ଲାଇନ୍‌ କଟିଲେ ରାଜ ରାସ୍ତାକୁ ଓହ୍ଳାଇବ କଂଗ୍ରେସ: ସୁର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) : ଆସନ୍ତା ୧୫ ତାରିଖକୁ ଡେଡ୍‌ ଲାଇନ୍‌ ଦେଇଛି ସେସୁ। ଏହି ତାରିଖ ଭିତରେ ବକେୟା ଥିବା ବିଦ୍ୟୁତ୍‌ ବିଲ୍‌ ପୈଠ ନ କଲେ ଆସନ୍ତା ୧୬ ତାରିଖରୁ ଲାଇନ୍‌ କଟାଯିବ। ତେବେ ଏହାକୁ ବିରୋଧ କରିଛି କଂଗ୍ରେସ। ଗରିବ ଲୋକଙ୍କ ଲାଇନ୍‌ କାଟିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ମୁଣ୍ଡ ଉପରେ ପିଲାଙ୍କ ପରୀକ୍ଷା ଥିବାରୁ ଏହି ନିଷ୍ପତ୍ତି ବଦଳାଯାଉ ବୋଲି କହିଛନ୍ତି ସୁର।

ସୁର ରାଉତରାୟ କହିଛନ୍ତି, ଶିଳ୍ପପତିଙ୍କ ପାଖରେ ଶହ ଶହ କୋଟି ଟଙ୍କାର ବିଜୁଳି ବିଲ୍ ବାକି ପଡ଼ିଥିବା ବେଳେ ଗୀରବଙ୍କ ଉପରେ ଦାଉ ସାଧୁଛନ୍ତି ସରକାର। ଯଦି ବିଦ୍ୟୁତ୍ କାଟ୍ ହେବ, ତା’ହେଲେ ରାଜରାସ୍ତାରେ ନିଆଁ ଜଳିବ। ଯଦି ଆଗାମୀ ୧୬ ତାରିଖରୁ ଗରିବ ଲୋକଙ୍କ ବିଜୁଳି କଟାଯାଏ, ତେବେ କଂଗ୍ରେସ ଏହାର ଜୋର୍‌ଦାର୍‌ ପ୍ରତିବାଦ କରିବ। ଏପରିକି ବିଦ୍ୟୁତ୍ କାଟିବା ପାଇଁ ଗାଁ ଭିତରକୁ କାହାକୁ ପୁରାଇ ଦିଆଯିବ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ମୁଣ୍ଡ ଉପରେ ପିଲାମାନଙ୍କ ମାଟ୍ରିକ୍‌ ପରୀକ୍ଷା ରହିଛି। ତେଣୁ ‘ସେସୁ’ ଓ ସରକାର ଏ ଦିଗରେ ପୁନର୍ବିଚାର କରି ନିଷ୍ପତ୍ତି ବଦଳାନ୍ତୁ। ଏଥିଲାଗି ସରକାରଙ୍କ ହାତରେ ଆଉ ମାତ୍ର ଛଅ ଦିନ ବାକି ରହିଛି। ତେଣୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରକୁ ସମୟ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ଅନ୍ୟପଟେ ସରକାରଙ୍କ ବିଜୁଳି କାଟ୍ ନିଷ୍ପତ୍ତିକୁ ମଧ୍ୟ ବିଜେପି ବିରୋଧ କରିଛି। ଖାଉଟିମାନଙ୍କ ଉପରେ ବୋଝ ଲଦିବାକୁ ସରକାର ଚାହୁଁଛନ୍ତି। ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି କହିଛି ବିଜେପି।

 

