୨୨ରୁ ଭୁବନେଶ୍ୱରରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଉନ୍ମୋଚିତ ହେଲା ଜର୍ସି ଓ ଲୋଗୋ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଦେଶରେ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ପ୍ରୟାସରେ ପ୍ରଥମଥର ଲାଗି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରାଯାଇଛି। ଏହି ଗେମ୍ସର ପ୍ରଥମ ସଂସ୍କରଣ ଚଳିତବର୍ଷ ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସ୍ଥାନୀୟ ରେଳବାଈ ଅଡିଟୋରିୟମରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଲୋଗୋ ଓ ଜର୍ସି ଉନ୍ମୋଚନ ହୋଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌, କେନ୍ଦ୍ର ପେଟ୍ରୋଲିୟନ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଉପସ୍ଥିତ ଥିଲେ।

ଉକ୍ତ କ୍ରୀଡ଼ାରେ ସମଗ୍ର ଦେଶରେ ୧୦୦ ବିଶ୍ୱବିଦ୍ୟାଳୟର ୪ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ। ଖେଳାଳିମାନେ ୧୭ଟି ଇଭେଣ୍ଟ ଯଥା ଆର୍ଚେରୀ, ଆଥଲେଟିକ୍ସ, ବକ୍ସିଂ, ଫେନସିଂ, ଜୁଡୋ, ସୁଇମିଂ, ୱେଟଲିଫଟିଙ୍ଗ୍‌, ରେସଲିଂ, ବ୍ୟାଡମିଣ୍ଟନ୍‌, ବାସ୍କେଟବଲ, ଫୁଟବଲ, ହକି, ଟେବୁଲ୍ ଟେନିସ୍‌, ଟେନିସ, ଭଲିବଲ୍‌, ରଗବୀ ଏବଂ କବାଡି ଆୟୋଜିତ ହେବ।

ଉନ୍ମୋଚନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ରିଜିଜୁ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ବର୍ତ୍ତମାନ ଦେଶର କ୍ରୀଡ଼ା ହବ୍ ଭାବେ ପରିଚିତ ହୋଇଛି। ଓଡ଼ିଶା ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍‌, ପୁରୁଷ ହକି ବିଶ୍ୱକପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲଟେନିସ୍ ଚାମ୍ପିୟନଶିପ୍ ଏବଂ ହକି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଭଳି ଇଭେଣ୍ଟ ଆୟୋଜନ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରିକି ଓଡ଼ିଶାକୁ ପୁଣିଥରେ ଅର୍ଥାତ୍ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବାର ଗୁରୁଦାୟିତ୍ୱ ମିଳିଛି। ତେଣୁ ଆଉ ଏକ କ୍ରୀଡ଼ାର ଆୟୋଜନ କରିବା ଆମ ପାଇଁ ଗର୍ବ ଓ ଗୌରବ କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ଶ୍ରୀ ପ୍ରଧାନ କହିଥିଲେ, କେବଳ ହକି ନୁହେଁ, ଆଥଲେଟିକ୍ସରେ ମଧ୍ୟ ବହୁତ ଭଲ ଭଲ ଖେଳାଳି ଅଲମ୍ପିକ ଯାଇ ସଫଳତା ଲାଭ କରିଛନ୍ତି। ଗତ ଅଲମ୍ପିକରେ ଦାରିଦ୍ର୍ୟମ ପୃଷ୍ଠଭୂମିରୁ ଆସି ମଧ୍ୟ ଧାବିକା ଦୂତି ଚାନ୍ଦ, ଆଥଲେଟ୍ ଶ୍ରାବଣୀ ନନ୍ଦ ବିଶେଷ ଭାବରେ ଓଡିଆ ଘରର ଝିଅମାନେ ନାଁ କରିପାରିଛନ୍ତି। ତେଣୁ ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର, ଭାରତ ସରକାର ତଥା ବିଭିନ୍ନ ଅନୁଷ୍ଠାନମାନଙ୍କ ପୃଷ୍ଠପୋଷକତାରେ ରାଜ୍ୟ ଖେଳ ଜଗତରେ ଥିବା ଅବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଖେଲୋ ଇଣ୍ଡିଆ ନୂଆ କଳ୍ପନା। ଭାରତବର୍ଷରେ ଲୁକ୍କାୟିତ ପ୍ରତିଭାକୁ ଖୋଜି ସାମ୍ନାକୁ ଆଣିବାର ପ୍ରୟାସ ହେଉଛି ଖେଲୋ ଇଣ୍ଡିଆ। ଓଡ଼ିଶା ଧୀରେଧୀରେ ଖେଳର ରାଜଧାନୀ ହେବା ପାଇଁ ଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ଧୀରେଧୀରେ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଖେଳ ନୂଆ ଉଚ୍ଚତାକୁ ଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ତଥା କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।

ପୂରଣ ହୋଇପାରିନି ଅନୁଭାଙ୍କ ଏହି ଆଶା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଅନୁଭା ଶୌର୍ଯ୍ୟା। ସେ ଯେତେ ଭଲ ଅଭିନୟ କରନ୍ତି ସେତେ ଭଲ ନାଚି ପାରନ୍ତି। ଭଲ ନାଚୁଥିବାରୁ ଅନୁଭାଙ୍କୁ ଡ୍ୟାନ୍ସିଂ କୁଇନ୍‌ ମଧ୍ୟ କୁହାଯାଏ। ୨୦୧୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ମୁଁ ପ୍ରେମୀ ମୁଁ ପାଗଳ’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ହରିହର ଦାସ। ତା’ପରେ ଅନୁଭାଙ୍କୁ  ଗୋଟେ ପରେ ଗୋଟେ ଫିଲ୍ମ ଅଫର ମିଳିଚାଲିଥିଲା।

ନିକଟରେ ସେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସେଲିବ୍ରେଟି-୧୦୦’ରେ ଯୋଗଦେଇ  ସେ ତାଙ୍କର କିଛି ପସନ୍ଦ ନାପସନ୍ଦ କଥା ଶେଆର କରିଥିଲେ। ଅନୁଭା କହିଥିଲେ ସେ ଜଣେ ଇଣ୍ଟ୍ରୋଭର୍ଟ(ଅନ୍ତର୍ମୁଖୀ), ସେ ବେଶି ଗପସପ କରିପାରନ୍ତିନି। ତାଙ୍କର ସେହି ଗୁଣ ଟାକୁ ପରିବର୍ତ୍ତନ କରିବାର ଅଛି। ଏଥିସହ ସେ କହିଥିଲେ ତାଙ୍କର ସ୍ୱପ୍ନ ଅଛି ଯେ ସେ ଥରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ କାମ କରିବେ। ଅନୁଭାଙ୍କୁ ବିଟେଲ୍‌ କାର୍‌ ପସନ୍ଦ। ଯେଉଁଥିରେ ମାତ୍ର ଦୁଇଟି ସିଟ୍‌ ଥିବ। ଅନୁଭାଙ୍କ କହିବା ଅନୁଯାୟୀ ତାଙ୍କୁ ସବୁବେଳେ ଛୋଟ ଜିନିଷ ଭଲ ଲାଗେ। ତେଣୁ ସେ ଛୋଟ କାର୍‌ ଧରିବାକୁ ଭଲ ପାଇବେ।

ସୂଚନାଯୋଗ୍ୟ, ‘ସ୍ୱିଟ୍‌ ହାର୍ଟ’, ‘ବଜରଙ୍ଗି’, ‘ସାତୀ ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମୀ ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି।

ମୁମ୍ବାଇ ମଡେଲ୍‌ଙ୍କ ସହ ରୋମାନ୍ସ କରିବେ ସ୍ୱରାଜ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ମୁମ୍ବାଇ ମଡେଲ୍‌ଙ୍କ ସହ କାମ କରିବେ ଓଲିଉଡ୍‌ ଅଭିନେତା ସ୍ୱରାଜ ବାରିକ୍। ଆଗକୁ ଏକ ଓଡିଆ ଚଳଚ୍ଚିତ୍ରରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ। ତେବେ ଏହି ମୁମ୍ବାଇ ମଡେଲ୍‌ କିଏ? ଫିଲ୍ମର ନାଁ କ’ଣ?

ସ୍ୱରାଜଙ୍କ କହିବା ଅନୁଯାୟୀ, ଫିଲ୍ମର ନାଁ ସ୍ଥିର କରାଯାଇ ନାହିଁ। ଏବଂ ମଡେଲ୍‌ଙ୍କ ବିଷୟରେ ତ ଏବେ କିଛି କହିବା ଠିକ୍‌ ହେବନି। କିନ୍ତୁ ଫିଲ୍ମର ଶୁଟିଂ ଫେବୃଆରୀ ୨୦ରୁ ଆରମ୍ଭ ହେବ ଏବଂ ମୁମ୍ବାଇ ନିର୍ଦ୍ଦେଶକ ଧରମ ବର୍ମା ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ବୋଲି ସୂଚନା ମିଳିଛି। ଧରମ ପୂର୍ବରୁ ଅନେକ ମରାଠି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମର ରିଲିଜ୍‌ ଜୁଲାଇ କିମ୍ବା ଅଗଷ୍ଟରେ ରଖାଯାଇଛି । ପୂର୍ବରୁ ସ୍ୱରାଜ ଭୂମିକା, ଶିବାନୀ, ଏଲିନା, ସନ୍‌ମିରାଙ୍କ ସହ କାମ କରିଥିବା ବେଳେ ପ୍ରଥମ ଥର ଜଣେ ମଡେଲ୍‌ଙ୍କ ସହ କାମ କରିବାକୁ ନେଇ ବେଶ୍‌ ଖୁସି ଅଛନ୍ତି। ସ୍ୱରାଜଙ୍କ କହିବା ଅନୁଯାୟୀ, ସେ ୩ ବର୍ଷ ଭିତରେ ୫ଟି ଫିଲ୍ମ କରିଛନ୍ତି। ଯେହେତୁ ସେ ବାଛି ବାଛି ଫିଲ୍ମ କରିଛନ୍ତି ସେଥିପାଇଁ ସେ ଅଧିକ ଫିଲ୍ମ କରିପାରିନାହାନ୍ତି। ତଥାପି ଦର୍ଶକ ତାଙ୍କୁ ଭଲ ପାଇବା ଦେଉଥିବାରୁ ଧନ୍ୟବାଦ।ସୂଚନା ଅନୁଯାୟୀ,  ସ୍ୱରାଜ ‘ତୁ ମୋ ଲଭ୍‌ ଷ୍ଟୋରୀ’, ‘ଲୈଲା ଓ ଲୈଲା’, ‘ଲଭ୍‌ ଏକ୍ସପ୍ରେସ୍’, ଆଦି ଫିଲ୍ମରେ ଲିଡ୍‌ରେ ନଜର ଆସିଛନ୍ତି। ଶିଶୁ କଳାକାର ଭାବେ ଅଭିନୟର ଯାତ୍ରା ଆରମ୍ଭ କରିଥିବା ସ୍ୱରାଜ ‘ତୁ ମୋ ଲଭ୍‌ ଷ୍ଟୋରୀ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଲିଡ୍‌ରେ ନଜର ଆସିଥିଲେ ଚୁଲ୍‌ବୁଲି ନାୟିକା ଭୂମିକା।

