ସାବରୀମାଲା: ଓକିଲଙ୍କ ବୈଠକ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ଦେଶର ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ମହିଳାଙ୍କ ପ୍ରବେଶ ନେଇ ରହିଥିବା ବାରଣ ବାବଦରେ ସୁପ୍ରିମ୍‌କୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି। କେରଳର ସାବରୀମାଲା ସମେତ କିଛି ଏଭଳି ମାମଲା ବାବଦରେ ଉଠିଥିବା ୭ଟି ବଡ଼ ପ୍ରଶ୍ନର ଶୁଣାଣି କରିବା ପାଇଁ ଏକ ୯ ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୯ ଜଣିଆ ଖଣ୍ଡପୀଠ ଆଜି ସ୍ପଷ୍ଟ କରିଥିଲେ, ଏହା ସାବରୀମାଲା ମାମଲାରେ ଆବେଦନ କରାଯାଇଥିବା ରିଭ୍ୟୁ ପିଟିସନ୍‌ର ଶୁଣାଣି କରିବ ନାହିଁ। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଆର ଭାନୁମତୀ, ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ, ଜଷ୍ଟିସ୍‌ ଏମ୍‌ଏମ୍‌ ଶାନ୍ତନାଗୌଦାର, ଜଷ୍ଟିସ୍‌ ଏସ୍‌ଏ ନାଜୀର, ଜଷ୍ଟିସ୍‌ ଆର ସୁଭାଷ ରେଡ୍ଡି, ଜଷ୍ଟିସ୍‌ ବିଆର୍‌ ଗଭାଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଅଛନ୍ତି। ଏହି ଖଣ୍ଡପୀଠ ମୁସଲିମ୍‌ ମହିଳାଙ୍କ ମସଜିଦ୍‌ ପ୍ରବେଶ, ଦାଉଦୀ ବୋହରା ସମ୍ପ୍ରଦାୟରେ ନାରୀଙ୍କ ଗୁପ୍ତାଙ୍ଗ ଛେଦନ ଏବଂ ଅଣ ପାର୍ସୀଙ୍କ ବିବାହ କରିଥିବା ପାର୍ସୀଙ୍କ ମହିଳା ମନ୍ଦିର ପ୍ରବେଶ ଆଦି ଉପରେ ଶୁଣାଣି କରିବ।

ଓକିଲମାନେ ଆସନ୍ତା ଜାନୁଆରୀ ୧୭ ତାରିଖରେ ବୈଠକ କରି ପ୍ରସଙ୍ଗ ଚୂଡ଼ାନ୍ତ କରିବାର ଅଛି। କିଛି ପ୍ରସଙ୍ଗକୁ ପୁଣି ଫ୍ରେମ୍‌ କରିବାର ଅଛି କି ନା, କିଛି ପରିବର୍ତ୍ତନ ବା ଯୋଡ଼ିବାର ଅଛି କି ନା ଏବଂ କାଉନ୍‌ସେଲ୍‌ଙ୍କୁ ଯୁକ୍ତି ରଖିବା ପାଇଁ କେତେ ସମୟ ଦିଆଯିବ ସେମାନେ ଏହି ବୈଠକରେ ନିଷ୍ପତ୍ତି ନେବେ। ଏପରିକି ଓକିଲମାନେ ଯେଉଁ ସବୁ ପ୍ରସଙ୍ଗରେ ଯୁକ୍ତି ରଖିବେ ତାହା ମଧ୍ୟ ଆଲୋଚନା ହେବ।

ଓକିଲ ମାନେ ନେବାକୁ ଥିବା ନିଷ୍ପତ୍ତି ସେମାନେ ୩ ସପ୍ତାହ ମଧ୍ୟରେ ଜଣାଇବେ। ଅର୍ଥାତ ୩ ସପ୍ତାହ ପରେ ଏହାର ଶୁଣାଣି ହେବ। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତବର୍ଷ ନଭେମ୍ବର ୧୪ରେ ଏକ ସାମ୍ବିଧାନିକ ଖଣ୍ଡପୀଠ କିଛି ଧାର୍ମିକ ପ୍ରସଙ୍ଗ ଉପରେ ଶୁଣାଣି ପାଇଁ ବୃହତ୍ତର ଖଣ୍ଡପୀଠକୁ ସୁପାରିଶ କରିଥିଲେ। ଏଥିରେ ସାବରୀମାଲା ମୁସଲିମ୍‌ ମହିଳାଙ୍କ ମସଜିଦ୍‌ ପ୍ରବେଶ, ଦାଉଦୀ ବୋହରା

ସମ୍ପ୍ରଦାୟରେ ନାରୀଙ୍କ ଗୁପ୍ତାଙ୍ଗ ଛେଦନ ଏବଂ ଅଣ ପାର୍ସୀଙ୍କ ବିବାହ କରିଥିବା ପାର୍ସୀଙ୍କ ମହିଳା ମନ୍ଦିର ପ୍ରବେଶ ଆଦି ପ୍ରସଙ୍ଗ ରହିଥିଲା।

ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଠକି ନେଇଥିବା ଅଭିଯୋଗ ।

ଏଥର ସମ୍ଭାଳ (ସାଲେପୁର): କଲେଜ୍‌ରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । କଟକ ସାଲେପୁର ଜପକୁଦ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଜୟକୃଷ୍ଣ ମିଶ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ୧୫ ଅଭିଯୋଗକାରୀ ।

କଲେଜର ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ସେମାନଙ୍କଠାରୁ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ନକଲି ନିଯୁକ୍ତି ପତ୍ର ଦେଇ ସେମାନଙ୍କୁ ଚାକିରି ଦିଆଯାଇଥିଲା । ସେମାନେ କିଛି ଦିନ କାର୍ଯ୍ୟ ମଧ୍ୟ କରିଥିବା କହିଛନ୍ତି  ଅଭିଯୋଗକାରୀ । ତେବେ ନିଯୁକ୍ତିପତ୍ର ଅବୈଧ ବୋଲି ଜାଣିବା ପରେ ସେମାନେ ଟଙ୍କା ଫେରି ପାଇବାକୁ ଦାବି କରିଛନ୍ତି। ନିଯୁକ୍ତି ପତ୍ର ଦିଆଯାଇଥିବା ମାମଲାର ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ଅଭିଯୋଗକାରୀ ।

ଅପରପକ୍ଷେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କଲେଜ ପରିଚାଳନା କମିଟି ଅଧ୍ୟକ୍ଷ । ରାଜନୈତିକ ଆକ୍ରୋଶ ରଖି କିଛି ବ୍ୟକ୍ତି ତାଙ୍କ ସହ କଲେଜର ନାଁ ବଦନାମ କରିବାକୁ ଏହି ଚକ୍ରାନ୍ତ କରିଥିବା ସେ କହିଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମକର ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଘୋଷଣା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଆସନ୍ତା ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୧୫ତାରିଖ ମକର ସଂକ୍ରାନ୍ତି ଯୋଗୁ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ପାଇଁ ଅନୁମତି ଦେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

୧୪ ଜାନୁଆରୀ ୨୦୨୦ ରାଶିଫଳ ।

ମେଷ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରେରଣା ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମିଥୁନ: ବନ୍ଧୁଙ୍କ ସହ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

କର୍କଟ: ଭାଗ୍ୟ ବୃଦ୍ଧି ହେବ। ଧନପ୍ରାପ୍ତି ଯୋଗ ରହିଛି। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ସିଂହ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂତନ ବସ୍ତ୍ର କିଣି ପାରନ୍ତି। ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି।

ତୁଳା: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା:  ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ।  ଋଣ ଦିଅନ୍ତୁ ନାହିଁ। ପରିଶ୍ରମ ଅନୁସାରେ ସଫଳତା ପାଇବେ।

ଧନୁ:  ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମକର: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

କୁମ୍ଭ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ନୂତନ ଯାନବାହନ କିଣିପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

ମୀନ: ଦିନଟି ଖୁସିରେ କଟିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ।