ପ୍ରାକୃତିକ ଉପାୟରେ କଳା ଓ ଶୁଷ୍କ ଓଠକୁ କୁହନ୍ତୁ ବାଏ ବାଏ ।

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର)– ସୁନ୍ଦର ଦେଖାଯିବାକୁ ସମସ୍ତେ ପସନ୍ଦ କରନ୍ତି। ଆଉ ସୌନ୍ଦର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଗୋଲାପି ଓଠ। କିନ୍ତୁ ଯଦି ଆପଣଙ୍କ ଓଠ କଳା ପଡ଼ିଯାଉଛି, ତା’ହେଲେ ଏହା ଆପଣଙ୍କ ଚାନ୍ଦପରି ସୁନ୍ଦର ମୁହଁରେ ଗ୍ରହଣ ଭଳି ଲାଗେ। ବିଶେଷ କରି ଶୀତ ଦିନରେ ଲୋକଙ୍କର ଓଠ ଶୁଖିଲା ଓ କଳା ପଡ଼ିଯାଏ। ତେବେ ଚିନ୍ତା କରିବାର କିଛି ନାହିଁ। ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ।

୧. ଆଲୋଭେରା: ଆଲୋଭେରା ଆପଣଙ୍କ ଓଠକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାରେ ବେଶ୍ ସହାୟକ ହୋଇଥାଏ। କାରଣ ଏଥିରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଟୋରି ତତ୍ତ୍ୱ ଭରପୂର ପରିମାଣରେ ରହିଛି। ତେଣୁ ଏହାକୁ ଓଠରେ ଲଗାନ୍ତୁ।

୨. ନଡ଼ିଆ ତେଲ: ଶୋଇବା ପୂର୍ବରୁ ବୁନ୍ଦେ ନଡ଼ିଆ ତେଳ ନେଇ ଓଠରେ ଲଗାନ୍ତୁ। କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।

୩. ମହୁ: ମହୁରେ ପ୍ରଚୁର ପରିମାଣରେ ମଶ୍ଚରାଇଜର ରହିଛି। ଏହାବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଛି, ଯାହା ଓଠକୁ ଇନ୍‌ଫେକ୍ସନ୍‌ରୁ ରକ୍ଷା କରିବା ସହ ଏହାକୁ ଶୁଖିଲା ହେବାକୁ କିମ୍ବା କଳା ପଡ଼ିବାକୁ ଦିଏ ନାହିଁ। ତେଣୁ ପ୍ରତିଦିନ ଓଠରେ ମହୁ ଲଗାନ୍ତୁ।

୪. କାକୁଡ଼ି: ଏଥିରେ ମଧ୍ୟ ଅନେକ ଭିଟାମିନ୍‌ ଓ ମିନେରାଲ୍ସ ରହିଛି, ଯାହ ଆପଣଙ୍କ ଓଠକୁ କଳା ହେବରୁ ରକ୍ଷା କରିବ ଓ ଗୋଲାପି କରିବାରେ ସାହାଯ୍ୟ କରିବ। ତା’ ସହିତ ଏହା ଓଠରୁ ଶୁଷ୍କପଣ ଦୂର କରିବ।

୫.ଗ୍ରୀନ୍ ଟି: ଏଥିରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଓ ମିନେରାଲ୍ସ ଭରପୂର ମାତ୍ରାରେ ରହିଛି। ଏଥିରେ ଥିବା ପଲିଫେନଲ୍ସ ଇନ୍‌ଫେକ୍ସନ୍‌କୁ ଦୂର କରିଥାଏ। ଉଷୁମ ପାଣିରେ ଏକ ଗ୍ରୀନ୍‌ ଟି ବ୍ୟାଗ୍‌ ବୁଡ଼ାଇ ଏହାକୁ ଓଠରେ ଧୀରେ ଧୀରେ ଘଷନ୍ତୁ। ଏହା ଦ୍ୱାରା ଓଠ ଶୁଷ୍କ ରହିବ ନାହିଁ ଏବଂ ସବୁବେଳେ ଚମକ ବଜାୟ ରହିବ ଓ ଗୋଲାପି ଦେଖାଯିବ।