କଶ୍ମୀର ପଣ୍ଡିତଙ୍କ ହୃଦୟଥରା ଗାଥା ବଖାଣିବ ‘ଶିକାରା’, ଆସିଲା ଟ୍ରେଲର ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ଭାରତ ଇତିହାସରେ ଅନ୍ୟତମ ଦୁଃଖଦ ଅଙ୍ଗ କୁହାଯାଉଥିବା କଶ୍ମୀର ପଣ୍ଡିତମାନଙ୍କ ଜମ୍ମୁ-କଶ୍ମୀର ଛାଡ଼ିବା କାହାଣୀ ଆଜିବି ଅଜଣା ହୋଇ ରହିଛି। ବର୍ତ୍ତମାନ କଶ୍ମୀର ପ୍ରସଙ୍ଗ ଚର୍ଚ୍ଚାରେ ଥିବାବେଳେ ପ୍ରସିଦ୍ଧ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା ଏହାକୁ ନେଇ ଏକ ଫିଲ୍ମ ଆଣିବାକୁ ଯାଉଛନ୍ତି। ୧୯୯୦ ମସିହାରେ କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଆସିବାକୁ ଥିବା ଏହି ଫିଲ୍ମରେ ସେମାନେ ଘର ଛାଡ଼ିବାର କାରଣ ସହ ଜଡ଼ିତ କାହାଣୀ ରହିଥିବା କୁହାଯାଉଛି।

ଏହି ଫିଲ୍ମରେ ଦୁଇ ନବାଗତ ସାଦିଆ ଏବଂ ଆଦିଲ ଖାନ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ବୟାନ କରାଯାଇଛି ୧୯୯୦ ମସିହା ଜାନୁଆରୀରେ କିଭଳି ହଜାର ହଜାର କଶ୍ମିରୀ ପଣ୍ଡିତ କିଭଳି ଭିଟାମାଟି ଛାଡ଼ି ହିନ୍ଦୁ ବହୁଳ ଅନ୍ୟ ଅଞ୍ଚଳ ଆଡ଼କୁ ମୁହାଁଇଥିଲେ।

୨ ମିନିଟ୍‌ ୩୪ ସେକେଣ୍ଡର ଏକ ଟ୍ରେଲର ଆରମ୍ଭରେ ଏକ ରୋମାଣ୍ଟିକ୍‌ ଦୃଶ୍ୟ ରହିଛି। ଏକ ଦମ୍ପତ୍ତି ବେଶ୍‌ ଖୁସିଥିବା ଏହି ଦୃଶ୍ୟରେ ଦେଖାଯାଇଛି। କିନ୍ତୁ ହଠାତ ସବୁକିଛି ବଦଳିଯାଉଛି। ସେମାନେ ବାହାରେ ହୋହଲ୍ଲା ଶୁଣି ଚମକି ପଡ଼ୁଛନ୍ତି। ଦେଖିବାବେଳକୁ ବାହାରେ ନିଆଁ ଏବଂ ଧମକପୂର୍ଣ୍ଣ ଆହ୍ୱାନ। ଏଥିରେ କିଛି ପୁରୁଣା ଭିଡିଓ ଏବଂ ନ୍ୟୁଜ୍‌ କ୍ଲିପ୍‌ ମଧ୍ୟ ଯୋଡ଼ାଯାଇଛି। ଶେଷରେ କଶ୍ମୀର ପଣ୍ଡିତମାନେ ଶରଣାର୍ଥୀ କ୍ୟାମ୍ପରେ ଥିବା ଦେଖିବାକୁ ମିଳୁଛି।

ଆସନ୍ତା ଫେବୃଆରୀ ୭ ତାରିଖରେ ଏହି ଫିଲ୍ମ ରିଲିଜ୍‌ ହେବ। ଏହା ପୂର୍ବରୁ ଡିସେମ୍ବର ୨୦ରେ ଏହାର ମୋସନ୍‌ ପୋଷ୍ଟର ରିଲିଜ୍‌ ହୋଇଥିଲା। ଏହି ଫିଲ୍ମଟି ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରଯୋଜିତ। ଏହାର ସ୍କ୍ରିନ୍‌ପ୍ଲେ ବିଧୁ ବିନୋଦ ଚୋପ୍ରାଙ୍କ ସହ ରାହୁଲ ପଣ୍ଡିତ ଏବଂ ଅଭିଜାତ ଯୋଷୀ ମିଳିତ ଭାବେ ରଚନା କରିଛନ୍ତି। ଏଆର ରେହମାନ୍‌ ଏବଂ ମ୍ୟୁଜିକାଲ ଗ୍ରୁପ୍‌ କୁତାବ୍‌ ଏ କୃପା ଏହାର ସଂଗୀତ ଦେଇଛନ୍ତି।

ଜେଏନୟୁ ହିଂସା: ମୁହଁ ଖୋଲିଲେ କୁଳପତି, ନିରାଶ ହେଲା କ୍ରାଇମବ୍ରାଞ୍ଚ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଶେଷରେ ଜେଏନୟୁରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ମୁହଁ ଖୋଲିଛନ୍ତି କୁଳପତି ଏମ ଜଗଦେଶ କୁମାର। ହିଂସା ଘଟଣା ତାଙ୍କୁ ମର୍ମାହତ କରିଛି ଓ ଘଟଣାର ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

କୁଳପତି ଜଗଦେଶ ହିଂସା ଘଟଣାକୁ ଠିକ ଭାବେ ହ୍ୟାଣ୍ଡେଲ କରି ନଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରିବା ସହ ଇସ୍ତଫା ଦେବାକୁ ଦାବି କରାଯାଇଥିଲା। ତେବେ ଘଟଣାର ପ୍ରାୟ ୪୮ ଘଣ୍ଟା ପରେ ସେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଜେଏନୟୁ ଏମିତି ଏକ ସ୍ଥାନ ଯେଉଁଠାରେ ବିତର୍କକୁ ଅଧିକ ଗୁରୁତ୍ୱ ଦିଆଯାଏ।

ରବିବାର ଯାହା ଘଟିଲା, ତାହା ଆମ ସମସ୍ତଙ୍କ ପାଇଁ ଯନ୍ତ୍ରଣା ଦାୟକ। ଆମେ ପୁଲିସ୍‌କୁ ଡାକିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ପୁଲିସ୍‌ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ଆକ୍ରମଣକାରୀମାନେ କିଏ ଏବଂ ସେମାନଙ୍କୁ କିଏ ପଠାଇଥିଲା, ତାହା ଆପେଆପେ ସ୍ପଷ୍ଟ ହୋଇଯିବ।”

ସେମିଷ୍ଟର ପାଇଁ ପଞ୍ଜୀକରଣ ସମ୍ପର୍କରେ ସେ କହିଛନ୍ତି, “ବିଶ୍ୱବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ସେମିଷ୍ଟର ସପକ୍ଷରେ ରହିଛନ୍ତି। ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବେ ପୁଣିଥରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଆମେ ଛାତ୍ରଛାତ୍ରୀମାନଙ୍କୁ କେବେ ହେଲେ ଅଲଗା ଅଲଗା ଗ୍ରୁପରେ ଦେଖିନାହୁଁ। ଆମ ପାଇଁ ସମସ୍ତେ ସମାନ। ଏହାକୁ ନେଇ ବିବାଦ କରା ନଯାଉ।”

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ପ୍ରମୋଦ କୁମାର କହିଛନ୍ତି, “ଭାଙ୍ଗାରୁଜା ଯୋଗୁ କ୍ୟାମ୍ପସରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭଙ୍ଗାରୁଜା ଘଟଣାରେ ସାମିଲ ଥିବା ଛାତ୍ରାଛାତ୍ରୀ ଚିହ୍ନଟ କରାଯାଉଛି। ଗୁଣ୍ଡାଗର୍ଦ୍ଦିରେ ସାମିଲ ଥିବା ଶିକ୍ଷାର୍ଥୀଙ୍କ ଠାରୁ ହିଁ ଭଙ୍ଗାରୁଜାର କ୍ଷତିପୂରଣ ଅର୍ଥ ଆଦାୟ ହେବ।”

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ୟାମ୍ପସରେ ସିସିଟିଭ ଫୁଟେଜକୁ କ୍ରାଇମବ୍ରାଞ୍ଚ ହାସଲ କରିପାରିନାହିଁ। ଜାନୁଆରୀ ୩ରୁ ସର୍ଭର ଅଚଳ ହୋଇଯାଇଥିବାରୁ ସିସିଟିଭି କୌଣସି କଥାକୁ ରେକର୍ଡ କରିପାରି ନଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଆଜି କ୍ରାଇମବ୍ରାଞ୍ଚ ଅଧିକାରୀ ସିସିଟିଭି ଫୁଟେଜ ଆଣିବାକୁ ଜେଏନୟୁ କ୍ୟାମ୍ପସ ଯାଇଥିଲେ। ହେଲେ ଅଧିକାରୀମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏବେ କେବଳ ହ୍ୱାଟସଆପ ଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଉପରେ ହିଁ ପୁଲିସ୍‌କୁ ନିର୍ଭର କରିବାକୁ ପଡ଼ିଛି।

୨୦୧୯-୨୦ର ଆର୍ଥିକ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଦେଶରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି। ସରକାର କିନ୍ତୁ ମାନ୍ଦାବସ୍ଥାକୁ ସ୍ୱୀକାର କରୁନଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଗତ ଆର୍ଥିକ ବର୍ଷରେ କିନ୍ତୁ ଦେଶର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ପ୍ରକାଶ ପାଇବା ପୂର୍ବରୁ ନ୍ୟାଶନାଲ ଷ୍ଟାଟିସଟିକାଲ ଅଫିସ (ଏନଏସଓ) ଏହା ଆକଳନ କରିଛି। ସେହିପରି ଚଳିତ ଆର୍ଥିକ ବର୍ଷର ଜିଭିଏ ୪.୯ ପ୍ରତିଶତ ରହିବ ବୋଲି ଅନୁମାନ କରିଛି ସରକାରଙ୍କ ଏହି ସଂସ୍ଥା।

ଜୁନରୁ ସେପ୍ଟେମ୍ୱର ମଧ୍ୟରେ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତରୁ କମି ୪.୫ ପ୍ରତିଶତ ହୋଇଛି। ଯାହାକି ସାଢ଼େ ୬ ବର୍ଷ ମଧ୍ୟରେ ସବୁଠୁ କମ୍। ଏମିତିକି ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଦେଶର ଅଭିବୃଦ୍ଧି ହାର ବର୍ଷ ଶେଷ ସୁଦ୍ଧା ୭.୪ ପ୍ରତିଶତ ଅଭିବୃଦ୍ଧି ହାର ରହିବ ବୋଲି ଆକଳନ କରିଥିଲା ଆରବିଆଇ। ହେଲେ ଏବେ ୫ ପ୍ରତିଶତ ଅଭିବୃଦ୍ଧି ହାର ରହିବ ବୋଲି ଆରବିଆଇ ସ୍ୱୀକାର କରିଛି।

ବାର୍ଷିକ ଅଭିବୃଦ୍ଧି ହାର ଆକଳନ ପାଇଁ ୨୦୧୯ର ଏପ୍ରିଲ୍-ଅକ୍ଟୋବର ଆଇଆଇପି, ଫସଲ ଉତ୍ପାଦନ, କେନ୍ଦ୍ର ଓ ରାଜ୍ୟର ରାଜସ୍ୱ, ରେଳ ବାଇର ରୋଜଗାର, ଏୟାର କାର୍ଗୋ ହ୍ୟାଣ୍ଡେଲ, କାର ବିକ୍ରି ସହିତ ଅନ୍ୟାନ୍ୟ ତାଲିକା। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଫେବୃଆରୀ ୧ରେ ସାଧାରଣ ବଜେଟ ଆଗତ କରିବାକୁ ଯାଉଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ବଜେଟ ପରେ ଆକଳନ କରାଯିବ।

‘ହିଂସାର ବାତାବରଣ ପାଇଁ କଂଗ୍ରେସ ଓ କମ୍ୟୁନିଷ୍ଟ୍ ଦଳ ପ୍ରୟାସ କରୁଛନ୍ତି’ – ବିଜେପି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ବନ୍ଦ ପାଳନ ନାଁରେ କଂଗ୍ରେସ ଓ କମ୍ୟୁନିଷ୍ଟମାନେ ସବୁବେଳେ ହିଂସାକାଣ୍ଡ କରନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଏପରି ଅନେକଥର ହୋଇଛି। ଦେଶରେ ହିଂସା ଓ ଭୟର ବାତାବରଣ କରିବା ଏହି ବନ୍ଦ ପାଳନର ଉଦ୍ଦେଶ୍ୟ ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତିା ସମଗ୍ର ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତିା ଏହି ଆଇନ ସଂସଦରେ ପାରିତ ହେବାବେଳେ ଯେଉଁ କିଛି ସ୍ଥାନରେ ମୁସଲମାନମାନେ ବିରୋଧ ପ୍ରଦର୍ଶନ କରୁଥିଲେ ତାହା ସେମାନେ ବନ୍ଦ କରିସାରିଲେଣିା ଏହି ନାଗରିକ ସଂଶୋଧନ ଆଇନରେ ସେମାନଙ୍କର କିଛି କ୍ଷତି ହେବ ନାହିାଁ କେବଳ ବାମପନ୍ଥୀ, କଂଗ୍ରେସ ଓ ଅନ୍ୟ କେତେକ ଦଳ ସାଧାରଣ ଲୋକଙ୍କ ମନରେ ମିଛ ଗୁଜବ ପ୍ରଚାର କରି ହିଂସା କରିବା ପାଇଁ ଉସୁକାଉଥିଲୋ ମାତ୍ର ଦେଶର ନାଗରିକ ମାନେ ସେମାନଙ୍କର ଏହି ମିଛ ଗୁଜବକୁ ବୁଝିସାରିଲାପରେ ଏବେ ସେମାନେ ଦେଶରେ ବନ୍ଦପାଳନ କରିବା ପାଇଁ ଡାକରା ଦେଇଛନ୍ତି। ଦେଶର ଜନତା ଏମାନଙ୍କର ଏହି ବନ୍ଦ ପାଳନକୁ କଦାପି ସମର୍ଥନ କରିବେ ନାହିାଁ

ମାତ୍ର ୬ ମାସ ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ରାଷ୍ଟ୍ରହିତରେ ଅନେକ ପଦକ୍ଷେପ ନେଇଛନ୍ତିା ଧାରା ୩୭୦ର ଉଛେଦ, ନାଗରିକ ଆଇନରେ ସଂଶୋଧନ ଭଳି ଐତିହାସିକ ପଦକ୍ଷେପ ବାମପନ୍ଥୀ ଓ କଂଗ୍ରେସର ନିଦ ହଜାଇ ଦେଇଛି। ଦେଶରେ ବାମପନ୍ଥୀ ଓ କଂଗ୍ରେସର ବିଚାରାଧାରକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। କେବଳ ନିଜର ପରିଚୟ ବଞ୍ଚାଇବା ପାଇଁ ସେମାନଙ୍କର ଏହି ବନ୍ଦ ପାଳନ। କଂଗ୍ରେସ ଓ ବାମପନ୍ଥୀମାନଙ୍କର ଏହି ବନ୍ଦ ପାଳନ ସେମାନଙ୍କର ହତାଶାଭାବକୁ ଦେଖାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶା ପୁଲିସ ଆଗୁଆ ପଦକ୍ଷେପ ନେଇ କିପରି ଏହି ଦୁଇ ଦଳର ଗୁଣ୍ଡାମାନେ ଆସନ୍ତାକାଲି ହିଂସା ଓ ପୋଡ଼ାଜଳା ନକରିବେ ସେଥିପ୍ରତି ସଜାଗ ରୁହନ୍ତୁ। ସାଧାରଣ ଲୋକମାନେ କେମିତି ଏମାନଙ୍କର ଗୁଣ୍ଡାରାଜରେ ପ୍ରଭାବିତ ହେବେନାହିଁ ସେଥିପାଇଁ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାର ତଦନ୍ତ ଦାବି କଲା କଂଗ୍ରେସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ବ୍ରହ୍ମପୁର ନିକଟସ୍ଥ ଉତ୍କଳ ବାଳାଶ୍ରମରୁ ଗତକାଲି ୧୩ ଜଣ ନାବାଳିକା ନିଖୋଜ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। ଏହାସହିତ ପ୍ରଦେଶ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ଘଟଣାର ବିସ୍ତୃତ ତଦନ୍ତ ସହ ସବିଶେଷ ତଥ୍ୟ ରାଜ୍ୟବାସୀଙ୍କ ଆଗରେ ରଖିବାକୁ ମଧ୍ୟ ଲିଖିତ ଭାବେ ଦାବି ଉପସ୍ଥାପନ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ବିଗତ ୧ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୮ ଜଣ ନାବାଳିକା ନିଖୋଜ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଗୋଟିଏ ଦିନରେ ଗୋଟିଏ ବାଳାଶ୍ରମରୁ ୧୩ ଜଣ ନାବାଳିକା ନିଖୋଜ ହେବା ଏବଂ ପ୍ରାୟ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ସୁରାକ ପାଉନଥିବା ଘଟଣା ବାଳାଶ୍ରମଗୁଡ଼ିକରେ ରହୁଥିବା ନାବାଳକ ଓ ନାବାଳିକାମାନଙ୍କର ସୁରକ୍ଷା କେତେ ବିପନ୍ନ ତାହା ପ୍ରମାଣିତ କରୁଛି। ପ୍ରତ୍ୟେକ ବର୍ଷ ରାଜ୍ୟରେ ଯେଭଳି ଶତାଧିକ ନାବାଳକ ଓ ନାବାଳିକା ନିଖୋଜ ହେଉଛନ୍ତି ଏହା ପଛରେ ଏକାଧିକ ଶିଶୁ ଚାଲାଣ ର‌୍ୟାକେଟ୍ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର କିଛି ଅଧିକାରୀଙ୍କ ସଲାସୁତୁରାରେ ଏହି ର‌୍ୟାକେଟ୍ କାର୍ଯ୍ୟ କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଗତ ୧ ବର୍ଷ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ୭ଟି ବିଭିନ୍ନ ବାଳାଶ୍ରମରୁ ୩୮ ଜଣ ନାବାଳିକା ନିଖୋଜ ହୋଇଛନ୍ତି। ଆହୁରି ଦୁର୍ଭାଗ୍ୟଜନକ ଯେ ଦୁଇଜଣ ନାବାଳିକା ଅନ୍ତେବାସିନୀ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଥିବା ସତ୍ୱେ କୌଣସି ଅଧିକାରୀ ବା ବାଳାଶ୍ରମ କର୍ତୃପକ୍ଷଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଘଟଣା ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଖାମଖିଆଲି ନୀତିକୁ ଦର୍ଶାଉଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ, ୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ୬୫୭୯ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି। ଏଥିରୁ ୫୦୨୮ ଜଣ ହେଉଛନ୍ତି କେବଳ ନାବାଳିକା। ଏଭଳି ଅଭାବନୀୟ ଓ ହୃଦୟବିଦାରକ ତଥ୍ୟ ପ୍ରମାଣ କରୁଛି ଯେ ରାଜ୍ୟରେ ଅନାଥ ଓ ବିପନ୍ନ ଶିଶୁମାନଙ୍କର ଏକାଧିକ ଚାଲାଣ ର‌୍ୟାକେଟ୍ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ଉକ୍ରଳ ବାଳାଶ୍ରମରେ ହୋଇଥିବା ୧୩ ଜଣ ନାବାଳିକା ଘଟଣାର ତୁରନ୍ତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କୁ ସାକ୍ଷାତ କରିବା ସହ ଅବିଳମ୍ବେ ଅଧ୍ୟକ୍ଷା ଘଟଣାସ୍ଥଳ ଗସ୍ତ କରି ରାଜ୍ୟବାସୀଙ୍କ ଆଗରେ ଉକ୍ତ ଘଟଣାର ସବିଶେଷ ତଥ୍ୟର ଖୁଲାସା କରିବାକୁ କଂଗ୍ରେସ ପ୍ରତିନିଧିମଣ୍ଡଳୀମାନେ ଦୃଢ଼ ଦାବି କରିଛନ୍ତି। ଉକ୍ତ କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ରଶ୍ମି ମହାପାତ୍ର, ବୀଣାପାଣି ସାମଲ, ସ୍ୱାଧିନବାଳା ଦାସ, ଶ୍ରୀୟାସ୍ମିତା ପଣ୍ଡା, ସିପ୍ରା ସେନାପତି, ସତ୍ୟପ୍ରକାଶ ନାୟକ, ପଦ୍ମାକର ଗୁରୁ, ନରେଶ ମହାନ୍ତି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ରାତି ଅଧରେ ୧୩ ମାରିଲେ ଚମ୍ପଟ; ୩ ଜଣ ସସ୍‌ପେଣ୍ଡ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର): ରାତିର ଅନ୍ଧକାର ସୁଯୋଗ ନେଇ ବାଳାଶ୍ରମରୁ ୧୩ ଜଣ ନାବାଳିକା ଚମ୍ପଟ ମାରିଛନ୍ତି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ୭ ଜଣଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଏହି ଅଭିଯୋଗରେ ୩ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଗତକାଲି ବିଳମ୍ୱିତ ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରେ ରହୁଥିବା ୧୩ ନାବାଳିକା ଚମ୍ପଟ ମାରିଥିଲେ। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଚମ୍ପଟ ମାରିଥିବା ୧୩ ଜଣଙ୍କ ଭିତରୁ ୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୫ ଜଣ, ଜଗନ୍ନାଥପ୍ରସାଦ ଓ ଚିକିଟି ଅଞ୍ଚଳରୁ ଜଣେ ଲେଖାଏଁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି। ସେମାନଙ୍କ ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ପୁଲିସ ଚେଷ୍ଟା ଚଳାଇଛି।

