କଂଗ୍ରେସ ର ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) –ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅଞ୍ଚଳର ୧୫ଟି ପରିବାର ଏବେବି କଙ୍ଗାରୁ କୋର୍ଟର ଶିକାର ହୋଇ ଗାଁ ବାହାରେ ରହୁଛନ୍ତି । କିନ୍ତୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଘଟଣାରେ ମିଛ କହିଛନ୍ତି । ଏପରିକି ବିଧାନସଭାରେ ମଧ୍ୟ ଭୁଲ ତଥ୍ୟ ଦେଇଥିଲେ । ତେଣୁ ସେ ନୈତିକତା ଦୃଷ୍ଟିରୁ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ପ୍ରାୟ ୧୫ଟି ପରିବାର ୨୦୦୭ ମସିହାରୁ କଙ୍ଗାରୁ କୋର୍ଟର ଶିକାର ହୋଇ ଗାଁ ବାହାରେ ରହୁଥିବା ଘଟଣାକୁ ପ୍ରଦେଶ କଂଗ୍ରେସ ତୀବ୍ର ନିନ୍ଦା କରିବା ସହିତ ବିଧାନସଭାକୁ ବି ଭୁଲ୍ ଦେଇଥିବାରୁ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଇସ୍ତଫା ଦାବି କରୁଛି । ୨୦୦୭ ମସିହାରୁ ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ୧୫ଟି ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇ ଦୁର୍ବିସହ ଅବସ୍ଥାରେ ଆଜକୁ ୧୩ ବର୍ଷ ହେଲା ବାହାରେ ରହୁଛନ୍ତି । ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ମାନବାଧିକାର କମିଶନ, ହାଇକୋର୍ଟ, ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ ପରେ ବିଭିନ୍ନ ସମୟରେ ରାଜ୍ୟ ମାନବାଧିକାର ଓ ହାଇକୋର୍ଟ ଗ୍ରାମରେ ଶାନ୍ତି ଫେରିବା ସହିତ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଗୁଡିକୁ ଗାଁରେ ପୁନଃ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିଥିଲେ । ଶେଷରେ ଜାତୀୟ ମାନବାଧିକାର କମିଶନ ନୟାଗଡ ଜିଲ୍ଲାପାଳ ଏବଂ ଏସପିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିବା ସହିତ କଙ୍ଗାରୁ କୋର୍ଟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛି ସିଧାସଳଖ ଉ ର ମାଗିଥିଲେ । ସରକାର ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ ନିଜ ଦଳର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ମାଧ୍ୟମରେ ପ୍ରଶ୍ନ କଲେ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ମାଧ୍ୟମରେ ଯେଉଁ ଉ ର ରଖିଲେ, ତାହା ବାସ୍ତବ ସ୍ଥିତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରର ଦୁଇ ମହିଳା ସଦସ୍ୟ ଶିମେଶ୍ୱର ଜେନାଙ୍କ ମାତା ନିରୁପମା ଜେନା ଏବଂ ସରସ ପ୍ରଧାନ ଉପସ୍ଥିତ ରହି ଗୃହ ରାଷ୍ଟ୍ର ମନ୍ତ୍ରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ଓ ସେମାନେ ଏବେବି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି ବୋଲି କହିଛନ୍ତି । ୨୦୦୭ ମସିହାରେ ରାଜ୍ୟ ମାନବାଧିକାର କମିଶନ ଦେଇଥିବା ନିର୍ଦ୍ଦେଶକୁ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଚାପି ରଖିଛି । ରାଜନେତାମାନଙ୍କ ଚାପରେ ଏହି ୧୫ ପରିବାର ଏବେବି ନିଜର ମୌଳିକ ଅଧିକାରୁ ବଞ୍ଚିତ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିନେଶ ଦାସ, ପଦ୍ମାକର ଗୁରୁ, ଦୀପକ ମହାପାତ୍ର ଓ ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ସିନେମା ଅଡ଼ୁଆ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ସିନେମା ଅଡ଼ୁଆ।  ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ପତ୍ନୀ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଲିଗାଲ୍ ନୋଟିସ୍ ପଠାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାମଲା ବିଚାରାଧୀନ ଥିବା ବେଳେ, ଏଥିରେ ପୁଞ୍ଜିଲାଲାଲଙ୍କୁ ଦୋଷୀ ଦର୍ଶାଇ କେମିତି ଫିଲ୍ମ ତିଆରି ହେଲା ପଚାରିବା ସହ ବୋଥ୍ରା ଏଥିରେ ପ୍ରମୋଟର ଥିବା ନୋଟିସ୍‌ରେ ଦର୍ଶାଇଛନ୍ତି ପୁଞ୍ଜିଲାଲଙ୍କ ପତ୍ନୀ ସୌଦାମିନୀ ।ମାମଲାରେ ଅରୁଣ ବୋଥ୍ରା ପୁଞ୍ଜିଲାଲଙ୍କୁ ଫସାଇଦେଇଥିବା ଅଭିଯୋଗ କରି, ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିବା ସହ, କ୍ଷମା ନମାଗିଲେ ୨୦ ଲକ୍ଷ ଟଙ୍କାର ମାନହାନୀ ମୋକଦ୍ଦମା ଧମକ ଦେଇଛନ୍ତି ପୁଞ୍ଜିଲାଲଙ୍କ ପତ୍ନୀ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅରୁଣ ବୋଥ୍ରା କହିଛନ୍ତି, ଫିଲ୍ମ ସହ ମୋର କୌଣସି ସଂପର୍କ ନାହିଁ । ପୁଞ୍ଜିଲାଲଙ୍କ ପତ୍ନୀଙ୍କୁ ମୋର ଟଙ୍କାଟିଏ ବି ଦେବାର ନାହିଁ।  ସେ କୋର୍ଟରେ ଯାହା କରିବା କଥା କରନ୍ତୁ ବୋଲି ରୋକ୍‌ଠୋକ କହିଛନ୍ତି।

ବିପଦଶଙ୍କୁଳ ସ୍ଥିତିରେ ୭୦ ରେଳବାଇ ଲେଭଲକ୍ରସିଂ;ଏନଓସି ଦେଉ ନାହାନ୍ତି ରାଜ୍ୟ ସରକାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟର ୩ଟି ଜିଲ୍ଲାରେ ଏବେବି ବିପଦଶଙ୍କୁଳ ସ୍ଥିତିରେ ୭୦ଟି ରେଳବାଇ ଲେଭଲକ୍ରସିଂ ରହିଛି । ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯାଇଥିଲେ ମଧ୍ୟ ଉକ୍ତ ଲେଭଲକ୍ରସିଂଗୁଡ଼ିକୁ ବନ୍ଦ ନିମନ୍ତେ ରାଜ୍ୟ ସରକାର ସହଯୋଗ କରୁନଥିବା ଜଣାପଡ଼ିଛି । ଏନେଇ ଦକ୍ଷିଣପୂର୍ବ ରେଳବାଇ ଜେନେରାଲ ମ୍ୟାନେଜର ଏସକେ ମହାନ୍ତି ବିଧିବଦ୍ଧ ଭାବେ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବା ପରେ ଗତ ସପ୍ତାହରେ ଜିଲ୍ଲାପାଳମାନଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ବିପଦଶଙ୍କୁଳ ଅବସ୍ଥାରେ ଥିବା ଲେଭଲକ୍ରସିଂଗୁଡ଼ିକ ବନ୍ଦ ଅବା ସୁରକ୍ଷିତ ମାର୍ଗ ନିମନ୍ତେ ରେଳବାଇ ପକ୍ଷରୁ ମିଶନମୋଡରେ ପଦକ୍ଷେପ ନିଆଯାଇଛି ।  ଏଥିପାଇଁ ଦେଶବ୍ୟାପୀ କାର୍ଯ୍ୟ ଜାରି ରହିଥିବାବେଳେ  ଓଡ଼ିଶାରେ ଥିବା ଲେଭଲକ୍ରସିଂଗୁଡ଼ିକୁ ବନ୍ଦ ଅବା ସୁରକ୍ଷିତ ମାର୍ଗ ନିମନ୍ତେ ପ୍ରକ୍ରିୟା ଆରମ୍ଭ ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକ ସହଯୋଗ ଦେଉନଥିବାରୁ ରେଳବାଇ ପକ୍ଷରୁ ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ବିଶେଷକରି ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ଥିବା ରାଜ୍ୟର ୩ଟି ଜିଲ୍ଲା ଯଥା ସୁନ୍ଦରଗଡ଼,ମୟୂରଭଞ୍ଜ ଓ ବାଲେଶ୍ୱରର ମୋଟ ୭୦ଟି ଲେଭଲ କ୍ରସିଂକୁ ବନ୍ଦ ଅବା ଅନ୍ୟ ମାର୍ଗରେ ଚଳାଚଳ ପାଇଁ ଚିହ୍ନଟ କରାଯାଇଛି । ଏଥିରେ ସର୍ବାଧିକ ଲେଭଲକ୍ରସିଂ ବାଲେଶ୍ୱର ଜିଲ୍ଲାର ୨୮ଟି, ମୟୂରଭଞ୍ଜର ୨୫ଟି ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ରହିଛି ।

ମାଧବ କହିଲେ ସିଏଏକୁ ନେଇ ଏହା ବିରୋଧୀ ଷଡ଼ଯନ୍ତ୍ର କିନ୍ତୁ ଏହା ଦେଶ ଗ୍ରହଣ କରିବନି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧୀମାନେ ଷଡ଼ଯନ୍ତ୍ର କରୁଛନ୍ତି। ମିଥ୍ୟା ପ୍ରଚାର କରି ହିଂସା କରିବା ନିମନ୍ତେ ପ୍ରୟାସ କରୁଛନ୍ତି। ମାତ୍ର ଭାରତ କେବେହେଲେ ଏଭଳି ନୈରାଶ୍ୟବାଦ ଓ ନକାରାତ୍ମକ ରାଜନୀତିକୁ ଗ୍ରହଣ କରିବ ନାହିଁ ବୋଲି  ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ବରିଷ୍ଠ ନେତା ରାମମାଧବ ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ସହ ଇଡକଲ ଅଡ଼ିଟୋରିୟମରେ ସିଏଏ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାମମାଧବ କହିଛନ୍ତି ଯେ, ସିଏଏ ହେଉଛି ନାଗରିକତା ଦେବାର ଆଇନ। ଏହା କାହାର ନାଗରିକତା ନେବ ନାହିଁ। ଏହି ସଂଶୋଧନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିାଁ ଏହାକୁ ବିରୋଧୀମାନେ ଜାଣିଶୁଣି ବିବାଦିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ଦେଶରେ ଶାନ୍ତି ଚାହୁଁନଥିବା ବିରୋଧୀ ଦଳମାନେ ଓ ସେମାନଙ୍କର ସମର୍ଥକମାନେ ହିଂସା କରିବା ପାଇଁ ଉସୁକାଉଛନ୍ତି। ବିରୋଧିମାନେ ବିନା କାରଣରେ ଏହି ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ ବାହାରିଛନ୍ତି  ସେମାନଙ୍କର ଏହି ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି। ଶରଣାର୍ଥୀମାନଙ୍କୁ ନାଗରିକତା ଦେବାରେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସଂଶୋଧନ ଆଇନ ପଡ଼ୋଶୀ ଦେଶରେ ଧାର୍ମୀକ ଆଧାରରେ ପ୍ରପୀଡ଼ିତ ହୋଇ ଜୀବନ ବଞ୍ଚାଇବା ପାଇଁ ଭାରତ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶରେ ଏବେ ସିଏଏ ପ୍ରସଙ୍ଗରେ ଆଲୋଚନା ଚାଲିଛି ଏବଂ ଏହି ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିଛି ରାଜନୀତିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ବିରୋଧୀମାନେ ଏହାକୁ ଏକ ସୁଯୋଗ ବୋଲି ଗ୍ରହଣ କରିନେଇ ପରିସ୍ଥିତିକୁ ଆହୁରି ଉତେଜନାପୂର୍ଣ୍ଣ କରିଦେଇଛନ୍ତି । ତେଣୁ ଏହି ଆଇନର ବାସ୍ତବତା ସର୍ବସମ୍ମୁଖକୁ ଆଣିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ବିଜେପି ପକ୍ଷରୁ ସାରା ଦେଶରେ ଜନଜାଗରଣ କାର୍ଯ୍ୟକ୍ରମ କରିବା ସହିତ ବୁଦ୍ଧିଜୀବୀମାନଙ୍କ ସହିତ ସର୍ମ୍ପକ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ବିଜୟୀ ହେବାପରେ ତିନି ତଲାକ ବିଲ, ଅଯୋଧ୍ୟା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ- ଏସବୁ ଘଟଣାରେ ସମ୍ଭବତଃ ବିରୋଧୀଦଳମାନେ କିଛି କରିନପାରି ହତୋତ୍ସାହିତ ହୋଇପଡ଼ିଛନ୍ତି। ଏବେ ସେମାନେ ପାଣିକୁ ଗୋଳିଆ କରିବାର ଏକ ସୁଯୋଗ ପାଇଥିବା ଭଳି ମନେ କରୁଛନ୍ତି। କିନ୍ତୁ ଭାରତ କେବେହେଲେ ଏଭଳି ନୈରାଶ୍ୟବାଦ ଓ ନକାରାତ୍ମକ ରାଜନୀତିକୁ ଗ୍ରହଣ କରିବ ନାହିଁ। ପାକିସ୍ତାନକୁ ସୁହାଇଲା ଭଳି କଥା ବିରୋଧୀମାନେ ଏବେ ଦେଶରେ କରୁଛନ୍ତିା ପାକିସ୍ତାନ ମୁଖା ଖୋଲିଦେଲେ ବିରୋଧୀଙ୍କୁ କାହିଁକି କଷ୍ଟ ଲାଗୁଛି ବୋଲି ରାମମାଧବ ପ୍ରଶ୍ନ କରିଛନ୍ତି। ସିଏଏରେ ସଂଶୋଧନ ହେଉଛି ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରାର ଅନୁରୂପ ବୋଲି ସେ କହିଛନ୍ତି। ରାମ ମାଧବଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତି ,ନୟନ କିଶୋର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ବିରୋଧୀ ଙ୍କ ଦବଦବା ରେ ନରମିଲା ସେସୁ ; ହେବନି ବିଦ୍ୟୁତ କାଟ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ବିରୋଧୀଦଳଗୁଡ଼ିକର ଜୋରଦାର ବିରୋଧ ପରେ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସେସୁ ଆଜି ନରମ ଆଭିମୁଖ୍ୟ ପୋଷଣା କରିଛି। ବିଦ୍ୟୁତ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କର ବିଦ୍ୟୁତ ସଂଯୋଗକୁ ଆସନ୍ତା ୧୬ତାରିଖରୁ କାଟିବା ନିମନ୍ତେ ସେସୁ କରିଥିବା ଘୋଷଣାରୁ ଆଜି ଓହରି ଯାଇଛି। ପର୍ଯ୍ୟାୟକ୍ରମେ ଏହି ବିଦ୍ୟୁତ ସଂଯୋଗ କାଟ୍ କରାଯିବ ବୋଲି ସେସୁ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରଥମେ ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ ସଂଯୋଗ କାଟିବା ପରେ ସର୍ବଶେଷରେ ସାଧାରଣ ଗ୍ରାହକଙ୍କ ବିଦ୍ୟୁତ କରାଯିବ ବୋଲି ସଫେଇ ଦେଇଛି। ଏକ ପ୍ରେସ୍ ରିଲିଜ୍ ଜାରି କରି ସେସୁ କହିଛି ଯେ, ଜାନୁଆରୀ ୧୬ତାରିଖରୁ ବିଲ୍ ଖିଲାପକାରୀ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କାଟିବା ଅଭିଯାନ ଆରମ୍ଭ ନିମନ୍ତେ ସେସୁ ପକ୍ଷରୁ ଡିସେମ୍ବର ୧୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୧୯ ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୭ ଲକ୍ଷ ଗ୍ରାହକଙ୍କ ଉପରେ ୧୯୭୧କୋଟି ଟଙ୍କା ବାକି ରହିଛି। ବିଦ୍ୟୁତ ସଂଯୋଗ କାଟିବା ପାଇଁ ଚେତାବନୀ ଦିଆଯିବା ପରେ ପ୍ରାୟ ୧ଲକ୍ଷ ଗ୍ରାହକ ସେମାନଙ୍କର ବିଦ୍ୟୁତ ବକେୟା ପୈଠ କରିଛନ୍ତି। ବହୁସଂଖ୍ୟକ ଗ୍ରାହକ ମଧ୍ୟ ସେମାନଙ୍କର ବକେୟା ପୈଠ ପାଇଁ ଅଧିକ କିଛି ସମୟ ଦେବାକୁ ଅନୁରୋଧ କରିଥିଲେ। ବହୁ ଗ୍ରାହକ ବିଦ୍ୟୁତ ବିଲରେ ତ୍ରୁଟି ଥିବାରୁ ତାକୁ ସଂଶୋଧନ କଲେ ବିଲ୍ ପୈଠ କରିବେ ବୋଲି କହିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ସେସୁ ପ୍ରଥମ ପର୍ଯ୍ୟାୟରେ ଖିଲାପୀ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ବିଦ୍ୟୁତ ସଂଯୋଗ କରିବ ବୋଲି ସୂଚନା ଦେଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ପରିମାଣର ବିଦ୍ୟୁତ ବିଲ୍ ବକେୟା ରଖିଥିବା ଘରୋଇ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କରାଯିବ। ଯେଉଁମାନଙ୍କର ଅଧିକ ବିଦ୍ୟୁତ ବିଲ୍ ଆସୁଥିବ ଓ ଏସି, ଚାରିଚକିଆ ଯାନ ସହ ବହୁତଳ ପ୍ରାସାଦରେ ରହୁଥିବେ। ଶେଷରେ ସାଧାରଣ ଗ୍ରାହକଙ୍କ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ ହେବ। ଏଥିରେ ବିଶେଷକରି ଯେଉଁ ଗ୍ରାହକମାନେ ବର୍ଷବର୍ଷ ଧରି ବିଲ୍ ବକେୟା ରଖିଥିବେ ସେମାନଙ୍କର ସଂଯୋଗ ଛିନ୍ନ କରାଯିବ।ସୂଚନାଯୋଗ୍ୟ, ବିଦ୍ୟୁତ ସଂଯୋଗ ଛିନ୍ନ ପାଇଁ ସେସୁର ଚେତାବନୀ ପରେ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ ନିମନ୍ତେ ଧମକ ଦିଆଯାଇଥିଲା। ବିଜେପି ମଧ୍ୟ ଆଜି ସାମ୍ବାଦିକ ସମ୍ମିଳନୀ କରି ସେସୁର ଏଭଳି ଦାଦାଗିରିକୁ ବିରୋଧ କରିବା ସହ ବିଦ୍ୟୁତବଣ୍ଟନକାରୀ ସଂସ୍ଥା ଉପରେ ଗ୍ରୀଡକୋର ବକେୟା କାହିଁକି ଆଦାୟ କରାଯାଉନି ବୋଲି ପ୍ରଶ୍ନ କରିଥିଲା। ଅନ୍ୟ ଦଳଗୁଡ଼ିକ ମଧ୍ୟ ସେସୁର ଏପରି ନୀତିକୁ ବିରୋଧ କରିବା ପରେ କମ୍ପାନୀ ପକ୍ଷରୁ ଆଜି ଏଭଳି ପ୍ରେସ୍ ରିଲିଜ୍ ଜାରି କରାଯାଇଛି।

ଦିଲ୍‌ କିଣୁଛି ‘ତିଲ୍‌ କୁଟ୍‌’ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରାତି ପାହିଲେ ମକର ସଂକ୍ରାନ୍ତି। ହିନ୍ଦୁମାନଙ୍କର ଏହା ଏକ ମହାନ ପର୍ବ ହୋଇଥିବାରୁ ଏଥିଲାଗି ରାଉରକେଲା ଇସ୍ପାତ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସେଥିପାଇଁ ମୁଢ଼ି ମୁଆଁ, ଖଇ ମୁଆଁ, ଚୁଡା ମୁଆଁ, ଗୁଡ଼, ନଡ଼ିଆ ଓ କଦଳୀ ବଜାରରେ ଲାଗିଛି ନିଆଁ। ବିଭିନ୍ନ ପ୍ରକାର ମୁଆଁ ସହ ବଜାରରେ ଆଉ ଗୋଟିଏ ସାମଗ୍ରୀର ବେଶୀ ଚାହିଦା ରହିଛି। ତା’ ହେଲା ତିଲ-କୁଟ। ତିଲ ଅର୍ଥ ରାଶି ବା ଖସା। ରାଶିକୁ ହେମଦସ୍ତାରେ କୁଟି ଏହି ମିଠା ପ୍ରସ୍ତୁତ କରାଯାଏ। ସେଥିପାଇଁ ମକରରେ ଏହାର ନାଁ ତିଲ-କୁଟ ରଖାଯାଇଛି। ତିଲ-କୁଟର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବେଶ୍‌ ଚମତ୍କାର। ରାଶି, ଚିନି, ଅଳେଇଚ ଓ କାଜୁ ଆଦିକୁ ମିଶ୍ରଣ କରାଯାଇ ଚୁଲିରେ ପାଗ କରାଯାଏ। ପାଗ ହୋଇ ଗଲା ପରେ କାନ୍ଥରେ ଲାଗିଥିବା ଏକ ବଡ଼ କଣ୍ଟାରେ ଏହାକୁ ଫେଣା ଯାଇଥାଏ। ଫେଣା ସରିଲା ପରେ ଗୋଲ ଗୋଲ ଗୁଳା କରାଯାଇ ହେମଦସ୍ତାରେ ପିଟି ପିଟି ତିଲ କୁଟ ପ୍ରସ୍ତୁତ କରାଯାଇଥାଏ। ଏଠାକାର ସ୍ଥାନୀୟ ବ୍ୟବସାୟୀମାନେ ବିହାରର ଗୟାରୁ କାରିଗର ଆଣି ଏହି ତିଲ କୁଟ ପ୍ରସ୍ତୁତ କରିଥାନ୍ତି। ଖୁଆ, ଚିନି, ଗୁଡ଼ରେ ପ୍ରସ୍ତୁତ ତିଲ କୁଟ ଦାମ ସବୁଠାରୁ ଅଧିକ। କିଲୋ ପ୍ରତି ୫୦୦ ଟଙ୍କା ବୋଲି ଜଣାପଡ଼ିଛି। ପ୍ରତିବର୍ଷ ମକରରେ ତିନିରୁ ଚାରି ଟନ ତିଲ କୁଟ ରାଉରକେଲା ବଜାରରୁ ବାହାରୁଥିବା ବେଳେ ୨୦ ରୁ ୨୫ ଲକ୍ଷ ଟଙ୍କାର ବେପାର ହୋଇଥାଏ। ରାଉରକେଲାରେ ପ୍ରସ୍ତୁତ ତିଲ କୁଟ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା ଜିଲ୍ଲା ସହ ଛତିଶଗଡ଼ର ବିଳାଶପୁର, ଝାରଖଣ୍ଡର ଚକ୍ରଧରପୁର, ମନୋହରପୁର, ଚାଇବସା ଆଦି ସ୍ଥାନକୁ ମକର ପାଇଁ ପଠା ଯାଇଥାଏ। ମକର ସଂକ୍ରାନ୍ତିକୁ ବିହାରରେ ବଡ଼ ଆକାରରେ ପାଳନ କରାଯାଇଥାଏ। ବଜାରରୁ ତିଲ କୁଟ କିଣିବାକୁ ଏହି ସମ୍ପ୍ରଦାୟ ଲୋକଙ୍କ ବେଶ ଆଗ୍ରହ। ତିଳ ପୂଜା କରି ଅର୍ପଣ କରିବା ମହତ ଦାନ ଓ ଏହା ଦ୍ୱାରା ପୁଣ୍ୟ ହୁଏ ବୋଲି ବିହାରୀ ସମ୍ପ୍ରଦାୟ ଲୋକଙ୍କ ବିଶ୍ୱାସ ରହିଛି। ବଜାରରୁ ତିଳ ଓ ତିଲ କୁଟ କିଣି ମକର ଦିନ ଅର୍ପଣ କରିଥାଆନ୍ତି।

ମକର ସଂକ୍ରାନ୍ତି ରେ ଶ୍ରୀଜିଉ ଙ୍କ ମକର ବେଶ ;ଦର୍ଶନ ଲାଗି ଭକ୍ତ ଙ୍କ ଭିଡ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବଣେଶ୍ଵର) – ଆଜି ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯିବ। ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କୁ ମକର ଭୋଗ ଲାଗି ହେବ। ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ । ଏହି କ୍ରମରେ ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରୁଥିବା ବେଳେ ଗତକାଲି ଭୋଗୀ ପାଳନ କରିଛନ୍ତି। ସେହିପରି ପୋଙ୍ଗଲ ପରଦିନକୁ କାନୁମୁ ଭାବେ ପାଳନ କରନ୍ତି । ବ୍ରହ୍ମପୁର, ଜୟପୁରର ବିଭିନ୍ନ ଅଞ୍ଚଳରେ ତେଲୁଗୁ ସମ୍ପ୍ରଦାୟ ଲୋକେ ବହୁ ସଂଖ୍ୟାରେ ରହୁଥିବାରୁ ଏଠାରେ  ୩ଦିନ ଧରି ମକର ପର୍ବ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ରାଉରକେଲା ବଜାରରେ ମଧ୍ୟ ମୁଢି ମୁଆଁ, ଖଇ ମୁଆଁ ଆଦିର ପସରା ଖୋଲିଛି।

୧୫ ଜାନୁଆରୀ, ବୁଧବାର ଆଜିର ରାଶିଫଳ

ମେଷ:  କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ:  ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

ମିଥୁନ:  କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ମାଲିମକଦ୍ଦମାରେ ବିଜୟୀ ହେବେ

କର୍କଟ: ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଲାଭ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ଦିନଟି ଭଲରେ କଟିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

କନ୍ୟା: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ତୁଳା: ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

ବିଚ୍ଛା:  କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ଧନୁ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ।

ମକର: ଶରୀର ଫୂର୍ତ୍ତି ରହିବ। ମାନ-ସମ୍ମାନ ମିଳିବ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମନ ପ୍ରଫୁଲ୍ଲିତ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ।