ନୂଆପଡ଼ା ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ସଦର ବ୍ଲକ ଡୁମେରପାଣି ଉନ୍ନତୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଉଦ୍ୟାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସମ୍ମାନିତ ଅତିଥି ପଂଚାୟତ ସମିତି ଉପାଧ୍ୟକ୍ଷ ଚିନିଲାଲ ସାହୁ, ଏବିଇଓ ଚୈତରାମ ନାଏକ, ଡୁମେରପାଣି ସରପଂଚ ହେମିନ ବିନାୟକ, ମନ୍ନୁଲାଲ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଟିକେଶ୍ୱର ସାହୁ, ବ୍ଲକ ବିଜ୍ଞାନ ସଂଯୋଜକ ରାଧେଶ୍ୟାମ ସାହା ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ଡିଇଓ ଲକ୍ଷ୍ମଣ ଭୋଇ,ବିଇଓ ରେଶମଲାଲ ନାଏକ,ସିଆରସିସି ଅମିୟ ଜ୍ୟୋତି ପାଢୀ, ବ୍ଲକ ବିଜ୍ଞାନ ସଂଯୋଜକ ରାଧେଶ୍ୟାମ ସାହା,ଲାଲରାମ ସାହୁ, ଟେକରାମ ସାହୁ, ସିଏମସି ସଦସ୍ୟ ଟିକେଶ୍ୱର ସାହୁ, ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ୧୩୯ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏଥିରୁ ୧୨ଟି ପ୍ରକଳ୍ପ ଜିଲ୍ଲାସ୍ତର ପାଇଁ ମନୋନୀତ ହୋଇଥିଲା । ବରିଷ୍ଟ ବର୍ଗରେ ଅଭିଷେକ ଦେବାଙ୍ଗନ, ଯୁଧିଷ୍ଠିର ପାଣ୍ଡେ, ନିଶା ସୋନି, ଅଜୁରାମ ବଳିଆର ସିଂ, ଟିକେଶ୍ୱର ସାହୁ ଓ କ୍ଷତୀସ ପ୍ରଧାନ ଓ କନିଷ୍ଠ ବର୍ଗରେ ଭୂମିକା ପଟେଲ, ସୀମା ମାଝି, ଗୀତାଜ୍ଞଳି ସାହୁ, ଭାରତୀ ସାହୁ, ନିଭିରାଜ ସାହୁ, ମହେଶ୍ୱର ସାହୁ କୃତିତ୍ୱ ହାସଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋହର ସାହୁ, ଗିରିଧାରୀ ସା, ସୁଶାନ୍ତ ଯୋଷୀ କସ୍ତୁଭ ସାହୁ, ଶରତ ପଣ୍ଡା, ଜିତେନ୍ଦ୍ର ଖମାରୀ, ସୁନିତା ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷକ କିଶୋର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ପାରଳାଖେମୁଣ୍ଡି ଠାରେ ବିଶ୍ବ ଶ୍ରବଣ ବାଧିତ ଦିବସ -୨୦୧୯ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ବାଲାଜୀ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସାମୁଦାହିକ ବିକାଶ କେନ୍ଦ୍ର (ସିସିଡି)ର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ବ ଶ୍ରବଣ ବାଧିତ ଦିବସ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରବଣ ବାଧିତ ତଥା ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ସବୁ ରହିଥିବା ସହ ସେମାନଙ୍କ ସଶକ୍ତିକରଣ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ ରହିଛି । ତେଣୁ ସମ୍ପୃକ୍ତ ପରିବାର ଲୋକେ ସେମାନଙ୍କୁ ଦିବ୍ୟାଙ୍ଗ ନ ଭାବି ଅସହାୟ କରି କୌଣସି ଶିଶୁ ଯତ୍ନ କେନ୍ଦ୍ରରେ ଛାଡ଼ନ୍ତୁ ନାହିଁ । ସେମାନଙ୍କୁ ସରକାରଙ୍କ ରହିଥିବା ଯୋଜନାରେ ସାମିଲ କରାନ୍ତୁ, ଯାହାକି ପରବର୍ତ୍ତୀ ସମୟରେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଅନ୍ୟମାନଙ୍କ ସହିତ ସକ୍ଷମ ହୋଇପାରିବେ । ଆମେ କାହାର ଦୟାର ପାତ୍ର ନ ହୋଇ ନିଜ ଉପରେ ଦୃଢ଼ ଆତ୍ମବିଶ୍ବାସ ରଖି ପରିଶ୍ରମ କରି ଲକ୍ଷ ସ୍ଥଳକୁ ଆଗେଇ ଯିବାପାଇଁ ଆହ୍ବାନ କରିଥିଲେ । ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରା ଏବଂ ଜିଲ୍ଲା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ଜିଲ୍ଲା ସମ୍ପାଦକ ସନ୍ତୋଷ ମହାରଣା ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତି କରାଇବା ଦିଗରେ ସେମାନେ କିଭଳି ଉଦ୍ୟମ ଜାରି ରଖିଛନ୍ତି , ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା ଏବଂ ବିଭାଗୀୟ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଶିବାନୀ ପାଣିଗ୍ରାହୀ ଯୋଗଦେଇ ଶ୍ରବଣ ବାଧିତ ତଥା ଭିନ୍ନକ୍ଷମ ମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କର ସେମାନଙ୍କ ନିମନ୍ତେ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାର ଅଗ୍ରଣୀ ମାନସିକ ( ଦିବ୍ୟାଙ୍ଗ ) ଅନଗ୍ରସର “ନିୟତୀ” ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପୁରସ୍କାର ଓ ମାନପତ୍ର ଏବଂ ୨ ଜଣ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର ବଣ୍ଟନ କରିଥିଲେ । ଶେଷରେ କଶୀନଗରର ଜଣେ ଦିବ୍ୟାଙ୍ଗ ଛାତ୍ର ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି କଳା ପରିଷଦର ଗୁରୁ ନୃସିଂହ ପ୍ରସାଦ ପାଢ଼ୀଙ୍କ ନିର୍ଦେଶନାରେ କଳାକାର ମାନେ ” ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରିଥିଲେ । ସିସିଡିର ସଂଯୋଜକ ତପନ କୁମାର ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପାରଳାଖେମୁଣ୍ଡି ଠାରେ ସାରଳା ସାହିତ୍ୟ ସଂସଦ ବ୍ରହ୍ମପୁର ଶାଖାର ସାହିତ୍ୟ ଆସର…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସାହିତ୍ୟ ଅନୁଷ୍ଠାନ କଟକ ସ୍ଥିତ ସାରଳା ସାହିତ୍ୟ ସଂସଦର ବ୍ରହ୍ମପୁର ଶାଖା ପକ୍ଷରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା କକ୍ଷରେ ଠାରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।ସାହିତ୍ୟ ସାଂସଦର ରାଜ୍ୟ ସଭାପତି ପ୍ରଫେସର ଇଂ ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଅନୁପମ ସାହା ଉଦ୍ ଘାଟକ ଭାବେ ଯୋଗଦେଇ ସାରଳା ଦାସଙ୍କ ରଚିତ ମହାଭାରତ ପଞ୍ଚଦଶ ଶତକର ଓଡ଼ିଶାର ନିଚ୍ଛକ ପ୍ରତିଛବି ଏବଂ ସାରଳା ସାହିତ୍ୟ ଆମ ଓଡ଼ିଆ ଜାତିର ଦିଗ୍ ଦର୍ଶକ ବୋଲି ସେ ମତ ଦେଇଥିଲେ । ସାରଳା ଦାସ ଜଗତସିଂହପୁର ଜିଲ୍ଲାର ଝଙ୍କଡରେ ଜନ୍ମ ହୋଇ ବିଶ୍ବ ସାହିତ୍ୟକୁ ଆଲୋକିତ କରିଛନ୍ତି ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଆଜି ସମଗ୍ର ବିଶ୍ବରେ ମାନ୍ୟତା ଲାଭ କରିଛି । ସାରଳା ଦାସଙ୍କ ରଚିତ ମହାଭାରତ , ରାମାୟଣ , ଚଣ୍ଡୀପୁରାଣ ଓ ଲକ୍ଷ୍ମୀନାରାୟଣ ବଚନିକା ପ୍ରଭୃତି କାଳଜୟୀ କୃତି ବୋଲି ସେ ତାଙ୍କ ବକ୍ତବ୍ୟ ଉଲ୍ଲେଖ କରିଥିଲେ। ସାରଳା ଦାସ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଭାଷାକୁ ତାଙ୍କ ମହାଭାରତରେ ସଂଯୋଜିତ କରିଛନ୍ତି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଗୁରୁ-ଗୌରବ ଗୌରଚନ୍ଦ୍ର ପଣ୍ଡା ଯୋଗଦେଇ ସାରଳା ଦାସ ଓଡ଼ିଆ ସାହିତ୍ୟର ଆଦିସ୍ରଷ୍ଠା ଥିଲେ । ସେ ଓଡ଼ିଆ ସାହିତ୍ୟରେ ଅସଂଖ୍ୟ ନୂଆ ଶବ୍ଦ ସୃଷ୍ଟି କରିଛନ୍ତି। ଏହା ଆମ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଛି ବୋଲି ସେ ମତ ଦେଇଥିଲେ।ସାରଳା ସାହିତ୍ୟ ସାଂସଦର ସଭାପତି ପ୍ରଫେସର ଇଂ ସ୍ବାଇଁ ତାଙ୍କ ଅଭିଭାଷଣରେ ସାରଳା ଦାସଙ୍କ ମହାଭାରତ ସମଗ୍ର ଭାରତୀୟ ପ୍ରାନ୍ତୀୟ ସାହିତ୍ୟରେ ପ୍ରଥମ ସଂପୂର୍ଣ୍ଣ ମହାଭାରତ । ସାରଳା ଦାସଙ୍କ ସ୍ପଷ୍ଟ କଥା କାହାଣୀ ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ , କୋକୁଆ ଉପାଖ୍ୟାନ , ସତ୍ୟଆମ୍ବ ଉପାଖ୍ୟାନ , ଶ୍ରୀକୃଷ୍ଣଙ୍କ ଗଜପାଦ ଧାରଣ ପ୍ରଭୃତି ବିଶ୍ବ ସାହିତ୍ୟରେ ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଠ ସାରସ୍ୱତ ସାଧକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କ ମହାଭାରତ ଯଦି ଓଡ଼ିଆ ଭାଷାରେ ରଚିତ ହୋଇ ନ ଥାନ୍ତା ତାହା ହେଲେ ଓଡ଼ିଆ ଭାଷା ଆଜି ଏହି ସ୍ତରରେ ନ ଥାନ୍ତା । କଳିଙ୍ଗ ଯୁଦ୍ଧ ସମୟରେ ଓଡ଼ିଆ ଭାଷା ଯେତେବେଳେ ବିଲୁପ୍ତ ହେବା ଅବସ୍ଥାକୁ ଆସି ଯାଇଥିଲା , ସେତେବେଳେ ଏହି ଓଡ଼ିଆ ଭାଷାକୁ ପୁନର୍ଜିବିତ ଦେଇଛନ୍ତି ସାରଳା ଦାସ । ସେ ଓଡ଼ିଆ ଭାଷାକୁ ଋଦ୍ଧି ମନ୍ତ କରିଛନ୍ତି । ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି , ତାର ମୁଖ୍ୟ କାରଣ ହେଉଛି , ସାରଳା ଦାସଙ୍କ ରଚିତ ମହାଭାରତ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସଦର ବ୍ରହ୍ମପୁର ଶାଖାର ଯୁଗ୍ମ-ଆବାହକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରଫେସର ଡ଼ଃ. ପ୍ରସନ୍ନ କୁମାର ସ୍ୱାଇଁ ସାରଳା ଦାସଙ୍କ ଅସାଧାରଣ କାବ୍ୟିକ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପାନ୍ତ ଅଞ୍ଚଳରେ ସାହିତ୍ୟ ଏବଂ ଓଡ଼ିଆ ଭାଷାର ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରସ୍ୱତ ସାଧକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସଂସଦ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ସଂସଦର କାର୍ଯ୍ୟକାରୀ କମିଟି ସଦସ୍ୟ ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜର କଳାକାର ମାନେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ ଶେଷରେ ସାହିତ୍ୟିକ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଦାରିଙ୍ଗବାଡ଼ି ରେ ଖଞ୍ଜାଗଲା ସିସିଟିଭି ।

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ଜନସାଧାରଣ ଏବଂ ପର୍ଯ୍ୟଟକ ଙ୍କ ସୁରକ୍ଷା ନିମନ୍ତେ ସବୁ ସ୍ଥାନ ରେ ସି ସି ଟି ଭି ଲଗା ଯାଇଛି । ଦାରିଙ୍ଗବାଡି ପ୍ରେସ କ୍ଳବ ଏବଂ ପୋଲିସ ର ମିଳିତ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମ କରାଯାଇଛି ।ପ୍ରେସ କ୍ଳବ ର ସମସ୍ତ ସାମ୍ବାଦିକ ବନ୍ଧୁ ଙ୍କ ସମେତ ବାଲିଗୁଡା ଏସ ଡ଼ି ପି ଓ ମାନସ ରଞ୍ଜନ ବାରିକ ଦାରିଙ୍ଗବାଡି ଥାନା ଭାର ପ୍ରାପ୍ତ ଷଧିକାରୀ କୌଶିକ ମାଝୀ ବାଲିଗୁଡା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ଉପସ୍ଥିତ ରେ ଏହି ସିସିଟିଭି ଉଦଘାଟନ ହୋଇଛି । ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସମେତ ସାରା ଜିଲ୍ଲା ରେ ଶୀତ ର ଲହରୀ ଖେଳି ଉଠିଛି । ପ୍ରତି ବର୍ଷ ଭଳି ଏହି ବର୍ଷ ପର୍ଯ୍ୟଟକ ଙ୍କ ଭିଡ଼ ଲାଗିବା ର ଆଶା ରହିଛି । ସମସ୍ତେ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖା ଯାଇ ସିସିଟିଭି ଲଗା ଯାଇଛି । ଏହା ଛଡା ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଜନସାଧାରଣ ଙ୍କୁ ଅବଗତ କରା ଯାଇଛି । ବର୍ତମାନ ଏହି ସ୍ଥାନ କୁ ପର୍ଯ୍ୟଟକ ଆସିବାରେ ଲାଗିଛନ୍ତି । ବର୍ତମାନ ଏଠାରେ ଶୀତ ର ପ୍ରକୋପ 10ଡିଗ୍ରୀ ରେ ପହଁଚି ଛି ।

ରାୟଗଡ଼ା ରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ !

!!! ରାୟଗଡ଼ା ଜିଲ୍ଲା ରୁ ରାୟଗଡ଼ା ଉପଖଣ୍ଡ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା ରଥକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅମୃତ ଋତୁରାଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥର ଉଦ୍ଦେଶ୍ୟ ହେଲା ଯେଉଁ ମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛାପ୍ରକାଶ କରୁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଆଇନଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରି ପାରିବେ ସେହି ବିଷୟରେ ଗୋଷ୍ଠୀ ସ୍ତରରେ ଜନ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦେ୍ଧଶ୍ୟ । ଏକ ଅସହାୟ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନିଜେ ପିତୃତ୍ୱ ଭାବନାର ଜାଗ୍ରତ କରାଇବା ସହ ଉକ୍ତ ପୋଷ୍ୟ ଶିଶୁଟିକୁ ଏକ ନୂତନ ଜୀବନ ପ୍ରଦାନ କରି ତାହାର ଭବିଷ୍ୟତ ଉଜ୍ୱଳ କରିବା । ଏହି ଅବସରରେ ରାୟଗଡ ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଆଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କହଁର, ଜିଲ୍ଲା ବାଲ୍ୟ ବିବାହ ନିଷେଧ ସଂଯୋଜକ ରତ୍ନେଶ୍ୱର ସାହୁ, ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତା , ସରକାରୀ ଅଧିକାରୀ, ଓ ବେସରକାରୀ ସଂସ୍ଥାର କର୍ମକର୍ତା ମାନେ ଏହି ସଚେତନତା ରଥ ଉଦ୍ଧଘାଟନରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଏହି ରଥ ଆଗମୀ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୧୮୨ ଟି ଗ୍ରାମ ପଂଚାୟତ, ୨ ଟି ବିଜ୍ଞାପିତ ଅଂଚଳ ପରିଷଦ ଓ ରାୟଗଡ ମୁ୍ୟନିସିପାଲିଟି ଅଂଚଳରେ ସଚେତନତା ସୃଷ୍ଟି କରିବ ।

ବାଲିଗୁଡ଼ା ପୋଲିସ ପକ୍ଷରୁ ବିଭିନ୍ନ ଗାଁ ଚଢ଼ାଉ କରି ୧୫୦ ଏକର ଗଞ୍ଜେଇ ନଷ୍ଟ…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରୁ ପ୍ରତିନିଧି ପ୍ରୋମଦ ମଲିକ ଙ୍କ ସହ ସଂଜୀବ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ବ୍ଲକ ଅନ୍ତର୍ଗତ ବରଖମା ଗ୍ରାମ ପଞ୍ଚାୟତ ର ଜୁନା ଗାଁ, କଟାପାଙ୍ଗ, ସୁନ୍ଦରମିଲା ଗାଁ ଗୁଡିକ ରେ ବାଲିଗୁଡା ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବ ରେ ଚଢ଼ାଉ କରି ୧୫୦ ଏକର ଗଞ୍ଜେଇ ଗଛ ଗୁଡିକ ଜାଳି ନଷ୍ଟ କରିଛନ୍ତି । ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱ ରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି ।ବାହାର ଜିଲ୍ଲା ର କିଛି ଗଞ୍ଜେଇ ମାଫିଆ ମାନେ ଏହି ଗାଁ ଗୁଡିକ ରେ ରହି ସେହି ଅଞ୍ଚଳ ର ଶିକ୍ଷିତ ବେକାର ଯୁବକ ଙ୍କୁ ଟଙ୍କା ର ଲୋଭ ଦେଖାଇ ଗଞ୍ଜେଇ ବେପାର କରିବା କୁ ପ୍ରବର୍ତ୍ତାଉ ଥିବା କୁହାଯାଉଛି। ନଷ୍ଟ କରାଯାଇ ଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପନ୍ଦର କୋଟି ଟଙ୍କା ହେବା ଆକଳନ କରାଯାଇଛି । ଜିଲ୍ଲା ରେ ହେଉ ଥିବା ଗଞ୍ଜେଇ ଚାଷ କୁ ମୂଳ ରୁ ନଷ୍ଟ କରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଏହାର ତଦାରଖ କରୁଥିବା ସୂଚନା ମିଳିଛି ।

ଭୀମ ଶଙ୍କର ଠିକାଦାର ସଂଘ ର କାର୍ଯ୍ୟବନ୍ଦ ଆନ୍ଦୋଳନ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା (ସୁନା) ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ପରିବହନ ଅନୁମତି ପତ୍ର ଓ ରୟାଲିଟି ରସିଦ ଦାଖଲ ନିର୍ଦେଶ ର ତୁରନ୍ତ ପ୍ରତ୍ୟାହାର ଦାବୀରେ ନିଖିଳ ଓଡିଶା ଠିକାଦାର ମହାସଂଘ ଆହ୍ୱାନ କ୍ରମେ ଭୀମ ଶଙ୍କର ଠିକାଦାର ସଙ୍ଘ ଗୁଣପୁର ୧୮ ସେପ୍ଟେମ୍ବର ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ସଙ୍ଘ ପକ୍ଷରୁ ଏକ ଶୋଭାଯାତ୍ରା ପୁରୁଣା ବାସ ଷ୍ଟାଣ୍ଡ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ ଙ୍କ ଅଫିସ ଠାରେ ପହଞ୍ଚିଥିଲା । ଏଠାରେ ସଙ୍ଘ ପକ୍ଷରୁ ମହମାନ୍ୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରେରଣ କରାଯାଇଛି ।