ମହିଳାମାନେ ମାନସିକ ଓ ଶାରୀରିକ ସ୍ତରରେ ମହିଳା ବିରୋଧୀ ଅପରାଧୀଙ୍କୁ ସାମ୍ନା କରନ୍ତୁ – ଗଂଜାମ ଏସ.ପି

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଲ୍ଲିକୋଟ)- ମହିଳାମାନେ ସେମାନଙ୍କର ମାନସିକ ଓ ଶାରୀରିକ ଶକ୍ତି କୁ ଜାଗ୍ରତ କରି ସମାଜ ରେ ସୃଷ୍ଟି କରୁଥିବା ମହିଳା ବିରୋଧୀ ଅପରାଧୀମାନଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଆଗେଇ ଆସିବାକୁ ଗଂଜାମ ଏସ. ପି. ବ୍ରିଜେଶ କୁମାର ରାୟ ଆହ୍ୱାନ କରିଥିଲେ | ବୁଧବାର ଦିନ ଖଲ୍ଲିକୋଟ ରାମଚନ୍ଦ୍ର ବିଜ୍ଞାନ ମହା ବିଦ୍ୟାଳୟ ପରିସରରେ ଆୟୋଜିତ ମହିଳା ବିରୋଧୀ ଅପରାଧ ଓ ଲିଙ୍ଗଗତ ପ୍ରଭେଦ ସମ୍ପର୍କିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗଂଜାମ ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ବ୍ରିଜେଶ କୁମାର ରାୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ମହିଳା ବିରୋଧୀ ଅପରାଧ ଓ ହିଂସା କୁ ରୋକିବା ପାଇଁ ପରିବାର ଠାରୁ ଆରମ୍ଭ କରି ସମାଜ ର ସବୁ ସ୍ତରରେ ପ୍ରତିରୋଧ କରିବାର ସମୟ ଆସିଛି | ହାଇଦ୍ରାବାଦ ର ମାମଲା ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି | ତେବେ କଲେଜ ଛାତ୍ରୀମାନେ ଛାତ୍ରମାନଙ୍କର ବିଭିନ୍ନ କମେନ୍ଟ ତଥା ଅସାମାଜିକ ଇଙ୍ଗିତ ଭଳି କାର୍ଯ୍ୟରେ ଦବି ନ ଯାଇ ସଂଗେ ସଂଗେ ପୋଲିସ ର ଆଶ୍ରୟ ନିଅନ୍ତୁ ଏବଂ ଭିଡିଓ ଫୋନ , ଚାଟିଙ୍ଗ ଓ ସେଲ୍ଫି ନେବାବେଳେ ଛାତ୍ରଛାତ୍ରୀମାନେ ସଂଯମତା ଅବଲମ୍ବନ କରନ୍ତୁ , ପୋଲିସ ର ନେଟୱାର୍କ ସବୁବେଳେ ସଜାଗ ରହିଛି | ତେଣୁ ମହିଳାମାନେ ନିଜର ଶକ୍ତି ସଂଚୟ କରି ମହିଳା ବିରୋଧୀ ଅପରାଧ ଓ ପାରିବାରିକ ହିଂସା ଭଳି ସମସ୍ୟାକୁ ସଜାଡିବାରେ ଚେଷ୍ଟା ଜାରି ରଖନ୍ତୁ | ସେହିପରି ଲିଙ୍ଗଗତ ପ୍ରଭେଦତା ଭଳି ସାମାଜିକ କୁସଂସ୍କାର କୁ ସବୁ କ୍ଷେତ୍ରରେ ବିରୋଧ କରାଯିବା ସହ ଝିଅମାନଙ୍କୁ ପରିବାର ରେ ସମ୍ମାନ ଦେବା ସହ ମହିଳାମାନଙ୍କର ଆତ୍ମ ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବା ଉଦ୍ଦେଶ୍ୟରେ ସ୍ୱୟଂସିଦ୍ଧା ଭଳି କାର୍ଯ୍ୟକ୍ରମ ପୋଲିସ ହାତକୁ ନେଇଥିବା ପ୍ରକାଶ କରିଥିଲେ | କର୍ମଶାଳାରେ ଅଧକ୍ଷତା କରି ମହାବିଦ୍ୟାଳୟ ର ଅଧକ୍ଷ ଡ଼.ଶ୍ୟାମସୁନ୍ଦର ପାଢ଼ୀ ଦାର୍ଶନିକ ପ୍ଲାଟୋ , ମହାଭାରତ ର ଭୀଷ୍ମ ଓ ମହାତ୍ମା ଗାନ୍ଧୀଙ୍କର ମହିଳାମାନଙ୍କ ପ୍ରତି ସମ୍ମାନ ଓ ନିଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ | ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ଼. ବିମଲ ପ୍ରସାଦ ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଭାଷଣ ଦେଇଥିଲେ | କଲେଜ ର ଗୁଣାତ୍ମକ ଶିକ୍ଷା ସଂଯୋଜକ ଅଲେଖ ଚରଣ ମହାନ୍ତି, ଧନ୍ୟବାଦ ଅର୍ପଣ କରିଥିବାବେଳେ ସ୍ଥାନୀୟ IIC ସତ୍ୟରଞ୍ଜନ ପ୍ରଧାନ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ମହିଳା ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବୈଠକ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳ-ବିଭାଜିକା କାର୍ଯ୍ୟାଳୟ ସଭାକକ୍ଷ ଠାରେ ମହିଳା ବିକାଶ ପ୍ରତିଷ୍ଠାନ ଓ ଅଲିଭା ମହାସଂଘର ମିଳିତ ସହଯୋଗରେ ଦି ହଙ୍ଗର ପ୍ରୋଜେକ୍ଟ ଓଡିଶା , ସହାୟତାରେ ମହିଳା ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା-ସ୍ତରୀୟ ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମହିଳା ବିକାଶ ପ୍ରତିଷ୍ଠାନର ସଂଯୋଜକ ନଟବର ପାଢ଼ୀ ଯୋଗଦେଇ ପଞ୍ଚାୟତ ସ୍ତରରେ ରହିଥିବା ରାଜନୀତିରେ ମହିଳା ମାନଙ୍କୁ ଅଧିକା ସଂଖ୍ୟାରେ ଏହି ଶାସନ ବ୍ୟବସ୍ଥାକୁ ଆଣିବା , ଗ୍ରାମର ସର୍ବାଙ୍ଗୀନ ବିକାଶ ଦିଗରେ ନିଷ୍ପତ୍ତି ନେବାରେ ଭାଗିଦାରୀ କରାଇବା ଉଦ୍ଦେଶ୍ୟ ନେଇ ମହିଳା ମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି ।ତେବେ ମହିଳା ମାନଙ୍କୁ ସଶକ୍ତ କରାଇବା ସହ ମହିଳା ମାନଙ୍କୁ ସମାଜର ଆଗ ଧାଡିକୁ ଆଣି ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରାଇବା ପ୍ରଭୃତି ଏକ ଦୃଢ଼ ଓ ଉତ୍ତମ ପଦକ୍ଷେପ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଇ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଏବଂ ଜିଲ୍ଲା ଶିକ୍ଷା ବିଭାଗର ପ୍ରମୋଦ କୁମାର ପାଢୀ ପ୍ରମୁଖ ଯୋଗଦେଇ ପଞ୍ଚାୟତ ମହିଳା ପ୍ରତିନିଧି ମାନଙ୍କ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଦିଗରେ ସେମାନଙ୍କ ଦାୟିତ୍ୱ , କର୍ତ୍ତବ୍ୟ ଓ ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟତଃ ପଞ୍ଚାୟତର ମହିଳା ନିର୍ବାଚିତ ପ୍ରତିନିଧି ମାନେ ସେମାନଙ୍କ ଅଭିଯୋଗ ମୌଖିକ ଭାବରେ ନ ଜଣାଇ ସବୁବେଳେ ଅଭିଯୋଗ ଗୁଡାକ ଲିଖିତ ଭାବେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଲେ ଏହା ପରବର୍ତ୍ତୀ କାଳରେ ପଞ୍ଚାୟତର ବିକାଶରେ କାର୍ଯ୍ୟକାରୀ ହେବାର ବିଶେଷ ସହାୟକ ହୋଇଥାଏ ବୋଲି କହିଥିଲେ ।

ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ , ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ଏହି ଆଲୋଚନା ବୈଠକରେ ପ୍ରତିଷ୍ଠାନର ସମ୍ପାଦିକା ମିନତୀ ପାଢ଼ୀ , ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ସନ୍ୟାସୀ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟତ ଭାବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ରା:-ଉଦୟଗିରି ଓ ରାୟଗଡ ବ୍ଲକର ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ମହିଳା ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା : ସଂରକ୍ଷିତ ରଖିଲେ ଛଅଟି ଲଘୁ ଖଣି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଥିବା ବେଳେ ଏଥିପାଇଁ ଆବଶ୍ୟକ ଖଣ୍ଡୋଲାଇଟ ପଥର ସକାଶେ ସରକାର ଛଅଟି ଲଘୁ ଖଣିକୁ ସଂରକ୍ଷିତ ରଖିଛନ୍ତି । ଓଡିଶା ଖଣି ନିଗମକୁ ଏହିସବୁ ଖଣି ଲିଜ ଦିଆଯାଇଥିବା ବେଳେ ଏଥିରୁ ଉତ୍ତୋଳିତ ଖଣ୍ଡୋଲାଇଟ ପଥର କେବଳ ପୁର୍ତ୍ତ ବିଭାଗକୁ ଦିଆଯିବ | ଏ ସବୁ ଖଣ୍ଡୋଲାଇଟ ପଥର ଏହା କେବଳ ଐତିହ୍ୟ ସହର ବିକାଶ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ଜଣାପଡିଛି |

ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁରର ଛାଣ୍ଡି ବ୍ଲକ, ଶୁଖୁଆପାହାଡ଼ ଓ ତେଲିଗଡ଼, କଟକର ଗୋବିନ୍ଦପୁର, ଖୋର୍ଦ୍ଧାର କୁରୁମପଡା ଓ କୁଣ୍ଡାକୁଣ୍ଡି ପଥର ଖଣିକୁ ଓଏମସିକୁ ଲିଜ ସୂତ୍ରରେ ଦିଆଯାଇଛି । ଏହିସବୁ ଖଣିରୁ ଉତ୍ତୋଳିତ ସବୁ ଖଣ୍ଡୋଲାଇଟ ପଥର କେବଳ ପୂର୍ତ୍ତ ବିଭାଗ କିମ୍ବା ପୁର୍ତ୍ତ ବିଭାଗ ଦ୍ଵାରା ଅଧିକୃତ ସଂସ୍ଥାକୁ ଦିଆଯିବ । ଏହି ପଥର କେବଳ ପୁରୀର ରୂପାନ୍ତରଣ ପାଇଁ କାର୍ଯ୍ୟରେ ବ୍ୟବହାର ହେବ । ରୂପାନ୍ତରଣ ପାଇଁ ଆବଶ୍ୟକ ନଥିବା ପଥରକୁ ଓଏମସି, ପୁର୍ତ୍ତ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ସହମତିରେ ଅନ୍ୟତ୍ର ବିକ୍ରି କରାଯାଇପାରିବ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି |

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ କର୍ମଶାଳା

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଆଶା ଓଡିଶା, ସେଭ ଦି ଚିଲଡ୍ରେନ୍ସ, ମହିଳା ଓ ଶିଶୁ ସହାୟତା କେନ୍ଦ୍ର, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ,ପୁଲିସ ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟିର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ କର୍ମଶାଲା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ କୁମୁଦ ହୋତା, ଅଶ୍ୱିନୀ ପାତ୍ର, ଆଶା ଓଡିଶା ସଭାପତି ସରସ୍ୱତୀ ମହନ୍ତ, ମହିଳା ଓ ଶିଶୁ ଡେକ୍ସ ଏସଜେ ମଣି ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆଶା ଓଡିଶା ପ୍ରକଳ୍ପ ସଂଯୋଜକ ସଂଜୀନ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାରେ ହେଉଥିବା ପ୍ରତ୍ୟେକ ବାଲ୍ୟ ବିବାହକୁ କିପରି ରିପୋର୍ଟ କରାଯିବ ଓ ବାଲ୍ୟ ବିବାହକୁ ବନ୍ଦ କରିବା ସହ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଗଢି ତୋଳିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏସଡିପିଓ ଶ୍ରୀ ପଟ୍ଟନାୟକ ଶିଶୁ ସୁରକ୍ଷା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଶୋଷଣକୁ ରୋକିବାକୁ ଆମେ ସମସ୍ତେ ସଚେତନ ହେବାକୁ ପଡିବ ବୋଲି ଆହ୍ୱାନ କରିଥିଲେ । ଡିସିସପିଓ ଶ୍ରୀ ରଥ ବାଲ୍ୟ ବିବାହ ନିଷେଧ ଉପରେ ରିପୋଟିଂ ପ୍ରକ୍ରିୟାକୁ ବୁଝାଇଥିବା ବେଳେ ସିଡବ୍ଲୁସି ସଦସ୍ୟ ଶ୍ରୀ ହୋତା ବାଲ୍ୟ ବିବାହ ନିଷେଧ ଆଇନ ୨୦୧୬ ଓ ବାଲ୍ୟ ବିବାହର କୁପରିଣାମ ଉପରେ ନିଜ ମତ ଦେଇଥିଲେ । ସେହିପରି ପ୍ରକାଶ ସେନାପତି ଜେଜେବି ଆକ୍ଟ ଓ ୧୧୨ ସେକ୍ସନ ଉପରେ ଦିଗଦର୍ଶନ ଦେଇଥିଲେ । ନୂଆପଡ଼ାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବାକୁ ସଂକଳ୍ପ ନେଇଥିଲେ । ଆଶା ଓଡିଶା ସଭାନେତ୍ରୀ ସରସ୍ୱତୀ ମହନ୍ତ ସମସ୍ତ ଆଇନ ପ୍ରବର୍ତ୍ତନ ଅଧିକାରୀ ଙ୍କୁ ବାଲ୍ୟ ବିବାହ ଓ ଶିଶୁ ନିର୍ଯ୍ୟାତନା ନିଷେଧ ଉପରେ ସପଥ ପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ । କୋମନା, ଲଖନା, ବେଲଟୁକୁରୀ, ଖରିଆର, ନୂଆପଡ଼ା ଥାନାର ଏସଜେପିୟୁ ପୁଲିସ ଅଧିକାରୀ, ୧୦ଟି ପଞ୍ଚାୟତର ସରପଞ୍ଚ, ପରା ଲିଗାଲ ସ୍ୱେଚ୍ଛାସେବୀ ଓ ଆଶା ଓଡିଶାର କର୍ମୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଠାରେ ୫୧ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଆଶା ଓଡିଶାର କର୍ମଚାରୀ ଉପସ୍ଥିତ ଥିଲେ ।

କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ଆଲୋଚନା ଚକ୍ର; କାର୍ଯ୍ୟକ୍ରମରେ ଯୋଗଦେଲେ ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗାଭ୍ୟାସ ଭୋଇ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦୁଇଦିନ ଧରି ଗଜପତି ଜିଲ୍ଲା ଗ୍ରସ୍ତରେ ଆସିଥିବା ଆନ୍ତର୍ଜାତିକ ସ୍ତରର ଖ୍ୟାତି-ସମ୍ପନ୍ନ ପର୍ବତାରୋହୀ ଯୋଗାଭ୍ୟାସ ଭୋଇଙ୍କୁ ନେଇ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ବୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଯୋଗାଭ୍ୟାସ ଭୋଇ ବିଭାଗୀୟ ଛାତ୍ରଛାତ୍ରୀ ମାନଙ୍କୁ ପର୍ବତାରୋହଣର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଏକ ଶୃଙ୍ଖଳିତ ଜୀବନ ତଥା ଜୀବନର ଚଲାପଥରେ ଅନେକ ବାଧାବିଘ୍ନକୁ କିଭଳି ବିନା ଦ୍ଵିଧା ତଥା ଅକ୍ଳେଶରେ ସମ୍ମୁଖୀନ କରା ଯାଇପାରିବ ସେ ସମ୍ପକରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ପର୍ବତାରୋହୀ ଶ୍ରୀ ଭୋଇଙ୍କୁ ଭୌଗୋଳିକ ଜ୍ଞାନର ଅତ୍ୟନ୍ତ ଆବଶ୍ୟକ ତଥା ଅପରିହାର୍ଯ୍ୟ ପ୍ରସଙ୍ଗ ଉଲ୍ଲେଖ କରି ୨୦୧୧ ମସିହାରେ ଏଭେରେଷ୍ଟ ଶୃଙ୍ଗ ଆରୋହଣର ଦୁଃସାହସିକ ଯାତ୍ରାର ପ୍ରାଞ୍ଜଳ ଚିତ୍ର ପରିପ୍ରକାଶ କରି ବିଶ୍ବର ଅନ୍ୟ ୫ ଟି ଗିରିଶୃଙ୍ଗ ଆରୋହଣର ନିଜସ୍ୱ ଅନୁଭୂତି ବର୍ଣ୍ଣନା କରି ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବାପାଇଁ ପରାମର୍ଶ ଦେଇଥିଲେ ।

ପର୍ବତ ଆରୋହଣ ସମୟରେ ସେ ଆଣିଥିବା ବ୍ୟବହୃତ ବିଭିନ୍ନ ଉପକରଣର ବିନିଯୋଗ ଓ ବ୍ୟବହାରିତାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ତାଙ୍କ ଟିମର ଅନ୍ୟାନ୍ୟ ସଦସ୍ୟ ରାଜୁ ବେହେରା , ତାରାକାନ୍ତ ପରିଡା , ରୋମାଞ୍ଚଳ ଭୋଇ , ଧନପତି ବାଗ୍ , ରାଜୁ କୁମାର ରାଣା , ଲଳିତ ପୋତ ଏବଂ ଦେବେନ୍ଦ୍ର ସେନାପତି ପ୍ରମୁଖ ପର୍ବତାରୋହଣର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଭୂଗୋଳ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଇନ୍ଦୁଭୂଷଣ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆଲୋଚନା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରି ଏଭଳି କାର୍ଯ୍ୟକ୍ରମ ବ୍ୟବହାରିକ ଭୂଗୋଳ ଅଧ୍ୟୟନ ଏବଂ ଜ୍ଞାନ ଅର୍ଜନରେ ଅତ୍ୟନ୍ତ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ ।

ଅଧ୍ୟାପକ ବୈଲୋଚନ ବେହେରା ଉପସ୍ଥିତ ରହି ଭୂଗୋଳ ଓ ପର୍ବତ ପଠନର ଗୁରୁତ୍ୱ ଏବଂ ଏହାର ଉତ୍ପତ୍ତି ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରି ଏଭଳି କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସାହୁଙ୍କ ଯୋଗୁଁ ପ୍ରଥମ ଥର ପାଇଁ ଭୂଗୋଳ ବିଭାଗରେ ଏବଂ ମହାବିଦ୍ୟାଳୟରେ ଆୟୋଜିତ ହୋଇ ପାରିଛି ବୋଲି କହିଥିଲେ ।

ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଭିଷେକ ମହାପାତ୍ର ଏବଂ ପ୍ରାକ୍ତନ କର୍ମଚାରୀ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ସହ କାର୍ଯ୍ୟକ୍ରମକୁ ଉପଭୋଗ କରି ପ୍ରଶ୍ନୋତ୍ତର ମାଧ୍ୟମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳ୍ପନା ଏବଂ ନିର୍ମଳା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସେହିଭଳି ଉପସ୍ଥିତ ମଞ୍ଚାସୀନ ଅତିଥି ମାନଙ୍କୁ ସହ-ସମ୍ପାଦିକା ରାବିଡ଼ି ଦେବୀ ପ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ ରୂପାଲୀନ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପାଠ୍ୟ ଚକ୍ରର ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ପରିଚାଳନା କରିଥିଲେ ।

ଗୁଣପୁର ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଅଟକି ରହିଛି ରାସ୍ତାକାମ !

ଏଥର ସମ୍ଭାଳ ବ୍ୟୁରୋ – ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଶଡକ ଯୋଜନା ରେ ଅନିୟମିତତା ଓ ବିଳମ୍ବ ନେଇ ଅଭିଯୋଗ।
ଗୁଣପୁରର ଅଗମ୍ୟ ଆଦିବାସୀ,ଅଧ୍ୟୁଷିତ ଚିନ।ସ।ରି ଅଂଚଳରେ ଲୋକଙ୍କ ଯାତାୟାତ ନିମନ୍ତେ ସୁବିଧା କରିବାକୁ କୁରୁଗୁଡା ଠାରୁ ଚିନାଶାରି ଦେଇ କୁଟୁଣି ପର୍ଯ୍ୟନ୍ତକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୭ କୋଟି ୧୬ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟରେ ଗୁଣପୁର ଅଞ୍ଚଳର ଜଣେ ଠିକାଦାର ନିରଞ୍ଜନ ପାଢୀ ଓରଫ୍ ନୀର ପାଢି ଙ୍କୁ କାର୍ଯ୍ୟାଦେଶ ହୋଇଛି। ଏହି କାର୍ଯ୍ୟ ର ଆରମ୍ଭ ଏବଂ ଶେଷ ହେବାର ଅବଧି ଏକ ବର୍ଷ ହୋଇଥିଲେ ମଧ୍ୟ ଏହା ଅଧାରେ ଲଟକି ରହିଛି। କାର୍ଯ୍ୟ ଆରମ୍ଭରେ ଏହା ନିମ୍ନମାନର ଏବଂ ସମସ୍ତ ସରକାରୀ ନିର୍ଦ୍ଦେଶକୁ ଏଥିରେ ବେଖାତିର କରାଇଥିବା କେନ୍ଦ୍ରୀୟ ଅଭିଯୋଗ ପୋର୍ଟାଲରେ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ କୁ ଆଧାର କରି ଏକ ମୋନିଟରିଂ ଟିମ ଆସି ଯାଞ୍ଚ କରିଥିଲେ ମଧ୍ୟ ଅଭିଯୋଗକାରୀଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିବା କାରଣରୁ ଅଭିଯୋଗକ।ରି ପୁନର୍ବାର ନିଜ ଅଭିଯୋଗ ପଦକ୍ଷେପ ଜାଣିବା ଓ ପୁନର୍ବାର କେନ୍ଦ୍ରୀୟ ଟିମ ମାଧ୍ୟମରେ ଯାଞ୍ଚ କରିବା ମିମନ୍ତେ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଖବରମିଳିଛି। ଅନ୍ୟପକ୍ଷରେ ଏହି କାମକୁ ଜାଣିବୁଝି ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ନିର୍ବାହୀ ଓ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟକୁ ବିଳମ୍ବ କରାଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ସହ ଜନସାଧାରଣଙ୍କୁ ହଇରାଣକରୁଥିବା ସ୍ଥାନୀୟ ଲୋକଚେତନା ସଂଗଠନ ଓ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା କାର୍ଯ୍ୟକୁ ପକ୍କା କାର୍ଯ୍ୟ କରି ଯଥା ଶୀଘ୍ର ସମାପ୍ତ ନକଲେ ଠିକାଦାର ଙ୍କ ଘରେ ଓ ଆର୍.ଡି ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇବେ ବୋଲି ଚିନାସାରି ଗ୍ରାମପଂଚୟତ ସମିତି ସଭ୍ୟ ଓ ସଂଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି ।