ଆସିଲା ‘ମାଫିଆ କୁଇନ୍‌’ ଆଲିଆଙ୍କ ଫାଷ୍ଟ୍‌ ଲୁକ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ମୋଷ୍ଟ୍ ଆୱେଟେଡ୍‌ ଫିଲ୍ମ ‘ଗଙ୍ଗୁବାଈ କାଠିୟାବାଡ଼ି’ର ଫାଷ୍ଟ୍ ଲୁକ୍‌ ସାମ୍ନାକୁ ଆସିଛି। ଆଲିଆ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫଟୋରେ ସେ ଦମ୍‌ଦାର୍‌ ଲୁକ୍‌ରେ ନଜର ଆସିଛନ୍ତି। ଆଲିଆଙ୍କ ଏହି ଫଟୋରେ ମାଫିଆ କୁଇନ୍‌ ଲେଖାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମରେ ସେ ମାଫିଆ ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକଙ୍କୁ ତାଙ୍କ ଲୁକ୍‌ ବେଶ୍ ପସନ୍ଦ ଆସୁଛି। ଗୋଟିଏ ଫଟୋରେ ସେ ଲାଲ୍‌ ବିନ୍ଦି ଓ ନୋଜ୍‌ ପିନ୍‌ ଲଗାଇ ପୂରା ଇନ୍‌ଟେନ୍ସ ଲୁକ୍‌ ଦେଇଥିବାବେଳେ ଅନ୍ୟଟିରେ ସେ ସ୍କଟ୍‌ ବ୍ଲାଉଜ୍‌ ଓ ଦୁଇଟି ବେଣି କରି ଟିନ୍‌ଏଜ୍‌ ଲୁକ୍‌ରେ ନଜର ଆସିଛନ୍ତି। ଏହି ପୋଷ୍ଟର ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।ସୂଚନାଯୋଗ୍ୟ, ‘ଗଙ୍ଗୁବାଈ’ ଲେଖକ ହୁସେନ୍‌ ଜୈଦିଙ୍କ ବହି ‘ମାଫିଆ କ୍ୱିନ୍ସ ଅଫ୍‌ ମୁମ୍ବାଇ’ର ଏକ ଅଧ୍ୟାୟ ଉପରେ ଆଧାରିତ। ଫିଲ୍ମରେ କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମକ ଜଣେ ମହିଳାଙ୍କ କାହାଣୀକୁ ଦେଖାଯିବ। ଆଲିଆ ଟ୍ୱିଟର୍‌ରେ ଫିଲ୍ମର ରିଲିଜ୍‌ ଡେଟ୍ ଘୋଷଣା କରି ଲେଖିଛନ୍ତି, ‘ଏକ ନାଁ ଯାହା ଆପଣ ଶୁଣିଥିବେ, ହେଲେ ଆପଣ ତା’ର କାହାଣୀ ଶୁଣି ନଥିବେ। ଏହା ବହୁତ ଖାସ୍‌ ହେବ।’ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମ ୨୦୨୦ ସେପ୍ଟେମ୍ବର ୧୧ରେ ରିଲିଜ୍‌ ହେବ। ଫିଲ୍ମର ଷ୍ଟାର କାଷ୍ଟ ନେଇ ଏ ଯାଏ କୋଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଚର୍ଚ୍ଚା ହେଉଛି ଯେ ଫିଲ୍ମରେ ଅଜୟ ଦେବ୍‌ଗନ୍‌ ସ୍ପେଶାଲ୍‌ ଆପିୟରାନ୍ସ ଦେବେ। କୁହାଯାଉଛି, ଅଜୟଙ୍କ ରୋଲ୍‌ ବେଶ୍ ରୋଚକ ହେବ। ତେବେ ଖୁବ୍‌ଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ।

ବିଦେଶରେ ‘ଗୁଡ୍‌ ନ୍ୟୁଜ୍’ ର ଧମାକା ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ବକ୍ସ ଅଫିସ୍‌ରେ ଧମାକା କରୁଛି ‘ଗୁଡ୍‌ ନ୍ୟୁଜ୍’। ଅକ୍ଷୟ କୁମାର ଓ କରୀନା କପୁରଙ୍କ ଏହି ଫିଲ୍ମଟି ଡିସେମ୍ବର ୨୭ରେ ରିଲିଜ୍‌ ହୋଇଥିଲା। ରିଲିଜ୍‌ ହେବାର ୩ ସପ୍ତାହ ପରେ ବି ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଗତକାଲି ଉନବିଂଶ ଦିନରେ ଫିଲ୍ମଟି ୧ କୋଟି ଟଙ୍କାରୁ ଅଧିକ ଆୟ କରିଛି। କେବଳ ଭାରତରେ ନୁହେଁ ଏହା ବିଦେଶରେ ମଧ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ, ‘ଗୁଡ୍‌ ନ୍ୟୁଜ୍‌’ ଜାନୁଆରୀ ୧୩ ସୁଦ୍ଧା ବିଦେଶରେ ୬୯. ୨୫ କୋଟି ଟଙ୍କା ଆୟ କରିଛି। କମେଡି ଓ ଇମୋସନ୍‌ରେ ଭର୍ତ୍ତି ଏହି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ବକ୍ସ ଅଫିସ୍‌ରେ ନିକଟରେ ଦୁଇ ଦୁଇଟି ବଡ଼ ଫିଲ୍ମ ‘ତାନାଜୀ’ ଓ ‘ଛପାକ୍’ ରିଲିଜ୍‌ ହୋଇଛି। ତଥାପି ଅକ୍ଷୟଙ୍କ ଫିଲ୍ମର ଯାଦୁ ଫିକା ପଡ଼ି ନାହିଁ। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ ‘ଗୁଡ୍‌ ନ୍ୟୁଜ୍‌’ ଗତ ରବିବାର ସୁଦ୍ଧା ଭାରତରେ ୧୯୦ କୋଟିରୁ ଅଧିକ ଆୟ କରି ସାରିଛି।  ଖୁବ୍‌ଶୀଘ୍ର ଏହା ୨୦୦ କୋଟି କ୍ଲବରେ ସାମିଲ୍‌ ହୋଇଯିବ ବୋଲି ଆଶା କରାଯାଉଛି। ଫିଲ୍ମଟି ଓପନିଂ ଡେ’ରେ ୧୭ କୋଟି ଟଙ୍କାର ଜବରଦସ୍ତ କଲେକ୍ସନ୍‌ କରିଥିଲା। ଏହା୨୦୧୯ରେ ଅକ୍ଷୟଙ୍କର ଚତୁର୍ଥ ବିଗ୍‌ ହିଟ୍‌ ଫିଲ୍ମ ହୋଇଛି। ଏହା ପୂର୍ବରୁ ତାଙ୍କ ଫିଲ୍ମ ‘କେଶରୀ’, ‘ହାଉସ୍‌ଫୁଲ୍‌ ୪’ ଓ ‘ମିଶନ୍‌ ମଙ୍ଗଲ୍‌’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ସୂଚନାଯୋଗ୍ୟ, ‘ଗୁଡ୍‌ ନ୍ୟୁଜ୍’ ଫିଲ୍ମରେ ଅକ୍ଷୟ କୁମାର ଓ କରୀନା କପୁର ସ୍ୱାମୀସ୍ତ୍ରୀ ହୋଇଥିବା ବେଳେ କିଆରା ଆଡ଼ଭାନୀ ଓ ଦଲ୍‌ଜିତ୍‌ ଦୋସାଞ୍ଝ ବି ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।  ଏଥିରେ ଦେଖିବାକୁ ମିଳିଛି ଯେ ‘ବତ୍ରା’ ଉପନାମ ଥିବା ଦୁଇ ଦମ୍ପତିଙ୍କର ପିଲାଛୁଆ ହେଉ ନଥିବାରୁ ସେମାନେ ଏକ ଘରୋଇ କ୍ଲିନିକ୍‌କୁ ଆଇଭିଏଫ୍‌ (ଇନ୍-ଭିଟ୍ରୋ-ଫର୍ଟିଲାଇଜେସନ୍‌)ର ସାହାଯ୍ୟ ନେବାକୁ ଯାଇଛନ୍ତି। ହେଲେ ସମାନ ଉପନାମ ଥିବା ଯୋଗୁ ଭୁଲ୍‌ବଶତଃ ଶୁକ୍ରାଣୁ ଅଦଳବଦଳ ହୋଇଯାଇଛି। ଆଉ ଏହା ପରେ ଆରମ୍ଭ ହେଇଯାଉଛି କନ୍‌ଫ୍ୟୁଜନ୍‌ ଓ ଦେଖିବା ମିଳିଛି ବହୁତ କମେଡି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍‌ ମେହତା।

ଆଇସିସି ଆଓ୍ୱାର୍ଡ: ରନ୍ ପାଇଁ ରୋହିତ୍, ହୃଦୟ ଜିତି କୋହଲି ହେଲେ ପୁରସ୍କୃତ ।

ଏଥର ସମ୍ଭାଳ ବ୍ୟୁରୋ (ନଆଦିଲ୍ଲୀ): ଆଜି ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ ଆଇସିସି ଆଓ୍ୱାର୍ଡ ଘୋଷଣା କରିଛି। ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଓ୍ୱାର୍ଡ ମିଳିଛି। ୨୦୧୯ରେ ରୋହିତ ଶର୍ମା ଦିନିକିଆରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବାରୁ ଦିନିକିଆ କ୍ରିକେଟ ଅଫ୍ ଦ ଇୟରରେ ସମ୍ମାନୀତ ହୋଇଛନ୍ତି। ଟେଷ୍ଟ ମ୍ୟାଚରେ କିନ୍ତୁ ଏହି ଆଓ୍ୱାର୍ଡ ଅଷ୍ଟ୍ରେଲିଆର ଉପ ଅଧିନାୟକ ପ୍ୟାଟ୍ କ୍ୟୁମିନସଙ୍କୁ ମିଳିଛି। ଗତବର୍ଷ ଇଂଲଣ୍ଡରେ ବିଶ୍ୱକପ ଆୟୋଜିତ ହୋଇଥିଲା। ବିଶ୍ୱକପରେ ରୋହିତ ୯ଟି ମ୍ୟାଚରେ ୫ଟି ଶତକ ମାରି ୬୪୮ ରନ୍ ସଂଗ୍ରହ କରିଥିଲେ। ସେହିପରି ବାକି ୨୮ଟି ଦିନିକିଆରେ ସେ ୧୪୯୦ ରନ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାରକୁ ଦେଖି ଆଇସିସି ତାଙ୍କୁ ସ୍ପିରିଟ୍ ଅଫ୍ ଦ ଇୟର ଆଓ୍ୱାର୍ଡ ଦେଇଛି। ବିଶ୍ୱକପରେ ଅଷ୍ଟ୍ରେଲିଆ ସହିତ ଭାରତ ମ୍ୟାଚ ଖେଳୁଥିଲା। ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ବାଉଣ୍ଡ୍ରି ପାଖରେ ସ୍ମିଥ୍ ଫିଲ୍ଡିଂ କରୁଥିଲେ। ଏହି ସମୟରେ ବାଉଣ୍ଡ୍ରିଂ ପାଖରେ ଉପସ୍ଥିତ ଦର୍ଶକ କ୍ୟାପଟେନ ସ୍ମିଥଙ୍କୁ ଛିଗୁଲେଇ ଥିଲେ। ହେଲି କୋହଲି ତାଙ୍କ ମନବଳ ବଢ଼ାଇବାକୁ ଯାଇ ତାଳି ମାରିଥିଲେ। ଏମିତିକି ଦର୍ଶକଙ୍କୁ ମଧ୍ୟ ତାଳିମାରିବାକୁ କହିଥିଲେ। ସୂଚନାଯୋଗ୍ୟ, ୨୦୧୮ରେ ସ୍ମିଥ୍ ଏବଂ ଓ୍ୱାର୍ଣ୍ଣର ବଲ ଟ୍ୟାମ୍ପରିଂ ପାଇଁ ମ୍ୟାଚରୁ ବାଦ୍ ପଡ଼ିଥିଲେ। ଏମିତିକି ବର୍ଷେ ପାଇଁ ତାଙ୍କୁ କ୍ରିକେଟରୁ ବ୍ୟାନ କରାଯାଇଥିଲା।

ଜାକିର ନାଏକ ସହ ଡିଲ କରିଛନ୍ତି କି କେନ୍ଦ୍ର ସରକାର ? ସ୍ପଷ୍ଟୀକରଣ ମାଗିଲେ ଦିଗବିଜୟ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଏକକୁ ଭାରତ ଫେରାଇ ଆଣିବା ପାଇଁ ସରକାର ତା’ ସହ କିଛି ଡିଲ କରିଛନ୍ତି କି? ଯଦି ନା ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି। ଜାକିର ନାଏକ ନିକଟରେ ଏକ ଭିଡିଓ ଜାରି କରିଥିଲା। ମ୍ୟାଲେସିୟାରେ ଆତ୍ମଗୋପନ କରୁଥିବା ଜାକିର ଏଥିରେ କହିଥିଲା ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୋତେ ଭାରତ ଫେରାଇ ନେବାକୁ ମୋ ସହ ଡିଲ କରିଛନ୍ତି। ମୁଁ ଯଦି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିବି, ତା’ହେଲେ ସେମାନେ ମୋ ନାଁରେ ଥିବା ସମସ୍ତ ମମଲାକୁ ପ୍ରତ୍ୟାହାର କରିନେବେ।” ଏହି ଭିଡିଓକୁ ମଧ୍ୟ ଦିଗବିଜୟ ସିଂହ ଟ୍ୱିଟ କରିଛନ୍ତି। ୫୩ ବର୍ଷୀୟ ଜାକିର ୨୦୧୬ରେ ଭାରତରୁ ଫେରାର ହୋଇଯାଇଥିଲା। ତା’ ନାଁରେ ମନିଲଣ୍ଡରିଂ ଓ ସେ ଲୋକଙ୍କୁ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ କରି ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ କରୁଥିବା ଭଳି ମାମଲା ରହିଛି। ଭାରତର ତଦନ୍ତକାରୀ ଅଧିକାରୀ ତା’କୁ ଖୋଜୁଥିବା ବେଳେ ସେ ମ୍ୟାଲେସିୟାରେ ଆତ୍ମଗୋପନ କରିଛି। ଏବେ ଜାକିର ନାଏକ ଏଭଳି ଦାବି କରିଥିବାରୁ ଦିଗବିଜୟ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।

ଟୁକଡେ ଟୁକଡେ ଗ୍ୟାଙ୍ଗ କିଏ? ଭାରତ ସରକାରଙ୍କ ପାଖରେ ନାହିଁ ତଥ୍ୟ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ନେତା ଓ କିଛି ଗଣମାଧ୍ୟମ ସର୍ବଦା ଟୁକଡେ ଟୁକଡେ ଗ୍ୟାଙ୍ଗ କଥା କହୁଛନ୍ତି। ଏହି ଟୁକଡେ ଟୁକଡେ ଗ୍ୟାଙ୍ଗ ଦେଶ ବିରୋଧୀ କାମ ମଧ୍ୟ କରୁଛନ୍ତି ବୋଲି ସେମାନେ କହିବାକୁ ପଛାଉ ନାହାନ୍ତି। ବାସ୍ତବରେ ଏହା ବିଜେପିର ଭୋଟ ରାଜନୀତି ନା ତୁକଡେ ତୁକଡେ ବୋଲି କିଛି ଗ୍ୟାଙ୍ଗ ଅଛି କି ? ଏ ସମ୍ପର୍କରେ ଜାଣିବା ପାଇଁ ଜଣେ ବ୍ୟକ୍ତି ଆରଟିଆ ଜରିଆରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଠାରୁ ସୂଚନା ମାଗିଥିଲେ। ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଯାଏ ଏହାର ଉତ୍ତର ଦେଇପାରି ନାହିଁ। ତେବେ କେବଳ ଲୋକଲୋଚନକୁ ଆସିବା ପାଇଁ ବ୍ୟକ୍ତି ଜଣଙ୍କ ଏଭଳି ଆବେଦନ କରି ସମୟ ଅପଚୟ କରୁଛନ୍ତି ବୋଲି ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି। ଗତବର୍ଷ ଡିସେମ୍ବର ୧୬ରେ ବରିଷ୍ଠ ସାମ୍ବାଦିକ ସକେତ ଗୋଖଲେ ଟୁକଡେ ଟୁକଡେ ଗ୍ୟାଙ୍ଗକୁ କେମିତି ଚିହ୍ନଟ କରାଗଲା ଏବଂ ଏହି ଗ୍ୟାଙ୍ଗରେ କେଉଁମାନେ ଅଛନ୍ତି, ସେକଥା ଜାଣିବା ପାଇଁ ଆରଟିଆଇ ଜରିଆରେ ଆବେଦନ କରିଥିଲେ। କିନ୍ତୁ ଏଯାଏ ମନ୍ତ୍ରଣାଳୟ ପକ୍ଷରୁ ଏହାର ଜବାବ ଦିଆଯାଇ ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା ବିଭାଗ କିମ୍ବା କୌଣସି ତଦନ୍ତକାରୀ ସଂସ୍ଥା କେବେ ହେଲେ ତା’ର ରିପୋର୍ଟରେ “ଟୁକଡେ ଟୁକଡେ ଗ୍ୟାଙ୍ଗ’’ ବିଷୟରେ ଉଲ୍ଲେଖ କରିନାହିଁ। ତେଣୁ କେବଳ ଚର୍ଚ୍ଚାରେ ରହିବା ପାଇଁ ଏଭଳି ଆବେଦନ କରାଯାଇଛି।ଅନ୍ୟପକ୍ଷରେ ସକେତ କହିଛନ୍ତି, “ଆରଟିଆଇ ଆବେଦନର ଜବାବ ଦେବାର ଶେଷ ତାରିଖ ହେଉଛି ଜାନୁଆରୀ ୨୬। ତେଣୁ ଏହା ମଧ୍ୟରେ ଯଦି ମନ୍ତ୍ରଣାଳୟ କୌଣସି ଜବାବ ନ ଦିଏ, ତା’ହେଲେ ମୁଁ ମୁଖ୍ୟ ସୂଚନା କମିଶନରଙ୍କ ନିକଟରେ ଏକ ଆବେଦନ ଦାଖଲ କରି ଏହି ପ୍ରସଙ୍ଗ ଉଠାଇବି।କେନ୍ଦ୍ରମନ୍ତ୍ରୀମାନେ ଅନେକଥର ଟୁକଡେ ଟୁକଡେ ଗ୍ୟାଙ୍ଗ କଥା ଅନେକ ଥର କହୁଛନ୍ତି। ହେଲେ ଏମାନଙ୍କୁ ଚିହ୍ନଟ ପାଇଁ କିଛି ଏସ୍‌ଓପି ପାଳନ କରାଯାଇଛି କି? ଯଦି ନା, ତା’ହେଲେ ଏହା କେବଳ କାଳ୍ପନିକ କଥା ଓ ଭୋଟ ରାଜନୀତି ପାଇଁ ଏଭଳି ନାରା ଦିଆଯାଉଛି ବୋଲି ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଉ।”୨୦୧୬ ଫେବୃଆରୀ ମାସରେ ଜେଏନ୍‌ୟୁରେ କିଛି ଲୋକ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଅଭିଯୋଗ ହୋଇଥିଲା। ତେବେ ଏଯାଏ ପୁଲିସ୍‌ ଅଭିଯୋଗକୁ ପ୍ରମାଣିତ କରିପାରି ନାହିଁ। ଏହି ଘଟଣା ପରେ ବିଜେପି ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୁକଡେ ଟୁକଡେ ଗ୍ୟାଙ୍ଗର ନାରା ଆରମ୍ଭ କରାଯାଇଥିଲା। ସେବେଠାରୁ ଜେଏନ୍‌ୟୁ ଛାତ୍ର କହ୍ନୈୟା କୁମାର, ଶେହଲା ରସିଦ ଓ ଉମର ଖାଲିଦଙ୍କ ସମେତ ବାମପନ୍ଥୀ ନେତାଙ୍କୁ ଟାର୍ଗେଟ କରିବାକୁ ଯାଇ ଦକ୍ଷିଣ ପନ୍ଥୀ ସଂଗଠନ ଏହି ନାରା ଦେଇ ଚାଲିଛି। ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ମଧ୍ୟ ଅନେକ ସମୟରେ ଟୁକଡେ ଟୁକଡେ ଗ୍ୟାଙ୍ଗ କଥା କହିଛନ୍ତି। ତେଣୁ ଏମାନେ କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏପରି କରୁଛନ୍ତି ନା ପ୍ରକୃତରେ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଏହି ଗ୍ୟାଙ୍ଗ ଓ ସଦସ୍ୟମାନଙ୍କୁ ଚିହ୍ନଟ କରିଛନ୍ତି କି ବୋଲି ଜାଣିବା ପାଇଁ ଆରଟିଆଇ ଜରିଆରେ ତଥ୍ୟ ମଗାଯାଇଛି।

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପୋଷ୍ଟାଲ୍ ଇନ୍ସପେକ୍ଟର ।

!!! ରାଜଗାଙ୍ଗପୁର ରୁ ପ୍ରତିନିଧି ରମେଶ ମିଶ୍ର ଙ୍କ ରିପୋର୍ଟ୍  !!! 

ଏଥର ସମ୍ଭାଳ (ରାଇରଙ୍ଗପୁର): ସିବିଆଇ ହାତରେ ଧରାପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ପୋଷ୍ଟ ଅଫିସର ପୋଷ୍ଟାଲ୍ ଇନ୍ସପେକ୍ଟର ସଞ୍ଜିତ କୁମାର ବେହେରା। ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇର ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜିତ ଅଫିସ କାର୍ଯ୍ୟ କରିଦେବା ପାଇଁ ଝାଡିଘୋଷଦାର ପୋଷ୍ଟ ମାଷ୍ଟର ସୁକାନ୍ତ ମହାକୁଡ଼ଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସୁକାନ୍ତ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଗତକାଲି ସଞ୍ଜିତ ପୋଷ୍ଟମାଷ୍ଟରଙ୍କ ନିକଟରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ସିବିଆଇ ଅଧିକାରୀ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା। ଏହାପରେ ରାଇରଙ୍ଗପୁର ମୁଖ୍ୟ ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ସିବିଆଇର ୧୨ଜଣିଆ ଟିମ୍ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସିବିଆଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି।

ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓବିସି ଏବଂ ଏସ୍‌ଇବିସିଙ୍କୁ ଅଧିକ ସଂରକ୍ଷଣ ସୁବିଧା ଦେବାକୁ ଦାବି କଲେ ଧର୍ମେନ୍ଦ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର)- ଓବିସି ଓ ଏସ୍‌ଇବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓବିସି ଏବଂ ଏସ୍‌ଇବିସିଙ୍କୁ ଅଧିକ ସଂରକ୍ଷଣ ସୁବିଧା ଦେବାକୁ ସେ ଦାବି କରିଛନ୍ତି।ଧର୍ମେନ୍ଦ୍ର ଲେଖିଛନ୍ତି-“ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ ୨୦୨୧ ଜନଗଣନା ସହିତ ରାଜ୍ୟର ଏସ୍‌ଇବିସି ବର୍ଗ ଅନ୍ତର୍ଭୁକ୍ତ ଜାତି ଗୁଡ଼ିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏପରି କରି ରାଜ୍ୟ ସରକାର ଓବିସି ଓ ଏସଇବିସି ବର୍ଗ ଅନ୍ତର୍ଗତ ଜନସାଧାରଣଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନଦେବା ପାଇଁ ଉଦ୍ୟମ କରିଛନ୍ତି।” ସେ ଲେଖିଛନ୍ତି-“ସମ୍ୱିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡ଼ିଶା ସରକାର ଓବିସିଙ୍କୁ ନିଯୁକ୍ତି, ଶିକ୍ଷା କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କଣ ପାଇଁ ସଂରକ୍ଷଣ ଦେଉନାହାନ୍ତି? ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭% ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି।”ସେ ଆହୁରି ଲେଖିଛନ୍ତି-“ତାମିଲନାଡୁ ଭଳି ରାଜ୍ୟରେ ୫୯% ସ୍ଥାନ ସଂରକ୍ଷିତ ଥିବା ବେଳେ ସେଥିରୁ ୫୦% ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ମାତ୍ର ଓଡ଼ିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଞ୍ଚିତ ଅଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ ମରଠାଙ୍କ ପାଇଁ ୧୬ % ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ %କୁ ବୃଦ୍ଧି ପାଇଥିଲା।”

ରାଜ୍ୟ ବିଜେପିର କିଏ ହେବେ ମଙ୍ଗୁଆଳ ?

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର)- ଗୋଟିଏ ଦିନ ପରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଆସନ୍ତାକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ  କରିବେ ପ୍ରାର୍ଥୀ । ତେବେ ସହମତି ଭିତ୍ତିରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଜଣେ ହିଁ ନାମାଙ୍କନ ଭରିବେ ଓ ୧୭ ତାରିଖରେ ତାଙ୍କ ନାଁକୁ  ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଗୋଟିଏ ମାସ ଧରି ଚର୍ଚ୍ଚା ଆଲୋଚନା ପରେ ଏବେ ଉପସଭାପତି ଥିବା ସମୀର ମହାନ୍ତି ଓ ସାଧାରଣ  ସଂପାଦକ ଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରୁ କେହି ସଭାପତି ପଦରେ ବସିପାରନ୍ତି ବୋଲି କୁହାଯାଉଛି। ତେବେ ରାଜ୍ୟ ଉପସଭାପତି ଥିବା  ସମୀର ମହାନ୍ତି ରେସ୍‌ରେ ସବୁଠୁ ଆଗରେ ଅଛନ୍ତି। ଏବେ ରାଜ୍ୟ ଉପସଭାପତି ଥିବା ସମୀରଙ୍କ ନାଁକୁ ନେଇ ସହମତି ହୋଇଥିବା କୁହାଯାଉଛି। ରେସ୍‌ରେ ଥିବା ଆଉଜଣେ ପ୍ରାର୍ଥୀ ହେଉଛନ୍ତି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ।  ପୃଥ୍ୱୀରାଜ ଚିଲିକା ବିଧାନସଭା ଆସନରୁ ଲଢି  ପରାଜିତ ହୋଇଥିଲେ। ସେପଟେ  ବର୍ତ୍ତମାନ ସଭାପତି ଥିବା ବସନ୍ତ ପଣ୍ଡା ଓ ପୂର୍ବରୁ ସଭାପତି ଥିବା କନକ ବର୍ଦ୍ଧନ ସିଂ ଦେଓଙ୍କ ନାଁକୁ  ନେଇ ବି ଚର୍ଚ୍ଚା ଲାଗିରହିଛି । ତେବେ ଜଣଙ୍କ ନାଁରେ ସହମିତି ହେବ ଓ ସେହିଁ ନାମାଙ୍କନ ଭରିବେ।୨୦୦୪ ପରଠାରୁ ପଶ୍ଚିମ ଓଡିଶାର ନେତାଙ୍କ ହାତରେ ରହିଛି ରାଜ୍ୟ ବିଜେପିର ଡୋରି।  ପଶ୍ଚିମ ଓଡିଶାର ୩୫ ବିଧାନସଭା  ଆସନରୁ ବିଜେପି ଏଥର ୮ ଆସନକୁ କବଜା କରିଛି। ସଭାପତି ଥିବା ବସନ୍ତ ପଣ୍ଡା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପଶ୍ଚିମ ଓଡିଶାରୁ ବି ମଙ୍ଗୁଆଳ ପାଇଁ ଅନେକ ଦାବିଦାର ଅଛନ୍ତି। ତେବେ ଏଥର ଉପକୂଳ ନେତାଙ୍କୁ କେନ୍ଦ୍ରୀୟ ନେତା ଭରସା କରିପାରନ୍ତି ବୋଲି କୁହାଯାଉଛି । କାହିଁକି ନା ପଶ୍ଚିମ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ସଂଗଠନ ଥିବା ବିଜେପିର ଏଥର ନିର୍ବାଚନରେ ଭୋଟ୍ ପ୍ରତିଶତ ବଢିଛି। ଉପକୂଳରୁ ୫  ବିଧାୟକ ବିଧାନସଭାକୁ ଆସିଛନ୍ତି । ତେଣୁ ସଂଠନକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ଉପକୂଳ ନେତାଙ୍କୁ ଗୁରୁଦାୟିତ୍ୱ ମିଳିବାର ସମ୍ଭାବନା  ଅଧିକ ରହିଛି।

୬୫ ଟୋଲ ପ୍ଲାଜାରେ ଫାଷ୍ଟଟ୍ୟାଗ୍‌ ନିୟମ କୋହଳ ।

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର)- ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ଚିହ୍ନିତ ୬୫ଟି ଟୋଲ ପ୍ଲାଜାରେ ଆଜିଠାରୁ ଆସନ୍ତା ୩୦ ଦିନ ପାଇଁ ଫାଷ୍ଟଟ୍ୟାଗ୍‌ ନିୟମକୁ କୋହଳ କରିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ ଫାଷ୍ଟଟ୍ୟାଗ୍‌ ପଇଠ ବ୍ୟବସ୍ଥା କୋହଳ କରାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୩୦ ଦିନ ସମୟ ମଧ୍ୟରେ ଉପରୋକ୍ତ ୬୫ଟି ଟୋଲ ପ୍ଲାଜାରେ ଥିବା ଟୋଲ ଆଦାୟ ଲେନ ମଧ୍ୟରୁ ୨୫ ପ୍ରତିଶତ ଲେନକୁ ହାଇବ୍ରିଡ ଲେନ ଭାବେ ପରିବର୍ତିତ କରିବା ଲାଗି କୁହାଯାଇଛି। ଯାହାର ଅର୍ଥ ଏହି ସବୁ ଲେନରେ ଉଭୟ ନଗଦ ଏବଂ ଫାଷ୍ଟଟ୍ୟାଗ୍‌ ପଦ୍ଧତିରେ ଟୋଲ ଆଦାୟ କରାଯାଇପାରିବ। ଉପରୋକ୍ତ ୬୫ଟି ଟୋଲ ପ୍ଲାଜା ମଧ୍ୟରେ ଓଡ଼ିଶା ଦେଇ ଯାଇଥିବା ୧୬ନମ୍ୱର ଜାତୀୟ ରାଜପଥସ୍ଥିତ ମଙ୍ଗୁଳି ଟୋଲ ପ୍ଲାଜା ସାମିଲ ରହିଛି। ଏସବୁ ଟୋଲପ୍ଲାଜାରେ ଅଧିକ ନଗଦ କାରବାର ହେଉଥିବା ଏନଏଚଏଆଇ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ବିଶେଷ କରି ଟୋଲ ପ୍ଲାଜାର ଦୁଇ ପାର୍ଶ୍ୱରେ ଥିବା ହାଇବ୍ରିଡ ଲେନଗୁଡ଼ିକରେ ଅଧିକ ଗାଡ଼ି ଭିଡ଼ ଜମୁଥିଲା। ଗାଡ଼ିଚାଳକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ୬୫ଟି ଟୋଲ ପ୍ଲାଜାର ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିବର୍ତିତ କରାଯିବ। ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇକୁ ଏକ ନିଦ୍ଦେର୍ଶନାମା ଜାରି କରାଯାଇଛି। ତେବେ ଚିହ୍ନଟ ଟୋଲ ପ୍ଲାଜାରେ ହାଇବ୍ରିଡ ଲେନକୁ ଯଥାସମ୍ଭବ କମ ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇକୁ ନିଦ୍ଦେର୍ଶ ଦିଆଯାଇଛି। ଅତିକମରେ ୭୫ଇଞ୍ଝ ଲେନକୁ ‘ଫାସ୍ଟ୍ୟାଗ ଲେନ ଫି ପ୍ଲାଜା’ ଭାବେ ଅପରିବର୍ତିତ ରଖିବାକୁ ଏହି ନିଦ୍ଦେର୍ଶନାମାରେ କୁହାଯାଇଛି। ଏହି ୬୫ଟି ଟୋଲ ପ୍ଲାଜାରେ ଉପରୋକ୍ତ ବ୍ୟବସ୍ଥା ଅସ୍ଥାୟୀ ଭାବେ ମାତ୍ର ୩୦ ଦିନ ପାଇଁ ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଯାହାଫଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହି ସମୟରେ ମଧ୍ୟ ସମ୍ପୂର୍ଣ୍ଣ ଫାଷ୍ଟଟ୍ୟାଗ୍‌ ବ୍ୟବସ୍ଥାକୁ ଲାଗୁ କରିବା ଏବଂ ଗାଡ଼ିଭିଡ଼ ଦୂର କରିବା ଦିଗରେ ଏନଏଚଏଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