ବ୍ରହ୍ମପୁର ଉପଜିଲ୍ଲା ସିନ୍ଧେ ଦତ୍ତାତ୍ରେୟ ଭାଓସାହେବ ଆଜି ବଳାଶ୍ରମ ଯାଇ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସିକ୍ୟୁରିଟି ଗାର୍ଡ ଭାଗ୍ୟଶ୍ରୀ, ହାଉସ ମଦର ଲକ୍ଷ୍ମୀ ମହାରଣା ଓ ୱାଚମ୍ୟାନ ପର୍ଶୁରାମ ବେହେରାଙ୍କୁ ଜିଲ୍ଲାପାଳ ସସ୍‌ପେଣ୍ଡ କରିଛନ୍ତି।

ଶିଶୁପାଳ କରିଦେବନି ତ ଛାମୁ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଆସନ୍ତା ଏପ୍ରିଲ୍ ସୁଦ୍ଧା ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନକୁ ନେଇ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା।   ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ ଲାଗି ସ୍ଥିତି ଅସ୍ପଷ୍ଟ ରହିଛି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ।  ଏସବୁ ଭିତରେ ଶାସକ ଦଳର ନେତାମାନେ ଆରମ୍ଭ କଲେଣି ଲବି।

ସୋରଜୀନି ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ, ରଂଜୀବ ବିଶ୍ୱାଳ। ଆସନ୍ତା ଏପ୍ରିଲ ମାସରେ ଏମାନଙ୍କ କାର୍ଯ୍ୟକାଳ ସରିବା ସହ ଖାଲି ହେବ ତିନି ରାଜ୍ୟସଭା ଆସନ। ତା’ସହିତ ଲୋକସଭାକୁ ନିର୍ବାଚିତ ଅନୁଭବ ମହାନ୍ତିଙ୍କ ସ୍ଥାନ ବି ଖାଲି ରହିଛି । ଏହି ୪ ଆସନ ପାଇଁ କିଏ ଯିବେ ରାଜ୍ୟସଭା, କାହା ଉପରେ ଭରସା କରିବେ ନବୀନ, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ଆସନ ଯିବା ନିଶ୍ଚିତ। ଏଥିପାଇଁ ଗତ ନିର୍ବାଚନରେ ହାରିଥିବା ଅନେକ ଟପ୍ ନେତା ଆରମ୍ଭ କରିଦେଲେଣି ଲବି। ପଶ୍ଚିମଓଡିଶାରୁ  କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ନଳୀନି ପ୍ରଧାନ ପ୍ରମୁଖ ଦାବିଦାର ଥିବା କୁହାଯାଉଛି। ଏପଟେ ସଂଜୟ ଦାଶବର୍ମା, ଦେବାଶିଷ ସାମନ୍ତରାୟ, ମହେଶ୍ୱର ମହାନ୍ତି, ରବୀନ୍ଦ୍ର ଜେନା ଓ  ଦେବାଶିଷ ମାରାଣ୍ଡି  ମଧ୍ୟ ରେସ୍‌ରେ ଥିବା ଚର୍ଚ୍ଚା ହେଉଛି। ସେହିପରି ନିର୍ବାଚନ ବେଳେ ନବୀନ ଦୁଇ ପୁରୁଖା ପ୍ରସନ୍ନ ପାଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ଲାଗି ନବୀନ ଖୋଲା ଘୋଷଣା କରିଥିଲେ। ତା’ସହିତ ଅନୁସୂଚିତ ଜାତି ଓ ଜାନଜାତି ଏବଂ ମହିଳାଙ୍କ କଥା ବି ନବୀନଙ୍କୁ ଧ୍ୟାନରେ ରଖିବାକୁ ପଡିବ। ତେବେ ଏସବୁ ଆଶାୟୀ ନା ସବୁଥର ଭଳି ଏଥର ବି କିଛି ସରପ୍ରାଇଜ୍ ଦେବେ ନବୀନ ତାକୁ ନେଇ ଦଳର ଭିତରେ ଚର୍ଚ୍ଚା ଚାଲିଛି ।

ସେପଟେ ଏଥର ରାଜ୍ୟସଭା ନିର୍ବାଚନ ଗଣିତକୁ ଓଲଟାପାଲଟ କରିପାରେ ବିଧାନ ପରିଷଦ ଗଠନ ପ୍ରସ୍ତାବ । ଗତଥର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର  କରୁଛି ବିଧାନ ପରିଷଦ ଡିଲ୍ ଉପରେ।  କାରଣ ଫେବୃୟାରୀ ମାସରେ ଅଧିବେଶନ ସମୟରେ ବିଧାନ ପରିଷଦ ବିଲ୍ ଆସିବା ନେଇ ବିଜେଡି ଆଶା ରଖିଛି । ସାଂସଦ ପିନାକୀ ମିଶ୍ର ପୂର୍ବରୁ ଏନେଇ ସୂଚନା ଦେଇଥିଲେ।  ଆଉ ମାର୍ଚ୍ଚ ମାସରେ ରାଜ୍ୟସଭା ନିର୍ବାଚନ ସମ୍ଭାବନା ରହିଛି।  ବିଧାନ ପରିଷଦ ବିଲ୍ ପାସ୍ ହେଲେ ବିଜେପିକୁ ଗୋଟିଏ କି ଦୁଇଟି ଆସନ ଛାଡିପାରେ ବିଜେଡି।  ସେପଟେ ଚତୁର୍ଥ ଆସନ ପାଇଁ ଟଣାଓଟରାର ସମ୍ଭାବନା ରହିଛି। କାରଣ ଏନେଇ କାହା ପାଖାରେ ସଂଖ୍ୟା ନାହିଁ। ଏବେ ବିଜେପି-ବିଜେଡି ମଧ୍ୟରେ ମଧୁର ସଂପର୍କ ରହିଛି।  ରାଜ୍ୟସଭା ନିର୍ବାଚନ ଏହି ସଂପର୍କକୁ ଅଧିକ ମଜଭୁତ୍‌ କରିବ ନା ବିଗାଡ଼ିବ ତା ଉପରେ ନଜର ରହିଛି।