ଯେଉଁମାନେ ପାଠ ପଢ଼ିବାକୁ ଚାହୁଁଛନ୍ତି ମୁଁ ସେମାନଙ୍କ ସମର୍ଥନରେ: ଜେଏନ୍‌ୟୁ କୁଳପତି ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ବୁଧବାର ଏଚ୍‌ଆରଡି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭେଟିଥିବା ଜେଏନ୍‌ୟୁ କୁଳପତି ଏମ୍‌ ଜଗଦୀଶ କୁମାର ଆଜି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଶ୍ୱବିଦ୍ୟାଳୟକୁ ଅସ୍ଥାୟୀ ଭାବେ ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ। ସ୍ଥିତି ସ୍ୱାଭାବିକ କରିବା ପାଇଁ ପ୍ରୟାସ କରାଯାଉଛି।

ସେ ଆଜି କହିଛନ୍ତି, “ଆଜି ମୁଁ ଏଚ୍‌ଆରଡି ମନ୍ତ୍ରଣାଳୟ ସହ ବୈଠକ କଲି। ଆମେ ସ୍ପଷ୍ଟ କରିଦେଇଛୁ ହଜାର ହଜାର ଛାତ୍ରଛାତ୍ରୀ ପାଠପଢ଼ା ଆରମ୍ଭ କରିବାକୁ ଚାହୁଁଛନ୍ତି। ଆମେ ସେହି ସବୁ ଛାତ୍ରଙ୍କ ସମର୍ଥନରେ ଅଛୁ। ଆମେ ଲ୍ୟାବ୍‌ରେ ଗବେଷଣା ଜାରି ରଖିବାକୁ ଚାହୁଁଥିବା ଅଧ୍ୟାପକମାନଙ୍କ ସମର୍ଥନରେ ଅଛୁ।”

ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାର କୌଣସି ଯୋଜନା ନାହିଁ। ଆମେ ଚାହୁଁଛୁ ଶିକ୍ଷାଦାନ ଜାରି ରହୁ। ମୁଁ ଜାଣିନି କେଉଁଠାରୁ ଆସୁଛି ଜାଣିନି। ଅନ୍ୟପକ୍ଷରେ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସମାନ ମତ ପୋଷଣ କରାଯାଇଛି। ଏଭଳି କୌଣସି ପ୍ରସ୍ତାବ ଆସିନଥିବା ଜଣେ ଅଧିକାରୀ କହିଛନ୍ତି।

କଟକ ବଡ଼ ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି ।

ଏଥର ସମ୍ଭାଳ ବ୍ୟୁରୋ (କଟକ): କଟକ ବଡ଼ ଡାକ୍ତରଖାନାର ନ୍ୟୁରୋସର୍ଜରୀ ବିଭାଗରେ ଆଜି ସକାଳେ ନର୍ଦ୍ଦମା ପାଣି ପଶିଯାଇଥିଲା। ଫଳରେ ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନର୍ଦ୍ଦମା ପାଣି ନ୍ୟୁରୋସର୍ଜରୀ ବିଭାଗର ଅସ୍ତ୍ରୋପଚାର ରୁମ୍‌ ସମେତ ଅନ୍ୟ ସମସ୍ତ ରୁମ୍‌ରେ ପାଣି ପଶି ଯାଇଥିଲା। ତେଣୁ କିଛି ସମୟ ଅସ୍ତ୍ରୋପଚାର ବନ୍ଦ ରହିଥିଲା। ମଇଳା ପାଣି ସଫା କରିବା ପରେ ପୁଣି ଅସ୍ତ୍ରୋପଚାର କରାଯାଇଥିଲା। ଏହି ବିଭାଗର ଚାରିଆଡ଼େ ନର୍ଦ୍ଦମା ପାଣି ପଶି ଯାଇଥିବା ଯୋଗୁ ସଫେଇ କର୍ମଚାରୀମାନେ ସଫା କରିବା ପାଇଁ ନାକେଦମ ହୋଇ ପଡ଼ିଥିଲେ। ଜଣେ ରୋଗୀଙ୍କ ସମ୍ପର୍କୀୟ ସୁରେଶ ଚନ୍ଦ୍ର କହିଛନ୍ତି, “ଡାକ୍ତରଖାନାରେ ନର୍ଦ୍ଦମା ପାଣି ପଶିଯିବା ଫଳରେ ବହୁତ ଦୁର୍ଗନ୍ଧ ହୋଇଥିଲା। ଆମେ ସମସ୍ତେ ବାହାରକୁ ପଳାଇ ଆସିଥିଲୁ। ପରେ କିଛି ଲୋକ  ଆସି ବାଲି ବସ୍ତା ପକାଇ ପାଣିକୁ ବନ୍ଦ କରିଥିଲେ। ତା’ପରେ ସଫେଇ କର୍ମଚାରୀ ଆସି ସଫା କରିଥିଲେ।”

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଏଥର ସମ୍ଭାଳ ବ୍ୟୁରୋ (ରାଉରକେଲା): ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଅବସ୍ଥା ଗୁରତର ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସେ ଶନିବାର ସନ୍ଧ୍ୟାରେ ଟିଉସନ୍‌ ହେବାକୁ ପମ୍ପ୍ ହାଉସ୍ ନିକଟକୁ ଯାଇଥିଲା। ମାତ୍ର ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ତା’ ପରଦିନ ଅର୍ଥାତ୍ ରବିବାର ନାବାଳିକାଟି କୋଏଲ ନଦୀ ନିକଟରେ ବସି କାନ୍ଦୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନର କିଛି ସଦସ୍ୟ ଦେଖିଥିଲେ। ସେମାନେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଥିବା ଚାଇଲ୍ଡ ଲାଇନର “ସଖୀ”ରେ ଭର୍ତ୍ତି କରିଥିଲେ ଏବଂ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଗତକାଲି ତାଙ୍କ ପରିବାର ଲୋକେ ଝିରିପାଣି ଥାନାରେ ଏତଲା ଦେଇଛନ୍ତି। ଏହାସହ ‘ସଖୀ’ ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି।
ପୁଲିସ୍ ଝିଅଟିର ଡାକ୍ତରୀମାଇନା କରି ଘଟଣାର ତଦନ୍ତ କରୁଛି। ପୁଲିସ୍ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି।

କେନ୍ଦ୍ରର ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ NINLରେ ଥିବା ୬ଟି ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହୃତ ହେବ। MMTC, ମେକନ ଆଦି ୬ଟି ଅଂଶୀଦାର ପୁଞ୍ଜି ପ୍ରତ୍ୟାହାର କରିବେ। ନିଲାମୀ ଜରିଆରେ ନୂଆ ଅଂଶୀଦାର NINLରେ ସାମିଲ ହେବେ। ଏହାଦ୍ୱାରା ନୀଳାଚଳ ଇସ୍ପାତର ରୂପ ବଦଳିବ ଓ ରୋଜଗାର ମଧ୍ୟ ବଢ଼ିବ ବୋଲି ଜାଭଡ଼େକର କହିଛନ୍ତି। ଏହା ସହ ସଂଶୋଧିତ ଖଣିଜ ଆଇନ ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି।

ବାଇକ୍‌ ଠେଲିଲେ ମିଳୁଛି ୧୦ ଟଙ୍କା;ଏଠି ପ୍ରଶ୍ନ ଭାରତ ବନ୍ଦ ହେଲେ କାହାର ଲାଭ ?

ଏଥର ସମ୍ଭାଳ ବ୍ୟୁରୋ (ରାଉରକେଲା): ବାଇକ୍‌ ଠେଲିଲେ ୧୦ ଟଙ୍କା। ଆଜି ଏମିତି ଏକ ଦୃଶ୍ୟ ରାଉରକେଲାରେ ଦେଖିବାକୁ ମିଳିଥିଲା। ଭାରତ ବନ୍ଦ ଯୋଗୁ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନଙ୍କୁ ଅଫିସ୍‌ ଯିବାକୁ ହେଲେ ଏମିତି ଏକ ପରିସ୍ଥିତିର ସାମ୍ନାକ କରିବାକୁ ପଡ଼ିଥିଲା।

ରାଉରକେଲା ବିଶ୍ରା ଛକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ବେଳେ ରିଙ୍ଗ ରୋଡ଼ ଅବରୋଧ କରାଯାଇଥିଲା।  ଏଥିପାଇଁ ସେକ୍ଟର ଅଞ୍ଚଳକୁ ଯୋଗା ଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଥିଲା । ରାଉରକେଲା ଇସ୍ପାତ କାରଖାନାକୁ ଯିବାଲାଗି କର୍ମଚାରୀ ମାନେ କିନ୍ତୁ ଅଲଗା ରାସ୍ତା ବାହାର କରିଦେଇଥିଲେ ।

ପ୍ଲାଣ୍ଟ ମଧ୍ୟକୁ ଡ୍ୟୁଟି କରାଯିବା ଜରୁରୀ ଥିବାରୁ କର୍ମଚାରୀ ମାନେ ଗାନ୍ଧୀ ରୋଡ଼ ନିକଟରେ ରିଙ୍ଗ ରୋଡ଼ ରେଳ ବ୍ରିଜକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାକୁ ବାଛି ନେଇଥିଲେ। ମାତ୍ର ସଂଯୋଗକାରୀ ରାସ୍ତା ବହୁତ ଉଠାଣି ଥିବାରୁ ଗାନ୍ଧୀ ରୋଡ଼ ବସ୍ତିର ଛୋଟ ଛୋଟ ପିଲାମାନେ ବାଇକକୁ ଠେଲି ଠେଲି ରୋଡ଼ କୁ ଆଣିବାରେ ସାହାଯ୍ୟ କରୁଥିଲେ । ଅବଶ୍ୟ ସେଥିଲାଗି ଗୋଟିଏ ବାଇକ ପିଛା ୧୦ ଟଙ୍କା ନେଉଥିଲେ । ହେଲେ ଲୋକମାନେ ଖୁସିରେ ଟଙ୍କା ଦେଉଥିବା ଦେଖାଯାଉଥିଲା ।

ପର୍ଯ୍ୟଟନ ମନ୍ତ୍ରୀଙ୍କୁ କଣ ହୋଇଛି ? କଣ ପାଇଁ ଯାଇଥିଲେ ମେଡିକାଲ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗିର): ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ କଣ ହୋଇଛି? ସେ ବଲାଙ୍ଗିରରେ ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ କରିବାକୁ ଯାଇ ଅଚାନକ ମେଡିକାଲ୍‌ରେ ପହଞ୍ଚି ଥିଲେ। ସାଧାରଣ ରୋଗୀଙ୍କ ପରି ଧାଡ଼ିରେ ଠିଆ ହୋଇ ଟୋକନ୍‌ କାଟି ଆଉଟ୍‌ଡୋର୍‌ରେ ଡାକ୍ତରଙ୍କୁ ଦେଖାଇଥିଲେ। ବାମ କହୁଣୀରେ ଯନ୍ତ୍ରଣା ହେଉଥିବାରୁ ସେ ମେଡିକାଲ୍‌ରେ ଡାକ୍ତରଙ୍କୁ ଦେଖାଇଥିଲେ।

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବଲାଙ୍ଗିର ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ କରିବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆଜି ଭାରତ ବନ୍ଦ ଡାକରା ହୋଇଥିବାରୁ ସେ ସରକାରୀ କାର୍ଯ୍ୟ କରିପାରିଲେ ନାହିଁ। ତେଣୁ ସେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସରପ୍ରାଇଜ୍‌ ଭିଜିଟ୍‌ କରିବା ପାଇଁ ଯିବାକୁ ସ୍ଥିର କଲେ।

ମେଡିକାଲ୍‌ରେ ‘ମୋ ସରକାର କେମିତି ଚାଲିଛି’ ସେ ସମ୍ପର୍କରେ ଜାଣିବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅଚାନକ ମନିଂୱାକ୍‌ ଡ୍ରେସ୍‌ରେ ବାଇକରେ ଯାଇ ମେଡିକାଲରେ ପହଞ୍ଚିଥିଲେ। ପରେ ରୋଗୀଙ୍କ ପରି ଲାଇନ୍‌ରେ ଛିଡା ହୋଇ କାଉଣ୍ଟରରୁ ଟିକେଟ କାଟିଲେ। ତା’ପରେ ସେ ଆଉଟ୍‌ଡୋରରେ ଡାକ୍ତରଙ୍କରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତରଙ୍କ ପରାମର୍ଶ ନେଇ ସେ ଏକ୍ସ-ରେ ରୁମ୍‌ ଭିତରକୁ ଯାଇଥିଲେ। ସେଠାରେ ଲାଇନ୍‌ରେ ଛିଡା ହୋଇ ଏକ୍ସ-ରେ କରିଥିଲେ। ମେଡିକାଲ୍‌ରେ କେମିତି ରୋଗୀ ସେବା ଦିଆଯାଉଛି? ସେ ସମ୍ପର୍କରେ ଜାଣିବା ପାଇଁ ମନ୍ତ୍ରୀ କିଛି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ମନ୍ତ୍ରୀ ସକାରାତ୍ମକ ଉତ୍ତର ପାଇଛନ୍ତି। ପରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ହସ୍ପିଟାଲରେ ପହଞ୍ଚିଥିଲେ।

ସେ କହିଛନ୍ତି-“ଦୁଇ ମାସ ତଳେ ଗାଡ଼ିରେ ବାମ ହାତ କହୁଣୀରେ ମାଡ଼ ହୋଇଯାଇଥିଲା। ସେଥିପାଇଁ ଯନ୍ତ୍ରଣା ହେଉଛି। ଏଥିରୁ ଉପଶମ ପାଇଁ ଆଜି ମୁଁ ମେଡିକାଲ୍‌ ଯାଇଥିଲି। ଅନ୍ୟ ରୋଗୀଙ୍କ ପରି ଲାଇନ୍‌ରେ ଛିଡ଼ା ହୋଇ ଟୋକନ୍‌ କଲି। ପରେ ଡାକ୍ତରଙ୍କୁ ଦେଖାଇ ଏକ୍ସ-ରେ କଲି।”

ଭାରତ ବନ୍ଦ କରି ଫସିଗଲେ ; ଗଣିବେ ଜୋରିମାନା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଭାରତ ବନ୍ଦ କରି ଫସିଗଲେ ଆନ୍ଦୋଳନକାରୀ। ବିନା ହେଲମେଟରେ ମହଙ୍ଗା ପଡ଼ଲା ରାଲି। ଟ୍ରାଫିକ୍‌ ଡିସିପି ସାଗରିକା ନାଥ୍ କହିଛନ୍ତି ଯେ, ଭାରତ ବନ୍ଦ ବେଳେ ବିନା ହେଲମେଟ୍‌ରେ ରାଲି ପାଇଁ ହେବ ଜରିମାନା। ସିସିଟିଭି ଫୁଟେଜ୍ ଆଧାରରେ ଜରିମାନା କରାଯିବ ବୋଲି  ଟ୍ରାଫିକ୍ ଡିସିପି କହିଛନ୍ତି। ବିଜେଡି ପ୍ରତିଷ୍ଠା ଦିବସରେ ଅନୁରୂପ କାର୍ଯ୍ୟ ପାଇଁ ଜରିମାନା ଆଦାୟ ହୋଇଥିଲା।

ସୂଚନା ଅନୁଯାୟୀ, ସିଏଏ, ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା।

ଏଥିପାଇଁ ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇପଡ଼ି ଥିଲା।   ଓଡ଼ିଶାରେ ମଧ୍ୟ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।  ଆନ୍ଦୋଳନକାରୀ ମାନେ ବିଭିନ୍ନ ଛକ ଓ ରାଜପଥରେ ଟାୟାର୍ ଜାଳି ପିକେଟିଂ କରିଥିଲେ। ଯାତ୍ରୀମାନେ  ହନ୍ତସନ୍ତ ହୋଇଥିଲେ।

ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଓ ଭଦ୍ରକ ଷ୍ଟେସନରେ ବହୁ ଟ୍ରେନ୍ ଦୀର୍ଘ ସମୟ ଧରି ଅଟକି ରହିଥିଲା।  ବନ୍ଦ ପାଳନ ଯୋଗୁଁ ବ୍ୟାଙ୍କ ସେବା ମଧ୍ୟ ପ୍ରଭାବିତ ହୋଇଛି।  ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଦୂର, ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ଟ୍ରେଡ୍ ୟୁନିଅନ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିଥିଲା।

ଶୀତରେ ଆସିଲା ବର୍ଷାର ଖବର, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାକୁ ନଜରରେ ରଖି ରାଜସ୍ୱ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅମଳ ଧାନକୁ ଘରକୁ ନେଇ ଆସିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗୃହହୀନଙ୍କୁ ଆଶ୍ରୟ ଦେବାକୁ ସ୍କୁଲ କୋଠା ରାତିରେ ଖୋଲିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ସମ୍ୱଲପୁର, ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼ ଓ ସମ୍ୱଲପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ।

ଆସନ୍ତାକାଲି ଅର୍ଥାତ ୯ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ସ୍ୱଳ୍ପ ଏବଂ ମଧ୍ୟମ ଧରଣର ବର୍ଷା ହେବ। ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୋଦ୍ଧ, ସୋନ୍‌ପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିବ। ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ପହରିଦିନ ଅର୍ଥାତ ଆସନ୍ତା ୧୦ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ଏହାର ପ୍ରଭାବରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଅନୁଗୋଳ, କେନ୍ଦୁଝର, ବଲାଙ୍ଗିର ଓ ସୋନ୍‌ପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ।

ଆସନ୍ତା ୧୧ ତାରିଖରେ ପାଗ ଶୁଖିଲା ରହିଲେ ମଧ୍ୟ ଗୋଟିଏ ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗି ରହିବା ସହିତ ପ୍ରବଳ ଶୀତ ଅନୁଭୂତ ହେବ। ସେଥିପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ଜାରି କରିଛି ପାଣିପାଗ ବିଭାଗ। ତେବେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ।

ବର୍ଷା ଯୋଗୁଁ କୁହୁଡି ହେବା ସହିତ ପ୍ରଭାବ ଶୀତ ଅନୁଭୂତ ହେବ। ଆସନ୍ତା ୪୮ ଘଣ୍ଟା ଭିତରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଖସି ଆସିବ। ପରବର୍ତ୍ତୀ ସମୟରେ ଏହା ବଢ଼ିବାର ସମ୍ଭାବନା ରହିଛି। ବର୍ଷାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାରେ ଫେଲ୍‌ ମାରିଲା ଶ୍ରୀମନ୍ଦିର ପରିଚାଳନା କମିଟି ।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ): ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରିଲାନି ପରିଚାଳନା କମିଟି। ତେଣୁ ସବୁ ଅପୂର୍ଣ୍ଣାଙ୍ଗ ପ୍ରସଙ୍ଗର ତର୍ଜମା କରି ୨ ସପ୍ତାହରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଆମିକସ୍‌କ୍ୟୁରୀ ରଞ୍ଜିତ କୁମାରଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ।

ଓଡ଼ିଶା ବାହାରେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଅଛି କେତେ ଜମି? ରାଜ୍ୟ ଭିତରେ ଠାକୁରଙ୍କ କେତେ ଜମିରେ ଚାଲିଛି ପଥର କ୍ୱାରୀ? ସେ ନେଇ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରି ପାରିଲାନି ଶ୍ରୀମନ୍ଦିର ପରିଚାଳନା କମିଟି। ଏମିତିକି ଶ୍ରୀମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସ୍ତାବ ବି ଅନୁପାଳନ ହୋଇନଥିବା ଦର୍ଶାଇଥିଲେ ଆମିକସକ୍ୟୁରୀ ରଞ୍ଜିତ କୁମାର। ତେଣୁ ବାକି ପ୍ରସ୍ତାବ ଗୁଡ଼ିକର ତର୍ଜମା କରି ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଆମିସକ୍ୟୁରୀଙ୍କୁ ହୋଇଛି ନିର୍ଦ୍ଦେଶ।

ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ପ୍ରଶାସନର ଓକିଲ ଶ୍ୱେତକେତୁ ମିଶ୍ର କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଜମି ଓ ଖଣି ଖାଦାନ ନେଇ ବିସ୍ତୃତ ତଥ୍ୟ ଦାଖଲ ହୋଇ ନାହିଁ। ଓଡ଼ିଶା ବାହାରେ ଥିବା ଜମିର ସବିଶେଷ ହିସାବ ମିଳି ପାରିନି। ତେଣୁ ଆମିକସକ୍ୟୁରୀଙ୍କ ନୋଟ୍‌ ଆଧାରରେ ପରିଚାଳନା କମିଟି ଅତିରିକ୍ତ ସତ୍ୟପାଠ ଜରିଆରେ ରିପୋର୍ଟ ଦେବ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ୱେତକେତୁ ମିଶ୍ର କହିଛନ୍ତି।

ସେପଟେ ସୁପ୍ରିମକୋର୍ଟରେ ଦାଖଲ ଅସମ୍ପୂର୍ଣ୍ଣ ରିପୋର୍ଟକୁ ନେଇ ଆପତ୍ତି ଉଠାଇଛି ମାମଲାରେ ପକ୍ଷଭୁକ୍ତ ସେବାୟତ ସମାଜ। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି, ସେବାୟତଙ୍କ କଲ୍ୟାଣ ଲାଗି ଆକ୍‌ସନ ରିପୋର୍ଟରେ କିଛି ବି ଉଲ୍ଲେଖ ନାହିଁ। ତେଣୁ ଏ ନେଇ ସେ ଆମିକସକ୍ୟୁରୀଙ୍କ ପ୍ରତିନିଧି ପ୍ରିୟା ହିଙ୍ଗୁରାନିଙ୍କୁ ଜଣାଇଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗତ ନଭେମ୍ବର ୪ରେ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର  ପରିଚାଳନା କମିଟିକୁ ୨୨ଟି ପ୍ରସ୍ତାବର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଶୃଙ୍ଖଳିତ ନୀତିକାନ୍ତି, ଭକ୍ତଙ୍କ ସୁରକ୍ଷା, ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ସହ ପୁରୀରେ ୬୦ ହଜାର ଭକ୍ତଙ୍କ ରହଣି ବ୍ୟବସ୍ଥା ଓ ଠାକୁରଙ୍କ ସଂପତ୍ତି ଚିହ୍ନଟ କରି ଆକ୍‌ସନ ଟେକେନ ରିପୋର୍ଟ ଦେବାକୁ କୁହାଯାଇଥିଲା।

ପ୍ରିୟତମାଙ୍କ ପାଇଁ ପାଟଶାଢ଼ି କିଣିଲେ ମହାରାଜ କଂସ ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼): ମହାରାଣୀ ପଦ୍ମାବତୀଙ୍କ ପାଇଁ ପାଟଶାଢ଼ି କିଣିଲେ ମଥୁରା ନରେଶ ମହାରାଜ କଂସ।  ଆଜି ସେ ପାତ୍ର ଓ ମନ୍ତ୍ରୀଙ୍କ ସହିତ ନଗର ଭ୍ରମଣ  କରିବା ସମୟରେ ଜାତୀୟ ହସ୍ତତନ୍ତ ମେଳା ପରିଦର୍ଶନ କରିଥିଲେ।  ବିଭିନ୍ନ ପ୍ରକାର ପାଟ ଶାଢ଼ି ଦେଖି ମହାରାଣୀ ପଦ୍ମାବତୀଙ୍କ କଥା ତାଙ୍କର ମନେ ପଡ଼ିଥିଲା। ମହାରାଣୀଙ୍କୁ ଖୁସି କରିବାକୁ ତାଙ୍କ ପାଇଁ ପାଟଶାଢ଼ି କିଣିଛନ୍ତି ମହାରାଜ କଂସ।

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ  କମ୍ପୁଛି ମଥୁରା । ମହାରାଜ କଂସଙ୍କ ରାଜୁତିରେ ଆତଯାତ ସମସ୍ତେ । ପରମଶତ୍ରୁ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ମହାରାଜ ଆୟୋଜନ କରିଛନ୍ତି ଧନୁଯାତ୍ରା । ତେବେ ଆଜି ଭାରତ ବନ୍ଦ ଥିଲେ ବି ଏହି ଧନୁଯାତ୍ରାରେ କୌଣସି ପ୍ରଭାବ ପଡ଼ିନାହିଁ। କାହିଁକିନା ପଶ୍ଚିମ ଓଡ଼ିଶାର ବରଗଡ଼ର ଏହି ପ୍ରସିଦ୍ଧ ପର୍ବ ପାଇଁ କଂସଙ୍କ ଏହି ଧନୁଯାତ୍ରାକୁ ବନ୍ଦରୁ ବାଦ ଦିଆଯାଇଥିଲା।

ଫଳରେ ବରଗଡ଼ରେ ସ୍ୱାଭାବିକ୍‌ ଥିଲା ଜୀବନ ଯାତ୍ରା। ଦୋକାନ ବଜାର ଖୋଲାଥିଲା। ଆଉ ମହାରାଜ କଂସଙ୍କ ଦରବାର ବି ଚାଲିଥିଲା। ଆଉ ସେ ମଥୁରାରେ ରାଜ୍‌ ବି କରିଥିଲେ। ହାତୀରେ ସବାର ହୋଇ ନିଜ ପାରିଷଦ ବର୍ଗଙ୍କୁ ନେଇ କଂସ ମଥୁରାନଗରୀ ବୁଲିଥିଲେ। ଆଉ ଶାସନ ବି କରିଥିଲେ। ଏହା ହିଁ ହେଉଛି ଧନୁ ଯାତ୍ରାର ବିଶେଷତ୍ୱ।