ସାବଧାନ ! ମାତିଛନ୍ତି ସାଇବର ଠକ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍ ଭଳି ଆପ୍ଲିକେସନ୍ ଦ୍ୱାରା ଟଙ୍କା କାରବାର କରୁଥିଲେ ସାବଧାନ । ସାଇବର ହ୍ୟାକରମାନେ ନିମିଷେକ ମଧ୍ୟରେ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ କରିଦେଇପାରନ୍ତି। ଭୁବନେଶ୍ୱରରେ ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଏଭଳି ଠକାମୀର ଶୀକାର ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ହ୍ୟାକରଜଣଙ୍କ ନିଜକୁ ଫୋନ ପେ ଅଫିସ୍‌ର ଜଣେ କର୍ମଚାରୀର ପରିଚୟ ଦେଇ ପ୍ରଥମେ ଅପରପାର୍ଶ୍ୱ ବ୍ୟକ୍ତିଙ୍କୁ ଲୋଭନୀୟ ଅଫର ବିଷୟରେ କହିଥିଲେ ।  ଏହାପରେ ଆପ୍ସକୁ ଯାଇ କିଛି ନମ୍ବର ଟାଇପ୍ କରିବାକୁ ଗ୍ରାହକଙ୍କୁ କହିଥିଲେ ।  ଗ୍ରାହକଜଣକ ନମ୍ବର ଟାଇପ୍ କରିବାର କିଛି ସେକେଣ୍ଡ ଭିତରେ ତାଙ୍କ ଆକାଉଣ୍ଟରୁ ୩୮ ହଜାର ଟଙ୍କା ଗାଏବ୍ ହୋଇଯାଇଥିଲା । ଏନେଇ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ ହୋଇଛି।

ନୟାଗଡ଼ରୁ ମଧ୍ୟ ସମାନ ଧରଣର ଠକାମୀର ଅଭିଯୋଗ ଆସିଛି । ପେଟିଏମ୍‌ରେ ଅଧିକ କ୍ୟାସବ୍ୟାକ୍‌ ଦେବାର ଲୋଭ ଦେଖାଇ ୪୧ ହଜାର ଟଙ୍କା ଠକି ନେଇଛି ସାଇବର ଠକ । ଏହି ଠକେଇର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ବାସିନ୍ଦା ମନୀଷ ସାହୁ  ।

ଓଡ଼ିଶାରେ ଦୁଷ୍କର୍ମ ୫୩% ହ୍ରାସ ; ରିପୋର୍ଟ ସତ ନା ଫିକ୍ସି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟରେ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଓଡ଼ିଶାରେ ଦୁଷ୍କର୍ମ ମାମଲା ପ୍ରାୟ ୫୩% ହ୍ରାସ ପାଇଛି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)-୨୦୧୮ରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ଓ କେନ୍ଦ୍ର ସରକାରଙ୍କ ଏନସିଆରବି ରିପୋର୍ଟ ମଧ୍ୟରେ ତାଳମେଳ ନଥିବାରୁ ଆଜି ପ୍ରକାଶିତ ରିପୋର୍ଟର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନସିଆରବି ରିପୋର୍ଟ ଅନୁସାରେ, ୨୦୧୭ ମସିହାରେ ରାଜ୍ୟରେ ମୋଟ ୨୦୭୦ଟି ଦୁଷ୍କର୍ମ ମାମଲା ହୋଇଥିବାବେଳେ ୨୦୧୮ ମସିହାରେ ଏହା ୯୨୩କୁ ହ୍ରାସ ପାଇଛି। ସେହିପରି ୨୦୧୮ ମସିହାରେ ମାତ୍ର ୩୭ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ଓଡ଼ିଶାରେ ୨୦୧୮ ମସିହାରେ ମୋଟ ୨୫୦୨ଟି ଦୁଷ୍କର୍ମ ମାମଲା ହୋଇଥିଲା। ଅବଶ୍ୟ ଓଡ଼ିଶା ପୁଲିସ୍ ଦେଇଥିବା ତଥ୍ୟ ଆଧାରରେ ଏନସିଆରବି ରିପୋର୍ଟ ପ୍ରସ୍ତୁତ ହୋଇଥାଏ।ସେହିପରି ଏନସିଆରବି ରିପୋର୍ଟ-୨୦୧୮ ଅନୁସାରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ବିଭିନ୍ନ ପ୍ରକାରର ହିଂସା ଓ ଅପରାଧ ତାଲିକାରେ ଦେଶର ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।

ଦେଶରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ମୋଟ୍ ଅପରାଧ ମଧ୍ୟରୁ ଓଡ଼ିଶାରେ ୫.୪ ପ୍ରତିଶତ ଥିବାବେଳେ ସାମଗ୍ରିକ ଅପରାଧ ତାଲିକାରେ ଓଡ଼ିଶା ୪ ନମ୍ବର ସ୍ଥାନରେ ରହିଛି । ସେହିପରି ମହିଳାମାନେ ସାଇବର ଅପରାଧର ଶିକାର ହେବା କ୍ଷେତ୍ରରେ ଆସାମ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୨୦୮ଟି ସାଇବର ଅପରାଧରେ ମହିଳାମାନେ ଶିକାର ହୋଇଛନ୍ତି। ତେବେ ମହିଳାମାନଙ୍କ ସେକ୍ସ ଭିଡିଓ ଭାଇରାଲ ହେବା ମାମଲାରେ ଓଡ଼ିଶା ଶୀର୍ଷରେ ରହିଛି।

ସୂଚନାଯୋଗ୍ୟ,୨୦୧୬ ମସିହାରେ ଓଡ଼ିଶାରେ ମୋଟ ୮୧,୪୬୦ଟି ଅପରାଧ ମାମଲା ପଞ୍ଜିକରଣ ହୋଇଥିବାବେଳେ ୨୦୧୭ରେ ୮୩୫୮୩ ଓ ୨୦୧୮ ମସିହାରେ ୮୩୭୬୯ଟି ମାମଲା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପ୍ରତିରକ୍ଷାମନ୍ତ୍ରୀ: ଏଣିକି ଯବାନଙ୍କ ପରିବାରକୁ ମିଳିବ ଏହି ସୁବିଧା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଦେଶ ପାଇଁ ଅତ୍ୟନ୍ତ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ପରିବାର ଯେଭଳି କୌଣସି ସରକାରୀ ସେବା ହାସଲ ପାଇଁ ନିଜକୁ ଅବହେଳିତ ମନେ ନକରିବେ ତା’ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଯବାନଙ୍କ ପରିବାର ପ୍ରତି ଆବଶ୍ୟକ ସମ୍ମାନ ଓ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତବର୍ଷ ଅକ୍ଟୋବର ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରତିକୂଳ ପରିସ୍ଥିତିରେ ବି ଦେଶର ସେବା କରୁଥିବା ଯବାନମାନଙ୍କ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ସେମାନଙ୍କ ପରିବାର ପ୍ରତି ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଯବାନମାନଙ୍କ ମନୋବଳ ବୃଦ୍ଧି ସହ ସେମାନେ ମାନସିକ ଶାନ୍ତି ପାଇବେ ତଥା ଦେଶମାତୃକାର କାର୍ଯ୍ୟ ଆହୁରି ଅଧିକ ଦକ୍ଷ ଭାବେ ତୁଲାଇ ପାରିବେ ବୋଲି କହିଥିଲେ। ଏନେଇ ତୃଣମୂଳସ୍ତରରେ ଥିବା ସରକାରୀ ଅଫିସଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶନାମା ପଠାଇବାକୁ ଶ୍ରୀ ସିଂ ଅନୁରୋଧ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଚିଠି ଉପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଡିସେମ୍ବର ୩୧ତାରିଖରେ ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ଏସପିମାନଙ୍କୁ ଲେଖିଥିବା ଚିଠି ଅନୁସାରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ସଶସ୍ତ୍ର ସେନାର ଯବାନମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଦେଶମାତୃକାର ସେବା କରୁଛନ୍ତି । ଏହି ଯବାନମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର। ସେମାନେ ସଶସ୍ତ୍ର ବାହିନୀରେ କାର୍ଯ୍ୟ କରୁଥିବାରୁ ନିଜର ଘରକୁ ଯିବାର କମ୍ ସୁଯୋଗ ପାଇଥାନ୍ତି। ତେବେ ଘରକୁ ଯିବାସମୟରେ ସେମାନେ ନିଜ ଘର ଓ ପରିବାରର ଜମି ଓ ସମ୍ପତ୍ତି ଆଦି ସମସ୍ୟାକୁ ତୁଟାଇବାରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଏହି ଯବାନମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ପରିବାର ସଦସ୍ୟମାନେ ବିଭିନ୍ନ କାର୍ଯ୍ୟରେ ସରକାରୀ ଅଫିସ ଯାଇଥାନ୍ତି । ସେମାନେ ସରକାରୀ ଅଫିସକୁ ଗଲେ ସେମାନଙ୍କୁ ଆନ୍ତରିକ ସ୍ୱାଗତ କରିବା ସହ ଉପଯୁକ୍ତ ସମ୍ମାନ ଦେଇ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିଜର ପରିବାର ସଦସ୍ୟଙ୍କୁ ସରକାରୀ ଅଫିସରେ ଆବଶ୍ୟକ ଗୁରୁତ୍ୱ ମିଳିବା ସହ କାମ ହୋଇଗଲେ ଏହା ଯବାନମାନଙ୍କୁ ନୈତିକ ଦୃଷ୍ଟିରୁ ଦୃଢ଼ ଅନୁଭବ କରାଇବ ଓ ସେମାନେ ମାନସିକ ଶାନ୍ତିର ସହ ଦେଶ ସେବା କରିପାରିବେ। ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଛତର ଯାତ୍ରାରେ ବଳି ଦିଆଗଲେ ଜିଲ୍ଲାପାଳ ଓ ଏସ୍‌ପି ଦାୟୀ ରହିବେ ।

ଏଥର ସମ୍ଭାଳ ବ୍ୟୁରୋ (କଟକ): ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ପଶୁ ବଳି ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ପଶୁ ବଳି ପଡ଼େ, ତେବେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ। ବଳି ବନ୍ଦ ପାଇଁ ଛତର ଯାତ୍ରାର ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଓ ବଳିସ୍ଥଳ ତଥା ରାସ୍ତାକଡ଼ରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପ୍ରତିବର୍ଷ ଦୁର୍ଗାପୂଜାରେ ଅଷ୍ଟମୀ ରାତି ସାରା ପୂଜା ହୋଇଥାଏ। ନବମୀ ସକାଳେ ଜେନାଖାଲରୁ ମା’ଙ୍କ ବିଜୟ ପ୍ରତିମା ଛତର ମାଣିକେଶ୍ୱରି ମନ୍ଦିର ଅଭିମୁଖେ ଯାଇଥାଏ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ପଶୁ ଓ ପକ୍ଷୀଙ୍କୁ ବଳି ଦିଆଯାଏ। ରାସ୍ତା ରକ୍ତ ରଞ୍ଜିତ ହୋଇଥାଏ। ଚଳିତବର୍ଷ ୧୦,୦୦୦ ପଶୁ ଓ ପକ୍ଷୀଙ୍କୁ ବଳି ଦିଆଯାଇଥିଲା।