ଓଡ଼ିଶା ବଜେଟ୍‌ର ରୂପରେଖ ନେଇ ମାନସମନ୍ଥନ ।

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର)- କିପରି ରହିବ ରାଜ୍ୟ ବଜେଟ୍‌ର ରୂପରେଖ? କେତେ ହେବ ବଜେଟ ପରିମାଣ? କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦେବେ ରାଜ୍ୟ ସରକାର? ଏହାକୁ ନେଇ ପ୍ରାକ-ବଜେଟ୍‌ ବୈଠକରେ ହୋଇଛି ମାନସମନ୍ଥନ। ବଜେଟ୍ ବାବଦରେ ଲୋକଙ୍କ ମତାମତ ନେଇସାରିବା ପରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ, ସଚିବ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ୨୦୧୯-୨୦ ଆର୍ଥିକ ବର୍ଷ ଅପେକ୍ଷା ୨୦-୨୧ରେ ବଜେଟ ଆକାର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତବର୍ଷ ଏହି ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଥିଲା। ଏଥର ଏହା ଦେଢ଼ ଲକ୍ଷ କୋଟି ଟପିପାରେ। ଏଥର ବଜେଟ୍‌ରେ ଫୋକସରେ ରହିବ 5T ଓ ମୋ ସରକାର। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତଭୂମି, ପୁଞ୍ଜିନିବେଶ ଉପରେ ମଧ୍ୟ ଗୁରୁତ୍ୱ ରହିବ। ଏହାବ୍ୟତୀତ ପୁରୀ, କୋଣାର୍କ ଓ ଲିଙ୍ଗରାଜ କ୍ଷେତ୍ରର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏଥିପାଇଁ ଅର୍ଥ ବ୍ୟବସ୍ଥା ହୋଇପାରେ। ସେହିପରି ଭିତରକନିକା ଭଳି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆର୍ଥିକ ପ୍ୟାକେଜରେ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଗକୁ ପୌର ନିର୍ବାଚନ ହେବାକୁ ଥିବାରୁ ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ। ତେବେ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଥିବା ସରକାରଙ୍କ ପାଇଁ ବଜେଟ୍ ପ୍ରସ୍ତୁତ ସେତେଟା ସହଜ ହେବ ନାହିଁ। ଆର୍ଥିକ ମାନ୍ଦାବସ୍ଥା, ଋଣବୋଝ ଓ ରାଜସ୍ୱ ଆଦାୟ ସନ୍ତୋଷଜନକ ନହେବା ଅର୍ଥ ବିଭାଗ ପାଇଁ ଏବେ ମୁଣ୍ଡବ୍ୟଥା ପାଲଟିଛି। ତେଣେ ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ ଲକ୍ଷ ୬ ହଜାର କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବଢୁଥିବା ଋଣବୋଝ ଭିତରେ ସମତୁଲ ବଜେଟ୍ ଭେଟି ଦେବା ଏକ ପ୍ରକାର ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ଅନ୍ୟପକ୍ଷରେ ଆର୍ଥିକ ମାନ୍ଦାବସ୍ଥା ଓ ଜିଏସ୍‌ଟି ସଂଗ୍ରହ କମିଥିବାରୁ କେନ୍ଦ୍ରଠାରୁ ମିଳୁଥିବା ଅନୁଦାନ ରାଶି ବି କମି ଯାଇପାରେ। ତେଣୁ ଅଧିକ ରାଜସ୍ୱ ଆଦାୟ ଉପରେ ରାଜ୍ୟ ସରକାରଙ୍କୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଫେବ୍ରୁୟାରୀ ପହିଲାରେ ଆସିବ କେନ୍ଦ୍ରୀୟ ବଜେଟ୍। ଏଥିରେ କେଉଁ ଯୋଜନାରେ କେତେ ଅନୁଦାନ ମିଳିବ, ତାକୁ ଦେଖି ରାଜ୍ୟ ସରକାର ବଜେଟ୍ ଚୂଡ଼ାନ୍ତ କରିବେ। ସେପଟେ ଆର୍ଥିକ ସ୍ଥିତି ଭଲନଥିବାରୁ ବିଭିନ୍ନ ଜନହିତକର ଯୋଜନାକୁ ସରକାର କିଭଳି ଆଗକୁ ବଢ଼ାଇବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।