ବନ୍ଦକୁ ଓଡ଼ିଶାବାସୀ ଖାରଜ କରିଛନ୍ତି : ବିଜେପି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): କଂଗ୍ରେସ ଏବଂ ବାମପନ୍ଥୀଙ୍କ ‘ଭାରତ ବନ୍ଦ’ ଆଜି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ଓ ଓଡ଼ିଶାବାସୀ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଜି ରାଜ୍ୟରେ ଜୀବନଯାତ୍ରା ପୁରା ସ୍ୱାଭାବିକ ରହିଥିଲା। କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ। ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ଥିଲା। ରାଜଧାନୀ ଭୁବନେଶ୍ୱର, କଟକ ସମେତ ସବୁ ବଡ଼ ସହରରେ ଲୋକମାନେ ଏହି ବନ୍ଦକୁ ପ୍ରତ୍ୟାଖାନ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶର ଜନତା ଉଭୟ ବାମପନ୍ଥୀ ଓ କଂଗ୍ରେସକୁ ନିର୍ବାଚନୀ ମଇଦାନରେ ପ୍ରତ୍ୟାଖାନ କରିଛନ୍ତିା ସାରା ଦେଶ ଆଜି ମୋଦିଙ୍କ ବିକାଶରେ ସାମିଲ ହୋଇଛିା କଂଗ୍ରେସ ଓ ବାମପନ୍ଥୀ ମାନଙ୍କର ଏହି ବନ୍ଦ ପାଳନ ସେମାନଙ୍କର ହତାଶାଭାବକୁ ଦେଖାଉଛି। ମାତ୍ର ୬ ମାସରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ରାଷ୍ଟ୍ରହିତରେ ଅନେକ ପଦକ୍ଷେପ ନେଇଛନ୍ତିା ଧାରା ୩୭୦ର ଉଚ୍ଛେଦ, ନାଗରିକ ଆଇନରେ ସଂଶୋଧନ ଭଳି ଐତିହାସିକ ପଦକ୍ଷେପ ବାମପନ୍ଥୀ ଓ କଂଗ୍ରେସର ନିଦ ହଜାଇ ଦେଇଛି। ଦେଶରେ ବାମପନ୍ଥୀ ଓ କଂଗ୍ରେସର ବିଚାରାଧାରକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। କେବଳ ନିଜର ପରିଚୟ ବଞ୍ଚାଇବା ପାଇଁ ସେମାନଙ୍କର ଏହି ବନ୍ଦ ପାଳନ ଥିଲା ଯାହାକୁ ଲୋକମାନେ ବୁଝିପାରିଛନ୍ତିା ଯେଉଁମାନେ ଭାରତ ବନ୍ଦ କରୁଛନ୍ତି ସେମାନେ କାହିଁକି ବନ୍ଦ କରୁଛନ୍ତି ତାହା ସେମାନେ ସ୍ପଷ୍ଟ କରିପାରୁନାହାନ୍ତି।

ଏହାଦ୍ୱାରା ଶ୍ରମିକ ମାନଙ୍କର କ’ଣ କ୍ଷତି ହେବ ତାହା ସେମାନେ ବୁଝାଇବାରେ ଅକ୍ଷମ । ଅଣସଂଗଠିତ ଶ୍ରମିକମାନଙ୍କର ପେନସନ୍ ପାଇଁ ଆଗରୁ କୌଣସି ସରକାର ଚିନ୍ତା କରିନଥିଲୋ ନରେନ୍ଦ୍ର ମୋଦିଙ୍କର ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧନ ଯୋଜନା ଅଧିନରେ ଶ୍ରମିକ ମାନଙ୍କ ପାଇଁ ପେନସନର ବ୍ୟବସ୍ଥା କଲେ। ମାସକୁ ଅତିକମରେ ୩୦୦୦ ଟଙ୍କାର ପେନସନର ବ୍ୟବସ୍ଥା କରିଛନ୍ତି। କେବଳ ସେତିକି ନୁହେଁ ମୋଦି ସରକାର ପ୍ରୋଭିଡେଟ୍ ଫଣ୍ଡରେ ସୁଧାର ଆଣି ଏହାକୁ ଶ୍ରମିକ କଲ୍ୟାଣ ଅଭିମୁଖୀ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଏହି ଅବସରରେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମ୍ରୁଖ ଉପସ୍ଥିତ ଥିଲେ ।

ଜାତୀୟ ଶିକ୍ଷାନୀତି ଖଷଡାକୁ ନେଇ ଆଲୋଚନା ଚକ୍ର…

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀଦେବୀଙ୍କ ଅଧ୍ୟକ୍ଷତାରେ “ଜାତୀୟ ଶିକ୍ଷା ନିତୀ ଖଷଡା-୨୦୧୯” ଶିର୍ଷକରେ ଏକ ଜାତୀୟସ୍ତରର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଡ.ସ୍ନେହ ପ୍ରଭା ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଡ.ଜିତେନ୍ଦ୍ରନାଥ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ଆମନ୍ତ୍ରିତ ଅତିଥି ଅବସର ପ୍ରାପ୍ତ ପ୍ରଧ୍ୟାପକ ଡ.ରଂଜିତ କୁମାର ପତି ଜାତୀୟ ଶିକ୍ଷାନିତୀ ଖଷଡା ଓ ତାର ଉକ୍ରର୍ଷତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ନୂଆଦିଲ୍ଲୀ ସ୍ଥିତ ଜବହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ସମାଜ ଶାସ୍ତ୍ର ବିଭାଗର ସହାୟକ ପ୍ରଧ୍ୟାପକ ପ୍ରଦୀପ କୁମାର ଚୌଧୁରୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଜାତୀୟ ଶିକ୍ଷାନିତୀର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଶିକ୍ଷାନିତି ଉପରେ ରହିଥିବା ଆଭିମୁଖ୍ୟ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ପ୍ରଧ୍ୟାପକ ଡ.ପ୍ରଜ୍ଞା ପାଣି, ଡ.ବିଘ୍ନେଶ୍ୱର ମିଶ୍ର, ଡ. ସନ୍ଦୀପନ ବାନାର୍ଜୀ, ଅଧ୍ୟାପକ ବୈ÷ଲଚନ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିବାବେଳେ ଆଲୋଚନା ଚକ୍ରକୁ ଡ. ଭଜମନ ବେହେରା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଡ.ଚନ୍ଦ୍ର ଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟ ବିଚାରପତିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) -ପାରଳାଖେମୁଣ୍ଡିର ଝିଅ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଜିଲାର ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସେ ୧୯୫୯ ମସିହା ଜୁଲାଇ ମାସରେ ପାରଳାଖେମୁଣ୍ଡି ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବିଚାରପତି ଜି.ଏଚ୍‌.ପଣ୍ଡା ପାରଳାଖେମୁଣ୍ଡି କୋର୍ଟରେ ଏସ୍‌ଡିଜେଏମ୍ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଏଠାରେ ଜନ୍ମଲାଭ କରିଥିବା ବରିଷ୍ଟ ଓକିଲ ରାମନାଥ ମିଶ୍ର ଜଣାଇଛନ୍ତି । ପାରଳାଖେମୁଣ୍ଡି ମାଟିରେ ଜନ୍ମିତ ଜଣେ ମହିଳା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଜିଲାରେ ଖୁସିର ସୁଅ ଛୁଟିବା ସହ ଏହା ଜିଲା ପାଇଁ ଏକ ଗର୍ବ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏହି ଅବସରରେ ତାଙ୍କୁ ତାଙ୍କୁ ଜିଲା ଆଇନଜିବୀ ସଂଘ ପକ୍ଷରୁ ରାମନାଥ ମିଶ୍ର, ହୀରାଚାନ୍ଦ ପଟ୍ଟନାୟକ, ଅରୁଣକାନ୍ତ ପରିଡା, ସତ୍ୟନାରାୟଣ ଦାସ,ସ୍ୱରୁପ କୁମାର ପାଳ, ରଜତ କୁମାର ପାତ୍ର ପ୍ରମୁଖ ସ୍ୱାଗତ କରିଛନ୍ତି ।

ଗଜପତିରେ ଭାରତ ବନ୍ଦର ପ୍ରଭାବ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲାରେ ଭାରତ ବନ୍ଦ ସମ୍ପୁର୍ଣ୍ଣ ସଫଳ ହୋଇଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା କାଶୀନଗର,ଗୁମ୍ମା,ରାୟଗଡ,ନୁଆଗଡ,ଗୋଷାଣୀ,ମୋହନା,ଆର.ଉଦୟଗିରିରେ ବନ୍ଦ ସମ୍ପୁର୍ଣ୍ଣ ସଫଳଥିଲା । ସରକାରୀ ଓ ବେସରକାରୀ ଅଫିସ,ବ୍ୟାଙ୍କ,ଡାକଘର,ସରକାରୀ ଓ ବେସରକାରୀ ବସ ଚଳାଚଳ,ଦୋକାନ ବଜାର,ସିନେମା ହଲ,ପେଟ୍ରୋଲ ପମ୍ପ ଆଦି ସବୁକିଛି ବନ୍ଦ ରହିଥିଲା । ସରକାରୀ ଘୋଷଣା ଅନୁଯାଇ ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ସିପିଆଇ,ସିପିଏମ୍‌,ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ଓ ଗଜପତି ଜିଲ୍ଲା ମୋଟର ୱାର୍କରସ ଆସୋସିଏସନ ତରଫରୁ ବନ୍ଦ ପାଳନ, ପିକେଟିଂ, ଶୋଭାଯାତ୍ରା ଆଦି କରାଯାଇଥିଲା । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ଓ ବନ୍ଦପାଳନ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ପୋଲିସ ୧୨ଜଣଙ୍କୁ ସେଠାରୁ ଉଠାଇ ନେଇଥିଲା । ମୋଟାମୋଟି ଭାବେ ଦେଖିବାକୁ ଗଲେ ଗଜପତିରେ ବନ୍ଦ ପାଳନ ସମ୍ପୁର୍ଣ୍ଣ ସଫଳ ଥିଲା ।

ଲିଙ୍ଗରାଜ ମନ୍ଦିରରେ ପାନ, ଗୁଟଖା ଖାଇଲେ ଜରିମାନା

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏଣିକି ଭୁବନେଶ୍ୱରସ୍ଥିତ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସର ମଧ୍ୟରେ କେହି ପାନ, ଗୁଟଖା ଭଳି ନିଶା ସେବନ କଲେ ଜରିମାନା ଦେବାକୁ ହେବ । ଆସନ୍ତା ୧୫ ତାରିଖରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯିବ। ନିୟମ ଭଙ୍ଗ କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଏସମ୍ପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁଣପୁର ଠାରେ CPIML ର ୧୨ ଦଫା ଦାବି ନେଇ ୨୪ ଘଣ୍ଟା ବନ୍ଦ ଡାକରା…!

!!! ରାୟଗଡ଼ା ଜିଲ୍ଲା ରୁ ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚର ଦେଶବ୍ୟାପି ଧର୍ମଘଟ। ବେକାରୀ, ବେରୋଜଗାରୀ, ଶ୍ରମ ଆଇନ କୋଅର୍ଡିଫିକେସନ, ଘରୋଇକରଣ ଆଦି ପ୍ରତିବାଦରେ ୧୨ଦଫା ଦାବିରେ ୨୪ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଏହାସହ ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବି ମଧ୍ୟ ରହିଛି। ଦେଶରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ମାନ୍ଦାବସ୍ଥା ଓ ଏହାର ପ୍ରଭାବ ନେଇ ଧର୍ମଘଟ ଡାକରା ଦିଆଯାଇଥିବା କୁହାଯାଉଛି।

ଏହି କ୍ରମରେ ଆଜି ରାୟଗଡା ଜିଲ୍ଲାର AICCTU ର କର୍ମ କର୍ତା CPIMl ଲିବେରସନ ର କର୍ମୀ ମାନେ ଗୁଣପୁର ଠାରେ ତିରୁପତି ଗମାଙ୍ଗଙ୍କ ନେତୃତ୍ବରେ ରାସ୍ତା ରୋକ କରିଥିଲେ।୧୨ ଦଫା ଦାବି ନେଇ ଧର୍ମଘଟ ଓ ହଡ଼ତାଲ କରାଯାଇଥିଲା।ଏଥିରେ ବହୁ ପାଚିକା ସାହାୟକା,ସିପିଆଇ ଏମଲ ସଦଶ୍ୟ ମାନେ ଯୋଗ ଦେଇଥିଲେ। ସ୍ଥାନୀୟ ଓଭର ବ୍ରିଜ ଓ ବାଇପାସ ରୋଡ଼ ଠାରେ ଟାୟାର ରେ ନିଆଁ ଲଗାଇ ରାସ୍ତା ରୋକ କରିଥିଲେ।ଫଳରେ ଗୁଣପୁର ରୁ ରାୟଗଡା,କୋରାପୁଟ,ଗଜପତି, ଗଞ୍ଜାମକୁ ବସ ଚଳାଚଳ ବାଧା ପ୍ରାପ୍ତ ହୋଇଛି ।

ପରେ cpiml କର୍ମ କର୍ତା ମାନେ କେନ୍ଦ୍ର ବିରୋଧୀ ସ୍ଲାଗାନ ଦେଇ ସହର ପରିକ୍ରମା କରିଥିଲେ।ପରେ ଗୁଣପୁର ରେଲୱେ ଷ୍ଟେସେନ ଠାରେ ରେଳ ରୋକ କରି କିଛି ସମୟ ପରେ ଛାଡ଼ି ଦେଇଥିଲେ । ତେବେ ବନ୍ଦ ଡାକରା କୁ ଦୃଷ୍ଟି କୁ ଆଖିରେ ରଖି ଗୁଣପୁର ପୋଲିସ ତରଫରୁ ତୀକ୍ଷଣ ଦୃଷ୍ଟି ରଖିଥିବା ଦେଖିବାକୁ ମିଳିଥିଲା ।

ଡାଇବେଟିସ୍‌ ପାଇଁ କିଛି ଆୟୁର୍ବେଦିକ ଟିପ୍ସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଡାଇବେଟିସ୍‌ ହେଲେ ରୋଗୀ ଶରୀରରେ ଇନସୁଲିନ୍‌ ଉତ୍ପାଦନ କମ୍‌ ହୋଇଥାଏ। ତେଣୁ ରୋଗୀକୁ ମେଡିସିନ୍ କିମ୍ୱା ଇଞ୍ଜେକସନ୍‌ ଆକାରରେ ଇନସୁଲିନ୍‌ ନେବାକୁ ପଡ଼ିଥାଏ। ଏପରିକି ରୋଗୀ ଶରୀରରେ ଆବନର୍ମାଲ୍‌ ମେଟାବୋଲିଜିମ୍‌ କାର୍ବୋହାଇଡ୍ରେଟ୍‌ ବୃଦ୍ଧି ପାଇବାରୁ ସୁଗାର ବଢ଼ିଥାଏ। ତେବେ କେବଳ ମେଡିସିନ୍‌ ନୁହେଁ, ଆପଣ ଚାହିଁଲେ ଆୟୁର୍ବେଦିକ ଉପାୟରେ ମଧ୍ୟ ସୁଗାରକୁ ନିୟନ୍ତ୍ରଣ କରିପାରିବେ। ସେଥିପାଇଁ ଆସନ୍ତୁ ଜାଣିବା ଆୟୁର୍ବେଦର କିଛି ଟିପ୍ସ।

୧. ନିଜର ଦୈନନ୍ଦିନ ଖାଦ୍ୟରେ କଲରାକୁ ସାମିଲ କରନ୍ତୁ। କଲରାକୁ ଆପଣ ଜୁସ୍‌ ଆକାରରେ ମଧ୍ୟ ପିଇପାରିବେ। ପ୍ରତିଦିନ ୨୦ ଏମ୍‌ଏଲ୍‌ର କଲରା ଜୁସ୍‌ ପିଇଲେ ସୁଗାର ନିୟନ୍ତ୍ରଣ ହୋଇଥାଏ।

୨. ଡାଲଚିନି ଏକ ମସଲା ହୋଇଥିଲେ ମଧ୍ୟ ଏହା ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀ ଏହାକୁ ସାଲାଡ୍‌ କିମ୍ୱା ତରକାରୀରେ ପକାଇ ଖାଆନ୍ତୁ।

୩. ସେହିପରି ଡାଇବେଟିସ୍‌ ପାଇଁ ମେଥିକୁ ସୁପରଫୁଡ୍‌ ବୋଲି କୁହାଯାଏ। ରାତିରେ ଗରମ ପାଣିରେ ମେଥିକୁ ବତୁରାଇ ରଖନ୍ତୁ। ଏହାପରେ ସକାଳେ ଖାଲିପେଟରେ ସେହି ମେଥି ପାଣିକୁ ପିଅନ୍ତୁ।

୪. ଅଁଳା କେବଳ ଡାଇବେଟିସ୍‌ ପାଇଁ ନୁହେଁ, ତ୍ୱଚା ଓ କେଶ ପାଇଁ ମଧ୍ୟ ଭଲ। ଏହା ଶରୀରରେ ମେଟାବୋଲିଜିମ୍‌କୁ ସୁସ୍ଥ ରଖିଥାଏ। ଏଥିରେ ଥିବା କ୍ରୋମିୟମ୍‌ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ପ୍ରତିଦିନ ଅଁଳା ଜୁସ୍‌ ପିଅନ୍ତୁ।

୫. ଆୟୁର୍ବେଦିକ ଗଛ ଗିଲୋଇରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରି ଫ୍ରି-ରାଡିକାଲ୍‌ ସହିତ ଲଢ଼େଇ କରିଥାଏ। ଡାଇବେଟିସ୍‌ ରୋଗୀ ପ୍ରତିଦିନ ଗିଲୋଇ ଖାଇଲେ, ପାନକ୍ରିୟାଜ୍‌ରେ ବିଟା ସେଲ୍‌ର ଉତ୍ପାଦନ ବୃଦ୍ଧି ହୋଇଥାଏ। ଯାହା ଯୋଗୁ ଶରୀରରେ ଇନସୁଲିନ୍‌ ଉତ୍ପାଦନ ହେବା ସହିତ ସୁଗାର ନିୟନ୍ତ୍ରିତ ରହିଥାଏ।

୬. ଅନ୍ୟ ଏକ ଆୟୁର୍ବେଦିକ ଟିପ୍ସ ହେଉଛି ପ୍ରତିଦିନ ତମ୍ୱା ପାତ୍ରରେ ପାଣି ପିଅନ୍ତୁ। ତମ୍ୱା ପାତ୍ରରେ ପାଣି ପିଇଲେ ଶରୀରର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ।

୭. ପ୍ରତିଦିନ ବ୍ୟାୟାମ କରିନପାରୁଛନ୍ତି ଯଦି ଡାଇବେଟିସ୍‌ ରୋଗୀ ଅତି କମ୍‌ରେ ଦିନକୁ ୩୦ ମିନିଟ୍‌ ଚାଲିବାକୁ ଚେଷ୍ଟା କରନ୍ତୁ।

ମହିଳା ଟି-୨୦ ଚ୍ୟାଲେଞ୍ଜର୍ ଟ୍ରଫି: ଫାଇନାଲରେ ଇଣ୍ଡିଆ-ବି

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ବର): ପୁଣି ଓଡ଼ିଆ ବୋଲର ସୁଶ୍ରୀ ଦିବ୍ୟାଦର୍ଶିନୀ ଚମକିଛନ୍ତି। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଚତୁର୍ଥ ମ୍ୟାଚରେ ସ୍ମୃତି ମନ୍ଧାନାଙ୍କ ଇଣ୍ଡିଆ-ବି ଟିମ୍ ୩୫ ରନରେ ହରମନପ୍ରୀତ କୌରଙ୍କ ଇଣ୍ଡିଆ-ଏ’କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଇଣ୍ଡିଆ-ବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ଜବାବରେ ଇଣ୍ଡିଆ-ଏ ୭ ୱିକେଟ୍ ହରାଇ ୧୦୪ ରନ୍ କରିବାକୁ ସକ୍ଷମ ହୋଇଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ’ର କ୍ରମାଗତ ଦ୍ୱିତୀୟ ପରାଜୟ। ଏହା ପୂର୍ବରୁ ସୋମବାର ଇଣ୍ଡିଆ-ଏ’ ଟିମ୍ ଇଣ୍ଡିଆ-ସି’ଠାରୁ ପରାସ୍ତ ହୋଇଥିଲା। ଏବେ ଇଣ୍ଡିଆ-ଏ ଓ ଇଣ୍ଡିଆ-ସି’ ମଧ୍ୟରୁ ଗୋଟିଏ ଟିମ୍ ଫାଇନାଲ୍ ଯିବ।

ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଇଣ୍ଡିଆ-ବି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପ୍ନର ଭେଲାସ୍ୱାମୀ ବନିତା ଓ ମନ୍ଧାନା ପ୍ରଥମ ୱିକେଟ୍ ପାଇଁ ୬.୪ ଓଭରରେ ୫୮ ରନ୍ ଯୋଡ଼ିଥିଲେ। ମନ୍ଧାନା ୨୫ ବଲରେ ୪ ଚୌକା ଓ ୨ ଛକା ସହ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ବନିତା ୩୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମଧ୍ୟକ୍ରମରେ ଜେମିମା ରୋଡ୍ରିଗ୍ସ (୨୦), ରିଚା ଘୋଷ (୨୨), ପୂଜା ବସ୍ତ୍ରାକର (୧୫*) ଓ ଶିଖା ପାଣ୍ଡେ (୧୪*)ଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦ୍ୱାରା ଇଣ୍ଡିଆ-ବି ୧୩୯ ରନ୍ କରିପାରିଥିଲା। ଇଣ୍ଡିଆ-ଏ ପକ୍ଷରୁ ସ୍ନେହ ରାଣା ୨ଟି, ମାନସୀ ଯୋଶୀ ଓ ରାଧା ଯାଦବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୪୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଆ-ଏ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା, ଯେଉଁକାରଣରୁ ଦଳର ରନ୍ ଗତି କମିଯାଇଥିଲା। ପ୍ରିୟା ପୁନିଆ ସର୍ବାଧିକ ୩୪ ଓ ଦୀପ୍ତି ଶର୍ମା ଅପରାଜିତ ୩୩ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାନିଆ ଭାଟିଆ ୧୧, ଦେବିକା ବୈଦ୍ୟ ୬, ହରମନପ୍ରୀତ ୬, ଭାରତୀ ଫୁଲମାଲି ୧୧ ରନ୍ କରି ଆଉଟ୍ ହୋଇଥିଲେ। ଭାରତ-ବି’ ପକ୍ଷରୁ ସୁଶ୍ରୀ ୧୮ ରନ୍ ଦେଇ ୨ଟି ଓ ଅନୁଜା ପାଟିଲ୍ ୧୯ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ତନୁଜା କନୱର ଓ ପୂଜା ବସ୍ତ୍ରାକର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ। ଆସନ୍ତାକାଲି ପଞ୍ଚମ ମ୍ୟାଚ୍ ଇଣ୍ଡିଆ-ସି ଓ ଇଣ୍ଡିଆ-ବି ମଧ୍ୟରେ ଖେଳାଯିବ।

ମେ’ ୨୪ରେ ଆଇପିଏଲ୍‌-୨୦୨୦

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଇଣ୍ଡିଆନ୍ ପ୍ରିମିୟର୍ ଲିଗର ପରବର୍ତ୍ତୀ ସଂସ୍କରଣର ଶୁଭାରମ୍ଭ ମୁମ୍ବାଇରେ ମାର୍ଚ୍ଚ ୨୯ ତାରିଖରେ ହେବ। ସେହିପରି ଫାଇନାଲ୍ ମ୍ୟାଚ୍ ମେ’ ୨୪ ତାରିଖରେ ଖେଳାଯିବ। ଆଇପିଏଲର ଏହି ସଂସ୍କରଣ ମୋଟ ୫୭ଦିନ ଧରି ଚାଲିବ। ଏହାର ଅର୍ଥ ବ୍ରଡକାଷ୍ଟର୍ସ ଅନୁଯାୟୀ କୌଣସି ଦିନରେ ଦୁଇଟି ମ୍ୟାଚ୍ ହେବ ନାହିଁ। ଏପରିକି ମ୍ୟାଚ୍ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପ୍ରତି ମ୍ୟାଚ୍ ସାଢ଼େ ୭ଟା ବେଳେ ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଏହି ସୂତ୍ର ଅନୁଯାୟୀ, “ବର୍ତ୍ତମାନ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ପ୍ରସ୍ତୁତ ହୋଇନାହିଁ, କିନ୍ତୁ ମେ’ ୨୪ ତାରିଖରେ ଫାଇନାଲ୍ ହେବା ଏକପ୍ରକାର ନିଶ୍ଚିତ ଏବଂ ଏହାର ଶୁଭାରମ୍ଭ ମାର୍ଚ୍ଚ ୨୯ ତାରିଖରୁ ହେବ। ଏଥିସହ ଏଥର ଆଇପିଏଲ୍ ପାଇଁ ୪୫ ଦିନରୁ ଅଧିକ ସମୟ ରହିବ। ଏଭଳି ସ୍ଥିତିରେ ଗୋଟିଏ ଦିନରେ ଗୋଟିଏ ମ୍ୟାଚ୍ କରାଇବାରେ କୌଣସି ସମସ୍ୟା ହେବ ନାହିଁ।”

ସୂତ୍ରରେ ଆହୁରି କୁହାଯାଇଛି ଯେ, “ଟିଆରପି ଏକ ବଡ଼ ମାମଲା। ଗତ ସଂସ୍କରଣରେ ମ୍ୟାଚ୍ ବହୁତ ବିଳମ୍ବରେ ଶେଷ ହୋଇଥିଲା। ଏହା ସେହି ଲୋକଙ୍କ ପାଇଁ ସମସ୍ୟା ହୋଇଥାଏ, ଯେଉଁମାନେ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବା ପାଇଁ ଆସନ୍ତି। ସେହି ଲୋକମାନଙ୍କୁ ବିଳମ୍ବିତ ରାତିରେ ଘରକୁ ଯିବା ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥର ଅନେକ ଆଲୋଚନ ହୋଇଛି ଏବଂ ଚଳିତ ସଂସ୍କରଣରେ ମ୍ୟାଚ୍ ସାଢ଼େ ୭ଟା ବେଳକୁ ଆରମ୍ଭ କରାଯାଇପାରେ।”

ଜଣେ ଫ୍ରାଞ୍ଚାଇଜି ଅଧିକାରୀ କହିଛନ୍ତି, “ଯଦି ଆପଣ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି କୌଣସି ମହାନଗରରେ ରହୁଛନ୍ତି, ତାହେଲେ ଆପଣଙ୍କୁ ଟ୍ରାଫିକର ସମସ୍ୟାର ସମ୍ମୁଖୀନ ହେବା ପଡ଼ିଥାଏ। ଏଭଳି ସ୍ଥିତିରେ ଜଣେ ଅଫିସରୁ ୬ଟା ବେଳେ ବାହାରି ନିଜ ପରିବାର ସହ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମ ପହଞ୍ଚିପାରିବ କି? ମ୍ୟାଚ୍ ଆରମ୍ଭ କରିବାର ସମୟ ବଦଳିବା ପୂର୍ବରୁ ପ୍ରଥମେ ଏହା ଉପରେ ବିଚାର କରାଯିବା ଦରକାର।”

ଡବଲ୍ ହେଡର୍ ସମ୍ବନ୍ଧରେ ଫ୍ରାଞ୍ଚାଇଜି ପକ୍ଷରୁ କୁହାଯାଇଛି ଯେ, “ବ୍ରଡକାଷ୍ଟର୍ସ ଅପରାହ୍ଣ ୪ଟା ବେଳର ମ୍ୟାଚକୁ ନେଇ ଅଧିକ ଉତ୍ସାହିତ ନଥିଲେ। ଏହାଛଡ଼ା ଏହି ସମୟରେ ମ୍ୟାଚ୍ ହେବା ଦ୍ୱାରା ଫ୍ରାଞ୍ଚାଇଜିର ରେଭିନ୍ୟୁ ଉପରେ ମଧ୍ୟ ପ୍ରଭାବ ପଡ଼ୁଥିଲା। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଡବଲ୍ ହେଡର୍ ମ୍ୟାଚ୍ ନକରାଇବାକୁ ବ୍ରଡକାଷ୍ଟର୍ସ ନିଷ୍ପତ୍ତି ନେଇଛି।”

ବିଜୟରୁ ନୂଆ ବର୍ଷ ଆରମ୍ଭ କଲା ଟିମ୍ ଇଣ୍ଡିଆ ।

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ବର): ବିଜୟରୁ ନୂଆବର୍ଷର ଶୁଭାରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ପରେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଘରୋଇ ଦଳର ବୋଲିଂ ଆକ୍ରମଣର ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ଭାରତ ୧୭.୩ ଓଭରରେ ୩ ୱିକେଟ୍ ହରାଇ ୧୪୩ ରନ୍ କରି ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୧୦ ତାରିଖରେ ରାଞ୍ଚିରେ ଖେଳାଯିବ।

୧୪୩ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ ଓପ୍ନର ରାହୁଲ୍ ଓ ଧୱନ୍। ଦୁହେଁ ଆରମ୍ଭରୁ ଦ୍ରୁତ ରନ୍ କରିଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୭୧ ରନର ଯୋଗଦାନ କରିଥିଲେ। ଇନଫର୍ମ ରାହୁଲ୍ ନିଜର ଚିରାଚରିତ ବ୍ୟାଟିଂ ଜାରି ରଖି ଦ୍ରୁତ ୪୫ (୩୨ ବଲ୍‌, ୬ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚ୍ ଖେଳୁଥିବା ଧୱନ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ବ୍ୟକ୍ତିଗତ ୩୨ (୨୯ ବଲ୍‌, ୨ ଚୌକା) ରନ୍ କରିଥିବା ବେଳେ ୱାନିନ୍ଦୁ ହସରଙ୍ଗାଙ୍କ ଶିକାର ହୋଇଥିଲେ।

ଏହା ପରେ କ୍ୟାପଟେନ୍ ବିରାଟ୍ କୋହଲି ଓ ଶ୍ରେୟସ୍ ଆୟର୍ ରନ୍ ଗତି ଜାରି ରଖିଥିଲେ ଏବଂ ଟିମକୁ ବିଜୟ ନିକଟତର କରାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୫୧ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ଆୟର୍ ୨୬ ବଲରେ ୩ ଚୌକା ଓ ୧ ଛକା ସହ ୩୪ ରନ୍ କରି ଆଉଟ୍ ହେବା ପରେ କୋହଲି ଓ ଋଷଭ ପନ୍ତ ଟିମକୁ ବିଜୟୀ କରାଇଥିଲେ। କୋହଲି ୩୦ (୧୭ ବଲ୍‌, ୧ ଚୌକା, ୨ ଛକା) ଓ ପନ୍ତ ୧ ରନ୍ କରି ଅପରାଜିତ ଥିଲେ। ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୨ଟି ଓ ଲାହିରୁ କୁମାରା ଗୋଟିଏ ୱିକେଟ୍ ନେଇଥିଲେ।

ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ କୋହଲି ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କାର ଦୁଇ ଓପ୍ନର ଦନୁସ୍କା ଗୁଣତିଳକ ଓ ଅଭିସ୍କା ଫର୍ଣ୍ଣାଣ୍ଡୋ ଭଲ ଆରମ୍ଭ କରିଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୩୮ ରନ୍ ଯୋଡ଼ିଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଫର୍ଣ୍ଣାଣ୍ଡୋ ୨୨ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍ ଗୁଣତିଳକ (୨୦)ଙ୍କୁ ଯୁବ ପେସର ନଭଦୀପ ସାଇନି କ୍ଲିନ୍ ବୋଲ୍ଡ କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍ କୁଶଲ ପରେରା ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ ହେଁ, ତାଙ୍କୁ ଅନ୍ୟ ପଟୁ ସେଭଳି ସହଯୋଗ ମିଳିନଥିଲା। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଓଶାଡା ଫର୍ଣ୍ଣାଣ୍ଡେ (୧୦)ଙ୍କୁ କୁଲଦୀପ ଯାଦବ ଋଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ କରାଇଥିଲେ। ଏହା ପରେ ପରେରାଙ୍କୁ ମଧ୍ୟ କୁଲଦୀପ ନିଜର ଶିକାର ବନାଇ ଶ୍ରୀଲଙ୍କା ରନରେ ଅଙ୍କୁଶ ଲଗାଇଥିଲେ।

ପରେରା ୨୮ ବଲରେ ୩ ଛକା ସହ ୩୪ ରନ୍ କରିଥିଲେ। ଭାନୁକା ରାଜପାକସା (୯)ଙ୍କୁ ସାଇନି ଏବଂ ଦାସୁନ୍ ଶନକା (୭)ଙ୍କୁ ପ୍ରତ୍ୟାବର୍ତ୍ତନକାରୀ ଯଶପ୍ରୀତ ବୁମ୍ରା ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଶାର୍ଦ୍ଦୁଲ ଠାକୁର ଇନିଂସର ୧୯ତମ ଓଭରରେ ତିନୋଟି ୱିକେଟ୍ ନେଇ ଶ୍ରୀଲଙ୍କାକୁ ବଡ଼ ସ୍କୋରରୁ ରୋକିଥିଲେ। ସେ ଏହି ଓଭରର ଦ୍ୱିତୀୟ ବଲରେ ଧନଞ୍ଜୟ ଡି’ସିଲଭା (୧୭), ପଞ୍ଚମ ବଲରେ ଇସୁରୁ ଉଦାନା (୧) ଏବଂ ଷଷ୍ଠ ବଲରେ (୦) କ୍ୟାପଟେନ୍ ଲସିଥ୍ ମାଲିଙ୍ଗାଙ୍କୁ ଆଉଟ୍ କରିଥିଲେ।

ପରବର୍ତ୍ତୀ ମ୍ୟାଚରେ ଶାର୍ଦ୍ଦୁଲଙ୍କ ପାଖରେ ହ୍ୟାଟ୍ରିକ୍ ସଫଳତା ନେବାର ସୁଯୋଗ ରହିବ। ଶେଷଭାଗରେ ୱାନିନ୍ଦୁ ହସରଙ୍ଗା ୧୦ ବଲରେ ଅପରାଜିତ ୧୬ (୩ ଚୌକା) ରନ୍ କରି ଶ୍ରୀଲଙ୍କାର ସମ୍ମାନ ରକ୍ଷା କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ସାଇନି ଓ କୁଲଦୀପ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ବୁମ୍ରା ନିଜର ପ୍ରତ୍ୟାବର୍ତ୍ତନ ମୁକାବିଲାରେ ୩୨ ରନ୍ ଦେଇ ଗୋଟିଏ ସଫଳତା ପାଇଥିଲେ।