ହେବ। ପ୍ରତି ଶୋଭାଯାତ୍ରାରେ ୨୦୦ ଜଣ ଲୋକ ଯୋଗଦେବେ। ୨୦୦ ଜଣ ଏକତ୍ରୀକରଣରେ ସିଧାସଳଖ ଯୋଗାଯୋଗ ରକ୍ଷା କରିହେବ ବୋଲି କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୦୦ ଶୀର୍ଷ ବିଜେପି ନେତା ଏଥିରେ ଯୋଗଦେବାର ଅଛି। ତେବେ କିଏ କେଉଁଦିନ କେଉଁଠି ଯୋଗଦେବେ ସେନେଇ ବର୍ତ୍ତମାନ ମଧ୍ୟ କାମ ଚାଲିଛି। ଏହି ୧୦୦ ଜଣ ନେତା ହିଁ ପ୍ରତିଦିନ ୩ରୁ ୪ଟି ରାଲିରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ଟି ଶୋଭାଯାତ୍ରାରେ ଯୋଗଦେବାକୁ ଦିଲ୍ଲୀ ବିଜେପି ଅନୁରୋଧ କରିଛି। କିନ୍ତୁ ଶେଷ ଖବର ସୁଦ୍ଧା ୩ଟି ଶୋଭାଯାତ୍ରା ପାଇଁ ସବୁଜ ସଙ୍କେତ ମିଳିଛି। ଫେବୃଆରୀ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆପ୍‌ରୁ ଆସିଥିବା କପିଲ ମିଶ୍ରା ଏଥର ବିଜେପି ଟିକେଟ୍‌ରେ ମଡେଲ୍‌ ଟାଉନ୍‌ରୁ ଲଢ଼ିବେ। ବିଜେପି ଏଯାଏ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରାର୍ଥୀ ଦେଇନି। ଆପ୍‌ ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଗତ ଥର ଏହି ଦଳ ୬୭ଟି ଆସନ ପୋଛିନେଇଥିଲା।

ଇଜିପ୍ଟ ପିଆଜରୁ ମୁହଁ ଫେରାଉଛନ୍ତି ଲୋକେ ; ଚିନ୍ତାରେ ସରକାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଦେଶୀ ପିଆଜ ପରି ସୁଆଦିଆ ନୁହେଁ ଇଜିପ୍ଟରୁ ଆସିଥିବା ପିଆଜ। ତେଣୁ ୨ ମାସ ହେବ ବିକ୍ରି ହୋଇ ନ ପାରି ପଡ଼ି ରହିଛି। ଏହା କ୍ରମଶଃ ପଚିବାକୁ ବସିଥିବା ବେଳେ ଅଧା ଦାମ୍‌ରେ ବିକ୍ରି କରିବାକୁ  ଯୋଜନା କରୁଛନ୍ତି ସରକାର। ଏହା ଫଳପ୍ରଦ ହେଲେ ବି ସରକାରଙ୍କୁ ସହିବାକୁ ପଡ଼ିବ କ୍ଷତି। ଗତ ନଭେମ୍ବର ଓ ଡିସେମ୍ବର ମାସରେ ରାଜ୍ୟରେ ପିଆଜ ସଙ୍କଟ ଦେଖାଦେଇଥିବା ବେଳେ ତୁର୍କୀ ଓ ଇଜିପ୍ଟରୁ ଏହି ପିଆଜ ମଗାଯାଇଥିଲା । କିନ୍ତୁ ୨ ମାସ ମଧ୍ୟରେ ମାତ୍ର ୨ ହଜାର ଟନ୍ ପିଆଜ ବିକ୍ରି ହୋଇପାରିଛି । ଆହୁରି ୩୪ ହଜାର ଟନ୍ ଇଜିପ୍ଟ ପିଆଜ ବିକ୍ରି ନ ହୋଇ ପଡ଼ି ରହିଛି। ଏହି ପିଆଜ ବଡ଼ ଓ ସ୍ୱାଦହୀନ ହୋଇଥିବାରୁ କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଗ୍ରାହକ। କିଲୋ ପ୍ରତି ୫୫ ଟଙ୍କାରେ ଏହାକୁ ବିକ୍ରି କରିବାକୁ ଯୋଜନା କରାଯାଇଥିଲା । ହେଲେ କେହି କିଣୁନଥିବାରୁ ଏବେ ୨୫ ଟଙ୍କାରେ ବିକିବାକୁ ସରକାର ଚିନ୍ତା କରୁଛନ୍ତି। ଅଧା ଦାମରେ ବିକ୍ରି କରାଗଲେ ସରକାର ଅଧାରୁ ଅଧିକ କ୍ଷତି ସହିବେ । କିନ୍ତୁ ଅଧିକ ଦିନ ରଖାଯିବା ଅସମ୍ଭବ ହେଉଥିବାରୁ ସରକାର ଏହାକୁ ତୁରନ୍ତ ବିକ୍ରି କରିବା ଲାଗି ଯୋଜନା କରୁଛନ୍ତି । ତଥାପି ଏହାକୁ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉ ନାହିଁ। ଆମ ରାଜ୍ୟରେ ବିକ୍ରି ନ ହେଲେ ପଡ଼ୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ମାଲଦ୍ୱୀପକୁ ପଠାଇବାକୁ ମଧ୍ୟ ସରକାର ଯୋଜନା କରୁଥିବା ସୂଚନା ମିଳିଛି ।

ମାର୍ଚ୍ଚ ପହିଲାରୁ ବାଇକ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ସଂଶୋଧିତ ଟ୍ରାଫିକ ନିୟମର ୩ମାସିଆ କୋହଳ ଅବଧି ଶେଷ ହେବାପରେ ମାର୍ଚ୍ଚ ପହିଲାରୁ ରାଜ୍ୟରେ ବାଇକ୍ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ। ବାଇକରେ ଚାଳକଙ୍କ ସହ ବସିଥିବା ଯାତ୍ରୀମାନେ ହେଲମେଟ୍ ପିନ୍ଧିନଥିଲେ ତାଙ୍କଠୁ ଜୋରିମାନା ଆଦାୟ କରାଯିବ। ସଡ଼କ ନିରାପତ୍ତା ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ସଂଶୋଧିତ ମୋଟର ଯାନ ଆଇନକୁ ୩ମାସ କୋହଳ କରାଯାଇଛି ଓ ଏହି ଅବଧି ଫେବୃୟାରୀ ୨୮ତାରିଖରେ ଶେଷ ହେବ। ମାର୍ଚ୍ଚ ପହିଲାରୁ ଏହି ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ବାଇକ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ଓ ଚାରିଚକିଆ ଯାନରେ ଆଗରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟ ବେଲଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ଏହି କୋହଳ ଅବଧି ଶେଷ ହେବାପରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ ନିୟମ ଭଙ୍ଗ ଘଟଣାର ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ସଂଶୋଧିତ ନିୟମ ଅନୁସାରେ ଥିବା ଜୋରିମାନାକୁ ହ୍ରାସ ପାଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆଗାମୀ ଦିନରେ ସଡ଼କ ଦୁର୍ଘଟଣାକୁ ୨୦ପ୍ରତିଶତ ହ୍ରାସ ନିମନ୍ତେ କେନ୍ଦ୍ର ସରକାରଙ୍କଠୁ ଅଧିକ ଅନୁଦାନ ଦାବି କରାଯାଇଛି। ଟ୍ରାଫିକ ନିୟମ ଭଙ୍ଗକାରୀଙ୍କୁ ଧରିବା ପାଇଁ ରାଜପଥରେ ପ୍ରତି ୩୦କିମିରେ ସ୍କ୍ୱାର୍ଡ ମୁତୟନ କରାଯିବ। ସୂଚନାଯୋଗ୍ୟ, ସଂଶୋଧିତ ଟ୍ରାଫିକ ଆଇନକୁ ସେପ୍ଟେମ୍ବର ୧ରୁ ରାଜ୍ୟରେ କଡ଼ାକଡ଼ି ଲାଗୁ କରାଯିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ପରେ ରାଜ୍ୟ ସରକାର ପ୍ରଥମେ ନଭେମ୍ବର ୨୮ ଓ ପରେ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ଆଇନକୁ କୋହଳ କରିଛନ୍ତି। ନୂଆ ନିୟମ ଅନୁସାରେ ବିନା ହେଲମେଟରେ ଗାଡ଼ି ଚଳାଇଲେ ଓ ଚାରିଚକିଆ ଯାନରେ ବିନା ସିଟ୍ ବେଲଟ ପାଇଁ ୧ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

୩୧ରେ ଓଡ଼ିଶା ଆସିବେ ଦୁଇ ଗୃହମନ୍ତ୍ରୀ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଚଳିତମାସ ୩୧ ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍‌ର ୨୪ ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସିଏଏ, ଏନପିଆର ଓ ଏନଆରସିକୁ ନେଇ ଦେଶବ୍ୟାପୀ ଉଷ୍ମତା ଲାଗି ରହିଥିବାବେଳେ ଦୀର୍ଘ ୨୯ବର୍ଷ ପରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହା ବେଶ୍ ଗୁରୁତ୍ୱବହନ କରୁଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୩୧ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ ସଦସ୍ୟ ରାଜ୍ୟ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ସିକିମ୍ ଓ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶେଷଥର ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ୨୦୧୮ ଅକ୍ଟୋବର ମାସରେ କୋଲକାତାରେ ଅନୁଷ୍ଠିତ ହୋଇଥିବା ବେଳେ ଗତବର୍ଷ ଅକ୍ଟୋବର ମାସରେ ଅକ୍ଟୋବର ମାସରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର ଷ୍ଟାଣ୍ଡିଂ କମିଟି ବୈଠକ (ମୁଖ୍ୟସଚିବ ସ୍ତରୀୟ) ଅନୁଷ୍ଠିତ ହୋଇଥିଲା। ତେବେ ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩୧ତାରିଖରେ ୨୪ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଭୁବନେଶ୍ୱରରେ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି। ଏହି ବୈଠକ ଲୋକସେବା ଭବନସ୍ଥିତ ନୂଆ କନଭେନସନ୍ ସେଣ୍ଟରରେ ହେବ। ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ସଦସ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ସୂଚନା ଅନୁସାରେ, ବୈଠକରେ ୨୦୨୧ ଜନଗଣନା କାର୍ଯ୍ୟକ୍ରମ ସମେତ ଏନପିଆର, ସିଏଏ ଓ ଏନଆରସି ପ୍ରସଙ୍ଗ ସ୍ଥାନ ପାଇବା ସହ ନକ୍ସଲ ସମସ୍ୟା ପ୍ରସଙ୍ଗ ମଧ୍ୟ ସାମିଲ ହେବ। ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା, ଡିବିଟି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ, ପୋକସୋ ଓ ଏନଡିପିଏସ୍ ଆଇନ ଅନ୍ତର୍ଗତ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସୁପରିଚାଳନା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ହେବାପରେ ଅମିତ୍ ଶାହ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାରୁ ରାଜନୀତିକ ଦୃଷ୍ଟିରୁ ମଧ୍ୟ ତାଙ୍କର ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି।

କମିଶନ ରିପୋର୍ଟ ସାର୍ବଜନୀନ ପାଇଁ ଜନସ୍ୱାର୍ଥ ମାମଲା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଓଡ଼ିଶା ହାଇକୋର୍ଟର ନୂଆ ବେଞ୍ଚ ସ୍ଥାପନର ଆବଶ୍ୟକତାକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିବା ଜଷ୍ଟିସ ସିଆର ପାଲ୍ କମିଶନଙ୍କ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରିବା ଦାବିରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଓକିଲ ଶିବଶଙ୍କର ମହାନ୍ତି ଏହି ଜନସ୍ୱାର୍ଥ ସମ୍ବଳିତ ମାମଲାକୁ ଓଡ଼ିଶା ହାଇକୋର୍ଟରେ ଦାଖଲ କରି ଜଷ୍ଟିସ ପାଲ୍ କମିଶନ ଦେଇଥିବା ରିପୋର୍ଟକୁ ରାଜ୍ୟ ସରକାର ତୁରନ୍ତ ବିଧାନସଭାରେ ଉପସ୍ଥାପନ କରିବା ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଆବେଦନକାରୀ ଶ୍ରୀ ମହାନ୍ତି ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ହାଇକୋର୍ଟର ବେଞ୍ଚ ସ୍ଥାପନକୁ ନେଇ ଦାବି ଓ ଜନ ଆନ୍ଦୋଳନ ହେବାପରେ ରାଜ୍ୟ ସରକାର ଜଷ୍ଟିସ ପାଲଙ୍କ ଅଧ୍ୟକ୍ଷତାରେ ୨୦୦୮ ମାର୍ଚ୍ଚ ୧୧ ତାରିଖରେ ଜଣିକିଆ କମିଶନ ଗଠନ କରିଥିଲେ। ପାଲ୍ କମିଶନ ତାଙ୍କ ରିପୋର୍ଟ ୨୦୧୪ ମାର୍ଚ୍ଚ ୩୧ତାରିଖରେ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ଏହି ରିପୋର୍ଟକୁ ବିଧାନସଭାରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସାର୍ବଜନୀନ କରିନାହାନ୍ତି। କମିଶନ ବିଭିନ୍ନ ଦିଗକୁ ଯାଞ୍ଚ କରି ନିଜର ରିପୋର୍ଟ ପ୍ରସ୍ତୁତି କରିଥିବାବେଳେ ଏହାବାବଦରେ ୧.୫୨ କୋଟି ଟଙ୍କା ଖର୍ଚ୍ଚ ରାଜକୋଷରୁ ଖର୍ଚ୍ଚ ହୋଇଛି। କମିଶନ ତଦନ୍ତ ଆଇନ-୧୯୫୨ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର ଆକ୍ସନ ରିପୋର୍ଟ ସହ ତଦନ୍ତ ରିପୋର୍ଟକୁ ୬ମାସ ମଧ୍ୟରେ ବିଧାନସଭାରେ ଉପସ୍ଥାପନ କରିବା କଥା। କିନ୍ତୁ ଦୀର୍ଘ ୬ବର୍ଷ ଧରି ସରକାର ଏହି ରିପୋର୍ଟକୁ ଚାପି ରଖିଛନ୍ତି ବୋଲି ଓକିଲ ଶ୍ରୀ ମହାନ୍ତି ତାଙ୍କ ଆବେଦନରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ଓଏଏସସ୍ତରରେ ବଡ଼ଧରଣର ବଦଳି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ଦାଶଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ବିଭୂପ୍ରସାଦ ଷଡ଼ଙ୍ଗୀଙ୍କୁ ଓଏସଏସଏସସି ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଅଭୟ କୁମାର ନାୟକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ଉଦ୍ଧବ ଚରଣ ମାଝୀଙ୍କ ବଦଳିକୁ ବାତିଲ କରାଯାଇ ତାଙ୍କୁ କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ସେହିପରି କୃଷ୍ଣ ପ୍ରସାଦ ପତିଙ୍କ ବଦଳି ବାତିଲ କରାଯାଇ ତାଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବାକୁ କୁହାଯାଇଛି। ଶରତ ଚନ୍ଦ୍ର ପଣ୍ଡାଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ, ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ଉଷାରାଣୀ ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ମନୋଜ କୁମାର ପାଢ଼ୀଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ମନୋରଞ୍ଜନ ମଲ୍ଲିକଙ୍କୁ ଗଜପତି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଦେବଗଡ଼ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଭିନସେଣ୍ଟ ପୁନାମକାନ୍ତ ଏକ୍କାଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ, ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ବାଲେଶ୍ୱର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସର୍ବେଶ୍ୱର ସିଂଙ୍କୁ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟରେ ଉପନିର୍ଦ୍ଦେଶକ(ତଦନ୍ତ), କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ, ପ୍ରଶାନ୍ତ କୁମାର ରାଉତଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ଯସ୍ମିନ ପଟ୍ଟନାୟକଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଯୁଗ୍ମ ସଚିବ ଓ ରଞ୍ଜନ କୁମାର ଜେନାଙ୍କୁ ବାଙ୍କି ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।