ଏଥିରେ ସଙ୍ଘ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲଟି ରସିଦ ଦାଖଲ ନିର୍ଦେଶର ପ୍ରତ୍ୟାହାର, ସିଡ୍ୟୁଲ ରେଟର ପୁନଃ ଆକଳନ,ତେଲେଙ୍ଗାନା ସରକାର ଙ୍କ ନୀତି ଅନୁଯାୟୀ ଜି ଏସ ଟି ପାଇଁ ୧୦% ଅଧିକ ପ୍ରାପ୍ୟ ପ୍ରଦାନ ଭାରତ ସରକାର ଙ୍କ ଷ୍ଟାଣ୍ଡଡ ଡାଟା ବ୍ଲକ ଓ ଟେଣ୍ଡେର୍ ନିୟମାବଳୀ ର ତୁରନ୍ତ ପ୍ରଚଳନ, ଓଡିଶା ସରକାର ଙ୍କ ବିଭନ୍ନ କାର୍ଯ୍ୟ ରେ ୧୪.୯୯ର ସମ୍ପୂର୍ଣ୍ଣ ପ୍ରତ୍ୟାହାର,ବାହ୍ୟ ସର୍ତ୍ତ ବ୍ୟତୀତ ଲାଇସେନ୍ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ ପ୍ରଦାନ,ପୂର୍ବ ବ୍ୟବସ୍ଥା ଅନୁଯାୟୀ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ଭଳି ଦାବୀମାନ ଉଲ୍ଲେଖ କରାଯାଇଛି । ଉକ୍ତ ଦାବୀମାନ ପୂରଣ ନହେବା ପର୍ଯ୍ୟନ୍ତ ଠିକାଦାର ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ଚାଲୁ ରଖିବେ ବୋଲି ସଂଘ ସଭାପତି ଜୀବନ କିଶୋର ସାହୁ କହିଛନ୍ତି ।

ଗଜପତି ଜିଲ୍ଲା ନୂଆଗଡ ବ୍ଳକର ସମ୍ବଲପୁର ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଳକର ସମ୍ବଲପୁର ଗ୍ରାମ ପଞ୍ଚାୟତରେ ଜଣ ସାଧାରଣଙ୍କ ନିମନ୍ତେ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁଗ୍ମ ଜନ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉପସ୍ଥିତ ରହି ଜନ ସାଧାରଣଙ୍କର ମୋଟ୧୨୩ ଗୋଟି ଅଭିଯୋଗ ଶୁଣାଣୀ କରିଥିଲେ। ସେଥି ମଧ୍ୟରୁ ୯୬ ଗୋଟି ବ୍ୟକ୍ତି ଗତ ଅଭିଯୋଗ ହୋଇଥିବା ବେଳେ ୨୭ ଗୋଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା।ଏହି ଅଭିଯୋଗ ଶୁଣାଣୀରେ ମୋଟ ୪ ଗୋଟି ଦରଖାସ୍ତ ଦାତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିରୁ ୨୪ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣୀରେ ନୂଆଗଡ ବ୍ଲକ ଚେୟାରମ୍ୟାନ୍ ଗୁଡ୍ ବାୟୀ ମଣ୍ଡଳଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ। ତତ୍ ସଙ୍ଗେ ସଙ୍ଗେ ନୂଆଗଡ ବିଡ଼ିଓଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ମଠ ଏବଂ ଜଗନ୍ନାଥ ସଂସ୍କୃତିର ଆସ୍ଥା କେନ୍ଦ୍ରକୁ ପ୍ରହାର କରିଛି କଂଗ୍ରେସ ; ନରସିଂହ ମିଶ୍ର କ୍ଷମା ମାଗନ୍ତୁ : ବିଜେପି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ସାଙ୍ଗିଆକୁ ନେଇ ଯେଉଁ ପ୍ରଶ୍ନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଶ୍ରୀ ମିଶ୍ର ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପୁରୀ ମଠାଧିଶ ବୋଲି ବିଚରାଳୟରେ ମଧ୍ୟ ପୁର୍ବରୁ ପ୍ରମାଣିତ ହୋଇସାରିଛି । ତାଙ୍କ ସ୍ୱୀକୃତିକୁ ନେଇ ବର୍ତମାନ ପ୍ରଶ୍ନ ଉଠାଇବା ନରସିଂହବାବୁ ଜାଣିସୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ କରିଛନ୍ତି । ବୈଦିକ ଗଣିତ ଉପରେ ୫୦ରୁ ଅଧିକ ପୁସ୍ତକ ରଚନା କରିବା ସହ ବେଦ ସହିତ ଗଣିତକୁ ଯୋଡିବା ଭଳି ବିରଳ ବିଦ୍ୟାର ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଅଧିକାରି ଯାହା ସମସ୍ତେ ଜାଣନ୍ତି । ସାଢେ ୪ କୋଟି ଓଡିଆ ଲୋକମାନଙ୍କର ଆସ୍ଥାର ପ୍ରତିକ ତଥା ଆମ ସମସ୍ତଙ୍କର ମାର୍ଗଦର୍ଶକ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତି ଅପଶବ୍ଦ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ହିନମନ୍ୟତାର ପରିଚୟ ଦେଇଛି ।
ନରସିଂହ ବାବୁ ଜାଣିସୁଣି ଜଗନ୍ନାଥ ସଂସ୍କୃତିକୁ ନିଚା ଦେଖାଇବାକୁ ଯାଇ ସାଢେ ୪ କୋଟି ଓଡିଆ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଓ ଭାବନାକୁ ଆଘାତ ଦେଇଛନ୍ତି । ନରିସଂହ ପୁର୍ବରୁ ଆଇନ ମନ୍ତ୍ରୀ ଥିବାବେଳେ ଜଗଦଗୁରୁଙ୍କ ପ୍ରତି ଏକ ବିବାଦିୟ ମନ୍ତ୍ୟବ ଦେଇଥିଲେ ଯାହାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ । ତେଣୁ ନରସିଂହ ବାବୁ ଅବିଳମ୍ବେ ଏଭଳି ମନ୍ତ୍ୟବ ପାଇଁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡ଼ିକୁ ମୋଦିଙ୍କ ବାହାବା ; ବିଜେଡି-ଏନସିପି ଠାରୁ ବହୁତ କିଛି ଶିଖିବାର ଅଛି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିଜେଡ଼ିକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ସାବାସୀ | ଆଉ ବିଜେଡି ଏକ ଶୃଙ୍ଖଳିତ ଦଳ ବୋଲି ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି | ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ | କହିଛନ୍ତି ଏ ଦୁଇ ଦଳଙ୍କ ଠାରୁ ବହୁତ କିଛି ଶିଖିବାକୁ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | ଆଉ ଏଇଟା କୌଣସି ଭାଷଣରେ ବାହାରେ ନୁହେ, ଅନ ରେକର୍ଡ ପ୍ରଶଂସା କରିଛନ୍ତି ଖୋଦ ସଂସଦ ଭିତରେ |ଆଜି ରାଜ୍ୟସଭାର ୨୫୦ ତମ ଅଧିବେଶନର ଅବସରରେ ଉଚ ସଦାଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେଡି ଏନସିପିକୁ ଭୁୟସୀ ପ୍ରଶଂସା କରିଥିଲେ | ଏହି ଦଳ ଦୁଇ ସଂସଦୀୟ ପରମ୍ପରା, ନୀତି ନିୟମ ଓ ଅନୁଶାସନକୁ ଅତି ସୁନ୍ଦର ଢଙ୍ଗରେ ପାଳନ କରିଛନ୍ତି | ସେମାନେ କେବେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ନାହାନ୍ତି କି ଗୃହର ମଧ୍ୟ ଭାଗକୁ ଯାଇ ହୋହଲା କରିନାହାନ୍ତି | ସେମାନେ ସେମାନଙ୍କ ଯୁକ୍ତିକୁ ଗୃହରେ ସୁନ୍ଦର, ଗଠନମୂଳକ ଓ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିଛନ୍ତି | ବିଜେଡି ଓ ଏନସିପି ଅନୁସରଣ କରିଥିବା ନୀତିରୁ ଅନ୍ୟମାନଙ୍କ( ଅନ୍ୟ ଦଳ ମାନଙ୍କ) ବହୁତ କିଛି ଶିକ୍ଷା କରିବାର ଅଛି | ମୁଁ ଏହି ଦୁଇ ଦଳଙ୍କୁ ପ୍ରଶଂସା ନକରି ରହିପାରୁନି ବୋଲି ରାଜ୍ୟସଭାରେ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ | ଆଉ ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହାଣ୍ଡଲରେ ମଧ୍ୟ ପୋଷ୍ଟ କରାଯାଇଛି |