କିଛି ଘରୋଇ ସ୍କ୍ରବ୍‌ ମଧ୍ୟ ବ୍ୟବହାର କରିପାରିବେ

୧. କ୍ଷୀର ଓ ହଲଦୀକୁ ଗୋଳାଇ ଓଠରେ ଲଗାନ୍ତୁ। ଏହାକୁ ୨ରୁ ୩ ମିନିଟ୍‌ ଶୁଖିବାକୁ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଧୋଇ ସାରିବା ପରେ ଏକ ଭଲ ଲିପ୍‌ବାମ୍‌ ଲଗାଇବାକୁ ଭୁଲିବେ ନାହିଁ।

୨. ଚିନିରେ କିଛି ଲେମ୍ବୁ ରସ ମିଶାଇ ସ୍କ୍ରବ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ହାଲକା ଭାବେ ଓଠରେ ଘଷନ୍ତୁ। ସପ୍ତାହରେ ଏଭଳି ଦୁଇ ଥର କରନ୍ତୁ। ଦେଖିବେ ଆପଣଙ୍କ ଓଠ ଧୀରେ ଧୀରେ ଗୋଲାପି ଦିଶିବ।

୩. କିଛି ଗୋଲାପ ପାଖୁଡ଼ାକୁ ପାଣିରେ ରାତିସାରା ବତୁରାଇ ରଖନ୍ତୁ। ପରଦିନ ସକାଳେ ଏହି ପାଖୁଡ଼ା ଗୁଡ଼ିକୁ କିଛି କ୍ଷୀର ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ବର୍ତ୍ତମାନ ଏହି ରୋଜ୍‌ ପ୍ୟାକ୍‌କୁ ଓଠରେ ଲଗାନ୍ତୁ। ଆପଣ ଯଦି ଏହି ପ୍ୟାକ୍‌କୁ ଓଠରେ ଲଗାଇ ରାତିସାରା ଛାଡ଼ିଦେବେ, ତା’ହେଲେ ଏହା ଅଧିକ କାମ ଦେବ।

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରାଇଡ଼ା ଠାରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ଅଧିନସ୍ଥ ରାଇଡା ଗ୍ରାମ ଠାରେ ବିଶ୍ବହିନ୍ଦୁ ପରିଷଦ ଆରୁତଙ୍ଗ କେନ୍ଦ୍ର ପକ୍ଷରୁ ମକର ସଂକ୍ରାନ୍ତି ଅବସରରେ ଏକ ସତସଙ୍ଗ ର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ନିଗମାନନ୍ଦ,ସାଧବୀ ଗୀତାଦେବୀ ଏବଂ ସଙ୍ଗୀତଜ୍ଞ ସତ୍ୟ ସ୍ବରୂପ ଯୋଗଦେଇ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଭକ୍ତ ଗଣ ଉପସ୍ଥିତ ରହିଥିଲେ।

ଆଜି ଗୁଗଲ୍‌ର ଡୁଡଲ୍‌ରେ ଥିବା ବ୍ୟକ୍ତି ଜଣଙ୍କ କିଏ ଜାଣନ୍ତି ?

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ଦେଶର ମହାନ କବି, ଗୀତିକାର ତଥା ଉର୍ଦ୍ଦୁ ଶାୟର୍‌ କୈଫି ଆଜମୀଙ୍କର ଆଜି ହେଉଛି ୧୦୧ତମ ଜନ୍ମଦିନ। ଏହି ଅବସରରେ ସାରା ଦେଶର ପ୍ରଶଂସକମାନେ ତାଙ୍କୁ ମନେ ପକାଉଛନ୍ତି। ଗୁଗଲ୍‌ ମଧ୍ୟ ତାଙ୍କ ସମ୍ମାନରେ ତାଙ୍କ ଫଟୋର ଡୁଡଲ୍‌ ବନାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛି। ଗୁଗଲ୍‌ ରଖିଥିବା ଫଟୋରେ କୈଫି ଏକ ଧଳା କୁର୍ତ୍ତା ପିନ୍ଧି ଶାୟରୀ ପଢ଼ୁଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଆଜମଗଡ଼ରେ ଜନ୍ମ ହୋଇଥିଲେ କୈଫି ଆଜମୀ। ପ୍ରେମ କବିତାଠୁ ଆରମ୍ଭ କରି ପଟକଥା ଓ ବଲିଉଡ୍‌ ଗୀତ ଲେଖିବାରେ ସେ ମାହିର୍‌ ଥିଲେ। ବିଂଶ ଶତାବ୍ଦୀର ପ୍ରସିଦ୍ଧ କବିମାନଙ୍କ ମଧ୍ୟରୁ ସେ ଥିଲା ଅନ୍ୟତମ। କୈଫି ନିଜର ପ୍ରଥମ କବିତା ମାତ୍ର ୧୧ ବର୍ଷ ବୟସରେ ଲେଖିଥିଲେ। ଏକ ଉର୍ଦ୍ଦୁ ଖବରକାଗଜରେ କାମ କରିବା ପାଇଁ ସେ ମୁମ୍ବାଇ ଚାଲିଆସିଥିଲେ। ତାଙ୍କର ପ୍ରଥମ କବିତା ୧୯୪୩ରେ ପ୍ରକାଶିତ ହୋଇଥିଲା। ଏହାପରେ ସେ Progressive Writers’ Associationର ସଦସ୍ୟ ହୋଇଯାଇଥିଲେ ଓ କେବଳ ସାମାଜିକ ଓ ଆର୍ଥିକ ସୁଧାର ଆଣିବା ଦିଗରେ ଲେଖାଲେଖି କରିଥିଲେ। ସେ ଅନେକ ପୁରସ୍କାର ପାଇଥିଲେ। ସେଥିରେ ଥିଲା ଫିଲ୍ମ ଫେୟାର୍‌ ପୁରସ୍କାର, ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରଦ୍ମଶ୍ରୀ ପୁରସ୍କାର, ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ସାହିତ୍ୟ ଏକାଡେମୀ ସମ୍ମାନ ଓ ସାହିତ୍ୟ ଏକାଡେମୀ ଫେଲୋଶିପ୍। କେବଳ ଏତିକି ନୁହେଁ, ତାଙ୍କ ସମ୍ମାନରେ ସରକାର ‘ଖୟାମ ଏକ୍ସପ୍ରେସ’ ନାମକ ଏକ ଟ୍ରେନ୍‌ ମଧ୍ୟ ବାହାର କରିଥିଲେ। ଏହି ଟ୍ରେନ୍‌ ତାଙ୍କ ଜନ୍ମସ୍ଥାନ ଆଜମଗଡ଼ରୁ ଦିଲ୍ଲୀକୁ ଚାଲୁଛି। କୈଫିଙ୍କର ପ୍ରସିଦ୍ଧ କବିତାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ‘ଔରତ୍‌’। ଏଥିରେ ସେ ମହିଳାଙ୍କ ସମାନତା ବିଷୟରେ କହିଥିଲେ। ଏହି କବିତା ପାଇଁ ସେ ବହୁତ ପ୍ରସିଦ୍ଧି ପାଇଥିଲେ। ଜଣାଇଦେବାକୁ ଚାହୁଁ ଯେ କୈଫି ଆଜମୀ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀଙ୍କ ପିତା। ୨୦୦୨ ମସିହା ମେ ୧୦ ତାରିଖରେ ୮୩ ବର୍ଷ ବୟସରେ  ତାଙ୍କର ପରଲୋକ ହୋଇଥିଲା।

ମନ୍ତ୍ରୀଙ୍କ ମନ୍ତବ୍ୟରେ ରାଗିଗଲେ ଜାଭେଦ୍‌; ଭାଇରାଲ୍ ହେଉଛି ଟ୍ୱିଟ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଓ ଜେଏନ୍‌ୟୁରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ବେଶ୍ କିଛି ଦିନ ହେଲା ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀ ରଘୁରାଜ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ ରାଲିକୁ ସମ୍ବୋଧିତ କଲା ବେଳେ ସେ ଛାତ୍ରଛାତ୍ରୀଙ୍କୁ ଜୀବନ୍ତ ପୋତି ଦେବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଯେଉଁମାନେ ନାରାବାଜି କରୁଛନ୍ତି, ସେମାନଙ୍କୁ ମାଟିରେ ଜିଅନ୍ତା ପୋତି ଦିଆଯିବ। ଏହା ବ୍ୟତୀତ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରଙ୍କୁ ବିରୋଧରେ ମଧ୍ୟ କହିଥିଲେ। ଏଭଳି ବୟାନ ଦେଇ ରଘୁରାଜ ସମାଲୋଚନାର ଶିକାର ହୋଇଥିବା ବେଳେ ବଲିଉଡ୍ ଅଭିନେତା ଜାଭେଦ୍ ଜାଫ୍ରି ଟ୍ୱିଟ୍‌ କରି ସରକାରଙ୍କ ସଂପର୍କରେ କଡ଼ା ମନ୍ତବ୍ୟ ଦେଇଛନ୍ତି, ଯାହା ଭାଇରାଲ୍ ହେଉଛି। ଜାଭେଦ ଲେଖିଛନ୍ତି, ଜାଗ୍ରତ ହୁଅ ଭାରତ…। ଆମେ କ’ଣ ଏଭଳି ସରକାର ଚାହାନ୍ତି? ସେମାନଙ୍କ ସାଂସଦ ଓ ବିଧାୟକମାନେ ଏଭଳି ଅସଂଖ୍ୟ ଖୋଲା ଧମକ ଓ ଘୃଣ୍ୟ ଭାଷଣ ଦେଉଛନ୍ତି। ସେମାନଙ୍କୁ ବାହାର କରାଯାଉ ନାହିଁ କି ଚୁପ୍ ରହିବାକୁ କୁହାଯାଉ ନାହିଁ। ଜାଭେଦ୍‌ଙ୍କ ଏହି ଟ୍ୱିଟ୍‌ ଉପରେ ଅନେକ ଲୋକ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସୂଚନାଯୋଗ୍ୟ, ଜାଭେଦ୍‌ ହେଉଛନ୍ତି ଜଣେ ଅଭିନେତା, ଡ୍ୟାନସର୍ ଓ କମେଡିଆନ୍। ୧୯୮୫ରେ ‘ମେରୀ ଜଙ୍ଗ୍’ ଜରିଆରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ୨୦୧୪ରେ ସେ ଆମ୍ ଆଦ୍‌ମୀ ପାର୍ଟିରେ ଯୋଗଦେଇ ରାଜନୀତିରେ ପାଦ ଥାପିଥିଲେ।

ଉତ୍ତରପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ତାନାଜୀ’ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର୍’ ବକ୍ସ ଅଫିସ୍‌ରେ ବଢ଼ିଆ ବିଜ୍‌ନେସ୍ କରୁଛି। ଫିଲ୍ମଟି ୩ ଦିନରେ ପାଖାପାଖି ୬୧ କୋଟି ଟଙ୍କା ଆୟ କରିସାରିଲାଣି। ଆଉ ଏହା ମଧ୍ୟରେ ଫିଲ୍ମଟିକୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଟ୍ୟାକ୍ସ ଫ୍ରି କରିଦେଇଛନ୍ତି। ୟୁପି ସରକାରଙ୍କ ଏଭଳି ପଦକ୍ଷେପ ପରେ ଦର୍ଶକମାନେ ଏହି ଫିଲ୍ମକୁ ସାରା ଦେଶରେ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରିଛନ୍ତି। ଏପରିକି ସୋଶାଲ୍‌ ମିଡିଆରେ ଏବେ #Tanhaji_TaxFree ଟ୍ରେଣ୍ଡ କରୁଛି। ବିଶେଷ କରି ଲୋକଙ୍କ ଦାବି ଯେ ମହାରାଷ୍ଟ୍ର ସରକାର ଏହାକୁ ନିହାତି ଟ୍ୟାକ୍ସ ଫ୍ରି କରିବା ଉଚିତ୍। ଅଜୟଙ୍କ ଏହି ଫିଲ୍ମ ସହ ଦୀପିକାଙ୍କର ‘ଛପାକ୍‌’ ମଧ୍ୟ ରିଲିଜ୍‌ ହୋଇଥିଲା। ‘ଛପାକ୍‌’କୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି। ଫିଲ୍ମରେ ଅଜୟଙ୍କ ବ୍ୟତୀତ ସୈଫ୍‌ ଅଲ୍ଲୀ ଖାନ୍‌ ଓ କଜୋଲ୍‌ ମୂଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଜରିଆରେ ଅଜୟ ଓ କାଜୋଲ୍‌ ପ୍ରାୟ ୯ ବର୍ଷ ପରେ ପୁଣିଥରେ ଏକାଠି ସ୍କ୍ରିନ୍‌ ଶେଆର୍‌ କରିଛନ୍ତି। ଏହା ବ୍ୟତୀତ ‘ତାନାଜୀ’ ହେଉଛି ଅଜୟଙ୍କର ୧୦୦ତମ ଫିଲ୍ମ।ସୂଚନାଯୋଗ୍ୟ, ଫିଲ୍ମଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସେନାବାହିନୀରେ ଥିଲେ। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ସେ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ବିଶେଷ କରି ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ।

କରଣ ଜୋହରଙ୍କ ଫିଲ୍ମରେ ହ୍ରିତିକ୍

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ହ୍ରିତିକ୍‌ ରୋଶନଙ୍କ ପାଇଁ ଗତ ବର୍ଷଟି ବେଶ୍‌ ଲକି ସାବ୍ୟସ୍ତ ହୋଇଛି । ସେ ବ୍ୟାକ୍‌ ଟୁ ବ୍ୟାକ୍ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ଧୂଆଁଦାର୍‌ ପ୍ରଦର୍ଶନ କରିଛି। ଏହାପରଠୁ ହ୍ରିତିକ୍‌ଙ୍କ ଡିମାଣ୍ଡ ବେଶ୍ ଅଧିକ ବଢ଼ିଯାଇଛି। ପ୍ରାୟ ସମସ୍ତେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଦର୍ଶକ ମଧ୍ୟ ତାଙ୍କ ଅପକମିଂ ଫିଲ୍ମ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଆଉ ଏବେ ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। କାରଣ ତାଙ୍କ ଅପକମିଂ ପ୍ରୋଜେକ୍ଟ ବିଷୟରେ ଜଣାପଡ଼ିଛି। ସୂଚନା ଅନୁଯାୟୀ, କରଣ ଜୋହର ତାଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍‌ଙ୍କୁ ନେଇଛନ୍ତି। ଏଥିରେ ସେ ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ନିକଟରେ କରଣ ଏହି ଘୋଷଣା କରିଛନ୍ତି। ନୀତିନ ଗୋଖଲେଙ୍କ ବହି ‘ଆର୍‌ ଏନ୍‌ କାଓ: ଜେଣ୍ଟଲ୍‌ମ୍ୟାନ୍‌ ସ୍ପାଇମାଷ୍ଟର’କୁ ନେଇ ଏକ ଫିଲ୍ମ ନିର୍ମାଣ କରାଯିବ। କରଣ ଓ ଆନନ୍ଦ ତିୱାରୀ ମିଶି ଏହାକୁ ତିଆରି କରିବେ। ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି। ‘ଆର୍‌ ଏନ୍‌ କାଓ: ଜେଣ୍ଟଲ୍‌ମ୍ୟାନ୍‌ ସ୍ପାଇମାଷ୍ଟର’ ବହିଟି ରାମେଶ୍ୱର କାଓ ନାମକ ଜଣେ ଭାରତୀୟ ଗୁପ୍ତଚରଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ସେ ଭାରତୀୟ ଗୁଇନ୍ଦା ବିଭାଗ ‘RAW’ର ପ୍ରଥମ ଗୁପ୍ତଚର ଥିଲେ। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ବ୍ୟକ୍ତିଗତ ମୁଖ୍ୟ ଅଙ୍ଗରକ୍ଷକ ଓ ରାଜୀବ ଗାନ୍ଧିଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ମଧ୍ୟ କାମ କରିଥିଲେ। ଫିଲ୍ମରେ ହ୍ରିତିକ୍‌ ତାଙ୍କରି ଚରିତ୍ରରେ ଅଭିନୟ କରିବେ। ଅବଶ୍ୟ ଏ ନେଇ ହ୍ରିତିକ୍‌ଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ।

ସାନିଆ ମିର୍ଜାଙ୍କ ଦମଦାର କମବ୍ୟାକ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ଭାରତର ଅଭିଜ୍ଞ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ଡବ୍ଲ୍ୟୁଟିଏ ସର୍କିଟରେ ବିଜୟ ସହ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୩ ବର୍ଷୀୟା ସାନିଆ ମଙ୍ଗଳବାର ହୋବାର୍ଟ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟର ମହିଳା ଡବଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ସାନିଆ ଓ ୟୁକ୍ରେନର ନାଦିଆ କିଚେନୋକ୍ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରେ ଜର୍ଜିଆର ଓକସାନା କାଲାଶନିକୋଭା ଓ ଜାପାନର ମିୟୁ କାଟୋଙ୍କ ଯୋଡ଼ିଙ୍କୁ ହରାଇଛନ୍ତି। ୧ ଘଣ୍ଟା ୪୧ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ସାନିଆ ଓ ନାଦିଆ ୨-୬, ୭-୬ (୩), ୧୦-୩ ସେଟରେ ବିଜୟ ହାସଲ କରିଛନ୍ତି। ଅଣସିଡ୍ ଇଣ୍ଡୋ-ୟୁକ୍ରେନ୍ ଯୋଡ଼ି ପରବର୍ତ୍ତୀ ମୁକାବିଲାରେ ଆମେରିକାର ଭାନିଆ କିଙ୍ଗ୍ ଓ କ୍ରିଷ୍ଟିନା ମ୍ୟାକହେଲଙ୍କୁ ଭେଟିବ। ଏହି ଆମେରିକୀୟ ଯୋଡ଼ି ରାଉଣ୍ଡ-୧୬ ମୁକାବିଲାରେ ଚତୁର୍ଥ ସିଡ୍ ସ୍ପାନିଶ୍ ଯୋଡ଼ି ଜର୍ଜିନା ଗାର୍ସିଆ ପେରେଜ୍ ଓ ସାରା ସୋରିବେସ୍ ଟର୍ମୋଙ୍କୁ ୬-୨, ୭-୫ ସେଟରେ ପରାସ୍ତ କରିଥିଲେ। ସାନିଆ ହୋବାର୍ଟରେ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଶେଷଥର ପାଇଁ ଅକ୍ଟୋବର, ୨୦୧୭ରେ ଚାଇନା ଓପନରେ ଭାଗ ନେଇଥିଲେ। ଟେନିସ୍ କୋର୍ଟରୁ ଦୁଇବର୍ଷ ଦୂରେଇ ରହିବା ମଧ୍ୟରେ ସାନିଆ ମା’ ହେବା ପାଇଁ ଔପଚାରିକ ଭାବେ ବ୍ରେକ୍ ନେବା ପୂର୍ବରୁ ଆହତ ସମସ୍ୟା ଦେଇ ଗତି କରିଥିଲେ। ମା’ ହେବା ପରେ ସାନିଆ ଏଠାରେ ନିଜର ପ୍ରଥମ ମୁକାବିଲା ଜିତିଛନ୍ତି। ମ୍ୟାଚ୍ ଜିତିବା ପରେ ସାନିଆ କହିଛନ୍ତି, ଆଜିର ଦିନ ମୋ ପାଇଁ ବହୁତ ଖାସ।

ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଭାରତୀୟ ମହିଳା ହକି ଟିମ୍ ଘୋଷିତ, ୩ ଓଡ଼ିଆ ସାମିଲ୍‌

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ମହିଳା ଦଳର ଘୋଷଣା କରାଯାଇଛି। ଷ୍ଟାର୍ ଷ୍ଟ୍ରାଇକର୍ ରାନୀ ରାମପଲ୍ ଦଳର ନେତୃତ୍ୱ ନେବେ। ରାନୀଙ୍କ ଡେପୁଟି ଭାବେ ଗୋଲକିପର ସବିତାଙ୍କୁ ଟିମରେ ସ୍ଥାନ ମିଳିଛି। ଭାରତୀୟ ଦଳରେ ସର୍ବୋପରି ଓଡ଼ିଶାର ତିନିଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ। ୨୫ ତାରିଖରୁ ହେବାକୁଥିବା ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ମୋଟ ୫ଟି ମ୍ୟାଚ୍ ଖେଳିବ। ୨୫ ତାରିଖରେ ଭାରତୀୟ ମହିଳା ଟିମ୍ ତା’ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଡେଭଲପମେଣ୍ଟ ସ୍କ୍ୱାଡ୍ ବିପକ୍ଷ ମ୍ୟାଚ୍ ଖେଳିବ। ୨୭ ଓ ୨୯ ତାରିଖରେ ନ୍ୟୁଜିଲ୍ୟାଣ୍ଡ୍ ମହିଳା ଟିମ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ଏହା ପରେ ଭାରତ ଫେବୃଆରୀ ୪ରେ ଗ୍ରେଟ୍ ବ୍ରିଟେନ୍ ଏବଂ ୫ ତାରିଖରେ ପୁଣିଥରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ଖେଳି ଗସ୍ତ ଶେଷ କରିବ। ଟିମ୍ ଚୟନ ନେଇ କୋଚ୍ ଶୋର୍ଡ ମାରିନ୍ କହିଛନ୍ତି, ଏହି ଗସ୍ତରେ ମୁଁ ଟିମ୍ ଭିତରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଆମେ ୨୦ଜଣ ଖେଳାଳିଙ୍କ ସହ ନ୍ୟୁଜିଲ୍ୟାଣ୍ଡ୍ ଯିବ। କିନ୍ତୁ କିଛି ମ୍ୟାଚରେ ୧୬ ଖେଳାଳିଙ୍କୁ ସୁଯୋଗ ଦେବୁ, କାରଣ ଅଲିମ୍ପିକ୍ସରେ ଆମେ ୧୬ ଖେଳାଳିଙ୍କୁ ନେଇ ଖେଳିବୁ। ଏପରିକି ଗସ୍ତରେ ଆମେ କିଛି ମ୍ୟାଚରେ ୧୮ଜଣ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେବୁ।

ଭାରତୀୟ ସ୍କ୍ୱାଡ୍‌: ରାନୀ (କ୍ୟାପଟେନ୍‌), ସବିତା (ଭାଇସ୍‌-କ୍ୟାପଟେନ୍‌), ରଜନୀ ଏଟିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ଗୁରଜିତ୍ କୌର୍‌, ରୀନା ଖୋଖାର, ସାଲିମା ଟେଟେ, ସୁଶୀଲା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା, ମୋନିକା, ଲିଲିମା ମିଞ୍ଜ୍‌, ନେହା, ସୋନିକା, ଶର୍ମିଲା ଦେବୀ, ନଭନୀତ୍ କୌର୍‌, ଲାଲରେମସିଆମି, ବନ୍ଦନା କାଟାରିୟା, ନଭଜୋତ୍ କୌର।

ଓଜନ କମ୍‌ କରିବାର ଅଜବ ଡାଏଟ୍‌ ପ୍ଲାନ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଓଜନ କମ୍‌ କରିବା ପାଇଁ ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାରର ଡାଏଟ୍‌ ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। କିଛି ଲୋକ ସାଧାରଣ ପଦ୍ଧତିରେ ଓଜନ କମ୍‌ କରିବା ପାଇଁ ଚାହୁଁଥିବା ବେଳେ ଆଉ କିଛି ଲୋକ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ କିଛି ଟ୍ରେଣ୍ଡିଂ ଡାଏଟ୍‌ ପ୍ଲାନ୍‌ ଉପରେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ।  ତା’ହେଲେ ଆସନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା।

ବେବି ଫୁଡ୍‌ ଡାଏଟ୍‌ – ଏହି ଡାଏଟ୍‌ ପ୍ଲାନ୍‌ର ଫାଇଦା ହେଉଛି ଏଥିରୁ କମ୍ କ୍ୟାଲୋରୀ ମିଳେ। ଏହି ଡାଏଟ୍‌ରେ ଲୋକମାନେ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଖାଇଥା’ନ୍ତି।

ଜୁସ୍‌ ଡାଏଟ୍‌ – ଏଥିରେ କେବଳ ଫଳ ଓ ପନିପରିବାକୁ ଜୁସ୍ କରି ପିଇବାକୁ ହୁଏ। ସବୁଜ ପନିପରିବାରେ ପ୍ରସ୍ତୁତ ଜୁସ୍‌କୁ ଲୋକମାନେ ଭୋକ ଲାଗିବା ସମୟରେ ପିଅନ୍ତି। ଏଥିସହ ଫଳ ଜୁସ୍‌କୁ ଦିନକୁ ୩-୪ଥର ପିଅନ୍ତି।

ଆଇନା ସାମ୍ନାରେ ଖାଇବା – ଏ ପ୍ରକାର ଡାଏଟ୍‌ ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ଏହି ଡାଏଟ୍‌ କରୁଥିବା ଲୋକମାନେ ଆଇନା ସାମ୍ନାରେ ବସି ଖା’ନ୍ତି। ସେମାନଙ୍କ କହିବା ଅନୁଯାୟୀ, ଆଇନା ସାମ୍ନାରେ ବସି ଖାଇଲେ ଖାଦ୍ୟ ଉପରେ ନିୟନ୍ତ୍ରଣ ଆସିଥାଏ।

ଡାର୍କ ବ୍ଲୁ ରଙ୍ଗ ପ୍ଲେଟ୍‌ରେ ଖାଇବା – କୁହାଯାଏ, ଡାର୍କ ବ୍ଲୁ ରଙ୍ଗର ପ୍ଲେଟ୍‌ରେ ଖାଦ୍ୟ ଖାଇଲେ ଶୀଘ୍ର ଭୋକ ଲାଗେନି। ଏହି ଡାଏଟ୍‌ ଫଲୋ କରୁଥିବା ଲୋକଙ୍କ କହିବା ଅନୁଯାୟୀ, ଲାଇଟ୍‌ କଲର୍‌ର ପ୍ଲେଟ୍‌ ବ୍ୟବହାର କଲେ ଅଧିକ ପରିମାଣରେ ଖାଦ୍ୟ ଖାଇ ହୋଇଯାଏ। କିନ୍ତୁ ଡାର୍କ କଲର୍‌ ପ୍ଲେଟ୍‌ରେ ଖାଦ୍ୟ କମ୍‌ ନେଇଥିଲେ ମଧ୍ୟ ଅଧିକ ଦେଖାଯାଏ। ତେଣୁ ଡାଏଟ କଣ୍ଟ୍ରୋଲ୍‌ରେ ରହେ। 

ଗାଁରେ ରହିବ, ଘରୁ କଟାଯିବ – ସେସୁ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ସରି ଆସୁଛି ଡେଡ୍‌ଲାଇନ୍‌। କଣ୍ଟ ପୂରିବାକୁ ମଝିରେ ମାତ୍ର ୧୨ ଘଣ୍ଟା। ଖିଲାପି ଉପଭୋକ୍ତାଙ୍କର ବିଚ୍ଛିନ୍ନ ହେବ ବିଜୁଳି ସଂଯୋଗ। ଘରୋଇ ଉପଭୋକ୍ତା ହୁଅନ୍ତୁ କି ଶିଳ୍ପ ସଂସ୍ଥା, କାହାକୁ ନଛାଡ଼ିବାକୁ ନିଷ୍ପତ୍ତି ନେଇଛି ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ସେସୁ। ସେସୁର ସୂଚନା ଅନୁସାରେ ଏବେ ଖିଲାପି ଉପଭୋକ୍ତାଙ୍କ ଉପରେ ୧,୪୯୪ କୋଟି ଟଙ୍କାର ବିଦ୍ୟୁତ ବିଲ୍‌ ବାକିଆ ପଡିଛି। ସେଥିମଧ୍ୟରୁ ୮ଲକ୍ଷ ୩୬ ହଜାର ୨୬୯ଜଣ ଘରୋଇ ଉପଭୋକ୍ତା। ଏମାନଙ୍କ ଉପରେ ୧୨୫୧ କୋଟି ୩୬ ଲକ୍ଷ ଓ ୫୯ ହଜାର ଟଙ୍କାର ବିଲ ବକେୟା ପଡିଥିବା ବେଳେ ୧୯୦ଟି ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ବାକି ରହିଛି ୨୪୩ କୋଟି। ତା’ସହ ୩୩୦ କୋଟି ଟଙ୍କାର ବିବାଦୀୟ ବିଲ୍ ମଧ୍ୟ ଆଦାୟ ନହୋଇ ପଡିଛି। ତେଣୁ ଏସବୁ ଶୁଳ୍କ ଆଦାୟ ପାଇଁ ପୂର୍ବ ଘୋଷଣା ମୁତାବକ ଆସନ୍ତା ୧୬ ତାରିଖରୁ ଫେବ୍ରୁଆରୀ ୫ ଯାଏଁ ଅଭିଯାନ ଚଳାଇବ ସେସୁ। ଏଥିଲାଗି ସିଧାସଳଖ ୫ ଲକ୍ଷ ୩୧ ହଜାର ୯୩୧ ଉପଭୋକ୍ତାଙ୍କୁ ନୋଟିସ ଜାରି ହୋଇଥିବା ବେଳେ ୨ଲକ୍ଷ ୯୮ ହଜାର ୧୮୯ଜଣଙ୍କୁ ଏସଏମ୍ଏସ୍‌ରେ ନୋଟିସ୍ ହୋଇଛି। ତେବେ ବିଦ୍ୟୁତ ବିଚ୍ଛିନ୍ନ କଥା ଶୁଣି ଛାନିଆରେ ୧ଲକ୍ଷ ୧୦ ହଜାର ଉପଭୋକ୍ତା। ୨୧ କୋଟି ଟଙ୍କାର ବକେୟା ବିଲ୍‌ ପୈଠ କରି ସାରିଲେଣି ୯ ଜିଲ୍ଲାରେ। ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଅଭିଯାନରେ ୪୧୩ ସ୍କ୍ୱାଡ ୧୧ ହଜାର ୩୯୭ ଗାଁ ବୁଲିବେ ବୋଲି ସେସୁ କମର୍ସ ବିଭାଗ ଏସଜିଏମ୍ ମନୋଜ ସିଂ ସୂଚନା ଦେଇଛନ୍ତି।