ପାଣ୍ଡୁଗୁଡା ଠାରେ ପଲ୍ଲିସଭା ବୈଠକ ଅନୁଷ୍ଠିତ !

!!! ଚକାପାଦ ବ୍ଲକ ପ୍ରତିନିଧି ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନପଡା(ଲା ) ପଞ୍ଚାୟତ ସ୍ଥିତଆଦର୍ଶ ଗ୍ରାମ ନାମ ରେ ନାମିତ ପାଣ୍ଡୁଗୁଡା ଗ୍ରାମ ରେ ଏକ ପଲ୍ଲୀ ସଭା ମା ସୁନାପ୍ରତିମା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ WEO ଶ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି, PEO ଶ୍ରୀ ବିଷ୍ଣୁ ବେହେରା, JE ଶ୍ରୀ ଚକ୍ରଧର ପୃଷ୍ଟି. AE ଶ୍ରୀ ପଞ୍ଚୁ ବେହେରା , ନାୟାବ ସରପଞ୍ଚ ଶ୍ରୀ ପ୍ରତାପ କିଶୋର ବେହେରା , ୱାର୍ଡ ସଭ୍ୟା ଶ୍ରୀମତୀ ନର୍ମଦା ଦିଗାଲ ଙ୍କ ଦ୍ୱାରା ୧୦୦ ଗ୍ରାମ ମଧ୍ୟରେ କେନ୍ଦ୍ର ସରକାର ଦ୍ୱାରା ଆଦର୍ଶ ଗ୍ରାମ ଭାବେ ଚିହ୍ନଟ କରାଯାଇଛି । ଏହି ଗ୍ରାମ ର ବିକାଶ ନିମନ୍ତେ ଗ୍ରାମ ଉର୍ଣ୍ଣୟନ ଯୋଜନା ରେ ଜିଲ୍ଲାପାଳ ଙ୍କ ପରାମର୍ଶ କ୍ରମେ ପାନୀୟ ଜଳ ଯୋଗାଣ , ଗ୍ରାମ୍ୟ ପାଠାଗାର , କଲ୍ୟାଣ ମଣ୍ଡପ , ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଇତ୍ୟାଦି ପ୍ରକଳ୍ପ ଗୁଡିକ ଅଗ୍ରାଧିକାର ଭିତରେ ଗ୍ରାମ୍ୟ ଉନ୍ନୟନ ଯୋଜନା ରେ ଅନ୍ତର୍ଭୁକ୍ତ କରି ନୂତନ VDP ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଥିଲା । ଉପରକ୍ତ ବିଷୟ ଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରି ଉପସ୍ଥିତ ଗ୍ରାମବାସୀ ମାନେ ପ୍ରତିନିଧି ମାନଙ୍କ ବୋହୁ ମୂଲ୍ୟ ମତାମତ ପ୍ରଦାନ କରିଥିଲେ । ପାଣ୍ଡୁଗୁଡା ଗ୍ରାମବାସୀ ଙ୍କୁ ଆଦର୍ଶ ଗ୍ରାମ ର ମାନ୍ୟତା ପାଇଥିବା ରୁ ଗ୍ରାମବାସୀ ଙ୍କ ମନ ରେ ଖୁସି ଦେଖିବାକୁ ମିଳିଥିଲା ।

 

ପୁଣି ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ ; ବିଧାନସଭା ରେ ପରିବହନ ମନ୍ତ୍ରୀ କଲେ ଘୋଷଣା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜନସାଧାରଣଙ୍କ ସମସ୍ୟାକୁ ବୁଝିପାରିଛନ୍ତି ରାଜ୍ୟ ସରକାର । ନୂଆ ଟ୍ରାଫିକ ନିୟମ ତଥା ଆରଟିଓ ଯାଞ୍ଚକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି । ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଘୋଷଣା କରିଛନ୍ତି । ଶୂନ୍ୟକାଳରେ ଶାସକ ଓ ବିରୋଧୀ ଦଳ ସଭ୍ୟମାନେ ଜନସାଧାରଣଙ୍କ ଦୁର୍ଦ୍ଦଶା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ଆଟିଓ ଯାଞ୍ଚ ପାଇଁ ଆଉ ତିନି ମାସ କୋହଳ କରିବାକୁ ଅନୁରୋଧ କରିଥିଲେ । ବିଭାଗୀୟ ମନ୍ତ୍ରୀ ଏହା ବିଚାର କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେବା ପରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆଣି ଗୃହରେ ନିଷ୍ପତ୍ତି ଶୁଣାଇଥିଲେ ।
ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ନଥିବା ଲୋକଙ୍କୁ ପୁଣି ତିନିମାସ ମହଲତ ଦିଆଯାଇଛି । ଅନ୍ୟଥା ପୂର୍ବଭଳି ସାଧାରଣ ଟ୍ରାଫିକ ନିୟମ ପାଳନରେ କୌଣସି କୋହଳ କରାଯିବ ନାହିଁ । ଅର୍ଥାତ୍ ହେଲମେଟ୍, ସିଟ୍ ବେଲ୍ଟ ନ ପିନ୍ଧିଲେ ତଣ୍ଡ ଗଣିବାକୁ ପଡ଼ିବ । ସେହିଭଳି ଗାଡ଼ି ଚଳାଇବା ବେଳେ ମୋବାଇଲ୍ ରେ ଗପିବା, ମଟରସାଇକେଲରେ ତିନି ଜଣ ବସିବା ଏବଂ ମଦ ପିଇ ଡ୍ରାଇଭିଂ କଲେ ଟ୍ରାଫିକ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସେପ୍ଟେମ୍ବର ୧ ରୁ ରାଜ୍ୟରେ ଲାଗୁ ହୋଇଥିଲା ନୂଆ ମୋଟରଯାନ ଆଇନ । ଏହି ନିୟମ ଲାଗୁ ପରେ ଆରଟିଓ ଓ ପୁଲିସର ବ୍ୟାପକ ଧରପଗଡ଼ ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ । ଗାଡ଼ି କାଗଜପତ୍ର ଠିକଠାକ୍ ଓ ଡ୍ରାଇଭିଂ ଲାଇସେନସ୍ ନ ଥିବାରୁ ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥିଲା । ଫଳ ହେଲା ଲୋକମାନଙ୍କ ଅସନ୍ତୋଷ ଭୀଷଣ ରୂପ ନେଲା । ରାଜଧାନୀର ରାଜମହଲ ରଣକ୍ଷେତ୍ର ପାଲଟିଲା । ଲୋକଙ୍କ ଦୁର୍ଦ୍ଦଶା ଓ ଅସନ୍ତୋଷ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଟ୍ରାଫିକ ଆଇନକୁ ୩ ମାସ କୋହଳ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୟରେ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ଠିକ କରିବାକୁ କୁହାଯାଇଥିଲା ।
ତେବେ ଭିତ୍ତିଭୂମି ଅଭାବରୁ ଏହି ତିନିମାସ ସମୟ ଯଥେଷ୍ଟ ହୋଇନାହିଁ । ଗତ କିଛି ଦିନ ହେଲା ବିଭିନ୍ନ ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗିରହିଥିଲା । ଭୁବନେଶ୍ୱରରେ ଆରଟିଓ ଅଫିସରେ କାଗଜପତ୍ର କରିବାକୁ ଲୋକେ ରାତି ଅଧରୁ ଲମ୍ବା ଲାଇନ ଦେଇଥିଲେ । ଡିସେମ୍ବର ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି କରିବାକୁ ପରିବହନ ମନ୍ତ୍ରୀ ବାରମ୍ବାର ଚେତାବନୀ ଦେଉଥିବାରୁ ଲୋକଙ୍କ ହୋସ୍ ଉଡ଼ିଯାଇଥିଲା । ନିୟମକୁ ଆଉ କିଛି ମାସ କୋହଳ କରିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଚାପ ବଢ଼ିଥିଲା ।
ଆଜି ବିଧାନସଭାରେ ଶାସକ ଦଳ ସଭ୍ୟ ଦେବୀପ୍ରସାଦ ମିଶ୍ର ଏହି ପ୍ରସଙ୍ଗ ଉଠାଇ ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ । ନିୟମ ଆଉ ୩ ମାସ କୋହଳ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ଦଳର ଅନ୍ୟତମ ବରିଷ୍ଠ ସଭ୍ୟ ପ୍ରଦୀପ ମହାରଥୀ, କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଅନୁରୂପ ଦାବି କରିଥିଲେ । ବାଚସ୍ପତି ଏହା ବିଚାରକୁ ନେଇ ନିଷ୍ପତ୍ତିର ପୁନର୍ବିଚାର କରାଯାଇପାରେ ବୋଲି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମୋଦ ଆଣି ମନ୍ତ୍ରୀ ଶ୍ରୀ ବେହେରା ବିଧାନସଭାରେ ନିଷ୍ପତ୍ତି ଘୋଷଣା କରିଥିଲେ ।

ଜ୍ୟୋତିଙ୍କ ମୁଣ୍ଡ ଉପରେ ଖଣ୍ଡା ; ବାନ୍ଧବୀ ଙ୍କ ସହ ଟୁର ରେ ଯାଇ ଫସିଗଲେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜ୍ୟୋତିଙ୍କ ମୁଣ୍ଡ ଉପରେ ଖଣ୍ଡା। ବାନ୍ଧବୀଙ୍କ ସହ ଟୁର ରେ ଯାଇ ଫସିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ସରକାରୀ କାର୍ଯ୍ୟକ୍ରମରେ ହାଇଦ୍ରାବାଦ ଯାଇଥିବା ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିଲେ ତାଙ୍କର ବାନ୍ଧବୀ ମାଆ, ଝିଅ । ଉଡ଼ାହାଜାଜରେ ସେମାନଙ୍କ ଯିବା ଆସିବା ଏବଂ ଫାଇଭ୍ ଷ୍ଟାର୍ ହୋଟେଲରେ ରହଣୀ ଖର୍ଚ୍ଚ ସରକାରୀ ତହବିଲ୍ ରୁ ବହନ କରାଯାଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁମର ଖୋଲିବା ପରେ ଆଜି ବିଧାନସଭା ହଲଚଲ ହୋଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ବିଧାୟକମାନେ ଅଡ଼ିବସି ଗୃହର ମଧ୍ୟ ଭାଗରେ ପ୍ରବଳ ହଟ୍ଟଗୋଳ କରିବାରୁ ବିଧାନସଭା ଅଚଳ ହୋଇଯାଇଛି ।ମନ୍ତ୍ରୀ ଜ୍ୟୋତିପ୍ରକାଶଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗଟି ସଙ୍ଗୀନ । ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦରେ ଟୁରିଜିମ୍ ରୋଡ୍ ସୋ’ ଆୟୋଜିତ ହୋଇଥିଲା । ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସେଠାକୁ ଆମନ୍ତ୍ରିତ ହୋଇଥିଲେ । ତେବେ ମନ୍ତ୍ରୀଙ୍କ ସହ ତାଙ୍କର ଦୁଇଜଣ ମହିଳା ଅତିଥି ଯିବେ ବୋଲି ମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ବିଭାଗକୁ ଚିଠି କରାଯାଇଥିଲା । ସେହି ଅନୁଯାୟୀ ଫ୍ଲାଇଟ୍ ଟିକେଟ ଏବଂ ହାଇଦ୍ରବାଦରେ ରହଣୀ ବନେ୍ଦାବସ୍ତ ପାଇଁ କୁହାଯାଇଥିଲା । ମନ୍ତ୍ରୀଙ୍କ ଅତିଥି ଦର୍ଶାଯାଇଥିବା ମହିଳାଦ୍ୱୟ ହେଲେ ଆର.ମହାପାତ୍ର(୪୭) ଏବଂ ଏସ.ଏସ. ମହାପାତ୍ର(୨୫) । ମନ୍ତ୍ରୀଙ୍କ ଚାହିଁବା ମୁତାବକ ମନ୍ତ୍ରୀ ଓ ତାଙ୍କର ଦୁଇ ମହିଳା ଅତିଥିଙ୍କ ପାଇଁ ଅକ୍ଟୋବର ୪ ତାରିଖରେ ଭୁବନେଶ୍ୱର-ହାଇଦ୍ରାବାଦ ଫ୍ଲାଇଟ୍ ଟିକେଟ ଏବଂ ୫ ତାରିଖରେ ହାଇଦ୍ରାବାଦ-ଭୁବନେଶ୍ୱର ଫ୍ଲାଇଟ୍ ରେ ଫେରନ୍ତା ଟିକେଟ ହୋଇଥିଲା । ହାଇଦ୍ରାବାଦର ଫାଇଭ୍ ଷ୍ଟାର୍ ହୋଟେଲ୍ ତାଜ୍ କ୍ରିଷ୍ଣା ବି ୪ ତାରିଖ ରାତି ପାଇଁ ବୁକ୍ ହୋଇଥିଲା । ଗତକାଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସଂପୃକ୍ତ ଫ୍ଲାଇଟ୍ ଟିକେଟ୍, ହୋଟେଲ ତାଜ୍ କ୍ରିଷ୍ଣାର ଇନଭଏସ୍ ଏବଂ ମନ୍ତ୍ରୀଙ୍କ ଦପ୍ତରର ଚିଠି ଉପସ୍ଥାପନ କରିଥିଲେ । ରୋଚକ କଥା ହେଲା, ମନ୍ତ୍ରୀଙ୍କ ଦପ୍ତର ଚିଠିରେ ଅତିଥି ମହିଳାଦ୍ୱୟଙ୍କ ପୂରା ନାଁ ବଦଳରେ ସଟ୍ ଫର୍ମ ନାଁ ଲେଖାଯାଇ ସେମାନଙ୍କ ଠିକଣା ଗୋପନ ରଖିବାକୁ ଉଦ୍ୟମ କରାଯାଇଥିଲା । ସରକାରୀ ଖର୍ଚ୍ଚରେ ଦୁଇଜଣ ବେସରକାରୀ ମହିଳାଙ୍କୁ ମନ୍ତ୍ରୀ କିଭଳି ସାଙ୍ଗରେ ନେଲେ ଏବଂ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଥିଲା ନା ନାହିଁ ପ୍ରଶ୍ନ କରିଥିଲେ ସତ୍ୟପ୍ରକାଶ ।ମନ୍ତ୍ରୀଙ୍କର ଏହି ଗୁମରକୁ ଧରି ଆଜି କଂଗ୍ରେସ ବିଧାୟକମାନେ ବିଧାନସଭାରେ କମ୍ପମାନ କରିଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଜବାବ ମାଗିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଅନୁରୂପ ଦାବି କରିଥିଲେ । ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ସରକାରୀ କାର୍ଯ୍ୟରେ ହାଇଦ୍ରାବାଦ ଯାଇଥିବା ମନ୍ତ୍ରୀଙ୍କ ସାଙ୍ଗରେ ଥିବା ମହିଳାଦ୍ୱୟ ସମ୍ପର୍କରେ ମାଆ ଓ ଝିଅ । ଏଇ ଗାଈ ବାଛୁରୀଙ୍କୁ ମନ୍ତ୍ରୀ ସାଙ୍ଗରେ ନେବା ପଛରେ କି ରହସ୍ୟ ଅଛି? ସେମାନେ ସରକାରୀ ଖର୍ଚ୍ଚରେ ଗଲେ କେମିତି? ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ସେ ଗୃହରେ ଦାବି କରିଥିଲେ । ଅନ୍ୟତମ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଛି.. ଛି.. କରିବା ସହ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ପଛେ ପଛେ ସହଯୋଗୀ ବିଧାୟକମାନେ ସିଧା ବାଚସ୍ପତିଙ୍କ ପୋଡ଼ିୟମ୍ ଆଡକୁ ଚାଲିଆସି ନାରାବାଜି ଆରମ୍ଭ କରିଥିଲେ । ମନ୍ତ୍ରୀ ଜ୍ୟୋତିପ୍ରକାଶଙ୍କ ବରଖାସ୍ତ ଦାବି କରି କଂଗ୍ରେସ ବିଧାୟକମାନେ ସ୍ଲୋଗାନ୍ ଦେଇଥିଲେ । ଶ୍ରୀ ସାଲୁଜା ବାଚସ୍ପତିଙ୍କ ମାଇକ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ବିଧାୟକମାନେ ନିଜ ଆସନକୁ ଫେରିବାକୁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଏଭଳିସ୍ଥିତିରେ ବାଚସ୍ପତି ତିନି ଥରକରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ଅଧିବେସନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଗୃହରେ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କଂଗ୍ରେସ ବିଧାୟକଙ୍କୁ ଏହା ଶାନ୍ତ କରିପାରିନାହିଁ । ମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ଅଡି ବସିଛନ୍ତି । ପ୍ରବଳ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି ।ବିଜେପି ପକ୍ଷରୁ ବରିଷ୍ଠ ନେତା ତଥା ମୁଖପାତ୍ର ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ପର୍ଯ୍ୟଟନ ମନ୍ତ୍ରୀଙ୍କ ବରଖାସ୍ତ ଦାବି କରିଛନ୍ତି ।ସେପଟେ ସଂପୃକ୍ତ ବାନ୍ଧବୀଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଥା ଶୁଣାଯାଉଛି । ସଂପୃକ୍ତ ମହିଳାଙ୍କ ସହ ମନ୍ତ୍ରୀଙ୍କର ଅନେକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ହାଇଦ୍ରାବାଦ ଗସ୍ତକାଳରେ ସେ କୌଣସି ବେଆଇନ କାର୍ଯ୍ୟ କରିନାହାନ୍ତି କି ଅତିଥିଙ୍କ ପାଇଁ ସରକାରୀ ତହବିଲରୁ ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ!___________ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ଦୃଷ୍ଟିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୁବ୍ଧ ହୋଇପଡ଼ିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଏହା ଉପରେ ତନାଘନା ଆରମ୍ଭ ହୋଇଛି । କୌଣସି ମୁହୁର୍ତ୍ତରେ ଜ୍ୟୋତିପ୍ରକାଶଙ୍କ ମନ୍ତ୍ରୀ ପଦ ଚାଲିଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବଡ ରାଧାକାନ୍ତ ମନ୍ଦିର ଝୁଲଣ ମଣ୍ଡପ ଠାରେ ପାରଳାଖେମୁଣ୍ଡି ସହରର ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ଓ କଳାକାର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଏହି ବୈଠକ ବ୍ରହ୍ମପୁର ଠାରେ ଥିବା ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ମହାସଂଘଙ୍କ ପରାମର୍ଶ କ୍ରମେ ହୋଇଥିବା ବେଳେ ଏହା ସେହି ମହାସଂଘ ଅଧୀନରେ ପରିଚାଳିତ ହେବ ବୋଲି କୁହାଯାଇଛି । ଆୟୋଜିତ ବୈଠକରେ ବରିଷ୍ଠ ସାହିତ୍ୟିକ ତଥା ଗବେଷକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ। ବୈଠକରେ ମୁଖ୍ୟତଃ ଲୋକ-କଳାର ପୁନର୍ଗଠନ କରିବା ସହ କଳାକାର ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେବାରେ ସାହାଯ୍ୟ କରିବା ନିମନ୍ତେ ସଂଘ ଗଠନ ହୋଇ କାର୍ଯ୍ୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ବହୁ ସଂଖ୍ୟାରେ କଳାକାର ଲୁକାୟିତ ଅବସ୍ଥାରେ ରହି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି । ସେହି ମାନଙ୍କୁ ଲୋକ ଲୋଚନକୁ ଆଣିବା ସହ ସେମାନଙ୍କ ପେନସନ ବ୍ୟବସ୍ଥା କରିବା ଏବଂ ରହିଥିବା ପେନସନ ବ୍ୟବସ୍ଥାକୁ ୫ ହଜାର ଟଙ୍କାକୁ ବୃଦ୍ଧି କରିବା , ନୂତନ ରଙ୍ଗମଞ୍ଚ ନିର୍ମାଣ କରିବା ସହ ଜିଲ୍ଲାରେ ବର୍ଷ ବର୍ଷ ଧରି ରହିଥିବା ଗାଁ ଗହଳିର ଯାହାକି ଲୋପ ପାଇ ଯାଉଥିବା ଭାରତଲୀଳା , ଭୂତକେଳି , କୃଷ୍ଣଲୀଳା , ରାଧାକୃଷ୍ଣ ଲୀଳା , ଘୁଡୁକି , ପ୍ରହଲ୍ଲାଦ ନାଟକ , ଦାସକାଠିଆ , ସଙ୍ଗୀତ , ନୃତ୍ୟ ଓ ମଞ୍ଚ-ନାଟକର କଳାକାର ମାନଙ୍କୁ ଚିହ୍ନଟ କରାଯାଇ ପୁନରୁଦ୍ଧାର କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରା ଯାଇଥିଲା । ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ଦିନ ବ୍ରହ୍ମପୁର ଠାରେ କଳାକାର ମହାସଂଘ ପକ୍ଷରୁ ଏକ ବିରାଟ କଳାକାର ପଟୁଆର ବାହାରିବା ସହିତ କଳାକାର ଓ ଲୋକକଳା ସମସ୍ୟା ଉପରେ ଏକ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯିବ । ତେଣୁ ଜିଲ୍ଲାର ସମସ୍ତ କଳାକାର ମାନଙ୍କୁ ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ବଟକୃଷ୍ଣ ପାତ୍ରଙ୍କୁ ଯୋଗାଯୋଗ କରିବା ପାଇଁ ବିଶେଷ ଅନୁରୋଧ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , କାର୍ଯ୍ୟକାରୀ ସଭାପତି ବଟକୃଷ୍ଣ ପାତ୍ର , ଉପ-ସଭାପତି ନୃସିଂହାନନ୍ଦ ପାଣିଗ୍ରାହୀ ଏବଂ ଭାରତ ଭୂଷଣ ମହାନ୍ତି , ସମ୍ପାଦକ ମନୋଜ କୁମାର ପାଢୀ , ସହ-ସମ୍ପାଦକ ଆଦର୍ଶ ଦାସ , ଏବଂ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରବୀଣ ପଣ୍ଡା , କୈଳାଶ ପଟ୍ଟନାୟକ , ବିଚିତ୍ରା ନନ୍ଦ ବେବର୍ତ୍ତା , ଜଟିଆ ଗୌଡ , ହିମାଂଶୁ ଶେଖର ପଟ୍ଟନାୟକ ଏବଂ ଶରତ ଚନ୍ଦ୍ର ସାହୁ ପ୍ରମୁଖ । ଶେଷରେ ଭାରତ ଭୂଷଣ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକ କାର୍ଯ୍ୟକ୍ରମରେ ସହରର ବହୁ ମଞ୍ଚ ନିର୍ଦ୍ଦେଶକ ଓ କଳାକାର ମାନେ ଯୋଗ ଦେଇଥିଲେ ।