ବିଜେପିର ଆଉ କେତେ ନିକଟତର ହେବେ ନବୀନ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳର ଦୃଢ଼ ସମର୍ଥନ ସତ୍ତେ୍ୱ ଏହାର ବିଶେଷ ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇନି। ବିଶେଷକରି ରାଜ୍ୟରେ କ୍ଷମତାସୀନ ବିଜେଡି ଏହି ବନ୍ଦକୁ ସମର୍ଥନ କରିନଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାରିପଦା ଗସ୍ତରେ ଯାଇ ଏକାଧିକ ସରକାରୀ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ପାଇଁ ୧୨ଘଣ୍ଟିଆ ବନ୍ଦ ଡାକରା ପ୍ରତି ବିଜେଡିର ଏଭଳି ଉଦାସୀନ ଆଭିମୁଖ୍ୟ ପରୋକ୍ଷରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାରକୁ ସୁହାଇଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତି ବିଜେଡିର ବାରମ୍ବାର ସକରାତ୍ମକ ଆଭିମୁଖ୍ୟ ଆଗାମୀଦିନରେ ଉଭୟ ଦଳ ମଧ୍ୟରେ ପୁଣିଥରେ ସୁଦୃଢ଼ ଘନିଷ୍ଠତା ଆଡ଼କୁ ଇଙ୍ଗିତ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିବା ଭଳି କୌଣସି କାର୍ଯ୍ୟ କରିବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ବିଜେଡି ବେଶ୍ ମାପିଚୁପି ନିଜର ଗୋଟିଚାଳନା କରୁଛି। ବିଜେପି ଜାତୀୟ ନେତୃତ୍ୱଙ୍କୁ ଖୁସି କରିବା ଭଳି ପଦକ୍ଷେପ ମଧ୍ୟ ନେବାକୁ ବିଜେଡି ପଛାଉନାହିଁ। କାରଣ ବିଜେଡିର ଗତିବିଧି ସେଭଳି କିଛି ଦିଗକୁ ବି ଇଙ୍ଗିତ କରୁଛି। କାରଣ ୫ଦିନ ପୂର୍ବରୁ ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥରେ ୧୨ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ ମଞ୍ଚ ପକ୍ଷରୁ ବିଜେଡିର ସମର୍ଥନ ଲୋଡ଼ାଯାଇଥିଲା। ଏପରିକି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦ୍ୱାରା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବାପରେ ରାଜ୍ୟ ସରକାର ଏକ ମନ୍ତ୍ରିସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିସ୍ତରୀୟ କମିଟି ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନର ୬ଜଣିଆ ପ୍ରତିନିଧିମଣ୍ଡଳ ଆଲୋଚନା ମଧ୍ୟ କରିଥିଲା। ଏତେସବୁ ସତ୍ତେ୍ୱ ବିଜେଡି କିମ୍ବା ବିଜେଡିର ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କିମ୍ବା ବିରୋଧ କରାଯାଇନଥିଲା। ଓଲଟା ବନ୍ଦ ପାଳନର ପୂର୍ବଦିନ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବନ୍ଦକୁ ସମର୍ଥନ କରୁଥିବା ନେଇ ଗଣମାଧ୍ୟମକୁ କହିବାର ୨ଘଣ୍ଟା ନପୁରୁଣୁ ତାଙ୍କୁ ନିଜ କଥା ବଦଳାଇବାକୁ ପଡ଼ିଥିଲା । ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ସେ ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ନୈତିକ ସମର୍ଥନ କରୁଥିଲେ ମଧ୍ୟ ବିଜେଡି ଯାହା ନିଷ୍ପତ୍ତି ନେବ ତାକୁ ପାଳନ କରିବେ ବୋଲି କହିବାକୁ ବାଧ୍ୟ ହୋଇଥିଲେ। ଶ୍ରୀ ସ୍ୱାଇଁଙ୍କ ୟୁ-ଟର୍ଣ୍ଣରୁ ହିଁ ବିଜେଡି ଉପରେ ‘ଭାରତ ବନ୍ଦ’କୁ ନେଇ ରହିଥିବା ଚାପ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା।

କେବଳ ସେତିକି ନୁହେଁ ଆଜି ଦେଶବ୍ୟାପୀ ବନ୍ଦ ପାଳନ ସତ୍ତେ୍ୱ ବାରିପଦାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେ ନେଇ ବିଜେଡି ପକ୍ଷରୁ ମଧ୍ୟ ଜୋରଦାର ପ୍ରୟାସ ହୋଇଥିଲା। ଜିଲ୍ଲା ଦାୟିତ୍ୱରେ ଥିବା ବିଜେଡି ନେତା ଓ ବରିଷ୍ଠ ମନ୍ତ୍ରୀମାନେ ସେଠାରେ ଡେରା ପକାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାର କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି।

