ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ଷଡ଼ଯନ୍ତ୍ରକରି ହତ୍ୟା କାରାଯାଇଛି । ଏହି ପ୍ରତିବାଦରେ ୧୭ନମ୍ବର ରାଜପଥ ଅବରୋଧ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ପରିଷଦଅଧ୍ୟକ୍ଷ ଡ଼ ପୁରୁଷୋତ୍ତମ ଗମାଙ୍ଗଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ ବରଂତାଙ୍କୁ ଷଡଯନ୍ତ୍ର କରି ସୁଚିନ୍ତିତ ଯୋଜନାବଦ୍ଧ ଭାବେ ହତ୍ୟା କାରାଯାଇଥିବା ଭଳି ସଙ୍ଗିନଅଭିଯୋଗ କରିଛିକଂଗ୍ରେସ । ଗତ ଡିସେମ୍ବର ୨୪ତାରିଖ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଡ଼ ଗମାଙ୍ଗଙ୍କ ମୃତ୍ୟୁ ହୋଇଥିବା ଖବରସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ହେଲେ ଏହା ଦୁର୍ଘଟଣା ଜନିତ ନୁହେଁ ବରଂ ହତ୍ୟାକାଣ୍ଡବୋଲି କଂଗ୍ରେସପକ୍ଷରୁ ଗୁଣୁପୁରଠାରେ ଏକ ସାମ୍ବାଦିକସମ୍ମିଳନୀରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ । ଏବଂ ସପ୍ତାହମଧ୍ୟରେ ପୋଲିସ ଅଭିଯୁକ୍ତକୁ ଖୋଜୁ ନଚେତ ଏସଆଇଟି କିମ୍ବା ସିବିଆଇ ତଦନ୍ତ ଦାବୀ କରିଥିଲେ । ଡ଼ ଗମଙ୍ଗଙ୍କ ସାଳକ ଏନେଇ ଗୁଣୁପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଜାଣିଶୁଣି ପୋଲିସ ଏତଲା ଗ୍ରହଣ କରିବାରେ ବିଳମ୍ବ ଓ ତଦନ୍ତରେ ଶିଥିଳତା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ସବୁବେଳେ ଆଦିବାସୀ ବିରୋଧୀ ଓ ହତ୍ୟାକାରୀ ବୋଲି ବାହିନୀପତି ଆରୋପ କରିଛନ୍ତି । ସେହିଭଳି କୋରାପୁଟ ସାଂସଦମଧ୍ୟ ଏ ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ତେଣୁ ସିବିଆଇ ତଦନ୍ତ ଦାବିକରିବା ସହ ଦିଲ୍ଲୀସଂସଦରେ ଏପ୍ରସଙ୍ଗ ଉଠେଇବେ ବୋଲି କହିଛନ୍ତି । ସେପଟେ ପୁରୁଷୋତ୍ତମ ଗମଙ୍ଗଙ୍କ ମାମଧ୍ୟ ତାଙ୍କପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ରାୟଗଡା ଆରକ୍ଷୀ ଅଧିକ୍ଷକଙ୍କ ମନ୍ତବ୍ୟକୁ କଡା ଭାଷାରେ ନିନ୍ଦାକରିଛନ୍ତି ପୁରୁଷୋତ୍ତମଙ୍କ ମା ଓ କଂଗ୍ରେସ । ଆଜି ଗୁଣୁପୁର ବାଙ୍ଗି ଛକଠାରେ ଦଳ ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ ୩ପଟରୁ ଯାନବାହନ ଚଳାଚଳ ବନ୍ଦ ରହିଛି ।ଜିଲ୍ଲା କଂଗ୍ରେସ ସଭାପତି ଓ ଗୁଣୁପୁର,ରମାନଗୁଡା କଂଗ୍ରେସର ବହୁ କର୍ମୀ, ନେତା, ଏଥିରେ ସାମିଲହୋଇ ପ୍ରତିବାଦକରିଛନ୍ତି । ଏହି ଆନ୍ଦୋଳନ ଆଗକୁଆହୁରି ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା

!!! ଗଜପତି ଜିଲ୍ଲାରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କ଼ୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳା ଗଜପତିଙ୍କ ଦେହାନ୍ତ ପରେ ଗଜପତି ଜିଲ୍ଲା ମହୋତ୍ସବକୁ ଜିଲ୍ଲା ପ୍ରଶାସନ ସ୍ଥଗିତ ରଖିଥିବା ବେଳେ ସ୍ଥାନୀୟ କଳାକାର, ମହିଳା ଏସଏଚଜି, ପାରମ୍ପରିକ କୁଶଳୀ କାରିଗର ମାନଙ୍କୁ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ସମେତ କୃଷି ପ୍ରଦର୍ଶନୀ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଉଦ୍ ଘାଟିତ ହୋଇଯାଇଛି । ଦିବଂଗତ ଗଜପତିଙ୍କୁ ନିଁଆମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଅନ୍ୟ ଅତିଥିମାନେ ଏହି ବହୁମୁଖୀ ପଲ୍ଲୀଶ୍ରୀ ମେଳାକୁ ଉଦ୍ଘାଟନ କରିଛନ୍ତି |

ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅତିଥି ଭାବେ ଯୋଗଦେଇ ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମକୁ ମିଳିତ ଭାବେ ଉଦ୍ ଘାଟନ କରିଥିବା ବେଳେ ଉଦ୍ ଘାଟନ ପରେ ଜିଲ୍ଲାପାଳ ଶ୍ରୀ ସାହା ଏବଂ ଏସପି ସାରା ଶର୍ମା ଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ ଅଧିକାରୀ ମାନେ ଓରମାସ ପକ୍ଷରୁ ଖୋଲା ଯାଇଥିବା ବିଭିନ୍ନ ଷ୍ଟାଲ ସମେତ ବିଭାଗୀୟ ଉନ୍ନୟନ କାର୍ଯ୍ୟକ୍ରମ ପ୍ରଦର୍ଶନ ଷ୍ଟଲ , ଖାଦ୍ୟ ଓ ଅନ୍ୟାନ୍ୟ ଷ୍ଟଲ ସବୁ ପରିଦର୍ଶନ କରିଥିଲେ । ବିଭିନ୍ନ ଜିଲ୍ଲା ଅଞ୍ଚଳରୁ ମିଶନ ଶକ୍ତି ଅଧିନସ୍ତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଆସି ଓରମାସ ପକ୍ଷରୁ ଖୋଲା ଯାଇଥିବା ଷ୍ଟଲରେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା କରୁଛନ୍ତି । ସେମାନଙ୍କ ବ୍ୟବସାୟ ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ପଚାରି ବୁଝି ଜିନିଷ କ୍ରୟ କରିଥିଲେ ।

ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ପଲିଶ୍ରୀ ମେଳା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ଯେ , ଏହି ମେଳାରେ ମୋଟ ୨୩୧ ଟି ଷ୍ଟଲ ଖୋଲା ଯାଇଥିବା ବେଳେ ସେଥିମଧ୍ୟରୁ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପାଇଁ ଓରମାସ ପକ୍ଷରୁ ୧୦୦ ଟି ଷ୍ଟଲ , ସେହିଭଳି ଖାଦ୍ୟ ବିକ୍ରିବଟା ପାଇଁ ୩୦ ଟି ଷ୍ଟଲ , ବିଭିନ୍ନ ବିଭାଗୀୟ ପକ୍ଷରୁ ସେମାନଙ୍କ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ୬୭ ଟି ଷ୍ଟଲ ଏବଂ ବାକି ସବୁ ଷ୍ଟଲ ଅନ୍ୟାନ୍ୟ ବ୍ୟବସାୟ ପାଇଁ ଖୋଲା ଯାଇଛି ।

ଏହିପରି ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମ ହେବା ଦ୍ୱାର ଜିଲ୍ଲାର ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସେମାନଙ୍କ ପ୍ରସ୍ତୁତି ସାମଗ୍ରୀର ଉଚିତ ବିକ୍ରିବଟା କରି ବେଶ ଲାଭବାନ ହୋଇ ପାରିବା ସହ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ । ଏତଦ୍ ବ୍ୟତୀତ ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗୀୟ କାର୍ଯ୍ୟକ୍ରମ କ’ଣ , କିଭଳି କାର୍ଯ୍ୟକାରୀ ହେଉଛି , ପ୍ରତ୍ୟେକ ବିଷୟରେ ଲୋକମାନେ ଜାଣିବା ପାଇଁ ପ୍ରଦର୍ଶନୀ ଷ୍ଟଲ ସବୁ ଖୋଲାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ।

ଏହି ମେଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆଚାର , ପାପଡ଼ , ମସଲା ସାମଗ୍ରୀ ଘର ସଜ୍ଜା ଜିନିଷ , ମାଣ୍ଡିଆ ହଳଦୀ , ଅଦା , ବିଭିନ୍ନ ବନ୍ୟଜାତ ସାମଗ୍ରୀ ଓ ଘରୋଇ ଉପକରଣ ପ୍ରଭୃତି ବିକ୍ରିବଟା ପାଇଁ ଆଣିଛନ୍ତି । ସେହିଭଳି ଖାଦ୍ୟ ମେଳାରେ ବିଭିନ୍ନ ଅଞ୍ଚଳର ବିଭିନ୍ନ ପ୍ରକାରର ସୁସ୍ଵାଦ ଖାଦ୍ୟ ସାମଗ୍ରୀର ବିକ୍ରିବଟା କରାଯାଉଛି ।

ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କୃଷି ଓ ଉଦ୍ୟାନ କୃଷି ମେଳା ସମେତ ବିଭିନ୍ନ ବିଭାଗ ଯଥା ବନ ବିଭାଗ , ମତ୍ସ୍ୟ ବିଭାଗ , ଆଇଟିଡିଏ , ସ୍ବାସ୍ଥ୍ୟ , ବ୍ୟାଙ୍କ , ଶିଶୁ ସୁରକ୍ଷା , ସମନ୍ୱିତ ମହିଳା ଓ ଶିଶୁ ବିଭାଗ , ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରଭୃତି ପକ୍ଷରୁ ସେମାନଙ୍କ କାର୍ଯ୍ୟକ୍ରମ ଉପରେ ପ୍ରଦର୍ଶନୀ ଷ୍ଟଲ ସବୁ ଖୋଲିଛନ୍ତି ।ଏତଦ୍ ବ୍ୟତୀତ ମେଳାରେ ଛୋଟ ପିଲାଙ୍କ ଖେଳ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଖେଳ , ଦୋଳି ଖେଳ , ପାଣି ଡଙ୍ଗା , ସ୍ପଞ୍ଜ ଉପରେ ଡେଇଁବା ପ୍ରଭୃତି ରହିଛି । ସେହିଭଳି ଘର ପାଇଁ ସାଜସଜ୍ଜା , ରାନ୍ଧିବା ଉପକରଣ , ଡ୍ରଇଂ ସେଟ ବସିବା ପାଇଁ କାଠ ଓ ବେତ ବୁଣାର, ଖାଇବା ଓ ପିଇବା ପାତ୍ର , ଶୋଇବା ଓ ଘୋଡେଇବା ପ୍ରଭୃତି ଆବଶ୍ୟକ ପଡୁଥିବା ସାମଗ୍ରୀ ସବୁ ବିକ୍ରିବଟା ପାଇଁ ରହିଛି । ଏହି ମେଳାରେ ହଜାର ହଜାର ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା ।

ଏହି ମେଳା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ଓଏଲଏମର ପ୍ରିୟମ୍ବଦା ବିଶୋଇ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ , ଡିସିପିୟୁ ଅରୁଣ କୁମାର ତ୍ରିପାଠୀ , ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପ୍ରଧାନ , ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଏମଭିଆଇ ବସନ୍ତ କୁମାର ମହାପାତ୍ରଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଗଂଜେଇ ମାଫିଆଙ୍କୁ ଧରିବାକୁ ଯିବା ସମୟରେ ପୋଲ ତଳକୁ ଖସିଲା ପୁଲିସ୍‌ ଗାଡ଼ି;ଆଇଆଇସି ଓ ଡ୍ରାଇଭର ଗୁରୁତର ।

!!! କନ୍ଧମାଳ ଜିଲ୍ଲା ରୁ ରାଇକିଆ ପ୍ରତିନିଧି ନୃସିଂହ ଚରଣ ଦାଶ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାଇକିଆ) – ଗଂଜେଇ ମାଫିଆଙ୍କୁ କାବୁ କରିବାକୁ ଯାଇ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେଲେ ରାଇକିଆ ଥାନାର ଥାନାଧିକାରୀଙ୍କ ଗାଡ଼ି I ହେଲେ ଅଳ୍ପକେ ମୃତ୍ୟୁ ମୁଖର ରକ୍ଷା ପାଇଛନ୍ତି ରାଇକିଆ ଥାନାଧିକାରୀ I ବାଲିଗୁଡା ପଟୁ ଆସୁଥିବା ଏକ ଇଣ୍ଡିଗୋ କର (OD02J9816) ଦ୍ରୁତ ଗତିରେ ରାଇକିଆ ଅତିକ୍ରମ କରୁଥିବା ବେଳେ କୌଣସି ସୂତ୍ରରୁ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଖବର ପାଇ ଥିଲେ I ସେହି କାରକୁ ଗୋଡେଇ ଧରିବା ପାଇଁ ଚେଷ୍ଟା କରିବା ବେଳେ ବୁଡାମହା ନିକଟରେ ଏକ ଶଙ୍ଖ ତଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇଥିଲା ଥାନାଧୀକାରିଙ୍କ ଗାଡ଼ି I ଆଇଆଇସି ରାଇକିଆ ବହୁତ ଆଘାତ ହୋଇଥିବାବେଳେ ତାଙ୍କୁ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଥିଲା I ଏହି ଦୁର୍ଘଟଣାରେ ଥାନାଧିକାରୀଙ୍କ ଗାଡ଼ି ଚାଳକ ମଧ୍ୟ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ରାଇକିଆ ଆଇଆଇସିଙ୍କ ହାତ ଭାଙ୍ଗିଥିବା ବେଶେଷ ସୂତ୍ରରୁ ଜଣା ପଡିଛି । ଗଞ୍ଜେଇ ଗାଡିଟି ଧରିବା ପାଇଁ ହୁଏତ ସକ୍ଷମ ହୋଇଛି ରାଇକିଆ ପୁଲିସ I ହେଲେ ଖସି ପଳେଇ ଛନ୍ତି ଗଂଜେଇ ମାଫିଆ |
ପୁଲିସ ଦାଉରୁ ରକ୍ଷା ପାଇବା ପାଇଁ କାରକୁ ବୁଡ଼ାମାହା ଗ୍ରାମ ଭିତରକୁ ପୁରେଇ ଦେଇ ଲୁଚିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେବା ଦ୍ୱାରା ସେହି ଗାଡି ଛାଡି ଫେରାର ହୋଇଛନ୍ତି ଗଞ୍ଜେଇ ମାଫିଆ । ଖବର ସଂଗେ ସଂଗେ ଟିକାବାଲି ଥାନା ଓ ସାରଂଗଡ଼ ଥାନା ଅଧିକାରୀଙ୍କୁ ଦିଆଯାଇଥିଲା ଖବର ପାଇବା ପରେ ଉଭୟ ଥାନାଧିକାରୀ ମିଳିତ ଉଦ୍ୟମରେ ସେ ଗଞ୍ଜେଇ ଭିର୍ତ୍ତି କାର ଜବତ କରିଛନ୍ତି । କାର ଭିତରୁ ବହୁ ମାତ୍ରାରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଗଞ୍ଜେଇକୁ ପୁରା ସିଲ କରି ସେଲଟପ ମାଧ୍ୟମରେ ବାନ୍ଧି ନେଉଥିବା ଦେଖିବାକୁ ମିଳିଛି । ଆମେ ଟିକାବାଲି ଆଇଆଇସି ଓ ସାରଂଗଡ଼ ଆଇଆଇସିଙ୍କୁ ଅପରେସନ ବିଷୟରେ ପଚାରି ବୁଝିଥିଲୁ I ଖବର ପାଇବା ପରେ ସାରଙ୍ଗଗଡ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ, ହେଲେ କେତେ ପରିମାଣରେ ଗଂଜେଇ ଥିଲା ଏବଂ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ନାହାନ୍ତି |

ଚର୍ଚ୍ଚା ରେ ରାୟଗଡା ଜିଲ୍ଲା ବିଧାୟକ ; ୟେ କାହା ଆଶ୍ରିତ ସେ ନେଇ ପ୍ରଶ୍ନ ?

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଶୀ ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ବ୍ୟୟବହୁଳ ନିର୍ବାଚନ ଯୁଦ୍ଧର ପରମ୍ପରା ଭିତରେ ଭିନ୍ନ ଜଣେ ଯୋଦ୍ଧା ଥିଲେ ମକରନ୍ଦ ମୁଦୁଲି। ନା ସେ ପ୍ରତିପତ୍ତିଶାଳୀ ନା ବାହୁବଳୀ। ହେଲେ ପାଖରେ ଥିବା ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ସେ ଜନତାଙ୍କ ଭାଗ୍ୟବିଧାତା ପାଲଟି ଯାଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନରେ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ଏବେ ସେ ଶାସକ ବିଜେଡି ଆଡ଼େ ମୁହାଁଇବାକୁ ନେଇ ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚା ଭିତରେ ମକରନ୍ଦ ମୁଦୁଲି ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ସରକାର ଯୁଆଡେ, ଆମେ ସେ ଆଡ଼େ। କିନ୍ତୁ ବିଜେଡିରେ ମିଶିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରୁନାହାନ୍ତି।

୮୦୦୦ କୋଟି ଟଙ୍କା ବ୍ୟୟରେ ଆଦିତ୍ୟ ବିର୍ଲା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡ଼ାରେ କରିବ ରିଫାଇରାନାରୀ ପ୍ଲାଣ୍ଟ। ଏହାକୁ ରାଜ୍ୟ ସରକାର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଆଉ ଏହି ଖୁସି ଜାହିର କରିବା ପାଇଁ ଆଜି ରାୟଗଡ଼ା ସ୍ୱାଧୀନ ବିଧାୟକ ମକରନ୍ଦ ନିଜର ସମର୍ଥକଙ୍କ ସହ ନବୀନ ନିବାସ ଯାଇଥିଲେ। କଂସାରୀଗୁଡ଼ାରେ ହେବାକୁ ଥିବା ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମକରନ୍ଦ।

ନବୀନ ନିବାସରୁ ବାହାରିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି-“ଜଣେ ସ୍ୱାଧୀନ ବିଧାୟକ ଓଡ଼ିଶା ତଥା ନିଜ ଅଞ୍ଚଳ ପାଇଁ କ’ଣ କରିପାରିବ? ନିଜ ଅଞ୍ଚଳର ବିକାଶ କରିବାକୁ ହେଲେ ସରକାରଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ଏବେ ମୁଁ ରାଜ୍ୟ ସରକାରଙ୍କ ସହିତ ଅଛି, ଦଳ ସହିତ ନାହିଁ।” ଭବିଷ୍ୟ ନେଇ ସେ କହିଛନ୍ତି-“ନବୀନ ପଟ୍ଟନାୟକ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସେ ଆମର ମଧ୍ୟ ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶାର ବିକାଶ ପାଇଁ ଅନବରତ ଉଦ୍ୟମ ଜାରି ରଖିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବାକୁ ଆସିଛି।”

ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ବିଜେଡିକୁ ସମର୍ଥନ କରିବେ କି ପ୍ରଶ୍ନରେ ସେ କହିଛନ୍ତି-“ବର୍ତ୍ତମାନ କିଛି କହିହେବ ନାହିଁ। ସମୟ ଆସିଲେ ନିଷ୍ପତ୍ତି ନେବି। ବର୍ତ୍ତମାନ ମୁଁ ସରକାରରେ ରହିଛି। ସରକାର ଯୁଆଡ଼େ, ଆମେ ସିଆଡ଼େ।”

ସିଏଏ ସମର୍ଥନରେ ବିଜେପି ଯୁବମୋର୍ଚ୍ଚା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) -ନାଗରିକତା ସଂଶୋଧନ ଆଇନ( ସିଏଏ) ସପକ୍ଷରେ ସଚେତନତା ସୃଷ୍ଟି ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ମାନବଶୃଙ୍ଖଳ ଅନୁଷ୍ଠିତ ହୋଇଛି। ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଏହି ମାନବଶୃଙ୍ଖଳ କରାଯାଇ ସିଏଏ ସମର୍ଥନରେ ସ୍ଲୋଗାନ ଦିଆଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ବ୍ୟକ୍ତ କରାଯାଇଛି।

ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସିଏଏକୁ ନେଇ କେହି ଭୟଭୀତ ହେବାର କୌଣସି କାରଣ ନାହିଁ। ଦେଶ ବିଭାଜନ ସମୟରେ ତକ୍ରାଳୀନ ନେତୃତ୍ୱ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ହିଁ ଏହି ଆଇନ ଦ୍ୱାରା ପୂରଣ କରାଯାଇପାରିଛି। ଭାରତର ଜଣେ ହେଲେ ନାଗରିକ ଏହି ଆଇନ ଦ୍ୱାରା ପ୍ରଭାବିତ ହେବାର ତିଳେମାତ୍ର ଆଶଙ୍କା ନାହିାଁ ଗଣତନ୍ତ୍ରରେ ବାଦବିବାଦ, ତର୍କବିତର୍କର ସ୍ଥାନ ଅଛି କିନ୍ତୁ ହିଂସାର ସ୍ଥାନ ନାହିଁ। ସିଏଏ ବିରୁଦ୍ଧରେ ବିରୋଧୀ ଦଳ ଅପପ୍ରଚାର ଓ ହିଂସାରେ ଲିପ୍ତ ରହିଛି। ବିରୋଧୀ ଦଳର ଏଭଳି ଅପପ୍ରଚାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଚେତନା କାର୍ଯ୍ୟକ୍ରମ କରିଛି। ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ଯୁବମୋର୍ଚ୍ଚା ତରଫରୁ ସିଏଏ ସମର୍ଥନରେ ଦସ୍ତଖତ ଅଭିଯାନ କରାଯିବା ସହ ଯୁବବର୍ଗଙ୍କୁ ଏହି ଆଇନର ଆବଶ୍ୟକତା ବିଷୟରେ ସଚେତନତା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ମାନବଶୃଙ୍ଖଳା କାର୍ଯ୍ୟକ୍ରମରେ ବିଜେପି ଯୁବନେତା ସିକନ୍ଦର ଅଲ୍ଲୀ, କାମାକ୍ଷା ପ୍ରଧାନ, ଏନ୍ ରାଜେନ୍ଦ୍ର କୁମାର, ଇରାଶୀଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ, ବିଶ୍ୱଜିତ ଷଡ଼ଙ୍ଗୀ, ଅଭିଜିତ ମିଶ୍ର, ଅଭିଷେକ ଆଚାର୍ଯ୍ୟ, ଭକ୍ତବତ୍ସଳ ବସ୍ତିଆ ପ୍ରମୁଖ ପରିଚାଳନା କରିଥିଲୋ ଏହି ଅବସରରେ ଦଳର ବରିଷ୍ଠ ନେତା ସମୀର ମହାନ୍ତି,ପୃଥ୍ୱୀରାଜ ହରିଚନ୍ଦନ, ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ବିଭୂତି ଜେନା, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଗ୍ଲୋରୀଫେଷ୍ଟ ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଶ୍ରୀକ୍ଷେତ୍ର ପୁରୀରେ ବେଳାଭୂମିର ଶୀତୁଆ ସନ୍ଧ୍ୟା ଥିଲା ରଙ୍ଗୀନ। ଆଉ ତାହାରି ଭିତରେ ଆରମ୍ଭ ହୋଇଥିଲା ସୁନ୍ଦରୀ ତରୁଣୀଙ୍କ ରାମ୍ପ। ଜଣେ ପରେ ଜଣେ ସୁନ୍ଦରୀ ନହକା ନହକା ଚାଲି ଶୀତୁଆ ସଞ୍ଜକୁ ଉଷ୍ମ କରିଥିଲା। କରତାଳିରେ ଉଛୁଳି ପଡ଼ୁଥିଲା ପେଣ୍ଡାଲ୍‌। ବେଳାଭୂମିରେ ଚାଲିଥିବା ଗ୍ଲୋରୀ ଫେଷ୍ଟର ଶେଷ ଦିନରେ ଥିଲା ଏମିତି ଦୃଶ୍ୟ।

ଆତ୍ମବିଶ୍ୱାସ, ରାମ୍ପ, ଦକ୍ଷତା, ଅଭିନୟ ଜରିଆରେ ଜୁରି ଓ ଦର୍ଶକଙ୍କ ହୃଦୟ ଜିତିଲେ ରାଉରକେଲା ସରକାରୀ ଅଟୋନମସ କଲେଜର ଛାତ୍ରୀ ପ୍ରତିକ୍ଷା ଆୟୁଷ ଆକାଂକ୍ଷା। ସେ ଗ୍ଳୋରୀ କୁଇନ ଭାବେ ବିଜୟୀ ହୋଇଛନ୍ତି। ପ୍ରଥମ ରନରସ୍ ଭାବେ ହାଇଟେକ ମେଡ଼ିକାଲର ଆଦ୍ୟାଶା ଆଦିଶକ୍ତି ସାହୁ, ତୃତୀୟ ରନରସ୍ ଶିବାନୀ ଭାଗଲ ସରକାରୀ ଅଟୋନମସ କଲେଜ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶୀତୁଆ ସଂଧ୍ୟାରେ ଦର୍ଶକଙ୍କ ମନ ଜିଣିଥିଲେ ଇଣ୍ଡିଆନ ଆଇଡଲ ଫେମ୍‌ ରିୟା ଓ ସଲମାନ। ବିଭିନ୍ନ ରୋମାଣ୍ଟିକ୍‌ ଗୀତ ଗାଇ ଦର୍ଶକଙ୍କ ମନକୁ ଉଷ୍ମ କରିଥିଲେ। ଗୀତ ସହିତ ତାଳ ଦେଇ ମଞ୍ଚ ତଳେ ଦର୍ଶକ ନାଚିଥିଲେ।ଉଦ୍‌ଯାପନୀ ଦିବସରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ଶଙ୍କର୍ଷଣ ପରିଡା, ଅନୁଷ୍ଠାନରେ ସମ୍ପାଦକ ରାଜେଶ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି-“ଗ୍ଲୋରୀ ଫେଷ୍ଟକୁ ଏହା ଭିତରେ ୨୫ ବର୍ଷ ପୂରିଛି। ଏଥିପାଇଁ ଆୟୋଜକଙ୍କୁ ଧନ୍ୟବାଦ ଦେଉଛି। ପୁରୀ ସହର ହେଉଛି ଏକ ଜାତୀୟ କେନ୍ଦ୍ର। ଏଠାରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।”ଶ୍ରୀକ୍ଷେତ୍ରର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ୭ ଦିନ ଧରି ଚାଲିଥିଲା ଗ୍ଲୋରୀଫେଷ୍ଟ ରୌପ୍ୟ ଜୟନ୍ତୀ ଉତ୍ସବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ୬୫୦ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ପ୍ରତିଭା ଦେଖାଇଥିଲେ।

ଓବିସି କମିଶନ କାର୍ଯ୍ୟକ୍ଷମ କରିବା ଦାବିରେ କଂଗ୍ରେସ ଓ ବିଜେପି ର ଘେରାଓ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜନଗଣନା ସହ ରାଜ୍ୟରେ ଆର୍ଥିକ,ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେବାପରେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ଜାତିଗତ ଜନଗଣନା କଥା କହୁଥିବା ଓଡ଼ିଶା ସରକାର ଏପର୍ଯ୍ୟନ୍ତ କାହିଁକି ଓବିସି କମିଶନକୁ କାର୍ଯ୍ୟକ୍ଷମ କରିନାହାନ୍ତି ବୋଲି ପ୍ରଶ୍ନ କରି ସରକାରଙ୍କ ଆନ୍ତରିକତା ଉପରେ ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି। ଉଭୟ ଦଳ ଆଜି ସାମ୍ବାଦିକ ସମ୍ମିଳନୀ କରି ଶାସକ ବିଜେଡିକୁ ଘେରିବାକୁ ଉଦ୍ୟମ କରିଥିବାବେଳେ ଓବିସି କମିଶନ ଗଠନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।

ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ନବୀନ ପଟ୍ଟନାୟକ ରାଜ୍ୟରେ କ୍ଷମତାକୁ ଆସିବାର ୨୦ବର୍ଷ ପରେ ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ବିକାଶ କଥା ମନେପଡ଼ିଲା। ଦେଶର ସମ୍ବିଧାନ ଦ୍ୱାରା ପଛୁଆ ବର୍ଗର ଲୋକମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାର ଅଧିକାରକୁ ସମସ୍ତ ରାଜ୍ୟ ପାଳନ କରୁଥିବାବେଳେ ଓଡ଼ଇଶା ଏକମାତ୍ର ରାଜ୍ୟ ଯେକି ପଛୁଆ ବର୍ଗଙ୍କୁ ଆବଶ୍ୟକ ସଂରକ୍ଷଣ ସୁବିଧା ଦେଉନାହିଁ। ଏପର୍ଯ୍ୟନ୍ତ ପଛୁଆ ବର୍ଗର କମିଶନର(ଓବିସି) ନିଯୁକ୍ତି ମଧ୍ୟ କରିନାହାନ୍ତି। କାହିଁକି ଏପର୍ଯ୍ୟନ୍ତ ଓବିସି କମିଶନ ପଦବୀ ଖାଲି ପଡ଼ିଛି ଓ ଓବିସି ବର୍ଗର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସଂରକ୍ଷଣ ଦେବାରେ କାହିଁକି ବିଫଳ ହୋଇଛନ୍ତି ସେ ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବାକୁ ବିଜେପି ଦାବି କରିଛି।

ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟ ସରକାରଙ୍କର ପଛୁଆ ବର୍ଗର ଲୋକମାନଙ୍କ ହିତାଧିକାରି ତାଲିକା ପ୍ରସ୍ତୁତ କରିବାରେ ଅକ୍ଷମ , ଓବିସି ତାଲିକାରେ କିଏ ରହିବ, ଏସଇସିସି ତାଲିକାରେ କିଏ ରହିବ ସେ କ୍ଷମତା ତାଙ୍କ ଉପରେ ଛାଡ଼ି ଦିଆଯାଉ ବୋଲି କହୁଛନ୍ତି। ରାଜ୍ୟ ସରକାର ତୁରନ୍ତ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ସଂରକ୍ଷଣକୁ ଲାଗୁ କରନ୍ତୁ ନହେଲେ ବିଜେର୍ପି ସାରା ରାଜ୍ୟରେ ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ୨୦୨୧ ରେ ହେବାକୁ ଥିବା ଜନଗଣନା ସମୟରେ ଓବିସି ଓ ଏସଇବିସିଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରିବା ପାଇଁ କେନ୍ଦ୍ରକୁ ରାଜ୍ୟ କ୍ୟାବିନେଟ୍ ସୁପାରିଶ କରିବା କେବଳ ଧର୍ମକୁ ଆଖିଠାର ସଦୃଶ। ବାସ୍ତବତା ହେଉଛି ରାଜ୍ୟରେ ଓବିସି ଓ ଏସ୍ସିବିସି ବର୍ଗର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୃଣା କରୁଛନ୍ତି। ଏନେଇ ତଥ୍ୟ ପ୍ରମାଣ ଉପସ୍ଥାପନ କରି କଂଗ୍ରେସ ଅଭିଯୋଗ କରିଛି ଯେ, ୨୦୦୬ରୁ ସମସ୍ତ ନୀତି ନିୟମ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଘଂନ କରି ଓବିସି କମିଶନଙ୍କୁ ଅଚଳ କରିବା, ୨୦୧୧ ମସିହାରେ ଓବିସି କମିଶନ ପୁର୍ନଗଠନ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ଘଟଣା ହିଁ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କର ଆନ୍ତରିକତାର ପ୍ରମାଣ ଦେଉଛି। କେବଳ ସେତିକି ନୁହେଁ ୨୦୧୨ ମସିହାରେ ରାଜ୍ୟ ସରକାର ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଓବିସି କମିଶନ ପୁର୍ନଗଠନ ପାଇଁ ୬ ମାସ ସମୟ ଲୋଡ଼ିଥିଲେ। ୮ ବର୍ଷ ବିତି ଯାଇଥିଲେ ମଧ୍ୟ କମିଶନ ତ ଦୂରର କଥା କେବେ ଓବିସିମାନଙ୍କ ପାଇଁ ସାମାନ୍ୟତମ ଚିନ୍ତା ମଧ୍ୟ କରିନାହାନ୍ତି। ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ୨୦ ବର୍ଷ ଧରି ଶୋଇଥିବା ସରକାର ହଠାତ୍ ଭୋଟ ରାଜନୀତି ପାଇଁ ଓବିସି ଓ ଏସିଇବିସିମାନଙ୍କ ପାଇଁ ଚିହିଁକି ଉଠିବା କୁମ୍ଭୀରକାନ୍ଦଣା ସଦୃଶ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ଜିନେଶ ଦାସ, ଦେବେନ୍ଦ୍ର ମଲ୍ଲିକ, ଦୀପକ ମହାପାତ୍ର, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

 

କାଳିଆ ପାଇଁ ଥିବା ପଥର ଲୁଟ୍ କରି ଧରା ପଡ଼ିଗଲେ ।

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ବର): ଶ୍ରୀମନ୍ଦିର ପାଇଁଉଦ୍ଦିଷ୍ଟ ପଥର ଖଣିରୁ ଲୁଟ୍ ବେଳେ ଚଢ଼ାଉ। ବିପୁଳ ପରିମାଣର ମୂଲ୍ୟବାନ ପଥର ଜବତ। ଖୋର୍ଦ୍ଧା ଜଙ୍କିଆ ଥାନା ହାଡ଼ପଦାରେ ଥିବା ସଂରକ୍ଷିତ ବଉଳମାଳା ପଥର ଖଣିରୁ ବେଧଡ଼କ୍ ପଥର ଚୋରି ନେଇ ପୁଲିସ ଖବର ପାଇଥିଲା। ଏହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥିତିରେ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବେଆଇନଭାବେ ଚାଲୁଥିବା ୬ଟି ପଥର କଟିଂ ୟୁନିଟରୁ ବିପୁଳ ପରିମାଣର ମୂଲ୍ୟବାନ ପଥର ଜବତ ହୋଇଛି। ଶ୍ରୀମନ୍ଦିର ପାଇଁ ଆବଶ୍ୟକ ହେଉଥିବା ପଥରକୁ ଉତ୍ତୋଳନ କରି ଏଠାରୁ ରାଜ୍ୟ ବାହାର ଏପରିକି ବିଦେଶକୁ ମଧ୍ୟ ଚୋରା ଚାଲାଣ କରାଯାଉଥିଲା । ପ୍ରାୟ ଏହି ପଥରର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

କଂଗ୍ରେସ ରେ କନ୍ଦଳ: ନିରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଚାଲିଥିବା ଛକାପଞ୍ଝା ମଧ୍ୟରେ ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ପିସିସି ପକ୍ଷରୁ କମିଟି ଗଢ଼ାଯିବାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଯୁବ କଂଗ୍ରେସ ସଭାପତିଙ୍କୁ ପରିବର୍ତ୍ତନ ଅଧିକାର ପିସିସିର ନାହିଁ ବୋଲି କହି ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ସିଧାସଳଖ ନିରଞ୍ଜନଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରିଛନ୍ତି। ଏହାସହିତ ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ଗଠନ କରାଯାଇଥିବା କମିଟିର ବୈଧତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ଯୋଗ ଦେଇ ଲୋକନାଥ ମହାରଥୀ ଏବେବି ରାଜ୍ୟ ଯୁବ କଂଗ୍ରେସର ସଭାପତି ଅଛନ୍ତି ବୋଲି କହିଛନ୍ତି। ପ୍ରତିଭା ରଘୁବଂଶୀଙ୍କର ଏଭଳି ବୟାନ ରାଜ୍ୟ କଂଗ୍ରେସରେ ନୂଆ ବିବାଦ ସୃଷ୍ଟି କରିଛି। ପୂର୍ବରୁ ଏଆଇସିସି ଓଡ଼ିଶାର ସମସ୍ତ କମିଟିକୁ ଭାଙ୍ଗି ଦେଇଥିବାବେଳେ ଯୁବ କଂଗ୍ରେସ କମିଟି ମଧ୍ୟ ଭାଙ୍ଗିଥିବା କୁହାଯାଇଥିଲା। କିନ୍ତୁ ଆଜି ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପରେ ଉକ୍ତ କମିଟି ଭାଙ୍ଗିନଥିବା ଓ ଶ୍ରୀ ମହାରଥୀ ଯୁବକଂଗ୍ରେସ ସଭାପତି ଥିବା ସ୍ପଷ୍ଟ ହୋଇଛି। ତା’ଛଡ଼ା ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରତିଭା ରଘୁବଂଶୀଙ୍କର ବୟାନ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କ୍ଷମତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ ରଘୁବଂଶୀଙ୍କ ବୟାନ ଉପରେ ପିସିସି ପକ୍ଷରୁ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ଗତକାଲି ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ପିସିସି ଦ୍ୱାରା ଗଠିତ କମିଟିର ବୈଠକ ବସିଥିଲା। ଏହି ବୈଠକରେ ପରବର୍ତ୍ତୀ ଯୁବ ସଭାପତି ଓ ସଂଗଠନ ପରିଚାଳନା ପାଇଁ ଯୁବନେତାମାନେ ନିଜର ମତାମତ ଦେଇଥିଲେ। ଗତକାଲି ବୈଠକ ପରେ କମିଟିର ଆବାହକ ପ୍ରଦୀପ ମାଝୀ କହିଥିଲେ ଯେ ଯୁବ କଂଗ୍ରେସ ସଭାପତି ପଦ ପାଇଁ କମିଟି ୪ଜଣଙ୍କ ନାଁ ଉପରେ ବିଚାର କରୁଛି। ଆସନ୍ତା ୩ଦିନ ମଧ୍ୟରେ ନାମ ଚୂଡ଼ାନ୍ତ କରି ପିସିସିକୁ ତାଲିକା ପ୍ରଦାନ କରାଯିବ। ପରେ ପିସିସିର ସୁପାରିଶ ଆଧାରରେ ଏଆଇସିସି ନାମ ଘୋଷଣା କରିବ।

ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀ ୭ତାରିଖରେ ପିସିସି ପକ୍ଷରୁ ରାଜ୍ୟସଭା ସାଂସଦ ରଞ୍ଜିବ ବିଶ୍ୱାଳଙ୍କ ନେତୃତ୍ୱରେ ୪ଜଣିଆ କମିଟି ଗଠନ ହୋଇଥିଲା। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ମାଝୀ, ସଂଗ୍ରାମ କେଶରୀ ଜେନା ଓ ରଜତ ଚୌଧୁରୀ ସଦସ୍ୟ ଅଛନ୍ତି।
ପରବର୍ତ୍ତୀ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଲୋକନାଥ ମହାରଥୀଙ୍କ ସମେତ ମନୋଜ ବିଶ୍ୱାଳ, ଅଭିଳାଷ ମାଣିଆ, ରାଜୀବ ପଟ୍ଟନାୟକ ଓ ନିରଞ୍ଜନ ନାୟକ ପ୍ରମୁଖ ଦାବିଦାର ଥିବା ଜଣାପଡ଼ିଛି।