ସୂଚନାଯୋଗ୍ୟ, ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅରୁଣ ବୋଥ୍ରା କହିଥିଲେ, ପ୍ରାୟ ୭ ଲକ୍ଷ ବକେୟା ବିଦ୍ୟୁତ ବିଲ୍ ଉପଭୋକ୍ତାଙ୍କୁ ସେସୁ ପକ୍ଷରୁ ନୋଟିସ୍‌ ଓ ଏସ୍‌ଏମ୍‌ଏସ୍‌ ଯୋଗେ ବିଲ୍ ପେମେଣ୍ଟ୍‌ କରିବାକୁ ସୂଚନା ଦିଆଯାଇଥିଲା। ଆଉ ଏହି ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ୧୦ ହଜାର ଉପଭୋକ୍ତା ବକେୟା ବିଦ୍ୟୁତ ବିଲ୍ ପୈଠ କରିଛନ୍ତି। ବକେୟା ଥିବା ୧୯୭୧ କୋଟିରୁ ୨୧ କୋଟି ଆଦାୟ ହୋଇଛି। ସେହିଭଳି ପ୍ରାୟ ସମସ୍ତ ଶିଳ୍ପାନୁଷ୍ଠାନ ବକେୟା ବିଦ୍ୟୁତ ବିଲ୍ ପୈଠ କରିଛନ୍ତି। ମୋକଦ୍ଦମା ଚାଲିଥିବା ମାତ୍ର ୫ଟି ଶିଳ୍ପାନୁଷ୍ଠାନ ଏପର୍ଯ୍ୟନ୍ତ ଟଙ୍କା ପୈଠ କରିନାହାନ୍ତି। ପାଖାପାଖି ୨ ବର୍ଷ ଧରି ଲକ୍ଷେ ଲୋକ ବକେୟା ପୈଠ କରିନାହାନ୍ତି। ତାଙ୍କ ମଧ୍ୟରେ ୫୮ ହଜାରରୁ ଅଧିକ ଲୋକ ରହିଛନ୍ତି, ଯେଉଁମାନଙ୍କ ପାଖରେ ୫୦ ହଜାରରୁ ଅଧିକ ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ୯ ଲକ୍ଷ ୧୦ ହଜାର ଉପଭୋକ୍ତା ବିଦ୍ୟୁତ୍‌ ବିଲ୍‌ ପୈଠ କରି ନ ଥିବା ବୋଥ୍ରା କହିଛନ୍ତି। ତେଣୁ ୧୬ ତାରିଖରୁ ରାଜ୍ୟରେ ବିଦ୍ୟୁତ୍‌ ସଂଯୋଗ କାଟ ଡ୍ରାଇଭ୍ ଆରମ୍ଭ ହେବ। ରାଜ୍ୟରେ ମୋଟ ୧୧୩୯୭ ଗାଁରେ ବକେୟା ଦେଇ ନ ଥିବା ଗ୍ରାହକଙ୍କ ବିଜୁଳି କଟାହେବ। ଏଥିପାଇଁ ୪୧୩ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ ରାଜ୍ୟର ୨୦ ଡିଭିଜନ, ୬୫ ସବ୍‌ ଡିଭିଜନ, ୨୪୭ ସେକ୍‌ସନ୍‌ ଏବଂ ୧୬୪୩ ରୁଟ୍‌ରେ ଡିସକନେକ୍ସନ୍‌ ଡ୍ରାଇଭ କରିବେ ବା ବକେୟା ଟଙ୍କା ଦେଇ ନ ଥିବା ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କାଟିବେ। ପ୍ରତିଦିନ ସ୍କ୍ୱାଡ୍ ୩-୪ ଗାଁ ବୁଲି ଲାଇନ୍ କାଟିବେ। ତେବେ ବିଦ୍ୟୁତ ବିଲ୍ ଆଦାୟ ପାଇଁ ପୂର୍ବରୁ ବିଜ୍ଞାପନ, ଲିଫଲେଟ୍‌, ମାଇକ୍‌ ଯୋଗେ ଲୋକଙ୍କୁ ଅବଗତ କରାଯାଉଛି।

 

ସେହିଭଳି ୫୯୬୫ ସରକାରୀ ଅନୁଷ୍ଠାନକୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି। ଯେଉଁ ଅନୁଷ୍ଠାନଗୁଡ଼ିକ ବିଦ୍ୟୁତ ବିଲ୍ ବକେୟା ରଖିଛନ୍ତି ସରକାରୀ ଅନୁଷ୍ଠାନଗୁଡ଼ିକରେ ଥିବା ବକେୟା ବିଦ୍ୟୁତ୍ ବିଲ୍ ୩୧ ମାର୍ଚ୍ଚ ସୁଦ୍ଧା ପୈଠ କରିବାକୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏପ୍ରିଲ ମାସରୁ ସମସ୍ତ ସରକାରୀ ଅନୁଷ୍ଠାନ ଗୁଡ଼ିକ ମାସିକିଆ ବିଦ୍ୟୁତ ବିଲ୍‌ ଦେବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଯେଉଁ ଉପଭୋକ୍ତାଙ୍କର ୨୫ ହଜାର ଟଙ୍କାରୁ କମ୍‌ ବକେୟା ବିଦ୍ୟୁତ ବିଲ୍ ରହିଛି ସେମାନେ ୩୦ ପ୍ରତିଶତ ଟଙ୍କା ପୈଠ କଲେ ସେମାନଙ୍କୁ ୪ଟି କିସ୍ତିରେ ଟଙ୍କା ସୁଝିବାକୁ ସୁଯୋଗ ଦିଆଯିବ। ସେହିଭଳି ଯେଉଁ ଉପଭୋକ୍ତାଙ୍କର ୫୦ ହଜାର ଟଙ୍କାରୁ କମ୍‌ ବିଲ୍ ବକେୟା ରହିଛି ସେମାନେ ୩୦ ପ୍ରତିଶତ ବିଲ ଦେଇ ୬ଟି କିସ୍ତିରେ ଟଙ୍କା ସୁଝିବାର ସୁଯୋଗ ପାଇପାରିବେ। ବିଦ୍ୟୁତ୍‌ ଦେୟ ବାକି ରହିଥିବା ଉପଭୋକ୍ତାଙ୍କୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏନେଇ ସେମାନଙ୍କୁ ବାରମ୍ବାର ସୂଚନା ଦିଆଯାଇଥିବା କହିଛନ୍ତି ବୋଥ୍ରା। ମାତ୍ର ଏହାକୁ ନାପିନ୍ଦ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

ନବୀନଙ୍କ ନେତୃତ୍ୱରେ ରାଜ୍ୟ ପୋଲିସର ଲଜ୍ଜାଜନକ ପ୍ରଦର୍ଶନ…

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟ ସରକାର ବିଭିନ୍ନ ସମୟରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ରାଜ୍ୟ ଓ ଦେଶ ବାହାରୁ ବିଭିନ୍ନ ଅନୁଷ୍ଠାନମାନଙ୍କ ଠାରୁ ସ୍ୱଚ୍ଛ ଶାସନରେ ପ୍ରଥମ ପୁରସ୍କାର ଗ୍ରହଣ କରୁଥିବା ସ୍ଥଳେ ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ଭାରତବର୍ଷରେ ସ୍ୱଚ୍ଛ ଶାସନ ଦେବାରେ ସର୍ବ ଶେଷରେ ଅଛନ୍ତି, ଯାହା ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱାରା ସଦ୍ୟ ପ୍ରକାଶିତ ପୁସ୍ତକରେ ପ୍ରକାଶ ପାଇଛି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତଗତ ତଥା ୫ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି ।

ଶାସନରେ ସ୍ୱଚ୍ଛତା ଆଣିବା ନାଁରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ନିଜ ବ୍ୟକ୍ତିଗତ ସଚିବଙ୍କୁ ୫ଟି ସଚିବ ରୂପରେ ନିଯୁକ୍ତି ଦେବା ସହ ପ୍ରାଥମିକ ସ୍ତରରେ ନିଜ ଅଧିନରେ ଥିବା ଗୃହ ବିଭାଗକୁ ଏହାର ଅର୍ନ୍ତଭୁକ୍ତ କରିଥିଲେ । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱାରା

ପ୍ରକାଶିତ ତାଲିକାରେ ଜାତୀୟ ସ୍ତରରେ ହାରାହାରି ଦଣ୍ଡବିଧାନ ହାର ୪୯.୯ % ଥିବାବେଳେ ୨୦ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଅଧିନରେ ଥିବା ଗୃହ ବିଭାଗ ଦୋଷୀକୁ ଦଣ୍ଡ ଦେବାରେ ସମଗ୍ର ଭାରତ ବର୍ଷରେ ଶେଷରେ ଅଛି । ଅର୍ଥାତ୍ ୫.୭ % ଯାହା ଜାତୀୟ ହାରର ମାତ୍ର ୧୦ ପ୍ରତିଶତ । ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଅଧିକାରୀମାନଙ୍କ ଅପାରଗତା ଯୋଗୁଁ ଅପରାଧିମାନେ ଖସିଯିବାରେ ସଫଳ ହେଉଛନ୍ତି, କ’ଣ ପାଇଁ ୫ଟି ସଚିବ ସେହି ପୋଲିସ ଅଧିକାରୀଙ୍କ ଯୋଗ୍ୟତା ମାପିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଏବଂ ଯଦି ରାଜ୍ୟ ସରକାର ସ୍ୱଚ୍ଛତା କଥା କହୁଛନ୍ତି, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତର ରଖନ୍ତୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି । ସରକାରଙ୍କୁ ଟାର୍ଗେଟ କରିବା ସହ ୨୦ ବର୍ଷର ବିଜୁ ଜନତା ଦଳର ଶାସନ କାଳରେ ଅଧିକାଂଶ ଅପରାଧରେ ବିଜୁ ଜନତା ଦଳର କର୍ମୀ ଓ ନେତା ଉକ୍ତ ଅଭିଯୁକ୍ତମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତଦନ୍ତ ସମୟରେ ବିଜୁ ଜନତା ଦଳ କର୍ମୀମାନଙ୍କ ଠାରୁ ଟ/ଝ – ୧୬୧, ଉଜଚଉ ରେ ବୟାନ ରେକର୍ଡ କରାଇ ଅଭିଯୋଗ ଫର୍ଦ୍ଦ ଦାଖଲ କରି ଅଦାଲତରେ ସାକ୍ଷୀ ସମୟରେ ବୟାନ ବଦଳାଇ ଅପରାଧିମାନଙ୍କୁ ଖସାଇବାରେ ସଫଳ ହେଉଛନ୍ତି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅନ୍ୟତମ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ସିଧାସଳଖ ଅଭିଯୋଗ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରଜନୀ କୁମାର ମହାନ୍ତି, ନରେଶ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତି ମହାରାଜ ଙ୍କ ବିୟୋଗ ରେ ଜିଲ୍ଲା ସାରା ଖେଳିଗଲା ଶୋକରଛାୟା ; ନିରାଡମ୍ବର ରେ ପାଳନ ହେବ ଗଜପତି ମହୋତ୍ସବ, ଗଜପତି ଉତ୍ସବ ବାତିଲ୍ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପ୍ରତି ବର୍ଷ ଭଳି ଏହିବର୍ଷ ଆଡମ୍ବର ସହକାରେ ଜିଲ୍ଲାର ଗଣପର୍ବ ଗଜପତି ମହୋତ୍ସବ ପାଳନ କରିବାକୁ ସମସ୍ତ ପ୍ରକାର ଆୟୋଜନ ସରିଥିବା ବେଳେ ହଠାତ ଗଜପତି ମହାରାଜ ଶ୍ରୀ ଶ୍ରୀ ଗୋପୀନାଥ ଗଜପତିଙ୍କ ବିୟୋଗ ସମସ୍ତ ଆୟୋଜକ ଙ୍କୁ ଫିକା କରୁଦେଇଛି । ମହାରାଜଙ୍କ ମୃତ୍ୟୁର ଖବର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ମହାରାଜଙ୍କ ମୃତ୍ୟୁ ଯୋଗୁଁ ଗଜପତି ମହୋତ୍ସବକୁ ବନ୍ଦ କରିବା ନିମନ୍ତେ ଦାବୀ ଉଠିଛି ।ଏନେଇ ସ୍ଥାନୀୟ ଜିଲ୍ଲାପାଳ ଅନୁପମ ଶାହା ଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ଗୃହ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି, ଏସ୍. ପି ସରା ଶର୍ମା, ସାଂସଦ ଚନ୍ଦ୍ର ଶେଖର ସାହୁ ,ବିଧାୟକ କେ. ନାରାୟଣ ରାଓ ଯୋଗଦେଇଥିଲେ । ମହାରାଜଙ୍କ ମୃତ୍ୟୁ କୁ ସମ୍ମାନ ଜଣାଇ ଗଜପତି ଉତ୍ସବ କୁ ନିରାଡ଼ମ୍ବର ରେ ପାଳନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି । ମହୋତ୍ସବ ନିମନ୍ତେ ଆୟୋଜିତ ବ୍ୟବସାୟ ଷ୍ଟଲ ଗୁଡିକରେ ଜିଲ୍ଲା ବାହାରୁ ଆସିଥିବା ବ୍ୟବସାୟୀ ମାନେ ଡେରା ପକାଇ ସାରିଥିବାରୁ ସେମାନଙ୍କର ବ୍ୟବସାୟରେ କ୍ଷତି ନହେବା ନିମନ୍ତେ କେବଳ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବାର ସ୍ଥିର କରାଯାଇଛି। କିନ୍ତୁ ଏହି ଦିନ ଗୁଡିକରେ ହେବାକୁ ଥିବା ସମସ୍ତ ସଂସ୍କୃତିକ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।ଗଜପତି ମହୋତ୍ସବ ନିମନ୍ତେ ଜିଲ୍ଲା ବାହାରୁ ନିମନ୍ତ୍ରିତ କରାଯାଇଥିବା ସମସ୍ତ ସାଂସ୍କୃତିକ ଦଳକୁ ବାତିଲ କରାଯାଇଛି ।

ଆଖି ବୁଜିଦେଲେ ଗଜପତି ନାରାୟଣ ଦେଓ;ଏଭଳି ଶୋକାକୁଳ ପରିବେଶରେ ଗଜପତି ମହୋତ୍ସବ କୁ ସ୍ଥଗିତ ରଖିବା ନିମନ୍ତେ ସାଧାରଣରେ ଦାବୀ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଶେଷରେ ଆଖି ବୁଜିଦେଇଛନ୍ତି ପାରଳା ଗଜପତି ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ନାରାୟଣ ଦେଓ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ୭୬ ବର୍ଷ ବୟସରେ ତାଙ୍କ ଦେହାନ୍ ହୋଇଥିବା ଜଣାପଡିଛି | ଦୀର୍ଘ ଦିନ ଧରି ଗଜପତି ମହୋଦୟ ଅସୁସ୍ଥ ଥିଲେ ଓ ହୃଦରୋଗ ଜନିତ ସମସ୍ୟା ପାଇଁ ଚିକିତ୍ସିତ ଥିଲେ | ବହୁଦିନ ଧରି ସେ ଚେନ୍ନାଇରେ ଚିକିତ୍ସାଧିନ ଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା | ସେଠାରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ମ୍ୟାନେଜର ଦେଇଥିବା ସୂଚନାରୁ ଜଣାପଡିଛି | ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୬, ୧୯୪୩ରେ ଜନ୍ମିତ ଗଜପତି ମହୋଦୟ ନବମ ଓ ଦଶମ ଲୋକସଭାରେ ସଂସଦ ଥିଲେ | କଂଗ୍ରେସ ଦଳ ଟିକଟରେ ସେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଦୁଇଥର ସଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ପରେ ସେ ଭାରତୀୟ ଜନତା ପାର୍ଟି ଓ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ |

ବିଜେପିର ଶୋକ

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ବିୟୋଗରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଂଗୀତା କୁମାରୀ ସିଂହଦେଓ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

ତାଙ୍କ ଶେଷକୃତ୍ୟ ନିଜସ୍ୱ ଗ୍ରାମ ପାରଳାଖେମୁଣ୍ଡି ଠାରେ ହେବା ସୂଚନା ମିଳିଛି।ଏଭଳି ଶୋକାକୁଳ ପରିବେଶରେ ଗଜପତି ମହୋତ୍ସବ କୁ ସ୍ଥଗିତ ରଖିବା ନିମନ୍ତେ ସାଧାରଣରେ ଦାବୀ ହେଉଛି ।