ଏବେ ପ୍ରଶ୍ନ ଉଠୁଛି, ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ସମ୍ବଳିତ ଦାବିକୁ ବିଜେଡି ସମର୍ଥନ କରୁନାହିଁ ନା ବିଜେପି ଜାତୀୟ ନେତୃତ୍ୱଙ୍କ ଚାପରେ ବିଜେଡି ଚେପା ହୋଇସାରିଛି । ଯଦି ବନ୍ଦକୁ ସମର୍ଥନ କରିବାର ନଥିଲା ଅବା ଦାବି ଯୁକ୍ତିଯୁକ୍ତ ନଥିଲା ତା’ହେଲେ ମନ୍ତ୍ରିସ୍ତରୀୟ କମିଟି ଗଠନ ରାଜ୍ୟ ସରକାର କାହିଁକି କରିଥିଲେ? ଦାବି ପୂରଣ ପାଇଁ ସରକାରୀ ପ୍ରତିବନ୍ଧକ ଥିଲେ ରାଜନୀତିକ ଦଳ ଭାବେ ବିଜେଡି ନୈତିକ ସମର୍ଥନ ଦେଇପାରିନଥାନ୍ତା। ତାହା ନକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବନ୍ଦ ପାଳନ ଦିନ ହିଁ ବାରିପଦାରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ । ଯାହାକି କେନ୍ଦ୍ରର ବିଜେପି ସରକାର ପାଇଁ ‘ସୋନେ ପେ ସୁହାଗା’ ସାବ୍ୟସ୍ତ ହୋଇଥିବାବେଳେ ବିଜେଡି କର୍ମୀଙ୍କୁ ନିରବ ରହିବାକୁ ବାଧ୍ୟ କରିଥିଲା।

ଗତ ଦୁଇଦିନ ତଳେ ଭୁବନେଶ୍ୱରରେ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ୩ଜଣ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତି ତଥା ରାଜ୍ୟ ବିଜେପିର ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ବାର୍ତ୍ତାଳାପ ଓ ବଡ଼ି ଲାଙ୍ଗୁଏଜ୍ ହିଁ ଉଭୟ ଦଳ ଓ ସରକାରର ଘନିଷ୍ଠତାକୁ ସୂଚାଇ ଦେଇଥିଲା। ଗତ ୬ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ବିଲକୁ ସମର୍ଥନ ଜଣାଇ ବିଜେପି ଜାତୀୟ ନେତୃତ୍ୱଙ୍କ ନିକଟତର ହୋଇସାରିଥିବା ବିଜେଡି ଓ ବିଜେଡି ସୁପ୍ରିମୋ ଆଗାମୀଦିନରେ ଆଉ କେତେ ନିକଟତର ହେବେ ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା।

Ajira Rasifala (09.01.2020). ୯ ଜାନୁଆରୀ, ଗୁରୁବାର

ମେଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ:  ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ବନ୍ଧୁଙ୍କ ସହ ଦର୍ଶନୀୟ ସ୍ଥାନକୁ ବୁଲିବାକୁ  ଯାଇପାରନ୍ତି।

ମିଥୁନ:  ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ମାନ-ସମ୍ମାନ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

କର୍କଟ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଅସୁସ୍ଥ ଅନୁଭବ କରିପାରନ୍ତି।

ସିଂହ: ବିବାହ ସ୍ଥିର ହୋଇପାରେ। ଅଳସୁଆ ଅନୁଭବ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କନ୍ୟା:  ଘରେ ହସଖୁସିର ପରିବେଶ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ବିଚ୍ଛା: ଅପରାହ୍ନ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ଧନୁ: ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମକର:  ବ୍ୟସ୍ତତା ଭିତରେ ଦିନଟି କଟିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି।

କୁମ୍ଭ: ମାଲି ମକଦ୍ଦମାରେ ବିଜୟୀ ହେବେ। ଯାନବାହନ କିଣିପାରନ୍ତି। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମୀନ: ଦିନଟି ଭଲରେ କଟିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି।