ଖଲ୍ଲିକୋଟ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ସଡକ ସୁରକ୍ଷା ସପ୍ତାହ ଦେଶର ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ପାଳନ ହୋଇଆସୁଥିବା ବେଳେ ଖଲ୍ଲିକୋଟ ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି। ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ପ୍ରଧାନ ସ୍ଥାନୀୟ ନିର୍ମଳ ଝର ଛକ ନିକଟରେ କିପରି ଭାବରେ ଟ୍ରାଫିକ୍ ନିୟନ୍ତ୍ରଣ ହୋଇପାରିବ ଓ ଦୁଇ ଚକିଆ ଯାନ ଆରୋହି ହେଲମେଟ ପିନ୍ଧି ଗାଡି ଚଳାଇବା ଏବଂ ଟ୍ରାଫିକ୍ ନିୟମ ମାନିବା ପାଇଁ ସମସ୍ତ ଗାଡି ଚାଳକ ଙ୍କୁ ପ୍ରବତାଇ ଥିଲେ। ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ସହଯୋଗ କରିଥିଲେ। ପୋଲିସ ର ଏହିଭଳି କାର୍ଯ୍ୟକ୍ରମ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି।

ଏକାଠି ଆସିବେ ଅକ୍ଷୟ, ସାରା ଓ ଧନୁଷ୍ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ଗତ ବର୍ଷଟି ଅକ୍ଷୟଙ୍କ ପାଇଁ ବେଶ୍ ଭଲ ଥିଲା। ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେଇ ସେ ଚର୍ଚ୍ଚାରେ ରହିଥିଲେ। ଏପରିକି ଫୋର୍ବସ ମାଗାଜିନ୍‌ ମଧ୍ୟ ତାଙ୍କୁ ସବୁଠୁ ଅଧିକ ଆୟ କରିଥିବା ଅଭିନେତାଙ୍କ ତାଲିକାରେ ସାମିଲ କରିଥିଲା। ସେହିପରି ୨୦୨୦ ମଧ୍ୟ ତାଙ୍କର ଭଲ ରହିବ ବୋଲି ଜଣାପଡ଼ୁଛି। ଏ ବର୍ଷ ତାଙ୍କ ହାତରେ ଏକାଧିକ ଫିଲ୍ମ ରହିଥିବା ବେଳେ ବର୍ଷ ଆରମ୍ଭରୁ ତାଙ୍କର ଏକ ନୂଆ ଫିଲ୍ମ ବି ଘୋଷଣା ହୋଇଯାଇଛି। ଏଥିରେ ତାଙ୍କ ସହିତ ସାରା ଅଲୀ ଖାନ୍‌ ଓ ସାଉଥ୍‌ ସୁପରଷ୍ଟାର ଧନୁଷ ଅଭିନୟ କରିବେ। ପ୍ରଯୋଜକ ଆନନ୍ଦ ଏଲ୍‌ ରାୟ ଏହି ଫିଲ୍ମ ତିଆରି କରୁଛନ୍ତି। ଫିଲ୍ମ ପାଇଁ ତିନି ଜଣ ଯାକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରି ସାରିଲେଣି। ଖୁବ୍‌ ଶୀଘ୍ର ନିର୍ମାତା ଏ ନେଇ ଘୋଷଣା କରିବେ ବୋଲି ଜଣାପଡ଼ିଛି। ଫିଲ୍ମଟି ଏକ ଲଭ୍‌ଷ୍ଟୋରୀ ଉପରେ ଆଧାରିତ ହେବ, ଯେଉଁଥିରେ ଅକ୍ଷୟଙ୍କ ବିପକ୍ଷରେ ଅଭିନୟ କରିବେ ସାରା। ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ଅକ୍ଷୟ ଓ ସାରାଙ୍କୁ ଏକ ନୂଆ ଯୋଡ଼ି ଭାବେ ଦେଖିବାକୁ ପାଇବେ। ଫିଲ୍ମର ଶୁଟିଂ ମଧ୍ୟ କିଛି ମାସ ଭିତରେ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ଆନନ୍ଦ ଏଲ୍‌ ରାୟଙ୍କ ସହ ଏହା ଧନୁଷଙ୍କର ଦ୍ୱିତୀୟ ଫିଲ୍ମ। ପୂର୍ବରୁ ସେ ତାଙ୍କ ଫିଲ୍ମ ‘ରାଞ୍ଝଣା’ରେ କାମ କରିଥିଲେ। ସୂଚନାଯୋଗ୍ୟ, ଆଗକୁ ଅକ୍ଷୟଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଆସୁଛି। ଏଥିରେ ତାଙ୍କ ସହିତ କ୍ୟାଟ୍ରିନା କୈଫ୍‌ ରହିବେ। ତା’ସହିତ ଏ ବର୍ଷ ସେ ‘ଲକ୍ଷ୍ମୀ ବମ୍‌’, ‘ହେରାଫେରି ୩’ ଓ ‘ପୃଥ୍ୱୀରାଜ ଚୌହାନ୍’ ଆଦି ଫିଲ୍ମରେ ନଜର ଆସିବେ। ସେହିଭଳି ସାରା ମଧ୍ୟ ଆଗକୁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ‘ଆଜ୍‌ କଲ୍‌’ ଓ ବରୁଣ ଧୱନଙ୍କ ସହ ଫିଲ୍ମ ‘କୁଲି’ରେ ନଜର ଆସିବେ।

ଓଡ଼ିଆ ଫିଲ୍ମ ଦେଖିଲେ ବିଦେଶିନୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ରବିବାର ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’। ଅରିନ୍ଦମ ଓ ଶିବାନୀଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିଥିବା ବେଳେ ଗତକାଲି କଟକର ସମ୍ରାଟ୍ ହଲ୍‌ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁଇ ଜଣ ବିଦେଶିନୀ ବସି ଏହି ଫିଲ୍ମକୁ ଉପଭୋଗ କରୁଥିଲେ। ସେମାନେ ଓଡ଼ିଆ ବୁଝନ୍ତି ନାହିଁ। ଫିଲ୍ମଟିକୁ ବୁଝିବାରେ ଭାଷା ବାଧକ ସାଜିଥିଲେ ବି ଏଥିରେ ଥିବା ଗୀତ ଗୁଡ଼ିକର ମ୍ୟୁଜିକ୍‌କୁ ସେମାନେ ଅନୁଭବ କରିପାରିଥିଲେ ଓ ଏହାର ମଜା ଉଠାଇଥିଲେ। ଋଷର ଏହି ଦୁଇ ମହିଳାଙ୍କ କହିବା ଅନୁଯାୟୀ, ଫିଲ୍ମରେ ଖୁବ୍ ସୁନ୍ଦର ସୁନ୍ଦର ଲୋକେସନ୍ ରହିଛି। ସେହିଭଳି ମ୍ୟୁଜିକ୍ ଭଲ ହୋଇଛି। ସେଗୁଡ଼ିକୁ ଶୁଣିଲେ ଖୁବ୍ ଭଲ ଲାଗୁଛି। ସୂଚନାଯୋଗ୍ୟ, ‘ବାବୁ ଭାଇଜାନ୍‌’ ଫିଲ୍ମଟି ବାଲେଶ୍ୱରର ଉଦ୍ୟୋଗପତି ଅବଦୁଲ ଅମିନ୍‌ ଖାନ୍‌ଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ। ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡ଼ା ନଥିଲା। ପ୍ୟାଣ୍ଟ୍‌ ବଦଳରେ ଗାମୁଛା ପିନ୍ଧି ସେ ସ୍କୁଲ୍‌ ଯାଉଥିଲେ। ସ୍କୁଲ୍‌ରେ ଦିଆଯାଉଥିବା ମକା ଖିରି ଖାଇବା ପାଇଁ ଲାଇନ୍‌ରେ ଛିଡ଼ା ହେଉଥିଲେ।  ଯେଉଁ ବୟସରେ କେବଳ ଖଡ଼ି, ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡ଼ା ଧରିଲେ।  ଆଉ ଏବେ ତାଙ୍କର ସେହି ସଂଘର୍ଷ ତାଙ୍କୁ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି କରିବାରେ ସାହାଯ୍ୟ କରିଛି।

ଫିଲ୍ମରେ ଶିବାନୀ ଏବଂ ଅରିନ୍ଦମ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ମିହିର ଦାସ, ସମରେଶ, ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ବିଦୁସ୍ମିତା ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭଳି କଳାକାର ଅଛନ୍ତି।

ସଚିନଙ୍କ ଏହି ରେକର୍ଡରୁ ଆଉ ପାଦେ ଦୂରରେ ବିରାଟ୍‌ ।

ଏଥର ସମ୍ଭାଳ (ମୁମ୍ବାଇ): ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି। ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜରେ କୋହଲିଙ୍କ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ସମକକ୍ଷ ହୋଇପାରନ୍ତି। ୫୦ ଓଭର ଫର୍ମାଟରେ ସଚିନ ଘରୋଇ ମାଟିରେ ୨୦ ଶତକ ମାରି ଆଗରେ ରହିଛନ୍ତି। ଏହି ମାମଲାରେ କୋହଲି ୧୯ ଶତକ ସହ ଦ୍ୱିତୀୟରେ ରହିଛନ୍ତି। ଆସନ୍ତାକାଲି କୋହଲି ଯଦି ଶତକ ମାରନ୍ତି, ତାହେଲେ ସେ ସଚିନଙ୍କ ଏହି ରେକର୍ଡ ସମକକ୍ଷ ହୋଇଯିବେ। ନିକଟରେ ଶ୍ରୀଲଙ୍କା ବିପକ୍ଷ ଶେଷ ହୋଇଥିବା ଟି-୨୦ ସିରିଜରେ କୋହଲି ଏକାଧିକ ରେକର୍ଡ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ୍ ଭାବେ କୋହଲି ଦ୍ରୁତ ୧୧ହଜାର ରନ୍ ପୂରଣ କରିଥିଲେ। ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସେ ଶତକର ରେକର୍ଡ କରି ପୁଣିଥରେ ଇତିହାସ ପୃଷ୍ଠାରେ ନିଜ ନାଁକୁ ସାମିଲ୍ କରିବାକୁ ଚାହିଁବେ।

ଧୱନ୍ ଓ ରାହୁଲଙ୍କୁ ନେଇ ବଡ଼ ବୟାନ ଦେଲେ ବିରାଟ କୋହଲି ।

ଏଥର ସମ୍ଭାଳ (ମୁମ୍ବାଇ): ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜ୍ ପୂର୍ବରୁ ଭାରତ ପାଇଁ ଓପନିଂ ସ୍ଲଟ୍ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି। ଉଭୟ ଲୋକେଶ ରାହୁଲ ଓ ଶିଖର ଧୱନ୍ ଓପନିଂ ଦୌଡ଼ରେ ଅଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଜଣେ ହିଁ ରୋହିତ ଶର୍ମାଙ୍କ ସହ ଇନିଂସ୍ ଶୁଭାରମ୍ଭ କରିବେ। ତେବେ କିଏ ରୋହିତଙ୍କ ସହ ଓପନ୍ କରିବ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ଏହା ମଧ୍ୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ତାହା ସମସ୍ତଙ୍କୁ ଖୁସି କରିଦେଇଛି। କୋହଲି କହିଛନ୍ତି, “ଫର୍ମରେ ଥିବା ଖେଳାଳି ସର୍ବଦା ଟିମ୍ ପାଇଁ ଶୁଭଙ୍କର। ଆମେ ସର୍ବଦା ଚାହୁଁ ଯେ ଟିମରେ ସର୍ବଶ୍ରେଷ୍ଠ ଖେଳାଳି ଉପଲବ୍ଧ ରୁହନ୍ତୁ ଏବଂ ଏହା ପରେ ଟିମ୍ ପାଇଁ କେଉଁ ସଂଯୋଜନ ଠିକ୍‌, ତାହା ଚୟନ କରାଯିବ। ମୋ ମତରେ ତିନି (ଉଭୟ ରୋହିତ୍‌, ଧୱନ୍ ଓ ରାହୁଲ) ଜଣ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ଏହା ହେଲେ ମୁଁ ବହୁତ ଖୁସି ହେବି। ଯଦି ଏହି ତିନି ଖେଳନ୍ତି, ତାହେଲେ ମୁଁ ମୋ ବ୍ୟାଟିଂକ୍ରମରେ ପରିବର୍ତ୍ତନ କରିବି। ମୁଁ ନିଜ ପାଇଁ କୌଣସି କ୍ରମ ନିର୍ଦ୍ଧାରିତ କରିନାହିଁ। ମୁଁ କୌଣସି କ୍ରମରେ ବ୍ୟାଟିଂ କରିବା ନେଇ ଅସୁରକ୍ଷିତ ମନେ କରୁନି। ମୋ ପାଇଁ ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ଟିମର ଭଲ ପ୍ରଦର୍ଶନ ମହତ୍ତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ମୁଁ କିଛି ବି କରିବାକୁ ପ୍ରସ୍ତୁତ।”

କମଳାର କରାମତି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ଫାଇବର ରହିଛି। ଶୀତଦିନେ ପ୍ରଚୁର କମଳା ମିଳେ। ଆଉ ଏହି ଦିନେ ସମସ୍ତେ କମଳା ଖାଇବା ଉଚିତ୍। କାରଣ ଏହା ଶୀତ ଦିନେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଦୂର କରିଥାଏ। ତା’ହେଲେ ଆସନ୍ତୁ ଜାଣିବା  ଶୀତ ଦିନେ କମଳା ଖାଇଲେ କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳେ। ତା’ସହିତ ଏହାର ଅନ୍ୟସବୁ ଉପକାରିତା ସମ୍ପର୍କରେ ମଧ୍ୟ ଜାଣନ୍ତୁ।

୧. ଇମ୍ୟୁନୋ ସିଷ୍ଟମ୍‌କୁ ମଜଭୁତ କରିଥାଏ। ଫଳରେ ଥଣ୍ଡା, ଜ୍ୱର ଓ ଭାଇରାଲ୍‌ ଇନ୍‌ଫେକସନ୍‌ ହେବାର ଆଶଙ୍କା କମିଥାଏ।

୨. କମଳାରେ କ୍ୟାଲସିୟମ୍‌ ରହିଛି, ଯାହା ହାଡ଼କୁ ମଜବୁତ୍‌ କରିଥାଏ।

୩. ଶୀତଦିନେ ରକ୍ତଚାପ ଅନିୟନ୍ତ୍ରିତ ହେବାର ଆଶଙ୍କା ଅଧିକ ଥାଏ। କିନ୍ତୁ କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ୍‌ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

୪. କମଳା ଶରୀରରେ କୋଲେଷ୍ଟେରୋଲ୍ କମ୍‌ କରିଥାଏ।

୫. ଏକ ଗବେଷଣା ଅନୁସାରେ ପ୍ରତିଦିନ କମଳା ଖାଇଲେ କିଡ୍‌ନୀରେ ଷ୍ଟୋନ୍‌ ହେବାର ଆଶଙ୍କା କମ୍ ହୋଇଥାଏ। ଏହା ସହିତ କିଡ୍‌ନୀରେ ଫ୍ୟାଟ୍‌ ମଧ୍ୟ ଜମା ହୋଇ ନଥାଏ।

୬. ଶୀତଦିନେ ପେଟ ଖରାପ ହେବାର ଆଶଙ୍କା ଅଧିକ ରହିଥାଏ। ଏହାକୁ ଭଲ କରିବା ପାଇଁ କମଳା ଲାଭଦାୟକ ହୋଇଥାଏ। ଏଥିରେ ଥିବା ଫାଇବର୍‌ ଖାଦ୍ୟକୁ ହଜମ କରି ପେଟ ସଫା ରଖିଥାଏ।

୭. କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଫ୍ଲାବୋନୋଏଡ୍‌ ସ୍ମୃତିଶକ୍ତିକୁ ପ୍ରଖର କରିବା ସହିତ ନିଦ୍ରାଜନିତ ସମସ୍ୟା ଦୂର କରିଥାଏ।

୮. ଯଦି ଆପଣଙ୍କର ତ୍ୱଚାଜନିତ କୌଣସି ସମସ୍ୟା ରହିଛି, ତେବେ କମଳା ନିଶ୍ଚିନ୍ତ ଖା’ନ୍ତୁ। କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ଉଜ୍ଜ୍ୱଳ କରି ବ୍ରଣ ସମସ୍ୟା ଦୂର କରିଥାଏ।

ମୋଦିଙ୍କ ଉପରେ ବଢ଼ିଲା ପିଓକେ ଦଖଲ ଚାପ, ଶିବସେନା ଦେଲା ଚ୍ୟାଲେଞ୍ଜ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଦଖଲ ପାଇଁ ସେନାର ଯବାନମାନେ ପ୍ରସ୍ତୁତ ରହିଛି। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ନରଭାଣେ ଦେବା ପରେ ଶିବସେନା ଆଜି ମୋଦି ସରକାରଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ ଉପସ୍ଥାପନ କରିଛି।ଶିବସେନାର ମୁଖପାତ୍ର ସାମ୍ମନାରେ ଆଜି କୁହାଯାଇଛି ଯେ ‘‍‘ କେନ୍ଦ୍ର ସରକାର ତୁକଡେ ତୁକଡେ ଗ୍ୟାଙ୍ଗ ଉପରେ ଏବେ ମନ୍ତବ୍ୟ ଦେବା ବନ୍ଦ କରନ୍ତୁ। ଏହା ବଦଳରେ କେନ୍ଦ୍ର ସରକାର ଭାରତୀୟ ସ୍ଥଳସେନାକୁ ଭାରତର ଗୋଟିଏ ମ୍ୟାପ ଦିଅନ୍ତୁ ଓ ଆର୍ମି ମୁଖ୍ୟଙ୍କୁ ପିଓକେ ଦଖଲ କରିବାକୁ ଅନୁମତି ଦିଅନ୍ତୁ। ଯଦି ସରକାର ପ୍ରକୃତ ତୁକଡେ ତୁକଡେ ଗ୍ୟାଙ୍ଗର ମୂଳପୋଛ କରିବାକୁ ଚାହୁଁଛନ୍ତି, ତା’ହେଲେ ଏଭଳି ବ୍ୟବସ୍ଥା କରନ୍ତୁ। ସ୍ଥଳସେନା ମୁଖ୍ୟ କୌଣସି ଭୁଲ କଥା କହିନାହାନ୍ତି। ଅଧିକାଂଶ ଟେରର କ୍ୟାମ୍ପ ପିଓକେରେ ଚାଲିଛି। ଏହି କ୍ୟାମ୍ପ ଗୁଡ଼ିକ ପାକିସ୍ତାନ ଆର୍ମି ଓ ଆଇଏସଆଇ ଦ୍ୱାରା ପରିଚାଳିତ। ସର୍ଜିକାଲ ଷ୍ଟ୍ରାଇକ ସେହି ଅଞ୍ଚଳରେ ହୋଇଥିଲା। ହେଲେ ପାକିସ୍ତାନର ଆଚରଣରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆମେ ଜେନେରାଲ ନରଭାଣେଙ୍କ ନୂଆ ପଲିସିକୁ ସ୍ୱାଗତ କରୁଛୁ। ନରଭାଣେ କହିଛନ୍ତି ଯେ ୧୯୯୪ ଫେବୃଆରୀରେ ଦେଶର ସଂସଦ ଏକ ସଂକଳ୍ପ ପାରିତ କରିଥିଲା। ଏଥିରେ ଜମ୍ମୁ-କଶ୍ମୀର ସମେତ ପିଓକେକୁ ଭାରତର ଆଭ୍ୟନ୍ତରୀଣ ଅଙ୍ଗ ବୋଲି କୁହାଯାଇଥିଲା। ଏବେ ଦେଶ ଓ ସେନା ଯବାନମାନେ ଚାହୁଁଛନ୍ତି ଯେ ନରେନ୍ଦ୍ର ମୋଦି ପିଓକେ ଦଖଲ ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଏପରି କଲେ ତୁକଡେ ତୁକଡେ ଗ୍ୟାଙ୍ଗ ଉଚିତ ଜବାବ ପାଇବେ। ମୁଁ କହୁଛି କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ଅଙ୍ଗ।”

ଏବିଭିପି କହିଲା ଜେଏନ୍‌ୟୁକୁ ବଦନାମ କରୁଛନ୍ତି ଅର୍ବାନ ନକ୍ସଲ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅଭିଯୋଗ ଆଣିଛି ଜେଏନ୍‌ୟୁକୁ ବଦନାମ କରୁଥିବା ବାମପନ୍ଥୀମାନେ ହିଂସାକାଣ୍ଡ ଭିଆଇଛନ୍ତି। ଏବିଭିପି ସାଧାରଣ ସମ୍ପାଦକ ନିଧି ତ୍ରିପାଠୀଙ୍କ ସହ ଅନ୍ୟ କିଛି ଏବିଭିପି କର୍ମୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜେଏନ୍‌ୟୁର ଶୈକ୍ଷିକ ବାତାବରଣ ଫେରିଆସିବା ଦରକାର ଏବଂ ଏହାର ସଂସ୍କୃତି ଫେରିଆସିବା ଦରକାର। ନିଧି କହିଛନ୍ତି, “ଜେଏନ୍‌ୟୁ ଶିକ୍ଷାଗତ କାରଣ ପାଇଁ ପରିଚିତ ହେବା ବଦଳରେ ନକ୍ସଲ କାର୍ଯ୍ୟକଳାପ ପାଇଁ ପରିଚୟ ପାଉଛି। ଏଭଳି କିଛି ଲୋକଙ୍କ ପାଇଁ ଆମ ପରି ଛାତ୍ରଛାତ୍ରୀଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଉଛି।” ଜେଏନ୍‌ୟୁ ଛାତ୍ର ସଂଘ ବା ଜେଏନ୍‌ୟୁଏସ୍‌ୟୁର ଅଭିଯୋଗକୁ ମଧ୍ୟ ଏବିଭିପି ଖଣ୍ଡନ କରିଛି। ଜେଏନ୍‌ୟୁଏସ୍‌ୟୁ ପୂର୍ବରୁ ଅଭିଯୋଗ ଆଣିଥିଲା ଏବିଭିପି କର୍ମୀ ହିଂସାରେ ସଂଶ୍ଲିଷ୍ଟ ଅଛନ୍ତି। ହ୍ୱାଟ୍ସଆପ୍‌ ମେସେଜ୍‌ ଓ ରେକର୍ଡିଂସ୍‌ରୁ ଏବିଭିପି କର୍ମୀ କୋମଲ ଶର୍ମାଙ୍କୁ ଲିଙ୍କ କରିବାକୁ ମଧ୍ୟ ଏବିଭିପି ଖଣ୍ଡନ କରିଛି। ପୁଲିସ୍‌ ଏହାର ତଦନ୍ତ କରି ସୋଶାଲ ମିଡିଆରେ ଭାଇରାଲ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଏବିଭିପି କହିଛି।ନିଧି ତ୍ରିପାଠୀ ଅତୀତରୁ ଉଦାହରଣ ନେଇ କହିଥିଲେ, “ବାମପନ୍ଥୀ ଜେଏନ୍‌ୟୁକୁ ବଦନାମ କରିବା ପାଇଁ ‘ନକ୍ସଲବାଦ’ ଚାଲୁ ରହିଛି। ଜଣେ ମହିଳା ପ୍ରଫେସରଙ୍କୁ ଅଟକାଇ ରଖିଥିଲେ, ଯାହାକୁ ପୁଲିସ୍‌ ହିଁ ଉଦ୍ଧାର କରିଥିଲା। ଜଣେ ୱାର୍ଡେନ୍‌ଙ୍କ ଘର ଉପରେ କାଚ ବୋତଲ ମାଡ଼ କରି ତାଙ୍କ ପତ୍ନୀଙ୍କୁ ଧମକାଇ ଥିଲେ। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା। ସେମାନେ ସର୍ଭର ରୁମ୍‌ ମଧ୍ୟ ବନ୍ଦ କରିଦେଇଥିଲେ। ଏସବୁର ଭିଡିଓ ରହିଛି ପ୍ରମାଣ କରିବା ପାଇଁ।”

କଂଗ୍ରେସକୁ ଝଟକା, ଆପରେ ମିଶିଲେ ଦଳର ଦୁଇ ନେତା ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଆଜି କଂଗ୍ରେସର ଦୁଇ ବରିଷ୍ଠ ନେତା ରାମ ସିଂହ ନେତାଜୀ ଓ ବିନୟ ମିଶ୍ର ହାତ ଛାଡ଼ି ଅରବିନ୍ଦ କେଜ୍ରିୱାଲଙ୍କ ଆପରେ ମିଶିଛନ୍ତି। ବିନୟ ମିଶ୍ର ହେଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ମହାବାଲ ମିଶ୍ରଙ୍କ ପୁଅ।ସେହିପରି ରାମ ସିଂହ ନେତାଜୀ ହେଉଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ। ଆଜି ସେମାନେ ମୁଖ୍ୟମନ୍ତ୍ରୀ ତଥା ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ ଉପସ୍ଥିତିରେ ଝାଡ଼ୁ ଦଳରେ ମିଶିଛନ୍ତି। ଏମାନଙ୍କ ବ୍ୟତୀତ ଜୟ ଭଗୱାନ ସୁପକାର ଓ ନବୀନ ଦିପୁ ଚୌଧୁରୀ ମଧ୍ୟ ଆଜି ଆପରେ ମିଶିଛନ୍ତି। ସମସ୍ତେ ଆପ ସରକାର ୫ ବର୍ଷ ମଧ୍ୟରେ ଦିଲ୍ଲୀ ପାଇଁ କରିଥିବା କାର୍ଯ୍ୟରେ ପ୍ରଭାବିତ ହୋଇ ଝାଡ଼ୁ ଦଳରେ ସାମିଲ ହୋଇଥିବା କହିଛନ୍ତି।

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପ୍ରସ୍ତାବ, ଆରଏସଏସ ଓ ବିଜେପିକୁ ବାଧିଲା

ଏଥର ସମ୍ଭାଳ ବୁରୋ (ନୂଆଦିଲ୍ଲୀ) : କର୍ଣ୍ଣାଟକାର ରାମନଗର ଜିଲ୍ଲାରେ ଏକ ଗାଁରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ମାନଙ୍କ ପକ୍ଷରୁ ୧୪୪ ଫୁଟ ଉଚ୍ଚର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି କରିବାକୁ ଯୋଜନା କରାଯାଉଛି। ତେବେ ଏଭଳି ପ୍ରତିମୂର୍ତ୍ତିକୁ ବିଜେପି ଓ ଆରଏସଏସ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଆଜି ଏହି ଦୁଇ ସଂଗଠନର ନେତୃତ୍ୱରେ କନକାପୁରାରେ ବିଶାଳ ଶୋଭାଯାତ୍ରା କରାଯାଇଛି।

କନକାପୁରା ଚାଲୋ ନାଁରେ ହୋଇଥିବା ବିଶାଳ ରାଲିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସ୍ଥାନୀୟ ଅଞ୍ଚଳର କଂଗ୍ରେସ ବିଧାୟକ ଡିକେ ଶିବକୁମାର ବଡ଼ ଦିନରେ ୧୪୪ ଫୁଟର ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରତିମୂର୍ତ୍ତିଟି କାପାଲାବେଟ୍ଟା ହିଲର ହାରୋବେଲେ ଗାଁରେ ନିର୍ମାଣ ହେବ।

ହେଲେ ବିଜେପି ଓ ଆରଏସଏସ ଏହାକୁ ରାଜନୀତିକ ରୂପ ଦେଇଛନ୍ତି। ବରିଷ୍ଠ ଆରଏସଏସ ନେତା କେ ପ୍ରଭାକର ଭଟ କହିଛନ୍ତି, “ଏଠାକାର ଲୋକମାନେ ଖ୍ରୀଷ୍ଟ ଷ୍ଟାଚ୍ୟୁ ଚାହୁଁନାହାନ୍ତି। ସେମାନେ ପେଜାୱର ସ୍ୱାମୀ, ବାସଭେସ୍ୱରା, ବି ସ୍ୱାମୀ କିମ୍ବା ଯେଉଁମାନେ ଏହି ଅଞ୍ଚଳ ଓ ଦେଶପ୍ରତି ଅବଦାନ ରଖିଥିବା ଲୋକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ନାହିଁ ବୋଲି ପ୍ରଶ୍ନ କରୁଛନ୍ତି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭଟ ଓ ଅନ୍ୟ ୩ ଜଣଙ୍କ ନାଁରେ କର୍ଣ୍ଣାଟକା ପୁଲିସ୍‌ ନିକଟରେ ମାମଲା ରୁଜୁ କରିଥିଲା। ସେମାନେ ମେଙ୍ଗାଲୁରୁ ଠାରେ ଥିବା ଏକ ସ୍କୁଲ କାର୍ଯ୍ୟକ୍ରମରେ ବାବ୍ରୀ ମସଜିଦକୁ ଫଟୋ ଦ୍ୱାରା ଛୋଟ ଛୋଟ ଛାତ୍ରମାନଙ୍କୁ ଭାଙ୍ଗିବାକୁ କହିଥିଲେ। ଏବେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିକୁ ବିରୋଧ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ବିଶିଷ୍ଟ ଲେଖକ ଜାଭେଦ ଅଖତର କହିଛନ୍ତି, “ସେମାନେ କହୁଛନ୍ତି ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ପଡ଼ୋଶୀ ଦେଶର ଖ୍ରୀଷ୍ଟିୟାନ ମାନଙ୍କୁ ଭାରତର ନାଗରିକତା ଦେବେ। ହେଲେ ଅନ୍ୟପଟେ ସେମାନେ ବେଙ୍ଗାଲୁରୁରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ବିରୋଧ କରୁଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ବୁଝା ପଡ଼ିଯାଉଛି।”