ଏବେ କୃଷି ଓ ଉଚ୍ଚ ଶିକ୍ଷା ବିଭାଗ “ମୋ ସରକାର” ପରିସରଭୁକ୍ତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ହଠାତ ମେଡ଼ିକାଲରେ ପହଁଚିଲା ପରି, ଥାନାରେ ପହଁଚିଲା ପରି କେତେବେଳେ ” ମୋ ସରକାର ଟିମ” କୋଉ ଫର୍ମରେ ବା କେଉଁଠି ଚାଷୀର ବିଲରେ ପହଁଚିଯାଇଥିବା ଖବର ଶୁଣିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ! କାରଣ “ମୋ ସରକାର”ର କଳେବର ଧୀରେ ଧୀରେ ବଢୁଛି | ପ୍ରଥମେ ଡାକ୍ତରଖାନା, ଥାନା, ଦମକଳ, ଆବାସ, ପାନୀୟଜଳ ଆଦିକୁ ନିଜ ଅଧୀନକୁ ଆଣିବା ପରେ ଏବେ ଚାଷୀର ଖେତ ଓ କୁଡ଼ିଆ ପାଖେ ପହଂଚିବାକୁ ଉଦ୍ୟମ କରିଛନ୍ତି ସରକାର | ଆଜିଠୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେଲା ମୋ ସରକାରରେ | ମୋ ସରକାର ଯୋଜନାରେ ସାମିଲ ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଜାରି ଏକ ବିଜ୍ଞପ୍ତିରେ କୁହାଯାଉଛି | ଏଣିକି ରାଜ୍ୟର କୋଣ ଅନୁକୋଣରେ ଥିବା ଚାଷୀଭାଇମାନଙ୍କ ସହ ଏଥର ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସେମାନେ ପାଉଛନ୍ତି ନା ନାହିଁ ମୁଖ୍ୟମନ୍ତ୍ରୀ ସେମାନଙ୍କଠାରୁ ପଚାରି ବୁଝିବେ। ଥାନାକୁ ଆସୁଥିବା ଅଭିଯୋଗକାରୀ, ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଭଲମନ୍ଦ ପଚାରିବା ଭଳି ଜମିରେ ଖଟୁଥିବା ଚାଷୀଙ୍କୁ ସିଧାସଳଖ ଫୋନ୍ କରି ମୁଖ୍ୟମନ୍ତ୍ରୀ କଥା ହେବେ । ରାଜ୍ୟ ସଚିବାଳୟ(ଲୋକସେବା ଭବନ) ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୃଷି ବିଭାଗ ମୋ ସରକାର ଯୋଜନାରେ ସାମିଲ ହେଲା ବୋଲି ଘୋଷଣା କରିଥିଲେ | କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ମୋ ସରକାର ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ୍, କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ଉପସ୍ଥିତିରେ ଭିଡ଼ିଓ କନଫରେନସ୍ ଜରିଆରେ ସବୁ ଜିଲ୍ଲାର ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀମାନଙ୍କ ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ କ୍ଳାସ ନେଇଥିଲେ ଶ୍ରୀ ପାଣ୍ଡିଆନ |

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟର ବିକାଶ କ୍ଷେତ୍ରରେ ଚାଷୀମାନଙ୍କ ଅବଦାନକୁ ସ୍ମରଣ କରିଥିଲେ । କୃଷି ବିଭାଗ ମୋ ସରକାରରେ ସାମିଲ ହେବା ଚାଷୀଭାଇ ମାନଙ୍କ ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ | ୧୯୯୯ ମହାବାତ୍ୟା ସମୟରେ ରିଲିଫ୍ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ସମ୍ପ୍ରତି ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି । ରାଜ୍ୟର ଚାଷୀମାନଙ୍କର ଅବଦାନ ଯୋଗୁ ରାଜ୍ୟ ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦେଶରେ ତୃତୀୟ ସ୍ଥାନ ହାସଲ କରିବା ବେଳେ ଓଡିଶା ୫ ଥର କୃଷି କର୍ମଣ ପୁରସ୍କାର ହାସଲ କରିବାର ଗୌରବ ଲାଭ କରିପାରିଛି । ଆଉ ରାଜ୍ୟ ସରକାର ମଧ୍ୟ ଚାଷୀ ଓ ଚାଷର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଓ ସର୍ବଦା ଉଦ୍ୟମ ରତ | କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ସେମାନଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୋ ସରକାରରେ ସାମିଲ ହେବା ପରେ ରାଜ୍ୟରେ ଚାଷୀଙ୍କ ସହ ନିଜେ ସେ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ କଥାହେବେ | ଚାଷୀମାନଙ୍କର ଯଦି ପ୍ରତିକ୍ରିୟା ସନ୍ତୋଷଜଣକ ହୁଏ ତେବେ କର୍ମଚାରୀ ଓ ଅଧିକାରୀଙ୍କୁ ପୁରସ୍କାର ଦିଆଯିବ | ଯଦି ସନ୍ତୋଷଜନକ ନହୁଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
ହେଲେ ଏଠାରେ ଆମେ ମନେ ପକାଇଦେଇପାରୁ “ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହେବ ସହିତ କୃଷି ବିଭାଗ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ବୋଧ ହୁଏ ପ୍ରଥମ ମନ୍ତ୍ରୀ ଭାବେ ଚାଷୀଙ୍କ ସହ ସିଧା ସଳଖ କଥା ହେଉଥିଲେ ଚାଷୀଙ୍କ ସହିତ | ଆଉ ତାହାର ଭିଡିଓ ଆମେ ସୋସିଆଲ ମିଡିଆରେ ଦେଖୀଥିଲୁ ଜଣେ ଚାଷୀଙ୍କ ସହ କଥା ହେବା | କଟକ ଜିଲ୍ଲା ବାରଂଗ ଧାନ ବ୍ଲକର କୁରାଙ୍ଗ ଶାସନ ପଂଚାୟତ ଗଙ୍ଗେଶ୍ୱର ଗ୍ରାମର ଚାଷୀ ପ୍ରତାପ ରୁଦ୍ର ଭୋଇଙ୍କ ସହ ଭିଡିଓ କଲ ମାଧ୍ୟମରେ ଅକ୍ଟୋବର ୩୧ ତାରିଖରେ କଥା ହେଉଥିବା ତାଙ୍କ ଫେସବୁକ ପେଜରେ ଦେଖିଥିଲୁ | ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ଅନେକସ୍ଥାନରେ ଚାଷ ଖେତକୁ ଓ ଚାଷୀଙ୍କ ଘରକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିବା ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ମିଳିଥିଲା |

ହେଲେ ବର୍ତ୍ତମାନ କୃଷି ବିଭାଗ ମୋ ସରକାରରେ ସାମିଲ ହେବାପରେ କୁଷକ ସମ୍ପର୍କ କାର୍ଯ୍ୟକ୍ରମ ଅଧିକ ବ୍ୟାପକ ହେବ ସହ ଚାଷୀଙ୍କ ସମସ୍ୟା ସିଧାସଳଖ ମୋ ସରକାର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିପାରିବ ଓ କୃଷକମାନଙ୍କ ସମସ୍ୟା ସିଧା ସଳଖ ଦୂର ହୋଇପାରିବ ବୋଲି ଆଶା କରାଯାଉଛି |

ରାଜ୍ୟରେ ଖୋଲିବ ଆଉ ୪ଟି ଫାମିଲି କୋର୍ଟ : ପ୍ରତାପ ଜେନା

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟରେ ଆଉ ଚାରୋଟି ଫାମିଲି କୋର୍ଟ( ପରିବାର ଅଦାଲତ) ଖୋଲିବ | ଯେଉଁ ସ୍ଥାନରେ ସେହି ଫାମିଲି କୋର୍ଟ ଖୋଲିବ ସେଗୁଡିକ ହେଲା ଅନୁଗୋଳ, ରାୟଗଡା, ବୌଦ୍ଧ ଓ ଜଗତସିଂହପୁର | ଚଳିତ ଆର୍ଥିକ ବର୍ଷରେ ସେହି ଅଦାଲତ ଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି |

ସୂଚନାଯୋଗ୍ୟ ଯେ ମହିଳା ଓ ଶିଶୁ ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ପାଇଁ ରାଜ୍ୟରେ ଖୁବ୍‍ଶୀଘ୍ର ୪୫ଟି ଫାଷ୍ଟଟ୍ରାକ କୋର୍ଟ କାର୍ଯ୍ୟକାରୀ ହେବ । ଏଥିରୁ ୨୧ଟି କୋର୍ଟ ସ୍ୱତନ୍ତ୍ର ଭାବେ ମହିଳାଙ୍କୁ ଧର୍ଷଣ ଓ ଯୌନ ନିର୍ଯ୍ୟାତନା ମାମଲାର ବିଚାର କରିବ ବୋଲି ରାଜ୍ୟ ଆଇନ୍‍ ମନ୍ତ୍ରୀ ଶ୍ରୀ ଜେନା ଗତକାଲି ସୂଚନା ଦେଇଥିଲେ ।

ଶ୍ରୀ ଜେନା କହିଥିଲେ ଯେ ମହିଳା ସଂକ୍ରାନ୍ତୀୟ ମାମଲାରେ ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଉପରେ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ତଦନୁଯାୟୀ ୪୫ଟି ଫାଷ୍ଟଟ୍ରାକ କୋର୍ଟ କାର୍ଯ୍ୟକରିବ । ଏଥି ମଧ୍ୟରୁ ୨୪ଟି କୋର୍ଟ ସ୍ୱତନ୍ତ୍ର ଭାବେ ପସ୍‍କୋ ମାମଲାର ବିଚାର କରିବ । ଏହାଦ୍ୱାରା ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ହୋଇପାରିବ । ଏହି ୨୪ଟି କୋର୍ଟର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ଖୁବ୍‍ଶୀଘ୍ର କାର୍ଯ୍ୟକ୍ଷମ ହେବବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିଭଳି ଓଡିଶା ଉଚ୍ଚ ନ୍ୟାୟାଳୟରେ ୧୪ଟି ବିଚାରପତି ପଦବୀ ଖାଲି ପଡିଥିବାବେଳେ ଏହା ପୂରଣ ହୋଇପାରିଲେ ନ୍ୟାୟ ଅପେକ୍ଷାରେ ଥିବା ମାମଲା ଗୁଡିକର ତ୍ୱରିତ ବିଚାରହୋଇପାରିବ । ତେବେ ୪୫ଟି ଫାଷ୍ଟଟ୍ରାକ କୋର୍ଟ କିଭଳି କାର୍ଯ୍ୟକାରୀ ହେବ ସେଥିପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଦକ୍ଷେ ନେଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।

ରାଜ୍ୟ ସରକାର ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ଜିତିଥିବା ଖବର ମିଛ : ଲେଖାଶ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଓଡିଶାର ସରକାରଙ୍କ ‘ଜାଗା ମିଶନ’କୁ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ମିଳିଥିବା ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱୟଂ ଏହି ସୁଚନାକୁ ସାମାଜିକ ଗଣମାଧ୍ୟମ ଟୁଇଟ ଜରିଆରେ କହିଥିବାବେଳେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆୱାର୍ଡ ପ୍ରଦାନ କରିଥିବା ୱାର୍ଲ୍ଡ ହାବିଟାଟ୍ର ଅଫିସିଆଲର ୱେବସାଇଟ ଅନୁସାରେ କର୍ଣ୍ଣାଟକର ଆଦିବାସୀ ଅଂଚଳରେ କାମ କରୁଥିବା ‘ଆକ୍ସନଏଡ ଇଣ୍ଡିଆ’ ଓ ସ୍ପେନର ଏକ ସଂସ୍ଥା ‘Viviendas para Ias Entidades Socials’’ ନାମ ଏକ ସଂସ୍ଥାକୁ ପ୍ରଥମ ପୁରଷ୍କାର ମିଳିଥିବାର ଉଲ୍ଲେଖ ହୋଇଛି । ୱାର୍ଲ୍ଡ ହାବିଟାଟ ଆୱାର୍ଡରେ ବିଜେତାମାନଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଏ । ରାଜ୍ୟସରକାରଙ୍କ ଜାଗା ମିଶନ ପ୍ରକଳ୍ପକୁ ଏହି ପୁରଷ୍କାର ପାଇଁ ଫାଇନାଲ ରାଉଣ୍ଡକୁ ମନୋନିତ କରାଯାଇଥିଲା । ଏହି ପ୍ରତିଯୋଗିତାର ଫାଇନାଲିଷ୍ଟମାନଙ୍କୁ ସିଲଭର ଓ ବ୍ରୋଞ୍ଜ ପଦକ ଦିଆଯାଏ । ପୁରଷ୍କାର ପ୍ରଦାନ କରିଥିବା ସଂସ୍ଥା ନିଜର ଅଫିସିଆଲ ୱେବସାଇଟରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି । ତେବେ ରାଜ୍ୟ ସରକାରଙ୍କ ସରକାରୀ ବିଜ୍ଞାପନ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ନିଜ ବକ୍ତବ୍ୟରେ ନିଜକୁ ବିଜେତା ବୋଲି କହିବା ଅତ୍ୟନ୍ତ ଭ୍ରମାତ୍ମକ ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ ଅଭିଯୋଗ କରି କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଭ୍ରମିତ କରି ପୁରଷ୍କାର ପାଇବା ପାଇଁ ରାଜ୍ୟ ସରକାର ଜାଗା ମିଶନର ହିତାଧିକାରୀ ସଂଖ୍ୟା ସମ୍ପର୍କରେ ଭୁଲ ତଥ୍ୟ ଦେବା ଅତ୍ୟନ୍ତ ସାଘାଂତିକ କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୮ମସିହାରେ ଜାଗା ମିଶନ ଉଦଘାଟନ କଲାବେଳେ ୧୦ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ବୋଲି କହିଥିଲେ । ବିଭିନ୍ନ ସମୟରେ ସରକାରୀ ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୦ଲକ୍ଷ ଲୋକଙ୍କୁ ଜାଗା ମିଶନରେ ଜମି ମିଳିବାର ଯୋଜନା ରହିଛି । ତେବେ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଓଡିଶା ଜାଗା ମିଶନରେ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୮ଲକ୍ଷ । ଏହାର ଅର୍ଥ ହିତାଧିକାରୀଙ୍କ ସଂଖ୍ୟାକୁ ବଢେଇ ଚଢେଇ ସରକାର ପୁରଷ୍କାର ପ୍ରଦାନ କରୁଥିବା ସଂସ୍ଥାକୁ ଦେଇଛନ୍ତି ।

ଯେଉଁ ୫୧୦୪୧ ପରିବାରଙ୍କୁ ଜମି ଅଧିକାର ସାର୍ଟିଫିକେଟ (Land Rights Certificates-LRC) ମିଳିଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି, ତାହା ମଧ୍ୟ ମିଛ । ଆଉ ଯେଉଁମାନଙ୍କୁ ମିଳିଛି ବୋଲି ଦାବୀ କରୁଛନ୍ତି, ସେମାନଙ୍କୁ ବର୍ତମାନ ସୁଦ୍ଧା ସ୍ଥାୟୀ ପଟ୍ଟା ମିଳିନାହିଁ । ଏପରିକି ସରକାର ଦେଇଥିବା ଜମି ଅଧିକାର ସାର୍ଟିଫିକେଟକୁ ନେଇ ହିତାଧିକାରୀ ଘର ତିଆରି ପାଇଁ ପ୍ଲାନ୍ ଆବେଦନ କରିପାରିବେ ନାହିଁ କି ବ୍ୟାଙ୍କରୁ ଗୃହ ଋଣ ନେଇପାରିବେ ନାହିଁ । ଏପରିକି ରେସିଡେନସ୍ ପ୍ରୁଫ୍ ଭାବେ ମଧ୍ୟ ସେହି ସାର୍ଟିଫିକେଟକୁ ବ୍ୟବହାର କରିପାରିବେ ନାହିଁ । ଏହା ସ୍ପଷ୍ଟ କରୁଛି ଜାଗା ମିଶନରେ ଲାଭାର୍ଥୀମାନଙ୍କୁ କୌଣସି ଠୋସ୍ ଲାଭ ମିଳିନାହିଁ । କେବଳ ମିଳିଛି ଖାଲି ଖଣ୍ଡେ କାଗଜ । ଆଉ ଏହି କାଗଜ ଖଣ୍ଡକୁ ଦେଖାଇ ପୁରଷ୍କାର ହାତେଇଥିବାର ମିଛ ବାହାବା ରାଜ୍ୟ ସରକାର ନେଉଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ଜାଗା ମିଶନ ସଂପର୍କିତ ରାଜ୍ୟ ସରକାରଙ୍କ ୱେବସାଇଟ କାର୍ଯ୍ୟ କରୁନାହିଁ । ଅସଲି ହିତାଧିକାରୀକୁ ଜମି ଯୋଗାଇ ଦେବା ପାଇଁ ପାଖାପାଖି ୧୦୦ଟି ସୋପାନ ରହିଥିବାବେଳେ ରାଜ୍ୟ ସରକାର ତାକୁ ପାଳନ କରିନାହାନ୍ତି । ପ୍ରଥମେ ବସ୍ତି ଚିହ୍ନଟ, ଜିଆଇଏସ ମ୍ୟାପିଙ୍ଗ, ଘର ଘର ବୁଲି ସର୍ବେକ୍ଷଣ, ଜମି କିସମ ଓ ପରିବର୍ତନ (ଆବଶ୍ୟକ ସ୍ଥଳେ), ଅସଲ ହିତାଧିକାରୀ ଚୟନ ପ୍ରକ୍ରିୟା, ଜମି ବଂଟନ ଆଦି ପରେ ପଟ୍ଟା ପ୍ରଦାନ କରାଯିବାର ନିୟମାବଳୀ ଥିବାବେଳେ ରାଜ୍ୟ ସରକାର ଦଳୀୟ ଆଧାରରେ ନାମକୁ ମାତ୍ର କାଗଜଟି ଧରାଇ ଦେଇ ପଟ୍ଟା ପ୍ରଦାନ କରିଥିବାର ପ୍ରହସନ କରୁଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

କେବଳ କାଗଜ ଖଣ୍ଡେ ଦେଇ ଭୁଆଁ ବୁଲାଉଥିବା ପ୍ରଚାରସର୍ବସ୍ୱ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ କେବେ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିବେ ବୋଲି ପ୍ରଶ୍ନ କରିବା ସହ ମିଛ କହି ରାଜ୍ୟବାସୀଙ୍କୁ ପ୍ରତାରଣା ନକରିବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ ଏବଂ ରାଜ୍ୟ ପ୍ରବକ୍ତା ଉର୍ମିଳା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଉଡ଼ାଣ ଆରମ୍ଭ କଲା ପ୍ରଥମ ବ୍ୟାବସାୟିକ ବିଜୁଳିଶକ୍ତି ଚାଳିତ ବିମାନ

ଏଥର ସମ୍ଭାଳ ବ୍ୟୁରୋ – ମଙ୍ଗଳବାର ଦିନ ବିଶ୍ୱର ପ୍ରଥମ ବ୍ୟାବସାୟିକ ବିଜୁଳିଶକ୍ତି ଚାଳିତ ବିମାନ କାନଡୀୟ ସହର ଭାଙ୍କୋଭର୍‌ରୁ ଉଦ୍‌ଘାଟନୀ ତଥା ପରୀକ୍ଷାମୂଳକ ଉଡ଼ାଣ ସମ୍ପନ୍ନ କରିଛି।ସିଟଲ୍‌ର ଇଞ୍ଜିନିୟରିଙ୍ଗ୍ କମ୍ପାନି ମ୍ୟାଗ୍‌ନିକ୍ସର ଚିଫ୍ ଏକ୍ଜିକ୍ୟୁଟିଭ୍ ରୋଇ ଗଞ୍ଜର୍‌ସ୍କି କହିଛନ୍ତି: ଏଥିରୁ ପ୍ରମାଣିତ ହେଲା ଯେ ସମ୍ପୂର୍ଣ୍ଣ ବୈଦ୍ୟୁତିକ ରୂପରେ ବ୍ୟାବସାୟିକ ବିମାନ ଚଳାଚଳ ସମ୍ଭବପର। ହାର୍ବର୍ ଏୟାର୍‌ଲାଇନ୍‌ସ୍‌କୁ ଅଂଶୀଦାର କରାଇ ଏହି ବିମାନର ମୋଟର୍ ନିର୍ମାଣ କରିଛି ମ୍ୟାଗ୍‌ନିକ୍ସ। ଏହି ବିମାନ ପ୍ରଚଳନ ଦ୍ୱାରା ଏୟାର୍‌ଲାଇନ୍‌ଗୁଡ଼ିକର ବହୁ ଖର୍ଚ୍ଚ ହ୍ରାସ ପାଇବ ଏବଂ ବାୟୁମଣ୍ଡଳ ଧୂଆଁ ଯୋଗେ ଦୂଷିତ ହେବନାହିଁ। ବୈଦ୍ୟୁତିକ ବିମାନ ଚଳାଚଳର ଯୁବ ଆସିଗଲା ବୋଲି ଏହି ବିମାନ ଉଡ଼ାଣ ଘଟଣା ସୂଚନା ଦେଉଛି। ଏହି ବିଜୁଳିଚାଳିତ ବିମାନଟିକୁ ୧୫ ମିନିଟ୍ ପାଇଁ ଚଳାଇଥିଲେ ହାର୍ବର୍ ଏୟାର୍‌ର ପ୍ରତିଷ୍ଠାତା ଓ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଗ୍ରେଗ୍ ମ୍ୟାକ୍‌ଡଗଲ୍‌।

ନୂଆପଡ଼ା ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ସଦର ବ୍ଲକ ଅନ୍ତର୍ଗତ ପିପଲଛେଣ୍ଡି ଗ୍ରାମରେ ଆଶା ଓଡିଶା ଓ ସେଭ ଦି ଚିଲଡ୍ରେନର ମିଳିତ ଆନୁକୁଲ୍ୟରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଈଛି ।ଆଶା ଓଡିଶାର ପ୍ରକଳ୍ପ ସଂଯୋଜକ ସଞ୍ଜିବ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଖଇରାନୀ ଓ ସାହିପଲାର ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାଡି ଓ ଆଶାକର୍ମୀ, ଗ୍ରାମର କିଶୋର କିଶୋରୀ ଓ ଗଣ ମାଧ୍ୟମ ପ୍ରତିନିଧି ଦିପକ କୁମାର ମିଶ୍ର ଓ ଅମିତ କୁମାର ପୁରୋହିତ ଉପସ୍ଥିତ ଥିଲେ । ବାଲ୍ୟ ବିବାହର କୁପରିଣାମ, ଯୌନ ପ୍ରଜନନ, ସ୍ୱାସ୍ଥ୍ୟ ଅଧିକାର, ଲିଙ୍ଗଗତ ସମସ୍ୟା ଓ ଶିଶୁ ସୁରକ୍ଷା ଉପରେ ବିଶଦ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଆଶା ଓଡିଶାର ସାହିପଲା ସଂକୁଳ ସଂଯୋଜକ ଦୟାନିଧି ଜଗତ ପରିଚାଳନା କରିଥିବା ବେଳେ ରତ୍ନାଞ୍ଜୟ ବାଗ ସହଯୋଗ କରିଥିଲେ ।

ଏ.ଆର.ଏସ.ଏସ କଂମ୍ପାନିର ୩ ଟି ଗୋଡି ଭର୍ତ୍ତି ଡମ୍ଫର ଜବତ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ସଦର ବ୍ଲକ ଅନ୍ତର୍ଗତ ସାଲିହା ଗ୍ରାମରେ ଚେକିଙ୍ଗ ସମୟରେ ଏ.ଆର.ଏସ.ଏସ କଂମ୍ପାନିର ୩ଟି ଗୋଡି ଭର୍ତ୍ତି ଡମ୍ଫରକୁ ଜବତ କରାଯାଇଛି । ସୂଚନା ଅନୁସାରେ ବେଆଇନ ଗୋଡି ବାଲି ଚାଲାଣ ହେଉଥିବାର ଖବର ପାଇ ଅତିରିକ୍ତ ତହସିଲଦାର କିର୍ତ୍ତି ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଏକ ଦଳ ସାଲିହା ଗ୍ରାମରେ ଚେକିଙ୍ଗ କରୁଥିଲା । ଏହି ସମୟରେ ଏ.ଆର.ଏସ.ଏସ କଂମ୍ପାନିର ଓଡି ୦୨ ବିବି ୩୧୯୩, ଓଡି ୦୨ ଏଏସ୍ ୨୭୧୫, ଓଡି ୦୨ ଏଏସ୍ ୨୭୧୯ ନମ୍ବର ଥିବା ୩ଟି ଗୋଡି ଭର୍ତ୍ତି ଡମ୍ଫରକୁ ଅଟକାଇ ଯାଞ୍ଚ କରାଯାଇଥିଲା । ୩ ଟି ଗାଡିର ଚାଳକ ଗୋଡି ସମ୍ବନ୍ଧିୟ କୈାଣସି ସଠିକ କାଗଜପତ୍ର ଦେଖାଇ ପାରି ନ ଥିଲେ । ତେଣୁ ୩ଟି ଗାଡି କୁ ଜବତ କରାଯାଇଥିଲା । ଗାଡି ଜବତ ହୋଇଥିବାର ଦୁଇ ଦିନ ବିତି ଯାଇଥିଲେ ମଧ୍ୟ କଂମ୍ପାନି ତରଫରୁ କୈାଣସି କାଗଜପତ୍ର ପ୍ରଦର୍ଶନ କରାଯାଇପାରି ନ ଥିବାର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏଆରଏସଏସ କଂମ୍ପାନି ରେଳ ରାସ୍ତା ନିର୍ମାଣ କାର୍ଯ୍ୟରେ ନ୍ୟସ୍ତ ଅଛି ଏବଂ ସେଠାରେ ବ୍ୟବହୃତ ହେଉଥିବା ଗୋଡି ସରକାରଙ୍କ ଦ୍ୱାରା କଳା ତାଲିକାଭୁକ୍ତ ହୋଇଥିବା କ୍ରସର ମାଲିକଙ୍କର ବୋଲି ଅଭିଯୋଗ ହେଉଅଛି । ଆଗରୁ ମଧ୍ୟ ଉକ୍ତ କଂମ୍ପାନିର ବହୁ ଗାଡି ଜବତ କରି ଛାଡି ଦିଆଯାଇଥିବା ହେତୁ ପ୍ରାସାଶନିକ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି ।