ଗଜପତି ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ର-ଧନୁଷ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ୨ ବର୍ଷ ବୟସରୁ କମ୍ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ସମ୍ପୂର୍ଣ୍ଣ ଟିକାକରଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲାରେ ମିଶନ ଇନ୍ଦ୍ର-ଧନୁଷ ୨-୦ ର ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ମାସର ଆସନ୍ତା ୬ ତାରିଖରୁ ଆରମ୍ଭ କରାଯିବ ।

ଏହି ଅବସରରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ ଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଗୋଷ୍ଠି ଓ ସ୍ବାସ୍ଥ୍ୟ କେନ୍ଦ୍ରର ଜିଲ୍ଲା ଓ ବ୍ଲକ ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଆଂଶଗ୍ରହଣ କରିଥିଲେ ।

ଗତ ଡିସେମ୍ବର ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ମିଶନ ଇନ୍ଦ୍ର-ଧନୁଷର ଟୀକାକରଣ କାର୍ଯ୍ୟକ୍ରମରେ ମୋଟ ୨୪୬ ଜଣ ଶିଶୁ ଏବଂ ୭୮ ଜଣ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଥିଲା। ସେହିଭଳି ଚଳିତ ଜାନୁଆରୀ ମାସର ଆସନ୍ତା ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ର-ଧନୁଷ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ କରାଯିବ ।

ଏହି କାର୍ଯ୍ୟକ୍ରମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି ତଥା ଭୁବନେଶ୍ୱରରୁ ଆସିଥିବା ଏସଏମଓ: ସମ୍ବିତ ପ୍ରଧାନ ଉପସ୍ଥିତ ରହି ମିଶନ ଇନ୍ଦ୍ର-ଧନୁଷର ପ୍ରଥମ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରସଂଶା କରିଥିଲେ ଏବଂ ପ୍ରୋଜେକ୍ଟର ମାଧ୍ୟମରେ ମିଶନ ଇନ୍ଦ୍ର-ଧନୁଷର ବ୍ୟାପକତା ସମ୍ପର୍କରେ ବିଭିନ୍ନ ତଥ୍ୟର ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ଦ୍ଵିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ର-ଧନୁଷର ଟୀକାକରଣ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ଜିଲ୍ଲାପାଳ ଶ୍ରୀ ସାହାଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରା ଯାଇଥିଲା । ଅନ୍ୟ ପକ୍ଷରେ ଏହି କାର୍ଯ୍ୟକ୍ରମର ମା ଓ ଶିଶୁ ସୁରକ୍ଷା କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ପୁରଣ କରାଯିବା ଉପରେ ଜିଲ୍ଲାପାଳ ସାହା ବିଶେଷ ଗୁରୁତ୍ଵାରୋପ୍ କରିଥିଲେ । ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଗୁନୁରାଣୀ ପଟ୍ଟନାୟକ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବୈଠକରେ ଅବଗତ କରାଇଥିଲେ ।

ଅନ୍ୟାନ୍ୟ ମଞ୍ଚାସୀନ ଅଧିକାରୀ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାଃ ପ୍ରଦୀପ କୁମାର ପାତ୍ର , ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ ଏମ:ମୁବାରକ ଅଲ୍ଲୀ , ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ ଛନ୍ଦା କାନୁନଗୋ , ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାଃ ରବି ନାରାୟଣ ଦାସ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟାରାଣୀ ଗୌଡ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ବୈଠକ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟ ଉପ-ପରିଚାଳକ ସୁଶାନ୍ତ ପ୍ରସାଦ ନାୟକ ପରିଚାଳନା କରିଥିବା ବେଳେ ଶୁରେଶ କୁମାର ଜେନା ସହଯୋଗ କରିଥିଲେ ।

ଗଜପତି ଜିଲ୍ଲା ରେ ଜିଲ୍ଲାସ୍ତରୀୟ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର-୨୦୨୦ କାର୍ଯ୍ୟକ୍ରମ ୩ ଦିନିଆ ଉଦ୍ ଘାଟିତ ହୋଇଯାଇଛି ।

ଗଜପତି ଜିଲ୍ଲା ପ୍ରଶାସନ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ରାଷ୍ଟ୍ରୀୟ ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କଟକ ଜିଲ୍ଲାର ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ଏସଭି:ନିରତାର) ବୈଷୟିକ ସହାୟତାରେ ଏହି ଅସ୍ତ୍ରୋପଚାର ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ଶାହା ଉଦ୍ ଘାଟନ କରି ପୂର୍ବରୁ ଜନ୍ମଗତ ପାଦ ବିକୃତି ଥିବା ଛୋଟ ପିଲା ଶୁନ ଠାରୁ ୧୪ ବର୍ଷ ବୟସ ପିଲା ମାନଙ୍କୁ ରାଷ୍ଟ୍ରୀୟ ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଭ୍ରାମ୍ୟମାଣ ଦଳ ଦ୍ୱାରା ଅଙ୍ଗନବାଡି ଓ ଆଶା କର୍ମୀ ମାନଙ୍କ ସହଯୋଗରେ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ରହିଥିବା ଜନ୍ମଗତ ପାଦ ବିକୃତି ସବୁ ଠିକ୍ କରାଯିବ । ଏଥିପାଇଁ କଟକ ଜିଲ୍ଲାର ଓଲଟପୁର ସ୍ଥିତ ଏସଭି:ନିରତାର ସଂସ୍ଥାର ବିଶେଷଜ୍ଞ ତଥା କୁଶଳୀ ଡାକ୍ତର ଦଳ ଆସିଛନ୍ତି। ବର୍ତ୍ତମାନ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ ଚାଲିଛି । ଅସ୍ତ୍ରୋପଚାର ପରେ ଡାକ୍ତରୀ ଦଳ ପରାମର୍ଶ ଦେବା ପ୍ରକାରେ ସମ୍ପୃକ୍ତ ପିଲାମାନଙ୍କୁ ଆବଶ୍ୟକ ସୁବିଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଗୁନୁରାଣୀ ପଟ୍ଟନାୟକ ଯୋଗଦେଇ ଏହି ଅସ୍ତ୍ରୋପଚାର ଶିବିରରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଏହି ଅସ୍ତ୍ରୋପଚାର ଶିବିର କାର୍ଯ୍ୟକ୍ରମରେ ଗଜପତି ଜିଲା ସମେତ ପଡୋଶୀ ଆନ୍ଧ୍ର , ଗଂଜାମ ଓ ରାୟଗଡା ଜିଲ୍ଲାର ଛୋଟ ପିଲା ମାନେ ମଧ୍ୟ ଆସିଛନ୍ତି । ସେମାନଙ୍କ ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରକାର ସୁବିଧା ବ୍ୟବସ୍ଥା କରା ଯାଇଛି ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାଃ ପ୍ରଦୀପ କୁମାର ପାତ୍ର , ଡ଼ିପିଏମ.ସୌମ୍ୟାରାଣୀ ଗୌଡ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ , ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସାଇ ପ୍ରସାଦ ଦାସ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା ଓ ସଂଯୋଜିକା ଶିବାନୀ ପାଣିଗ୍ରାହୀ , ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ ଡାଃ ଶାନ୍ତନୁ ପାଢ଼ୀ , ଏବଂ ଡିଏମଓ-ଡିଏଚଏଚ- ଡାଃ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପିଲାମାନଙ୍କ ଜନ୍ମଗତ ପାଦ ବିକୃତିର ସଫଳ ଅସ୍ତ୍ରୋପଚାର ପରେ ସେମାନଙ୍କ ପାଦ ଅନୁସାରେ ଜୋତା , ଏସଭି:ନିରତାର ସଂସ୍ଥା ମାଧ୍ୟମରେ ଏବଂ ଜିଲ୍ଲା ସଅଳ ଚିକିତ୍ସା ଓ ପରୀକ୍ଷା କେନ୍ଦ୍ର ଜରିଆରେ ଫିଜିଓଥେରାପି ଦିଆ ଯିବାର ବ୍ୟବସ୍ଥା କାରାଯାଇଛି ।

ଯାହା ଫଳରେ ସମ୍ପୃକ୍ତ ଛୋଟ ପିଲାମାନେ ଭବିଷ୍ୟତରେ ସେମାନେ ନିଜ ଗୋଡ଼ରେ ଛିଡା ହୋଇପାରିବା ସହ ସମାଜର ମୁଖ୍ୟ-ସ୍ରୋତରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି ।

ଏହି ୩ ଦିନିଆ ଜନ୍ମଗତ ପାଦ ବିକୃତି ଅସ୍ତ୍ରୋପଚାର ଶିବିର କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକା ନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ଏସଭି-ନିରତାର) ପକ୍ଷରୁ ସଂସ୍ଥାର ବିଶେଷଜ୍ଞ ଡାକ୍ତର ଡାଃ ନିବେଦିତା ଦାସଙ୍କ ନେତୃତ୍ୱରେ , ଡାଃ. କେଏସ୍ ରାଓ , ଡାଃ. ଜିତେନ୍ଦ୍ର ଷଡଙ୍ଗୀ , ଡାଃ ସୁଧାକର ପ୍ରଧାନଙ୍କ ସମେତ ସହଯୋଗ ପାଇଁ ସିଷ୍ଟର ହେମନ୍ତ ମଞ୍ଜରୀ ଦେଇ , ବେଣୁଲତା ବେହେରା ଓ ରମେଶ ପ୍ରମୁଖ ଆସି ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ।

ଗୁମ୍ମା ଠାରେ ବ୍ଲକ ସ୍ତରୀୟ “ଗଜପତି ମହୋତ୍ସବ”ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ବ୍ଲକ କାର୍ଯ୍ୟ।ଳୟ ସଭାଗୃହ ଠାରେ “ଗଜପତି ମହୋତ୍ସବ”ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ:- ନଟବର ଗରଡ଼ , ସିଡିପିଓ:-ଅନିତା ରାଣୀ ପଟନାୟକ , ଜିଲ୍ଲା ପରିଷଦ ସଭ୍ୟା ପ୍ରେମିକା ରଇତ ଏବଂ ସଭ୍ୟ ହିମାଂଶୁ କୁମାର ଲିମା , ବ୍ଲକ ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ , ଜିପିଓ , ବ୍ଲକର ସମସ୍ତ ୨୦ ଟି ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟା/ସଭ୍ୟ , ଏବଂ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ରହି , ଚଳିତ ମାସର ଆସନ୍ତା ୮ ଓ ୯ ତାରିଖ’ରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ଗଜପତି ମହୋତ୍ସବରେ ଗ୍ରାମାଞ୍ଚଳ ମାନଙ୍କରେ ଲୁକ୍କାୟିତ ଭାବେ ରହିଥିବା ସାଂସ୍କୃତିକ କଳା ପ୍ରତିଭା ସବୁକୁ ଲୋକଲୋଚନକୁ ଆଣି ଜିଲ୍ଲା ସ୍ତରୀୟରେ ନିଜ ନିଜ କଳା ପ୍ରଦର୍ଶନନେଇ ବୈଠକ କାର୍ଯ୍ୟକ୍ରମରେ ଆଲୋଚନା କରା ଯାଇଥିଲା ।

ଅନୁଷ୍ଠିତ ହେବାକୁ ଥିବା ଏହି ବ୍ଲକ ସ୍ତରୀୟ ଗଜପତି ମହୋତ୍ସବରେ ବିଭିନ୍ନ କମିଟି ଓ କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱ ବଣ୍ଟନ କରା ଯାଇଥିଲା ।

ଚଳିତ ମାସର ଆଗାମୀ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗୁମ୍ମା ବ୍ଲକର ଗଜପତି ମହୋତ୍ସବକୁ ସମସ୍ତେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ବୈଠକରେ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଗଜପତି ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ଓ ପ୍ରଦର୍ଶନୀ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମ ସ୍ଥିତ ନୀଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଓଡିଶା ବିଦ୍ୟାଳୟ ଶିକ୍ଷା କାର‌୍ୟ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଭଞ୍ଜଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସଭାପତିତ୍ୱ କରିଥିଲେ ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଯୋଗଦେଇ ପ୍ରକଳ୍ପ ପ୍ରତିଯୋଗିତାର ଉଦ୍ଦେଶ ଜ୍ଞାପନ କରି ଜିଲ୍ଲାର ୨୬ ଟି ଉଚ୍ଚ ବିଦ୍ୟାଳୟର ପ୍ରକଳ୍ପ ଗୁଡିକ ପ୍ରଦର୍ଶିତ ତଥା ଉପସ୍ଥାପିତ ହୋଇଥିବା ସୂଚନା ଦେଇଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ଜିତେନ୍ଦ୍ର ନାଥ ପଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରାଛାତ୍ରି ମାନଙ୍କ ମଧ୍ୟରେ ଉଙ୍କି ମାରୁଥିବା ବୈଜ୍ଞାନିକ ଚିନ୍ତାଧାରା ଏଭଳି ପ୍ରଦର୍ଶନୀ ମାଧ୍ୟମରେ ପରିପ୍ରକାଶ ହେବାର ଏକ ପ୍ରୟାସ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପଲିଟେକ୍ନିକ କଲେଜର ଅଧ୍ୟକ୍ଷ ଗଦାଧର ମହାରଣା , ଅବସର-ପ୍ରାପ୍ତ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ହରିହର ପଣ୍ଡା , ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନା , ଗୋଷାଣୀ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂହ , ରାୟଗଡ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମନୋରଞ୍ଜନ ସେଠି ପ୍ରମୁଖ ମଞ୍ଚରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ବିଦ୍ୟାଳୟ’ର ପ୍ରଧାନଶିକ୍ଷକ ବିଶ୍ଵନାଥ ଗୌଡ କାର‌୍ୟ୍ୟକାଶରୀ ସମ୍ପାଦକ ଭାବେ ଯୋଗ ଦେଇଥିବା ବେଳେ ରାଅନ୍ୟପାଳ ପୁରସ୍କାର-ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାନ୍ତି ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନଙ୍କ ସହଯୋଗ’ରେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

୮ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ-୨୦୧୯ ଉଦ୍‍ଯାପିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଏବଂ ମଞ୍ଚ ନାଟକର ପୁନଃରୁଦ୍ଧାର ଓ ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ପଡିଆ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ୮ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ୨୦୧୯ ଉଦ୍‍ଯାପିତ ହୋଇଯାଇଛି।

ଦ୍ବିତୀୟ ସନ୍ଧ୍ୟାରେ କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ତିରୁପତି ପାଣିଗ୍ରାହୀ , ନାଟ୍ୟ ନିର୍ଦ୍ଦେଶକ , ଭୂବନେଶ୍ୱର ର ପଞ୍ଚାନନ ଦାସ , ନାଟ୍ୟକାର ଓ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ ମଞ୍ଚସୀନ ଅତିଥି ରୂପେ ଯୋଗଦେଇଥିଲେ।

ଉପାନ୍ତ ଅଞ୍ଚଳ ପାରଳାଖେମୁଣ୍ଡି ଠାରେ ଆଗାମୀ ଦିନରେ ଜାତୀୟ ସ୍ତରୀୟ ନାଟକ ମହୋତ୍ସବ କରାଯିବା ନେଇ ଯେଉଁ ପ୍ରୟାସକୁ ପ୍ରଶଂସା କରିଥିଲେ ଅତିଥି ମାନେ।ଅମୂଲ୍ୟ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏମ୍. ପୃଥ୍ବୀରାଜ ଧନ୍ୟବାଦ ଅର୍ପଣ କରିଥିଲେ।

“ଜୟ ଯବାନ , ଜୟ କିଷାନ” ଏକ ଜାତୀୟ ଓ ଦେଶାତ୍ମବୋଧ ସ୍ଲୋଗାନ୍। କିନ୍ତୁ ଆମ ରାଷ୍ଟ୍ର କୃଷକ ମାନଙ୍କୁ ସୈନିକ ମାନଙ୍କ ପରି ସମାନ ପ୍ରାଧାନ୍ୟ , ସମ୍ମାନ ପ୍ରୋତ୍ସାହନ ଦିଏନାହିଁ । କୃଷି ଓ କୃଷକ ସର୍ବଦ ଏଠି ଅବହେଳିତ। କୃଷକର ଭାଗ୍ୟ କେବଳ ସ୍ଲୋଗାନ ମଧ୍ୟରେ ସୀମିତ ରହେ। ଯଦିଓ ମଣିଷର ମୌଳିକ ଆବଶ୍ୟକତା ଖାଦ୍ୟ କୃଷିରୁ ଉତ୍ପନ୍ନ ହୁଏ କିନ୍ତୁ କୃଷି ଆଜି ସମସ୍ତଙ୍କ ପାଇଁ ଜୀବିକା ନିର୍ବାହାର ଶେଷ ବିକଳ୍ପ। କିନ୍ତୁ ଏବେ ଗଣବୃତ୍ତିରୁ ଧୀରେ ଧୀରେ ସଂଖ୍ୟାନୁନଙ୍କ ବୃତ୍ତିରେ ପରିଣତ ହେବାକୁ ବସିଲାଣି। ଆଜିର ଯୁବପିଢ଼ି ସୈନିକ ହେବାକୁ ପସନ୍ଦ କରୁଛନ୍ତି , କିନ୍ତୁ କୃଷି କର୍ମ କରିବାକୁ ସମସ୍ତେ ନାରାଜ।ତେବେ କ’ଣ ଦୁନିଆର ସବୁ କଷ୍ଟ ସହିଷ୍ଣୁ ଓ ପରିଶ୍ରମୀ ମଣିଷ ହେଉଛି କୃଷକ ?

ତେବେ ଭାରତ ପରି ଏକ କୃଷି ପ୍ରଧାନ ଦେଶରେ କୃଷି ଓ କୃଷକକୁ ପ୍ରାଥମିକତା ମିଳିବ କେବେ ? ଏହି ସମ୍ମାନ ପାଇବା ପାଇଁ କ’ଣ କୃଷକଙ୍କୁ ଆତ୍ମବଳି ଦେବାକୁ ପଡିବ? ଏପରିକି ଚାକିରୀ ଛାଡି କୃଷିକୁ ବୃତ୍ତି ରୂପେ ଆଦରି ଥିବା ଶିକ୍ଷିତ ,ସଚେତନ , ଆଦର୍ଶ କୃଷକ ଭୂପତି ପ୍ରଧାନକୁ ବି ? ବେକାରି ଦୂରୀକରଣ ପାଇଁ କୃଷିକୁ ଏକ ପ୍ରଦୂଷଣ ମୁକ୍ତ ଆତ୍ମନିର୍ଭରଶୀଳ ସବୁଜ ଶିଳ୍ପରେ ରୂପାୟିତ କରିବାରେ ସେ ଯେଉଁ ପରିକଳ୍ପନା କରିଥିଲା ; ତାହା କ’ଣ , ଏକ ନୈରାଶ୍ୟ ଜନକ ଦୁଃସପ୍ନ ଭିତରେ ଉଭେଇଯିବ ?

ଭୂପତି ଯେତେବେଳେ ଆଥିର୍କ ଦୁର୍ଗତିର ଦ୍ବାରଦେଶରେ , ସେତେବେଳେ ତା’ର ଯବାନ ବନ୍ଧୁ ଅଜୟର କର୍ତ୍ତବ୍ୟ କ’ ଣ ? ଦୁଇଜଣ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି । ଅଜୟ କ’ଣ ସତରେ ଅନୁଭବ କରିବ ତା’ର କୃଷକ ବନ୍ଧୁ ଭୂପତି ବି ତା’ ପରି ଦେଶ ମାତୃକାର ଜଣେ ମହାନ୍ ସନ୍ତାନ , ସେବା , ତ୍ୟାଗର ଏକ ମୂର୍ତ୍ତିମନ୍ତ ପ୍ରତୀକ ” ସେ ଅନ୍ନଦାତା ସେ ଦ୍ଵିତୀୟ ସ୍ରଷ୍ଟା” କୃଷକଟିଏ କେବଳ ସମଗ୍ର ଦେଶବାସୀଙ୍କର ନମସ୍ୟ ନୁହେଁ , ଯବାନଙ୍କ ପରି ଭକ୍ତିପୂତ ଅଭିବାଦନ ପାଇବା ପାଇଁ ସେ ମଧ୍ୟ ଯୋଗ୍ୟ।

ଏମିତି ଏକ ରାଷ୍ଟ୍ରୀୟ ଓ ଭାବାବେଗ ପ୍ରସଙ୍ଗକୁ ନେଇ ରଚିତ ଏହି ନାଟକ “ହୋ ସ୍ରଷ୍ଟା” ଦ୍ବିତୀୟ ରଜନୀରେ ମଞ୍ଚସ୍ଥ ହୋଇଥଲା। ଏହାକୁ ପଞ୍ଚାନନ ଦାଶ ନାଟ୍ୟ ରଚନା କରିଥିବା ବେଳେ ଦୀପ୍ତିରଂଜନ ଦାଶ ନିର୍ଦ୍ଦେଶନା ଦେଇଥିଲେ।

ପାରଳାଖେମୁଣ୍ଡି ଠାରେ ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ “ସ୍ମୃତି ତୁମେ ଅଜିଜ୍” ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ନୃସିଂହନାଥ ମନ୍ଦିରର ଝୁଲଣ ମଣ୍ଡପ ସାମନାରେ ପାରଳା ସହରର ବିଶିଷ୍ଠ ବ୍ୟକ୍ତିତ୍ୱ ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରଙ୍ଗାରଙ୍ଗ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ୨ୟ ଅର୍ଘ୍ୟ ସ୍ମୃତି ତୁମେ ଅଜିଜ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ମଠର ମହନ୍ତ ମହାରାଜ ମଧୁସୂଦନ ଦାସଜୀ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ପରେ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଚିନ୍ମୟ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଶିଷ୍ଠ ସାହିତ୍ୟିକ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମଞ୍ଚ ନିର୍ଦ୍ଦେଶକ ତଥା ମଞ୍ଚରତ୍ନ ବଟକୃଷ୍ଣ ପାତ୍ର, ମନୋଜ କୁମାର ପାଢୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ଅତୀତ କର୍ମମୟ ଜୀବନୀ ଓ କିଛି ଅଭୁଲା କଥାକୁ ମନେ ପକାଇ ସ୍ମୃତିଚାରଣ କରିଥିଲେ ।

ଅତିଥି ମାନେ ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସମ୍ପର୍କରେ କହିଥିଲେ ଯେ , ସେ ପାରଳାଖେମୁଣ୍ଡି ସ୍ଥିତ କାରଣ ସାହିର ବାସିନ୍ଦା ଥିଲେ । ସେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ ଶିକ୍ଷକତା କରିଥିଲେ । ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ଯାହାକି ସେ ଏକାଧାରରେ କବି , ଲେଖକ , ସଂଗୀତଜ୍ଞ , ଚିତ୍ରଶିଳ୍ପୀ , କଣ୍ଠଶିଳ୍ପୀ , ସଙ୍ଗୀତ ଓ ନାଟକ ନିର୍ଦ୍ଦେଶକ , କୁଶଳୀ ଅଭିନେତା ଓ ସଂଳାପ ଲେଖକ ଥିଲେ ।

ତାଙ୍କର କୃତି ମଧ୍ୟରୁ ଅନେକ ଗୁଡିଏ ନାଟକ , ଏକାଙ୍କିକା , କବିତା , ଗଳ୍ପ ଇତ୍ୟାଦି ଲେଖି ବିଭିନ୍ନ ସ୍ଥାନରେ ବହୁବାର ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ । ତାଙ୍କର ଏହିସବୁ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଯୋଗୁଁ ତାଙ୍କୁ “କଳାସାଗର” ଉପାଧିରେ ଭୂଷିତ କରାଯାଇଥିଲା ।

ଅନ୍ୟପକ୍ଷରେ ତାଙ୍କର ବହୁମୁଖୀ ପ୍ରତିଭା ସଦା ଜାଗ୍ରତ ରଖିବା ସହ ତାଙ୍କ ସାହିତ୍ୟ କୃତି ଅମଳିନ ରହୁ ବୋଲି କାମନା କରିଥିଲେ । ଉଦ୍ଘାଟନୀ ସଭା କାର୍ଯ୍ୟକ୍ରମ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରାଯାଇଥିଲା । କଳାକାର ମାନଙ୍କ ମଧ୍ୟରେ ମିହିର ମାଳୀ , ଗୁରୁ ନୃସିଂହ ପ୍ରସାଦ ପାଢ଼ୀ , କୁମାର ଗିନୁ , କୁନାବାବୁ ହଳଧର , ହେମନ୍ତ ପଟ୍ଟନାୟକ , ଦୀପଶିଖା ପଟ୍ଟନାୟକ , ରବିନାରାୟଣ ଦାସ ମିନତୀ ବାଳା ମହାପାତ୍ର , ଦେବାଶିଷ ମାଳୀ ଏବଂ ବାବାଜୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ।

ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ତୁଷାର କୁମାର ଦାସ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମିହିର ମାଳୀ , ତୁଷାର ଦାସ , ତ୍ରିଲୋଚନ ପଣ୍ଡା ଏବଂ ଆୟୋଜକ ଚିନ୍ମୟ ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ବ୍ୟାପକତା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ ଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷଠାରେ ପଲସ୍ ପୋଲିଓ-୨୦୨୦ କାର୍ଯ୍ୟକ୍ରମର ବ୍ୟାପକତା ପାଇଁ ଜିଲ୍ଲା ସ୍ତରୀୟ ଏକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଚଳିତ ଜାନୁଆରୀ ମାସର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପଲସ୍ ପୋଲିଓ କାର୍ଯ୍ୟକ୍ରମରେ ମୁଖ୍ୟତଃ ୫ ବର୍ଷ ବୟସରୁ କମ୍ ବୟସର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯିବ ।ଏହି ଜିଲ୍ଲାସ୍ତରୀୟ ବୈଠକରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି ଶେଷ ହେବା ଉପରେ ସମୀକ୍ଷା କରାଯାଇଥିଲା । ଏହି ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସେତେବେଳେ ମୋଟ ୭୩,୭୦୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆ ଯାଇଥିଲା । ଅନ୍ୟ ପକ୍ଷରେ ଏଥି ନିମନ୍ତେ ଆବଶ୍ୟକୀୟ ଥିବା ସମସ୍ତ ଉପକରଣ ମଧ୍ୟ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରାଯାଇଥିଲା ।

ଚଳିତ ମାସ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଏଥିପାଇଁ ମୋଟ ୫୩୪ ଟି ଦଳ ଏବଂ ୨୯ ଟି ଭ୍ରାମ୍ୟମାଣ ଦଳ ଏହି ଟୀକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ କାର୍ଯ୍ୟ କରିବେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଗୁନୁରାଣୀ ପଟ୍ଟନାୟକ ମଞ୍ଚାସୀନ ରହି ଆଗାମୀ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରି ସମସ୍ତ ତଥ୍ୟ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସମ୍ବିତ ପ୍ରଧାନ ଉପସ୍ଥିତ ରହି ପଲସ୍ ପୋଲିଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ତଥ୍ୟ ପ୍ରଦର୍ଶନ କରାଇ ସୂଚନା ପ୍ରଦାନ କରିଥିଲେ ।

ଅନ୍ୟାନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ.ଏମ:ଏମ:ଅଲ୍ଲୀ , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟାରାଣୀ ଗୌଡ , ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାଃ ରବି ନାରାୟଣ ଦାସ , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାଃ .ପ୍ରଦୀପ କୁମାର ପାତ୍ର , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡାଃ . ଛନ୍ଦା କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗ ଉପ-ପରିଚାଳକ ସୁଶାନ୍ତ ପ୍ରସାଦ ନାୟକ ସଞ୍ଚାଳନ ତଥା ଉପସ୍ଥାପନା କରିଥିବା ବେଳେ ଶ୍ରୀ ଶୁରେଶ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠି ଓ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ଓ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ: ପ୍ରଧାନମନ୍ତ୍ରୀ ।

ଏଥର ସମ୍ଭାଳ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁ ସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟଠାରେ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, “ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ।

ଭାରତୀୟ ବିଜ୍ଞାନ ପ୍ରଯୁକ୍ତି ଓ ଇନୋଭେସନ ପରିଦୃଶ୍ୟରେ ବୈପ୍ଳବାତ୍ମକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଏ ଦେଶର ଉଦୀୟମାନ ଯୁବ ବିଜ୍ଞାନୀଙ୍କ ଲାଗି ମୋର ଲକ୍ଷ୍ୟହେଉଛି, “ଉଦ୍ଭାବନ, ଉତ୍ପାଦନ ଏବଂ ସମୃଦ୍ଧି”। ଏହା ଭାରତକୁ ଦ୍ରୁତ ଅଭିବୃଦ୍ଧି ଦିଗରେ ଆଗେଇନେବ।”

ସେ ଆହୁରି କହିଛନ୍ତି, “ନୂତନ ଭାରତ ପ୍ରଯୁକ୍ତି ଏବଂ ତାର୍କିକ ମନୋଭାବ ଚାହେଁ, ଫଳରେ ଆମେ ଆମ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରକୁ ଏକ ନୂଆ ଦିଗ ଦେଇପାରିବା। ବିଜ୍ଞାନ ଏବଂ ପ୍ରଯୁକ୍ତି ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାରେ କ୍ଷେତ୍ର ପ୍ରସ୍ତୁତ କରିଥାଏ ଓ ସମାଜକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରିଥାଏ ।

ଏବେ ସୂଚନା ଓ ସଂଚାର ପ୍ରଯୁକ୍ତିର ବିକାଶ ଫଳରେ ସମସ୍ତେ ଶସ୍ତା ଦରରେ ସ୍ମାର୍ଟଫୋନ ଓ ଶସ୍ତାଡାଟା ପାଇପାରୁଛନ୍ତି। ଏହା ଦେଶରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଛି। ପୂର୍ବରୁ ଏହା ମାତ୍ର କିଛି ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଥିଲା। ଏହାଦ୍ୱାରା ସାଧାରଣ ଲୋକର ମନରେ ବିଶ୍ୱାସ ଜନ୍ମିଛି ଯେ ସେ ସରକାରଙ୍କଠାରୁ ବେଶୀ ଦୂରରେ ନାହିଁ। ଏବେ ସେ ସିଧାସଳଖ ସରକାରଙ୍କ ସହଯୋଡ଼ି ହୋଇପାରିବ ଏବଂ ତା’ କଥା ଶୁଣା ଯାଇପାରିବ।”

ପ୍ରଧାନମନ୍ତ୍ରୀ ଯୁବ ବୈଜ୍ଞାନିକମାନଙ୍କୁ ଗ୍ରାମୀଣ ବିକାଶକ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଆହ୍ୱାନ କରିଛନ୍ତି। ୧୦୭ତମ ଆଇଏସସିର ବିଷୟ ବସ୍ତୁ- “ବିଜ୍ଞାନ ଓ ପ୍ରଯୁକ୍ତି :ଗ୍ରାମୀଣବିକାଶ”, ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ବିଜ୍ଞାନ ଓ ପ୍ରଯୁକ୍ତି କାରଣରୁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଁଚିପାରିଛି।

ବିଶ୍ୱସ୍ତରରେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟା ଦୃଷ୍ଟିରୁ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ସାରାବିଶ୍ୱରେ ଏହି ଅଭିବୃଦ୍ଧି ହାର ମାତ୍ର ୪% ରହିଥିବା ବେଳେ ଭାରତ ୧୦% ହାରରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାସଲକରୁଛି ।”

ଇନୋଭେସନ ସୂଚକାଙ୍କରେ ଭାରତ ୫୨ତମ ସ୍ଥାନକୁ ଉନ୍ନୀତ ହେବା ବିଷୟରେ ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତମ ପ୍ରଶାସନର ଲକ୍ଷ୍ୟ ହାସଲ କରିବା ଲାଗି ବ୍ୟାପକ ସ୍ତରରେ ପ୍ରଯୁକ୍ତିର ଉପଯୋଗ କରାଯାଉଛି । ଗତକାଲି ଆମ ସରକାର ୬ କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ କିସ୍ତି ପ୍ରଦାନ କରିଛନ୍ତି। ସକ୍ଷମ ପ୍ରଯୁକ୍ତି କାରଣରୁ ଏହା ସମ୍ଭବପର ହୋଇପାରିଲ।

ସେ ଆହୁରି କହିଥିଲେ ଯେ ଶୌଚାଳୟ ନିର୍ମାଣ ଏବଂ ଗରିବଙ୍କୁ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ପ୍ରଯୁକ୍ତି ହିଁ କାମରେ ଲାଗି ପାରିଛି। ଜିଓଟ୍ୟାଗିଂ ଓ ଡାଟା ସାଇନ୍ସ ଭଳି ପ୍ରଯୁକ୍ତିକାରଣରୁ ଗ୍ରାମୀଣ ଓ ସହରାଂଚଳରେ ବହୁ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିଛି। ଡିଜିଟାଲାଇଜେସନ, ଇ-କମର୍ସ, ଇଂଟରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ସେବା ଦ୍ୱାରା ଗ୍ରାମୀଣ ଜନ ସାଧାରଣ ବିଶେଷ ଭାବେ ଲାଭାନ୍ୱିତହେଉଛନ୍ତି।

ସେ କହିଥିଲେ ବିଭିନ୍ନ ଗ୍ରାମୀଣ ବିକାଶ ମୂଳକ ପ୍ରୟାସରେ ପ୍ରଯୁକ୍ତିର ଉପଯୋଗ କରାଯାଇପାରିବ। ଫସଲ ବର୍ଜ୍ୟ ଜଳାଇବା, ଭୂତଳ ଜଳସ୍ତର ସଂରକ୍ଷଣ, ସଂକ୍ରାମକ ରୋଗ ନିରାକରଣ, ପରିବେଶ ଅନୁକୂଳ ପରିବହନ ଆଦି ନିମନ୍ତେ ପ୍ରଯୁକ୍ତି ଭିତ୍ତିକ ସମାଧାନ ଖୋଜିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ଜୋର ଦେଇ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଆଇ-ଷ୍ଟେମପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ ।

ଦିଲ୍ଲୀରେ ହିଂସା ରଚୁଥିଲେ ବାଂଲାଦେଶୀ ଅନୁପ୍ରବେଶକାରୀ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଜାଣିବାକୁ ପାଇଛି ପୂର୍ବ ଦିଲ୍ଲୀର ସୀମାପୁରୀ ଓ ସୀଲାମପୁରରେ ଘଟିଥିବା ହିଂସାରେ ବହୁ ବେଆଇନ ଅନୁପ୍ରବେଶକାରୀ ଥିଲେ। ସେମାନେ ସମସ୍ତେ ବାଂଲାଦେଶୀ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି। ପ୍ରାୟ ୧୫ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦିଲ୍ଲୀ ପୁଲିସ୍‌ ଚିହ୍ନଟ କରିପାରିଛି। ସେମାନେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହେଉଥିବା ଆନ୍ଦୋଳନରେ ହିଂସା କାଣ୍ଡ ଘଟାଉଥିଲେ। ସୀମାପୁରୀ ଅଞ୍ଚଳରେ ଶୁକ୍ରବାର ପ୍ରାର୍ଥନା ପରେ ଘଟିଥିବା ହିଂସା ଏମାନେ ହିଁ ଭିଡ଼ ଭିତରୁ କରୁଥିଲେ ବୋଲି ଜଣାପଡ଼ିଛି। ଏମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି କୁହାଯାଉଛି। ଦୁଇ ଡଜନ୍‌ ପିଏଫ୍‌ଆଇ କର୍ମୀ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଥିବା କୁହାଯାଉଛି। ହିଂସାବେଳେ ସେମାନେ ଘଟଣାସ୍ଥଳରେ ଥିଲେ କି ନା ବର୍ତ୍ତମାନ ଯାଞ୍ଚ କରାଯାଉଛି। ଦିଲ୍ଲୀ ପୁଲିସ୍‌ କହିଛି, ବେଆଇନ ଭାବେ ଭାରତକୁ ପଶିଆସିଥିବା ବାଂଲାଦେଶୀ ମୁସଲିମ୍‌ ଏହି ହିଂସାକାଣ୍ଡ ଘଟାଇଥିବା ପ୍ରମାଣ ମିଳିଛି। ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଏଭଳି କିଛି ବାଂଲାଦେଶୀ ଭିଡ଼ ଭିତରୁ ଗୁଳି ମଧ୍ୟ ଚଲାଉଥିଲେ।

ଆମେ ଇଞ୍ଚେ ବି ପଛକୁ ହଟିବୁ ନାହିଁ: ଅମିତ ଶାହା ।

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ) – ସାରା ଦେଶରେ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏଥିରୁ ଇଞ୍ଚେ ବି ପଛକୁ ହଟିବୁ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜସ୍ଥାନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯଦି ସବୁ ରାଜନୈତିକ ଦଳ ଏକାଠି ଆସନ୍ତି, ତେବେ ସୁଦ୍ଧା ବିଜେପି ପଛକୁ ହଟିବ ନାହିଁ। ଯେତେ ପାର ଲୋକଙ୍କୁ ଭୁଲ ସୂଚନା ଦେଇ ଚାଲ ବୋଲି ବିରୋଧୀଙ୍କୁ କହିଛନ୍ତି ଶାହ। ସେହିପରି ବିତର୍କ ପାଇଁ ରାହୁଲଙ୍କୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ। କହିଛନ୍ତି ରାହୁଲ ବାବା ଯଦି ଆଇନ୍‌ ପଢିଛନ୍ତି, ତାହାଲେ ଯେ କୌଣସି ସ୍ଥାନରେ ଚର୍ଚ୍ଚା କରିବାକୁ ଆସନ୍ତୁ । ଯଦି ଆଇନ ପଢି ନାହାନ୍ତି, ତାହାଲେ ଇଟାଲୀ ଭାଷାରେ ଅନୁବାଦ କରି ପଠାଇ ଦେବି।